Unknown

 

 

 

 

 

 

 

 

 

ଜାତୀୟ ଜୀବନର ଆତ୍ମବିକାଶ

(ପ୍ରଥମ ଖଣ୍ଡ)

ଗୋବିନ୍ଦ ଚନ୍ଦ୍ର ମିଶ୍ର

 

ଭୂମିକା

 

ଭୂମିକାରେ ପୁସ୍ତକର ପରିଚୟ ଦିଆଯାଏ । ଏହି ପୁସ୍ତକର ନାମ ହୋଇଛି ଜାତୀୟ ଜୀବନର ଆତ୍ମ ବିକାଶ (Self-evolution of Nationalism) । ଏଥିରେ ମୁଁ ନିଜ ଜୀବନର ବିକାଶ କାହାଣୀ ବର୍ଣ୍ଣନା କରିଛି । ନାନାପ୍ରକାର ଉତ୍‌ଥାନ ପତନ ଓ ଆଶା ନିରାଶା ଭିତରେ, ଦେଶସେବା ତଥା ଦେଶକୁ ସ୍ୱାଧୀନ କରିବାର ପ୍ରବଳ ଆକାଙ୍‌କ୍ଷା ମୋଠାରେ ଅଙ୍କୁରିତ ହୋଇ ତାହା କିପରି ଦୃଢ଼ ଆକାର ଧାରଣ କରିଛି ସେ ସବୁର ଇତିବୃତ୍ତ ମୁଁ ଏହି ପୁସ୍ତକରେ ବର୍ଣ୍ଣନା କରିଛି । ଦେଶକୁ ସ୍ୱାଧୀନ କରିବାର ପ୍ରବଳ ଆକାଙ୍‌କ୍ଷା କୌଣସି ପ୍ରକାରେ ଥରେ ହୃଦୟରେ ସ୍ଥାନ ପାଇଲେ ତାହା ଦ୍ରବୀଭୂତ ହୁଏ ନାହିଁ । ସହସ୍ରପ୍ରକାର ବାଧାବିଘ୍ନକୁ ଅତିକ୍ରମ କରି ସେହି ଆକାଙ୍‌କ୍ଷା ତା’ର ବାଟ ପରିଷ୍କାର କରିନିଏ । ଜାତୀୟ ଜୀବନ (Nationalism) ଗୋଟିଏ ବିରାଟ ଶକ୍ତି । ଏହା ଏଡ଼େ ମହତ୍‌ ଓ ବିରାଟ ଯେ ଏହାକୁ ଚାପି ଦେବା ସହଜ ନୁହେ । ଏହାକୁ ଲୋପ କରିଦେବା ଇଚ୍ଛାରେ ଏହା ଉପରେ ହିମାଳୟ ପାହାଡ଼କୁ ଚାପି ଦେଲେ ମଧ୍ୟ ସେହି ଶକ୍ତି ହିମାଳୟ ପାହାଡ଼କୁ ଫଟାଇ ଭୂମିକମ୍ପ ସୃଷ୍ଟି କରିବ ।

 

ତଥାପି ଏ ଶକ୍ତି ଦବି ଯିବାପାଇଁ ବହୁତ ବାଧା ଅଛି । ଜାତୀୟଜୀବନ ବିକାଶପ୍ରାପ୍ତିରେ ବାଧା ପାଏ ଯଦି ଦେଶର ପରିସ୍ଥିତି ପ୍ରତିକୂଳ ହୁଏ । ରାଜନୈତିକ, ଅର୍ଥନୈତିକ, ସାମାଜିକ, ଶେଷରେ ପାରିବାରିକ ଏପରି ବହୁଧା ପରିସ୍ଥିତି ମନୁଷ୍ୟର ପ୍ରତିକୂଳ ହୋଇ ଠିଆହୁଏ । ମନୁଷ୍ୟର ଚିତ୍ତବୃତ୍ତି ଏକମାତ୍ର ଉପାଦାନ ଏ ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବାପାଇଁ । ଏହିସବୁ ପ୍ରତିକୂଳ ପରିସ୍ଥିତି ସହିତ ମୋତେ ସଂଗ୍ରାମ କରିବାକୁ ପଡ଼ିଛି । ବେଳେ ବେଳେ ଆଶା ସଫଳ ହେବାର ସମ୍ଭାବନାରେ ଅତିଶୟ ଆନନ୍ଦ ଲାଭ କରିଛି । ବେଳେ ବେଳେ ନିରାଶାରେ ଜୀବନ ନିଷ୍ଫଳ ହେଲା ବୋଧ କରି ପାଗଳ ପ୍ରାୟ ଆତ୍ମହତ୍ୟା କରିବାକୁ ଇଚ୍ଛା କରିଛି । ପୋଲିସର ତାଡ଼ନାରେ ଲୁଚି ଲୁଚି ଜୀବନ ବିତେଇଛି । ଏକାଧାରରେ ୧୦।୧୫ ଦିନ ଉପବାସ ମଧ୍ୟ ରହିଛି । ଦେଶକୁ ସ୍ୱାଧୀନ କରିବାପାଇଁ କାର୍ଯ୍ୟ କରୁଛି ଅବା କରିବି, ଏହି ଭାବ କେବଳ ମୋତେ ଧରି ରଖିଛି । ମନରେ ବଳ ଓ ହୃଦୟରେ ସାହସ ଦେଇଛି । ଅସୀମ ଦୁଃଖ ଦୁର୍ବିପାକରେ ମୋର ହୃଦୟ ଦବି ଯାଇ ନାହିଁ । ମୋର ଜୀବନ ସଂଗ୍ରାମ ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ଏକ ବିବରଣୀ-। ଏଥିରୁ ଦେଶବାସୀ, ଓଡ଼ିଶାର ଜାତୀୟ ଜୀବନର ଜାଗରଣ ବିଷୟରେ ଓ ଭାରତର ସ୍ୱରାଜ୍ୟ ଆନ୍ଦୋଳନ ବିଷୟରେ ଅନେକ ତଥ୍ୟ ଜାଣି ପାରିବେ । ଦଶପଲ୍ଲା ମେଳି, ବଙ୍ଗଳାର ବିପ୍ଳବବାଦ, ରଓଲାତ୍‌ ସତ୍ୟାଗ୍ରହ, ପଞ୍ଜାବ ଅତ୍ୟାଚାର ଓ ଅସହଯୋଗ ଆନ୍ଦୋଳନ ଇତ୍ୟାଦି ବିଷୟରେ ଅନେକ କଥା ଦେଶବାସୀ ଜାଣିବାକୁ ପାଇବେ । ଏଥିପାଇଁ ଏହି ପୁସ୍ତକର ନାମ ଦେଇଛି ଜାତୀୟ ଜୀବନର ଆତ୍ମ ବିକାଶ । ଏହା ଦେଶରେ ଜାତୀୟ ଜୀବନର ଆତ୍ମ ବିକାଶରେ ସହାୟତା କରିବ ଭାବି ଏ ପୁସ୍ତକ ଖଣ୍ଡି ମୁଁ ଲେଖିଛି । ମୁଁ ଉପଲବ୍‌ଧି କରିଛି ଈଶ୍ୱର ବୋଲି ଯଦି କେହି ଥାନ୍ତି ଅବା ତାଙ୍କର ଯଦି କିଛି ସତ୍ତା ଥାଏ ତେବେ ଏହି ଜାତୀୟ ଜୀବନ ହେଉଛି ସେହି ସତ୍ତାର ନିଦର୍ଶନ । ଏହି ଜାତୀୟ ଜୀବନର ବିକାଶ ସାଧନ ହେଉଛି ଭଗବତ୍‌ ଆରାଧନା । ମନୁଷ୍ୟ କ୍ଷୁଦ୍ର ପାରିବାରିକ ପରିସରକୁ ଭୁଲି ଦେଶସେବାରେ ମନଃପ୍ରାଣ ନିୟୋଜିତ କରିବା ଅର୍ଥ ଜାତୀୟ ଜୀବନର ବିକାଶ ସାଧନ କରିବା । ନିଜର ମାତୃଭୂମିକୁ ଆଦର କରିବା ମନୁଷ୍ୟର ସ୍ୱଭାବସୁଲଭ ଗୁଣ । ଏହି ଗୁଣର ପରିବୃଦ୍ଧିରେ ମନୁଷ୍ୟର ମନୁଷ୍ୟତା ବିକାଶ ପାଏ । ଯେଉଁ ଦେଶ ତଥା ଜାତିରେ ଏହି ଗୁଣ ଯେତେ ପରିମାଣରେ ବିକାଶ ପାଇଛି ସେହି ଦେଶ ତଥା ଜାତି ତେତିକି ପରିମାଣରେ ମହତ୍‌ ହୋଇଛି । କାଳର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଦେଶ ତଥା ଜାତିର ଉତ୍‌ଥାନ ପତନ ଲାଗିଛି । ପତନବେଳେ ଜାତିର ଅନ୍ତର୍ନିହିତ ଜୀବନ ଧାରା ଶୁଖିଯାଏ ନାହିଁ । ଏହି ଜୀବନ ଧାରା ହେଉଛି ଜାତୀୟ ଜୀବନର ପ୍ରତୀକ ତଥା ମୂଳଭିତ୍ତି । କୌଣସି ପ୍ରକାରର ଚାପ, ପ୍ରତିରୋଧ ଏହି ଶକ୍ତିକୁ ଲୋପ କରି ନ ପାରେ-। ସାମାନ୍ୟ ବଟବୃକ୍ଷର ବୀଜରୁ ମହାନ୍‌ ବୃକ୍ଷ ଉଦ୍ଭବ ହେଲା ପରି ଅତି ସାମାନ୍ୟ ମନୁଷ୍ୟଠାରେ ମଧ୍ୟ ମହାନ୍‌ ଜାତୀୟ ଜୀବନର ଅଙ୍କୁର ଆପେ ଆପେ ଫୁଟି ଉଠିବ । କୌଣସି ବାଧାବିଘ୍ନ ସେ ମାନିବ ନାହିଁ । ଜେଲ ଯନ୍ତ୍ରଣା, ଫାଶିକାଠର ଭୟ ତାକୁ ତ୍ରସ୍ତ କରି ପାରିବ ନାହିଁ । ଏ ସବୁ ହେବ ତା’ର ଭୂଷଣ । ଏ ସବୁର ଆଭାସ ଏହି ପୁସ୍ତକରେ ଅଛି । ଏଣୁ ପୁସ୍ତକର ନାମ ଦେଲି ଜାତୀୟ ଜୀବନର ଆତ୍ମ ବିକାଶ ଅର୍ଥାତ୍‌ Self-evolution of Nationalism.

 

ଯେତେ ସଂକ୍ଷେପରେ ପାରେ ବହିଖଣ୍ଡି ଲେଖିବାକୁ ଚେଷ୍ଟା କରିଛି । ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ପର୍ଯ୍ୟନ୍ତ ମୋତେ ପ୍ରଭାବିତ କରିଥିବା ପ୍ରଧାନ ଘଟଣାମାନ ଉଲ୍ଲେଖ କରିଛି । ଏହିଖଣ୍ଡି ପ୍ରଥମାର୍ଦ୍ଧ । ଦ୍ୱିତୀୟାର୍ଦ୍ଧ ଲେଖି ନାହିଁ । ଲେଖିବାର କଳ୍ପନା କରିଛି । ଏ ଖଣ୍ଡି ଦେଶବାସୀ ଆଦରରେ ଗ୍ରହଣ କରିବାର ଦେଖିଲେ ଦ୍ୱିତୀୟାର୍ଦ୍ଧ ଲେଖିବାକୁ ସାହସୀ ହେବି ।

 

ଗାନ୍ଧିସେବାଶ୍ରମ

ଶ୍ରୀ ଗୋବିନ୍ଦଚନ୍ଦ୍ର ମିଶ୍ର

ତା ୧୦ । ୭ । ୪୦

 

Image

 

ପ୍ରଥମ ଭାଗ

ପ୍ରଥମ ପରିଚ୍ଛେଦ

 

ମୋର ଜନ୍ମଭୂମି ଗଡ଼ଜାତର ଦଶପଲ୍ଲା ରାଜ୍ୟ । ମୋ ପିତାଙ୍କ ନାମ ବୈଦ୍ୟନାଥ ମିଶ୍ର, ପିତାମହଙ୍କ ନାମ ଈଶ୍ୱର ମିଶ୍ର । ନୟାଗଡ଼ ରାଜ୍ୟରେ ପଦ୍ମାଦେଈପୁର ଆମର ସାବକ ଘର ଅଟେ । ଏହି ଶାସନରେ ଘର ଜମି ଏବେ ମଧ୍ୟ ଅଛି । ଦଶପଲ୍ଲା ମୋର ମାମୁ ଘର । ମୋ ଅଜା (ମାତାମହ)ଙ୍କ ନାମ ହରିହର ଶତପଥୀ । ଦଶପଲ୍ଲା ରାଜା ତାହାଙ୍କୁ ରାୟଗୁରୁ ଉପାଧି ପ୍ରଦାନ କରିଥିଲେ । ତାଙ୍କର ଡାକ ନାମ ହରିରାଇଗୁରୁ । ସେ ଜଣେ ପୁରୁଣା କାଳିଆ ଅତି ସରଳ ଓ ଧାର୍ମିକ ଲୋକ ଥିଲେ । ତାହାଙ୍କୁ ରାଜାଙ୍କଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ଗୁରୁତୁଲ୍ୟ ଭକ୍ତି ଓ ସମ୍ମାନ କରୁଥିଲେ । ଦଶପଲ୍ଲା ଗଡ଼ରେ ତାହାଙ୍କର ଅନେକ ଶିଷ୍ୟ ଥିଲେ । ତାହାଙ୍କ ଜୀବନରେ ସେ ରାଜକଚେରୀ ଦ୍ୱାରକୁ ଯାଇ ନ ଥିଲେ । ଦୁଇ ତିନି ଜଣଙ୍କୁ କୌଣସି କାର୍ଯ୍ୟ ଉପଲକ୍ଷେ ଛୁଇଁବାକୁ ହେଲେ, ସେ ପିନ୍ଧିଥିବା ଲୁଗାକୁ ପାଲଟୁ ଥିଲେ । ଦଶପଲ୍ଲା ଗଡ଼ର ଶ୍ରୀ ରାଧାକାନ୍ତ ଠାକୁର ମନ୍ଦିରର ସେ ପରିଚ୍ଛା ଥିଲେ । ସକାଳୁ ଦିନ ଦୁଇଟା ପର୍ଯ୍ୟନ୍ତ ଏବଂ ସଂଧ୍ୟା ସମୟରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ସେ ସେହି ରାଧାକାନ୍ତ ଠାକୁରଙ୍କ ନିକଟରେ ବରାବର ଧାରଣା ଦେଇ ବସୁଥିଲେ । ଏହି ସବୁ କାରଣରୁ ଦଶପଲ୍ଲା ରାଜ୍ୟରେ ସମସ୍ତେ ତାହାଙ୍କୁ ଗୁରୁତୁଲ୍ୟ ଭକ୍ତି କରୁଥିଲେ । ତାହାଙ୍କର ଅନେକ ଦିନ ପର୍ଯ୍ୟନ୍ତ ପୁତ୍ର ସନ୍ତାନ ନ ହେବାରୁ ସେ ମୋ ପିତାଙ୍କୁ ଅତି ଆଗ୍ରହରେ ଦଶପଲ୍ଲାକୁ ଡକାଇ ନେଇଥିଲେ । ମୋର ଜନ୍ମ ଏହି ଦଶପଲ୍ଲା ଗଡ଼ରେ ।

 

ପଦାଦେଈପୁର ଶାସନରେ ଆମ୍ଭର ସାଂସରିକ ଅବସ୍ଥା ଟିକିଏ ଶୋଚନୀୟ ହୋଇ ପଡ଼ିଲା । ଏପରି ଅବସ୍ଥାରେ ଗୋଟିଏ ପରିବାର ଦୁଇଟି ରାଜ୍ୟରେ ଛାଡ଼ ଛାଡ଼ ହୋଇ ରହିବାକୁ କାହାରିକୁ ସୁଖ ଲାଗିଲା ନାହିଁ । ମୋ ପିତାମହ ଈଶ୍ୱର ମିଶ୍ରେ ଜଣେ ବଡ଼ ଶିବଭକ୍ତ ଓ କର୍ମଠ ବ୍ୟକ୍ତି ଥିଲେ । ସେ ପ୍ରତ୍ୟହ ସକାଳୁ ଦିନ ଦୁଇଟା ପର୍ଯ୍ୟନ୍ତ ଶିବ ମନ୍ଦିରରେ ଶିବ ଆରାଧନା କରୁଥିଲେ । ଶିବଙ୍କ ଆରାଧନା ନ କରି ସେ ଜଳ ଗ୍ରହଣ କରୁ ନ ଥିଲେ । ଶିବ ମନ୍ଦିରରୁ ଫେରି ଭୋଜନ ସାରି ସେ ତାଳପତ୍ର ପୋଥି ଲେଖୁଥିଲେ । ତାଙ୍କ ସମୟକୁ ମୁଦ୍ରା ଯନ୍ତ୍ରର ପ୍ରଚାର ବହୁଳ ହୋଇ ନ ଥିଲା । ରାମାୟଣ ଆଦି ପୁରାଣ ଓ ଭାଗବତ ସବୁ ତାହାଙ୍କ ସମୟରେ ତାଳପତ୍ରରେ ଲେଖା ହେଉଥିଲା । ତାଳପତ୍ର ପୋଥି ଲେଖିବାରେ ସେ ବଡ଼ ନିପୁଣ ଥିଲେ । ତାହାଙ୍କ ହସ୍ତଲିଖିତ ଅନେକ ତାଳପତ୍ର ପୋଥି ଏବେ ଆମ ଘରେ ଅଛି । ତାହାଙ୍କର ଏହି ସବୁ ଗୁଣ ହେତୁ ମୋ ଅଜା ମଧ୍ୟ ତାହାଙ୍କୁ ଭକ୍ତି କରୁଥିଲେ । ମୋ ପିତାଙ୍କର ଦଶପଲ୍ଲାକୁ ଆସିବାର କେତେକ ବର୍ଷ ପରେ ମୋ ଅଜାଙ୍କର ଆଗ୍ରହ ଓ ଅନୁରୋଧରେ ମୋ ପିତାମହ ଆଦି ପରିବାରର ଅନ୍ୟାନ୍ୟ ସମସ୍ତେ ଦଶପଲ୍ଲାକୁ ଚାଲି ଆସିଲେ ।

 

ଓଡ଼ିଶା ଗଡ଼ଜାତରେ କୁଳୀନ ବୈଦିକ ବ୍ରାହ୍ମଣ ବସତି ତଥା ଶାସନ ଅଛି । ସେମାନେ ସମସ୍ତେ ପୁରୀର ଶାସନୀ ବ୍ରାହ୍ମଣ । ପୁରୀ ରାହାଙ୍ଗ ଷୋଳ ଶାସନ ଓଡ଼ିଶାରେ ବୈଦିକ ଧର୍ମର ପୀଠ ବୋଲି ପ୍ରସିଦ୍ଧ । ଓଡ଼ିଆ ଜାତିର ରୁଚି ଓ ସଭ୍ୟତା ଏହି ପୁରୀ ବ୍ରାହ୍ମଣ ଶାସନମାନଙ୍କରେ ପୂର୍ଣ୍ଣାଙ୍ଗ ପ୍ରାପ୍ତି ଲାଭ କରିଥିଲା, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର କଥା ମୁଁ ଭଲକରି କହିପାରିବି ନାହିଁ । ମାତ୍ର ଗଡ଼ଜାତମାନଙ୍କରେ କୌଣସି ନୀତି ନିୟମର ଆଲୋଚନା ବେଳେ, ରାଜା ଓ ପ୍ରଜା ସମସ୍ତେ ଏହି ପୁରୀକୁ ଆଦର୍ଶ ରୂପେ ଦେଖନ୍ତି । ଏହିପରି କେତେ କାରଣରୁ ପୂର୍ବେ ପୁରୀ ଜିଲ୍ଲାର ଶାସନମାନଙ୍କରୁ କୁଳୀନ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ଜମି ଘର ଦାନ ଦେଇ ବ୍ରାହ୍ମଣ ଶାସନ ସ୍ଥାପନ କରିବାକୁ ଗଡ଼ଜାତର ରାଜାମାନେ ଗୋଟିଏ ପୁଣ୍ୟ କର୍ମ ବୋଲି ବିବେଚନା କରୁଥିଲେ । ଏହିପରି ଭାବରେ ନିମନ୍ତ୍ରିତ ହୋଇ ଆମ ପୂର୍ବପୁରୁଷ କେହି ନୟାଗଡ଼ ପଦ୍ମାଦେଈପୁର ଶାସନରେ ଦାନ-ଜମି ପାଇ ବସତି କରିଥିଲେ । ପୁରୀର ବୀର-ନରସିଂହପୁର ଆମ ପୂର୍ବପୁରୁଷଙ୍କ ବାସସ୍ଥାନ ବୋଲି ମୁଁ ଶୁଣୁଛି, କିନ୍ତୁ ସେଠାରୁ କିଏ କେବେ ଆସିଥିଲେ ତାହା ମୁଁ ଜାଣେ ନାହିଁ ।

 

ସେ ଯାହାହେଉ, ଦଶପଲ୍ଲାରେ ଭଲ ବ୍ରାହ୍ମଣ ସଂଖ୍ୟା ଅତି କମ୍‌ । ଦଶପଲ୍ଲା ଗଡ଼ରେ ବୈଦିକ ଓ ଆରଣ୍ୟକ ଏହିପରି ଦୁଇ ଶ୍ରେଣୀର ବ୍ରାହ୍ମଣ ଅଛନ୍ତି । ଆରଣ୍ୟକ ବ୍ରାହ୍ମଣମାନଙ୍କୁ ‘ଝାଡ଼ୁଆ’ ବ୍ରାହ୍ମଣ ବୋଲି କହନ୍ତି । ଏହି ଦୁଇ ଶ୍ରେଣୀ ବ୍ରାହ୍ମଣଙ୍କ ମଧ୍ୟରେ କୌଣସି ପ୍ରକାର ସାମାଜିକ ସଂବନ୍ଧ ନାହିଁ । ଏବେ ମଧ୍ୟ କେହି କାହା ସହିତ ବନ୍ଧୁ ବାନ୍ଧିବାକୁ କୁଣ୍ଠିତ । ବୈଦିକ ବ୍ରାହ୍ମଣମାନେ ଆପଣାକୁ ଏହି ଆରଣ୍ୟକ ବ୍ରାହ୍ମଣମାନଙ୍କଠାରୁ ଉଚ୍ଚ ବୋଲି ମନେ କରନ୍ତି । ଏହିପରି ଆହୁରି ମଧ୍ୟ କେତେକ କାରଣରୁ ମୋ ଅଜା ମୋ ପିତା ଓ ପିତାମହଙ୍କୁ ପଦ୍ମାଦେଈପୁର ଶାସନକୁ ଛାଡ଼ି ଦଶପଲ୍ଲା ଆସିବାକୁ ପ୍ରବର୍ତ୍ତାଇଥିଲେ ।

 

ମୋ ଅଜା ଜଣେ ପ୍ରଭାବଶାଳୀ ଲୋକ ଥିଲେ । ପ୍ରଭାବଶାଳୀ କହିଲେ ସେ ଜଣେ ବଡ଼ ପଣ୍ଡିତ କିମ୍ୱା ଧନବାନ୍‌ ନ ଥିଲେ । ମୋଗଲବନ୍ଦୀରେ ସାଧାରଣତଃ ଧନୀ ଓ ଜମିଦାରମାନେ ବଡ଼ଲୋକ ଓ ପ୍ରଭାବଶାଳୀ । କିନ୍ତୁ ଗଡ଼ଜାତରେ ଏ ସବୁର କୌଣସି ମୂଲ୍ୟ ନାହିଁ । ଗଡ଼ଜାତରେ ରାଜାମାନେ ହେଉଛନ୍ତି ସମସ୍ତପ୍ରକାର ପ୍ରଭାବର ମୂଳ । ଯାହାଙ୍କଠାରେ ଯେତେ ପରିମାଣରେ ରାଜ ଅନୁଗ୍ରହ ପଡ଼ିଥାଏ ସେ ସେତିକି ମାତ୍ରାରେ ବଡ଼ଲୋକ ଓ ପ୍ରଭାବଶାଳୀ ବିବେଚିତ ହୁଅନ୍ତି । ସୁତରାଂ ମୋ ଅଜାଙ୍କଠାରେ କେବଳ ଯେ ରାଜ ଅନୁଗ୍ରହ ଥିଲା ତାହା ନୁହେ, ରାଜପରିବାରର ସମସ୍ତେ ମଧ୍ୟ ତାହାଙ୍କୁ ଗୁରୁତୁଲ୍ୟ ଭକ୍ତି ଓ ସମ୍ମାନ କରୁଥିଲେ । ତେଣୁ ଅଜାଙ୍କର ପ୍ରଭାବ ରାଜ୍ୟରେ କମ୍‌ ନ ଥିଲା । ଅଜାଙ୍କର ପ୍ରଭାବରୁ ମୋ ପିତା ଏବଂ ପିତାମହଙ୍କର ପ୍ରଭାବ ରହିବା ସ୍ୱାଭାବିକ । ମୋ ପିତାମହ ଶ୍ରୀ ଈଶ୍ୱର ମିଶ୍ରଙ୍କର ସରଳ ପ୍ରକୃତି, ନୈଷ୍ଠିକତା ଓ କର୍ମ ନୈପୁଣ୍ୟ ହେତୁ ଅତି ଅଳ୍ପ ସମୟ ମଧ୍ୟରେ ସେ ସମସ୍ତଙ୍କ ପ୍ରୀତିଭାଜନ ହୋଇ ପାରିଥିଲେ ।

 

ମୋ ମାତାଙ୍କର ନାମ କମଳା ଦେବୀ । ସେ ବଡ଼ ଅଭିମାନିନୀ ଓ ଏକବୁଝା ଥିଲେ । ମୋ ଉପରେ ମୋର ଗୋଟିଏ ଭାଇ ଥିଲେ । ସେ ମରିଯିବାର ଅନେକ ବର୍ଷ ପର୍ଯ୍ୟନ୍ତ ମୋ ପିତା ମାତାଙ୍କର ସନ୍ତାନ ସନ୍ତତି କିଛି ହେଲେ ନାହିଁ । ସନ୍ତାନ ଲାଭ ପାଇଁ ମୋ ମାତା ବହୁତ ଓଷା ବ୍ରତ କଲା ପରେ ମୋର ଜନ୍ମ ହେଲା । ମୋ ଜନ୍ମ ହେବା ପରେ ମୋ ପିତା ମାତା ମୋତେ ପୁରୁଣା ଦଶପଲ୍ଲା ଗଡ଼ରେ ଥିବା ପ୍ରସିଦ୍ଧ ବଳଭଦ୍ର ଠାକୁରଙ୍କ ନିକଟରେ ବନ୍ଧା ପକାଇ ଦେଇଥିଲେ । ଗଡ଼ଜାତରେ ଗୋଟିଏ ପ୍ରଥା ଅଛି; ପିତା ମାତା ସନ୍ତାନର ବଞ୍ଚି ରହିବା ଆଶାରେ କୌଣସି ପ୍ରସିଦ୍ଧ ଠାକୁରଙ୍କ ନିକଟରେ ସନ୍ତାନକୁ ଏହିପରି ବନ୍ଧା ପକାଇ ଥାଆନ୍ତି । ପୁଣି ସନ୍ତାନ ବଡ଼ ହୋଇଗଲେ କର୍ଣ୍ଣବେଧ ବା ଉପନୟନ ସମୟରେ ଠାକୁରଙ୍କ ନିକଟରେ ଉପଯୁକ୍ତ ବ୍ୟବସ୍ଥା କରି ଓ କଳ୍ପିତ ଋଣ ଟଙ୍କା ଠାକୁରଙ୍କୁ ବା ସେବକଙ୍କୁ ସୁଝି ସନ୍ତାନକୁ ମୁକୁଳାଇ ନିଅନ୍ତି । ମୁଁ ବନ୍ଧା ପଡ଼ିଥିଲି ସତ୍ୟ, କିନ୍ତୁ ମୋତେ ଆଉ ମୋ ପିତା ମାତା ମୁକୁଳାଇ ନାହାନ୍ତି । ମୋତେ ମୁକୁଳାଇବାର ସମୟ ଉପସ୍ଥିତ ହେବା ପୂର୍ବରୁ ସେମାନେ ସଂସାର ଛାଡ଼ି ଚାଲିଗଲେ । ଆଜି ପର୍ଯ୍ୟନ୍ତ ମୁଁ ଠାକୁରଙ୍କ ନିକଟରେ ବନ୍ଧା ରହିଅଛି । ଏଥିଯୋଗୁ ‘ମୁଁ’ ଦିଅଁଙ୍କର’; ଏହି କଥାଟି ମୋତେ ଗୋଟିଏ ବଡ଼ ଯୁକ୍ତି ଯୋଗାଇଛି । ମୋର ନିକଟ ସଂପର୍କୀୟ ବ୍ୟକ୍ତି ସବୁ ଦେଶ କାର୍ଯ୍ୟରୁ ନିବୃତ୍ତ ହୋଇ ସଂସାର ଭିତରେ ପ୍ରବେଶ କରିବାକୁ ମୋ ସହିତ ଯୁକ୍ତି କଲାବେଳେ ମୁଁ କହିଥାଏ, ମୁଁ ବଳଭଦ୍ର ଠାକୁରଙ୍କ ନିକଟରେ ବନ୍ଧା ଅଛି-। ମୁଁ ଠାକୁରଙ୍କ କାର୍ଯ୍ୟ କରିବି । ସଂସାର କଥା ଆଉ ମୋତେ କାହିଁକି କହୁଛ ?

 

ମୋର ଶୈଶବକାଳ ଅତି ସୁଖରେ ଯାଇଛି । ସମସ୍ତଙ୍କ ଠାରୁ ଟିକିଏ ଅତି ମାତ୍ରାରେ ସ୍ନେହ ଆଦର ପାଇଥିବାରୁ ମୁଁ ମଧ୍ୟ ଟିକିଏ ଜିଦ୍‌ଖୋର୍‌ ହୋଇ ଯାଇଛି । ଏହି ପ୍ରକୃତି ମୋର ବର୍ତ୍ତମାନ ଜୀବନର ବହୁତ ସୁଖ ଦୁଃଖର କାରଣ ହୋଇଛି । କିନ୍ତୁ ମୋତେ ବହୁଦିନ ସୁଖ ଭୋଗ କରିବାକୁ ପଡ଼ି ନ ଥିଲା । ଅତି ଅଳ୍ପ ଦିନ ମଧ୍ୟରେ ନାବିକବିହୀନ ନାବ ପରି ମୋତେ ଦୁଃଖ ସାଗରରେ ଭାସିବାକୁ ପଡ଼ିଥିଲା । ଜୀବନ ଓ ଜୀବିକା ନିମିତ୍ତ ମୋତେ ବାଲ୍ୟକାଳରୁ ସଂଗ୍ରାମ କରିବାକୁ ପଡ଼ିଥିଲା ।

 

ମୋ ପିତା ବୈଦ୍ୟ ବୃତ୍ତି କରୁଥିଲେ । କକେଇ ଚାଷ ବାସ ବୁଝୁ ଥିଲେ । ଦଶପଲ୍ଲାରେ ଆମର ନିଜର ହୋଇ ଜମି ନ ଥିଲା । ଅଜାଙ୍କ ସାହାଯ୍ୟ ଓ ପ୍ରଭାବରୁ ଆମ୍ଭର ଚାଷ ବିଷୟରେ କୌଣସି ଅସୁବିଧା ହେଉ ନ ଥିଲା । ଚାଷ କହିଲେ, କେତେକ ଜମି ଆମର ଭାଗ ଚାଷ ଥାଏ । ଅଜା ରାଧାକାନ୍ତ ଠାକୁରଙ୍କର ପରିଚ୍ଛା । ତେଣୁ ଏହି ଠାକୁରଙ୍କର କେତେକ ଭଲ ଜମି ଆମକୁ ଭାଗ ଚାଷ କରିବାକୁ ଦେଇ ଥାଆନ୍ତି । ଗଡ଼ଜାତର ବର୍ତ୍ତମାନ ଅବସ୍ଥାକୁ ସେତେବେଳର ଅବସ୍ଥା ସଙ୍ଗେ ତୁଳନା କରାଯାଇ ନ ପାରେ । ସେତେବେଳେ ଗଡ଼ଜାତର ଲୋକେ ନିଜର ଯୋତରୂପେ ଜମି କରିବାକୁ ବଡ଼ ଇଚ୍ଛୁକ ହେଉ ନ ଥିଲେ । ଲୋକଙ୍କର ଏତେ ଅଭାବ ନ ଥିଲା । ଜୀବନ ଅତି ସରଳଭାବରେ ସମସ୍ତେ ଯାପନ କରୁଥିଲେ । ଅଭାବର ମାତ୍ରା ଅତି କମ୍‌ ଥିବାରୁ କେତେବେଳେ କିଛି ଅଭାବ ଥିଲାପରି ସେମାନେ ଅନୁଭବ କରିପାରୁ ନ ଥିଲେ । ରାଜା ପ୍ରଜାଙ୍କ ସମ୍ୱନ୍ଧ ମଧ୍ୟ ପିତା ପୁତ୍ତ୍ରର ସମ୍ୱନ୍ଧ ପରି ଥିଲା । ଅନ୍ୟାୟ ଅବିଚାର କଅଣ, ପ୍ରଜା କିଛି ଜାଣୁ ନ ଥିଲେ । ମାଲି ମକଦମା ନ ଥିଲା । କର ପୀଡ଼ା କ’ଣ ତାହା ମଧ୍ୟ ପ୍ରଜା ଜାଣୁ ନ ଥିଲେ । ବେଠି ପ୍ରଭୃତିର ପ୍ରଚଳନ ବିଶେଷ ଭାବରେ ନ ଥିଲା । ଚାଷ ଜମି ପାଇଁ ସାମାନ୍ୟ ମାତ୍ର ଖଜଣା ଦେବାକୁ ପଡ଼ୁଥିଲା । ରାଜାଙ୍କର ଆଜିକାଲି ପରି ଏତେ ଆଡ଼ମ୍ୱର ନ ଥିଲା, କିମ୍ୱା ବ୍ୟୟାଧିକ୍ୟ ମଧ୍ୟ ନ ଥିଲା । ରାଜା ପାରିଧି ବା ଶୀକାର କରିବାକୁ ବାହାରିଲେ ପ୍ରଜାମାନେ ତାଙ୍କ ସାଙ୍ଗରେ ଜଙ୍ଗଲକୁ ଯାଉଥିଲେ । ଆଜିକାଲି ତାହା ଏକ ବେଠିରେ ପରିଣତ ହୋଇ ଗଲାଣି । ଜଗନ୍ନାଥଙ୍କର ରଥ ଟାଣିବା ଓ ପୁରୀକୁ ରଥ କାଠ ଯୋଗାଇବା ଏହି ଦୁଇଟି ପ୍ରଜାମାନଙ୍କର ସାଧାରଣ ବେଠି । ଏତଦ୍‌ବ୍ୟତୀତ ଜାଗିରି ଜମି ଖାଇ ଜାଗିରିଆ ପ୍ରଜା ଥିଲେ । ସେମାନେ ରଜାଘରର ଅନ୍ୟ ସବୁ ପ୍ରକାର କାମ କରୁଥିଲେ ।

 

ଏହି ସମୟରେ ଦଶପଲ୍ଲାର ରାଜା ଥିଲେ ଶ୍ରୀ ଶ୍ରୀ ଚୈତନ୍ୟ ଭଞ୍ଜ ଦେଓ । ଅତର ମିଆଁ ନାମରେ ଜଣେ ମୁସଲମାନ ଥିଲେ ଦଶପଲ୍ଲାର ଦେବାନ । ମୋର ବୟସ ସେତେବେଳେ ପାଞ୍ଚ କିମ୍ୱା ଛଅ ହେବ । ଦଶପଲ୍ଲା ଗଡ଼ରେ ସେତେବେଳକୁ ଗୋଟିଏ ଭର୍ଣ୍ଣାକ୍ୟୁଲର ଇସ୍କୁଲ ଥାଏ । ସେହି ଇସ୍କୁଲରେ ମୋର ପାଠ ପଢ଼ା ଆରମ୍ଭ ହେଲା । ସେହି ଇସ୍କୁଲରେ ଦେବାନଙ୍କର କେତେ ଗୁଡ଼ିଏ ପିଲା ପଢ଼ୁଥାନ୍ତି । ସେମାନଙ୍କ ନାମ ସଏଦ୍‌, ରାପ୍ନା, ଓଜି । ଏମାନଙ୍କ ମଧ୍ୟରେ ସଏଦ୍‌ ଜ୍ୟେଷ୍ଠ । ସେ ଭାରି କ୍ରୀଡ଼ାପ୍ରିୟ ଥିଲେ । ସେ ପ୍ରଥମେ ଦଶପଲ୍ଲାରେ ପେଣ୍ଡୁ (କ୍ରିକେଟ୍‌) ଆରମ୍ଭ କରିଥିଲେ । ସଏଦ୍‌ ମିଆଁ ଯୋଗୁ ସେତେବେଳକୁ ସେହି ଇସ୍କୁଲରେ ଆଧୁନିକ ଧରଣର କେତେ ଖେଳ ପ୍ରଚଳିତ ହୋଇଥାଏ । ଏହି ଖେଳ ମୋତେ ଇସ୍କୁଲକୁ ଟାଣି ନେଇ ଥିଲା । ସଏଦ୍‌ ମିଆଁ ପିଲାଙ୍କୁ ନେଇ ବହୁତ ଖେଳ କରନ୍ତି । ଇସ୍କୁଲର ମାଷ୍ଟରମାନେ ପୁରୁଣା କାଳିଆ । ସେମାନେ ଖେଳକଥା କିଛି ଜାଣି ନ ଥାନ୍ତି କହିଲେ ଚଳେ । ପିଲାଙ୍କୁ ପାଠ ଘୋଷିବାକୁ ଦେବା ଏବଂ ନିର୍ଦ୍ଦିଷ୍ଟ ସମୟରେ ପାଠ ଆଦାୟ ନ ଦେଲେ ମାଡ଼ ଦେବା, ଏହା ହେଉଥିଲା ମାଷ୍ଟରଙ୍କ କାର୍ଯ୍ୟ । ଏହା ଛଡ଼ା ପ୍ରତି କ୍ଳାସରେ, ବିଶେଷତଃ ତଳ କ୍ଳାସମାନଙ୍କରେ ଜଣେ ଜଣେ ଚାଟପିଲା ଥିଲେ । ଏହି ଚାଟ ପିଲାମାନେ ପ୍ରକୃତରେ ଶିକ୍ଷକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହଁ । କାରଣ ଏହି ଚାଟପିଲା କ୍ଳାସରେ ପିଲାଙ୍କୁ ସନ୍ଥ ଦେଉଥିଲେ ପିଲାଙ୍କଠାରୁ ପଢ଼ା ବୁଝି ନେଉଥିଲେ । ପଢ଼ା କାହାକୁ ନ ଆସିଲେ ଏହି ଚାଟ ପିଲା ଶିକ୍ଷକଙ୍କ ନିର୍ଦ୍ଦେଶ ମତେ ସେ ପିଲାକୁ ମାଡ଼ ଦେଉଥିଲେ, ସୁତରାଂ ଏହି ଚାଟ ପିଲାଙ୍କୁ କ୍ଳାସର ବାଳକମାନଙ୍କର ଯେତେ ଡର ଶିକ୍ଷକଙ୍କୁ ସେତେ ନ ଥାଏ । ପିଲାଦିନେ ମୋର ପାଠରେ ତେତେ ମନ ନ ଥାଏ । ସଏଦ୍‌ମିଆଁଙ୍କ ଖେଳ ପ୍ରତି ମୋର ଭାରି ଆଗ୍ରହ । ସେ ଥିଲେ ସ୍କୁଲର ବଡ଼ ଚାଟ । ତାହାଙ୍କ ପ୍ରତି ମୋର ଡର ନ ଥାଏ, କିନ୍ତୁ ଆମ କ୍ଳାସର ଚାଟକୁ ମୋର ଭାରି ଡର । ପାଠ ଟିକିଏ ନ ଆସିଲେ ସେ ଭାରି ମାଡ଼ ଦେଉଥିଲା । ଦିନେ ଦିନେ ମୁଁ ସ୍କୁଲରେ ମାଡ଼ଖାଇ ଘରକୁ ଫେରିଯାଏ । ଆଉ ସ୍କୁଲକୁ ଆସିବାକୁ ମୋ ମନ ଡାକେ ନାହିଁ । ଗଦାଧର ଦୀନବନ୍ଧୁ ଓ କୃଷ୍ଣ ନାମରେ ମୋର କେତୋଟି ସାଥି ପିଲା ଥିଲେ । ଦିନେ ଦିନେ ମୁଁ, ଦୀନବନ୍ଧୁ ଓ ଗଦାଧର, ସ୍କୁଲକୁ ଆସୁ ଆସୁ ବାଟରୁ ପଳାଇ ଯାଉଥିଲୁ । କିନ୍ତୁ ଘରକୁ ନ ଯାଇ ଗୋଟିଏ ସ୍ଥାନରେ ଲୁଚି ରହୁଥିଲୁ । ସ୍କୁଲ ଛୁଟି ହେଲା ବେଳ ହେଲେ ଘରକୁ ଆସୁଥିଲୁ । ଘରେ ସମସ୍ତେ ଜାଣୁଥିଲେ ଯେ ଆମେ ସ୍କୁଲକୁ ଯାଇ ସ୍କୁଲରୁ ଫେରୁଛୁ ।

 

ସ୍କୁଲରେ ବ୍ରଜବନ୍ଧୁ ମିଶ୍ର ନାମରେ ଜଣେ ଶିକ୍ଷକ ଥିଲେ । ତାଙ୍କର ଘର ଦଶପଲ୍ଲା ଗଡ଼ରେ । ଯେଉଁଦିନ ଯେଉଁପିଲା ସ୍କୁଲକୁ ଯାଇ ନ ଥାଏ ଦିନେ ଦିନେ ଏହି ବ୍ରଜବନ୍ଧୁ ମିଶ୍ର ତା ଘରକୁ ଯାଇ ବାଳକର ସ୍କୁଲକୁ ନ ଯିବାର କାରଣ ଅନୁସନ୍ଧାନ କରୁଥିଲେ । ଏହିପରି ଭାରେ ପିଲାର ସ୍କୁଲକୁ ଯାଇ ନ ଥିବାର ସମ୍ୱାଦ ଘରେ ପିତାମାତା ଜାଣି ପାରିଲେ, ପିଲାକୁ ଘରୁ ମଧ୍ୟ ଶାସ୍ତି ମିଳୁଥିଲା । ସ୍କୁଲରେ ମଙ୍ଗୁଳିଆ ନାମରେ ଗୋଟିଏ ଦପ୍ତରି ଥିଲା । ପିଲାଙ୍କୁ ଡାକିକରି ସ୍କୁଲରେ ହାଜର କରିବା ତାହାର ପ୍ରଧାନ କାମ । ସ୍କୁଲରେ ବେଶୀ ପିଲା ନ ଜମିଲେ ମଙ୍ଗୁଳିଆର ଚାକିରି ଯିବ । କେହି ପିଲା ବାରମ୍ୱାର ଗରହାଜର ହେଲେ ମଙ୍ଗୁଳିଆକୁ ଜୋରିମାନା ହେଉଥିଲା । ସୁତରାଂ ନ ଆସିଥିବା ପିଲାମାନଙ୍କୁ ଧରି ଆଣିବାକୁ ସେ ବହୁତ ଚେଷ୍ଟା କରୁଥାଏ । ପିଲାମାନଙ୍କ ଲୁଚିବାର ସ୍ଥାନ ସବୁ ମଙ୍ଗୁଳିଆକୁ ଜଣା । ଗଡ଼ର ଅନ୍ଦିକନ୍ଦି ମଙ୍ଗୁଳିଆକୁ କିଛି ଅଗୋଚର ନ ଥିଲା । ଲୁଚିବା ସ୍ଥାନସବୁ ଖୋଜି ମଙ୍ଗୁଳିଆ କୌଣସି ଲୁଚିଥିବା ପିଲାକୁ ପାଇଲେ ସେ ତାକୁ ଧରି ମାରି ଘୋସାରି ଟାଣିନେଇ ଆସୁଥିଲା । ତା ନିକଟରେ ଦୟାମାୟା କିଛି ନ ଥିଲା । ଦୁଇ ଚାରିଜଣ ବଡ଼ ପିଲା ଯଦି ମେଳିବାନ୍ଧି ସ୍କୁଲକୁ ନ ଆସି ଲୁଚି ରହି ଥାଆନ୍ତି, ତେବେ ମଙ୍ଗୁଳିଆ ଖୋଜି ଖୋଜି ସେମାନଙ୍କ ନିକଟରେ ହାଜର ହେଲେ ପିଲାମାନେ ତାକୁ ଧରି ଟାଙ୍କେ ଛେଚି ଛାଡ଼ି ଦେଉଥିଲେ । ମାଡ଼ଖାଇ କିନ୍ତୁ ମଙ୍ଗୁଳିଆ ପିଲାଖୋଜା ଓ ପିଲାଧରା କାମରେ ହଟୁ ନ ଥାଏ । ହଟିବ ଅବା କିପରି-? ହଟିଲେ ତେଣେ ଜୋରିମାନା ହେବ । ସୁତରାଂ ସେ ସ୍କୁଲକୁ ଆସି ଶିକ୍ଷକଙ୍କୁ କହି ଆଉ କେତେଜଣ ପିଲାଙ୍କୁ ସଙ୍ଗରେ ନେଇଯାଇ ଲୁଚିଥିବା ପିଲାଙ୍କୁ ଖୋଜେ ଓ ସାଙ୍ଗରେ ନେଇଥିବା ପିଲାମାନଙ୍କ ସାହାଯ୍ୟରେ ଲୁଚିଥିବା ପିଲାଙ୍କୁ ଧରି ଆଣେ । ଲୁଚିଥିବା ପିଲା ଧରାହୋଇ ସ୍କୁଲକୁ ଆସିଲେ ତା’ ଅବସ୍ଥା ଶୋଚନୀୟ ହୁଏ । ସ୍କୁଲ ଛୁଟିହେବା ପର୍ଯ୍ୟନ୍ତ ତାକୁ ‘ନାକ ଖଡ଼ି’ ଶାସ୍ତି ଦିଆ ହୁଏ । ଚାଟ ପିଲାଠାରୁ ଆରମ୍ଭ କରି ଶିକ୍ଷକ ପର୍ଯ୍ୟନ୍ତ ଯେ ଯେପରି ପାରିଲା ସେପରି ତାକୁ ମାଡ଼ ଦେଉ ଥାଆନ୍ତି । ଏହି କାରଣରୁ ପିଲାମାନଙ୍କୁ ସ୍କୁଲ ଯମାଳୟ ପରି ବୋଧ ହେଉଥାଏ । ବାଳକର ହୃଦୟ ଅତି କୋମଳ । ତା’ର କୋମଳ ହୃଦୟରେ ପାଠ ପ୍ରତି ଆଗ୍ରହ ଜନ୍ମାଇବା ପାଠ ପଢ଼ାର ପ୍ରଧାନ କାର୍ଯ୍ୟ । ସେ କାଳର ଶିକ୍ଷକମାନେ ତାହା ଜାଣୁ ନ ଥିଲେ । ଆଜି ମଧ୍ୟ ଶିକ୍ଷକମାନେ ସେକଥା ସଂପୂର୍ଣ୍ଣରୂପେ ହୃଦୟଙ୍ଗମ କଲେଣି ବୋଲି କହି ହେବ ନାହିଁ । ବର୍ତ୍ତମାନ ପଲ୍ଲୀ ଗ୍ରାମର ସ୍କୁଲ ଓ ଶିକ୍ଷକମାନଙ୍କ ଶିକ୍ଷାପ୍ରଣାଳୀ ଦେଖିଲେ କିଏ ବିଶ୍ୱାସ କରିବ ଯେ ଦେଶର ଭବିଷ୍ୟତ ଆଶାର ସ୍ଥଳ ବାଳକ ବାଳିକାମାନଙ୍କର ଉପଯୁକ୍ତ ଶିକ୍ଷା ପ୍ରଣାଳୀ ଦେଶରେ ପ୍ରଚଳିତ ହେଲାଣି ? ବର୍ତ୍ତମାନର ଅବସ୍ଥା ତ ଏହିପରି ଆଜିକୁ ଚାଳିଶ ବର୍ଷ ତଳେ, ବିଶେଷତଃ ଗଡ଼ଜାତରେ, ଶିଶୁ ଶିକ୍ଷାର ନିୟମ କିପରି ଥିବ ତାହା ସହଜରେ ଅନୁମାନ କରାଯାଇ ପାରେ ।

 

ସେ ଯାହାହେଉ, ମୁଁ ମୋ ସାଙ୍ଗ ପିଲାଙ୍କ ସାଥିରେ ଏପରି କେତେ ଥର ସ୍କୁଲକୁ ନ ଯାଇ ଲୁଚିଛି । ମଙ୍ଗୁଳିଆ ମୋତେ ଖୋଜି ଧରି ଆଣିଛି । ମୁଁ କେତେଥର ମଧ୍ୟ ମଙ୍ଗୁଳିଆ ସାଥିରେ ପିଲାଙ୍କୁ ଖୋଜିବାକୁ ଯାଇଛି । ଦଶପଲ୍ଲା ଗଡ଼ରେ ଗୋଟିଏ ବଡ଼ ପୋଖରୀ ଅଛି । ଏହି ପୋଖରୀ ହୁଡ଼ା ଚାରିପାଖ ଜଙ୍ଗଲରେ ପୂର୍ଣ୍ଣ । ଏହି ଜଙ୍ଗଲରେ ଗଡ଼ର ପିଲାମାନେ ଲୁଚି ଥାଆନ୍ତି । ଏବେ ସେହି ପୋଖରୀ ଅଛି, ମାତ୍ର ମଙ୍ଗୁଳିଆ ଆଉ ନାହିଁ ଏବଂ ସେହି ସ୍କୁଲ ମଧ୍ୟ ନାହିଁ । ସେହି ମାଷ୍ଟରମାନେ ନାହାନ୍ତି । ମୋ ସାଥି ପିଲାମାନଙ୍କ ମଧ୍ୟରୁ ଅନେକେ ମଧ୍ୟ ଇହ ସଂସାର ଛାଡ଼ି ଚାଲି ଗଲେଣି । ମାତ୍ର ସେହିସବୁ କଥା ଏବେ ମୋ ମନରେ ଅଛି । ଚାଳିଶ ବର୍ଷ ତଳର କଥା ମୋତେ କାଲି ପରି ଲାଗୁଛି । ଏସବୁ ଆଜି ମନେ ପଡ଼ିଲା ବେଳେ ମନରେ କେତେ ଭାବ ଖେଳି ଯାଉଛି । ମନ ଦୁଃଖରେ ବୁଡ଼ି ଯାଉଛି । ହୃଦୟ କହୁଛି, ଏପରି ଅବସ୍ଥାରେ କୌଣସି ଦେଶ ଉନ୍ନତ ହୋଇ ନ ପାରେ । ବାଲ୍ୟ କାଳରୁ ମନରେ ଉଚ୍ଚ ଭାବର ଅଙ୍କୁର ଉଠିବାର ଅନୁକୂଳ ପରିସ୍ଥିତି ଆମ ଦେଶରେ ତଥା ସମାଜରେ ନାହିଁ । ବାଲ୍ୟକାଳରୁ ପିଲାଙ୍କ ମନ ଓ ହୃଦୟ ଚିପିହୋଇ ଯାଉଛି । ସତେ ଯେପରି ହିମାଳୟ ଦେଶର ଅଙ୍କୁରିତ ଜୀବନକୁ ଚିପି ଦେଉଛି । ମନୁଷ୍ୟ ବା ଏହାକୁ ଠେଲି କେତେ ଦୂର ଉଠିବ ? ତାହାର ଅବା ବଳ କେତେ ଏବଂ କେଉଁଠାରୁ ସେହି ବଳ ପାଇବ ?

 

ଗଡ଼ଜାତମାନଙ୍କର ରାଜଗଡ଼ମାନ ଗୋଟିଏ ଗୋଟିଏ ଛୋଟ ସହର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସହରମାନଙ୍କର ଚାଲିଚଲଣ ଏହି ଗଡ଼ମାନଙ୍କରେ ଥାଏ । ମଫସଲର ପିଲାମାନଙ୍କର ତୁଳନାରେ ଗଡ଼ର ପିଲାମାନେ ଟିକିଏ ଦୁଷ୍ଟ, ସବୁ ବିଷୟରେ ଆଗୁଆ ଓ ସାହସୀ । ଆମର ଘର ଗଡ଼ରେ ହୋଇଥିବାରୁ ମୁଁ ମଧ୍ୟ ପିଲାଦିନେ ସେହି ଧରଣର ପିଲା ଥିଲି । ଗଡ଼ରେ ସାଙ୍ଗ ସାଥି ବହୁତ ମିଳନ୍ତି । ଆମ ପଡ଼ିଶାଘର ଗୋଟିଏ ପିଲାର ନାମ ଗଦାଧର । ସେ ମୋର ପିଲାଦିନର ସାଥି । ଆମେ ଦୁହେଁ ଆଉ କେତୋଟି ପିଲାଙ୍କ ସହିତ ସାଙ୍ଗ ହୋଇଥାଉଁ । ସ୍କୁଲକୁ ଅନେକ ସମୟରେ ନ ଯାଇ ଲୁଚିରହୁଁ । କେବଳ ତାହା ନୁହେ । ସ୍କୁଲକୁ ଯାଇ, ହାଜିରା ଡକାହେଲା ପରେ ସ୍କୁଲରୁ ପଳାଇ ଆସିବାର ଫିକର ପାଞ୍ଚି ପଳାଇ ଆସୁଁ । ଆମ୍ଭମାନଙ୍କ ମଧ୍ୟରେ ପ୍ରଥମରୁ ବିଚାର ହୁଏ ଯେ, ଆଗ ଜଣେ ବହିତକ ଧରି ପଳାଇବ । ସେ ପଳାଇଲା କହି ତାକୁ ଧରିବାକୁ ବାହାନା କରି ଆଉ ଜଣେ ତାକୁ ଗୋଡ଼ାଇବ । ଦ୍ୱିତୀୟ ପିଲା ପଳାଇଲା ବୋଲି ଆଉ ଜଣେ ତା ପଛ ଧରିବ । ତା ପଛକୁ ଆଉ ଜଣେ ଉଠି ତାକୁ ଗୋଡ଼ାଇବ । ଏହିପରି ପାଞ୍ଚ, ଛଅ ଜଣ ପିଲା ସ୍କୁଲରୁ ପଳାଇ ଯାଉଥିବେ । ଶିକ୍ଷକ ମନେ କରୁଥିବେ ପ୍ରଥମରୁ ପଳାଇ ଯାଇଥିବା ପିଲାକୁ ଧରିବାକୁ ଏମାନେ ଗୋଡ଼ାଇଛନ୍ତି । ଏହିପରି ଶିକ୍ଷକଙ୍କୁ ଠକିବାପାଇଁ ଗଡ଼ର ପିଲାମାନେ କେତେପ୍ରକାର ଉପାୟ ରଚନା କରୁଥାଆନ୍ତି । ଏହିପରି କେତେଥର ମୁଁ ସ୍କୁଲରୁ ପଳାଇ ଆସିଛି । ସ୍କୁଲରୁ ପଳାଇ ଆସି କୌଣସି ଗୋଟିଏ ଦୂର ସ୍ଥାନକୁ ଯାଉଁ । ଗଛରେ ଚଢ଼ିବା, ନାନାପ୍ରକାର ଖେଳ କରିବା, ପୋଖରୀରେ ପହଁରିବା ଇତ୍ୟାଦି କୌତୁକରେ ସମୟ କଟାଇଦେଉଁ । ସ୍କୁଲରୁ ପଳାଇଲା ଦିନ ଘରେ ମାଡ଼ ଖାଉଁ ଏବଂ ସ୍କୁଲରେ ମାଡ଼ ଖାଉଁ । ଦିନଯାକ ଏକଗୋଡ଼ିକିଆ ଆଦି ଦଣ୍ଡ ମଧ୍ୟ ଭୋଗ କରୁଁ । ଏତେ ଦଣ୍ଡ ଭୋଗ କରୁଁ ସତ୍ୟ, କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନ ଥାଏ । ଲୁଚିକରି ସ୍କୁଲରୁ ପଳାଇ ଖେଳ କୌତୁକରେ ସମୟ କଟାଇବାରେ ମନରେ ଭାରି ଉତ୍ସାହ ଓ ଆନନ୍ଦ ଆସେ-। ସେହି ଉତ୍ସାହ ଓ ଆନନ୍ଦ ପାଠପଢ଼ାରେ ନ ଥାଏ । ସୁତରାଂ ଯେତେ ମାଡ଼ ଖାଇଲେ କଅଣ ହେବ, ସେସବୁ କେଉଁଆଡ଼େ ପାଶୋରଯାଏ । ପୁଣି ଆମ୍ଭେମାନେ ସ୍କୁଲରୁ ପଳାଇ ଆସୁଁ । ନଚେତ୍‌ ସ୍କୁଲକୁ ନ ଯାଇ ଲୁଚି ରହୁଁ । ଆମ୍ଭେମାନେ କାହିଁକି ଏହା କରୁଁ, ତାହା ଆଜି ଭାବିଲାବେଳେ ମନେହୁଏ, ମନୁଷ୍ୟ ଅଳ୍ପବୟସ୍କ ହେଉ କିମ୍ୱା ବୟଃପ୍ରାପ୍ତ ହେଉ, ସେ ସବୁବେଳେ ସ୍ୱାଧୀନ ହେବାକୁ ଚାହେ । କୌଣସି ପ୍ରକାର ଆବରଣ ବା ବନ୍ଧନ ତାକୁ ସୁଖ ଲାଗେ ନାହିଁ । ମନର ସ୍ୱାଧୀନ ପ୍ରବୃତ୍ତିକୁ ସେ ସ୍ୱାଧୀନ ଭାବରେ ଖେଳାଇବାକୁ ପସନ୍ଦ କରେ । ସେଥିପାଇଁ ଆଧୁନିକ ଶିକ୍ଷାପ୍ରଣାଳୀରେ ଶିଶୁ ମନର ଗତିକୁ ନିରୀକ୍ଷଣ କରାଯାଇ ସେ ଯହିଁରେ ଆନନ୍ଦ ଲାଭ କରୁଛି ସେହିପରି ଭାବରେ ତାହାକୁ ପ୍ରାଥମିକ ଶିକ୍ଷା ଦିଆଯାଉଛି । ଏହିପରି ଶିଶୁଶିକ୍ଷା ଆମ ଦେଶରେ କାହିଁ ? ଆମ୍ଭେମାନେ ତ ଦରିଦ୍ର । ଦରିଦ୍ର ପଲ୍ଲୀଶିଶୁର କଥା ଛାଡ଼ିଦେଲେ ମଧ୍ୟ ଦେଶର ସଙ୍ଗତିସମ୍ପନ୍ନ ଲୋକେ ବି ସେମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ଉପଯୁକ୍ତ ଶିଶୁଶିକ୍ଷା ପ୍ରଣାଳୀରେ ଶିକ୍ଷା ଦେବାକୁ ଦେଶରେ ସୁଯୋଗ ସୁବିଧା ନାହିଁ । କି ଧନୀ କି ଦରିଦ୍ର ଏ ବିଷୟରେ ସମସ୍ତେ ସମଭାବାପନ୍ନ ।

 

ମୋର ମନେ ଅଛି ସେତେବେଳର ଦଶପଲ୍ଲା ରାଜା ଶ୍ରୀଚୈତନ୍ୟ ଭଞ୍ଜଦେଓଙ୍କର ଏକମାତ୍ର ପୁତ୍ର ଥିଲେ । ସେ ତ ଯୁବରାଜ; ତଥାପି ସେ ଏହି ସ୍କୁଲକୁ ପଢ଼ିବାକୁ ଆସୁଥିଲେ । ସେ ଆମ୍ଭମାନଙ୍କ ସାଥିରେ ପଢ଼ୁଥାଆନ୍ତି । ତାଙ୍କ ସହିତ ଆମ୍ଭେ ପିଲାମାନେ ରାଜପ୍ରସାଦକୁ ଖେଳିବାକୁ ଯାଉଁ । ସ୍କୁଲରେ ସେ ମଧ୍ୟ ଆମ୍ଭମାନଙ୍କର ସାଥି । ସେ ଆମ୍ଭମାନଙ୍କର ପରି ଲୁଚି ରହନ୍ତି ନାହଁ, କିମ୍ୱା ସ୍କୁଲରୁ ପଳାଇ ଯାଆନ୍ତି ନାହିଁ । କିନ୍ତୁ ତାହା କରନ୍ତି ବୋଲି ମଧ୍ୟ କୁହାଯାଇପାରେ । କାରଣ ସେ ଦିନେ ଦିନେ ସ୍କୁଲକୁ ଆସିବାକୁ ଇଚ୍ଛା କରନ୍ତି ନାହିଁ । ସ୍କୁଲକୁ ଆସି କିଛି ସମୟ ବୁଲାଚଲା କରି, ସାଥିରେ ଦୁଇ ତିନି ଜଣ ପିଲା ଧରି ନଅରକୁ ଫେରିଯାଆନ୍ତି । ସ୍କୁଲକୁ ଆସିଲେ ଶିକ୍ଷକଙ୍କଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତେ, ସମସ୍ତେ ତାହାଙ୍କର ଆଜ୍ଞାଧୀନ । ତାହାଙ୍କପାଇଁ କିଛି ବାଧା ନ ଥାଏ, କିଛି ବଂଧନ ନ ଥାଏ, ସେ ସ୍ୱାଧୀନ । ସମସ୍ତେ ତାଙ୍କ ମନର ଗତି ନେଇ ଚଳନ୍ତି । ତଥାପି ତାଙ୍କର ସ୍କୁଲରେ ମନ ନ ଥାଏ କିମ୍ୱା ପଢ଼ାରେ ସୁଖ ନ ଥାଏ । ତେବେ ଏ ଶିକ୍ଷାରେ ଦୋଷ କେଉଁଠାରେ ? ଶିଶୁର ଖାଲି ସ୍ୱାଧୀନତା ରହିଲେ ଯଥେଷ୍ଟ ନୁହେ । ଶିଶୁ ତଥା ଅଳ୍ପବୟସ୍କ ବାଳକବାଳିକାମାନଙ୍କର ସ୍ୱାଧୀନ ମନୋବୃତ୍ତିକୁ ନିୟନ୍ତ୍ରିତ କରିବା ଶିକ୍ଷାର ପ୍ରଧାନ ଅଂଗ । ଏପରି ଭାବରେ ଶିକ୍ଷା ଦେବାର ପ୍ରଥା ଆମ ଦେଶରେ ନାହିଁ କହିଲେ ଚଳେ । ସ୍ଥାନ ବିଶେଷରେ, ଆଧୁନିକ ଉନ୍ନତ ପ୍ରଣାଳୀରେ ଶିକ୍ଷା ଦେବାର ପଦ୍ଧତି ପାଇଁ ଏବେ ଅବଶ୍ୟ ଚେଷ୍ଟା କରାଯାଉଛି । କିନ୍ତୁ ତାହାର ସୁବିଧା କେତେଜଣ ପାଇପାରିବେ ? ଦେଶର ଲୋକମାନଙ୍କ ମଧ୍ୟରୁ କେତେକ ମୁଷ୍ଟିମେୟ ଧନୀଲୋକମାନଙ୍କ ପକ୍ଷରେ ଏହା ସୁବିଧାଜନକ ହୋଇପାରେ । କିନ୍ତୁ ଦେଶର ଜନତା ତାହାଦ୍ୱାରା କିଛି ଉପକାର ପାଇପାରିବେ ନାହିଁ ।

 

ମୋ ପିତାଙ୍କ ଦେହ ଭଲ ନ ଥାଏ । ତାହାଙ୍କର କଅଣ ଗୋଟାଏ ଅସାଧ୍ୟ ରୋଗ ହୋଇଥାଏ । ଏହି ରୋଗର ପ୍ରତିକାର ପାଇଁ କୌଣସି ଗୋଟିଏ ତୈଳ ପ୍ରସ୍ତୁତ କରିବାକୁ ସେ ନାନାପ୍ରକାର ଚେର ମୂଳ ସଂଗ୍ରହ କରୁଥାଆନ୍ତି । ବାପାଙ୍କର ଏପରି ଗୋଟିଏ ରୋଗ ଜାତ ହେଉଥିବାର ଶୁଣି ମାଆଙ୍କର ମନ ଭଲ ନ ଥାଏ । ବାପାଙ୍କ ସହିତ ମାଆଙ୍କର କିଛି ମନାନ୍ତର ଜାତ ହୋଇଥିଲା । ଏଥିରେ ମାଆ ଭାରି ବିଚଳିତ ହୋଇପଡ଼ିଲେ । ସେ ବଡ଼ ଅଭିମାନିନୀ । କାହାରି କଥା ସହିପାରୁ ନ ଥିଲେ । ବାପାଙ୍କର ରୋଗବୃଦ୍ଧି ଓ ପାରିବାରିକ ଅବସ୍ଥା ଦେଖି ସେ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ଦିନେ ହଠାତ୍‌ କନିଅରମଞ୍ଜି ଖାଇ ପ୍ରାଣ ହରାଇ ଦେଲେ ।

 

ମାଆଙ୍କ ମୃତ୍ୟୁପୂର୍ବରୁ ଆମ୍ଭର ପାରିବାରିକ ଆର୍ଥିକ ଅବସ୍ଥା ଖରାପ ହୋଇ ପଡ଼ିଥିଲା । ବାପାଙ୍କ ଅସୁସ୍ଥତାହେତୁରୁ ତାଙ୍କର ଆଉ ରୋଜଗାର କିଛି ନ ଥାଏ କହିଲେ ଚଳେ । ଇତିମଧ୍ୟରେ ମୋର ଉପନୟନ କାର୍ଯ୍ୟ ଶେଷ ହୋଇ ଯାଇଥାଏ । ନୟାଗଡ଼ ଇଟାମାଟି ଗ୍ରାମରୁ ଆନନ୍ଦ ସାହୁ ନାମରେ ଜଣେ ଗୁଡ଼ିଆ ଦଶପଲ୍ଲାକୁ ଉଠି ଆସିଥାନ୍ତି । ଦଶପଲ୍ଲାରେ ବେପାର କରି ତାଙ୍କର ଅବସ୍ଥା ବଡ଼ ସ୍ୱଚ୍ଛଳ । ଆମ୍ଭର ପୂର୍ବଘର ନୟାଗଡ଼ ହୋଇଥିବାରୁ ଏହାଙ୍କ ସହିତ ବେଶ୍‌ ଭାବ ଥାଏ । ଘରେ କାହାରିକୁ ନ ପଚାରି ଏହି ଆନନ୍ଦ ସାହୁଙ୍କଠାରୁ କିଛି ସାହାଯ୍ୟ ଆଣି ଉପନୟନ କରିବାକୁ ବାପା ଠିକ କଲେ । ମୋ ଉପନୟନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଗଲା । ଏଥିପାଇଁ କକେଇ ଓ ବାପାଙ୍କର ମନାନ୍ତର ହେଲା । ଅଜା ମଧ୍ୟ ବାପାଙ୍କ କାର୍ଯ୍ୟରେ ବଡ଼ ଦୁଃଖିତ ହେଲେ । ଏହା ମାଆଙ୍କ ମୃତ୍ୟୁର ଗୋଟିଏ କାରଣ ହୋଇଥିଲା ।

 

ସେ ଯାହାହେଉ ମାଆଙ୍କ ମୃତ୍ୟୁ ପରେ ମୋର ପାଠପଢ଼ା ବନ୍ଦ ହେଲା । ବାପା ଆଉ କ୍ଷଣକ ପାଇଁ ଆମ୍ଭ ଭାଇ ଭଉଣୀ ଦୁହିଙ୍କୁ ଛାଡ଼ି ଦେଉ ନ ଥାନ୍ତି । ବାପା ଓ କକେଇଙ୍କର ମନ ନ ମିଳିବାରୁ ଦୁହେଁଯାକ ଅଲଗା ହୋଇ ରହିଥାଆନ୍ତି । ମୋର ଗୋଟିଏ ପିଉସୀ ଥାଆନ୍ତି । ସେ ବାପା ଓ କକେଇଙ୍କଠାରୁ ବୟସରେ ବଡ଼ । ସେ ବାଳୁତ ବିଧବା, ଆଉ ଶାଶୁ ଘରକୁ ଯାଇ ନ ଥାନ୍ତି । ସେ ଆମ ଘରେ ଥାଆନ୍ତି । ବାପା, କକେଇଙ୍କଠାରୁ ଅଲଗା ହୋଇଗଲା ପରେ ଏହି ପିଉସୀ ଆମ୍ଭଙ୍କୁ ରୋଷେଇ କରି ଦିଅନ୍ତି । ଏହିପରି ପ୍ରାୟ ଏକବର୍ଷ କଟିଗଲା । ମାଆଙ୍କ ମୃତ୍ୟୁରେ ବାପା ଚିନ୍ତିତ ହୋଇ ବେମାର ପଡ଼ିଲେ । ସେଥିରେ ତାହାଙ୍କର ମୃତ୍ୟୁ ହେଲା ।

 

ପିତା ମାତାଙ୍କ ମୃତ୍ୟୁପରେ କକେଇଙ୍କ ପାଖରେ ଆମେ ଭାଇ ଭଉଣୀ ଦୁହେଁ ରହିଲୁଁ । ଆମ ଜେଜେବାପା ଥାଆନ୍ତି । ସେତେବେଳକୁ ସେ ବୃଦ୍ଧ ହୋଇଗଲେଣି । ତାହାଙ୍କର ବୟସ ପ୍ରାୟ ସତୁରି ହେବ । ଜ୍ୟେଷ୍ଠ ପୁତ୍ର ଓ ପୁତ୍ରବଧୂଙ୍କ ମୃତ୍ୟୁରେ ତାହାଙ୍କର ଜୀବନ ଅତିଶୟ ଦୁଃଖମୟ ହୋଇ ଉଠିଲା । ବାପାଙ୍କ ମୃତ୍ୟୁର ଏକବର୍ଷ ମଧ୍ୟରେ ସେ ମଧ୍ୟ ଇହ ସଂସାର ତ୍ୟାଗ କଲେ ।

 

ଏଣେ ଅଜାଙ୍କର ଅବସ୍ଥା ଆଉ ଭଲ ନ ଥାଏ । ଅଜା ଶ୍ରୀ ରାଧାକାନ୍ତ ଠାକୁରଙ୍କ ଦେଉଳରେ ମାନେଜର ଥିଲେ । ଏଥିମଧ୍ୟରେ ଠାକୁରଙ୍କର କିଛି ସୁନା ଅଳଙ୍କାର ଚୋରିଗଲା । ପୂଜାହାରୀ ଧରା ପଡ଼ି ଜେଲଦଣ୍ଡ ପାଇଲା, କିନ୍ତୁ ତହିଁରେ ତତ୍‌କାଳୀନ ରାଜା ଶ୍ରୀ ନାରାୟଣଚନ୍ଦ୍ର ଭଞ୍ଜ ଦେଓ ଅଜାଙ୍କୁ ଉକ୍ତ କାର୍ଯ୍ୟରୁ ଅନ୍ତର କରିଦେଲେ । କେବଳ ଏତିକି ନୁହେଁ, ଜମିବାଡ଼ି କାଟିନେଲେ ଓ ଶେଷରେ ଛାମୁ ମନା ଶାସ୍ତି ମଧ୍ୟ ଦିଆଗଲା । ପୂର୍ବେ ଗଡ଼ଜାତମାନଙ୍କରେ ଛାମୁ ମନା ଗୋଟିଏ ବଡ଼ ଶାସ୍ତି ଥିଲା । ଏହାର ଅର୍ଥ ଏହି ଯେ ଯାହାଙ୍କୁ ଛାମୁ ମନାହୁଏ ସେ ରାଜାଙ୍କ ନିକଟକୁ ଯିବା ଆସିବା କରନ୍ତି ନାହିଁ । ରାଜା ମଧ୍ୟ ତାହାଙ୍କ ମୁହଁ ସେହିଦିନଠାରୁ ଚାହାନ୍ତି ନାହିଁ । ଏହିପରି ଦଣ୍ଡର ଅବଶ୍ୟ ଆଜିକାଲି କିଛି ମୂଲ୍ୟ ନାହିଁ । ଗଡ଼ଜାତ ବାହାରର ଲୋକେ ଏହାର ଗୁରୁତ୍ୱ କିଛି ବୁଝିବା ମଧ୍ୟ କଠିନ, କିନ୍ତୁ ଗଡ଼ଜାତରେ ସେତେବେଳେ ଏପରି ଗୋଟିଏ ଦଣ୍ଡ ଭାରି ବଡ଼ ଦଣ୍ଡ ବୋଲି ବିବେଚିତ ହେଉଥିଲା । ଛାମୁ ମନା ହେଲାମାତ୍ରକେ, ଗଡ଼ର ଉଚ୍ଚପଦସ୍ଥ ଲୋକେ ଆଉ ତାହାଙ୍କ ସହିତ କଥା କହିବାକୁ କୁଣ୍ଠିତ ହୁଅନ୍ତି । ତାହାଙ୍କ ମାନ ମର୍ଯ୍ୟାଦା ଉପରେ ବାଧା ପଡ଼ିଯାଏ, କାରଣ ଗଡ଼ଜାତ ଲୋକଙ୍କର ଦୃଷ୍ଟି ସବୁବେଳେ ରାଜାଙ୍କଠାରେ । ରାଜା ସେମାନଙ୍କର ପିତା ଓ ଦେବତା ସ୍ୱରୂପ । ରାଜାଅନୁଗ୍ରହ ଲାଭ ଜୀବନର ମୁକ୍ତି, ଏହିପରି ଭାବ ସବୁବେଳେ ଗଡ଼ଜାତ ଲୋକଙ୍କ ମନରେ ଖେଳୁଥାଏ । ରାଜ ଅନୁଗ୍ରହ ଲାଭ ସେମାନଙ୍କର ଏକମାତ୍ର କାମନା ଓ ଜୀବନର ଏକମାତ୍ର ଆଦର୍ଶ ଏହା ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଆଜି ଦେଶରେ କେତେ ନୂଆ ଭାବ ଖେଳି ଯାଉଛି । କେତେ ପ୍ରକାର ନୂତନ ଆଦର୍ଶ ଦେଶବାସୀଙ୍କ ହୃଦୟରେ ପ୍ରତିଫଳିତ ହେଉଛି । ରାଜନୈତିକ, ସାମାଜିକ ଓ ଧର୍ମସଂବଂଧୀୟ ଏହିପରି କେତେ ନୂତନ ଭାବ ଜଗତରେ ନିତ୍ୟ ନୂତନ ପରିବର୍ତ୍ତନ ସୃଷ୍ଟି କରୁଛି । ଲୋକଙ୍କର ଦୃଷ୍ଟିର ସୀମା ଅସୀମ ହୋଇ ପଡ଼ିଛି, ଗଜତର କେଉଁ ପୃଷ୍ଠରେ କିଛି ବିଶେଷ ଘଟଣା ଘଟିଲେ ତାହାକେତେକ ଘଣ୍ଟା ମଧ୍ୟରେ ସମସ୍ତ ପୃଥିବୀରେ ଖେଳିଯାଉଛି । ଜନସମାଜରେ ନୂତନ ଭାବର ତରଙ୍ଗ ମଧ୍ୟ ଖେଳାଇ ଦେଉଛି । କିନ୍ତୁ ଆଜକୁ ୩୦ କିମ୍ୱା ୪୦ ବର୍ଷର କଥା ଟିକିଏ ଭାବି ଦେଖିଲେ ବର୍ତ୍ତମାନ ଓ ସେତେବେଳର ଅବସ୍ଥା, ଜନସମାଜର ରୁଚି ଓ ଆଦର୍ଶରେ ଆକାଶ ପାତାଳ ପ୍ରଭେଦ ଦେଖିବାକୁ ମିଳିବ । ସେହି ସମୟରେ ବର୍ତ୍ତମାନ ଭାବଧାରାର ଚିହ୍ନମାତ୍ର ନ ଥିଲା । ଭାରତରେ ସ୍ୱରାଜ୍ୟ ଆନ୍ଦୋଳନର ସୂତ୍ରପାତ ହୋଇ ନ ଥିଲା ଏବଂ ଜଗତରେ ଅଧିକାଂଶ ଦେଶରେ ରାଜତନ୍ତ୍ର ବିଦ୍ୟମାନ ଥିଲା । ଏପରି ଅବସ୍ଥାରେ ଓଡ଼ିଶା ପରି ଦେଶର କଥା କଅଣ ବିଚାର କରାଯାଇ ପାରେ । ଓଡ଼ିଶାରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ଅତି କମ୍‌ । ସଂବାଦ ପତ୍ରର ବହୁଳ ପ୍ରଚାର ସେତେବେଳେ ହୋଇ ନ ଥିଲା । ମୋଗଲବନ୍ଦିର ଲୋକେ ଅନ୍ଧକାରରେ ପଡ଼ିଥାନ୍ତି, ସେତେବେଳେ ଗଡ଼ଜାତର ଅବସ୍ଥା ସହଜରେ ଅନୁମାନ କରାଯାଇପାରେ । ଏପରି ଅବସ୍ଥାରେ ଗଡ଼ଜାତ ପ୍ରଜାଙ୍କର ଆଦର୍ଶ ବା ଆଉ କ’ଣ ହୋଇପାରେ ?

 

ଅଜାଙ୍କୁ ଛାମୁ ମନା ଦଣ୍ଡ ହେବାରୁ ସେ ଟିକିଏ ବିଚଳିତ ହୋଇ ପଡ଼ିଲେ । ଏଣେ କନ୍ୟା ଓ ଜାମାତାଙ୍କର ମୃତ୍ୟୁରେ ସେ ବଡ଼ ଅଧୀର ହୋଇଥାନ୍ତି । ଏପରି ଅବସ୍ଥାରେ ପୁଣି ତାହାଙ୍କ ଉପରେ ଏହି ବଜ୍ରପାତ । ଛାମୁମନା ହେଲା, ଶ୍ରୀ ରାଧାକାନ୍ତ ଠାକୁରଙ୍କର ପରୀଚ୍ଛାପଣ ଗଲା, ଜୋରିମାନା ଦେଲେ ଏବଂ ଜମିବାଡ଼ି ମଧ୍ୟ କଟିଗଲା । ଏ ସବୁ ସତ୍ତ୍ୱେ ଅଜା ଧୈର୍ଯ୍ୟଚ୍ୟୂତ ହୋଇ ନ ଥିଲେ । ଦଶପଲ୍ଲା ପ୍ରଜା କିମ୍ୱା ଗଡ଼ଜାତବାସୀଙ୍କର ଭକ୍ତି ତାହାଙ୍କଠାରୁ କମିଯାଇ ନ ଥିଲା । ରାଜା ମଧ୍ୟ ତାହାଙ୍କୁ ଆଉ କୌଣସି ପ୍ରକାର ଯାତନା ଦେଇ ନ ଥିଲେ । ରାଜା ଅନ୍ତରରେ ତାହାଙ୍କୁ ଭଲ ପାଉ ଥାଆନ୍ତି । ପୂର୍ବ ରାଜାଙ୍କ ମଣିମା ଓ ରାଜ ପରିବାରର ଅନ୍ୟାନ୍ୟ ସମସ୍ତେ ତାହାଙ୍କୁ ପୂର୍ବପରି ଭକ୍ତି କରୁ ଥାଆନ୍ତି । ରାଧାକାନ୍ତ ଠାକୁରଙ୍କୁ ଅଜା ଛାଡ଼ି ନ ଥାନ୍ତି । ପୂର୍ବେ ଯେପରି ଆରାଧନା କରୁଥିଲେ ଏବେ ମଧ୍ୟ ସେହିପରି କରୁ ଥାଆନ୍ତି । ସେବକମାନେ ସେହିପରି ତାହାଙ୍କୁ ଭକ୍ତି ଓ ସମ୍ମାନ ଦେଖାଉ ଥାଆନ୍ତି । କିଛି ସମୟ ପରେ ରାଜା ପୁଣି ଅଜାଙ୍କୁ ଡକାଇ ପରୀଚ୍ଛା ଚାକିରି ଦେଲେ । ଜମିବାଡ଼ି ଫେରାଇ ଦେଲେ । ଏହା ହେଲେ ମଧ୍ୟ ଅଜାଙ୍କର ମନ ଭାଙ୍ଗି ଯାଇଥାଏ । ଏସବୁ ଘଟନାର ଅଳ୍ପ ସମୟ ପରେ ତାହାଙ୍କର ସ୍ୱାସ୍ଥ୍ୟଭଙ୍ଗ ହେଲା । ସେଥିରେ ସେ ଇହଲୀଳା ସାଙ୍ଗ କଲେ । ବର୍ତ୍ତମାନ ଆମ୍ଭେ ଭାଇ ଭଉଣୀ ଦୁଇଟି । ସାହା ହେବାକୁ ମଧ୍ୟ କେହି ନ ଥାନ୍ତି ।

 

ଦଶପଲ୍ଲାରେ ଆମ୍ଭର ଚାଷ ଜମି କିଛି ନ ଥିଲା । ଜମି କରିବାକୁ ଲୋକ ସାଧାରଣଙ୍କର ସେତେ ଆଗ୍ରହ ନ ଥିଲା । ବାପା ତ କବିରାଜି କରୁଥିଲେ । କକେଇ ରାଧାକାନ୍ତ ଠାକୁରଙ୍କ ଜମି ଭାଗଚାଷ କରୁ ଥାଆନ୍ତି । ଏହିପରି ଭାବରେ ଦିନ କଟିଯାଏ, ବିଶେଷ କିଛି ଅସୁବିଧା ନ ଥାଏ । ଜୀବନରେ କୌଣସି ଉଚ୍ଚ ଆକାଙ୍କ୍ଷା କିମ୍ୱା ଆଦର୍ଶ ନ ଥାଏ । ଏହିପରି ଅବସ୍ଥାରେ ମୋର ପିତା ଓ କକେଇ ଅତି ସରଳ ଭାବରେ ଜୀବନ ଯାପନ କରୁଥିଲେ । ବର୍ତ୍ତମାନ ପିତା ଓ ପିତାମହଙ୍କ କାଳ ହୋଇଗଲା । ଅଜା ମଧ୍ୟ ଚାଲିଗଲେ । କକେଇ କିଛି ଜାଣି ନ ଥିଲେ । ପଢ଼ା ଶୁଣା କରି ନ ଥିଲେ-। ଅଜାଙ୍କ ମୃତ୍ୟୁପରେ ରାଧାକାନ୍ତ ଠାକୁରଙ୍କ ଜମି ଭାଗଚାଷ କରିବାକୁ ମିଳିଲା ନାହିଁ । ନୟାଗଡ଼ ପଦ୍ମାଦେଈପୁର ଶାସନରେ ଥିବା ଜମି ବନ୍ଧକ ପଡ଼ିଥାଏ । ଘରେ ଆଉ ଆୟର କୌଣସି ଉପାୟ ନ ଥାଏ । ଏପରି ଅବସ୍ଥାରେ କକେଇ ନିହାତି ନିଃସ୍ୱ ହୋଇ ପଡ଼ିଲେ । ବ୍ରାହ୍ମଣ କର୍ମକର୍ମାଣି କରି କୌଣସି ପ୍ରକାରେ ସେ ତାଙ୍କର ପରିବାର ପୋଷଣ କରୁ ଥାଆନ୍ତି । ସେତେବେଳକୁ କକେଇଙ୍କର ପୁତ୍ର କନ୍ୟା ଦୁଇଟି । ବିଧବା ବୃଦ୍ଧା ପିଉସୀ ମୋର ପୁଣି ଘରେ ଥାଆନ୍ତି । ତାହାଙ୍କୁ ଘରେ ସମସ୍ତେ ଭକ୍ତି କରୁ ଥାଆନ୍ତି । ଆମର ପରିବାରର ଅବସ୍ଥା ହଠାତ୍‌ ଏପରି ସଙ୍କଟାପନ୍ନ ହୋଇ ଯିବାରୁ ସେ ସବୁବେଳେ ଚିନ୍ତିତ ଥାଆନ୍ତି । ଏପରି ଅବସ୍ଥାରେ ଆମ୍ଭେ ଭାଇ ଭଉଣୀ ଦୁଇଟି କକେଇଙ୍କ ନିକଟରେ ଥାଉଁ । ଘରେ ଦିନେ ଦିନେ କିଛି ଖାଇବାକୁ ନ ଥାଏ । ଦିନେ ଦୁଇଦିନ ଧରି ସମସ୍ତେ ଉପବାସ ରହୁ । ଏତେବେଳକୁ ମୋର ବୟସ ନଅ କିମ୍ୱା ଦଶ ହେବ । ମୋର ଭଉଣୀଟିର ବୟସ ଛ’ କିମ୍ୱା ସାତ ହେବ ।

 

କକେଇଙ୍କର ଆମ୍ଭ ଦୁହିଙ୍କ ପ୍ରତି ସ୍ନେହ ଥାଏ । ଖୁଡ଼ୀଙ୍କର ସ୍ନେହ ନ ଥାଏ, ତାହା ନୁହେ-। କିନ୍ତୁ ନିଜର ଜନ୍ମିତ ପୁତ୍ର କନ୍ୟା ଉପବାସ ରହିଲା ବେଳେ ଅନ୍ୟ ପ୍ରତି ହୃଦୟରେ ସ୍ନେହ ମାୟା ମମତା ରହିବା ଅସମ୍ଭବ । ଏହି କ୍ଷୁଧା ଜ୍ୱାଳାରେ ପିତାମାତା ପୁତ୍ର କନ୍ୟାକୁ ମଧ୍ୟ ପରିତ୍ୟାଗ କରିବାର ଦୃଷ୍ଟାନ୍ତ ବିରଳ ନୁହେ । ଏପରି ଅବସ୍ଥାରେ ଖୁଡ଼ୀଙ୍କର ଆମ୍ଭ ଦୁହିଙ୍କ ପ୍ରତି ସ୍ନେହ ଅଥବା ଆଦର ଭାବ ଟିକିଏ କମ୍‌ ହେବା ସ୍ୱାଭାବିକ । ତେଣେ ମାମୁ ଘରର ଅବସ୍ଥା ଭଲ ନୁହେ । ଦଶପଲ୍ଲା ଗଡ଼ରେ କିମ୍ୱା ଦଶପଲ୍ଲା ରାଜ୍ୟରେ ଆମର ବନ୍ଧୁବାନ୍ଧବ ହିସାବରେ ଆଉ କେହି ନ ଥାନ୍ତି । ବନ୍ଧୁବାନ୍ଧବ ଯେ କେହି ଅଛନ୍ତି ସେ ସମସ୍ତେ ନୟାଗଡ଼ ରାଜ୍ୟରେ । ଗଡ଼ଜାତରେ ସମସ୍ତଙ୍କର ଅବସ୍ଥା ସମାନ । ଆମ୍ଭର କଥା ବା ବୁଝୁଛି କିଏ ? ଏପରି ଅବସ୍ଥାରେ ଆମ୍ଭ ଦୁହିଙ୍କର ଅବସ୍ଥା ଯେ କଅଣ ହୋଇଥିବ ତାହା କଳ୍ପନାର ଅତୀତ ।

 

ମୁଁ ଘର ଛାଡ଼ି ଇଆଡ଼େ ସିଆଡ଼େ ବୁଲିଲି । ଚାରି ପାଞ୍ଚଦିନରେ ଥରେ ଘରକୁ ଯାଏଁ । ଭଉଣୀଟି କିପରି ଅଛି ତାହାର ସମ୍ୱାଦ ମଧ୍ୟ ନିଏ ନାହିଁ । ଆଗରୁ କହିଛି ଦଶପଲ୍ଲା ଗଡ଼ରେ ବୈଦିକ ଓ ଆରଣ୍ୟକ ଏପରି ଦୁଇ ଶ୍ରେଣୀର ବ୍ରାହ୍ମଣ ଅଛନ୍ତି । ବ୍ରାହ୍ମଣ ଜାତିର ପ୍ରଥା ଏହି ଯେ କେହି କାହା ଘରେ ଅନ୍ନ ଗ୍ରହଣ କରିବ ନାହିଁ । ବ୍ରାହ୍ମଣ ବ୍ରାହ୍ମଣ ଘରେ ଖାଇଲେ ମଧ୍ୟ ଜାତିରୁ ଅଟକ ହୁଏ । ବୈଦିକ ବ୍ରାହ୍ମଣ ମଧ୍ୟ ବୈଦିକ ବ୍ରାହ୍ମଣ ଘରେ ଖାଇବା ନିଷିଦ୍ଧ । କେବଳ ନିଜର ବନ୍ଧୁ ବାନ୍ଧବ ଓ ନିକଟ ସମ୍ପର୍କୀୟ ଛଡ଼ା କେହି କାହା ଘରେ ଅନ୍ନ ଗ୍ରହଣ କରି ନ ପାରେ । ବର୍ତ୍ତମାନ ଅବଶ୍ୟ ଏହି ନିୟମର କେତେକ ପରିମାଣରେ ବ୍ୟତିକ୍ରମ ହେଲାଣି । କିନ୍ତୁ ଏବେ ମଧ୍ୟ ଗଡ଼ଜାତ ମଧ୍ୟରେ ଏହି ନିୟମର ବିଶେଷ କିଛି ପରିବର୍ତ୍ତନ ହେଲାପରି ବୋଧ ହୁଏ ନାହିଁ । ପୂର୍ବ ପରି ତାହା ଚାଲିଛି କିନ୍ତୁ ସାମାଜିକ ନିୟମ ଟିକିଏ କୋହଳ ହୋଇ ଗଲାଣି । ପୂର୍ବେ କୌଣସି ସାମାଜିକ ନିୟମ ଭଙ୍ଗ କରିବା ଜଣା ପଡ଼ିଲେ ତହିଁରେ କ୍ଷମାର ସ୍ଥାନ ନ ଥାଏ; ତାକୁ ନିୟମ ଅନୁସାରେ ସମାଜ ଚ୍ୟୂତ ହେବାକୁ ପଡ଼େ ।
 

 

ମୋର ମନେହୁଏ ଏହିସବୁ କଠୋର ନିୟମ ଓ ବନ୍ଧନ ହେତୁ ହିନ୍ଦୁ ସମାଜର ଆଜି ଏହିପରି ଅଧଃପତନ ହୋଇଅଛି । ତାହାର ଆତ୍ମ ବିକାଶର ପଥ ରୁଦ୍ଧ ହୋଇଅଛି । ସବୁବେଳେ ନିଜକୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ରଖିଲେ ଏବଂ ସେହି ସୀମା ଅତିକ୍ରମ କରିବାକୁ ପଦେ ପଦେ ବାଧା ଥିଲେ ମନୁଷ୍ୟର ଦୃଷ୍ଟି ଛୋଟ ହୋଇଯାଏ । ମନ ସଂକୀର୍ଣ୍ଣ ହୋଇଯାଏ । ହିନ୍ଦୁ ସମାଜର ଅବସ୍ଥା ଆଜି ତାହାହିଁ ହୋଇଅଛି । ହିନ୍ଦୁ ସମାଜ ଏହିପରି ବନ୍ଧନ ସବୁ ଛିନ୍ନ କରି, କିପରି ସଂକୀର୍ଣ୍ଣ ମନୋବୃତ୍ତି ତ୍ୟାଗ କରି ବିଶ୍ୱମାନବତା ଉପଲବ୍‌ଧି କରିବ, ଏହି ଆଶା ଓ ଆଦର୍ଶକୁ ଧରି ରାଜା ରାମମୋହନ ରାୟ, ବ୍ରହ୍ମବାଣୀ ପ୍ରଚାର କରି ବ୍ରହ୍ମସମାଜ ପ୍ରତିଷ୍ଠା କରି ଯାଇଅଛନ୍ତି । ସ୍ୱାମୀ ଦୟାନନ୍ଦ ସରସ୍ୱତୀ ସେହି ଆଦର୍ଶରେ ମଧ୍ୟ ଆର୍ଯ୍ୟସମାଜ ସ୍ଥାପନ କରି ଅଛନ୍ତି । ଏହି ଦୁଇ ମନୀଷୀଙ୍କର ଆବିର୍ଭାବ ହୋଇ ନ ଥିଲେ ହିନ୍ଦୁ ସମାଜ ଓ ହିନ୍ଦୁ ଧର୍ମର ଅବସ୍ଥା ଆଜି କଅଣ ହୋଇଥାନ୍ତା ତାହା କଳ୍ପନା କରିବା ଅସମ୍ଭବ ।

 

ସେ ଯାହାହେଉ, ମୋର ଏପରି ଅବସ୍ଥାରେ ମୋତେ ଯେ ଡାକିଛି ମୁଁ ତାହାଙ୍କ ଘରେ ଯାଇ ଅନ୍ନ ଗ୍ରହଣ କରିଛି । ଆରଣ୍ୟକ ବ୍ରାହ୍ମଣମାନଙ୍କ ଘରେ ମଧ୍ୟ ଖାଇଛି । ଏଥିପାଇଁ ମୋତେ କେତେ ଅପମାନ ସହ୍ୟ କରିବାକୁ ପଡ଼ିଛି । ସଂକ୍ଷେପରେ କହିବାକୁ ଗଲେ ମୁଁ ଏତିକି ମାତ୍ର କହିପାରେ, ଏହି ସମୟରେ ମୋର ଜୀବନ ଘୋର ଦୁଃଖପୂର୍ଣ୍ଣ । ସେ ଦୁଃଖର କାହାଣୀ କଥାରେ ଲେଖି ହେବ ନାହିଁ, ମନରେ କଳ୍ପନା କରିବା ମଧ୍ୟ ଅସମ୍ଭବ । ମୋର ସବୁ ମନେ ପଡ଼ୁ ନାହିଁ । ଯାହା ଅବା ମନେ ପଡ଼ୁଛି ସେ ସମସ୍ତ ଲେଖି ଏ ଲେଖାର କଳେବର ବୃଦ୍ଧି କରିବାରେ କିଛି ପ୍ରୟୋଜନ ନାହିଁ । ଗଡ଼ଜାତ ରାଜ୍ୟ ବୋଲି ଆମେ ଭାଇ ଭଉଣୀ ଦୁଇଟି ବିଧର୍ମୀ ହୋଇ ଯାଇନାହୁଁ, କାରଣ, ସେଠାରେ ଖ୍ରୀଷ୍ଟିୟାନ କିମ୍ୱା ମୁସଲମାନ ଧର୍ମପ୍ରଚାରକ କେହି ନାହାନ୍ତି । ଆମ୍ଭେ ଦୁଇ ଜଣ କିପରି ଜୀବନ ଧାରଣ କରି ରହିଲୁ ଏହି କଥା କେବଳ ମୋତେ ଆଜି ଆଶ୍ଚର୍ଯ୍ୟ ଲାଗୁଛି ।

 

ମାଆ ମରିଗଲା ଦିନୁ ମୋର ପାଠପଢ଼ା ସରିଗଲା । ପିତାଙ୍କ ମୃତ୍ୟୁ ପରେ ଘର ଛାଡ଼ିଲି କହିଲେ ଚଳେ । ଭାଇ ଭଉଣୀ ଦୁହିଁଙ୍କର ଦେଖାସାକ୍ଷାତ ବଡ଼ ବିରଳ । ଖାଇବାକୁ ଘରେ ସବୁଦିନ ନ ଥାଏ, ପିନ୍ଧିବାକୁ ଲୁଗା ମଧ୍ୟ ନ ଥାଏ । କକେଇଙ୍କର ଅବସ୍ଥା ମଧ୍ୟ କହି ହେବ ନାହିଁ । ଏପରି ଅବସ୍ଥାରେ ମୋର ପାଠପଢ଼ିବା କଥା ମନରେ ଆଣିବା ବାମନର ଚନ୍ଦ୍ରକୁ ଛୁଇଁବାର କଳ୍ପନା ମାତ୍ର । ମୁଁ ବେଳେବେଳେ ୫।୭ ଦିନ ଧରି ଉପବାସ ରହି ଯାଏଁ । କକେଇଙ୍କ ଘରେ ଯାହା ଖାଇବାକୁ ମିଳେ ତହିଁରେ ପେଟ ପୁରେ ନାହିଁ । ଘରେ ଯାହାଥାଏ ଖୁଡ଼ି ତାହା ବାଣ୍ଟି କରି ଦିଅନ୍ତି । ଘରେ ନ ଥିଲେ ସେ ଖାଇବାକୁ ପେଟ ପୁରା ଦେବେ କୁଆଡ଼ୁ ? ବେଳେବେଳେ ପଢ଼ିବାକୁ ମନ ହୁଏ । କିନ୍ତୁ ଏପରି ଅବସ୍ଥାରେ ସ୍କୁଲକୁ ଯାଇ ପାଠପଢ଼ିବା ଅସମ୍ଭବ ।

 

ଗୋପିନାଥ ମିଶ୍ରେ ଗଡ଼ ମାଇନର ସ୍କୁଲର ଜଣେ ଶିକ୍ଷକ । ଗଡ଼ରେ ତାଙ୍କ ଘର । ମୋ ପିତା ଓ କକେଇଙ୍କର ସେ ଜଣେ ପରିଚିତ ଓ ସ୍ନେହୀ ବଂଧୁ । ସେ ମତେ ଦିନେ ପାଠପଢ଼ିବା ଉଦ୍ଦେଶ୍ୟରେ ବହୁତ କଥା ବୁଝାଇ କହିଲେ । ଆମ୍ଭର ଘର ଓ ବଂଶ ମର୍ଯ୍ୟାଦା ଓ ବର୍ତ୍ତମାନ ଆମ୍ଭ ଘରରଅବସ୍ଥା କଥା କହି କୌଣସି ପ୍ରକାରେ କିଛି ପାଠ ପଢ଼ିବାକୁ ମତେ ଉତ୍ସାହିତ କଲେ । କିଛି ନ ହେଲେ ରାମାୟଣ ଭାଗବତ ପଢ଼ିପାରିବାର କ୍ଷମତା ପାଇଁ ଅନ୍ତତଃ ଅକ୍ଷରଜ୍ଞାନ ହେବା ଉଚିତ । ଏତିକି ହେଲେ କେଉଁଠାରେ ରାମାୟଣ ଭାଗବତ ପାଠକରି ମୁଁ ମୋର ଜୀବିକା ଅର୍ଜ୍ଜନରେ ଉପାୟ ଅବଲମ୍ୱନ କରି ପାରିବି । ତାହାଙ୍କର ଯୁକ୍ତି ଓ ଉପଦେଶ ଶୁଣି ମୁଁ ନୀରବ ରହିଲି । ତାହାଙ୍କୁ କଅଣ ଜବାବ ଦେବି କିଛି ଦେଖାଗଲା ନାହିଁ । ମୁଁ ସ୍କୁଲକୁ କାଲିଠାରୁ ଯିବି ଏହି ଜବାବ ପାଇଲା ପରେ ସେ ମୋତେ ବିଦାୟ ଦେଲେ । କାଲି ସ୍କୁଲକୁ ଯାଇ ହେଡ୍‌ମାଷ୍ଟରଙ୍କ ସଙ୍ଗେ ଦେଖା କରିବାକୁ ସେ ମୋତେ ପରାମର୍ଶ ଦେଲେ । ଗୋପିନାଥ ମିଶ୍ରେ ସେଠାରୁ ଚାଲିଯିବା ପରେ ମୁଁ ତାହାଙ୍କ କଥା ବହୁତ ଭାବିଲି । ରାମାୟଣ ଭାଗବତ ପଢ଼ିବାର ଜ୍ଞାନ ଲାଭ କଲେ ମୁଁ କିଛି ରୋଜଗାର କରିବାକୁ କ୍ଷମ ହେବି । ଏହି କଥାଟି ମୋ ମନକୁ ବେଶ୍‌ ଲାଗିଲା । ଅଧିକ ପାଠ ପଢ଼ିବା ଦୂରର କଥା । ଅନ୍ତତଃ ଏତିକି ଜ୍ଞାନ ହେବା ପର୍ଯ୍ୟନ୍ତ କୌଣସି ଉପାୟରେ ପଢ଼ିବାକୁ ମୁଁ କାଲିଠାରୁ ସ୍କୁଲକୁ ଯିବି ବୋଲି ମନରେ ଭାରି ଆଗ୍ରହ ଜାତ ହେଲା । କାରଣ, ଏହା ଦ୍ୱାରା ମୋତେ କିଛି ରୋଜଗାରର ବାଟଟା ପରିଷ୍କାର ଦେଖାଗଲା । ସେତେବେଳ ସମୟରେ ଗଡ଼ଜାତମାନଙ୍କରେ ପ୍ରତି ଗ୍ରାମରେ ଗୋଟିଏ ଗୋଟିଏ ଭାଗବତ ଗାଦି ଥାଏ । ଏହା ଛଡ଼ା ସଂଗତିସମ୍ପନ୍ନ ଲୋକମାନେ ମଧ୍ୟ ନିଜ ନିଜ ଘରେ ଭାଗବତ ରାମାୟଣ ଓ ମହାଭାରତର ନିତ୍ୟ ପୂଜା ପାଠ କରିବାର ପ୍ରଥା ଥାଏ । ଏହି ସବୁ ପୂଜା ଓ ପାଠ ବ୍ରାହ୍ମଣମାନେ କରନ୍ତି ଏହା କହିବା ବାହୁଲ୍ୟ ମାତ୍ର । ଏହିପରି ପୂଜାପାଠ କରିବାର ଦୁଇ ଚାରୋଟି ସ୍ଥାନ ଧରି ପାରିଲେ ସେତେବେଳର ସମୟରେ ଯେ କେହି ଅନାୟାସରେ ନିଜର ଓ ନିଜ ପରିବାରର ଭରଣପୋଷଣ କରି ପାରୁଥିଲା । କିନ୍ତୁ ଆଜି ଏହିସବୁ ଆଉ ନାହିଁ । ଥିଲେ ମଧ୍ୟ ସେ ଭକ୍ତି ବିଶ୍ୱାସ ଓ ସରଳତା ନାହିଁ । ହୃଦୟରେ ଆଉ ସେପରି ପବିତ୍ରତା ଆସୁ ନାହିଁ । ଗୋଟିଏ ଯନ୍ତ୍ରଚାଳିତ କ୍ରିୟାପରି ପୂଜାଦି କାର୍ଯ୍ୟ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ଦେଶର ପରିସ୍ଥିତି ଲୋକମାନଙ୍କର ମନ ଓ ହୃଦୟରୁ ସେହି ଭାବକୁ ଦୂର କରି ଦେଉଛି । ଜୀବନ ସଂଗ୍ରାମ ସମସ୍ତଙ୍କୁ ଅତି ଦୁରୂହ ବୋଧ ହେଉଛି । ଜୀବନରେ ଆନନ୍ଦ ନାହିଁ । ସମସ୍ତଙ୍କର ହୃଦୟ ଗୁରୁ ଚିନ୍ତାରେ ଚିପିହୋଇ ରହିଥିଲା ପରି ବୋଧ ହୋଉଛି । ମନୁଷ୍ୟ ତାହାର ହୃଦୟର ଭାବକୁ ପ୍ରକାଶ କରିବାରେ ପ୍ରତି ପଦେ ପଦେ ବାଧା ପାଉଛି । ଦେଶର ବର୍ତ୍ତମାନ ପରିସ୍ଥିତି ଏହିପରି ହୋଇ ଉଠିଛି । ସୁତରାଂ ପୂର୍ବର ଭାବ ଆଉ ରହିବ କିପରି ?

 

ସେ ଯାହାହେଉ ମୁଁ ତହିଁ ଆରଦିନ ସ୍କୁଲକୁ ଯିବାକୁ ମନେ ମନେ ସ୍ଥିର କଲି । ଗୋପିନାଥ ମିଶ୍ରେ କହିଯାଇଥାଆନ୍ତି ସ୍କୁଲକୁ ଯାଇ ହେଡମାଷ୍ଟରଙ୍କ ସଙ୍ଗେ ଦେଖା କରିବାକୁ ହେବ-। ସୁତରାଂ ମୁଁ ଯିବି । ହେଡମାଷ୍ଟରଙ୍କ ସହିତ ଦେଖା କରିବି । ସେ କଅଣ କହିବେ ଏବଂ ମତେ କଅଣ ପଚାରିବେ, ସେ କଥା ଶୁଣି ପାଠ ପଢ଼ିବା କଥା ସ୍ଥିର କରିବି । ଏହିପରି ନାନା କଥା ଭାବିଲି-। ଏହିସବୁ କଥା ଯେତେ ବେଶି ମନରେ ଆସିଲା ସେତିକି ପଢ଼ିବାକୁ ମନ ବ୍ୟଗ୍ର ହେଲା । ସେ ଦିନ ରାତିରେ ମୁଁ ଆଉ ଶୋଇନାହିଁ । ରାତ୍ର ପାହିଲା । ମୁଁ ଯାଇ ସ୍କୁଲରେ ହାଜର ହେଲି । ମୁଁ ସ୍କୁଲ ଛାଡ଼ିବାର ଅନେକ ବର୍ଷ ହୋଇଥାଏ । ବର୍ତ୍ତମାନ ଦଶପଲ୍ଲା ଗଡ଼ର ସ୍କୁଲ ମାଇନର ସ୍କୁଲରେ ପରିଣତ ହୋଇଗଲାଣି । ଗୁପ୍ତ ସାହେବ କମିଶନର ଥିଲାବେଳେ ଏହି ସ୍କୁଲଟି ହୋଇଥିବାରୁ ଏହାର ନାମ ଗୁପ୍ତ. ମି.ଇ. ସ୍କୁଲ । ଶ୍ରୀଯୁକ୍ତ ବାସୁଦେବ ପଟ୍ଟନାୟକ ସ୍କୁଲର ପ୍ରଥମ ହେଡ୍‌ମାଷ୍ଟର । ମୁଁ ସକାଳୁ ଯାଇ ଏହାଙ୍କ ସହିତ ଦେଖାକଲି । ଗୋପିନାଥ ମିଶ୍ରେ ମଧ୍ୟ ଥାଆନ୍ତି । ସେ ମୋଠାରୁ ମୋର ବର୍ତ୍ତମାନ ଅବସ୍ଥା ସବୁ ଶୁଣିଲେ । ମୋତେ ପଢ଼ିବାକୁ ଉତ୍ସାହ ଦେଲେ । ମୁଁ ଯଦି ପଢ଼େ ତେବେ ସେ ମୋତେ ବହିପତ୍ର ଏବଂ ପିନ୍ଧିବାକୁ ଲୁଗାପଟା ସାହାଯ୍ୟ କରିବାକୁ ପ୍ରତିଶ୍ରୁତ ହେଲେ । ମୁଁ ସ୍କୁଲକୁ ଯେତେବେଳେ ଇଚ୍ଛା ସେତେବେଳେ ଆସିପାରେ । ସବୁ ଦିନ ନିୟମିତ ସମୟରେ ଯଦି ନ ଆସି ପାରେଁ ସେଥିପାଇଁ କିଛି ଆପତ୍ତି ନାହିଁ । ଏହି ସବୁ ଶୁଣି ମୁଁ ପଢ଼ିବାକୁ ନିଶ୍ଚୟ କଲି । ସେହି ଦିନ ସ୍କୁଲରେ ନାମ ଲେଖା ହେଲା । ବର୍ଣ୍ଣବୋଧକ ଠାରୁ ପୁଣି ମୋତେ ଆରମ୍ଭ କରିବାକୁ ପଡ଼ିଲା । ଅତି ପିଲା ବେଳେ ମୁଁ କଅଣ ପଢ଼ିଥିଲି ତାହା ଆଉ କିଛି ମନେ ନ ଥିଲା, କାରଣ ମୁଁ ବର୍ଣ୍ଣବୋଧକର ମଧ୍ୟ ଅକ୍ଷର ଚିହ୍ନି ପଢ଼ି ପାରିଲି ନାହିଁ । ସେ ଯାହାହେଉ ଏହିପରି ଭାବରେ କେବଳ ରାମାୟଣ ଓ ଭାଗବତ ପଢ଼ି ପାରିବା ଭଳି ଅକ୍ଷର ଜ୍ଞାନ ଲାଭ କରିବା ଉଦ୍ଦେଶ୍ୟରେ ମୁଁ ମୋର ପାଠପଢ଼ା ପୁଣି ଆରମ୍ଭ କଲି ।

 

ମୁଁ ସ୍କୁଲରେ ନାମ ଲେଖାଇଲି । ବେଳକୁ ବେଳ ପଢ଼ିବାକୁ ମନରେ ଆଗ୍ରହ ଜାତ ହେଲା, କିନ୍ତୁ ସବୁଦିନେ ସ୍କୁଲକୁ ଯାଇ ପାରେ ନାହିଁ । ଯେଉଁ ଦିନ ଘରେ ଖାଇବାକୁ ନ ଥାଏ ସେଦିନ ଯିବି ଅବା କିପରି ? କୌଣସି କାରଣରୁ ସ୍କୁଲକୁ ନଗଲେ କକେଇ ବଡ଼ ବିରକ୍ତ ହୁଅନ୍ତି । ମୁଁ ତ ବର୍ଣ୍ଣବୋଧକ ପାଠ ଆରମ୍ଭ କରିଥାଏଁ । ସୁତରାଂ ପ୍ରତିଦିନ ସ୍କୁଲକୁ ଯିବା ନଯିବା ଦ୍ୱାରା ବିଶେଷ କିଛି କ୍ଷତି ହୁଏ ନାହିଁ । ମୁଁ ସବୁବେଳେ କ୍ଳାସରେ ପ୍ରଥମ ହୁଏ । ବର୍ଷକ ଭିତରେ ମୋତେ ପରୀକ୍ଷା କରି ଥରକୁ ଥର ମୋତେ ଉପର କ୍ଳାସକୁ ଉଠାଇ ଦିଅନ୍ତି । ବର୍ଷ ଶେଷରେ ମୁଁ ନିମ୍ନ ପ୍ରାଇମେରୀ ଦ୍ୱିତୀୟ ଶ୍ରେଣୀକୁ ପ୍ରମୋଶନ ପାଇଲି । ବର୍ଷକ ଭିତରେ ରାମାୟଣ ପଢ଼ିବାର ଜ୍ଞାନ ହୋଇଗଲା । କିନ୍ତୁ ବର୍ତ୍ତମାନ ରାମାୟଣ ପଢ଼ି ଜୀବିକା ନିର୍ବାହ କରିବାର ଇଚ୍ଛା ନାହିଁ । ଭଲ ପାଠ ପଢ଼ି ଭଲ ଭାବରେ ନିମ୍ନ ପ୍ରାଇମେରୀ ଖଣ୍ଡିକ ପାଶ୍‌ କରି ପାରିଲେ ଦଶପଲ୍ଲାର କୌଣସି ଗୋଟିଏ ଗ୍ରାମରେ ଖଣ୍ଡିଏ ପାଠଶାଳା କରି ପାରିଲେ ଭଲ ହେବ । ଏହି ଆଶା ମନରେ ଥାଏ ଏବଂ ସ୍କୁଲକୁ କେବେ ଯାଇ ନ ପାରିଲେ ମନରେ ଦୁଃଖ ହୁଏ ।

 

ଇତି ମଧ୍ୟରେ ତାଳଚେର ଗଡ଼ଜାତରୁ ଜଣେ ବ୍ରାହ୍ମଣ ଦଶପଲ୍ଲାକୁ ଆସି ନବିସନ୍ଧା କାର୍ଯ୍ୟ କରୁଥିଲେ । ମୁଁ ଏହାଙ୍କ ନିକଟରେ ରୋଷେଇ କରିବାକୁ ରହିଲି । ରୋଷେଇ କରିବାପାଇଁ ଚାକିରୀ କରିବା ଆମ ଜାତିର ନିୟମ ବିରୁଦ୍ଧ । କେହି ଏହି କାର୍ଯ୍ୟ କଲେ ଜାତିରୁ ଅଟକ ହୁଏ । ପଣ୍ଡା ଅଥବା ନୀଚ କୁଳ ବ୍ରାହ୍ମଣମାନେ ରୋଷେଇ କାର୍ଯ୍ୟ କରନ୍ତି । କିନ୍ତୁ ମୁଁ ଯାହାଙ୍କ ନିକଟରେ ରହିଲି ସେ ଜଣେ ଉଚ୍ଚ କୁଳର ବ୍ରାହ୍ମଣ । ସେ ପଣ୍ଡାବ୍ରାହ୍ମଣ ରଖିବେ ନାହିଁ । ଆନନ୍ଦ ସାହୁ, ଯେ କି ମୋର ଉପନୟନକାର୍ଯ୍ୟ ପାଇଁ ପିତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଥିଲେ, ତାହାଙ୍କର ପରାମର୍ଶରେ ମୋର କକେଇଙ୍କୁ ଅନୁରୋଧ କରି ସେ ମୋତେ ପାଖରେ ରଖିଲେ । ମୁଁ ଚାକିରି କଲାପରି ରହିଲି ନାହିଁ, କାରଣ ମୁଁ ତାଙ୍କଠାରୁ ଦରମା ନେଇନାହିଁ । ସେ ମୋର ପଢ଼ାପାଇଁ ବହିପତ୍ର, ଲୁଗାପଟା ସାହାଯ୍ୟ କରିବେ । ମୁଁ ରୋଷେଇ କରିଚି ଦୁହେଁଯାକ ଖାଇବୁ । ନିମ୍ନ ପ୍ରାଇମେରି ପଢ଼ିବାପାଇଁ ବହିପତ୍ର ବର୍ଷରେ ଟଙ୍କାଟିଏ । ସୁତରାଂ ଏହାକୁ ଦରମା କୁହାଯାଇ ନ ପାରେ । ସେ ଯାହାହେଉ ବର୍ତ୍ତମାନ ମୁଁ ଏହିପରି ରୋଷେଇକରି ପାଠ ପଢ଼ିଲି ।

 

ଏତେବେଳକୁ ଦଶପଲ୍ଲାର ଦେବାନ ଭାବଗ୍ରାହୀ ବିଶ୍ୱାଳ, ଓ ରାଜା ଶ୍ରୀ ନାରାୟଣ ଦେଓ ଭଞ୍ଜ । ଗତ ଦଶବର୍ଷ ଭିତରେ ଦଶପଲ୍ଲାର ରୀତି ନୀତି ବହୁତ ବଦଳି ଗଲାଣି । ପୁରୁଣା କାଳିଆ ଲୋକେ ଯେ କେତୋଟି ଥିଲେ ସେମାନେ ମରି ହଜି ଗଲେଣି । ରାଜାଙ୍କ ସହିତ ପ୍ରଜାଙ୍କର ପୂର୍ବ ସମ୍ୱନ୍ଧ ଆଉ ନାହିଁ । ଆଗେ କଳହ ହେଉଥିଲେ ରାଜା ନିଜେ ମେଣ୍ଟାଇ ଦେଉଥିଲେ । ବର୍ଷର ଭିନ୍ନ ଭିନ୍ନ ଋତୁରେ ଭିନ୍ନ ଭିନ୍ନ ନୂଆ ଫଳ ପ୍ରଥମେ ରାଜ ପ୍ରାସାଦକୁ ଆସେ । କିନ୍ତୁ ରାଜା ସେ ସବୁ ନୂଆ ଜିନିସ ପ୍ରଥମେ ଗଡ଼ର ଭଦ୍ରବ୍ୟକ୍ତିମାନଙ୍କୁ ନ ଦେଇ ନିଜେ ବ୍ୟବହାର କରନ୍ତି ନାହିଁ । ପ୍ରତିବର୍ଷ ଶରତ୍‌ ସମୟରେ ରାଜା ପ୍ରଜା ମିଶି ବଣଭୋଜି କରିବାକୁ ଯାନ୍ତି । ବଣ ଜଙ୍ଗଲରେ ୧୦।୧୫ ଦିନ ପର୍ଯ୍ୟନ୍ତ ମଧ୍ୟ କେବେ କେବେ ରହିବାକୁ ପଡ଼େ । ଗଡ଼ଜାତରେ ହରିତାଳିକା, ଗହ୍ମା ପୂର୍ଣ୍ଣିମା ଦୁଇଟି ଉତ୍ସବରେ ଟିକିଏ ବିଶେଷତ୍ୱ ଅଛି । ଏହି ଦୁଇଟି ଉତ୍ସବରେ ଲୋକେ ଦଳବାନ୍ଧି ଉତ୍ସବ କରନ୍ତି । ରାଜା ଅସାକ୍ଷାତରେ, ବେଳେବେଳେ ସାକ୍ଷାତରେ ମଧ୍ୟ, ଏ ସବୁ ଦଳରେ ଯୋଗ ଦିଅନ୍ତି । ହରିତାଳିକା ଦିନ ରାତ୍ରରେ କବାଟ ବାଡ଼େଇବା ଗୋଟିଏ ବିଶେଷତ୍ୱ । ସେଦିନ କବାଟ ବାଡ଼େଇଲେ ଆୟୂ ବୃଦ୍ଧି ହୁଏ ବୋଲି ଗୋଟିଏ ବିଶ୍ୱାସ ଅଛି । ସୁତରାଂ ହରିତାଳିକା ରାତ୍ରରେ କବାଟ ବାଡ଼ିଆକୁ ଲୋକେ ଦଳ ଦଳ ହୋଇ ବାହାରନ୍ତି । ଯେଉଁ ଲୋକ ବେଶି ଗାଳି ଦିଏ ତାହାରି କବାଟକୁ ଲୋକେ ବେଶି ପିଟନ୍ତି । ରାଜା ମଧ୍ୟ ବେଳେ ବେଳେ ଏହି କବାଟ ବାଡ଼ିଆରେ ପୂର୍ବେ ଯୋଗ ଦେଉଥିଲେ । ଏହାକୁ ଗୋଟିଏ ବଡ଼ ଆମୋଦପ୍ରମୋଦ ଓ ହସ କୌତୁକର କ୍ରିୟା ବୋଲି ଭାବି ସମସ୍ତେ ବଡ଼ ଆନନ୍ଦ ଅନୁଭବ କରୁଥିଲେ । କିନ୍ତୁ ଏ ସବୁ ଭାବ ଓ ଅବସ୍ଥା ବହୁ ପୂର୍ବରୁ ବଦଳି ଗଲାଣି । ଏପରିକି ଏ ସବୁ ମୁଁ ଶୁଣୁଛି, କିନ୍ତୁ ଦେଖି ନାହିଁ । ତଥାପି ଯାହା ଦେଖିଛି, ରାଜା ପ୍ରଜାଙ୍କର ଯେଉଁ ଭାବ ଓ ସମ୍ୱନ୍ଧ ଥିଲା ସେ ସବୁ ଆଉ କିଛି ନାହିଁ । ବର୍ତ୍ତମାନ ଦଶପଲ୍ଲାରେ କଚେରୀ ବସୁଛି, କୋଟଫିସ୍‌ ବିକା ହେଉଛି, ମାଲିମକଦ୍ଦମାର ବିଚାର ଚାଲିଛି, ନବିସନ୍ଧା ରହି ଦରଖାସ୍ତ ଲେଖୁଅଛନ୍ତି-। ମୁଁ ଯାହାଙ୍କ ନିକଟରେ ରୋଷେଇ କରିବାକୁ ରହିଲି ସେ ଥିଲେ ଜଣେ ଦରଖାସ୍ତ ଲେଖିବା ନବିସନ୍ଧା ଯାହାଙ୍କୁ ଇଂରେଜିରେ କହନ୍ତି ପିଟିସନ୍‌ ରାଇଟର୍‌ ।

 

ସେ ତାଳଚେରରୁ ଆସିଥିଲେ । ତାଙ୍କ ନାମ ମୋର ବର୍ତ୍ତମାନ ମନେ ପଡ଼ୁନାହିଁ । ତାଙ୍କୁ ସମସ୍ତେ ମିଶ୍ରେ ମିଶ୍ରେ ବୋଲି ଡାକନ୍ତି । ସେ ଯାହା ହେଉ, ତାଙ୍କ ନିକଟରେ ଛଅ ମାସ ରହିବାପରେ ସେ ତାଙ୍କ ଗ୍ରାମକୁ ଗଲେ ଯେ ଆଉ ଫେରିଲେ ନାହିଁ । ସେ ଯେଉଁ ବସା ଘରେ ଥିଲେ ସେ ଘରଟି ଗୋଟିଏ ବଡ଼ ଖଞ୍ଜା ଘର । ସେ ଘରେ ଅନେକ ଗୁଡ଼ିଏ କୋଠରୀ ଥାଏ । ସେଠାରେ କଟକର ମାଧବ ମହାରଣା ବସା କରି ରହିଥାଆନ୍ତି । ମାଧବ ମହାରଣା ଦଶପଲ୍ଲା ଷ୍ଟେଟର ଏଜେଣ୍ଟ । ଷ୍ଟେଟର କିମ୍ୱା ରାଜାଙ୍କର ଯେତେବେଳେ ଯାହା କିଛି ଜିନିସ କଟକରୁ ନେବାର ଦରକାର ହୁଏ ଏହି ମାଧବ ମହାରଣା ସେହି ସବୁ ଜିନିସ ଯୋଗାନ୍ତି । ଉକ୍ତ ଜିନିସର ଭଲମନ୍ଦ ପାଇଁ ଏହି ଏଜେଣ୍ଟ ଦାୟୀ ।

 

ସେହି ସମୟକୁ ଦଶପଲ୍ଲା ଷ୍ଟେଟ ପରିଦର୍ଶନ କରିବାପାଇଁ ପଲିଟିକେଲ୍‌ଏଜେଣ୍ଟଙ୍କର ଆସିବାର ଥାଏ । ସେଥିପାଇଁ ଦଶପଲ୍ଲାରେ ଭାରୀ ଚହଳ । ପଲିଟିକେଲ୍‌ ଏଜେଣ୍ଟ ପଦ ଏବେ ନୂଆ ସୃଷ୍ଟି ହୋଇଛି । ଏ ଆଗେ ଓଡ଼ିଶାର କମିଶନର ସାହେବ ଗଡ଼ଜାତମାନଙ୍କରେ ସର୍ବେସର୍ବା ଥିଲେ । ତାଙ୍କ ତଳେ ଜଣେ ସୁପରିନ୍‌ଟେଣ୍ଡେଣ୍ଟ୍‌ ଥାନ୍ତି । ସ୍ୱର୍ଗୀୟ ସୁଦାମ ଚରଣ ନାୟକ ହେଉଛନ୍ତି ଓଡ଼ିଶା ଗଡ଼ଜାତମାନଙ୍କର ଶେଷ ସୁପରିନ୍‌ଟେଣ୍ଡେଣ୍ଟ୍‌ । ଆଉ ଏବେ ଓଡ଼ିଆ ଏପରି ଦାୟିତ୍ୱପୂର୍ଣ୍ଣ ଉଚ୍ଚ ଚାକିରି ପାଇବା ସହଜ ନୁହେ । ପୂର୍ବେ ଯେଉଁମାନେ ସୁପରିନ୍‌ଟେଣ୍ଡେଣ୍ଟ ହେଉଥିଲେ ସେମାନଙ୍କ ମନରେ ଓଡ଼ିଆ ଜାତିର ଭବିଷ୍ୟତ କଳ୍ପନା କରିବାର ଶକ୍ତି ନ ଥିଲା । ଓଡ଼ିଆ ଜାତିର ଉନ୍ନତି ସାଧନ କରିବାରେ ସେମାନେ ଯେପରି ସୁବର୍ଣ୍ଣ ସୁଯୋଗ ପାଇଥିଲେ, ସେତେବେଳେ ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ମତିଗତି ଯେପରି ଥିଲା, ସେମାନେ ଏହି ସୁପରିନ୍‌ଟେଣ୍ଡେଣ୍ଟମାନଙ୍କର ଇଙ୍ଗିତରେ ଓଡ଼ିଆ ଜାତିର ଓ ସାହିତ୍ୟର ଉନ୍ନତିପାଇଁ ବହୁତ କାର୍ଯ୍ୟ କରି ପାରି ଥାଆନ୍ତେ । ଆଜି ଗଡ଼ଜାତର ରାଜା ପ୍ରଜା ଓଡ଼ିଶାରୁ ଅଲଗା ହୋଇ ଯାଉଛନ୍ତି । ସାମାଜିକ ଆର୍ଥିକ, ରାଜନୈତିକ ଯେଉଁ ଦୃଷ୍ଟିରେ ଦେଖିବାକୁ ଯିବ ସବୁ ପ୍ରକାରେ ଗଡ଼ଜାତମାନ ଓଡ଼ିଶାର ଅଞ୍ଚଳମାନଙ୍କ ସହିତ ଘନିଷ୍ଠ ଭାବରେ ଜଡ଼ିତ । ଗଡ଼ଜାତସବୁ ଓଡ଼ିଶାରୁ ଅଲଗା ରହିଲେ, ଓଡ଼ିଆ ଜାତିର ଭବିଷ୍ୟତ ଅନ୍ଧକାର ରହିବ । ବୃହତ୍‌ ଉତ୍କଳର ପରିକଳ୍ପନା କଲେ ଗଡ଼ଜାତ ରାଜାଙ୍କର ବିଷମ ସମସ୍ୟାର ସର୍ବଗ୍ରେ ମନ ମଧ୍ୟରେ ଉପସ୍ଥିତ ହୁଏ । ଆଜି ଏହି ସମସ୍ୟାଟି ଜଟିଳରୁ ଜଟିଳତର ହୋଇ ଉଠୁଛି କିନ୍ତୁ ଏହି ଜଟିଳତା ଦୂର କରି ବର୍ତ୍ତମାନ ଓଡ଼ିଶାକୁ ବୃହତ୍ତର ଓଡ଼ିଶାରେ ପରିଣତ କରିବାର ଭାବନା ମନ ମଧ୍ୟରେ ଜାଗ୍ରତ ହେଲା ବେଳେ ସେହି ଭାବନାକୁ ମନ ମଧ୍ୟରେ କାର୍ଯ୍ୟରେ ପରିଣତ କରିବାପାଇଁ ଆଜି ଚକ୍ଷୁ ସମ୍ମୁଖରେ ଅତୀତର କୌଣସି କୀର୍ତ୍ତି ଦୃଷ୍ଟି ଗୋଚର ହୁଏ ନାହିଁ । ଏହିସବୁ ପାଇଁ ଆଜି ଦାୟୀ କିଏ ? ଦୋଷ ଓ ତ୍ରୁଟି କେଉଁଠାରେ, ଏହି ପ୍ରଶ୍ନ ମନରେ ଜାଗ୍ରତ ହୋଇ ଉଠିଲା ବେଳେ ଏହି ଗଡ଼ଜାତ ରାଜ୍ୟମାନଙ୍କ ଉପରେ ନିଯୁକ୍ତ ହୋଇଥିବା ଓଡ଼ିଆ ସୁପରିନ୍‌ଟେଣ୍ଡେଣ୍ଟମାନଙ୍କ କଥା ସ୍ୱତଃ ମନରେ ଜାଗି ଉଠେ । ମନେ ହୁଏ, ଏହିମାନେ ଟିକିଏ ଇଚ୍ଛା କରିଥିଲେ କିମ୍ୱା ଏମାନଙ୍କର ଭିତରେ ତିଳେ ମାତ୍ର ଦେଶାତ୍ମବୋଧ ଥିଲେ ଏମାନେ ଏପରି ଅନେକ ଅନୁଷ୍ଠାନ ଗଢ଼ି ଦେଇ ପାରିଥାନ୍ତେ, ଯେଉଁସବୁ ଆଜି ଗଡ଼ଜାତ ଓ ମୋଗଲବନ୍ଦୀ ଏହିପରି ଓଡ଼ିଶାର ଏହି ଦୁଇ ଅଞ୍ଚଳର ଭାବ ଧାରାକୁ ଟାଣି ଏକତ୍ର କରି ପାରୁ ଥାଆନ୍ତା । ଆଜି ଗଡ଼ଜାତ ଛାତ୍ରମାନଙ୍କ ପାଇଁ ଉଚ୍ଚଶିକ୍ଷାର ଦ୍ୱାର ରୁଦ୍ଧ ହେବାର ସମ୍ଭାବନା ନ ଥାନ୍ତା-। ସେ ଯାହା ହେଉ, ସୁଦାମ ବାବୁଙ୍କ ପରେ ଏହି ଚାକିରି ଲୋପ ପାଇଛି । କମିଶନର ସାହେବ ଆଉ ଗଡ଼ଜାତର କିଛି ନୁହନ୍ତି । ପଲଟିକେଲ୍‌ ଏଜେଣ୍ଟ ପଦ ଗଡ଼ଜାତ ପାଇଁ ସୃଷ୍ଟି ହୋଇଛି-। ସେ ଏବେ ଦଶପଲ୍ଲା ଷ୍ଟେଟ୍‌ ପରିଦର୍ଶନ ପାଇଁ ଆସୁଅଛନ୍ତି ।

 

ଆଗେ କମିଶନର୍‌ ସାହେବ ଗଡ଼ଜାତକୁ ଆସିଲାବେଳେ ଯେପରି ଗଡ଼ଜାତ ରାଜଧାନୀ ଏକ ନୂଆ କଳେବର ଧାରଣ କରେ, ପଲିଟିକେଲ ଏଜେଣ୍ଟ୍‌ଙ୍କ ପାଇଁ ତଦ୍ରୂପ ଚାଲିଥାଏ । କଚେରୀ, ସ୍କୁଲ, ଜେଲଖାନା ସବୁରେ ଚୂନ ଲିପାଯାଉଥାଏ । ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରାଯାଇ ନାନା ପ୍ରକାର ସାଜସଜ୍ଜାରେ ଶୋଭିତ କରାହେଉଥାଏ । ସ୍କୁଲ ପିଲାମାନେ ନାନା ପ୍ରକାର ଗୀତ ଶିଖୁଥାଆନ୍ତି । ସାହେବ ଆସିଲେ ସ୍କୁଲରେ ପୁରଷ୍କାର ବିତରଣ ହୁଏ । ପିଲାମାନେ ଗୀତ ସବୁ ମୁଖସ୍ଥ କରି ସାହେବଙ୍କ ଆଗରେ ଠିଆ ହୋଇ ସାହେବଙ୍କୁ ଶୁଣାନ୍ତି । ଏହିପରି ସାହେବ ଆସିଲେ ଗଡ଼ଜାତରେ ଗୋଟାଏ ଚହଳ ପଡ଼େ । ସାହେବ କହିଲେ ଆଗେ କମିଶନର ସାହେବଙ୍କୁ ବୁଝାଉଥିଲା, ଏବେ ପଲିଟିକେଲ ଏଜେଣ୍ଟ୍‌ଙ୍କୁ ବୁଝାଉଛି ।

 

ଯାହାହେଉ ସାହେବ ଆସିବାପାଇଁ ଚାରିଆଡ଼େ ଭାରି ଚହଳ । କଟକରୁ ଦଶପଲ୍ଲାର ଏଜେଣ୍ଟ୍‌ ମାଧବ ମହାରଣା ଦଶପଲ୍ଲା ଯାଇଥାଆନ୍ତି । ସେ ଆମ ବସାରେ ଯାଇ ରହିଲେ । ପୂର୍ବେ ସେ ମଧ୍ୟ ଆମ ବସାରେ ରହୁଥିଲେ ଏବଂ ଆମ ରୋଷେଇରେ ଖାଉଥିଲେ । ସୁତରାଂ ମିଶ୍ରେ ତାଳଚେରରୁ ଫେରିବା ପର୍ଯ୍ୟନ୍ତ ମୁଁ ଏହି ମାଧବ ମହାରଣାଙ୍କ ନିକଟରେ ରହି ରୋଷେଇ କଲି । କିନ୍ତୁ ମୁଁ ଠିକ୍‌ ରୋଷେୟା ଭାବରେ ଏହାଙ୍କ ନିକଟରେ ନ ଥିଲି । ମାଧବ ମହାରଣା ଜଣେ ଅତ୍ୟନ୍ତ ଭଦ୍ର ବ୍ୟକ୍ତି । ସେ ମୋର ପରିଚୟ ପାଇଥାଆନ୍ତି । କେବଳ ଅବସ୍ଥା ଚକ୍ରରେ ପଡ଼ି ମୁଁ ଏପରି ରୋଷେଇ କରି ପାଠ ପଢ଼ୁଛି, ଏହା ମଧ୍ୟ ସେ ଜାଣିଥାଆନ୍ତି । ସୁତରାଂ ସେ ମୋତେ ସ୍ନେହଭାବ ଦେଖାଇ ମୋ ସହିତ ବ୍ୟବହାର କରୁଥାଆନ୍ତି । ଦିନକୁ ଦିନ ଉକ୍ତ ନବିସନ୍ଧାଙ୍କର ଆସିବାରେ ବିଳମ୍ୱ ହେଲା । ଏଣେ ଷ୍ଟେଟକୁ ସାହେବ ଆସୁଥିବା ହେତୁ କାର୍ଯ୍ୟରେ ଗୁରୁତ୍ୱ ଲାଘବ କରିବାପାଇଁ ମାଧବ ମହାରଣା କଟକରୁ ଆଉ କେତେ ଜଣଙ୍କୁ ଡକାଇଥାଆନ୍ତି । ସେମାନେ ଯାଇ ଠିକ୍‌ ସମୟରେ ଦଶପଲ୍ଲାରେ ଉପସ୍ଥିତ ହେଲେ । ଏ ସମସ୍ତଙ୍କ ପାଇଁ ମଧ୍ୟ ମୋତେ ରୋଷେଇ କରିବାକୁ ପଡ଼ିଲା । କିନ୍ତୁ ଏ ନବାଗତ ବ୍ୟକ୍ତିଗୁଡ଼ିକ ମୋତେ କେହି ଜାଣୁନଥିଲେ । ରୋଷେଇ କାମ ମଧ୍ୟ ମୋତେ ଭଲ ଆସୁନଥାଏ । ଏଥିପାଇଁ ଏମାନଙ୍କ ମଧ୍ୟରୁ କେହି କେହି ମୋ ଉପରେ ବେଳେ ବେଳେ ବିରକ୍ତ ହେଉଥିଲେ । କିନ୍ତୁ ମାଧବ ମହାରଣା ଏହା ଟିକିଏ ଜାଣିପାରିଲେ ସେମାନଙ୍କ ଉପରେ ଏଥିପାଇଁ ବଡ଼ ବିରକ୍ତ ହେଉଥିଲେ ।

 

ଏହି ସମୟରେ ଗଡ଼ ସ୍କୁଲକୁ ସ୍କୁଲ ସବ୍‌ଇନ୍‌ସ୍‌ପେକ୍‌ଟର ଆସିଲେ । ପୂର୍ବେ ସ୍କୁଲ ସବ୍‌ଇନ୍‌ସ୍‌ପେକ୍‌ଟରମାନେ ମାଇନର ସ୍କୁଲ ପରିଦର୍ଶନ କରି ପାରୁଥିଲେ । ସାହେବ ଆସିବାର ସମୟ ନିକଟ ହେବାରୁ ସବ୍‌ଇନିସ୍‌ପେକ୍‌ଟର ବାବୁ ମଧ୍ୟ ଆସି ହାଜର ହେଲେ । ତାଙ୍କୁ ରୋଷେଇ କରିଦେବାକୁ ତାଙ୍କ ପାଖରେ କେହି ନଥାନ୍ତି । ଏପରି ଅବସ୍ଥାରେ ହେଡମାଷ୍ଟର ବାସୁବାବୁ ମୋତେ ଡାକି ସବ୍‌ଇନ୍‌ସ୍‌ପେକ୍‌ଟର ବାବୁଙ୍କର କାର୍ଯ୍ୟ ଚଳାଇ ଦେବାକୁ ଅନୁରୋଧ କଲେ । ମୁଁ ତାଙ୍କ ଅନୁରୋଧ ଭାଙ୍ଗି ନ ପାରି ମାଧବ ମହାରଣାଙ୍କ ବସା ଛାଡ଼ି ସବ୍‌ଇନ୍‌ସ୍‌ପେକ୍‌ଟର ବାବୁଙ୍କର ନିକଟରେ ରହିଲି । ସାହେବ ଆସି ଚାଲିଗଲେ । ସବ୍‌ଇନ୍‌ସ୍‌ପେକ୍‌ଟର ବାବୁ ମଧ୍ୟ ଚାଲିଗଲେ । ବର୍ତ୍ତମାନ ମୁଁ କ’ଣ କରିବି କିଛି ଭାବିପାରିଲି ନାହିଁ । ଏପରି ଅବସ୍ଥାରେ ହେଡମାଷ୍ଟର ବାସୁବାବୁ ମୋତେ କିଛିଦିନପାଇଁ ନିଜ ହାତରୁ ସବୁ ଖର୍ଚ୍ଚ ଦେଇ ସ୍କୁଲରେ ରଖାଇ ଦେଲେ । ସ୍କୁଲ ଘରର ଗୋଟିଏ ଛୋଟ ଘରେ ମୁଁ ହାତରେ ରୋଷେଇ କରି ଖାଇ ପାଠ ପଢ଼ିଲି । ଇତିମଧ୍ୟରେ ଦଶପଲ୍ଲାର ମଫସଲ ସ୍କୁଲ ସବୁ ପରିଦର୍ଶନ କରିବାପାଇଁ ଜଣେ ଇନ୍‌ସ୍‌ପେକ୍‌ଟିଙ୍ଗ ପଣ୍ଡିତ ନିଯୁକ୍ତ ହେଲେ । ବଡ଼ମ୍ବା ଷ୍ଟେଟର ଶ୍ରୀ ଉପେନ୍ଦ୍ରଚନ୍ଦ୍ର ମିଶ୍ର ନାମକ ଜଣେ କଟକ ନରମାଲ ଟ୍ରେନିଂ ପାଶ୍ ପଣ୍ଡିତ ଦଶପଲ୍ଲାର ପ୍ରଥମ ଇନ୍‌ସ୍‌ପେକ୍‌ଟିଙ୍ଗ୍ ପଣ୍ଡିତ । ଏ ମହାଶୟ ଯାଇ ସ୍କୁଲରେ ବସା କରି ରହିଲେ । ମୁଁ ଏହାଙ୍କୁ ରୋଷେଇ କରି ଦେଇ ପୂର୍ବ ପରି ପାଠ ପଢ଼ିଲି ।

 

ବର୍ତ୍ତମାନ ମୁଁ ନିମ୍ନପ୍ରାଥମିକ ୪ର୍ଥ ଶ୍ରେଣୀରେ । ସେତେବେଳକୁ ସ୍କୁଲରେ କିଣ୍ଡରଗାର୍ଟନ୍ ପ୍ରଣାଳୀ ଅନୁସାରେ ଶିକ୍ଷାପଦ୍ଧତି ପ୍ରଚଳିତ ହେଉଥାଏ । ସ୍କୁଲର ଛାତ୍ରମାନେ ହସ୍ତ କର୍ମ ଶିଖିବାର ନିୟମ ଥାଏ । ମାଟିରେ ଆମ୍ଭେମାନେ ନାନା ପ୍ରକାର ଫଳମୂଳ ତିଆରି କରୁଥାଉଁ । ଏହି ହସ୍ତକର୍ମ ଗୁଡ଼ିକ ମୁଁ ଭଲ କରି ପାରୁଥାଏ । ସ୍କୁଲରେ ଡ୍ରିଲ୍‌ଶିକ୍ଷା ଦିଆଯାଉ ଥାଏ । ଡ୍ରିଲ୍‌ରେ ମଧ୍ୟ ମୁଁ ବେଶ୍ କରୁଥାଏଁ । ପଲ୍ଲୀ ସ୍କୁଲ ପରିଦର୍ଶକ ଶ୍ରୀଯୁକ୍ତ ଉପେନ୍ଦ୍ରଚନ୍ଦ୍ର ମିଶ୍ର ପଲ୍ଲୀ ସ୍କୁଲରେ ଡ୍ରିଲ୍ ଓ ହସ୍ତକର୍ମ ଶିକ୍ଷା ଦେବାକୁ ବିଶେଷ ଚେଷ୍ଟା କରୁଥାଆନ୍ତି । ସେ ଅନେକ ସମୟରେ ମୋତେ ସଂଗରେ ନେଇ ମଫସଲ ଗସ୍ତରେ ବାହାରନ୍ତି । ପଲ୍ଲୀ ସ୍କୁଲରେ ଛାତ୍ରମାନଙ୍କୁ ମୁଁ ଏହି ଡ୍ରିଲ୍ ଓ ହସ୍ତକର୍ମ କିପରି କରିବାକୁ ହୁଏ ତହିଁର ଉଦାହରଣ ଦିଏ । ମୁଁ ଭଲ ପାଠ ପଢ଼ୁଥାଏ । ପୁଣି ଡ୍ରିଲ୍ ଓ ହସ୍ତକର୍ମ ଭଲ କରି ଜାଣି ଥାଏ । ଏଥି ପାଇଁ ପଲ୍ଲୀ ସ୍କୁଲମାନଙ୍କ ମଧ୍ୟରୁ ଅନେକ ଶିକ୍ଷକ ମୋତେ ସେମାନଙ୍କ ନିଜ ସ୍କୁଲରେ ଛାତ୍ର ସ୍ୱରୂପ ରଖିବାକୁ ପଣ୍ଡିତ ଉପେନ୍ଦ୍ର ମିଶ୍ରଙ୍କୁ ଅନୁରୋଧ କଲେ । କିନ୍ତୁ ହେଡ୍‌ମାଷ୍ଟର ବାସୁଦେବ ପଟ୍ଟନାୟକ ଅନୁମତି ନ ନେଇ ସେ ଅବା କିପରି ମତେ କୌଣସି ସ୍କୁଲରେ ଛାଡ଼ିଦେଇ ଆସିବେ ? ସ୍କୁଲର ଶିକ୍ଷକମାନେ ମୋର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ । ହେଡ୍‌ମାଷ୍ଟର ବାବୁ କାହିଁକି ମୋତେ ପଲ୍ଲୀ ସ୍କୁଲକୁ ନ ଛାଡ଼ିଲେ ମୁଁ ଜାଣେ ନାହିଁ । ମୁଁ ଏତିକି ଜାଣିଲି ଯେ କୌଣସି ପଲ୍ଲୀ ସ୍କୁଲକୁ ଯିବାର ମୋର ନ ହେଲା । କୌଣସି କୌଣସି ଶିକ୍ଷକଙ୍କର ଅତିଶୟ ଆଗ୍ରହ ଓ ସ୍ନେହରେ ମୋ ମନ ମଧ୍ୟ ତାଙ୍କରି ଆଡ଼କୁ ଢଳି ଥାଏ । ବାସୁ ବାବୁ ମଧ୍ୟ ମୋତେ ପୁତ୍ରବତ୍ ସ୍ନେହ କରୁଥାଆନ୍ତି । ପଣ୍ଡିତ ଉପେନ୍ଦ୍ରଚନ୍ଦ୍ର ମିଶ୍ର ମଧ୍ୟ ମୋତେ ନିଜର ଛୋଟ ଭାଇ ପରି ଦେଖୁଥାଆନ୍ତି । ସେ ଯାହାହେଉ ଶ୍ରୀଯୁକ୍ତ ଉପେନ୍ଦ୍ରଚନ୍ଦ୍ର ମିଶ୍ର ଦଶପଲ୍ଲାର କନ୍ଧମାଳଗସ୍ତରେ ଗଲାବେଳକୁ ଥରେ ମୋତେ ସଙ୍ଗରେ ନେଇଗଲେ । ମୁଁ କନ୍ଧମାଳ ଓ କନ୍ଧଗ୍ରାମ ଦେଖିନଥାଏ । କନ୍ଧମାନଙ୍କ ବିଷୟରେ ବହୁତ କଥା ଶୁଣିଥାଏଁ । ସେମାନେ ଲଙ୍ଗଳା ହୋଇ, କେତେବେଳେ ବା ଗଛର ବକଳ କିମ୍ବା ତାଳପତ୍ର ପିନ୍ଧି ଜଙ୍ଗଲରେ ବୁଲୁ ଥାଆନ୍ତି । ଜଙ୍ଗଲର ଫଳମୂଳ ଖାଇ ରହନ୍ତି । ସେମାନେ ବଡ଼ ସାହସୀ । ସେମାନଙ୍କର ପୋଷାକପତ୍ର ଦେଖି ହସିଲେ, ସେମାନେ ହସିବା ଲୋକକୁ ଟିକି ଟିକି କରି ହାଣି ପକାନ୍ତି । କନ୍ଧମାନେ ନରବଳି ଦିଅନ୍ତି । ସେମାନେ ରଜାଙ୍କୁ ମଧ୍ୟ ଡରନ୍ତି ନାହିଁ । ଏହିପରି କେତେ କଥା ପିଲାମାନଙ୍କ ସହିତ କଥାବାର୍ତ୍ତା ହେଉଁ ! ବର୍ତ୍ତମାନ ସେହି କନ୍ଧମାଳ ଓ କନ୍ଧଗ୍ରାମ ଦେଖିଯିବାକୁ ମୋର ଭାରି ଇଚ୍ଛା । ସୁତରାଂ ମୁଁ ପଣ୍ଡିତଙ୍କ ସାଙ୍ଗରେ ଆନନ୍ଦରେ ମାଳଗସ୍ତରେ ବାହାରିଲି । ଗଡ଼ରୁ ବାହାରିଲାବେଳେ ମନେ ମନେ ବିଚାରିଥିଲି ଏହି କନ୍ଧ ସ୍କୁଲମାନଙ୍କରେ ମୋତେ ଡ୍ରିଲ ଓ ହସ୍ତ କର୍ମ ଶିଖାଇବାକୁ ହେବ । କିନ୍ତୁ କନ୍ଧ ଗ୍ରାମ ସ୍କୁଲରେ ପିଲାଙ୍କୁ ପରୀକ୍ଷା କରି ଶିକ୍ଷା ଦେବା କାମ ପଣ୍ଡିତଙ୍କ ଉପରେ ନ ଥାଏ । କନ୍ଧଗ୍ରାମକୁ ଯାଇ ପିଲାମାନେ କାହିଁକି ପାଠଶାଳାକୁ ନ ଆସନ୍ତି ସେଥିପାଇଁ କନ୍ଧ ପିଲାଙ୍କର ବାପମାନଙ୍କୁ ଡକାଇ ବୁଝାଇବାକୁ ହେଉଥାଏ । ସମୟେ ସମୟେ ସ୍ଥାନ ବିଶେଷରେ ମଧ୍ୟ ଭୟ ଦେଖାଇବାକୁ ହୁଏ । ଚଡ଼ିଆ ପଲ୍ଲୀ ନାମରେ ଗୋଟିଏ କନ୍ଧ ଗ୍ରାମକୁ ଆମ୍ଭେମାନେ ଯାଇଥିଲୁ । ଏହି ଗ୍ରାମର ସ୍କୁଲଟି ଭଲ ଚାଲୁ ନଥାଏ । ପିଲାମାନେ ସ୍କୁଲକୁ ଆସନ୍ତି ନାହିଁ । ପଣ୍ଡିତ ମହାଶୟ ଗ୍ରାମର କନ୍ଧମାନଙ୍କୁ ଡକାଇ ଆଣି ବସାଇ ରଖାଇ ସେମାନଙ୍କ ନାମରେ ରାଜାଙ୍କ ନିକଟକୁ ରିପୋଟ୍ କରି ଧରାଇ ନେବେ ବୋଲି ଧମକାଇ ଥିଲେ । କନ୍ଧମାନେ ତାଙ୍କୁ ତନଖଦାର ବାବୁ ବୋଲି ଡାକନ୍ତି । ତନଖଦାର ବାବୁଙ୍କ ଧମକରେ କନ୍ଧମାନେ ଏଣିକି ପିଲା ପ୍ରତିଦିନ ପଠାଇବେ ବୋଲି କହିଲେ । କିନ୍ତୁ ଜଣେ କନ୍ଧ ଠିଆ ହୋଇ କହିଲା, ‘‘ତନଖଦାର ବାବୁ, ତତେ ରଜା ଆମର ଟଙ୍କା ଦେଇ ରଖିଛି । ଆମ ପିଲା ପଢ଼ିବାକୁ ଅବଧାନ ରଖିଛି । ଆମେ ପାଠ ପଢ଼ିବାକୁ ନ ଆସିଲେ, ଅବଧାନ ରଜା ପଇସା ମାହାଳିଆ ଖାଇବ । ଏଥିକି ଦାୟୀ କିଏ ହେବ ? ତୁ ଅବଧାନକୁ ପଚାରେ, ମୁଁ ହୁକୁମ ମାନି ପାଠଶାଳାରେ ହାଜରା ପକାଏ କି ନାହିଁ । ମୋର ପିଲା ଆସେ, ସେ ନ ଆସି ପାରିଲେ ମୁଁ ତା’ର ସାନ ଭାଇକି ପଠାଇ ଦିଏ । ପାଳି କରି ଆମ ଘରୁ କେହି ହେଲେ ଆସି ହାଜରା ଦେଇଯାଏ । ହାଜରା ପକାଇବାରେ ମୋର ଗୋଟିଏ ଦିନ ବାକି ନାହିଁ । ଏହା ଶୁଣି ପଣ୍ଡିତେ ଆଉ କିଛି କହି ପାରିଲେ ନାହିଁ । ଏହି କଥା କହି ପଣ୍ଡିତେ ଅନେକ ସମୟରେ ହସ ବୃଷ୍ଟି କରାନ୍ତି । କନ୍ଧଗ୍ରାମ ଅନେକ ପରିମାଣରେ ବଦଳି ଗଲାଣି । କୌଣସି କୌଣସି କନ୍ଧ ଗ୍ରାମରେ ଏବେ ଶିକ୍ଷା ପ୍ରତି ଆଗ୍ରହ ଦେଖା ଗଲାଣି । କିନ୍ତୁ ସେତେବେଳେ କନ୍ଧମାଳରେ ବୁଲି ସ୍କୁଲଟିଏ ବସାଇବା ବଡ଼ କଠିନ ଥିଲା । ପଣ୍ଡିତ ଉପେନ୍ଦ୍ର ମିଶ୍ରଙ୍କ ମନରେ ପରୋପକାର ଭାବ ଟିକିଏ ଥାଏ । ସେ ଅନେକ ସମୟରେ କହନ୍ତି, ମନୁଷ୍ୟ ଜନ୍ମ ହୋଇଛି । ସେ ନିଶ୍ଚୟ କିଛି ଜଗତର କଲ୍ୟାଣ କରିବ । ଏହି ଜଗତର କଲ୍ୟାଣ ଓ ଦେଶସେବା ଶବ୍ଦଟି ମୁଁ ପ୍ରଥମେ ପଣ୍ଡିତ ଉପେନ୍ଦ୍ର ମିଶ୍ରଙ୍କ ନିକଟରୁ ଶୁଣିଲି । ବାସୁ ବାବୁଙ୍କର କାର୍ଯ୍ୟ ଦେଖି ଅନେକ ସମୟରେ ଗଡ଼ ସ୍କୁଲର ଉପର କ୍ଳାସ ଛାତ୍ରମାନେ ଏକାଠି ବସିଲାବେଳେ କଥା ହୁଅନ୍ତି କିଏ କଅଣ କରିବ । ସାଧାରଣତଃ କିଏ କି ଚାକିରି କରିବ ବା କିପରି ଚାକିରି ପାଇଲେ କିଏ କେତେ ସୁଖି ହେବ ଏହି କଥା ଆଲୋଚନା ହୁଏ । ମୁଁ ଏ ସବୁ ଶୁଣେ, ସେ ସବୁ କଥା ଏ କାନରେ ପଶି ସେ କାନରେ ବାହାରିଯାଏ । ସେ ସବୁ କଥା ମୋତେ ସ୍ୱପ୍ନପରି ଲାଗେ ।

 

ପଣ୍ଡିତ ଉପେନ୍ଦ୍ର ମିଶ୍ର ମୋତେ ବଡ଼ ସ୍ନେହ କରୁଥିଲେ । ଗଡ଼ ସ୍କୁଲ ଗ୍ରୀଷ୍ମ ଅବକାଶ ପାଇଁ ଏକମାସ ବନ୍ଦ ହେଲା । ହେଡମାଷ୍ଟର ବାସୁବାବୁ ଘରକୁ ଗଲେ । ପଣ୍ଡିତେ ଛୁଟି ନେଇ ଗ୍ରାମକୁ ଆସିଲେ । ଗ୍ରାମକୁ ଗଲାବେଳେ ସେ ମୋତେ ତାଙ୍କ ଘରକୁ ଯିବାକୁ ଡାକିଲେ । ମୁଁ ତାଙ୍କ ସଙ୍ଗରେ ବଡ଼ମ୍ବା ଆସିଲି । ତାଙ୍କର ପିତା ମାତା ଥାଆନ୍ତି । ତାଙ୍କର ଆଉ ଦୁଇଟି ଛୋଟ ଭାଇ ଥାଆନ୍ତି । ମୁଁ ତାଙ୍କ ଘରେ ପ୍ରାୟ ୨ ଦିନ ପର୍ଯ୍ୟନ୍ତ ରହିଥିଲି । ତାଙ୍କ ଘରେ ମୋତେ ସମସ୍ତେ ବଡ଼ ସ୍ନେହ କରୁଥାନ୍ତି । ଘର ପୁଅପରି ମୁଁ ତାଙ୍କ ଘରେ ଚଳୁଥାଏ । ତାଙ୍କ ଗ୍ରାମରୁ ଦଶପଲ୍ଲା ଷ୍ଟେଟ କାମ ନେଇ ପଣ୍ଡିତେ କଟକ ବାହାରିଲେ । ମୁଁ ମଧ୍ୟ ତାଙ୍କ ସଙ୍ଗରେ କଟକ ଆସିଲି । କଟକରେ କିଛିଦିନ ରହି ଉଭୟେ ଦଶପଲ୍ଲା ଫେରିଲୁ । କଟକ ଦେଖିବା ପରେ ବହୁତ ପାଠ ପଢ଼ିବାକୁ ମୋର ଭାରି ଇଚ୍ଛା ହେଲା । ମୁଁ ନିମ୍ନ ପ୍ରାଇମେରି ପାଶ୍ କରି ମାଇନର ୪ର୍ଥ କ୍ଳାସକୁ ପ୍ରମୋଶନ ପାଇଲି । ଆଉ ପଣ୍ଡିତଙ୍କ ସଂଗରେ ପଲ୍ଲୀ ସ୍କୁଲକୁ ଯିବାକୁ ହେଲା ନାହିଁ । ମୁଁ ସ୍କୁଲରେ ହେଡ୍‌ମାଷ୍ଟର ବାସୁ ବାବୁଙ୍କ ସହିତ ରହିଲି ।

 

ସ୍କୁଲର ବୋଡିଙ୍ଗ୍ ଘର ନଥାଏ । ବୋଡିଙ୍ଗ୍‌ରେ କେହି ପିଲା ନଥାନ୍ତି । ଗଡ଼ର କେତେଗୁଡ଼ିଏ ଛାତ୍ର ଦିନରାତି ସ୍କୁଲରେ ରହି ପଢ଼ା ଶୁଣା କରନ୍ତି । ଘରକୁ କେବଳ ଖାଇଲା ବେଳକୁ ଯାନ୍ତି । ବାସୁ ବାବୁ ହେଡମାଷ୍ଟର ସ୍କୁଲରେ ଥାନ୍ତି । ତାଙ୍କର ବନମାଳି ଓ ପର୍ଶୁ ନାମରେ ଦୁଇଟି ଛୋଟ ଭାଇ ଦଶପଲ୍ଲା ସ୍କୁଲରେ ପଢ଼ୁଥାନ୍ତି । ବଂଶୀଧର ନାମରେ ତାଙ୍କର ଗୋଟିଏ ପୁତୁରା ମଧ୍ୟ ପଢ଼ୁଥାଏ । ଏମାନେ ସମସ୍ତେ ସେହି ସ୍କୁଲରେ ଥାନ୍ତି । ବାସୁ ବାବୁ ମାସରେ ପଚିଶ ଟଙ୍କା ଦରମା ପାନ୍ତି । ସବୁତକ ଟଙ୍କା ତାଙ୍କର ଦଶପଲ୍ଲାରେ ଖର୍ଚ୍ଚ ହୋଇଯାଏ । ଗଡ଼ର ଛାତ୍ର ଯେଉଁମାନେ ଦିନରାତି ସ୍କୁଲରେ ଅଛନ୍ତି, ସେମାନେ ମଧ୍ୟ ଅନେକ ସମୟରେ ବାସୁ ବାବୁଙ୍କୁ ଖର୍ଚ୍ଚାନ୍ତରେ ପକାନ୍ତି । ହେଡ୍‌ ମାଷ୍ଟରଙ୍କ ପାଇଁ ଜଳଖିଆ ରହିଥିବ ପିଲାମାନେ ଖାଇ ଯାନ୍ତି । ଶୀତଦିନେ ତାଙ୍କର ଘୋଡ଼େଇ ହେବା ରେଜେଇ, କମଳ ପିଲାମାନେ ବ୍ୟବହାର କରନ୍ତି । ବାସୁ ବାବୁ ଛଣ ପାଳ ପକାଇ ଶୁଅନ୍ତି । ପିନ୍ଧିଥିବା ଲୁଗା କାନିଟି ଦେହରେ ପକାଇ ଶୋଇ ପଡ଼ନ୍ତି । ପିଲାଙ୍କୁ କାହାକୁ କିଛି କହନ୍ତି ନାହିଁ । ତାହାଙ୍କର ଏହିପରି ବ୍ୟବହାର ହେତୁରୁ ଗଡ଼ର ଅନେକ ପିଲା ସ୍କୁଲ ଛାଡ଼ିଯାନ୍ତି ନାହିଁ-। କିନ୍ତୁ ପ୍ରତ୍ୟେକ ପୁଣ୍ୟ ପର୍ବରେ ଥିଲା ଘରର ପିଲାମାନେ ବାସୁ ବାବୁଙ୍କୁ ଓ ତାଙ୍କର ପିଲାମାନଙ୍କ ପାଇଁ ଭୋଜ୍ୟ ସାମଗ୍ରୀ ପଠାନ୍ତି । ଭଲ ଭଲ ଜିନିଷ ତିଆରି କରି ହେଡ୍‌ ମାଷ୍ଟରଙ୍କୁ ଖୁଆଇବାରେ ଗଡ଼ର ପିଲାମାନେ ଆନନ୍ଦ ଅନୁଭବ କରନ୍ତି । ଏପରି କି କାହାରି କୌଣସି ଭଲ ତରକାରୀ ହୋଇଥିଲେ, ହେଡ୍‌ ମାଷ୍ଟରଙ୍କୁ ନ ଖୁଆଇଲେ ସେଦିନ ସେ ଆନନ୍ଦ ପାଏ ନାହିଁ । ସେତେବେଳେ ଦଶପଲ୍ଲା ଗଡ଼ ଓ ସ୍କୁଲ ଆମର ସାରା ଦୁନିଆ । ଏହା ଛଡ଼ା ଆଉ ଦୁନିଆରେ କ’ଣ ଅଛି, ଆମ୍ଭେମାନେ ଜାଣି ନ ଥାଉ । ପିଲାମାନେ ରାତିରେ ମାଛ ଧରନ୍ତି । ବଗିଚାରେ ମାଟି ହାଣନ୍ତି-। ବଷାଦିନେ ଜଙ୍ଗଲକୁ ଛତୁ ଖୋଜିଯାନ୍ତି । ସବୁଠାରେ ହେଡ୍‌ମାଷ୍ଟର ବାସୁ ବାବୁ ପିଲାଙ୍କର ସାଥି । ସଂଧ୍ୟାରେ ଡୁ ଡୁ ଖେଳ ହୁଏ । ହେଡ୍‌ ମାଷ୍ଟର ବାସୁ ବାବୁ ମଧ୍ୟ ପିଲାଙ୍କ ସଂଗରେ ଖେଳନ୍ତି । ଏହି ସମୟର କଥା ମନେ ପଡ଼ିଲାବେଳେ ମନରେ ଯେଉଁ ଭାବ ଆସେ ତାହା ପ୍ରକାଶ କରିବା କଠିନ । ସ୍କୁଲରେ ସେହି ଭାବ ଆଉ ନାହିଁ କିମ୍ବା ଦଶପଲ୍ଲା ଆଉ ସେହିପରି ନାହିଁ । ଦଶପଲ୍ଲାବାସିନ୍ଦା ଓ ଷ୍ଟେଟ କର୍ମଚାରୀ ମଧ୍ୟରେ ପୂର୍ବ ସଂବନ୍ଧ ଆଉ ନାହିଁ । ଗଡ଼ଜାତ ଭିତରେ ଗଡ଼ଜାତିଆ ଓ ମୋଗଲବନ୍ଦିଆ ଭାବ ବର୍ତ୍ତମାନ ଉତ୍କଟ ଆକାର ଧାରଣ କରିଛି । ଏଆଡ଼ର ଯେଉଁମାନେ ଗଡ଼ଜାତମାନଙ୍କରେ ଚାକିରି କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଡ଼ଜାତର ଲୋକମାନଙ୍କୁ ଗଡ଼ଜାତିଆ ଜଙ୍ଗଲି ବୋଲି ଘୃଣା କରନ୍ତି । ଗଡ଼ଜାତର ଲୋକେ ମଧ୍ୟ ଏମାନଙ୍କୁ ମୋଗଲବନ୍ଦିଆ ଠକ ବୋଲି ଘୃଣା କରନ୍ତି । ଗଡ଼ଜାତିଆ ଓ ମୋଗଲବନ୍ଦିଆ ଯେ ଏକ ଜାତିର ଲୋକ ଏବଂ ଉଭୟେ ଏକ ମାତା’ର ସନ୍ତାନ ଓ ଉଭୟେ ଭାଇ ଏ କଥା କେହି ହେଲେ ଆଜି ସ୍ୱପ୍ନରେ କଳ୍ପନା କରିପାରୁ ନାହିଁ । ନିଜ ନିଜ ଭିତରେ ଭେଦ ସୃଷ୍ଟି କରି ଛିନ୍ନ ବିଚ୍ଛିନ୍ନ ହେଲେ, ଜାତିର କେବେହେଲେ ସମୂହ ଉନ୍ନତି ସାଧିତ ହୋଇ ପାରିବ ନାହିଁ । ବରଂ ତାହା ଦିନକୁ ଦିନ ହାସ ଲଭିପାରେ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ପୂର୍ବ ବର୍ଣ୍ଣିତ ସୁଖମୟ ଜୀବନ ମୋତେ ବେଶିଦିନ ଭୋଗ କରିବାକୁ ହୋଇ ନ ଥିଲା । ସ୍କୁଲରେ ଆମ୍ଭମାନଙ୍କ ସଂଗରେ ସାଧୁ ନାମରେ ଗୋଟିଏ ଛାତ୍ର ଥାଏ । ସାଧୁ ଗ୍ରାମରୁ ଭଲ ଭଲ ଆଚାର ଆଣେ । ସେ ନଥିବା ସମୟରେ ଆମେ ପିଲାମାନେ ତାହାର ଆଚାର ବାହାର କରି ଖାଉ ଯାଉଁ । ଦିନେ ମୁଁ ଓ ଆଉ ଗୋଟିଏ ଛାତ୍ର ଏହି ସାଧୁର ବେତ ପେଟରାରୁ ହାତ ଗଳେଇ ଆଚାର ବାହାର କଲା ବେଳକୁ, ଗୋଟିଏ କନାରେ କେତୋଟି ଟଙ୍କା ବନ୍ଧା ହୋଇ ଥିବାର ହାତରେ ପଡ଼ିଲା-। ସେ ଟଙ୍କାପୁଡ଼ିଆଟି ପାଇ ସେଥିରୁ ଦୁହେଁଯାକ ଦୁଇଟି ଟଙ୍କା ଆଣି ବାକି ଟଙ୍କାତକ ରଖିଦେଲୁ । ସାଧୁ ଫେରି ଆସି ତା’ର ପେଟେରା ଫିଟାଇ ଦେଖିଲା ବେଳକୁ ଟଙ୍କା ଦୁଇଟି ନ ଥିବାର ଜାଣିଲା । ବାସୁ ବାବୁଙ୍କୁ ଯାଇ ଏକଥା କହିଲା । ସେତବେଳକୁ ସ୍କୁଲର ପିଲାମାନେ ଖାଇବାକୁ ଯାଇଥାନ୍ତି । ବାସୁ ବାବୁ ମୋତେ ଡାକି ଏ ଟଙ୍କା କଥା ପଚାରିଲେ । ମୁଁ ତାହାଙ୍କୁ ଉତ୍ତର ଆଉ ଦେଇ ପାରିଲି ନାହିଁ । ମୁଁ ନେଇଛି ବୋଲି କହିବାକୁ ମନ ହେଉଥାଏ, ମାତ୍ର ସାହସ ପାଉ ନଥାଏ । ମୋତେ ଏହିପରି ଅବସ୍ଥାରେ ଦେଖି ବାସୁ ବାବୁ ଗୋଟିଏ ବେତରେ ଦୁଇ ଚାରି ବେତ ପିଟିଦେଲେ । ମୁଁ ସବୁ କଥା କହିଦେଲି କିନ୍ତୁ ଆର ପିଲାଟି ମାନିଲା କି ନାହିଁ, ମୋର ମନେ ନାହିଁ । ଏହା ପରଦିନ ମୁଁ ସ୍କୁଲ ଛାଡ଼ି ଆସିଲି । ବାସୁ ବାବୁ ଯେତେ ଡକାଇଲେ ଆଉ ଗଲି ନାହିଁ । ମୁଁ ରାଗିକରି ଆଉ ବାସୁ ବାବୁଙ୍କ ନିକଟକୁ ଗଲି ନାହିଁ । ଆମ ପିଲାଙ୍କ ମଧ୍ୟରେ କୌତୁକରେ ଆମେ ଏହା କରିଥିଲୁ । କିନ୍ତୁ ବାସୁ ବାବୁ କିଛି ନ ବୁଝି ମୋତେ କାହିଁକି ଆଗ ମାଇଲେ, ଏହାହିଁ ମୋର ରାଗର କାରଣ । ବାସୁ ବାବୁ ଡକାଇବାରେ ନ ଯିବା ଅର୍ଥ ମୋର ପଢ଼ା ବନ୍ଦ । ସେ ଯାହାହେଉ ମୁଁ କିଛିଦିନ କକେଇଙ୍କ ଘରେ ରହିଲି । ଏହାପରେ ଗଡ଼ ନିକଟ ନାହାକପଡ଼ା ନାମରେ ଗୋଟିଏ ଗୌଡ଼ ଗ୍ରାମରେ ଗୋଟିଏ ପାଠଶାଳା ସ୍ଥାପନ କରି କେତେଗୁଡ଼ିଏ ପିଲାଙ୍କୁ ପାଠ ପଢ଼ାଇଲି ।

 

ପାଠଶାଳାଟି ଦଶହରା ଦିନ ସ୍ଥାପନ କଲି । ସେଥିରେ ବାରଟି ପିଲା ପାଠ ପଢ଼ୁ ଥାଆନ୍ତି-। ପ୍ରତ୍ୟେକ ପିଲା ମାସରେ ଦୁଇଅଣା କରି ଦରମା ଦିଅନ୍ତି । ସୁତରାଂ ମାସରେ ଦେଢ଼ଟଙ୍କା ଦରମା ହେଲା । ଖୁରାକି କିଛି ନାହିଁ । ଦୁଇ ବେଳା ପାଠଶାଳାକୁ ପଢ଼ାଇବାକୁ ଯାଏ । ରାତିରେ, ଗଡ଼ର କେତୋଟି ପଢ଼ୁଥିବା ସାଙ୍ଗ ପିଲାମାନଙ୍କ ସହିତ ଏକାଠି ପାଠ ପଢ଼େ । କାରଣ, ମୋ ସାଙ୍ଗରେ ପଢ଼ୁଥିବା ପିଲାମାନେ ମୋଠାରୁ ବେଶୀ ପାଠ ପଢ଼ିଯିବେ ଏହି ଭାବନାଟି ମୋତେ ସେମାନଙ୍କ ନିକଟକୁ ଟାଣି ନେଉଥାଏ । କିନ୍ତୁ ବାସୁ ବାବୁଙ୍କ ନିକଟରେ ରହି ସ୍କୁଲରେ ପଢ଼ିବାକୁ ଇଚ୍ଛା ହେଉ ନଥାଏ ।

 

ଇତିମଧ୍ୟରେ ବାସୁବାବୁ ଦଶପଲ୍ଲା ଛାଡ଼ିଲେ । ସେ ସ୍କୁଲ୍ ସବ୍‌ଇନସପେକ୍‌ଟର ଚାକିରି ପାଇବାରୁ ଦଶପଲ୍ଲା ଛାଡ଼ି ଚାଲି ଯାଉଛନ୍ତି । ସେଥିପାଇଁ ସମସ୍ତେ ଦୁଃଖିତ । ଗଲାବେଳକୁ ବାସୁବାବୁ ମୋତେ ଡକାଇ କୌଣସି ସ୍କୁଲରେ ପଢ଼ିବାକୁ ବୁଝାଇଥିଲେ । ସେ ଗଲାଦିନ ଛାତ୍ର, ଶିକ୍ଷକ ଓ ଗଡ଼ର ଅନେକ ଭଦ୍ରଲୋକ ତାଙ୍କୁ ବାଟେଇ ଦେବାକୁ ଆସିଥିଲେ । ତାଙ୍କର ଉନ୍ନତିରେ ସମସ୍ତେ ଖୁସି ହେବାର କଥା, ମାତ୍ର ସେ ଚିରଦିନ ପାଇଁ ଦଶପଲ୍ଲା ଛାଡ଼ି ଚାଲିଯାଉଥିବାରୁ ସେ ଆନନ୍ଦରେ କାହାରି ଆନନ୍ଦ ନ ଥାଏ । ବାସୁବାବୁ ସେ ଦିନ ନିଜେ କାନ୍ଦିଛନ୍ତି, ଆମ୍ଭେମାନେ ମଧ୍ୟ କାନ୍ଦିଅଛୁ । ସେ ଯାହାହେଉ, ବାସୁବାବୁ ଦଶପଲ୍ଲା ଛାଡ଼ି ଚାଲିଗଲେ । ମୋର ପଢ଼ିବାକୁ ମନ ବଡ଼ ବ୍ୟାକୁଳ ହୋଇ ପଡ଼ିଲା । କିନ୍ତୁ ପଢ଼ିବି କିପରି ? ପଢ଼ିବାକୁ କୌଣସି ସମ୍ବଳ ନାହିଁ । ବାଧ୍ୟ ହୋଇ ପାଠଶାଳାଟି ଚଳାଉଥାଏ । କିନ୍ତୁ ପାଠଶାଳାରେ କିମ୍ବା ପାଠ ପଢ଼ାଇବାରେ ମୋର ମନ ନଥାଏ । ପାଠଶାଳାଟି ଆରମ୍ଭ କରିଛି, ଛାଡ଼ି ଦେଉଛି ବା କିପରି ? ଛାଡ଼ି ଦେଇ କଅଣ ବା କରିବି । କିଛି ବାଟ ଦେଖାଗଲା ନାହିଁ । ପାଠ ପଢ଼ିବା ବାଧ୍ୟ ହୋଇ ଭୁଲିଗଲି । ପାଠ ପଢ଼ାଇବାରେ ମନକୁ ଭୁଲାଇ ଦିଏ ।

 

ଏହିପରି ଭାବରେ ତିନି ଚାରିମାସ ବିତିଗଲା । ଶ୍ରୀପଞ୍ଚମୀ ଆସି ଉପସ୍ଥିତ ହେଲା । ଗଡ଼ଜାତମାନଙ୍କରେ ଶ୍ରୀପଞ୍ଚମୀ ଗୋଟିଏ ଚାଟପିଲାମାନଙ୍କର ବଡ଼ ଉତ୍ସବ । ପାଠଶାଳା ଅର୍ଥାତ୍ ଚାଟଶାଳୀର ପିଲାମାନେ ଶ୍ରୀପଞ୍ଚମୀର ଦଶ ବାରଦିନ ପୂର୍ବରୁ ନାନାପ୍ରକାର ଗୀତ, ଛାନ୍ଦ ଶିକ୍ଷା କରନ୍ତି । ପରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଏହି ଚାଟପିଲାମାନେ ‘ଚାଟଭିକ୍ଷା’ କରି ବୁଲନ୍ତି । ଏହି ଭିକ୍ଷାରୁ ଯେଉଁ ପଇସା ମିଳେ ସେ ସବୁ ଶିକ୍ଷକ ନିଅନ୍ତି । ଶ୍ରୀପଞ୍ଚମୀ ଦିନ ଶିକ୍ଷକଙ୍କୁ ନୂଆ ଲୁଗା ଯୋଡ଼ ମିଳେ । ଏହିପରି ମୋତେ ଯୋଡ଼ିଏ ନୂଆ ଲୁଗା ଓ ଏକକାଳୀନ ଆଠଟି ଟଙ୍କା ମିଳିଲା । ମୁଁ ସେତକ ପାଇଲା ପରେ ପାଠଶାଳା ଛାଡ଼ି ଆସି ପୁଣି ମାଇନର ସ୍କୁଲରେ ନାମ ଲେଖାଇଲି । ଏହି ଟଙ୍କା କେତୋଟିରେ ତିନି ଚାରି ମାସ ଚଳିଲି । ତାପରେ କିପରି ପଢ଼ିବି ଏହି ପ୍ରଶ୍ନ ମନରେ ଆସିଲା-। କିଛି ଉପାୟ ନ ଦେଖି ପୁଣି ସ୍କୁଲ ଛାଡ଼ି ଇଆଡ଼େ ସିଆଡ଼େ କେତେକ ମାସ ବୁଲିଲି ।

 

ବାସୁ ବାବୁଙ୍କ ପରେ ବାବୁ ଦୀନବନ୍ଧୁ ପଟ୍ଟନାୟକ ମାଇନର ସ୍କୁଲର ହେଡ୍ମାଷ୍ଟର୍‌ ହେଲେ-। ସେ ସ୍କୁଲରେ ବସା କରି ରହିଥାନ୍ତି । ସେ ମୋ ସମ୍ବାଦ ପାଇ ମୋତେ ଡକାଇ ପାଖରେ ରଖିଲେ-। ମୋତେ ରୋଷେଇ କରିବାକୁ ପଡ଼େ । ଏଣେ ସ୍କୁଲରେ ପାଠ ପଢ଼େ । ଏହିପରି ଭାବରେ ମୋର ଗୋଟିଏ ବର୍ଷ ବିତିଗଲା । ଏ ବର୍ଷ ଆଉ ମୁଁ କ୍ଳାସ ପ୍ରମୋସନ ପାଇଲି ନାହିଁ । ଏହିବର୍ଷ ୧୯୦୫ ମସିହା । ସୁତରାଂ ୧୯୦୬ରେ ମୁଁ ପୁଣି ସେହି କ୍ଳାସରେ ପଢ଼ିଲି । ମାଇନର ୪ର୍ଥ କ୍ଳାସ ।

 

ଗ୍ରୀଷ୍ମ ଛୁଟି ହେଲା । ହେଡ୍ ମାଷ୍ଟର ଘରକୁ ଗଲେ । କିନ୍ତୁ ଛୁଟିରେ ଚଳିବା ପାଇଁ ମୋତେ କିଛି ଖର୍ଚ୍ଚ ଦେଇ ଯାଇ ନାହାନ୍ତି । ଘରେ କକେଇଙ୍କର ଅବସ୍ଥା ତଦ୍ରୂପ । ଦଶପଲ୍ଲାରେ ରହି ଏପରି ଭାବରେ ପାଠ ପଢ଼ିବା ମୋତେ ଅସମ୍ଭବ ଜଣା ପଡ଼ିଲା । ଦଶପଲ୍ଲା ଛାଡ଼ି କୁଆଡ଼େ ଚାଲିଗଲେ ଭଲ ହେବ ଏହା ମନେ ମନେ ସ୍ଥିର କଲି । ପୁରୀ ଯିବି ବୋଲି ଭାବି ଦିନେ ଉପରବେଳା କାହାକୁ କିଛି ନ କହି ଦଶପଲ୍ଲା ଛାଡ଼ିଲି । ଭାଗ୍ୟ ଯେଉଁଆଡ଼େ ଟାଣି ନେବାର ଥିବ ସେଇଆଡ଼େ ନେଇଯିବ ଭାବି ଦଶପଲ୍ଲା ଛାଡ଼ିଲି । ଫେରିବା ଆଶା ସେଦିନ ଆଉ ମୋ ମନରେ ନ ଥିଲା ।

 

ଦଶପଲ୍ଲା ଛାଡ଼ି ତହିଁଆରଦିନ ନୟାଗଡ଼ରେ ଆସି ଉପସ୍ଥିତ ହେଲି । ଏଠାରେ ଶ୍ରୀଯୁକ୍ତ ଲିଙ୍ଗରାଜ ଦାସ ମୁକ୍ତିଆରି କରୁଥାଆନ୍ତି । ଏହାଙ୍କ ଘର ଦଶପଲ୍ଲା ଗଡ଼ରେ । ଦଶପଲ୍ଲାରୁ ଏ ମହାଶୟ ସର୍ବ ପ୍ରଥମେ କଟକ ପାଠ ପଢ଼ିବାକୁ ଆସିଥିଲେ । ସେ ପ୍ରଥମେ ଏଟ୍ରାନ୍ସ ପାସ କରି ଦଶପଲ୍ଲା ଷ୍ଟେଟ୍‌ରେ ଚାକିରୀ କରିଥିଲେ । ରାଜା ଶ୍ରୀ ନାରାୟଣଚନ୍ଦ୍ର ଭଞ୍ଜ ଦେଓଙ୍କର ସେ ଅତିଶୟ ବିଶ୍ୱାସର ପାତ୍ର ଥିଲେ । କେତେକ ବର୍ଷ ପର୍ଯ୍ୟନ୍ତ ଏହି ଲିଙ୍ଗରାଜ ଦାସ ଦଶପଲ୍ଲା ଷ୍ଟେଟ୍‌କୁ ଶାସନ କରୁଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦଶପଲ୍ଲାର ଲୋକେ କିପରି ପାଠ ପଢ଼ିବେ ଏବଂ ଷ୍ଟେଟ୍‌ରେ ଚାକିରୀ ପାଇବେ, ଏହାଙ୍କର ପ୍ରଥମ ଚେଷ୍ଟା ।

 

ଦଶପଲ୍ଲାକୁ ଜଗଦାନନ୍ଦ ଦାସ ନାମରେ ଜଣେ ଦେଓ୍ୟାନ ଆସିଲେ । କୌଣସି କାରଣରୁ ସୁଦାମ ବାବୁ ରାଜାଙ୍କୁ ପରାମର୍ଶ ଦେଲେ ଯେ ଜଗଦାନନ୍ଦ ଦାସଙ୍କୁ ଦେଓ୍ୟାନ କାର୍ଯ୍ୟରୁ ଅନ୍ତର କରି ଆଉ ଜଣେ ତାଙ୍କର ମନୋନୀତ ଲୋକ ମଧ୍ୟରୁ ବାଛିବାକୁ । ଜଗଦାନନ୍ଦ ବାବୁ ଷ୍ଟେଟ୍‌ ଚଳାଇବାକୁ ପ୍ରକୃତ ଅସମର୍ଥ । କିନ୍ତୁ ଦେଓ୍ୟାନ ମନୋନୀତ କରିବାରେ ରାଜାଙ୍କର ପୂର୍ଣ୍ଣ ସ୍ୱାଧୀନତା ରହିବା ଦରକାର । ନିଜ ଷ୍ଟେଟ୍ କିପରି ଚଳିବ, କାହାକୁ ଦେଓ୍ୟାନ ରଖିବାକୁ ହେବ ଇତ୍ୟାଦି ବିଷୟରେ ରାଜାଙ୍କର ବିଚାର ଉପରେ ସଂପୂର୍ଣ୍ଣ ନିର୍ଭର କରେ । ସେହି ବିଚାର-ସ୍ୱାଧୀନତାରେ ହସ୍ତକ୍ଷେପ କରିବା ଲିଙ୍ଗରାଜ ଦାସଙ୍କୁ ଭଲ ଲାଗିଲା ନାହିଁ । ତାହାଙ୍କର ପରାମର୍ଶରେ ରାଜା ଶ୍ରୀ ନାରାୟଣଚନ୍ଦ୍ର ଭଞ୍ଜ ଦେଓ କମିସନ ସାହେବଙ୍କ ଅଫିସରୁ ପାଇଥିବା ପରାମର୍ଶ ଅନୁସାରେ କାମ ନ କରିବାରୁ ଲିଙ୍ଗରାଜ ଦାସଙ୍କୁ ରାଜନୈତିକ କାରଣରୁ ରାଜ୍ୟରୁ ଅନ୍ତର କରି ଦିଆଗଲା । ଏହିପରି ଲିଙ୍ଗରାଜ ଦାସେ ଦଶପଲ୍ଲାରୁ ନିର୍ବାସିତ ହେଲେ । ଅନେକ ଦିନ ପର୍ଯ୍ୟନ୍ତ ଇତସ୍ତତଃ ବୁଲି ପଲିଟ୍‌କେଲ ଏଜେଣ୍ଟଙ୍କର ଅନୁମତି ପାଇ ପରେ ନୟାଗଡ଼ ଷ୍ଟେଟରେ ଘର କରି ରହିଥାଆନ୍ତି ଏବଂ ଷ୍ଟେଟ୍ କଚେରୀରେ ମୁକ୍ତିଆର କରୁ ଥାଆନ୍ତି ।

 

ପିଲାଦିନୁ ସେ ମୋତେ ଜାଣନ୍ତି । ତାଙ୍କର ପୁତ୍ର ଶ୍ରୀମାନ୍ କୃଷ୍ଣଚନ୍ଦ୍ର ମୋର ଆବାଲ୍ୟ ସଖା । ଲିଙ୍ଗରାଜ ଦାସଙ୍କୁ ମୁଁ ମାମୁ ବୋଲି ଡାକେ । ସୁତରାଂ ମୁଁ ଯାଇ ଏହାଙ୍କ ନିକଟରେ ଉପସ୍ଥିତ ହେଲି । କିଛି ସୁବିଧା ପାଇଲେ, ନୟାଗଡ଼ରେ ମୁଁ ପଢ଼ନ୍ତି ଏହି କଥା ତାହାଙ୍କୁ ଜଣାଇଲି । ନୟାଗଡ଼ ମାଇନର ସ୍କୁଲର ହେଡମାଷ୍ଟର ବାବୁ ବାଳକୃଷ୍ଣ ପଟ୍ଟନାୟକ । ଏହାଙ୍କ ଘର ଖଣ୍ଡପଡ଼ା ଗଡ଼ରେ । ମୋର ଭଉଣୀ ସେହି ଖଣ୍ଡପଡ଼ା ଗଡ଼ରେ ତାଙ୍କ ପଡ଼ିଶା ଘରେ ବିବାହ କରିଥାନ୍ତି । ତେଣୁ ମୋର ଭିଣୋଇଙ୍କର ସେ ଜଣେ ପଡ଼ୋଶୀ ଏବଂ ବଂଧୁ । ମୋର ଭଉଣୀର ବିଭାଘର ପରେ ମୁଁ ଥରେ ଖଣ୍ଡପଡ଼ା ଯାଇଥିଲି । ସେଠାରେ ବାଳକୃଷ୍ଣ ବାବୁଙ୍କୁ ଦେଖିଥିଲି ଏବଂ ଭଲ କରି ପରିଚୟ ମଧ୍ୟ ହୋଇଥିଲା ।

 

ମୁଁ ପାଠ ପଢ଼ିବାକୁ ଦଶପଲ୍ଲାରୁ ପଳାଇ ଆସିଛି, ଏହା ଜାଣି ଲିଙ୍ଗରାଜ ଦାସେ ଏହି ବାଳକୃଷ୍ଣ ବାବୁଙ୍କୁ ଡକାଇ ମୋର ପଢ଼ିବାପାଇଁ କ’ଣ ସୁବିଧା କରାଯାଇ ପାରେ ଏଥିପାଇଁ ପରାମର୍ଶ ମାଗିଲେ । ହେଡମାଷ୍ଟର ବାଳକୃଷ୍ଣ ବାବୁ ମୋତେ ଚିହ୍ନନ୍ତି ଏହା ତାହାଙ୍କୁ ଜଣା ନାହିଁ । ବାଳକୃଷ୍ଣ ବାବୁ ମୋତେ ହଠାତ୍ ସେଠାରେ ଦେଖି ଟିକିଏ ଅବାକ୍ ହୋଇଗଲେ । ମତେ ଭଲ କରି ଜାଣନ୍ତି ବୋଲି ସେ ଲିଙ୍ଗରାଜ ଦାସଙ୍କୁ କହିଲେ । ମୁଁ ଯଦି ସ୍କୁଲରେ ନାମ ଲେଖାଏ ତେବେ ଷ୍ଟେଟରୁ କିଛି ସାହାଯ୍ୟ ମିଳିବାର ସମ୍ଭାବନା ଅଛି ବୋଲି ବାଳକୃଷ୍ଣ ବାବୁ କହିଲେ । ଉଭୟଙ୍କ ବିଚାରରେ ସ୍ଥିର ହେଲା ଯେ ମୁଁ ନୟାଗଡ଼ ସ୍କୁଲରେ ନାମ ଲେଖାଇବା ଦରକାର । ସୁତରାଂ ମୁଁ ନୟାଗଡ଼ରେ ରହିଲି ଏବଂ ସ୍କୁଲରେ ମଧ୍ୟ ନାମ ଲେଖାଇଲି । ଷ୍ଟେଟରୁ କିଛି ସାହାଯ୍ୟ ପାଇବା ଆଶାରେ ଖଣ୍ଡିଏ ଦରଖାସ୍ତ ଦେଲି । ଏହିପରି ଭାବରେ ମୁଁ ନୟାଗଡ଼ରେ ରହି ସ୍କୁଲରେ ନାମ ଲେଖାଇଲି । ସ୍କୁଲ ଦରମା ଛାଡ଼ି ହୋଇଗଲା । ହାତରେ ରାନ୍ଧି ଖାଇବାକୁ ହୁଏ । ଏପର୍ଯ୍ୟନ୍ତ ମୁକ୍ତିଆର ବାବୁ ଲିଙ୍ଗରାଜ ଦାସ ଗଡ଼ର ଜଣେ ଭଦ୍ର ବ୍ୟକ୍ତିଙ୍କ ଘରେ ଖିଆପିଆ କରୁଥିଲେ । ଦଶପଲ୍ଲାରୁ ତାଙ୍କର ସମସ୍ତ ପରିବାର ନୟାଗଡ଼ ଆସି ନ ଥାନ୍ତି । ମୁଁ ତାଙ୍କ ବସାରେ ରୋଷେଇ କରିବାରୁ ଏଣିକି ସେ ମୋ ରୋଷେଇରେ ଖାଇଲେ । ଏହାଙ୍କ ବସାରେ ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ମୁଁ ରହିଲି । ସେଠାରେ ପଢ଼ାପଢ଼ି କରିବାକୁ ମତେ ସୁବିଧା ହେଲା ନାହିଁ । ଏହିପରି କେତେକ କାରଣରୁ ମୁଁ ତାଙ୍କ ବସା ଛାଡ଼ି ଆସି ମାସରେ ଦୁଇଟି ଟଙ୍କାକୁ ଗୋଟିଏ ଟିଉସନ୍ କଲି । ଗଡ଼ରେ ବାଇଧର ପଟ୍ଟନାୟକ ନାମରେ ଜନୈକ ଭଦ୍ରବ୍ୟକ୍ତିଙ୍କ ଘରେ ଯାଇ ବସା କରି ରହିଲି । ଏହି ବାଇଧର ବାବୁଙ୍କର ପିତା ମାତା ଥାନ୍ତି । ତାଙ୍କର ଗୋଟିଏ ଭାଇ ମୁକ୍ତିଆର । ଅନେକ ଦିନ ପର୍ଯ୍ୟନ୍ତ ମୁଁ ଏହାଙ୍କ ଘରେ ରହିଲି-। ବାଇଧର ବାବୁଙ୍କ ବୃଦ୍ଧ ପିତା ମାତା ମୋତେ ବଡ଼ ସ୍ନେହ କରୁଥାନ୍ତି । ଏହି ସମୟରେ ମୋତେ ଭାରୀ ଜ୍ୱର ହେଲା । ଏମାନେ ମୋର ବହୁତ ସେବା କରିଛନ୍ତି । ପିଲାଦିନୁ ପିତାମାତାଙ୍କୁ ହରାଇ ପିତାମାତାଙ୍କ ସ୍ନେହ କ’ଣ ମୁଁ କିଛି ଜାଣେ ନାହିଁ । ବାଇଧର ବାବୁଙ୍କର ପିତାମାତାଙ୍କ ଠାରୁ ସେହି ସ୍ନେହ କ’ଣ, ତାହାର ଟିକିଏ ଆଭାଷ ପାଇ ପାରିଥିଲି ।

 

ସେ ଯାହାହେଉ ମୋତେ ଜ୍ୱର ହେବାରୁ ମୋର ସେହି ଟିଉସନ୍‌ଟି ଚାଲିଗଲା । ମୁଁ ପୁଣି ନିରୁପାୟ ହୋଇ ପଡ଼ିଲି । ଏପର୍ଯ୍ୟନ୍ତ ଷ୍ଟେଟରୁ କିଛି ସାହାଯ୍ୟ ପାଇ ନ ଥାଏ । ଦୁଇ ଚାରି ମାସ ଏହି ବାଇଧର ବାବୁଙ୍କ ଘରେ ରହିଲି । ସେ ମୋତେ ସବୁ ସାହାଯ୍ୟ କରୁଥାନ୍ତି । ଇତି ମଧ୍ୟରେ ବର୍ଷ ଶେଷ ହେଲା । ମୁଁ ୧୯୦୮ରେ ମାଇନର ୫ମ ଶ୍ରେଣୀକୁ ପ୍ରମୋଶନ ପାଇଲି । ବାଇଧର ବାବୁଙ୍କର ଗୋଟିଏ ବଡ଼ ପରିବାର । ତାଙ୍କର ଅବସ୍ଥା ସେତେ ସ୍ୱଚ୍ଛଳ ନୁହେ । ଏପରି ଅବସ୍ଥାରେ ତାଙ୍କ ଘରେ ରହି ତାଙ୍କ ଉପରେ ଗୋଟିଏ ଭାର ଦେବା ମୋତେ ଭଲ ଲାଗିଲା ନାହିଁ । କିନ୍ତୁ ବାଇଧର ବାବୁ କିମ୍ବା ତାଙ୍କର ବୃଦ୍ଧ ପିତା ମାତା ମୋତେ ତାଙ୍କ ଘରୁ ଛାଡ଼ିବାକୁ ଅନିଚ୍ଛୁକ । ସେ ଯେପରି ସୁଖ ଦୁଃଖରେ ଚଳୁଛନ୍ତି ସେହିପରି ମୁଁ ତାଙ୍କ ଘରେ ଚଳିବାକୁ ବାଇଧର ବାବୁଙ୍କର ଇଚ୍ଛା । କିନ୍ତୁ ତାଙ୍କର ଅଭାବ ଅସୁବିଧା ଦେଖି ମୁଁ ତାଙ୍କ ଘର ଛାଡ଼ି ଅଇଲି । ଏଥିପାଇଁ ବାଇଧର ବାବୁ ଓ ତାଙ୍କର ପିତା ମାତା ଭାରୀ ଦୁଃଖ କରିଛନ୍ତି । ମୁଁ ତାଙ୍କ ଘର ଛାଡ଼ିଲେ ମଧ୍ୟ ସେ ବେଳେ ବେଳେ ମତେ ଘରକୁ ଡକାଇ ନିଅନ୍ତି । ଭଲ ମନ୍ଦ ପଚାରି ସାମୟିକ କିଛି କିଛି ସାହାଯ୍ୟ କରନ୍ତି । ସେ ଯାହା ହେଉ ମୁଁ ତାଙ୍କ ଘର ଛାଡ଼ି ଆସି ସ୍କୁଲରେ ରହିଲି । ପୁନର୍ବାର ମୋତେ ଜୀବିକା ନିର୍ବାହ କରି ପାଠ ପଢ଼ିବା ପାଇଁ ଘୋର ସଂଗ୍ରାମ କରିବାକୁ ପଡ଼ିଲା ।

 

ସ୍କୁଲରେ ୪।୫ ଟି ଛାତ୍ର ରହିଥାନ୍ତି । ସେମାନେ ସମସ୍ତେ ହାତରେ ରାନ୍ଧି ଖାଉଥାନ୍ତି । ମୁଁ ଆସି ସ୍କୁଲରେ ଏମାନଙ୍କ ସହିତ ରହିଲି । ମାତ୍ର କିଛି ଦିନ ଏକା ଏକା ରୋଷେଇ କରିବାକୁ ପଡ଼ିଲା-। ସେତେବେଳେ ମୋର ପଇସା ପତ୍ର କିଛି ନ ଥାଏ । ମୁଁ ଅତି କଷ୍ଟରେ ଚଳୁଥାଏ । ଅନ୍ୟାନ୍ୟ ଛାତ୍ରମାନଙ୍କ ସହିତ ମିଳି ମିଶି ରହିବି କିପରି ? ସେ ଯାହା ହେଉ ଇତିମଧ୍ୟରେ ନୟାଗଡ଼ ଷ୍ଟେଟରୁ ଗୋଟିଏ ଲେଖାଏଁ ଟଙ୍କା ସାହାଯ୍ୟ ମଞ୍ଜୁର ହେଲା । ନୟାଗଡ଼ ଷ୍ଟେଟରେ ଇଟାମାଟି ନାମରେ ଗୋଟିଏ ବଡ଼ ଗ୍ରାମ ଅଛି । ବାଣିଜ୍ୟ ବ୍ୟବସାୟ ଆଦି ସବୁ ବିଷୟରେ ଏହି ଇଟାମାଟି ନୟାଗଡ଼ ଗଡ଼ଠାରୁ ଉତ୍କୃଷ୍ଟ କହିଲେ ଚଳେ । ଏଠାରେ ଗୋଟିଏ ଗୁରୁଟ୍ରେନିଂ ସ୍କୁଲ ଥାଏ । ତହିଁର ହେଡ ପଣ୍ଡିତ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର । ଏହି ମହାଶୟଙ୍କ ଘର ଖଣ୍ଡପଡ଼ା ଗଡ଼ରେ । ଏ ଜଣେ ମୋର ଭିଣୋଇଙ୍କର ପରିଚିତ ବଂଧୁ । ମୁଁ ଥରେ କିଛି ସାହାଯ୍ୟ ପାଇଁ ଏହାଙ୍କୁ ଅନୁରୋଧ କରିବାରୁ ସେ ମାସରେ ଗୋଟିଏ ଟଙ୍କା ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଷ୍ଟେଟରୁ ଗୋଟିଏ ଟଙ୍କା, ପଣ୍ଡିତ ଚନ୍ଦ୍ରଶେଖର ମିଶ୍ରଙ୍କ ଠାରୁ ଗୋଟିଏ ଟଙ୍କା ଏହିପରି ବର୍ତ୍ତମାନ ମାସରେ ଦୁଇଟି ଟଙ୍କା ମୁଁ ପାଇଲି । ଦିନକୁ ଚାରୋଟି ପଇସା ଖର୍ଚ୍ଚ କରିବାକୁ ପଡ଼ିଲା । ସ୍କୁଲରେ ଯେଉଁ ପିଲାମାନେ ମେସ୍ କରି ରହିଥାନ୍ତି ସେମାନେ ଦିନକୁ ଦୁଇଟି ପଇସା, ଅଧସେର ଚାଉଳ ହିସାବରେ ଖର୍ଚ୍ଚ ଦିଅନ୍ତି । ସୁତରାଂ ମୁଁ ଏହି ମେସ୍‌ରେ ଏଣିକି ସକାଳ ବେଳାଟି ଯୋଗ ଦିଏ । ମୋର ଏହିପରି ତିନୋଟି ପଇସା ଖର୍ଚ୍ଚ ହୁଏ । ଉପର ବେଳାଟି ଅବଶିଷ୍ଟ ଗୋଟିଏ ପଇସାରେ ଜଳଖିଆ ଖାଇ ରହିଥାଏ । ଏଣିକି ମୋର ଟିକିଏ ସୁବିଧା ହେଲା କହିଲେ ଚଳେ । ଗୋଲକବିହାରୀ ପଟ୍ଟନାୟକ ନାମକ ଗୋଟିଏ ପିଲା ମୋ ସାଙ୍ଗରେ ପଢ଼ୁଥାଏ । ସେ ମଧ୍ୟ ମୋତେ କିଛି କିଛି ସାହାଯ୍ୟ କରେ । କୌଣସି କାରଣରୁ ସ୍କୁଲ ଛୁଟି ହେଲେ ନୟାଗଡ଼ ଷ୍ଟେଟରେ ଥିବା ବଂଧୁ ବାନ୍ଧବଙ୍କ ଘର ଆଡ଼େ ଯାଇ ବୁଲି ଆସେ । ତଦ୍ଦ୍ୱାରା ମଧ୍ୟ ମୋର ଖର୍ଚ୍ଚ କିଛି ବଞ୍ଚିଯାଏ । ବହିପତ୍ର ତ’ ମୋର କିଛି ନ ଥାଏ-। ୟା ତାଠାରୁ ବହି ମାଗି ପଢ଼େ । ଏହିପରି ଭାବରେ ନୟାଗଡ଼ରେ ମୁଁ ପଢ଼ୁଥାଏ ।

 

ଦଶପଲ୍ଲାରେ ଥିବା କକେଇ ମୁଁ ନୟାଗଡ଼ରେ ରହି ପାଠ ପଢ଼ୁଥିବାର ସଂବାଦ ପାଇ ପାରିଲେ । ମୋତେ ନ ପଚାରି କିମ୍ବା ମୋର ମତାମତ କିଛି ନ ନେଇ ମୋର ବିବାହ ସମ୍ପନ୍ନ କରିବା ପାଇଁ ଆୟୋଜନ କରିବାରେ ଲାଗିଲେ । ନୟାଗଡ଼ ପଦ୍ମାଦେଈପୁର ଶାସନରେ ଆମ୍ଭର ଘର ଜମିବାଡ଼ି ପ୍ରଭୃତି ସବୁ ଅଛି । ଜମି ତ ବଂଧକ ଥାଏ । ମୋର ବିବାହ କାର୍ଯ୍ୟର ସମସ୍ତ ଆୟୋଜନ କରି କକେଇ ଘରର ସମସ୍ତଙ୍କୁ ନେଇ ଆସି ଏହି ପଦ୍ମାଦେଈପୁରରେ ଉପସ୍ଥିତ ହେଲେ-। ବିବାହ ତିଥିର ୫।୭ ଦିନ ପୂର୍ବରୁ ମୁଁ ଏ ଖବର ପାଇ ପାରିଲି । ଏହି ସଂବାଦରେ ମୋ ମନରେ କୌଣସି ଭାବର ଉଦ୍ରେକ ହୋଇ ନ ଥିଲା । କକେଇ ମୋତେ ନ ପଚାରି ଏପରି ଗୋଟିଏ କାର୍ଯ୍ୟ କିପରି କରିବାକୁ ଯାଉଛନ୍ତି ଏ ଭାବ ମଧ୍ୟ ମୋର ମନରେ ଆସି ନ ଥିଲା । ସେତେବେଳକୁ ମୁଁ ଜୀବନର ମୂଲ୍ୟ ବୁଝି ପାରି ନ ଥିଲି । ପାଠ ପଢ଼ି କିପରି ଖଣ୍ଡିଏ ଚାକିରୀ କରିବି ଏହାହିଁ ମୋର ଏକମାତ୍ର ଲକ୍ଷ ଥିଲା । ଦଶ ଓ ଦେଶ ସେବା କଥା ମୁଁ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି । ବିବାହର ବୟସ ଓ ଅବସ୍ଥାର ବିଚାର ମଧ୍ୟ ମୋର ମନକୁ ସ୍ପର୍ଶ କରି ନ ଥିଲା । କକେଇ ସେ ସମୟର ପ୍ରଥାନୁଯାୟୀ ମୋତେ ପଚାରିବା ଆବଶ୍ୟକ ମନେ କରି ନ ଥିଲେ । ସେ ସମୟରେ ପୁତ୍ର କିମ୍ବା କନ୍ୟାର ବିବାହ ବିଷୟରେ ମତାମତ ନେବା ସାମାଜିକ ଓ ଲୋକ ଦୃଷ୍ଟିରେ ଗୋଟିଏ ନିହାତି ହାସ୍ୟାସ୍ପଦ ଅଶୋଭନୀୟ କଥା ବୋଲି ବିବେଚିତ ହେଉଥିଲା । ପିତାମାତା ତଥା ଅଭିଭାବକମାନଙ୍କର ଏହା ଗୋଟିଏ କର୍ତ୍ତବ୍ୟ ରୂପେ ବିବେଚିତ ହେଉଥିଲା । ମୁଁ କକେଇଙ୍କୁ ଏ ବିଷୟରେ କହି ନାହିଁ ସତ୍ୟ ମାତ୍ର ମୋର ବିବାହ ହେବାକୁ ଇଚ୍ଛା ହେଲା ନାହିଁ । ବିବାହ ତିଥି ଦୁଇ ଦିନ ଥାଏ, ମୁଁ ପଦ୍ମାଦେଈପୁର ଛାଡ଼ି ସ୍କୁଲକୁ ଚାଲି ଆସିଲି ।

 

ମୋର ବୟସ ବର୍ତ୍ତମାନ ୧୭ କିମ୍ବା ୧୮ ହେବ । ବ୍ରାହ୍ମଣ ଜାତିରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଥାଏ । ବରର ବୟସ ୧୪ କିମ୍ବା ୧୫ ହୋଇଗଲେ ବିବାହ ବୟସ ବଳିଗଲା ବୋଲି ଲୋକେ ମନେ କରୁଥିଲେ । ମୋର ବିବାହ କ୍ରିୟା ଏପର୍ଯ୍ୟନ୍ତ ସମ୍ପନ୍ନ ହୋଇ ନ ଥିବାରୁ କକେଇ ମଧ୍ୟ ସାମୟିକ ଲୋକ ମୁଖରୁ ନିନ୍ଦାବାଣୀ ନ ଶୁଣୁଥିଲେ ତାହା ନୁହେଁ । ମୋ ଭଉଣୀଟିର ବିବାହ କାର୍ଯ୍ୟ ଶେଷ କରିଛନ୍ତି, ମୋର ଏହି କାର୍ଯ୍ୟଟି କୌଣସି ପ୍ରକାରେ ସାରି ଦେଲେ ଲୋକନିନ୍ଦାରୁ ସେ ରକ୍ଷା ପାଇବେ, ଏଥିପାଇଁ କୌଣସି ଭଲ ମନ୍ଦ କିମ୍ବା ଭବିଷ୍ୟତର ବିଚାର ନ କରି ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଏହି କାର୍ଯ୍ୟଟି ଶେଷ କରି ଦେବା ଇଚ୍ଛାରେ ସେ ସମସ୍ତ ଆୟୋଜନ କରି ସାରି ଥାଆନ୍ତି । ଏପରି ଅବସ୍ଥାରେ ମୁଁ କିଛି ନ କହି ଘରୁ ବାହାରି ଆସିଛି । ଏଥିରେ ସେ ଯେ କିଛି ଭାବି ନ ଥିବେ ତହିଁରେ ସନ୍ଦେହ କରିବାର କାରଣ ନାହିଁ । ସେ ଯାହା ହେଉ, ପଦ୍ମାଦେଈପୁର ଶାସନରୁ ଆଉ କେତେ ଜଣଙ୍କୁ ସଙ୍ଗରେ ନେଇ କକେଇ ଆସି ଗଡ଼ରେ ମୋ ନିକଟରେ ପହଞ୍ଚିଲେ-। ମୋତେ ନାନାପ୍ରକାରେ ବୁଝାଇ ସେଠାକୁ ନେଇ ଯାଇ ମୋର ବିବାହ କ୍ରିୟା ଶେଷ କରି ଦେଲେ-। ମୋ ଇଚ୍ଛା ବିରୁଦ୍ଧରେ ଏପରି ଗୋଟିଏ ଦାୟିତ୍ଵ କାମ ଶେଷ ହୋଇଗଲା ଏଥିରେ ତିଳେ ମାତ୍ର କୌଣସି ସନ୍ଦେହ ନାହିଁ ।

 

ବୈବାହିକ କ୍ରିୟା ମନୁଷ୍ୟ ଜୀବନରେ ଏକ ଅପୂର୍ବ ପରିବର୍ତ୍ତନ ଘଟାଇଦିଏ । ମନୁଷ୍ୟ ଜୀବନର ଘଟନାବଳି ମଧ୍ୟରେ ଏହି ଘଟନାଟି ମନୁଷ୍ୟର ଭାବ ଓ କର୍ମମୟ ଜୀବନକୁ ଯେପରି ପ୍ରଭାବିତ କରେ ଅନ୍ୟ ସେପରି କୌଣସି ଘଟଣା ଏତେ ପ୍ରଭାବିତ କରି ପାରେ ନାହିଁ । ବୈବାହିକ କ୍ରିୟା ଅନେକ କ୍ଷେତ୍ରରେ ମନୁଷ୍ୟର ଚିନ୍ତା ଓ ଆଦର୍ଶକୁ ସଂକୀର୍ଣ୍ଣ କରିଦିଏ । କୌଣସି ଉଚ୍ଚ ଆଦର୍ଶ ଉପଲବ୍‌ଧି କରିବାପାଇଁ ମନୁଷ୍ୟର ସାହସ କିମ୍ବା ବଳ ରହେ ନାହିଁ । ଉଚ୍ଚ ଆଦର୍ଶ ଉପଲବ୍‌ଧିର ସଂଗ୍ରାମ କ୍ଷେତ୍ରରେ କଠୋର ଅଗ୍ନି ପରୀକ୍ଷା ବେଳ ଉପସ୍ଥିତ ହେଲାବେଳେ ମନୁଷ୍ୟ ପଛକୁ ହଟିଯାଏ । ବୈବାହିକ ସମ୍ବନ୍ଧ ଏହିଠାରେ ତାହାକୁ ଦୁର୍ବଳ କରି ପକାଏ । ସୁତରାଂ ମନୁଷ୍ୟ ଜୀବନର ବିକାଶ ହେବା ପୂର୍ବରୁ ବାଳକକୁ ବିବାହିତ କରାଇ ତା ମନକୁ ସଂକୀର୍ଣ୍ଣ କରିଦେବା ଉଚିତ ନୁହେଁ । ମନୁଷ୍ୟର ହୃଦୟ ଓ ମନ ବିକାଶ ଲାଭ କରୁ । ତା’ର କଳ୍ପନା ଶକ୍ତି ସଂପୂର୍ଣ୍ଣରୂପେ ବିକଶିତ ହେଉ । ମନୁଷ୍ୟ ତା’ର ଜୀବନର ମୂଲ୍ୟ ଓ କର୍ତ୍ତବ୍ୟ ଉପଲବ୍‌ଧି କରୁ । ସେ ଯେଉଁ ଦେଶ ଓ ସମାଜରେ ଜନ୍ମ ଗ୍ରହଣ କରିଛି ସେହି ଦେଶ ଓ ସମାଜର ଅବସ୍ଥା ଦୃଷ୍ଟିରେ ତାହାର ଆଦର୍ଶ କ’ଣ ଓ କିପରି ହେବା ଉଚିତ ତାହା ଅନୁସରଣ କରିବାରେ ଯଦି କର୍ତ୍ତବ୍ୟର ମାର୍ଗ ସରଳ କରିବାପାଇଁ ବୈବାହିକ କ୍ରିୟା ଆବଶ୍ୟକ ବୋଧହୁଏ ତେବେ ସେ ବିବାହ କରି ପାରନ୍ତି । ବିବାହ କାର୍ଯ୍ୟରେ ପିତାମାତା କିମ୍ବା କୌଣସି ଅଭିଭାବକ ହସ୍ତକ୍ଷେପ କରିବା ଉଚିତ ନୁହେଁ । ବିବାହ ହେଉଛି ଦୁଇଟି ହୃଦୟର ମିଳନ । ରୁଚି ଓ ସୌନ୍ଦର୍ଯ୍ୟ ଜ୍ଞାନର ମିଳନ । ମାନବର ଏହିଠାରେ ଜୀବନର ସୁଖ ଓ ଆନନ୍ଦ । ଏଥିରେ ତାହାର ପୂର୍ଣ୍ଣ ସ୍ୱାଧୀନତା ରହିବା ଦରକାର । ଏହି ସ୍ୱାଧୀନତାରେ ମନୁଷ୍ୟର ଜୀବନ ବିକାଶ ପାଏ । ଦେଶ ଓ ସମାଜର ଶିକ୍ଷା ଓ ସଭ୍ୟତା ପରିପୁଷ୍ଟ ହୁଏ । କିନ୍ତୁ ଏହି ସ୍ୱାଧୀନତା ଟିକକ ଯେଉଁ ଦେଶ ଓ ସମାଜରେ ଅଭାବ ସେହି ଦେଶ ଓ ସମାଜ ତେତେ ଅନୁନ୍ନତ ଏବଂ ସେମାନଙ୍କର ଉନ୍ନତିର ଆଶା ବିଡ଼ମ୍ବନା ମାତ୍ର । ସୁତରାଂ ସେଥିରେ ନାରୀ ଏବଂ ପୁରୁଷ ସମସ୍ତଙ୍କର ଜାତି ଧର୍ମ ନିର୍ବିଶେଷରେ ସ୍ୱାଧୀନତା ରହିବା ଉଚିତ ।

 

ସେ ଯାହା ହେଉ ଏହିପରି ଭାବରେ ମୋର ବିବାହ କାର୍ଯ୍ୟ ଶେଷ ହୋଇଗଲା । କାର୍ଯ୍ୟ ଶେଷ କରି କକେଇ ଦଶପଲ୍ଲା ଫେରିଲେ । ମୁଁ ଯଥା ସମୟରେ ଆସି ସ୍କୁଲରେ ଯୋଗ ଦେଲି । ଇତିମଧ୍ୟରେ ବର୍ଷ ଶେଷ ହେଲା । ମୁଁ ପରୀକ୍ଷା ଦେଇ ମାଇନର ଷଷ୍ଠ ଶ୍ରେଣୀକୁ ପ୍ରମୋଶନ ପାଇଲି । ଦୁଇଟଙ୍କାରେ ଚଳିବା ଏଣିକି ଅସମ୍ଭବ ଜଣାଗଲା । ଆଉ କିଛି ସାହାଯ୍ୟ ପାଇବା ଆଶାରେ ନୟାଗଡ଼ ଷ୍ଟେଟ୍‌କୁ ଖଣ୍ଡିଏ ଦରଖାସ୍ତ ଦେଲି । ଏଥର ଆଉ ଗୋଟିଏ ଟଙ୍କା ଷ୍ଟେଟ୍‌ରୁ ସାହାଯ୍ୟ ମିଳିଲା । ଏଥର ମାସରେ ହେଲା ତିନୋଟି ଟଙ୍କା । ଦିନକୁ ଛ’ଟି ପଇସା । ଏଣିକି ଦୁଇବେଳା ମୁଁ ମେସ୍‌ରେ ଖାଇଲି । ଏହି ଛଅ ପଇସାରେ ଦିନକର ଖାଇବା ଖର୍ଚ୍ଚ ବଳିଯାଏ । କିନ୍ତୁ କେବଳ ମେସ୍ ଖର୍ଚ୍ଚ ଚଳିଲେ ତ କାର୍ଯ୍ୟ ପୂରା ହେଉ ନାହିଁ । ଏହା ବାଦ ଜଳଖିଆ, ତେଲ ଓ ଧୋବା ଖର୍ଚ୍ଚ । ହିସାବ କରି ଦେଖିଲେ ଏହିପରି କେତେ ଅଭାବ ରହିଥାଏ । ମନୁଷ୍ୟ କ୍ରମଶଃ ଯେତେ ବେଶି ଶିକ୍ଷା ପାଏ ତା’ର ଅଭାବ ମଧ୍ୟ ତେତେ ବଢ଼ିଯାଏ । ଦୁଇବର୍ଷ ତଳେ ମୁଁ ଯାହା ଦରକାର କରୁ ନ ଥିଲି ତାହା ବର୍ତ୍ତମାନ ନ ହେଲେ ଚଳୁ ନାହିଁ । ଛତା, କାମିଜ, କୁରୁତା ଏ ସବୁ ତ ନ ହେଲେ ନ ଚଳେ । ଏହିପରି କେତେ ଅଭାବ ବଢ଼ି ଯାଇଛି । ମନରେ ମଧ୍ୟ ଅତୃପ୍ତି ଭାବ ଜାତ ହେଉଛି । ଯାହା ନିହାତି ଆବଶ୍ୟକ ମନେ କରୁଛି ତାହା ପୂରଣ ନ ହେବାଯାଏ ସାଙ୍ଗ ସାଥିମାନଙ୍କ ସହିତ ମିଶିବାକୁ ମନ ହେଉ ନାହିଁ । ମାଇନର ଷଷ୍ଠ ଶ୍ରେଣୀକୁ ପ୍ରମୋଶନ ପାଇଲା ପରଠାରୁ ମାଇନର ଖଣ୍ଡି ପାଶ କରି ପାଠ ପଢ଼ିବା ଶେଷ କରିବା ଭାବନାରେ ମନରେ ଆନନ୍ଦ ଆସୁ ନାହିଁ କିମ୍ବା ତୃପ୍ତି ଆସୁ ନାହିଁ । କିପରି ମାଟ୍ରିକ୍ୟୁଲେସନ ପଢ଼ିବି ଏହି ଭାବନା ମନରେ ବେଳେ ବେଳେ ଜାତ ହୁଏ । କିନ୍ତୁ ଖାଲି ଭାବନା ଜାତ ହେଲେ କ’ଣ ହେବ, ଏହିପରି ଭାବନାକୁ କାର୍ଯ୍ୟରେ ପରିଣତ କରିବା ମୁଁ ସ୍ୱପ୍ନରେ ମଧ୍ୟ ଭାବି ପାରିଲି ନାହିଁ । ଏହିପରି ମନର ଭାବ ଓ ଅଭାବ ଅସୁବିଧା ମଧ୍ୟରେ ଜୀବନ କଟି ଯାଉଥାଏ । ବେଳେ ବେଳେ ମୋର ସାଙ୍ଗ ପିଲାମାନେ ମୋତେ କିଛି କିଛି ସାହାଯ୍ୟ କରନ୍ତି ।

 

ଗୋଲକର ଅବସ୍ଥା ଖୁବ୍‌ ଭଲ ନ ହେଲେ ମଧ୍ୟ ମନ୍ଦ ନୁହେ । ସ୍କୁଲରେ ସେତେବେଳକୁ ଗୋଟିଏ ବୋଡିଙ୍ଗ୍ ହେଲାଣି । ସ୍କୁଲର ହେଡ ପଣ୍ଡିତ ବୋଡିଙ୍ଗ୍‌ର ସୁପରିଣ୍ଟେଣ୍ଡେଣ୍ଟ । ସେ ଗୋଲକକୁ ଟିଉସନ କରନ୍ତି । ଗୋଲକର ପଣ୍ଡିତଙ୍କ ସହିତ କୌଣସି ଗୁରୁତର ବିଷୟ ନେଇ ଝଗଡ଼ା ଲାଗିଲା । ଗୋଲକ ମୋର ଅନ୍ତରଙ୍ଗ ବଂଧୁ । ମୁଁ ତା’ର ପକ୍ଷ ନେବା ସ୍ୱାଭାବିକ । ଏହି ଘଟଣା ବଡ଼ ଗୁରୁତର ଆକାର ଧାରଣ କଲା । ସ୍କୁଲର ଶିକ୍ଷକ ଏବଂ ଷ୍ଟେଟ୍‌ର ଅନେକ କର୍ମଚାରୀ ମଧ୍ୟ ଆମ୍ଭ ଦୁହିଙ୍କ ଉପରେ ବଡ଼ ବିରକ୍ତ ଓ ଅସନ୍ତୁଷ୍ଟ ହେଲେ । ଇଟାମାଟି ଗୁରୁଟ୍ରେନିଂ ସ୍କୁଲର ହେଡପଣ୍ଡିତ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ସାହାଯ୍ୟ ଦେଉଥିବା ଟଙ୍କାଟି ବନ୍ଦ କରିଦେଲେ । ଗୋଲକକୁ ସାହାଯ୍ୟ କରିବାହିଁ ତାଙ୍କର ବିରକ୍ତିର କାରଣ । ମୁଁ ଜାଣେ ତାହାର କିଛି ଦୋଷ ନାହିଁ । ଏଥିପାଇଁ ମୋର ପାଠପଢ଼ା ଏତିକିରେ ବନ୍ଦ ହେଲେ ହେବ ପଛକେ ମୁଁ ଗୋଲକକୁ ନିଶ୍ଚୟ ସମର୍ଥନ କରିବି, ଏହାହିଁ ମୋର ଏକମାତ୍ର କଥା ହୋଇ ରହିଲା । ସେହି କାରଣରୁ ମୋ ଉପରେ ସମସ୍ତେ ବିରକ୍ତ ଓ ଅସନ୍ତୁଷ୍ଟ । କେହି କିପରି ମୋତେ ସାମୟିକ ସାହାଯ୍ୟ କରୁଥିଲେ । ତାହା ବର୍ତ୍ତମାନ ବନ୍ଦ ହୋଇଗଲା । ପୂର୍ବଠାରୁ ପୁଣି ମୋତେ ଏକବେଳା ଖାଇ ଏକବେଳା ଉପବାସରେ ସମୟ କଟାଇବାକୁ ପଡ଼ିଲା ।

 

ନୟାଗଡ଼ ଗଡ଼ରେ ବ୍ରାହ୍ମଣସାହି ନାମରେ ଗୋଟିଏ ଗଳି ଅଛି । ସେହି ବ୍ରାହ୍ମଣ ସାହିରେ ପଣ୍ଡିତ ଲୋକନାଥ ମିଶ୍ରଙ୍କର ଘର । ସେ ଜଣେ ଶିକ୍ଷିତ ଓ ଧନୀ ଲୋକ ଥିଲେ । ବର୍ତ୍ତମାନ ଏପରି ଅବସ୍ଥାରେ ମୁଁ ଯାଇ ତାଙ୍କରି ନିକଟରେ ଉପସ୍ଥିତ ହେଲି । ସେ ମୋଠାରୁ ମୋର ସମସ୍ତ ଜୀବନ-ବୃତ୍ତାନ୍ତ ଶୁଣି ମୋତେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ମୁଁ ଯାଇ ତାଙ୍କ ଘରେ ରହିଲି । ତାଙ୍କର ପୁତ୍ର ସନ୍ତାନ କିଛି ନ ଥାନ୍ତି । ଦୁଇଟି ଛୋଟ କନ୍ୟା । ମୁଁ ତାଙ୍କ ଘରେ ରହିବା ପରେ ସେ ଓ ତାଙ୍କର ସ୍ତ୍ରୀ ମୋତେ ପୁତ୍ରବତ ସ୍ନେହ କରିବାକୁ ଆରମ୍ଭ କଲେ । ମୁଁ ତାଙ୍କ ଘରେ ଖାଏ । ମୋର ବର୍ତ୍ତମାନ କିଛି ଅଭାବ ନାହିଁ । ଖୁସିରେ ଦିନ କଟିବାକୁ ଲାଗିଲା ।

 

ବର୍ତ୍ତମାନ ୧୯୦୯ ମସିହା । ବାର୍ଷିକ ପରୀକ୍ଷା ସମୟ ଉପସ୍ଥିତ ହେଲା । ମୁଁ ପରୀକ୍ଷା ଦେଇ ମାଇନର ଫାଷ୍ଟ କ୍ଳାସକୁ ପ୍ରମୋସନ ପାଇଲି । ମାଇନର ଖଣ୍ଡି କିପରି ଭଲ ଭାବରେ ପାଶ୍ କରିବି ଏହା ହେଲା ମୋର ଏକମାତ୍ର ଚିନ୍ତା । ମାଇନର ପାଶ୍ ପରେ ଚାକିରୀ କରିବି କିମ୍ବା ଆଉ କିଛି ପଢ଼ିବା ପାଇଁ ଚେଷ୍ଟା କରିବି କିଛି ଭାବି ସ୍ଥିର କରି ପାରୁ ନ ଥାଏ । କିନ୍ତୁ ବେଶି ଦିନ ମୋତେ ଲୋକନାଥ ମିଶ୍ରଙ୍କ ଘରେ ରହିବାକୁ ପଡ଼ିଲା ନାହିଁ । ତାହାଙ୍କର ଗୋଟିଏ କନ୍ୟା ଜାତ ହୋଇ ତାଙ୍କ ସ୍ତ୍ରୀ ମୃତ୍ୟୁ ମୁଖରେ ପତିତ ହେଲେ । ମୁଁ ଯେ ତାଙ୍କ ସ୍ନେହରୁ ଚିରଦିନ ପାଇଁ ବଞ୍ଚିତ ହେଲି ତାହା ନୁହେ । ତାହାଙ୍କ ଘର ମଧ୍ୟ ମୋତେ ଛାଡ଼ିବାକୁ ପଡ଼ିଲା । ସେ ନିଜେ ଏଣିକି ଘରେ ଚଳିବାରେ ବଡ଼ ହଇରାଣ ହେଲେ । ତାଙ୍କର ପିଲାଟିମାନଙ୍କର ଯତ୍ନ ନେବାକୁ କେହି ନାହିଁ । ତାହାଙ୍କୁ ଗଣ୍ଡେ ରୋଷେଇ କରି ଦେବାକୁ କେହି ନାହିଁ । ଏପରି ଅବସ୍ଥାରେ ମୁଁ ଆଉ ତାହାଙ୍କ ଘରେ ଚଳିବି କିପରି-? କିନ୍ତୁ ସେ ମୋତେ ସ୍ଥାନାନ୍ତରିତ ହେବା ନିମିତ୍ତ କହି ନାହାନ୍ତି । ମୁଁ ତାଙ୍କର ଚଳାଚଳରେ ଅସୁବିଧା ଦେଖି ପାରିବାରୁ ନିଜ ଇଚ୍ଛାନୁସାରେ ତାହାଙ୍କ ଠାରୁ ଅନୁମତି ନେଇ ତାହାଙ୍କ ସାହିରେ ରଥଙ୍କ ଘରେ ଆସି ରହିଲି । ସେ ପ୍ରତି ମାସରେ ୧୫ ସେର ଚାଉଳ ମୋତେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତ ହେଲେ । ଏହି ଚାଉଳ ଏବଂ ଷ୍ଟେଟରୁ ପାଉଥିବା ମାସିକ ସାହାଯ୍ୟ ଦୁଇଟଙ୍କାରେ ମୋର ଚଳାଚଳ ପକ୍ଷେ ବିଶେଷ କିଛି ଅସୁବିଧା ହୁଏ ନାହିଁ । ରଥଙ୍କ ବସାରେ ଆମ୍ଭେମାନେ ୪।୫ଟି ଛାତ୍ର ଏକାଠି ବସା କରି ରହିଥାଉଁ । ସମସ୍ତେ ପାଳି କରି ହାତରେ ରୋଷେଇ କରି ଚଳାଚଳ ହେଉଁ । ଦିନେ ଦିନେ ଏହି ରୋଷେଇ ପାଳି ନେଇ ଆମ ଭିତରେ ଭାରୀ ଝଗଡ଼ା ହୁଏ । ରୋଷେଇ ନ କରି ଦିନେ ଓଳିଏ ଉପବାସ ରହୁ । ପୁଣି ମିଳିମିଶି ଚଳୁ । ଗଦାଧର ନନ୍ଦ, ବିନାୟକ ମିଶ୍ର, ନାରାୟଣ ତ୍ରିପାଠୀ, ବୈଦନାଥ ରଥ ଓ ମୁଁ ଏହି କେତେଜଣ ଆମ୍ଭେମାନେ ଏକାଠି ରହିଥାଉଁ । ଗଦାଧର ନନ୍ଦ ଆମ୍ଭମାନଙ୍କ ଭିତରେ ଟିକିଏ ବୟସ୍କ, ସୁତରାଂ ଅଗ୍ରଗାମୀ । ଆମ ବସା ସ୍କୁଲର ଉପର ଦୁଇ ଶ୍ରେଣୀର ପିଲାମାନଙ୍କର ଗୋଟିଏ କେନ୍ଦ୍ରସ୍ଥାନ ହୋଇଥାଏ । ଆମ୍ଭ ବସାରେ ଅନେକ ସମୟରେ ଖେଳ କୌତୁକ ଓ ଭୋଜି ପ୍ରଭୃତି ହୁଏ । ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରୁ । ଏ ସବୁରେ ସମସ୍ତ ଭାର ମୋ ଉପରେ ନ୍ୟସ୍ତ ହୁଏ । ପିଲାମାନଙ୍କ ମଧ୍ୟରେ ପାଠ ପଢ଼ିସାରି କିଏ କ’ଣ କରିବ ଏ ବିଷୟରେ ବହୁତବାର ଆଲୋଚନା ହୁଏ । ସମସ୍ତେ ଷ୍ଟେଟର ବଡ଼ ବଡ଼ ଚାକିରିଆ ହେବା ପାଇଁ କହନ୍ତି, ମାତ୍ର ଏସବୁ ମୁଁ ଆଦୌ କଳ୍ପନା କରି ପାରେ ନାହିଁ କିମ୍ବା ଭବିଷ୍ୟତରେ କ’ଣ କରିବି ଏହା ମଧ୍ୟ ଭାବି ପାରେ ନାହିଁ । ଆମ୍ଭେମାନେ ଖାଇ ବସିଲା ବେଳେ ପରସ୍ପର ଛୁଆଁ ଛୁଇଁ ହେବା ଓ ଏକ ଆସନରେ ବସି ଖାଇବାକୁ ଗୋଟିଏ ଶିକ୍ଷିତ (Culture) ମନୁଷ୍ୟର କାର୍ଯ୍ୟ ବୋଲି ମନେ କରୁ । କାରଣ ଆମ୍ଭେମାନେ ଯେତେଜଣ ଏକାଠି ଖାଉଁ ସମସ୍ତେ ବ୍ରାହ୍ମଣ । ବ୍ରାହ୍ମଣର ନିୟମ ଏହି ଯେ ସେ ଯଜ୍ଞୋପବୀତ ଧାରଣ କଲା ପରେ ଖାଇଲାବେଳେ କାହାକୁ ସ୍ପର୍ଶ କରିବ ନାହିଁ । ଏପରି କି ନିଜ ପିତାମାତା ଓ ଭାଇଭଉଣୀମାନଙ୍କ ଭିତରେ ଖାଇଲାବେଳେ ଛୁଆଁଛୁଇଁ ହୋଇ ଖାଇବାକୁ ଶାସ୍ତ୍ରର ବିରୁଦ୍ଧ କାର୍ଯ୍ୟ ବୋଲି ବିବେଚିତ ହୁଏ । ଏହି ଅବସ୍ଥାରେ ଆମ୍ଭେମାନେ ଏହି କାର୍ଯ୍ୟଟିକୁ ଗୋଟିଏ ଭାରୀ ବଡ଼ କାର୍ଯ୍ୟ ଏବଂ ବନ୍ଧୁପ୍ରେମର ପରାକାଷ୍ଠା ବୋଲି ମନେ କରିଥାଉଁ ।

Image

 

Unknown

ଦ୍ୱିତୀୟ ଭାଗ

ପ୍ରଥମ ପରିଚ୍ଛେଦ

 

କଟକରେ ଛାତ୍ର ଜୀବନ

 

ମାଇନର ପରୀକ୍ଷା ସରିଲା । ୧୯୧୦ ମସିହା ଡିସେମ୍ବର ମାସରେ ମୁଁ କଟକ ବାହାରିଲି । ନୟାଗଡ଼ରୁ ବାହାରି ପ୍ରଥମ ଦିନ ବୋଲଗଡ଼ରେ ଆସି ରହିଲି । ବୋଲଗଡ଼ରେ ସେତେବେଳକୁ ମାଇନର ସ୍କୁଲ ହୋଇ ନ ଥାଏ । ଗୋଟିଏ ଭର୍ଣ୍ଣାକୁଲାର ସ୍କୁଲ ଥାଏ । ସ୍କୁଲର ହେଡ ପଣ୍ଡିତ ଜଣେ ପୁରୁଣାକାଳିଆ ପଣ୍ଡିତ । ମୁଁ ସ୍କୁଲରେ ତାହାଙ୍କର ଅତିଥି ହୋଇ ରହିଲି । ଏପରି ତାହାଙ୍କ ସହିତ ପରିଚୟ ହେବାରେ ସେ ମୋ ବିଷୟରେ ସବୁ କଥା ଜାଣିବାକୁ ଆଗ୍ରହ ପ୍ରକାଶ କଲେ । ମୁଁ ଏପର୍ଯ୍ୟନ୍ତ କିପରି ଭାବରେ ପାଠ ପଢ଼ିଛି ଏବଂ କଟକ କି ଉଦ୍ଦେଶ୍ୟରେ ଯାଉଛି ଇତ୍ୟାଦି କଥା ଶୁଣି ସେ ମତେ ବଡ଼ ଉତ୍ସାହ ଦେଇଥିଲେ । ତହିଁଆର ଦିନ ମୁଁ ବିଦାୟ ନେଇ ଆସିଲା ବେଳକୁ ପଣ୍ଡିତ ମହାଶୟ ମୋତେ ବାଟ ଖର୍ଚ୍ଚ ପାଇଁ ଆଠଅଣା ପଇସା ଦେଇ ଆଶୀର୍ବାଦ କରି କହିଲେ, ‘‘ପ୍ରଭୁ ତୁମ୍ଭଙ୍କୁ ନିଶ୍ଚୟ ସହାୟ ହେବେ । ତୁମ୍ଭେ ଦିନେ ଓଡ଼ିଶାରେ ଜଣେ ଜଣା ଶୁଣା ମଣିଷ ହେବ ।’’

 

ମୁଁ ବୋଲଗଡ଼ ଛାଡ଼ି ଅଇଲି । ପଣ୍ଡିତଙ୍କର ଉତ୍ସାହ ବାଣୀ ବାଟଯାକ ମୋର ବାରମ୍ବାର ମନେ ପଡ଼ି ମତେ ଉତ୍ସାହିତ କଲା । ବୋଲଗଡ଼ରୁ ଆସି ସେଦିନ ସନ୍ଧ୍ୟାରେ ଖୋରଧାରେ ପହଞ୍ଚିଲି-। ଖୋରଧାରେ ଗୋଲକ ପଢ଼ୁଥାଏ । ବାଇଧର ବାବୁଙ୍କ ସାନ ଭାଇ କୃପାସିନ୍ଧୁ ପଟ୍ଟନାୟକ ମାଟ୍ରିକ୍ ସେକେଣ୍ଡ କ୍ଲାସରେ ପଢ଼ୁଥାନ୍ତି । ମୁଁ ଯାଇ ଏ ଦୁହିଙ୍କ ନିକଟରେ ପହୁଞ୍ଚିଲି । ସେଦିନ ଖୋରଧା ସ୍କୁଲ ବଡ଼ଦିନ ଉପଲକ୍ଷେ ବନ୍ଦ ହୋଇଥାଏ । ଛାତ୍ର ଓ ଶିକ୍ଷକ ସମସ୍ତେ ଘରକୁ ଯିବାକୁ ବ୍ୟଗ୍ର । ଗୋଲକ ଓ କୃପାସିନ୍ଧୁ ବାବୁ ମଧ୍ୟ ଘରକୁ ଯିବାକୁ ଉଦ୍ୟତ । ଏପରି ଅବସ୍ଥାରେ ମୁଁ ସେଠାରେ ଉପସ୍ଥିତ ହେଲି-। ସେହିଦିନ ସନ୍ଧ୍ୟା ଗାଡ଼ିରେ ସେହି ସ୍କୁଲର ଜଣେ ଶିକ୍ଷକ କଟକ ଆସିବାର ଥାଏ । କୃପାସିନ୍ଧୁ ବାବୁ ମତେ ନେଇ ତାଙ୍କର ସାଥି କରାଇ ଦେଲେ । ସେହିଦିନ ରାତ୍ରିରେ ମୁଁ କଟକ ଆସି ଶ୍ରୀଯୁକ୍ତ ଶୂରଦେଓଙ୍କ ବସାରେ ପହଞ୍ଚିଲି । ଖୋରଧା ସ୍କୁଲର ଉକ୍ତ ଶିକ୍ଷକ ମୋର ରେଲ ଟିକଟ ଖଣ୍ଡି ମତେ ଦେଇଥିଲେ ଏବଂ ଗାଡ଼ିରେ ଆଣି ମତେ ଶୂର ଦେଓଙ୍କ ବସାରେ ଛାଡ଼ି ଦେଇଥିଲେ ।

 

ଶୂରଦେଓଙ୍କ ବସାରେ କୃଷ୍ଣଚନ୍ଦ୍ର ଦାସ ନାମରେ ଜଣେ ଛାତ୍ର ଥାଏ । ନୟାଗଡ଼ର ମୁକ୍ତିଆର ଶ୍ରୀଯୁକ୍ତ ଲିଙ୍ଗରାଜ ଦାସଙ୍କର ପୁତ୍ର ହେଉଛି କୃଷ୍ଣ । କୃଷ୍ଣ ମୋର ଦଶପଲ୍ଲାର ସାଥି । ପିଲାଦିନେ ଦୁହେଁ ଏକାଠି ପାଠ ପଢ଼ିଛୁ ଏବଂ ଏକାଠି ଖେଳିଛୁ । କୃଷ୍ଣ ମୋର ଭାରୀ ସାଥି । ଅନେକ ସମୟରେ ସେ ଆସି ଆମ ଘରେ ରହେ ଏବଂ ମୁଁ ଯାଇ ତାଙ୍କ ଘରେ ରହେ । କୃଷ୍ଣ ଦଶପଲ୍ଲାରେ ମାଇନର ପାସ କରି କଟକରେ ବର୍ତ୍ତମାନ କଲେଜିଏଟ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଛି । ମୋର ପିତାମାତଙ୍କ ମୃତ୍ୟୁ ପରଠାରୁ ଯେଉଁସବୁ ଅବସ୍ଥା ଭିତରେ ମୋର ଜୀବନ ଅତିବାହିତ ହେଉଅଛି, ସେ ସବୁ କୃଷ୍ଣକୁ ଜଣା । ଦଶପଲ୍ଲା ଛାଡ଼ି ଅଇଲା ପରେ ମୁଁ କେଉଁଠାରେ କ’ଣ କରୁଛି, ସେ ଭଲ କରି ଜାଣି ନ ଥାଏ । ମୁଁ ନୟାଗଡ଼ରେ ରହି ପାଠ ପଢ଼ୁଛି, ଏହା କୃଷ୍ଣ ଶୁଣିଥାଏ । କିନ୍ତୁ ମୁଁ ମାଇନର ପାସ୍ କରି ଦିନେ କଟକ ପାଠ ପଢ଼ିବାକୁ ଆସିବି, କୃଷ୍ଣ ଏହା ସ୍ୱପ୍ନରେ ମଧ୍ୟ କଳ୍ପନା କରି ନାହିଁ । ହଠାତ୍ ମତେ କଟକରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । କଟକକୁ ମୁଁ ପୁଣି ପାଠ ପଢ଼ିବାକୁ ଆସିଛି । ଏହା ତ ଆହୁରି ଆଶ୍ଚର୍ଯ୍ୟର କଥା । ସେ ମନେ କଲା ଏହା ଗୋଟିଏ ଦୁନିଆର ଆଶ୍ଚର୍ଯ୍ୟ ଘଟଣା । ସେ ମତେ କୁଣ୍ଢାଇ ପକାଇ କହିଲା, ‘‘ଭାଇ, ଆମ୍ଭେମାନେ ରବିନ୍‌ସନ୍ କୃଶୋ ନାମରେ ଗୋଟିଏ କାହାଣୀ ପାଠ କରିଛୁ । ତତେ ଦେଖି ସେହି ରବିନ୍‌ସନ୍ କୃଶୋ ମୋର ମନେ ପଡ଼ୁଛି । ମୋର ମନେ ହେଉଛି, ତୁ ଆମ୍ଭର ରବିନ୍‌ସନ୍ କୃଶୋ ।’’

 

ରବିନ୍‌ସନ୍ କୃଶୋ କିଏ କ’ଣ ମୁଁ ସେତେବେଳକୁ କିଛି ଜାଣେ ନାହିଁ । ଏ କଥାର ମର୍ମ ମୁଁ କିଛି ବୁଝି ପାରିଲି ନାହିଁ । ସେ ଯାହା ହେଉ କୃଷ୍ଣକୁ ପାଇ ମୁଁ ବଡ଼ ଖୁସି ହୋଇଥିଲି, ଏକଥା କହିବା ଅନାବଶ୍ୟକ । କୃଷ୍ଣ ଥିବାରୁ କଟକରେ ମଧ୍ୟ ମୋର କେତେକ ବିଷୟରେ ବଡ଼ ସୁବିଧା ହୋଇଥିଲା । ମୁଁ ଯେଉଁ ଚାରି ଜଣ ଭଦ୍ରବ୍ୟକ୍ତିଙ୍କ ନିକଟକୁ ଚାରିଖଣ୍ଡି ପତ୍ର ନେଇ ଆସିଥିଲି, କୃଷ୍ଣ ମତେ ନେଇ ସେମାନଙ୍କ ଘର ଦେଖାଇ ଦେଇଥିଲା । ଏତକ ସାହାଯ୍ୟ କିଛି କମ୍ ନୁହେଁ । ଗଡ଼ଜାତରୁ ଆସି କଟକରେ ହଠାତ୍ ରାସ୍ତା ଘାଟ ଚିହ୍ନିବା ବଡ଼ କଠିନ । ସେ ଯାହା ହେଉ ମୁଁ ପ୍ରଥମେ ବାବୁ ବିଶ୍ୱନାଥ କରଙ୍କ ସହିତ ସାକ୍ଷାତ କଲି । ସେ ମହାଶୟ କହିଲେ, ‘ମୁଁ ଯଦି କୌଣସି ସ୍କୁଲରେ ନାମ ଲେଖାଇ ଅଧ୍ୟୟନ କରେ, ସେ ମତେ ସାମୟିକ କିଛି କିଛି ସାହାଯ୍ୟ କରି ପାରିବେ-।’’ ବାବୁ ଗୌରୀଶଙ୍କର ରାୟ ମଧ୍ୟ ସେହିପରି କିଛି କହିଲେ । ଯୋଗେଶଚନ୍ଦ୍ର ରାୟଙ୍କ ନିକଟକୁ ଗଲି । ସେ ଉକ୍ତ ପତ୍ରଖଣ୍ଡି ପଢ଼ି ତାଙ୍କୁ ଶୁଣାଇବାକୁ ମତେ କହିଲେ । ତାହା ଶୁଣି ସେ ମତେ ୟଙ୍ଗ ଉତ୍କଳ ଆସୋସିଏସନ୍‌ର ସଂପାଦକଙ୍କ ନିକଟକୁ ଯିବାକୁ କହି ଦେଲେ । ସେଠାରୁ ମୁଁ ବାବୁ ବ୍ରଜସୁନ୍ଦର ଦାସଙ୍କ ନିକଟକୁ ଗଲି । ବ୍ରଜ ବାବୁଙ୍କ ଘରେ ପଣ୍ଡିତ ଗୋପବନ୍ଧୁ ଦାସ ଆସି ରହିଥାନ୍ତି । କଟକରେ ଉତ୍କଳ ସମ୍ମିଳନୀ ବସିଥାଏ । ଗୋପବନ୍ଧୁ ବାବୁ ଉତ୍କଳ ସମ୍ମିଳନୀରେ ଯୋଗ ଦେବାପାଇଁ କଟକ ଆସିଥାନ୍ତି । ଏ ଦୁହିଙ୍କ ସହିତ ଏକତ୍ରରେ ଦେଖା ହେଲା । ଗୋପବନ୍ଧୁ ବାବୁ ମତେ ଅନେକ କଥା ପଚାରିଲେ । କିନ୍ତୁ ସେ କ’ଣ କହିଲେ ମୋର ମନେ ନାହିଁ । ବ୍ରଜ ବାବୁ ବିଶେଷ କିଛି ସାହାଯ୍ୟ କରି ପାରିବେ ବୋଲି ଆଶା ଦେଲେ ନାହିଁ । ଏହିସବୁ ଚେଷ୍ଟାରେ ବିଶେଷ କିଛି ସାହାଯ୍ୟ ପାଇବାର ଆଶା ମତେ ଦେଖାଗଲା ନାହିଁ । ମୁଁ ଟିକିଏ ନିରାଶ ଏବଂ ଦୁଃଖିତ ହୋଇ ପଡ଼ିଲି ।

 

କଟକରେ ସେ ବର୍ଷ ଉତ୍କଳ ସମ୍ମିଳନୀ ବସୁଥାଏ । ବାଲେଶ୍ୱରର ରାଜା ବୈକୁଣ୍ଠନାଥ ଦେ ସମ୍ମିଳନୀର ସଭାପତି । ଶୂରଦେଓ ଏହି ସମ୍ମିଳନୀ କାର୍ଯ୍ୟ ହେତୁ ଦିନରାତି ସବୁବେଳେ କାର୍ଯ୍ୟବ୍ୟସ୍ତ ଥାନ୍ତି । ତାଙ୍କର ଜଣେ ଭାଇ ଗଞ୍ଜାମ ତରଳାରୁ ସମ୍ମିଳନୀରେ ଯୋଗ ଦେବାକୁ ଆସିଥାନ୍ତି । ମୁଁ ତାହାଙ୍କ ସଙ୍ଗରେ ସମ୍ମିଳନୀ ଦେଖିବାକୁ ଯାଏ । ସମ୍ମିଳନୀ କ’ଣ, ସଭା କ’ଣ, ଏସବୁ ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ କିମ୍ବା ଶୁଣି ନାହିଁ । ବଡ଼ ଲୋକ, ଶିକ୍ଷିତ ଲୋକ ସବୁ ଏପରି ସଭାରେ ଯୋଗ ଦିଅନ୍ତି । ବକ୍ତୃତା ଦିଆହୁଏ । ଏସବୁ ଦେଖିବା ଓ ଶୁଣିବା ମୋ ପକ୍ଷରେ ନୂଆ । ମତେ ଭାରୀ ଭଲ ଲାଗୁଥାଏ । ଏହି ଦୁଇ ଚାରିଦିନ ମୁଁ ମୋର ପାଠ ପଢ଼ା ଚିନ୍ତା ଭୁଲି ଯାଇଥିଲି । ବକ୍ତୃତା ଶୁଣିବାକୁ ଭାରୀ ଭଲ ଲାଗେ । କିନ୍ତୁ ବକ୍ତୃତାରେ କ’ଣ କୁହାଗଲା କିମ୍ବା ସମ୍ମିଳନୀରେ କି ବିଷୟ ସବୁ ଆଲୋଚିତ ହୋଇଥିଲା, ସେ ସବୁ ମୋର କିଛି ମନେ ନାହିଁ । ସମ୍ମିଳନୀରୁ ଫେରି ବସାରେ ପହୁଞ୍ଚିଲେ, ଶୂରଦେଓଙ୍କର ଉକ୍ତ ଭାଇ ମତେ ସମ୍ମିଳନୀ କଥା ପଚାରନ୍ତି । ମୁଁ ତାହାଙ୍କୁ କହେ, ‘‘ମୋର ମନ ହେଉଛି ମୁଁ କିପରି ବକ୍ତୃତା ଦିଅନ୍ତି ।’’ ମୋ ଠାରୁ ଏପରି ଉତ୍ତର ପାଇ ସେ କହନ୍ତି, ‘‘ହଁ, ଦିନ ଆସିବ, ତୁମେ ଯେବେ ଏହିପରି ସଭା ସମିତିରେ ବକ୍ତୃତା ଦେବ । ଈଶ୍ୱର ତୁମ୍ଭର ଏହି ଇଚ୍ଛା ନିଶ୍ଚୟ ପୂରଣ କରିବେ ।’’

 

ସେ ଯାହା ହେଉ ସମ୍ମିଳନୀ ଶେଷ ହେଲା । ଶୂରଦେଓଙ୍କ ସହିତ କଥା ହେବାକୁ ସମୟ ମିଳିଲା । ମୋ କଥା ଶୁଣି ସେ କହିଲେ, ‘‘ମୁଁ ଯଦି ପଢ଼େ ତେବେ ସେ ସାମୟିକ କିଛି ସାହାଯ୍ୟ କରି ପାରିବେ । ଏହାଛଡ଼ା ମିଶନ ସ୍କୁଲରେ ଯଦି ନାମ ଲେଖାଏ ତେବେ ସେତେବେଳର ସେହି ସ୍କୁଲର ହେଡମାଷ୍ଟର ହଣ୍ଡରସନ୍ ସାହେବଙ୍କୁ କହି ସ୍କୁଲରେ ମୋର ଦରମାତକ ଛାଡ଼ କରାଇ ଦେଇ ପାରିବେ । ଏଥିରେ କିନ୍ତୁ କଟକ ଆସି ପାଠ ପଢ଼ିବା ପାଇଁ ମୋର ସାହସ ପାଇଲା ନାହିଁ । ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କର ଭାଇ ଶ୍ରୀ ଦାଶରଥି ଶୂରଦେଓ କନିକା ରାଜାଙ୍କୁ ଯାଇ ସାକ୍ଷାତ କରିବା ପାଇଁ ମତେ ପରାମର୍ଶ ଦେଲେ । ସେ ଖଣ୍ଡିଏ ଦରଖାସ୍ତ ମୋ ପାଇଁ ଇଂରେଜିରେ ଲେଖିଦେଲେ । ମୁଁ ଉକ୍ତ ଦରଖାସ୍ତ ଖଣ୍ଡ ଧରି କନିକା କୋଠିକୁ ଗଲି । ଦୁଇ ଦିନ ଯିବା ଆସିବା କରିବା ପରେ କନିକା ରାଜାଙ୍କ ସହିତ ଦେଖା ମିଳିଲା । ସେ ମୋର ଦରଖାସ୍ତ ଖଣ୍ଡି ପାଠ କରି ମତେ ସଂସ୍କୃତ ପଢ଼ିବାକୁ ପରାମର୍ଶ ଦେଲେ । ‘‘ସଂସ୍କୃତ ପାଠର ଆଜିକାଲି କିଛି ମୂଲ୍ୟ ନାହିଁ, ସଂସ୍କୃତ ପଢ଼ିବାକୁ ମୋର ଇଚ୍ଛା ନୁହେଁ’’, ଏହା କହିବାରୁ, ‘‘କାହିଁକି ସଂସ୍କୃତ ପାଠର କିଛି ମୂଲ୍ୟ ନାହିଁ,’’ ଏହି କଥା ପଚାରି ସେ ମୋ ସହିତ ଟିକିଏ ଯୁକ୍ତି କଲେ । ମତେ କହିଲେ ଇଂରେଜିରେ ତାହାଙ୍କ ସହିତ କଥା ହେବାକୁ । ମୁଁ ସବୁ କଥା ଇଂରେଜିର କହି ପାରେ ନାହିଁ । ଇଂରେଜି କହୁ କହୁ ଓଡ଼ିଆ ମିଶାଇ କହିଦିଏ । ମୋ କଥା ଶୁଣିବାକୁ ତାହାଙ୍କୁ ବୋଧହୁଏ ଭଲ ଲାଗୁଥାଏ । ଏଥିପାଇଁ ସେ ମତେ ଇଆଡ଼ୁ ସିଆଡ଼ୁ କେତେକ କଥା ପଚାରି ଶେଷରେ ମାସରେ ପ୍ରଥମେ ଦୁଇଟି କରି ଟଙ୍କା ସାହାଯ୍ୟ ଦେବାକୁ କହିଲେ । ସ୍କୁଲରେ ନାମ ଲେଖାଇ ଅଧ୍ୟୟନ କଲେ, ମୁଁ କିପରି ପଢ଼ୁଛି, ଏହା ଦେଖିଲା ପରେ ସେ ଅଧିକା କିଛି ସାହାଯ୍ୟ କରିବାକୁ ଆଶା ଦେଲେ । ଏହି ଦୁଇଟଙ୍କା ପୁଣି ତିନି ମାସ ପାଇଁ-। ସ୍କୁଲରେ ତିନି ମାସ ଅଧ୍ୟୟନ କଲା ପର ଯାହା ସାହାଯ୍ୟ କରିବାର ହେବ ସେ ତାହା ଦେବେ ।

 

ସେ ଯାହା ହେଉ କଟକରେ ଆସି ଅଧ୍ୟୟନ କରିବା ପାଇଁ ମୋର ଟିକିଏ ଆଶା ହେଲା-। ମୁଁ ନିଶ୍ଚୟ କଲି କଟକରେ ରହି ସ୍କୁଲରେ ନାମ ଲେଖାଇ କିଛି ସମୟ ଆଉ ଚେଷ୍ଟା କରିବି । ଏହା ସ୍ଥିର କରି ମୁଁ ନୟାଗଡ଼ ବାହାରିଲି । ଉଦ୍ଦେଶ୍ୟ, ନୟାଗଡ଼ ଠାରେ ମୋର ଲୁଗାପଟାଦି ଯାହା କିଛି ଅଛି ସେ ସବୁ ନେଇ କଟକ ଫେରିବି ।

 

କଟକ ଛାଡ଼ି ଯେଉଁଦିନ ନୟାଗଡ଼ ଯିବି ସେଦିନ ଶୁଣିଲି ଯେ ନୟାଗଡ଼ ଷ୍ଟେଟ୍‌ର ସୁପରିଣ୍ଟେଣ୍ଡେଣ୍ଟ ବାବୁ ଗୌରୀଶ୍ୟାମ ମହାନ୍ତି ପୁରୀ ଆସିଛନ୍ତି । କାରଣ ପୁରୀ ହେଉଛି ତାଙ୍କର ଘର । ଏ ସଂବାଦ ପାଇ କୃଷ୍ଣ ମତେ ପରାମର୍ଶ ଦେଲା, ପୁରୀଠାରେ ଯାଇ ଗୌରୀଶ୍ୟାମ ବାବୁଙ୍କ ସହିତ ଦେଖା କରିବାକୁ । ମୁଁ ତା’ର ପରାମର୍ଶ ଅନୁସାରେ ପୁରୀ ବାହାରିଲି । ପୁରୀ ଏପର୍ଯ୍ୟନ୍ତ ମୁଁ ଦେଖି ନ ଥାଏ । ପିଲାଦିନୁ ପୁରୀ ଜଗନ୍ନାଥଙ୍କ ନାମ ଶୁଣି ଆସିଛି । ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନ ମଧ୍ୟ ବ୍ୟଗ୍ର ହେଲା । ସେ ଯାହା ହେଉ ଏହିପରି ଭାବରେ ମୁଁ ପୁରୀ ବାହାରିଲି । କିନ୍ତୁ ପୁରୀରେ କେଉଁଠାକୁ ଯିବି ଏବଂ କେଉଁଠାରେ ରହିବି ମତେ କିଛି ଜଣା ନ ଥାଏ । ରେଲରେ ଯାଉ ଯାଉ ବାଟରେ ଜଣେ ବଙ୍ଗାଳି ଯାତ୍ରୀଙ୍କ ସହିତ ପରିଚୟ ହେଲା । ମୁଁ ତାଙ୍କ ସଙ୍ଗରେ ଯାଇ ଗୋଟିଏ ଧର୍ମଶାଳାରେ ରହିଲି । ତହିଁ ଆରଦିନ ଉପରବେଳା ଗୌରୀଶ୍ୟାମ ବାବୁଙ୍କ ଘରଠାରେ ଉପସ୍ଥିତ ହେଲି । ଶୁଣିଲି, ଗୌରୀଶ୍ୟାମ ବାବୁ ପୁରୀକୁ ଆସି ନାହାନ୍ତି । ଏ ସଂବାଦଟି ପାଇ ମୁଁ କ’ଣ କରିବି, କେଉଁଠାକୁ ଯିବି କିଛି ସ୍ଥିର କରି ପାରିଲି ନାହିଁ । ପୁରୀରୁ କିପରି ନୟାଗଡ଼ ଫେରି ଯିବି ଏହି ଚିନ୍ତା ମଧ୍ୟ ମନକୁ ଅସ୍ଥିର କଲା । ଏହିପରି ଭାବରେ ଚିନ୍ତିତ ହୋଇ ମନ ଦୁଃଖରେ ତାଙ୍କ ଘରଠାରେ ବସି ରହିଲି । ସନ୍ଧ୍ୟା ହେଲା । ତାହାଙ୍କର ସାନ ଭାଇ ରାଧାଶ୍ୟାମ ବାବୁ କଚେରୀରୁ ଫେରିଲେ । ଶ୍ରୀଯୁକ୍ତ ରାଧାଶ୍ୟାମ ମହାନ୍ତି ପୁରୀର ଜଣେ ଜଣାଶୁଣା ଓକିଲ । ସେ କଚେରୀରୁ ଫେରି ମତେ ଦେଖି ମୁଁ କିଏ ବୋଲି ପଚାରିବାରେ ମୁଁ କହିଲି, ‘‘ମୁଁ ଜଣେ ଛାତ୍ର । ନୟାଗଡ଼ ମୋର ଘର । ଆପଣଙ୍କ ସହିତ ମୋର କେତେକ କଥା ଅଛି । ଆପଣ କଚେରୀରୁ ଫେରୁଛନ୍ତି । ଆପଣଙ୍କ ସନ୍ଧ୍ୟା ନିତ୍ୟକର୍ମ ସାରନ୍ତୁ । ମୁଁ ପରେ କଥା ହେବି ।’’ ଏହା ଶୁଣି ସେ ଘରକୁ ଯାଇ ତାହାଙ୍କ ନିତ୍ୟକର୍ମ ସାରି ବୈଠକଖାନାକୁ ଫେରିଲେ । ପୁରୀ ମୁଁ କିପରି ଏବଂ କାହିଁକି ଆସିଛି ସେସବୁ ଶୁଣାଇଲି । ସେ ମୋଠାରୁ ମୋର ସମସ୍ତ ବୃତ୍ତାନ୍ତ ଶୁଣି ତାହାଙ୍କ ଘରେ ସେଦିନ ଆଶ୍ରୟ ଦେଲେ । ତା’ର ପରଦିନ ନୟାଗଡ଼ ଫେରିଯିବା ପାଇଁ ମତେ ଦୁଇଟି ଟଙ୍କା ବାଟ ଖର୍ଚ୍ଚ ଏବଂ ଗୌରୀଶ୍ୟାମ ବାବୁଙ୍କ ନିକଟକୁ ଖଣ୍ଡିଏ ସୁପାରିଶ ପତ୍ର ମଧ୍ୟ ଦେଲେ । ଶ୍ରୀଯୁକ୍ତ ରାଧାଶ୍ୟାମ ବାବୁ ମତେ ଏପରି ସହାନୁଭୂତି ଦେଖାଇବେ ବୋଲି ମୁଁ ଆଶା କରି ନ ଥିଲି । ସେ ଯାହା ହେଉ ମୁଁ ତାହାଙ୍କଠାରୁ ସୁପାରିଶ ପତ୍ର ଖଣ୍ଡି ଧରି ଠିକ୍ ସମୟରେ ନୟାଗଡ଼ରେ ଉପସ୍ଥିତ ହେଲି । ଗୌରୀଶ୍ୟାମ ବାବୁଙ୍କ ସହିତ ଦେଖାକରି ତାହାଙ୍କ ଭାଇ ଦେଇଥିବା ପତ୍ର ଖଣ୍ଡି ତାହାଙ୍କୁ ଦେଲି । ସେ ଉକ୍ତ ପତ୍ରଖଣ୍ଡି ପାଠ କରି ଆଉ ଖଣ୍ଡିଏ ଦରଖାସ୍ତ ଦେବାକୁ ମତେ କହିଲେ । ଆଉ ଖଣ୍ଡିଏ ଦରଖାସ୍ତ ଦେଇ ମୁଁ ଦଶପଲ୍ଲା ଗଲି ।

 

ଦଶପଲ୍ଲାରେ ଶ୍ରୀଯୁକ୍ତ ଭାବଗ୍ରାହୀ ବିଶ୍ୱାଳଙ୍କ ନିକଟରେ କିଛି ସାହାଯ୍ୟ ପାଇଁ ଖଣ୍ଡିଏ ଦରଖାସ୍ତ ଦେଲି । କିନ୍ତୁ ସେ ମୋର ଦରଖାସ୍ତ ଖଣ୍ଡି ପାଇ ନଥି ସାମିଲ କରି ରଖିଲେ । କୌଣସି ପ୍ରକାର କିଛି ସାହାଯ୍ୟର ଆଶା ମଧ୍ୟ ଦେଲେ ନାହିଁ । ସେ ଯାହା ହେଉ ଦଶପଲ୍ଲାରୁ ମୋର କେତେକ ପରିଚିତ ବନ୍ଧୁଙ୍କ ନିକଟରୁ ୮।୧୦ଟି ପର୍ଯ୍ୟନ୍ତ ଟଙ୍କା ସାହାଯ୍ୟ ଧରି ନୟାଗଡ଼ ଆସିଲି । ନୟାଗଡ଼ରୁ ସେହିପରି କେତୋଟି ଟଙ୍କା ମୋର ବନ୍ଧୁ ହିତାକାଂକ୍ଷୀମାନଙ୍କ ଠାରୁ ସାହାଯ୍ୟ ପାଇଲି । ଏହିତକ ଧରି ୧୯୧୧ ଜାନୁୟାରୀ ମାସ ଶେଷରେ ମୁଁ ପୁଣି ଆସି କଟକରେ ଉପସ୍ଥିତ ହେଲି । ଏଥର କଟକ ଆସି ଚାନ୍ଦନିଚୌକ ହରିହରଘାଟ ନିକଟ ଗୋଟିଏ ବସାରେ ରହିଲି । ଜୟକୃଷ୍ଣ ପଟ୍ଟନାୟକ ନାମରେ ତିଗିରିଆର ଜଣେ କଲେଜ ଛାତ୍ର ଏହି ବସାରେ ଥାନ୍ତି । ସେ ଜଣେ ଗଡ଼ଜାତର ଛାତ୍ର । ଗଡ଼ଜାତରୁ ଛାତ୍ର କିପରି କଟକରେ ଅଧିକ ସଂଖ୍ୟାରେ ପାଠ ପଢ଼ିବେ, ଏହିପରି ତାଙ୍କର ମନର ଭାବ ଥାଏ । ଏପରି ଅବସ୍ଥାରେ ତାଙ୍କର ମୋ ପ୍ରତି ଟିକିଏ ସହାନୁଭୂତି ହେବା ସ୍ୱାଭାବିକ ।

 

ଜୟିବାବୁଙ୍କ ବସାରେ ରହିଲି ସତ୍ୟ, କିନ୍ତୁ ମେସ୍‌ ଖର୍ଚ୍ଚ ଦେବି କେଉଁଠାରୁ ? ଜୟବାବୁ ଜଣେ ଛାତ୍ର । ସେ କିଛି ମୋର ଖର୍ଚ୍ଚ ଚଳାଇ ପାରିବେ ସେପରି ନୁହେଁ । ଆସିଲା ବେଳକୁ ଯେଉଁ କେତୋଟି ଟଙ୍କା ଆଣିଥିଲି, ତହିଁରୁ ଅର୍ଦ୍ଧେକ ବାଟଖର୍ଚ୍ଚ ଓ ଲୁଗାପଟା ଆଦିରେ ଖର୍ଚ୍ଚ ହୋଇ ଯାଇଛି-। ଯାହା କିଛି ଥିଲା, ତାହା କଟକରେ ଗୋଟିଏ ମାସ ଖର୍ଚ୍ଚ ଯାଏ କି ନାହିଁ । କନିକା ରାଜାଙ୍କ ସାହାଯ୍ୟ ମାସକୁ ଦୁଇ ଟଙ୍କା ହିସାବରେ ପାଇବାର କଥା । କିନ୍ତୁ ସ୍କୁଲରେ ନାମ ନ ଲେଖାଇଲେ ସେଠାରୁ ମିଳିବ ନାହିଁ । ନୟାଗଡ଼ର ସାହାଯ୍ୟ କ’ଣ କେତେ ଏବଂ କେବେ ମିଳିବ କିଛି ସ୍ଥିର ନାହିଁ-। ତା ଉପରେ ନିର୍ଭର କରି ସ୍କୁଲରେ ନାମ ଲେଖାଇବି କିପରି ? କଟକରୁ କିଛି ସାହାଯ୍ୟ ସଂଗ୍ରହ କରିବା ଆଶାରେ କେତେଜଣ ଭଦ୍ରବ୍ୟକ୍ତିଙ୍କ ନିକଟକୁ ଗଲି । କିନ୍ତୁ କାହାରିଠାରୁ କିଛି ସାହାଯ୍ୟର ଆଶା ତ ପାଇଲି ନାହିଁ, ବରଂ ଜଣେ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଏପରି ବିରକ୍ତ ହୋଇଥିଲେ ଯେ, ମୁଁ ସେମାନଙ୍କ ନିକଟରୁ ଫେରି ଆସିଲା ବେଳକୁ ନିରାଶରେ କାନ୍ଦି ପକାଉଛି ।

 

ଏଣେ ମିଶନ ସ୍କୁଲରେ ଅଧ୍ୟୟନ କରିବା ଇଚ୍ଛାରେ ସେହି ସ୍କୁଲକୁ ଯାଏ । ଶୂରଦେଓ ହଣ୍ଡରସନ୍ ସାହେବଙ୍କୁ କହିଥାନ୍ତି ମତେ ସ୍କୁଲ ଦରମା ଛାଡ଼ ଦେବାପାଇଁ । ଏହି ଦରମା ଛାଡ଼ ପାଇଁ ଖଣ୍ଡିଏ ଦରଖାସ୍ତ ଦେଇଥାଏ । ମାତ୍ର ସ୍କୁଲରେ ନାମ ଲେଖାଇ ନ ଥାଏ । ଦରମା ଛାଡ଼ ନ ପାଇଲେ ମୋର ପଢ଼ିବା ଏକାବେଳକେ ଅସମ୍ଭବ । ଏପରି ଅବସ୍ଥାରେ ନାମ ଲେଖାଇବି କିପରି? ମିଶନ ସ୍କୁଲରେ ୪ର୍ଥ ଶ୍ରେଣୀର ଦରମା ମାସକୁ ୧। । ଦୁଇମାସର ଦରମା, ନାମ ଲେଖାଇବା ଫିସ ଏହିପରି ତିନିଟଙ୍କା ବାରଅଣା ଦେଲେ ମୋର ନାମ ଲେଖା ହେବ । ଏତେ ଟଙ୍କା ମୁଁ ଦେଉଛି କେଉଁଠାରୁ ? ସୁତରାଂ ସ୍କୁଲରେ ମୋର ନାମ ନ ଥାଏ । ମୁଁ ଯାଇ ସ୍କୁଲରେ ସେହିପରି ଭାବରେ ବସେ । ବହିପତ୍ର ମଧ୍ୟ ପଢ଼ିବାକୁ କିଛି ନ ଥାଏ । ଶିକ୍ଷକମାନେ ଅନୁଗ୍ରହ କରି ମତେ କେହି କିଛି କହନ୍ତି ନାହିଁ । ମାତ୍ର ସ୍କୁଲର କିରାନୀ ନାମ ନ ଲେଖାଇ କ୍ଳାସରେ ବସିବାର ଜାଣିପାରି ମତେ ଆସି କ୍ଳାସରୁ ତଡ଼ି ଦିଅନ୍ତି ।

 

ଏହିପରି ଭାବରେ ଦୁଇ ତିନି ମାସ ବିତିଗଲା । କନିକା ରାଜାଙ୍କ ସାହାଯ୍ୟ ମାସକୁ ଦୁଇଟଙ୍କା ହିସାବରେ ତିନିମାସରେ ଛଟି ଟଙ୍କା ଆଣିଲି । କନିକା ରାଜା ବିଲାତ ଚାଲିଯାଇଥିବାରୁ ତାହାଙ୍କ ସହିତ ଆଉ ଦେଖା ହୋଇ ପାରିଲା ନାହିଁ । ସେ ବିଲାତରୁ ଫେରିଲା ବେଳକୁ ତାଙ୍କଠାରୁ ସାହାଯ୍ୟ ଆଣିବା ମୋର ଦରକାର ନ ଥିଲା । ସେ ଯାହାହେଉ ଏପର୍ଯ୍ୟନ୍ତ କଟକରେ ରହି ମୁଁ କିଛି ବିଶେଷ ସୁବିଧା କରି ପାରିଲି ନାହିଁ । ନୟାଗଡ଼ରୁ ମଧ୍ୟ କିଛି ଆଶାର ସମ୍ବାଦ ପାଇ ନାହିଁ । ଦିନକୁ ଦିନ କଟକରେ ରହି ଅଧ୍ୟୟନ କରିବାର ସମସ୍ତ ପ୍ରକାର ଆଶା ଲୋପ ପାଉଛି । ଇତିମଧ୍ୟରେ ଜୟକୃଷ୍ଣ ବାବୁ ହଠାତ୍ ନିମୋନିଆ ରୋଗରେ ପୀଡ଼ିତ ହେଲେ । ତିଗିରିଆରୁ ତାହାଙ୍କର ପିତା ଆସି ବହୁତ ଚିକିତ୍ସା କରାଇଲେ । କିନ୍ତୁ କାହିଁରେ କିଛି ହେଲା ନାହିଁ । ତାହାଙ୍କର ଜୀବନ ସେହି ରୋଗରେ ନିର୍ବାଣପ୍ରାପ୍ତ ହେଲା । ଜୟିବାବୁଙ୍କ ମୃତ୍ୟୁରେ ମୁଁ ମଧ୍ୟ ଅତ୍ୟନ୍ତ ଅଧୀର ହୋଇ ପଡ଼ିଲି । କଟକରେ ରହି ଅଧ୍ୟୟନ କରିବାର ମୋର ସମସ୍ତ ଆଶା ଲୋପ ପାଇଲା । ତଥାପି ଆଉ କିଛିଦିନ ରହି ଭାଗ୍ୟ ପରୀକ୍ଷା କରିବାକୁ ସାହସ କଲି । ମନର ଏପରି ଅବସ୍ଥାରେ ଦିନେ କ୍ଳାସରୁ କିରାନୀ ବାବୁ ମତେ ବାହାର କରିଦେଲେ । ସେଦିନ ମୁଁ ଆଉ ଧୈର୍ଯ୍ୟ ଧରି ନ ପାରି କାନ୍ଦି ପକାଇଲି । ମତେ ଏପରି କାନ୍ଦିବାର ଦେଖି କ୍ଳାସର ସମସ୍ତ ଛାତ୍ର ଓ ଶିକ୍ଷକ ମୋ ପ୍ରତି ଅତ୍ୟନ୍ତ ସହାନୁଭୂତି ଦେଖାଇଥିଲେ । ସେତେବେଳକୁ ଶ୍ରୀଯୁକ୍ତ ଦୈତ୍ୟାରି ମିଶ୍ର କ୍ଲାସରେ ପଢ଼ାଉଥାନ୍ତି । ସେ ସେହି ମୁହୂର୍ତ୍ତରେ ନାମ ଲେଖା ଫିଟ ୧। ଦେଇ ସ୍କୁଲରେ ମୋର ନାମ ଲେଖାଇ ଦେଲେ । କଥା ହେଲା, ସ୍କୁଲ ଦରମା ଯଦି ମୋର ଛାଡ଼ ହୋଇଯାଏ ତେବେ ମୋତେ ଆଉ କିଛି ଦେବାକୁ ପଡ଼ିବ ନାହିଁ, ନଚେତ୍ ଗତମାସର ବାକି ଦରମା ମତେ ଦେବାକୁ ପଡ଼ିବ । ତେଣିକି ଦରମା ଦେଇ ପାରିଲେ ସ୍କୁଲରେ ପଢ଼ିବି, ନଚେତ୍ ସ୍କୁଲ ଛାଡ଼ିବାକୁ ହେବ ।

 

ଏହିପରି ଆଶା ନିରାଶା ଭିତରେ ମୋର ଜୀବନ ଅତିବାହିତ ହେଉଥାଏ । ଦିନେ ଦିନେ ଆଶାରେ ପ୍ରାଣ ପୂରି ଉଠେ, ଦିନେ ଦିନେ ନିରାଶାରେ ଚାରିଦିଗ ଅନ୍ଧକାର ଦେଖାଯାଏ । ପାଠ ନ ପଢ଼ିଲେ ମୁଁ କୁଆଡ଼େ ଯିବି ଏବଂ କ’ଣ କରିବି କିଛି ବାଟ ଦେଖାଯାଏ ନାହିଁ । ଏହିପରି ଅବସ୍ଥାରେ ପୁଣି ଦଶପଲ୍ଲା ଫେରି ଯିବାକୁ ମନ ଡାକେ ନାହିଁ । ଦଶପଲ୍ଲା ଫେରି ଯାଇ ଅବା କ’ଣ କରିବି, କେଉଁଠାରେ ରହିବି । ଏପରି ଅବସ୍ଥାରେ କଟକରେ ସୁଖ ଦୁଃଖରେ ପଡ଼ି ରହି ଭାଗ୍ୟ ପରୀକ୍ଷା କରିବା ଦରକାର । ଏହି ସମୟରେ ବର୍ତ୍ତମାନର ଆଚାର୍ଯ୍ୟ ହରିହର ଦାସ କଟକରେ ଥାନ୍ତି । ସେ ମହାଶୟ ସେତେବେଳକୁ କଟକ ଏକାଡେମୀ ସ୍କୁଲରେ ଶିକ୍ଷକ । ମୋର ଏପରି ଅନିଶ୍ଚିତ ଅବସ୍ଥାରେ ତାହାଙ୍କ ସହିତ ଦେଖା ହୋଇଥିଲା । ଏପରି କଠୋର ସଂଗ୍ରାମ କରି ବର୍ତ୍ତମାନ ଶିକ୍ଷା ଲାଭରେ କୌଣସି ମୂଲ୍ୟ ନାହିଁ ବୋଲି ସେ ମତେ ବୁଝାଇଥିଲେ । ତାହାଙ୍କ ସହିତ ବହୁତ ଯୁକ୍ତି ପରେ ସେ ପୁଣି ମତେ ସ୍କୁଲରେ ପଢ଼ିବାକୁ ପରାମର୍ଶ ଦେଲେ ।

 

କ୍ରମେ ମାର୍ଚ୍ଚ ଶେଷ ହୋଇ ଅପ୍ରେଲ ମାସ ଆରମ୍ଭ ହେଲା । ଦିନକୁ ଦିନ ମୋର ନୈରାଶ୍ୟ ବଢ଼ିବାକୁ ଲାଗିଲା । ଆଉ କୌଣସି ଉପାୟ ନ ପାଇ ଶେଷରେ କଟକ ଛାଡ଼ି ଯିବାକୁ ନିଶ୍ଚୟ କଲି । କଟକ ଛାଡ଼ି ଦଶପଲ୍ଲା କିମ୍ବା ନୟାଗଡ଼ କେଉଁଠାକୁ ଯିବି, ସେଠାରେ ଯାଇ କ’ଣ କରିବି ଏହି କଥା ଭାବୁଛି, ଇତି ମଧ୍ୟରେ ମୁଁ ଶ୍ରୀଯୁକ୍ତ ରେବା ରାୟଙ୍କ ନାମ ଶିୁଣିଲି । ମୁଁ ତାହାଙ୍କ ନିକଟରେ ଉପସ୍ଥିତ ହୋଇ କିଛି ସାହାଯ୍ୟ ପାଇଁ ଅନୁରୋଧ କଲି । କଟକରେ ରେବା ରାୟ ଗୋଟିଏ ଉଚ୍ଚ ଇଂରେଜି ବାଳିକା ସ୍କୁଲ ସ୍ଥାପନ କରିଥିଲେ । ନାନା କାରଣରୁ ସ୍କୁଲଟି ରହି ପାରିଲା ନାହିଁ । ସ୍କୁଲଟି ଭାଙ୍ଗିଯିବାରୁ ତାଙ୍କର ପିତା ଶ୍ରୀ ଜଗନ୍ନାଥ ରାଓଙ୍କର କାଫୁଲବଜାରରେ ଥିବା କୋଠାରେ ସେ ରହିଥାନ୍ତି । ତାହାଙ୍କ ପିତା ଜଗନ୍ନାଥ ରାଓ ବୌଦ ଷ୍ଟେଟ୍‌ର ଦେଓ୍ୟାନ । ବୌଦରୁ ଖର୍ଚ୍ଚ ଆସିଲେ ସେ ଚଳନ୍ତି । ତାହାଙ୍କର ଦୁଇ ପୁତ୍ର ସେତେବେଳକୁ ସ୍କୁଲରେ ଅଧ୍ୟୟନ କରୁଥାନ୍ତି । ଏପରି ଅବସ୍ଥାରେ ମଧ୍ୟ ସେ ମୋର କଥାରେ ତରଳି ଯାଇ ମତେ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଆଶା ଦେଲେ । ମୁଁ ଯାଇ ତାହାଙ୍କର କାଫୁଲାବଜାର ବସାରେ ରହିଲି । ସେ କେବଳ ଖାଇବା ପିନ୍ଧିବାର ଯେ ସମସ୍ତ ଭାର ବହନ କଲେ ତାହା ନୁହେଁ, ବହିପତ୍ର ମଧ୍ୟ କିଣି ଦେଲେ । ମୋର ସ୍କୁଲ ଦରମା ମଧ୍ୟ ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ତାହାଙ୍କଠାରୁ ସ୍କୁଲ ଦରମାପାଇଁ ଟଙ୍କା ନେବାର ଆବଶ୍ୟକ ହୋଇ ନ ଥିଲା । ଏହି ଘଟଣାର ୩।୪ ଦିନ ପରେ ସ୍କୁଲରେ ମୋର ପୂରା ଦରମା ଛାଡ଼ ହୋଇଥିବାର ସଂବାଦ ପାଇଲି । ଏହିସବୁ ଏକ ସପ୍ତାହ ମଧ୍ୟରେ ଘଟିଲା । ମୋର ନୈରାଶ୍ୟର ଯେପରି ସୀମା ନ ଥିଲା ବର୍ତ୍ତମାନ ମୋର ଆନନ୍ଦର ତଦ୍ରୂପ ସୀମା ରହିଲା ନାହିଁ । ରେବା ରାୟ ମୋର ପଢ଼ିବାର ସଂପୂର୍ଣ୍ଣ ଭାର ଗ୍ରହଣ କରି ମତେ କହିଲେ, ‘‘ଗୋବିନ୍ଦ, ଭଲ କରି ପାଠ ପଢ଼, କିନ୍ତୁ ପାଠ ପଢ଼ି ତୁମ୍ଭେ ଦୀନ ଦୁଃଖୀଙ୍କ କଥା ଯେପରି ଭୁଲି ନ ଯାଅ-ଏତିକି ମୋର ତୁମ୍ଭଙ୍କୁ ଅନୁରୋଧ ଓ ଉପଦେଶ ।’’

 

ଏହିପରି ଭାବରେ ମୁଁ ଆସି ରେବା ରାୟଙ୍କ ଘରେ ରହିଲି । ସଚି ରାୟ ଓ ସୁଧୀରଚନ୍ଦ୍ର ରାୟ ନାମରେ ରେବା ରାୟଙ୍କର ଦୁଇଟି ପତ୍ର । ଏ ସଚି ବାବୁ ସେହି ବର୍ଷ ମାଟ୍ରିକ୍ ପରୀକ୍ଷା ଦେଉଥାନ୍ତି । ସୁଧୀର ବାବୁଙ୍କ ଡାକ ନାମ ଫୁଟୁ ବାବୁ । ଫୁଟୁ ବାବୁ କଲେଜିଏଟ୍ ସ୍କୁଲର ସେକଣ୍ଡ କ୍ଳାସରେ ଅଧ୍ୟୟନ କରୁଥାନ୍ତି । ଫୁଟୁ ବାବୁ ବୟସରେ ମୋଠାରୁ ସାନ ହେଲେ ମଧ୍ୟ ପଢ଼ାଶୁଣା ଓ ସାଧାରଣ ଜ୍ଞାନ ତାଙ୍କର ମୋଠାରୁ ବହୁତ ବେଶୀ । କ୍ଳାସ ପଢ଼ାପଢ଼ିରେ ମୁଁ ତାଙ୍କଠାରୁ ବହୁତ ସାହାଯ୍ୟ ପାଇଥିଲି । ଦୁହିଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଶୀଘ୍ର ବଢ଼ିଗଲା । ଦୁହେଁ ଏକାଠି ବସି ପାଠ ପଢ଼ୁ, ଏକ ସଙ୍ଗରେ ଖେଳୁ, ଗଛରେ ଚଢ଼ି ପିଜୁଳି ବେଲ ଖାଉ, ସଚି ବାବୁଙ୍କୁ ଦାଦା ବୋଲି ଡାକୁ । ରେବା ରାୟଙ୍କୁ ମା ବୋଲି ମୁଁ ସଂବୋଧନ କରେ । ଏହି ସଚି ଦାଦାଙ୍କୁ ଯେତେ ଭୟ ମାଙ୍କୁ ତେତେ ଭୟ ନ ଥାଏ । ଆମ୍ଭ ଦୁହିଙ୍କ ମଧ୍ୟରୁ କାହାରିକି ଗଛରେ ଚଢ଼ିବାର ଦେଖିଲେ, ସଚି ଦାଦା ଭାରୀ ଗାଳି ଦିଅନ୍ତି । ପଢ଼ିବା ସମୟରେ ନ ପଢ଼ି ବସି ଗଳ୍ପ କରୁଥିଲେ ସେ ମଧ୍ୟ ମାଙ୍କୁ କହି ଗାଳି ଦିଅନ୍ତି-। ରେବା ରାୟ ସକାଳ ବେଳା ୩।୪ ଘଣ୍ଟା ସମୟ ଗୋଟିଏ ଗଛତଳେ ବସି ଉପାସନାରେ ସମୟ କଟାଇ ଦିଅନ୍ତି । ଦିନରେ ଥରେ ମାତ୍ର ଭୋଜନ କରନ୍ତି । ଅନେକ ସମୟରେ କହନ୍ତି, ଦୀନ ଦରିଦ୍ରଙ୍କ ସେବା ଭଗବାନଙ୍କର ଯଥାର୍ଥ ସେବା । ଏସବୁ ମୁଁ ଶୁଣେ, କିନ୍ତୁ କିଛି ହୃଦୟଙ୍ଗମ କରି ପାରେ ନାହିଁ ।

 

ଏହିପରି ଭାବରେ ଅତି ଅଳ୍ପ ଦିନରେ ମୁଁ ତାଙ୍କ ପରିବାରର ଜଣେ ନିଜର ଲୋକ ହୋଇ ଯାଇଥିଲି । ମୋର ମନରୁ ସମସ୍ତ ଚିନ୍ତା, ଦୁଃଖ ଓ ଭାବନା ପାସୋର ଯାଇଥିଲା । ଇତି ମଧ୍ୟରେ ନୟାଗଡ଼ ଷ୍ଟେଟରୁ ମୁଁ ଖଣ୍ଡିଏ କାର୍ଡ ପାଇଲି । ତହିଁରେ ଲେଖା ଥିଲା, ମାସରେ ନଅଟଙ୍କା ହିସାବରେ ମୋର ଗୋଟିଏ ବୃତ୍ତି (Scholarship) ମଞ୍ଜୁର ହୋଇଛି । ଏହି ସଂବାଦ ପାଇ ମୁଁ ପ୍ରଥମେ ବିଶ୍ଵାସ କରି ପାରିଲି ନାହିଁ । ପତ୍ରଖଣ୍ଡି ୫।୭ ଥର କରି ପାଠ କଲା ପରେ ମନରେ ବିଶ୍ୱାସ ଜନ୍ମିଲା । ଏ ସଂବାଦରେ ମୋର ଆନନ୍ଦର ସୀମା ରହିଲା ନାହିଁ । ରେବା ରାୟଙ୍କୁ ଏ ସଂବାଦ ଦେଲି । ସେ ଏହା ଶୁଣି ଭାରୀ ଖୁସି ହୋଇ କହିଲେ, ‘‘ଭଗବାନ ଯେତେବେଳେ ସାହାଯ୍ୟ କରନ୍ତି, ଏହିପରି ସାହାଯ୍ୟ କରନ୍ତି ।’’

 

ଏ ସଂବାଦରେ ମୁଁ ଟିକିଏ ଆତ୍ମବିହ୍ୱଳ ହୋଇଗଲି । ମାସକୁ ନଅଟଙ୍କା ମତେ ବୋଧ ହେଲା ନଅଶହ ପରି । ଏତେଗୁଡ଼ାଏ ଟଙ୍କା ମୁଁ କ’ଣ କରିବି, କିପରି ଖର୍ଚ୍ଚ କରିବି, ମୁଁ କିଛି ବୁଝି ପାରିଲି ନାହିଁ । ମନର ଏପରି ଅବସ୍ଥାରେ, ଦିନେ ତିନିମାସର ସାହାଯ୍ୟ ଏକକାଳୀନ ଟ୨୭ଙ୍କା ମନିଅର୍ଡର ପହଞ୍ଚିଲା । ମନିଅର୍ଡର ମୁଁ ସ୍କୁଲରେ ପାଇଲି । ସ୍କୁଲ ଛୁଟି ପରେ ବସାକୁ ଫେରି ସବୁତକ ଟଙ୍କା ରେବା ରାୟଙ୍କ ନିକଟରେ ନେଇ ରଖିଦେଲି । ରେବା ରାୟ ଏତେ ଟଙ୍କା କିପରି ମୁଁ ପାଇଲି ବୋଲି ପଚାରିବାରେ ଗତ ତିନିମାସର ଟଙ୍କା ଏକକାଳୀନ ଆସିଛି ବୋଲି ମୁଁ ବୁଝାଇ ଦେଲି । ରେବା ରାୟ କହିଲେ, ‘‘ଏ ଟଙ୍କା ମତେ କାହିଁକି ଦେଉଛ ? ତୁମେ ନେଇ ପାଖରେ ରଖ । ତୁମର ଅନେକ ଅସୁବିଧା ଥିବ । ତୁମେ ତୁମର ସୁବିଧା ଦେଖି ଖର୍ଚ୍ଚ କରିବ । ମୋ ନିକଟରେ ରଖାଇଲେ, ମୋଠାରୁ ନେଇ ଖର୍ଚ୍ଚ କରିବାକୁ ତୁମଙ୍କୁ ଟିକିଏ ଅଡ଼ୁଆ ବୋଧ ହେବ ।’’ ରେବା ରାୟଙ୍କଠାରୁ ଏହା ଶୁଣି ମୁଁ କହିଥିଲି, ‘‘ମୋର କୌଣସି ଦରକାର ନାହିଁ । ମୋର ଯାହା ଦରକାର ହେଉଛି ଆପଣ ଦେଉଛନ୍ତି । ଟଙ୍କା ନେଇ ମୁଁ କ’ଣ କରିବି ?’’ ମୋଠାରୁ ଏପରି ଉତ୍ତର ଶୁଣିଲା ପରେ ରେବା ରାୟ ଟିକିଏ ମତେ ଚାହିଁ, ‘‘ହଉ ତୁମର ଟଙ୍କା ମୋ ନିକଟରେ ଜମା ରହିଲା’’ ଏତିକି କହି ଟଙ୍କାତକ ରଖିଥିଲେ । ଏହାପରେ ଗ୍ରୀଷ୍ମ ଛୁଟି ହେଲା । ସେହିବର୍ଷ ରେବା ରାୟ, ତାଙ୍କର ପୁତ୍ର କନ୍ୟାଙ୍କୁ ଧରି ବୌଦ ତାହାଙ୍କ ପିତାଙ୍କ ନିକଟକୁ ଗଲେ । ମୁଁ ମଧ୍ୟ ଛୁଟିରେ ଦଶପଲ୍ଲା ବାହାରିଲି ।

 

ଛୁଟିରେ ଦଶପଲ୍ଲାକୁ ଗଲି । ଏଥର ଦେଖୁଛି ସମସ୍ତଙ୍କ ବ୍ୟବହାର ଅନ୍ୟ ପ୍ରକାରର । ସମସ୍ତଙ୍କ ନିକଟରୁ ସ୍ନେହ ଆଦର ମିଳୁଛି । ମୁଁ କଟକରେ ଅଧ୍ୟୟନ କରିବା ହେତୁରୁ ଦଶପଲ୍ଲାରେ ମୋ ପ୍ରତି ସମସ୍ତେ ଟିକିଏ ଆକୃଷ୍ଟ ହୋଇଛନ୍ତି । କାରଣ ଦଶପଲ୍ଲାରୁ ଏପର୍ଯ୍ୟନ୍ତ କେହି କଟକ ପାଠ ପଢ଼ିବାକୁ ଯାଇ ନାହାନ୍ତି, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ । ନୟାଗଡ଼ରେ ମୁକ୍ତିୟାରି କରୁଥିବା ଶ୍ରୀଯୁକ୍ତ ଲିଙ୍ଗରାଜ ଦାସଙ୍କୁ ଛାଡ଼ି ଦେଲେ ଏପର୍ଯ୍ୟନ୍ତ ଆଉ କେହି କଟକରେ ପଢ଼ି ଏଟ୍ରାନ୍ସ କିମ୍ବା ମାଟ୍ରିକ୍ ପାସ କରି ନାହାନ୍ତି । ମୋ ପୂର୍ବରୁ ଲିଙ୍ଗରାଜ ପଣ୍ଡା ଓ ତ୍ରିଲୋଚନ ମିଶ୍ର ନାମରେ ଦୁଇଟି ଛାତ୍ର କଟକ ଯାଇ ସ୍କୁଲରେ ନାମ ଲେଖାଇଥିଲେ । ମାତ୍ର ସେମାନେ କିଛି ସମୟ ରହି ଫେରି ଆସିଥିଲେ । କୃଷ୍ଣ ଅବଶ୍ୟ କଟକରେ ପଢ଼ୁଛି, କିନ୍ତୁ ସେ ଏଣିକି ନୟାଗଡ଼ର ଛାତ୍ର କହିଲେ ଚଳେ । ବହୁବର୍ଷ ପରେ ମୁଁ ଦଶପଲ୍ଲାରୁ କଟକକୁ ଅଧ୍ୟୟନ କରିବାକୁ ଆସୁଛି । ଏପରି ଅବସ୍ଥାରେ ମୋ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକୃଷ୍ଟ ହେବା ସ୍ୱାଭାବିକ । ସେ ଯାହା ହେଉ, ଛୁଟିରେ ମୁଁ ଦଶପଲ୍ଲା, ଖଣ୍ଡପଡ଼ା ଓ ନୟାଗଡ଼ ହୋଇ ଯଥାସମୟରେ କଟକରେ ଉପସ୍ଥିତ ହେଲି । କଟକ ଫେରିବା ପୂର୍ବରୁ ସ୍ଥିର କରିଥାଏ, ରେବା ରାୟଙ୍କଠାରୁ ସାହାଯ୍ୟ ଗ୍ରହଣ କରିବା ମୋର ଆଉ ଦରକାର ନାହିଁ । ମୁଁ ତାହାଙ୍କ ଘର ଛାଡ଼ି ହରିହର ଘାଟ ବସାରେ ଆସି ରହିବି । କଟକ ଫେରିଲା ବେଳକୁ ରେବା ରାୟ ମଧ୍ୟ ବୌଦରୁ ଫେରିଥାନ୍ତି । ମୁଁ ତାହାଙ୍କୁ ତାହାଙ୍କ ଘର ଛାଡ଼ିବା କଥା କହିଲି । ମୁଁ କହିଲି, ‘‘ମାସକୁ ନଅଟଙ୍କା ମୁଁ ନୟାଗଡ଼ରୁ ସାହାଯ୍ୟ ପାଇଲି । ଏଥିରେ ମୁଁ ଆନନ୍ଦରେ ଚଳି ପାରିବି । ମୋର କୌଣସି ଅସୁବିଧା ହେବ ନାହିଁ । ଆପଣ ମତେ ଯେଉଁ ସାହାଯ୍ୟ ଦେଉଛନ୍ତି, ତାହା ଆଉ ଗୋଟିଏ କେହି ଗରିବ ଛାତ୍ର ପାଇଲେ ସେ ପଢ଼ି ପାରିବ । ସୁତରାଂ ଆପଣଙ୍କ ସାହାଯ୍ୟ ଗ୍ରହଣ କରିବା ମୋର ଆଉ ଆବଶ୍ୟକ ନାହିଁ ।’’ ମୋଠାରୁ ଏପରି ପ୍ରସ୍ତାବ ଶୁଣି ରେବା ରାୟ ଅତ୍ୟନ୍ତ ଖୁସି ହୋଇ କହିଥିଲେ, ‘‘ଗୋବିନ୍ଦ, ତୁମ୍ଭର କଥା ଶୁଣି ମୁଁ ବଡ଼ ଆନନ୍ଦିତ ହେଲି । ଭଗବାନ ତୁମ୍ଭର ମଙ୍ଗଳ କରିବେ । ତୁମ୍ଭେ ମନ ଦେଇ ପାଠ ପଢ଼ ।’’

 

ଏହିପରି ଭାବରେ ରେବା ରାୟଙ୍କଠାରୁ ବିଦାୟ ନେଇ ତାହାଙ୍କ ଘର ଛାଡ଼ି ଆସି ହରିହର ଘାଟରେ ରହିଲି । ଜୟକୃଷ୍ଣ ବାବୁଙ୍କ ମୃତ୍ୟୁ ପରେ ଏହି ବସାରେ ବାବୁ ଗୁଣନିଧି ମହାନ୍ତି ଥାନ୍ତି, କେତୋଟି ଛାତ୍ର ମଧ୍ୟ ତାଙ୍କ ବସାରେ ଥାନ୍ତି । ଗୁଣନିଧି ବାବୁ ବର୍ତ୍ତମାନ ଜଣେ କଂଗ୍ରେସ କର୍ମୀ । କିନ୍ତୁ ସେତେବେଳେ ସେ ଓଭରସିଅର ଚାକିରୀ କରୁଥିଲେ । ତାହାଙ୍କ ନିକଟରେ କଟକ ସର୍ଭେସ୍କୁଲରେ ଅଧ୍ୟୟନ କରୁଥିବା କେତେକ ଛାତ୍ର ଓ ସ୍କୁଲ ଛାତ୍ର ମଧ୍ୟ ଥାନ୍ତି । ଏହିଠାରେ ଦଶପଲ୍ଲାର ଭୂତପୂର୍ବ ହେଡମାଷ୍ଟର ବାବୁ ବାସୁଦେବ ପଟ୍ଟନାୟକ ମଧ୍ୟ ବସା କରି ରହିଥାନ୍ତି । ଏହି ବର୍ଷ ୧୯୧୧ ମସିହା, ଏ ବର୍ଷ କାଠଯୋଡ଼ିରେ ପାଣି ୨୭ ଫୁଟ, କଟକରେ ହଇଜା । ଏହି ମେସ୍‌ରେ ରହିଲା ପରେ ମୋର ନାଳରକ୍ତ ଝାଡ଼ା ହେଲା । ଦିନରେ ୫୦ କିମ୍ବା ୬୦ ଥର ରକ୍ତ ଝାଡ଼ା ହୁଏ । ମୋର ଅବସ୍ଥା ଅତି ସାଙ୍ଘାତିକ ହେଲା । ବଞ୍ଚିବାର ଆଶା ରହିଲା ନାହିଁ । ମୁଁ କଥା କହି ପାରେ ନାହିଁ । ଆଖି ଖୋଲି ଚାହିଁପାରେ ନାହିଁ । ବିଛଣାରୁ ଉଠିବା ଦୂରର କଥା । ଏହିପରି ଅବସ୍ଥାରେ ବାସୁବାବୁ ନ ଥିଲେ ମୋର ପ୍ରାଣ ରହି ନ ଥାନ୍ତା । ଗୁଣନିଧି ବାବୁ ଓ ବାସୁବାବୁ ମୋର ବହୁତ ସେବା କରିଥିଲେ । ଏମାନଙ୍କ ସେବା ଶୁଶ୍ରୂଷାରେ ମୁଁ ଟିକିଏ ଆରୋଗ୍ୟ ଲାଭ କଲା ପରେ ଦଶପଲ୍ଲା ଚାଲିଗଲି । ଏହି ରୋଗରୁ ପୂର୍ଣ୍ଣ ଆରୋଗ୍ୟ ଲାଭ କଲାବେଳକୁ ଛ ମାସ ଚାଲିଗଲା । ବର୍ଷ ଶେଷ ହେଲା । ସେହି ବର୍ଷ ମୋର ଆଉ ପାଠ ପଢ଼ା ହୋଇ ନାହିଁ ।

 

ଡିସେମ୍ବର ମାସରେ ମୁଁ କଟକ ଫେରିଲି । ଏଥର ଆସି ମିଶନ ସ୍କୁଲ ହିନ୍ଦୁ ହଷ୍ଟେଲରେ ରହିଲି । ବାର୍ଷିକ ପରୀକ୍ଷା ଆଉ ୧୫।୨୦ ଦିନ ମାତ୍ର ଅଛି । ଏଥିରେ ପାଠ ପଢ଼ି ପରୀକ୍ଷା ଦେବା ଅସମ୍ଭବ । ତଥାପି ପରୀକ୍ଷା ଦେଲି । ଇଂରେଜୀ, ଅଙ୍କ, ଓଡ଼ିଆ ଛଡ଼ା ଅନ୍ୟାନ୍ୟ ସମସ୍ତ ବିଷୟରେ କିଛି ଲେଖି ପାରିଲି ନାହିଁ । ସୁତରାଂ ପ୍ରମୋଶନ ଆଉ ପାଇ ପାରିଲି ନାହିଁ । ପ୍ରମୋଶନ ନ ପାଇବାରୁ ମନଦୁଃଖ ହୋଇ ନାହିଁ । ଜୀବନରୁ କେତେ ବର୍ଷ ଏହିପରି ବୃଥା ଯାଇଛି, ଏ ବର୍ଷ ରୋଗଶଯ୍ୟାରେ ଗଲା । ଏଥିପାଇଁ ଦୁଃଖ କରିବାର କାରଣ କ’ଣ ଅଛି । ବର୍ଷ ଆରମ୍ଭରୁ ଯେଉଁମାନେ ସାଥିରେ ଥିଲେ ସେମାନେ ଅଲଗା ହୋଇଗଲେ, ଏଥିପାଇଁ ଟିକିଏ ଦୁଃଖ ହେଲା । ନୟାଗଡ଼ ଷ୍ଟେଟରୁ ଚାରିବର୍ଷ ପାଇଁ ସାହାଯ୍ୟ ମିଳିଛି । ତହିଁରୁ ଗୋଟିଏ ବର୍ଷର ସାହାଯ୍ୟ ଶେଷକୁ କମତି ପଡ଼ିବ, କେବଳ ଏହି ଚିନ୍ତା ମନରେ ଟିକିଏ ଦୁଃଖଭାବ ସଂଚାର କରିଥିଲା ।

 

ସେ ଯାହା ହେଉ ୧୯୧୨ ରେ ମୁଁ ପୁଣି ସେହି ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କଲି । ରେବା ରାୟଙ୍କ ଘର ଛାଡ଼ି ଆସିଥିଲେ ମଧ୍ୟ ପ୍ରତି ସପ୍ତାହରେ ୨।୩ ଥର ଯାଏ । ଫୁଟୁ ବାବୁଙ୍କ ସହିତ ବସି ଗପ କରିବା, ବଗିଚାରେ ବୁଲି ଫଳ ଖାଇବା, ଏ ସବୁ ଏବଂ ରେବା ରାୟଙ୍କ ସ୍ନେହ ସହାନୁଭୂତି ମତେ ତାଙ୍କ ଘରକୁ ଟାଣିନିଏ । ଫୁଟୁ ବାବୁ ମୋତେ ଅନେକ ସମୟରେ ପଚାରନ୍ତି, ‘‘ଗୋବିନ୍ଦ, ତୁମେ ପାଠ ପଢ଼ି କ’ଣ କରିବ ?’’ ରେବା ରାୟ କହନ୍ତି, ‘‘ମନୁଷ୍ୟ ଜନ୍ମ ହୋଇଛି, ଦେଶର କିଛି ମଙ୍ଗଳ କରିବ । ଦେଶପାଇଁ, ପରପାଇଁ ଯେ କିଛି ନ କରେ ତା’ର ଜୀବନ ବୃଥା ।’’ ଏ ସବୁ ମୁଁ ଶୁଣେ, କିନ୍ତୁ ସେ କଥା ମୋର ବୁଦ୍ଧିରେ ପ୍ରବେଶ କରି ପାରେ ନାହିଁ । ମୁଁ ଭାବେ, ପରପାଇଁ ମୁଁ ଅବା କିଛି କରି ପାରେ, କିନ୍ତୁ ଦେଶପାଇଁ ମୁଁ କ’ଣ କରିବି ? ମୋଦ୍ୱାରା ଦେଶର କ’ଣ ଉପକାର ହେବ ? ଯେଉଁଦିନ ମୁଁ ତାହାଙ୍କ ଘରକୁ ଯାଏ ସେହିଦିନ ମୋ ମନରେ ଏହିପରି କେତେକ ଭାବ ଜାତ ହୁଏ ।

 

ଇତିମଧ୍ୟରେ କଟକ ବାସନ୍ତୀ ଥିଏଟର ଘରେ ରାଣୀ ଦୁର୍ଗାବତୀ ନାଟକ ଅଭିନୀତ ହୋଇଥିଲା । ଆମ୍ଭ ହୋଷ୍ଟେଲରୁ କେତେକ ଛାତ୍ର ନାଟକ ଦେଖିବାକୁ ଗଲେ, ମୁଁ ମଧ୍ୟ ଗଲି । ରାଣୀ ଦୁର୍ଗାବତୀ ନାଟକ ଦେଖି ଆସିଲା ପରେ ମୋ ମନ ଓ ଚିନ୍ତାରେ ଘୋର ପରିବର୍ତ୍ତନ ସୃଷ୍ଟି ହେଲା । ରାଣୀ ଦୁର୍ଗାବତୀ, ନିଜ ରାଜ୍ୟରେ ସ୍ୱାଧୀନତା ରକ୍ଷା କରିବାପାଇଁ କିପରି ଲଢ଼ାଇ କରିଥିଲେ ସେହି କଥା ଅନବରତ ମୋ ଆଖି ଆଗରେ ନାଚିଲା । ମନର ଏହିପରି ଅବସ୍ଥାରେ ଶିବାଜୀ ମହାରାଜଙ୍କ ଚରିତ ନାଟକ ଆକାରରେ ଲିଖିତ ଖଣ୍ଡିଏ ପୁସ୍ତକ ପାଠ କରିବାକୁ ପାଇଲି । ଶିବାଜୀ ନାଟକ ପାଠ କରୁ କରୁ ମୋଗଲ ବାଦ୍‌ସାହା ଆଉରଙ୍ଗଜେବ, ଶିବାଜୀଙ୍କୁ କିପରି ବନ୍ଦିଶାଳାରେ ରଖିଲେ ଏବଂ ସେହି ବନ୍ଦିଶାଳାରୁ ଶିବାଜୀ କୌଶଳ କରି କିପରି ପଳାଇ ଆସିଥିଲେ ଇତ୍ୟାଦି ଘଟଣା ବିଶେଷ ଭାବରେ ମୋର ଚିତ୍ତାକର୍ଷଣ କରିଥିଲା । ଏହି ଦୁଇଟି ଘଟଣା ପରେ ଦେଶ ପାଇଁ ଏବଂ ଦେଶର ସ୍ୱାଧୀନତା ପାଇଁ ମୁଁ କିପରି କିଛି କାର୍ଯ୍ୟ କରନ୍ତି ଏହିପରି ଗୋଟିଏ ଭାବ ମନକୁ ବିଚଳିତ କଲା । ମୁଁ ଭାବିଲି, ଆମ ଦେଶ ପରାଧୀନ । ଇଂରେଜ ଏ ଦେଶର ରାଜା । ଆମ ଦେଶ ପର ରାଜ୍ୟର ଅଧୀନ । ଯେତେଦିନ ଏ ଦେଶରେ ଇଂରେଜ ସରକାର ପ୍ରତିଷ୍ଠିତ ଥିବ ସେତେଦିନ ଆମ ଦେଶ ପରାଧୀନ ହୋଇ ରହିଥିବ । ଏ ଦେଶରୁ ଇଂରେଜ ସରକାରଙ୍କୁ ଉଠାଇବା ପାଇଁ କାର୍ଯ୍ୟ କରିବା ଅର୍ଥ ଦେଶକୁ ସ୍ୱାଧୀନ କରିବା । କିନ୍ତୁ ଏହା କ’ଣ ସମ୍ଭବପର ! ଏହି ଭାବନା ତ କାହାରି ମନରେ ନାହିଁ । ଆମେ ପରାଧୀନ ବୋଲି କେହି ତ ଚିନ୍ତା କରୁ ନାହାନ୍ତି । ତେବେ ଏହା କଦାପି ସମ୍ଭବ ନୁହେଁ । ମୁଁ କିଛି କରି ନ ପାରେ । ମୋଦ୍ୱାରା କିଛି ହୋଇ ନ ପାରେ । ମୋର ଏ ଭାବନା କେବଳ ପାଗଳାମି । ଏପରି ଭାବି ଦେଶ କଥା ଭୁଲିଯାଏ । ରାଣୀ ଦୁର୍ଗାବତୀ ଓ ମହାରାଜ ଶିବାଜୀ ମନେ ପଡ଼ନ୍ତି । ପୁଣି ମୋର ମନ ଚଞ୍ଚଳ ହୁଏ । ଆମେ ପରାଧୀନ, ମୋର କର୍ତ୍ତବ୍ୟ କ’ଣ, ଏହିପରି ଚିନ୍ତା ମନକୁ ଅସ୍ଥିର କରେ । କାହାକୁ ପାଏ ନାହିଁ, ଯାହାକୁ ପଚାରି ମନର ସନ୍ଦେହ ଦୂର କରିବି । ଏହିପରି ଗୋଟିଏ ଭାବନା ମନ ମଧ୍ୟରେ ବାରମ୍ବାର ଜାଗି ଉଠେ । ମୁଁ କିଛି ସ୍ଥିର କରିପାରେ ନାହିଁ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ଓଡ଼ିଶାରେ ରାଜନୀତିର ଗନ୍ଧ ନାହିଁ, ରାଜନୈତିକ ଅନୁଷ୍ଠାନ ନାହିଁ, ରାଜନୈତିକ ଚର୍ଚ୍ଚା ନାହିଁ । ଦେଶରେ କେହି ହେଲେ ଜଣେ ଲୋକ ନାହିଁ ଯେ କି ଦେଶର ଅବସ୍ଥା ବିଷୟ ନେଇ ଲୋକଙ୍କୁ ବୁଝାଇବ । ଓଡ଼ିଶାରେ ଘୋର ଅନ୍ଧକାର । ଭାରତର ମଧ୍ୟ ସ୍ୱରାଜ୍ୟ ଆନ୍ଦୋଳନର ସୂତ୍ରପାତ ହୋଇ ନାହିଁ । କଂଗ୍ରେସ ଅନୁଷ୍ଠାନ ଏତେ ବିଶାଳ ଓ ପ୍ରଭାବଶାଳୀ ହୋଇ ନାହିଁ । ଭାରତର କୌଣସି ରାଜନୈତିକ ନେତା ମଧ୍ୟ ସମସ୍ତ ଦେଶରେ କୌଣସି ଆନ୍ଦୋଳନ ସୃଷ୍ଟି କରି ନାହାନ୍ତି । ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରେ । ତିଳକ ମହାରାଜଙ୍କ ନାମ ଓଡ଼ିଶାର ଶିକ୍ଷିତ ସମାଜ ଶୁଣିଛନ୍ତି କି ନାହିଁ ସନ୍ଦେହ । ସୁରେନ୍ଦ୍ର ବାନାର୍ଜିଙ୍କ ନାମ କେବଳ କେତେବେଳେ କିପରି ଶୁଣାଯାଏ । କିନ୍ତୁ ଦେଶର ସ୍ୱାଧୀନତା ପାଇଁ କିମ୍ବା ସ୍ୱରାଜ୍ୟଲାଭ ପାଇଁ କେବେ କେହି କେଉଁଠାରେ କିଛି କହିଥିବାର ଶୁଣା ନାହିଁ କିମ୍ବା ଜଣା ନାହିଁ । ଓଡ଼ିଶାରେ ସଂବାଦ ପତ୍ର ନାହିଁ । ସମସ୍ତ ଓଡ଼ିଶାରେ ସପ୍ତାହିକ ‘ଉତ୍କଳ ଦୀପିକା’ ଏକମାତ୍ର ମୁଖପତ୍ର । ଦୀପିକାର ରାଜନୀତି କିମ୍ବା ସମାଜନୀତି କିଛି ନ ଥାଏ । ଦେଶରେ କୌଣସି ବିଷୟ ନେଇ ଲୋକମତ ଗଠନ କରିବାପାଇଁ ଅଗ୍ରଲେଖା କଦାପି ଦେଖିବାକୁ ମିଳେନାହିଁ । ଲୋକମତ ଗଠନ କରିବାର କଳ୍ପନା ନ ଥାଏ, ଏପରି ସ୍ଥଳେ ପ୍ରୟାସ ଅବା ଆସିବ କୁଆଡ଼ୁ ?

 

ଓଡ଼ିଶାରେ ଉଚ୍ଚ ଶିକ୍ଷିତ ଲୋକଙ୍କ ସଂଖ୍ୟା ଅତ୍ୟନ୍ତ ଅଳ୍ପ । ଶିକ୍ଷିତ ସମାଜ ବୋଲି କିଛି ନାହିଁ । ଦେଶର ଯୁବକ ସୁପ୍ତ । ଦେଶର ପ୍ରାଣରେ ସ୍ପନ୍ଦନ ନାହିଁ । ଦେଶ ଓ ଜାତିର କୌଣସି ଆଦର୍ଶ ନାହିଁ । ଯାହା କିଛି ଅବା ଅଛି ତାହା ହେଉଛି ସରକାରଙ୍କ ନିକଟରେ ହାତ ଯୋଡ଼ି ଆବେଦନ କରିବାର ପ୍ରଥା । ଏହି ଆବେଦନ ଓ ନିବେଦନ ପ୍ରଥାରେ ମଧ୍ୟ ଶୃଙ୍ଖଳା ନାହିଁ କିମ୍ବା କୌଣସି ଶକ୍ତି ନାହିଁ । ଯେଉଁ ଆଡ଼କୁ ଚାହିଁବ ଚାରିଆଡ଼େ ସ୍ଥିର ଅନ୍ଧକାର । ଏପରି ଅବସ୍ଥାରେ ମୋର ହୃଦୟରେ ଦେଶକୁ ସ୍ୱାଧୀନ କରିବାର ପରିକଳ୍ପନା ଫୁଟି ଉଠିଲା । କିନ୍ତୁ ଏହି କଳ୍ପନା ତଥା ଭାବନାକୁ ଜୀବିତ ରଖିବାକୁ ଉପାଦନ କାହିଁ ? ଆଲୋଚନା, ସମାଲୋଚନା କରିବାକୁ ସାଥି କାହାନ୍ତି ? ଏହି ଭାବକୁ ଉଦ୍‌ବେଳିତ କରିବାକୁ ଦେଶରେ କେହି ବ୍ୟକ୍ତି ନାହାନ୍ତି । ଏପରି ଅବସ୍ଥାରେ ମୁଁ ଏକାକି ବସି ଭାବେ, ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ-ପ୍ରଭୁ ମୋ ହୃଦୟରେ ଏହି ଯେ ନୂତନ ଭାବ ଅଙ୍କୁରିତ ହେଲା ଏହାକୁ କିଞ୍ଚିତ ମାତ୍ରାରେ କାର୍ଯ୍ୟରେ ପରିଣତ କରିବା ପାଇଁ ମତେ ଶକ୍ତି ଦିଅ, ମତେ ବାଟ ଦେଖାଅ । ଏହିପରି ପ୍ରାର୍ଥନା କରେ ଏବଂ ଚିନ୍ତା କରେ । କୌଣସି ଆଶ୍ରା ପାଏ ନାହିଁ । ଏଣେ କ୍ଲାସରେ ପାଠପଢ଼ା ମଧ୍ୟ ଚାଲିଥାଏ । କିନ୍ତୁ ମନ ଅସ୍ଥିର ଥିବାରୁ ଭଲ କରି ପାଠ ପଢ଼ାରେ ମନୋନିବେଶ ମଧ୍ୟ କରି ପାରେ ନାହିଁ । ଏହିପରି ଭାବରେ କେତେକ ମାସ ଅତିବାହିତ ହୋଇଗଲା । ମୋ ମନରେ ଦେଶର ସ୍ୱାଧୀନତା ପାଇଁ ଲଢ଼ାଇ କରିବାର ଭାବନା କ୍ରମଶ ଦୃଢ଼ୀଭୂତ ହେବାକୁ ଲାଗିଲା । ଅବଶେଷରେ ମୁଁ ନିଶ୍ଚୟ କଲି, ମୁଁ ମୋର ଜୀବନ ଦେଶସେବାରେ ନିୟୋଜିତ କରିବି । ପିଲାଦିନୁ ଯେଉଁ ଦୁଃଖ ଓ କଷ୍ଟ ଭିତରେ ଜୀବନ ସଂଗ୍ରାମ କରିବାକୁ ପଡ଼ିଛି, ଦେଶର ସେହି ଦୁଃଖ ଦୂର କରିବାକୁ ମୁଁ ମୋର ଏହି କ୍ଷୁଦ୍ର ଜୀବନଟିକୁ ସମର୍ପଣ କରିବି । ଆଉ ସଂସାର ଭିତରେ ପ୍ରବେଶ କରିବି ନାହିଁ ।

 

ଏହିପରି ନିଶ୍ଚୟ କଲା ପରେ ମନରେ ଟିକିଏ ଶାନ୍ତି ପାଇଲି । ଏହି ବର୍ଷ ସତ୍ୟବାଦୀ ସ୍କୁଲ୍‌ ପ୍ରତିଷ୍ଠିତ ହୋଇଥାଏ । ପଣ୍ଡିତ ଶ୍ରୀ ନୀଳକଣ୍ଠ ଦାସ ଏମ୍‌.ଏ.ପାଶ କରି ସ୍କୁଲରେ ଯୋଗ ଦେଇଥାନ୍ତି । ସେତେବେଳେ ଉଚ୍ଚ ଉପାଧି ପାଇ ସରକାରୀ ଚାକିରୀ କରିବାରେ ଲୋକେ ନିଜକୁ ବଡ଼ ଗୌରବାନ୍ୱିତ ମନେ କରୁଥିଲେ । ଉଚ୍ଚ ଉପାଧିଧାରୀ ସରକାରୀ ବଡ଼ ଚାକିରୀ ପାଇଲେ ଦେଶ ଓ ସମାଜରେ ମଧ୍ୟ ସେପରି ବ୍ୟକ୍ତିଙ୍କର ଯଥେଷ୍ଟ ସମ୍ମାନ ଥିଲା । ସେ ଜଣେ ଅସାଧାରଣ ବ୍ୟକ୍ତି ବୋଲି ପରିକଳ୍ପିତ ହେଉଥିଲେ । କିନ୍ତୁ ସତ୍ୟବାଦୀ ସ୍କୁଲ ପ୍ରତିଷ୍ଠା ପରେ ଦେଶ ଓ ସମାଜର ଏହି ମନୋବୃତ୍ତି ପରିବର୍ତ୍ତିତ ହେଉଥିଲା । ଉଚ୍ଚ ଉପାଧି ପାଇ ସରକାରୀ ଚାକିରୀ ନ କରି ଦେଶର କୌଣସି ହିତକର ଅନୁଷ୍ଠାନରେ ଯୋଗ ଦେବାର ପ୍ରଥମ ପଥପ୍ରଦର୍ଶକ ପଣ୍ଡିତ ନୀଳକଣ୍ଠ ଦାସ ଓ ସ୍ୱର୍ଗୀୟ କୃପାସିନ୍ଧୁ ମିଶ୍ର । ଏହି ଦୁଇଜଣଙ୍କ ପରେ ପଣ୍ଡିତ ଗୋଦାବରୀଶ ମିଶ୍ର ମଧ୍ୟ ସତ୍ୟବାଦୀ ସ୍କୁଲରେ ଯୋଗ ଦେଇଥିଲେ । ସତ୍ୟବାଦୀ ସ୍କୁଲ ପ୍ରତିଷ୍ଠାନ ଓଡ଼ିଶାରେ ଗୋଟିଏ ନୂତନ ଜୀବନ ତରଙ୍ଗ ସୃଷ୍ଟି କରି ଦେଲା । ଓଡ଼ିଆଶିକ୍ଷିତ ଯୁବକଙ୍କର ମନୋବୃତ୍ତିକୁ ବଦଳାଇ ଦେଲା । ଏହି କେତେଜଣ ଶିକ୍ଷିତ ଓଡ଼ିଆ ଯୁବକଙ୍କର ତ୍ୟାଗ ଓଡ଼ିଶାର ପ୍ରତ୍ୟେକ ସଭା ସମିତିରେ ପ୍ରଶଂସିତ ହୋଇଥିଲା । ଓଡ଼ିଶାର ଚତୁର୍ଦ୍ଦିଗରୁ ଏମାନେ ଅଭିବାଦନ ପାଇଥିଲେ । ସମସ୍ତ ଦେଶର ହୃଦୟ ଓ ମନ ସତ୍ୟବାଦୀ ଅନୁଷ୍ଠାନ ଆଡ଼କୁ ଆକୃଷ୍ଟ ହୋଇ ଉଠିଲା । ଓଡ଼ିଶାର କୌଣସି ହିତ କଥା କେହି ଚିନ୍ତା କଲେ ତହିଁରେ ପ୍ରେରଣା ଲାଭ କରିବା ଆଶାରେ ସମସ୍ତେ ସତ୍ୟବାଦୀ ଆଡ଼କୁ ଦୃଷ୍ଟି ପକାଇଲେ । ସତ୍ୟବାଦୀ ଅନୁଷ୍ଠାନ ଓଡ଼ିଆ ଜାତୀୟ ଜାଗରଣର କେନ୍ଦ୍ର ହୋଇ ଉଠିଲା । ସତ୍ୟବାଦୀ ସ୍କୁଲଘର ନିଆଁଲାଗି ପୋଡ଼ି ଯିବାରୁ ସମସ୍ତ ଦେଶର ସ୍ନେହ ଓ ସହାନୁଭୂତି ଏକାଧାରରେ ଅଜାଡ଼ି ହୋଇ ପଡ଼ିଲା । ସେତେବେଳେ ମୋର ମନେ ଅଛି, ଆମ୍ଭେମାନେ ଆମ୍ଭ ମିଶନ ସ୍କୁଲରୁ ସତ୍ୟବାଦୀ ସ୍କୁଲ ପାଇଁ ଚାନ୍ଦା ସଂଗ୍ରହ କରିଥିଲୁ । ଏହିପରି ଭାବରେ ଓଡ଼ିଶାର ଜୀବନ ଟିକିଏ ଜାଗି ଉଠିଲା । ବହୁତ ପାଠ ପଢ଼ି, ସରକାରୀ ଚାକିରୀ ନ କରି, ଦେଶର କୌଣସି ହିତକର କାର୍ଯ୍ୟରେ ଜୀବନ ଉତ୍ସର୍ଗ କରିବା କେହି କେହି ଓଡ଼ିଆ ଯୁବକଙ୍କର ହେଲା ଆଦର୍ଶ । ସତ୍ୟବାଦୀ ସ୍କୁଲ ପାଇଁ ଉପରୋକ୍ତ ଉଚ୍ଚ ଉପାଧିପ୍ରାପ୍ତ କେତୋଟି ଓଡ଼ିଆ ଯୁବକଙ୍କର ତ୍ୟାଗ ଓଡ଼ିଶାରେ ଏହି ପରିବର୍ତ୍ତନ ସୃଷ୍ଟି କରିଥିଲେ, ଏବଂ ଓଡ଼ିଆ ପ୍ରାଣରେ ଏ ଉଦ୍‌ବେଗ ଆଣି ଦେଇଥିଲା । ଏହିସବୁ ମୋର ହୃଦୟର ଭାବକୁ ଦୃଢ଼ୀଭୂତ କଲା । ଭବିଷ୍ୟତରେ ମୁଁ କିପରି କ’ଣ ଦେଶ ପାଇଁ କରି ପାରେ ସେଥିପାଇଁ ପରିଷ୍କାର ପଥ ଦେଖି ପାରିଥିଲି । ଏହି ସମୟରେ ‘ଉତ୍କଳ ସାହିତ୍ୟ’ ନାମକ ମାସିକ ପତ୍ରିକାରେ ସମାଜ ସଂସ୍କାର ବିଷୟରେ କେତେଗୁଡ଼ିଏ ଲେଖା ପ୍ରକାଶ ପାଉଥାଏ । ଏହିସବୁ ଲେଖା ପଢ଼ିବାକୁ ଭଲ ଲାଗୁଥାଏ । ପୂର୍ବ ପ୍ରଚଳିତ ସାମାଜିକ ନୀତି ନିୟମ ସବୁ ମନୁଷ୍ୟର ସ୍ୱାଧୀନ ଚିନ୍ତାକୁ ଦବାଇ ରଖିଛି, ଏହିପରି ଭାବନା ମନରେ ଜାଗିଉଠେ । ସମାଜ ସଂସାର ବିଷୟରେ ପ୍ରକାଶିତ ପ୍ରବନ୍ଧମାନଙ୍କ ମଧ୍ୟରେ ନୀଳକଣ୍ଠ ବାବୁଙ୍କର ‘‘ମୋ ନିଶ’’ ନାମକ ପ୍ରବନ୍ଧ ମୋତେ ବିଶେଷ ଭାବରେ ପ୍ରଭାବିତ କରିଥିଲା । ମୋର ମନେ ହୁଏ, ଓଡ଼ିଆ ପତ୍ର ପତ୍ରିକାରେ ଯେତେ ସବୁ ପ୍ରବନ୍ଧ ପ୍ରକାଶ ପାଇଛି ଅବା ପାଉଛି, ନୀଳକଣ୍ଠ ବାବୁଙ୍କର ‘‘ମୋ ନିଶ’’ ପରି ପ୍ରବନ୍ଧ ପ୍ରକାଶ ପାଇଛି କି ନା ସନ୍ଦେହ ।

 

ଏହିପରି ଭାବରେ ଏହି ବର୍ଷ ଶେଷ ହେଲା । ମୁଁ ପରୀକ୍ଷା ଦେଇ ତୃତୀୟ ଶ୍ରେଣୀକୁ ପ୍ରମୋଶନ ପାଇଲି । ଛାତ୍ରାବସ୍ଥାରେ ମଧ୍ୟ କିଛି କାର୍ଯ୍ୟ କରିବାକୁ ବେଳେ ବେଳେ ମନ ହେଉଥାଏ । କିଛି କାର୍ଯ୍ୟ କରିବାକୁ ହେଲେ ପ୍ରଥମେ କେତୋଟି ସାଥି ଲୋଡ଼ା । ସୁତରାଂ ସାଥି ଖୋଜି ବାହାର କରିବା ଦରକାର । ଏହି ଇଚ୍ଛା ହେତୁରୁ ଦଶପଲ୍ଲାରୁ କେତୋଟି ଛାତ୍ର ଆସି କିପରି କଟକରେ ପାଠ ପଢ଼ିବେ ଏହି ଭାବନା ମୋ ମନରେ ଖେଳିଲା । ମୁଁ ଯେଉଁ ବର୍ଷ କଟକ ଆସିଲି, ସେହି ବର୍ଷ ନୃସିଂହଚରଣ ପଟ୍ଟନାୟକ ନାମରେ ଗୋଟିଏ ଛାତ୍ର ଦଶପଲ୍ଲା ସ୍କୁଲରୁ ମାଇନର ପାସ କରି ଖୋରଧାକୁ ଆସିଥାଏ । ନୟାଗଡ଼ରେ ପଢ଼ିଲା ଦିନୁ ମୁଁ ନରସିଂହକୁ ଜାଣେ । ନରସିଂହ ମଧ୍ୟ ମତେ ଜାଣେ । ନରସିଂହର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ସେ ଖୋରଧା ଆସି ପଢ଼ିବାରେ ମୋର ମଧ୍ୟ କିଛି ହାତ ଅଛି । ଏଥିପାଇଁ ମୁଁ ତାହାକୁ କେତେ ଉତ୍ସାହ ଓ ଉତ୍ତେଜନା ଦେଇଛି । ବର୍ତ୍ତମାନ ଆମ୍ଭ ଦୁହିଙ୍କ ମଧ୍ୟରେ ଅଭେଦ ପ୍ରୀତି କହିଲେ ଚଳେ । ମୁଁ ଯାହା ଯେତେବେଳେ ଭାବେ ଅବା କରେ, ସବୁ ନରସିଂହକୁ କହେ । ନରସିଂହ ବୟସରେ ମୋଠାରୁ ବହୁତ ସାନ । କିନ୍ତୁ ତାହାର ପ୍ରକୃତି ବଡ଼ ସରଳ । ତାହାର ବ୍ୟବହାର ଅତି ମଧୁର । ସେ ଜଣେ ସାଧୁ ସ୍ୱଭାବର ବ୍ୟକ୍ତି । ତାହାଠାରେ ବ୍ୟକ୍ତିତ୍ୱର କଳା ଥାଏ । ସେ ସାନ ହେଲେ ମଧ୍ୟ ମୁଁ ତାକୁ ସବୁ କଥା ପଚାରେ । ସମୟେ ସମୟେ ସେ ମୋର ଉଗ୍ର ଓ ଅଧୀର ପ୍ରକୃତି ଦେଖି ବଡ଼ ବ୍ୟଥିତ ହୁଏ ।

 

ଦଶପଲ୍ଲାରେ ଭାବଗ୍ରାହୀ ବିଶ୍ୱାଳ ସେତେବେଳେ ଦେଓ୍ୟାନ । ରାଜା ଥାନ୍ତି, କିନ୍ତୁ ସେ ବୃଦ୍ଧ ହେତୁ ଷ୍ଟେଟର କୌଣସି ସମ୍ୱାଦ ରଖନ୍ତି ନାହିଁ । ଭାବଗ୍ରାହି ବାବୁ ହୋଇଥାନ୍ତି ଦଶପଲ୍ଲାର ପ୍ରକୃତ ମାଲିକ ଓ ସେ ସର୍ବେସର୍ବା । ତାହାଙ୍କର ବାକ୍ୟ ଦଶପଲ୍ଲା ଷ୍ଟେଟ୍‌ର ପେନାଲକୋଡ । ଦଶପଲ୍ଲାରୁ ଛାତ୍ର ଉଚ୍ଚଶିକ୍ଷା ଲାଭ କରନ୍ତୁ ଏହା ବିଶ୍ୱାଳଙ୍କ ଇଚ୍ଛାବିରୁଦ୍ଧ । ସେଥିପାଇଁ ଦଶପଲ୍ଲାରୁ ପିଲାଙ୍କୁ ଶିଖେଇ କଟକ ଆଣିଲେ ବିଶ୍ୱାଳଙ୍କ ଅପ୍ରୀତିଭାଜନ ହେବାକୁ ହେବ । ତାହାଙ୍କର କୋପ ଦୃଷ୍ଟି ମଧ୍ୟ ପଡ଼ି ପାରେ । ଏହି ସବୁ କାରଣରୁ ନରସିଂହର ଇଚ୍ଛା ନୁହେଁ, ଏ ଛାତ୍ରାବସ୍ଥାରେ ମୁଁ ଏସବୁ କାର୍ଯ୍ୟରେ ଜଡ଼ିତ ହେବାକୁ ।

 

କିନ୍ତୁ ନରସିଂହର କଥାରେ ମୋର ମନ ମାନେ ନାହିଁ । ମୋର ଇଙ୍ଗିତରେ ବନମାଳୀ ମିଶ୍ର ନାମକ ଜନୈକ ଛାତ୍ର କଟକ ଆସି ରେବା ରାୟଙ୍କ ସାହାଯ୍ୟରେ ଅଧ୍ୟୟନ କଲେ । ଅନନ୍ତ ମିଶ୍ର ନାମକ ଆଉ ଗୋଟିଏ ଛାତ୍ର ମଧ୍ୟ କଟକ ଆସିଲେ । ଏମାନେ ସମସ୍ତେ ମୋର ସହାଧ୍ୟାୟୀ କହିଲେ ଚଳେ । କିନ୍ତୁ ବୟସରେ ସାନ ଥିବାରୁ ଅଧିକାଂଶ ସମୟରେ ଏମାନେ ମୋର ପରାମର୍ଶ ଅନୁସାରେ ଚଳନ୍ତି । ଦୟାନିଧି ଦଳବେହେରା ନାମରେ ଆଉ ଗୋଟିଏ ଛାତ୍ର ଖୋରଧା ସ୍କୁଲରେ ନାମ ଲେଖାଇଲା । ଦୟାନିଧିର ପରିବାର ଦଶପଲ୍ଲା ରାଜ୍ୟର ଗୋଟିଏ ଖ୍ୟାତନାମା ଘର । ଏହାଙ୍କ ପୂର୍ବପୁରୁଷ ଆଗେ ପାଇକ ସର୍ଦାର, ଅର୍ଥାତ ମିଲିଟାରି ସର୍ଦାର ଥିଲେ । ଦୟାନିଧିର ଅବସ୍ଥା ଖୁବ୍ ଭଲ । ସେ ନିଜ ଇଚ୍ଛାରେ ଖୋରଧା ଆସିଥାଏ । ଏହିପରି ଭାବରେ ଦଶପଲ୍ଲାରୁ ୫।୬ଟି ଛାତ୍ର ଉଚ୍ଚ ଶିକ୍ଷାପାଇଁ କଟକ, ଖୋରଧା ଆସିଥାନ୍ତି । ଆମ୍ଭ ଏହି କେତେଜଣଙ୍କ ମଧ୍ୟରେ ସ୍ନେହ ସଂବନ୍ଧ ଅସୀମ । ଆମ୍ଭେମାନେ ଛୁଟିରେ ଯାଇ ଦଶପଲ୍ଲାରେ ଏକାଠି ହେଲାବେଳେ ଆମ୍ଭମାନଙ୍କ ଆନନ୍ଦର ସୀମା ରହେ ନାହିଁ । ସେତେବେଳେ ମଟର ଲରି ନ ଥିଲା । କଟକରୁ ଆମ୍ଭେମାନେ ଚାଲିକରି ଦଶପଲ୍ଲା ଯାଉଁ । ଖୋରଧାରୁ ଦୟାନିଧି ବଳଦ ଗାଡ଼ିରେ ଯାଏ । କଟକରୁ ଦଶପଲ୍ଲା ପ୍ରାୟ ଅଶୀ ମାଇଲ ବାଟ । କଟକରୁ ବାହାରି ତିନି ଦିନରେ ଆମ୍ଭେମାନେ ଦଶପଲ୍ଲାରେ ଉପସ୍ଥିତ ହେଉଁ । ମୁଁ କେବେ କିପରି ଏକାକୀ ଗଲେ ଦୁଇ ଦିନରେ ଚାଲିଯାଏ । କିନ୍ତୁ କଟକରୁ ବନମାଳୀ, ଅନନ୍ତ ଓ ମୁଁ ଏହି ତିନିଜଣ ପ୍ରାୟ ଏକତ୍ର ଯାଉଁ । ବାଟରେ ନାନା ପ୍ରକାର ଆଲୋଚନା ହୁଏ । ଦଶପଲ୍ଲାରେ ଉପସ୍ଥିତ ହୋଇ ‘କ’ଣ କରିବା’ ଏହି କଥାଟି ବେଶି ଆଲୋଚିତ ହୁଏ । ଦଶପଲ୍ଲାରେ ପହୁଞ୍ଚି ପ୍ରଥମେ ମୁଁ ଆମ୍ଭ ଘରେ ଗୋଟିଏ ‘ନୈଶ ବିଦ୍ୟାଳୟ’ ଖୋଲିଲି । ଦଶପଲ୍ଲା ଗଡ଼ର ଯେଉଁ ପିଲାସବୁ ଗଡ଼ ମି: ଇଂ: ସ୍କୁଲରେ ପଢ଼ୁଥାନ୍ତି, ସେମାନେ କିପରି ଭଲ ଭାବରେ ପାଠ ପଢ଼ିବେ ଏହି ଉଦ୍ଦେଶ୍ୟରେ ଏହି ସ୍କୁଲଟି ହେଲା । ଅନନ୍ତ ବନମାଳୀ ଏମାନେ ମନଦେଇ ଏହି ପିଲାମାନଙ୍କୁ ପାଠ ପଢ଼ାଇଲେ । ରୀତିମତ ଘଣ୍ଟାନସାରେ ସ୍କୁଲଟି ଚାଲିଲା । ସ୍କୁଲରେ ଦଶପଲ୍ଲାର କେଉଁ ଇଲାକାରୁ କେତେ ପିଲା ଆସି ପାଠ ପଢ଼ୁଛନ୍ତି, କିଏ କିପରି ପଢ଼ୁଛି, କାହାର ଘରର ଅବସ୍ଥା କିପରି, ଏ ସବୁର ଅନୁସନ୍ଧାନ ମୁଁ କରୁଥାଏ । ଉଦ୍ଦେଶ୍ୟ, ଯେଉଁ ଛାତ୍ରଟି ଭଲ ପଢ଼ୁଥିବ, ଏବଂ ଘରର ଅବସ୍ଥା ମଧ୍ୟ ଭଲ ଥିବ, ତାହାର ପିତା ଓ ଅଭିଭାବକଙ୍କୁ ପ୍ରବର୍ତ୍ତାଇ ସେହି ଛାତ୍ରଟିକୁ କଟକ କିମ୍ବା ଖୋରଧା ଉଚ୍ଚଶିକ୍ଷା ପାଇ ପଠାଇବା ।

Image

 

ତୃତୀୟ ପରିଚ୍ଛେଦ

 

ମୁଁ ଗ୍ରୀଷ୍ମ ଛୁଟିରେ କେବଳ ଦଶପଲ୍ଲା ଯାଏ । ଦଶହରା ଛୁଟିରେ କଟକରେ ରହି ପଢ଼ା ପଢ଼ି କରେ । ଛୁଟିରେ ଦଶପଲ୍ଲା ନ ଗଲେ ମଧ୍ୟ କୌଣସି ଉପାୟରେ କେତୋଟି ଛାତ୍ର କିପରି କଟକ ଆସିବେ ଏହି ଚିନ୍ତା ସବୁବେଳେ ମୋ ମନରେ ଖେଳୁଥାଏ । ମୋର ଏଭଳି କାର୍ଯ୍ୟ ଓ ଚିନ୍ତା ଭାବଗ୍ରାହୀ ବାବୁଙ୍କୁ ଅଗୋଚର ରହିଲା ନାହିଁ । ସେ ଏ ସବୁ ଶୁଣି ମନେ ମନେ ଅବଶ୍ୟ ଅସନ୍ତୁଷ୍ଟ ହେଉଥାନ୍ତି, କିନ୍ତୁ ସେ ଅସନ୍ତୋଷର ଚିହ୍ନ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟରେ ଦେଖାଯାଇ ନ ଥାଏ । ଛୁଟିରେ ଦଶପଲ୍ଲା ଗଲେ ମୁଁ ଭାବଗ୍ରାହୀ ବାବୁଙ୍କ ସହିତ ଦେଖା କରିବାକୁ ଯାଏ, ଛୁଟିରୁ ଫେରିଲା ବେଳେ ମଧ୍ୟ ଦେଖା କରେ । କିନ୍ତୁ ସେ ଭଲକରି କଥା କହନ୍ତି ନାହିଁ । ଏପରି ଅବସ୍ଥାରେ ମୁଁ କିମ୍ବା ଅନ୍ୟ କେହି ଛାତ୍ର ତାହାଙ୍କ ସହିତ ଦେଖା କରିବାପାଇଁ ନ ଯିବା ଉଚିତ । କିନ୍ତୁ ଦଶପଲ୍ଲା ଗଡ଼ଜାତ ରାଜ୍ୟ । ଦଶପଲ୍ଲା ଗଡ଼ରେ ଆମ୍ଭର ଘର । କଟକରେ ପାଠ ପଢ଼ିଛୁ । ଛୁଟିରେ ଯାଇ ଦଶପଲ୍ଲାଗଡ଼ରେ ଏକମାସ କାଳ ରହିବୁ । କେତେବେଳେ କ’ଣ ଘଟିପାରେ ତାହା କିଏ କହିପାରେ । ଦଶପଲ୍ଲାଗଡ଼ରେ ଘର ନ ହୋଇ ଟିକିଏ ଦୂର ମଫସଲରେ ହୋଇଥିଲେ ସେକଥା ଅଲଗା ହୁଅନ୍ତା । କିନ୍ତୁ ଗଡ଼ରେ ଘର କରି ରହି, କଟକରେ ପାଠ ପଢ଼ି, ଛୁଟିରେ ଘରକୁ ଫେରି, ‘ବାବୁ’ଙ୍କ ସହିତ ଦେଖା କରିବାକୁ ନ ଯିବା ଅର୍ଥ ତାହାଙ୍କ ପ୍ରତି ବେଖାତିର ଭାବ ଦେଖାଇବା । ଏହି ଭୟରେ ମଧ୍ୟ ଆମ୍ଭେମାନେ ବାବୁଙ୍କୁ ଦେଖା କରିବାକୁ ଯାଉଁ । ସେ କଥା ଦୁଇପଦ କହିଲେ ଭଲ, ନ କହିଲେ ମଧ୍ୟ ଉତ୍ତମ । ବାବୁଙ୍କ ସହିତ ଦେଖା କରିବାର ଆହୁରି ମଧ୍ୟ ଅନେକ କାରଣ ଅଛି । ସେସବୁ ଉଲ୍ଲେଖ କରି ଏ ଲେଖାର କଳେବର ବୃଦ୍ଧି କରିବା ଅନାବଶ୍ୟକ ।

 

ସେ ଯାହା ହେଉ ନିମାଇଁଚରଣ ମିଶ୍ର ନାମକ ଜନୈକ ଛାତ୍ରକୁ ମାଇନର ପାସ କରିବା ପୂର୍ବରୁ କଟକ ଆଣିବାପାଇଁ ତାହାର ପିତାମାତାଙ୍କୁ ମୁଁ ପରାମର୍ଶ ଦେଲି । ମୋର ପରାମର୍ଶରେ ନିମାଇଁର ପିତାମାତା ନିମାଇଁକୁ କଟକ ପଠାଇବାପାଇଁ ସ୍ୱୀକୃତ ହେଲେ । ହରିହର ମିଶ୍ର ନାମକ ଆଉ ଜଣେ ଯୁବକ କଟକ ଆସି କବିରାଜୀ ପଢ଼ିବାପାଇଁ ତାହାଙ୍କ ପିତାଙ୍କୁ ପରାମର୍ଶ ଦେଲି । ମୋର ପରାମର୍ଶରେ ହରିହର କଟକ ଆସିବାର ମଧ୍ୟ ସ୍ଥିର ହେଲା । କଥା ହେଲା, ହରିହର ଓ ନିମାଇଁ ଉଭୟେ ମୋ ସହିତ କଟକ ଆସିବେ । ମୁଁ ବର୍ତ୍ତମାନ ଥାର୍ଡକ୍ଲାସରେ । ଗ୍ରୀଷ୍ମଛୁଟିରେ ଘରକୁ ଯାଇଛି । ଗ୍ରୀଷ୍ମ ଛୁଟିପରେ ମୁଁ କଟକ ଫେରିଲା ବେଳକୁ ଏ ଦୁହେଁ ମୋ ସହିତ ଆସିବାର ସ୍ଥିର କରାଗଲା । କଟକ ଆସି ପଢ଼ିବାକୁ ହେଲେ ନିମାଇଁର ଖଣ୍ଡିଏ ସାର୍ଟିଫିକେଟ ଦରକାର ହେବ । ସ୍କୁଲରୁ ସାର୍ଟିଫିକେଟ ମିଳିବା ସହଜ ନୁହେଁ । ଏହି ଟ୍ରାନ୍ସଫର ସାର୍ଟିଫିକେଟ ମିଳିବ କିପରି । ଅଥବା ନିମାଇଁ ମାଇନର ସ୍କୁଲ ପାଷ୍ଟକ୍ଳାସରେ ଅଧ୍ୟୟନ କରୁଥିଲେ ଏହାର ଖଣ୍ଡିଏ ପ୍ରମାଣପତ୍ର ଆବଶ୍ୟକ-। ଅନେକ କଥା ଭାବିଲାପରେ ସ୍ଥିର ହେଲା ଯେ, ନିମାଇଁର ପିତା ଶ୍ରୀ ରାମଚନ୍ଦ୍ର ମିଶ୍ର ନିଜେ ଯାଇ ସ୍କୁଲର ହେଡ୍‌ ମାଷ୍ଟରଙ୍କ ନିକଟରେ ଖଣ୍ଡିଏ ଦରଖାସ୍ତ ଦେବେ । ଦରଖାସ୍ତରେ ଲେଖାହେବ ଯେ, ନିମାଇଁ ଆଉ ସ୍କୁଲରେ ପାଠ ପଢ଼ିବାକୁ ଅକ୍ଷମ । ଏତିକିରେ ପାଠପଢ଼ା ଶେଷ କରି ସେ ଏଣିକି ଚାଷ କାର୍ଯ୍ୟରେ ଯୋଗ ଦେବ ।

 

ମୁଁ ଦଶପଲ୍ଲା ସ୍କୁଲରେ ଥାଏ । ଗ୍ରୀଷ୍ମ ଛୁଟିପାଇଁ ଦଶପଲ୍ଲା ସ୍କୁଲ ବନ୍ଦ ହୋଇ ନ ଥାଏ । ହେଡମାଷ୍ଟର ମହାଶୟଙ୍କ ନିକଟରେ ବସି ମୁଁ କୌଣସି ବିଷୟ କଥା ହେଉଛି, ଏପରି ସମୟରେ ନିମାଇଁଙ୍କ ପିତା ଶ୍ରୀ ରାମଚନ୍ଦ୍ର ମିଶ୍ର ସେ ଦରଖାସ୍ତ ଖଣ୍ଡି ହେଡମାଷ୍ଟରଙ୍କୁ ଦେଲେ । ଦରଖାସ୍ତ ଖଣ୍ଡି ପାଠ କରି ହେଡ୍‌ମାଷ୍ଟର ମହାଶୟ ଭାରୀ ରାଗିଗଲେ । ଦଶପଲ୍ଲା ଲୋକେ ଶିକ୍ଷା ନିମିତ୍ତ କିପରି ଆଗ୍ରହାନ୍ୱିତ, ଏହି କଥାକୁ ଉପମା ଦେଇ ସେ ମୋତେ ବହୁତ କଥା କହିଲେ । ଦଶପଲ୍ଲା ଲୋକଙ୍କୁ, ବିଶେଷରେ ଗଡ଼ର ବାସିନ୍ଦାକୁ ନିନ୍ଦାକରି ବହୁତ କଥା କହିବାର ଆରମ୍ଭ କଲେ । ମତେ ଦେଖାଇ କହିବାର ଉଦ୍ଦେଶ୍ୟ, ମୁଁ ସବୁବେଳେ ଦଶପଲ୍ଲାରେ ଶିକ୍ଷା ବିଷୟ ନେଇ ତାହାଙ୍କ ସହିତ ଆଲୋଚନା କରେ । ଦଶପଲ୍ଲା ସ୍କୁଲରେ ଭଲ ପାଠ ପଢ଼ା ହେଉଁ ନାହିଁ ବୋଲି ଦୋଷ ବାଛୁଥାଏ । ଏ ସବୁ ଯୁକ୍ତିରେ ହେଡ ମାଷ୍ଟର ମହାଶୟ ମୋ ଉପରେ ମନେ ମନେ ବିରକ୍ତ ଥାନ୍ତି । ବର୍ତ୍ତମାନ ସେହି ବିରକ୍ତିର ଭାବ ପ୍ରକାଶ କରିବାପାଇଁ ତାହାଙ୍କୁ ଗୋଟିଏ ଅବଲମ୍ବନ ମିଳିଗଲା । ସେ ଯେତେ ଯାହା କହିଗଲେ ମୁଁ ସବୁ ସହ୍ୟ କରି ନେଉଥିଲି । କିନ୍ତୁ ଦଶପଲ୍ଲା ଲୋକଙ୍କୁ ବିଶେଷରେ ଗଡ଼ର ଲୋକଙ୍କ ପ୍ରତି ଅଯଥା କଥା କହିବାର ଦେଖି ମୁଁ ଆଉ ନୀରବ ରହି ପାରିଲି ନାହିଁ । ତାହାଙ୍କ ସହିତ ଯୁକ୍ତି ଆରମ୍ଭ କଲି । ଯୁକ୍ତି କରୁ କରୁ କଥା ପ୍ରସଙ୍ଗରେ ରାମଚନ୍ଦ୍ର ମିଶ୍ରଙ୍କର ଦରଖାସ୍ତର ଭିତରି ରହସ୍ୟ ଖୋଲି ଦେବାକୁ ମତେ ବାଧ୍ୟ ହେବାକୁ ପଡ଼ିଲା । କେବଳ ସେତିକି ନୁହେ, ତାହା ମଧ୍ୟ ମୋର ପରାମର୍ଶରେ ହୋଇଛି ବୋଲି ମୁଁ କହିଥିଲି । ଏକଥା ଶୁଣି ହେଡ୍‌ ମାଷ୍ଟର ମହାଶୟଙ୍କ ସମସ୍ତ ରାଗ ମୋ ଉପରକୁ ଢଳି ପଡ଼ିଲା । ମୁଁ ତାଙ୍କର ଛାତ୍ର । ସେ ହଠାତ୍‌ ଉଠିଆସି ମତେ ଦୁଇ ଚାପୁଡ଼ା ପକାଇ, ସ୍କୁଲ ଘରୁ ବାହାର କରିଦେଲେ । ଘରଭିତରୁ ଆସି ମୁଁ ସ୍କୁଲଘର ବାରଣ୍ଡାରେ ଠିଆ ହେଲି-। ସେଠାରୁ ମଧ୍ୟ ବଳପୂର୍ବକ ମତେ ବାହାର କରି ଦେବାପାଇଁ ହେଡ୍‌ମାଷ୍ଟର ମହାଶୟ ମୋ ନିକଟକୁ ଦୌଡ଼ି ଆସିଲେ । ହେଡ୍‌ମାଷ୍ଟରଙ୍କ ପାଟି ଶୁଣି, ସବୁ କ୍ଲାସରୁ ଛାତ୍ର ଓ ଶିକ୍ଷକ ସମସ୍ତେ ଆସି ବାରଣ୍ଡାରେ ଠିଆ । ହେଡ୍‌ମାଷ୍ଟର ମହାଶୟ ଏପରି ଭାବରେ ମୋ ନିକଟକୁ ଦୌଡ଼ି ଆସି ପୁଣି ମତେ ମାରିବାକୁ ଉଦ୍ୟତ ହେଲାବେଳକୁ ମୁଁ ମଧ୍ୟ ତାହାଙ୍କ ଉପରକୁ ରାଗି ଉଠିଲି । ଆମ ଦୁହିଙ୍କୁ ଏପରି ରାଗାନ୍ୱିତ ଅବସ୍ଥାରେ ଦେଖି, ସ୍କୁଲର ସେକଣ୍ଡ ମାଷ୍ଟର ଶ୍ରୀଯୁକ୍ତ ବଳରାମ ମିଶ୍ର ଧରି ଟାଣି ନେଇଗଲେ । ନାନା କଥା ବୁଝାଇ ମତେ ଟିକିଏ ଶାନ୍ତ କରାଇ ସ୍କୁଲ ହତା ବାହାରେ ଛାଡ଼ି ଦେଇ ଆସିଲେ । ବଳରାମ ବାବୁଙ୍କର ମୁଁ ଛାତ୍ର ନୁହେଁ । ତଥାପି ତାହାଙ୍କ ପ୍ରତି ମୋର ଯଥେଷ୍ଟ ଭକ୍ତି ଓ ସମ୍ମାନ ଥାଏ । ଅନେକ ସମୟରେ ବଳରାମ ବାବୁଙ୍କ ସହିତ ବସି ନାନା ବିଷୟ ଆଲୋଚନା କରେ । କୌଣସି କୌଣସି ଘଟଣାରେ ତାହାଙ୍କର ପରାମର୍ଶ ମଧ୍ୟ ଗ୍ରହଣ କରିଥାଏ । ଏପରି ଅବସ୍ଥାରେ ତାହାଙ୍କ କଥାକୁ ଏଡ଼ି ସ୍କୁଲ ହତା ଭିତରେ କିଛି ଗୋଳମାଳ କରିବା ମତେ ବିଧିସଙ୍ଗତ ବୋଧ ହେଲା ନାହିଁ । ବଳରାମବାବୁଙ୍କ କଥା ମାନି ସ୍କୁଲ ହତାରୁ ବାହାରି ଆସିଲି ସତ୍ୟ, କିନ୍ତୁ ତହିଁରେ ମୋର ରାଗ ଶାନ୍ତି ହେଲା ନାହିଁ । ସ୍କୁଲ ହତା ବାହାରେ ସର୍ବସାଧାରଣ ଦାଣ୍ଡରେ ସ୍କୁଲ ଛୁଟି ହେବାପର୍ଯ୍ୟନ୍ତ ଅପେକ୍ଷା କରି ରହିଲି । ହେଡ୍‌ମାଷ୍ଟର ମହାଶୟ ସ୍କୁଲରୁ ବାହାରିଲେ ମୁଁ ମୋର ମନର ରାଗ ମେଣ୍ଟାଇବା ଉଦ୍ଦେଶ୍ୟରେ ରହିଲି ।

 

ସ୍କୁଲ ଛୁଟି ହେଲା । ସ୍କୁଲ ଛାଡ଼ି ପିଲାମାନେ ଚାଲିଗଲେ । ହେଡ୍‌ମାଷ୍ଟର ମହାଶୟ କିନ୍ତୁ ସ୍କୁଲରୁ ବାହାରିଲେ ନାହିଁ । ସେ ନ ବାହାରି ଭଲ କରିଥିଲେ । ବାହାରିଥିଲେ କ’ଣ ହୋଇଥାନ୍ତା ମୁଁ ତାହା କଳ୍ପନା କରିପାରୁ ନାହିଁ । ସେ ଯାହା ହେଉ ଏହିପରି ଭାବରେ କିଛି ସମୟ ଅପେକ୍ଷା କରି ମୁଁ ଘରକୁ ଫେରିଗଲି । କିନ୍ତୁ ମନରୁ ରାଗ ଯାଇ ନାହିଁ । ଅପମାନ ମଧ୍ୟ ଅସହ୍ୟ ବୋଧ ହେଲା । ଏସବୁ ପ୍ରତିକାରର କିଛି ଉପାୟ ନ ପାଇ ଶେଷରେ ଯାଇ ବିଶ୍ୱାଳଙ୍କ ନିକଟରେ ନାଲିଶ କଲି । ବିଶ୍ୱାଳଙ୍କ ନିକଟରେ ମୋର ଗୁହାରୀ କରିବାରେ ଆଉ ମଧ୍ୟ କାରଣ ଅଛି । ମୁଁ ନ କରିଥିଲେ ହେଡ୍‌ମାଷ୍ଟର ମହାଶୟ ମୋ ନାମରେ ନାଲିଶ କରିଥାନ୍ତେ । ଏପରି ଅବସ୍ଥାରେ ମୁଁ ଯାଇ ଆଗରୁ ପହୁଞ୍ଚିବା ଉଚିତ ଭାବି, ଭାବଗ୍ରାହୀବାବୁଙ୍କ ନିକଟରେ ସମସ୍ତ ଘଟଣା ଜଣାଇଲି । ମୋଠାରୁ ଶୁଣି ହେଡ୍‌ମାଷ୍ଟର ମହାଶୟଙ୍କୁ ଡକରା ହେଲା । ମାଷ୍ଟର ମହାଶୟ କହିଲେ, ‘‘ଗୋବିନ୍ଦ ମୋର ଛାତ୍ର, ମୁଁ ଏହାର ଅନିଷ୍ଟ ଇଚ୍ଛା କରେ ନାହିଁ । ମାତ୍ର ସେ ଯାହା କରୁଛି, ତାହା ରିପୋର୍ଟ କଲେ, ତା’ର ଛାତ୍ରଜୀବନ ମାଟି ହୋଇଯିବ ଇତ୍ୟାଦି ।’’ ଉଭୟଙ୍କଠାରୁ ଶୁଣି ବିଶ୍ୱାଳେ ଭାରୀ ରାଗିଗଲେ । ସେ ରାଗି ମତେ ଇଂରାଜୀରେ କହିଲେ, ‘‘For this reason I don't wish that the Daspalla students should go out for higher education. All right. You must remember that I am the Dewan of this state. I shall see you’’ ଅର୍ଥାତ୍‌, ଏହିସବୁ କାରଣରୁ ଦଶପଲ୍ଲାର କେହି ଛାତ୍ର ଉଚ୍ଚ ଶିକ୍ଷାପାଇଁ ବାହାରକୁ ଯାଉ ଏହା ମୋର ଇଚ୍ଛା ନୁହେଁ । ଆଉ ମୁଁ ଏ ଷ୍ଟେଟ୍‌ର ଦେଓ୍ୟାନ, ଏହା ତୁମ୍ଭେ ମନେ ରଖିବା ଉଚିତ । ମୁଁ ତୁମ୍ଭଙ୍କୁ ଦେଖୁଛି ।

 

ଭାବଗ୍ରାହୀ ବାବୁ ରାଗିବାର ଦେଖି ମୁଁ ଟିକିଏ ଦବିଗଲି । ଏହାର ଉତ୍ତର ଦେବାକୁ ମୋର କିଛି ନାହିଁ । ମୁଁ ନୀରବରେ ଠିଆହୋଇ ରହିଥାଏ । ପୁଣି ସେ ହେଡ୍‌ମାଷ୍ଟରଙ୍କୁ କହିଲେ, ‘‘ହେଡ୍‌ମାଷ୍ଟର ବାବୁ, ଆପଣଙ୍କର ଯାହା ସବୁ କହିବାର ଅଛି, ସେ ବିଷୟରେ ସାକ୍ଷୀ ପ୍ରମାଣ ଧରି ଆଜି ସନ୍ଧ୍ୟାରେ ଉପସ୍ଥିତ ହେବେ । ଆଜି ମୁଁ ଏହାର ବିଚାର କରିବି ।’’ ମତେ ମଧ୍ୟ ସାକ୍ଷୀ ପ୍ରମାଣ ସହିତ ସନ୍ଧ୍ୟାରେ ଉପସ୍ଥିତ ହେବାକୁ ଆଦେଶ ଦେଲେ । ମୁଁ ବିଶ୍ୱାଳଙ୍କ ବସା ଛାଡ଼ି ଘରେ ଉପସ୍ଥିତ ହେଲି । ଏହି ସଂବାଦ ବିଜୁଳିପରି ଗଡ଼ରେ ବ୍ୟାପିଗଲା । ସେତେବେଳକୁ ଦଶପଲ୍ଲା ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରୁ ଅନେକ ବଡ଼ ବଡ଼ ପ୍ରଜା ସବୁ ଗଡ଼ ମୁକାମକୁ ଡକରା ହୋଇ ଆସିଥାନ୍ତି । ମୁଁ କଟକରେ ପଢ଼ୁଥିବାରୁ ଏବଂ ଦଶପଲ୍ଲାରୁ କେତୋଟି ଛାତ୍ର କିପରି କଟକ ପାଠ ପଢ଼ିବାକୁ ଯିବେ, ଏହି ଚେଷ୍ଟା କରୁଥିବାରୁ ରାଜ୍ୟର ଜଣାଶୁଣା ଲୋକେ ସମସ୍ତେ ମତେ ଜାଣିଥିଲେ । ଗଡ଼ରେ ସେଦିନ ହାଜର ଥିବା ରାଜ୍ୟର ଜଣାଶୁଣା ଲୋକେ ସମସ୍ତେ ଏହି ଘଟଣା ଶୁଣିବାକୁ ପାଇଲେ । ସମସ୍ତଙ୍କ ମନରେ ଉଦ୍‌ବେଗ ଆସିଲା । ଏ ଘଟଣା କିପରି ଆକାର ଧାରଣ କରିବ, ଏ ବିଷୟ ନେଇ ନାନା ଲୋକେ ନାନା ପ୍ରକାର କଳ୍ପନା କରିବାକୁ ଲାଗିଲେ । ନରସିଂହ, ଅନନ୍ତ, ବନମାଳୀ ସମସ୍ତଙ୍କ ମନରେ ଭୟ ଜାତ ହେଲା । ଏ ଘଟଣାର ବିଚାର କରି ସର୍ବସାଧାରଣରେ ମୋତେ ବେତ ପ୍ରହାର ଦେବା ବିଶ୍ୱାଳଙ୍କର ଇଚ୍ଛା ବୋଲି ତାହାଙ୍କର ଭାବଭଙ୍ଗିରୁ ମୋର ଗୋଟାଏ ବିଶ୍ୱାସ ଜନ୍ମି ଯାଇଥାଏ ।

 

ଗଡ଼ଜାତ ପ୍ରଜା ସବୁବେଳେ ଭୟରେ ଜୀବନ କଟାଉଥାନ୍ତି । ମୁହଁ ଖୋଲି ନ୍ୟାୟ ଅନ୍ୟାୟ ବାଛିବାର ସ୍ୱାଧୀନତା ଗଡ଼ଜାତ ପ୍ରଜାଙ୍କର ନାହିଁ । ରାଜା କିମ୍ବା ଦେଓ୍ୟାନଙ୍କର କାର୍ଯ୍ୟକୁ ଅନ୍ୟାୟ କହିବା ହେଉଛି ବଡ଼ ଅପରାଧ । ଏପରି ଅବସ୍ଥାରେ ସମସ୍ତଙ୍କର ମୋ ପ୍ରତି ସହାନୁଭୂତି ଥିଲେ ମଧ୍ୟ ମୋତେ ସମର୍ଥନ କରିବାକୁ କାହାରି ସାହସ ନାହିଁ । ସୁତରାଂ ଏ ଘଟଣାର ପରିଣାମ କିପରି ଆକାର ଧାରଣ କରିବ ତାହା ଜାଣିବାକୁ ସମସ୍ତେ ଉଦ୍‌ବିଗ୍ନ ହେବା ସ୍ୱାଭାବିକ । ସମସ୍ତଙ୍କ ମନରେ ଗୋଟାଏ ଆତଙ୍କଭାବ ସୃଷ୍ଟି ହୋଇଗଲା । ସେ ଯାହା ହେଉ ସନ୍ଧ୍ୟାସମୟରେ ମୁଁ ଯାଇ ବିଶ୍ୱାଳଙ୍କ ବସାରେ ହାଜର ହେଲି । ମୁଁ ଉପସ୍ଥିତ ହେଲାବେଳକୁ ବିଶ୍ୱାଳଙ୍କ କଚେରୀ ଲାଗିଛି ।

 

ଦଶପଲ୍ଲାରେ ଭାବଗ୍ରାହୀବାବୁଙ୍କ କଚେରୀ ସମୟର କିଛି ଠିକଣା ନ ଥାଏ । କେଉଁଦିନ ସକାଳୁ ତ, କେଉଁଦିନ ରାତି ଦୁଇପ୍ରହର ବେଳେ ମଧ୍ୟ କଚେରୀ ବସେ । ମାଲିମକଦ୍ଦମାର ବିଚାର ହୁଏ । ଏଥିପାଇଁ ପ୍ରଜାସବୁ ଦିନରାତି ସବୁବେଳେ ବିଶ୍ୱାଳଙ୍କ ସୁବିଧା ଅସୁବିଧାକୁ ଅନାଇଁ ପଡ଼ି ରହିଥାନ୍ତି । ସେ ଯାହା ହେଉ, ମୁଁ ଉପସ୍ଥିତ ହେବାର କିଛି ସମୟ ପରେ ହେଡ୍‌ମାଷ୍ଟର ବାବୁ ଆସି ଉପସ୍ଥିତ ହେଲେ । ତାହାଙ୍କ ସହିତ ବାବୁ ବଳରାମ ମିଶ୍ର ମଧ୍ୟ ସାକ୍ଷ୍ୟ ଦେବାକୁ ଆସିଥିଲେ । ମୋ ସହିତ ଅନନ୍ତ, ବନମାଳୀ, ନରସିଂହ ଓ ଦୟାନିଧି ପ୍ରଭୃତି ସମସ୍ତେ ରହିଥାନ୍ତି । ଗଡ଼ର ଅନ୍ୟାନ୍ୟ ଅନେକ ବ୍ୟକ୍ତି ମଧ୍ୟ ଏହି ଘଟଣାର ରହସ୍ୟ ଦେଖିବାକୁ ଆସି କଚେରୀରେ ଉପସ୍ଥିତ । ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସିଥିବା ବଡ଼ ବଡ଼ ପ୍ରଜା ମଧ୍ୟ କଚେରୀରେ ଅଛନ୍ତି । ଏପରି ଅବସ୍ଥାରେ ମୋର ନାଲିଶଲ ବିଚାର ଆରମ୍ଭ ହେଲା । ହେଡ୍‌ମାଷ୍ଟର ବାବୁ ମୋ ନାମରେ ତିନୋଟି ଦଫାର ଅଭିଯୋଗ ଆଣିଲେ :–

 

(୧)

ମୁଁ ରାଜ୍ୟରେ ଲୋକଙ୍କୁ ଶିକ୍ଷା ଦେଉଛି, ଗଡ଼ସ୍କୁଲକୁ ପିଲା ନ ପଠାଇବାକୁ । କାରଣ ସ୍କୁଲରେ ଭଲ ପାଠ ପଢ଼ା ହୁଏ ନାହିଁ । ଏଥିରେ କେତେକ ଲୋକଙ୍କର ମନ ବଦଳି ଯାଉଛି, ତେଣୁ ସେମାନେ ପିଲା ପଠାଇବାକୁ ନାରାଜ । ଏପରି ହେଲେ ଏ ସ୍କୁଲ ଚଳିବ କିପରି ?

 

 

(୨)

ଗୋବିନ୍ଦ ମିଶ୍ର ଘରେ ତା’ର ଗୋଟାଏ ଆଡ଼୍ଡା କରିଛି । ସନ୍ଧ୍ୟାବେଳେ ଗଡ଼ର ଛାତ୍ରମାନଙ୍କୁ ପଢ଼ାଇବା ବାହାନାରେ ଡକାଇ ସ୍କୁଲ ବିରୁଦ୍ଧରେ ନାନା କଥା ଶିକ୍ଷା ଦେଉଛି । ରାଜ ସରକାରଙ୍କ ବିନାନୁମତିରେ ଘରେ ଗୋଟାଏ ଚୌକି ଓ ମେଜ ରଖିଛି-

 

 

(୩)

ସ୍କୁଲରେ ପାଠ ପଢ଼ାଉଥିଲାବେଳେ ସେ ମତେ ଅପମାନ ଦେଇଛି । ସେ ମତେ ଅପମାନ ଦେଇ ନାହିଁ, ମୁଁ ଯେଉଁ ରାଜସରକାରଙ୍କ ଚୌକି ଉପରେ ବସିଥିଲି, ସେ ତାହାଙ୍କୁ ଅପମାନ ଦେଇଛି । ରାଜ ସରକାରଙ୍କୁ ଅପମାନ ଦେଇଛି ।

 

ଏହିପରି ତିନୋଟି ଦଫାରେ ହେଡ୍‌ମାଷ୍ଟର ବାବୁ ମୋ ନାମରେ ରିପୋଟ ଦେଲେ । ଏହାର ସାକ୍ଷୀ ପ୍ରମାଣ ନିଆ ହେଲା । ପ୍ରଥମେ ବାବୁ ବଳରାମ ମିଶ୍ର ସାକ୍ଷ୍ୟ ଦେଲେ । ତାଙ୍କ ପରେ ରାମଚନ୍ଦ୍ର ମିଶ୍ର ପ୍ରଭୃତି ୨।୩ ଜଣଙ୍କୁ ପଚରାଗଲା । ଏହି କେତେଜଣ ଯେପରି ଯାହା କହିଲେ ତହିଁରେ ସମସ୍ତ ଘଟଣା ଗୋଟାଏ ରହସ୍ୟ ପରି ବୋଧ ହେଲା । ଭାବଗ୍ରାହୀ ବାବୁ ବଡ଼ ବିଚକ୍ଷଣ ଲୋକ । ସେ ହଠାତ୍‌ ସ୍ୱର ବଦଳାଇ କହିଲେ, ‘‘ଏ ଗୋଟାଏ ଛାତ୍ର ଓ ଶିକ୍ଷକ ଭିତରେ ଝଗଡ଼ା । ଏହା କଚେରୀ ଭିତରେ ଏତେ ଲୋକଙ୍କ ଆଗରେ ପଡ଼ିବା ସୁନ୍ଦର ହେଉ ନାହିଁ । ବର୍ତ୍ତମାନ ମୋର କେତେ କାର୍ଯ୍ୟ ବାକି ଅଛି । ରାଜ୍ୟର ବହୁତ ପ୍ରଜା ଆସି ଜମା ହୋଇଛନ୍ତି । ସେମାନଙ୍କ କଥା ମତେ ବୁଝିବାକୁ ହେବ । ଏସବୁ ବୁଝିବାକୁ ମତେ ସମୟ ନାହିଁ ।’’ ଏହା କହି ମତେ କହିଲେ, ‘‘ଗୋବିନ୍ଦ, ତୁମେ ଯାଅ, ହେଡ୍‌ମାଷ୍ଟର ବାବୁଙ୍କୁ କ୍ଷମା ମାଗ । ସେ ତୁମ୍ଭର ଶିକ୍ଷକ । ତୁମ୍ଭର ପିତୃତୁଲ୍ୟ ଅଟନ୍ତି । ତୁମ୍ଭ ବ୍ୟବହାରରେ ତାଙ୍କ ମନରେ କଷ୍ଟ ହୋଇଛି । ତୁମ୍ଭେ ତାଙ୍କୁ କ୍ଷମା ମାଗି ନିଅ । ହେଡମାଷ୍ଟରଙ୍କୁ କ୍ଷମା ମାଗିବାକୁ ମୁଁ ତୁମ୍ଭଙ୍କୁ ଅନୁରୋଧ କରୁଛି ।’’ ହେଡମାଷ୍ଟର ମହାଶୟଙ୍କୁ ମଧ୍ୟ ଏହି ମର୍ମରେ ଦୁଇ ଚାରି ପଦ କହି ଏହି ଘଟଣାକୁ ଏହିଠାରେ ଲିଭାଇ ଦେଲେ । ବିଶ୍ୱାଳଙ୍କ ଅନୁରୋଧ ରକ୍ଷା କରିବା ପାଇଁ ମୁଁ କ୍ଷମା ମାଗିବା ବାହାନାରେ ହେଡମାଷ୍ଟରଙ୍କୁ ସେହିଠାରେ କେତେକ ଅପ୍ରିୟ ସତ୍ୟ କଥା କହି ଚାଲି ଆସିଲି । ମୋ ପଛରେ ପ୍ରାୟ ଶତାଧିକ ଲୋକ ଚାଲି ଆସିଥିଲେ । ଏହି ବ୍ୟାପାର ଏପରି ଭାବରେ ନିଷ୍ପତ୍ତି ହେବାରେ ଆମ୍ଭେମାନେ ଅବଶ୍ୟ ଅତିଶୟ ଆନନ୍ଦିତ ହୋଇଥିଲୁ । ହେଡମାଷ୍ଟର ମହାଶୟ ମଧ୍ୟ ସବୁ ଭୁଲିଯାଇ ପୁଣି ପୂର୍ବପରି ମୋ ସହିତ କଥୋପକଥନ କରିଥିଲେ । ନିମାଇଁ କଟକରେ ପଢ଼ିବାପାଇଁ ଟ୍ରାନ୍‌ସଫର ସାର୍ଟିଫିକେଟ ଖଣ୍ଡିକ ଦେଇଥିଲେ ।

Image

 

ଚତୁର୍ଥ ପରିଚ୍ଛେଦ

 

ଗ୍ରୀଷ୍ମବିକାଶ ଶେଷ ହେଲା । ମୁଁ କଟକ ଆସିବାକୁ ଉଦ୍ୟତ ହେଲି । ନିମାଇଁ ଓ ହରିହର ମୋ ସଙ୍ଗରେ ଆସିବାର ସ୍ଥିର ହେଲା । ହରିହରଙ୍କ ପିତାଙ୍କ ନାମ କୃପାସିନ୍ଧୁ ବୈଦ୍ୟବ୍ରହ୍ମା । ସେ ହେଉଛନ୍ତି ରାଜବୈଦ୍ୟ । କେତେକ ପୁରୁଣାକାଳିଆ ତାଳପତ୍ରରେ ଲେଖା ପୋଥି ପଢ଼ି ସେ ବୈଦ୍ୟବୃତ୍ତି କରନ୍ତି । କବିରାଜି ବିଦ୍ୟାରେ କେତେ ଉନ୍ନତି ହେଲାଣି ତାହାଙ୍କୁ ଜଣା ନାହିଁ । ସେ ବର୍ତ୍ତମାନ ମୋର ପରାମର୍ଶରେ ତାଙ୍କର ପୁତ୍ର ଶ୍ରୀମାନ୍‌ ହରିହରଙ୍କୁ ମୋ ସଙ୍ଗରେ କଟକ ପଠାଉଅଛନ୍ତି । ମୋର ଉଦ୍ଦେଶ୍ୟ ଯେ, କୌଣସି ବିଷୟ ଅଧ୍ୟୟନ୍ୱକରିବା ପାଇଁ କଟକରେ କିଛିଦିନ ରହିଗଲେ, ଅନେକ କଥା ଜାଣି ପାରିବ । ଏହିପରି ଭାବରେ ହରିହର ଓ ନିମାଇଁକୁ ସଙ୍ଗରେ ଧରି ମୁଁ କଟକରେ ଉପସ୍ଥିତ ହେଲି । ନିମାଇଁ ଅନନ୍ତ ନିକଟରେ ରହିଲା । ହରିହର କବିରାଜ ଶ୍ରୀ ଶ୍ୟାମସୁନ୍ଦର ଶାଠିଆଙ୍କ ନିକଟରେ ରହି କବିରାଜି ଶିକ୍ଷାକଲା । ମୁଁ ମିଶନ ସ୍କୁଲ ହିନ୍ଦୁ ହୋଷ୍ଟେଲରେ ରହିଥାଏ । ପ୍ରାୟ ପ୍ରତିଦିନ ଏମାନଙ୍କ ନିକଟକୁ ଆସେ । ଦଶପଲ୍ଲା ଅବସ୍ଥା ଅନେକ ସମୟରେ ଆଲୋଚନା ପଡ଼େ । କଟକରେ ଦଶପଲ୍ଲା ମେସ୍‌ ଗୋଟିଏ କରିବାକୁ ବେଳେ ବେଳେ ମୁଁ ପ୍ରସ୍ତାବ କରେ । ମାତ୍ର ମେସ୍‌ କରି ସମସ୍ତେ ଏକାଠି ରହିବାପାଇଁ ଆର୍ଥିକ ଅବସ୍ଥା ସମସ୍ତଙ୍କର ଅନୁକୂଳ ନ ଥିବାରୁ ଏହି ଇଚ୍ଛା କାର୍ଯ୍ୟରେ ପରିଣତ ହୋଇ ପାରେ ନାହିଁ ।

 

ଏହି ଦଶପଲ୍ଲା ମେସ୍‌ର କଳ୍ପନା ମନରେ ଜାତ ହେବା ପରେ, ଦେଶର ଅବସ୍ଥା ବିଚାର କରିବା ପାଇଁ ଗୋଟିଏ ଦଳ ଗଢ଼ିବାର ଭାବ ମୋ ମନରେ ଜନ୍ମିଲା । ମିଶନ ସ୍କୁଲରେ ବାଇବଲ୍‌ ଖ୍ରୀଷ୍ଟିୟାନ ଗ୍ରନ୍ଥ ଶିକ୍ଷା ଦିଆଯାଏ । ଯେଉଁ ଶିକ୍ଷକ ଏହି ବାଇବଲ୍‌ ଆମ୍ଭ କ୍ଲାସରେ ପଢ଼ାନ୍ତି ତାହାଙ୍କ ସହିତ ଆମ୍ଭେ କେତେଜଣ ଭାରୀ ଯୁକ୍ତି କରୁ । ମଧୁସୂଦନ ମହାନ୍ତି, କୃତ୍ତିବାସ ନନ୍ଦ ଓ ମୁଁ ଆମ୍ଭେ ତିନିଜଣ ପ୍ରାୟ ଏହି ଯୁକ୍ତି ଆରମ୍ଭ କରୁ । ମଧୁ ରାମକୃଷ୍ଣ କଟେଜରେ ରହିଥାଏ, ତାହାର ଘର ଆଠଗଡ଼ । କୃତ୍ତିବାସ ସବୁ ବିଷୟରେ ଟିକିଏ ଆଗକୁହା । ଏହି ଦୁଇଜଣଙ୍କ ସହିତ ମୋର ମନ ମିଳୁଥାଏ । ଅନ୍ତର୍ଯ୍ୟାମୀ ପଟ୍ଟନାୟକ ନାମକ ଆମ୍ଭର ଆଉ ଜଣେ ସହାଧ୍ୟାୟୀ ଥାଏ । ନୟାଗଡ଼ରୁ ଅନ୍ତର୍ଯ୍ୟାମୀ ସହିତ ମୋର ପରିଚୟ । ସେ କଟକ ଆସି ମିଶନ ହିନ୍ଦୁ ହୋଷ୍ଟେଲରେ ମଧ୍ୟ ଥାଏ । ମୋ ସହିତ ପରିଚିତ ଥିବାରୁ ସେ ହିନ୍ଦୁ ହୋଷ୍ଟେଲକୁ ଆସିଥାଏ । ଅନ୍ତର୍ଯ୍ୟାମୀ ମଧ୍ୟ ଅନେକ ସମୟରେ ଆମ୍ଭମାନଙ୍କ ସହିତ ନାନାପ୍ରକାର ଆଲୋଚନାରେ ଯୋଗ ଦିଏ । ମୁଁ ପ୍ରଥମେ ମଧୁ ଓ କୃତ୍ତିବାସକୁ ଏହି ଦଳ ବାନ୍ଧିବା କଥା କହିଲି । ସେମାନେ ମୋର ପ୍ରସ୍ତାବ ଶୁଣିଲା ମାତ୍ରକେ ଏହା ଗଢ଼ିବାକୁ ଅଙ୍ଗୀକାର କଲେ । କୃତ୍ତିବାସ, ମଧୁ ଓ ମୁଁ ଆମ୍ଭେ ତିନିଜଣ ପ୍ରଥମେ ଏ ବିଷୟରେ ଏକମତ ହେଲୁ । ତାପରେ ଅନ୍ତର୍ଯ୍ୟାମୀ ଓ ବିନୋଦକୁ ସାଥି କଲୁଁ । ବିନୋଦ ମଧ୍ୟ ଆମ୍ଭର ସହାଧ୍ୟାୟୀ । ସେ ରାମକୃଷ୍ଣ କଟେଜ୍‌ରେ ମଧୁ ସହିତ ରହିଥାଏ । ସେ ଯାହା ହେଉ ଏହିପରି ଭାବରେ ଆମ୍ଭେ ପାଞ୍ଚଜଣ ମିଶି ଗୋଟିଏ ଗୁପ୍ତ ସମାଜ (Secret Socity) ସ୍ଥାପନ କଲୁ । ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ସ୍କୁଲର ଖେଳଛୁଟି ବେଳେ ଆମ୍ଭେ ଏହି ପାଞ୍ଚଜଣ ଏକାଠି ବସି ନାନାକଥା ଆଲୋଚନା କରୁ । ମଧୁବାବୁଙ୍କ କୋଠି ସମ୍ମୁଖ ପଡ଼ିଆର କେତୋଟି ଆମ୍ବଗଛ ତଳେ ଆମ୍ଭର ଏହି ବୈଠକ ବସେ । ବର୍ତ୍ତମାନ ସେଠାରେ କଟକ କ୍ଲବ ଘର ନିର୍ମିତ ହୋଇଅଛି । ଯାହା ସବୁ ବସି ଆଲୋଚନା କରୁ ସେ ସବୁର ଗୋଟିଏ ବିବରଣୀ ଲେଖିରଖୁ ।

 

ଏହି ସଘଂଟି ସ୍ଥାପନ କଲା ପରେ ଆମ୍ଭେମାନେ ପ୍ରତ୍ୟେକ ଦେଶ କାର୍ଯ୍ୟରେ ଜୀବନ ଉତ୍ସର୍ଗ କରିବାକୁ ସଂକଳ୍ପ କଲୁ । ଦେଶ କାର୍ଯ୍ୟ କରିବାକୁ ହେଲେ ପ୍ରଥମେ ନିଜ ନିଜକୁ ତିଆର କରିବା ଦରକାର । ପଲ୍ଲି ଗ୍ରାମରୁ ଛାତ୍ରମାନେ କଟକ ଅଧ୍ୟୟନ କରିବାକୁ ଆସିଲେ, ସେମାନଙ୍କର କେତେଗୁଡ଼ିଏ ବଦଭ୍ୟାସ ହୋଇଯାଏ । ଗୁଡ଼ାଖୁରେ ଦାନ୍ତ ଘଷିବା, ଚନ୍ଦନୀ ବିଡ଼ି ଖାଇବା ଏହି ଦୁଇଟି ପ୍ରଥମେ ଅଭ୍ୟାସ ପଡ଼େ । ଆମ୍ଭେମାନେ କେହି ଏଥିରୁ ମୁକ୍ତ ନ ଥାଉ । ଆମ୍ଭ ଗୁପ୍ତ ସମାଜର ପ୍ରଥମ କାର୍ଯ୍ୟ ହେଲା ନିଜ ନିଜକୁ ସଂଶୋଧନ କରିବା । ଆମ୍ଭେମାନେ ସଂକଳ୍ପ କଲୁ, ବିଡ଼ି ପାନଗୁଟୁଖା ସମସ୍ତେ ତ୍ୟାଗ କରିବା । ତେଲ ଲଗାଇବା ମଧ୍ୟ ଅନାବଶ୍ୟକ । ଆମ୍ଭେମାନେ ସମସ୍ତେ ବିଡ଼ି ପାନ ଓ ତେଲ ଛାଡ଼ିଲୁ । କିନ୍ତୁ ବିନୋଦ ପାନ ଖଣ୍ଡିକ ଛାଡ଼ି ପାରେ ନାହିଁ । ଏଥିପାଇଁ ଆମ୍ଭେମାନେ ତାକୁ ବହୁତ ଥଟା ପରିହାସ କରୁ । ବେଳେ ବେଳେ ଗାଳି ଓ କାନମୋଡ଼ା ପର୍ଯ୍ୟନ୍ତ ଦେଉ ।

 

ଆମ୍ଭମାନଙ୍କ ସମୟକୁ ମିଶନ ସ୍କୁଲରେ ଡିବେଟିଙ୍ଗ କ୍ଲବ କିମ୍ବା ଗରିବ ଛାତ୍ରକୁ ସାହାଯ୍ୟ କରିବାପାଇଁ ପାଣ୍ଠି ନ ଥାଏ । ଆମ୍ଭମାନଙ୍କ ଚେଷ୍ଟାରେ ସ୍କୁଲରେ ଗୋଟିଏ ଡିବେଟିଙ୍ଗ କ୍ଲବ ହେଲା । ଗୋଟିଏ ଗରିବ ପାଣ୍ଠି (Poor fund) ମଧ୍ୟ ହେଲା । ଗରିବ ପାଣ୍ଠି ପାଇଁ ପିଲାମାନଙ୍କ ନିକଟରୁ ପଇସା ଆଦାୟ କରିବା, ଡିବେଟିଙ୍ଗ କ୍ଲବରେ କହିବା ଓ ରଚନା ଲେଖିବା ଆଦି ସବୁ ବିଷୟରେ ଆମ୍ଭେମାନେ ଯେ ଅଗ୍ରଣୀ ଥାଉ ଏକଥା କହିବା ଅନାବଶ୍ୟକ । ଆମ୍ଭମାନଙ୍କ ଚେଷ୍ଟାରେ ଖଣ୍ଡିଏ ହାତଲେଖା ମାସିକ ପତ୍ରିକା ମଧ୍ୟ ବାହାରିଲା । ଡିବେଟିଙ୍ଗ କ୍ଲବରେ ଆଲୋଚନା ପାଇଁ ‘‘ଅପ୍ରକୃତ ଲଜ୍ଜା’’ ନାମକ ଗୋଟିଏ ପ୍ରବନ୍ଧ ଥରେ ମୁଁ ପାଠ କରିଥିଲି । ମୋର ସେହି ଲେଖାଟି ଅତି ଉଚ୍ଚ ଧରଣର ଲେଖା ହୋଇଥିଲା ବୋଲି ସମସ୍ତେ ପ୍ରଶଂସା କରିଥିଲେ । ଏହି ପ୍ରଶଂସାରେ ମୁଁ ମଧ୍ୟ ଟିକିଏ ଗର୍ବ ଅନୁଭବ କରିଥିଲା ପରି ମୋର ମନେହୁଏ । ସେତେବେଳେ ମୁଁ ମଧ୍ୟ ଭଲ ପ୍ରବନ୍ଧ ଲେଖି ପାରୁଥିଲି ।

 

ଏହି ସମୟରେ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ ମିଶନ ସ୍କୁଲର ଶିକ୍ଷକ ଥାନ୍ତି । ସେ ବର୍ତ୍ତମାନ ଭାରତ ସେବକ ସମାଜର ଜଣେ ସଭ୍ୟ । କିନ୍ତୁ ସେତେବେଳେ ସେ ଆଇ: ଏ: ମାତ୍ର ପାସ କରିଥିଲେ । ଏହି ମିଶନ ସ୍କୁଲରେ ଶିକ୍ଷକ ଥାଇ ବି. ଏ. ପରୀକ୍ଷା ଦେଇ ସେ ବି. ଏ. ଉପାଧି ପ୍ରାପ୍ତ ହେଲେ । ଲକ୍ଷ୍ମୀନାରାୟଣ ବାବୁ ସବୁ ବିଷୟରେ ଛାତ୍ରମାନଙ୍କୁ ଉତ୍ସାହ ଉତ୍ତେଜନା ଦେବା ବ୍ୟକ୍ତି । ସେ ଯାହା ଭାବିଥିବେ ତାହା କରିଯିବେ । ଏଥିପାଇଁ ଦୁନିଆଁ କ’ଣ କହୁଛି ସେଥିକୁ ତାଙ୍କର ଭ୍ରୂକ୍ଷେପ ନ ଥାଏ । ଏହିସମୟରେ ସେ ଖଣ୍ଡିଏ ବହି ଲେଖି, ଲେଖକ ଜାତିରେ ପାଣ ବୋଲି ପ୍ରକାଶ କରିଥିଲେ । ମିଶନ ସ୍କୁଲରେ ପଣ୍ଡିତ ଦୀନବନ୍ଧୁ ଦାସ ସଂସ୍କୃତ ହେଡ ପଣ୍ଡିତ । ଶ୍ରୀଯୁକ୍ତ ଦୈତ୍ୟାରି ମିଶ୍ର ଓଡ଼ିଆ ଶିକ୍ଷକ ଓ ମିଶନ ହିନ୍ଦୁ ହୋଷ୍ଟେଲର ସୁପରିଂଟେଣ୍ଡେଣ୍ଟ । ଏହି ଦୁଇଜଣ ଲକ୍ଷ୍ମୀନାରାୟଣ ବାବୁ ଏପରି ନିଜକୁ ଜାତିରେ ପାଣ ବୋଲି ଲେଖି ଥିବାରୁ ତାହାଙ୍କ ପ୍ରତି ସାମାଜିକ କଠୋର ନିୟମ ପ୍ରୟୋଗ କରିଥିଲେ । ଲକ୍ଷ୍ମୀନାରାୟଣ ବାବୁଙ୍କ ସହିତ ହିନ୍ଦୁ ଛାତ୍ର ଯେଉଁମାନେ ମିଳାମିଶା କରନ୍ତି ସେମାନଙ୍କୁ ମଧ୍ୟ ଏହି ଦୁଇ ଶିକ୍ଷକ ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ । କିନ୍ତୁ ଆମ୍ଭେମାନେ କିଛି ନ ମାନି ଲକ୍ଷ୍ମୀନାରାୟଣ ବାବୁଙ୍କ ସହିତ ମିଳାମିଶା କରୁ । ଅନେକ ସମୟରେ ସେ ଆସି ଆମ୍ଭର ଏହି ଗୁପ୍ତ ସମାଜରେ ଯୋଗ ଦେଇ ନାନା କଥା ଆଲୋଚନା କରନ୍ତି । ଦିନେ ଦିନେ ଆମ୍ଭେମାନେ ଖରା କେତେ ସହି ପାରିବା ଏହା ପରୀକ୍ଷା କରିବାପାଇଁ ଲକ୍ଷ୍ମୀନାରାୟଣ ବାବୁଙ୍କ ସହିତ ଖରାର ଖାଲି ଗୋଡ଼ ଖାଲି ମୁଣ୍ଡରେ ବୁଲୁ । ଲକ୍ଷ୍ମୀନାରାୟଣ ବାବୁଙ୍କୁ ସମସ୍ତେ କହନ୍ତି ପାଗଳା । ତାଙ୍କ ସହିତ ଆମ୍ଭେମାନେ ମଧ୍ୟ ଏକପ୍ରକାର ପାଗଳ ।

Image

 

ପଞ୍ଚମ ପରିଚ୍ଛେଦ

 

ବିଦ୍ୟାଧର ମିଶ୍ର ମୋର କକେଇ ପୁଅ ଭାଇ । ସେ ଦଶପଲ୍ଲା ଗଡ଼ ସ୍କୁଲରେ ପଢ଼ୁଥାଏ-। ନିମାଇଁକୁ କଟକ ଆଣିଲା ପରେ ବିଦ୍ୟାଧର କଟକ ଆସିବା ପ୍ରଶ୍ନ ମୋର ମନରେ ବାରମ୍ବାର ଉଦିତ ହେଲା । ମନେ ମନେ ଭାବିଲି, ମୁଁ ଦେଶପାଇଁ ଜୀବନ ଦେବାକୁ ବ୍ୟାକୁଳ । କିନ୍ତୁ ନିଜର ଭାଇ ପ୍ରତି ମୋର କର୍ତ୍ତବ୍ୟ କରି ନ ପାରିଲେ ଦେଶକାର୍ଯ୍ୟ ମୁଁ ଆଉ କ’ଣ କରିବି ? ଏହିପରି ଭାବ ମଧ୍ୟ ମନକୁ ଚଞ୍ଚଳ କଲା । କିନ୍ତୁ ବିଦ୍ୟାଧରକୁ କଟକ ଆଣିବାକୁ ହେଲେ, ତାହାର ସମସ୍ତ ଖର୍ଚ୍ଚ ମତେ ବହନ କରିବାକୁ ପଡ଼ିବ । ଘରୁ ତ ଗୋଟିଏ ପଇସା ମଧ୍ୟ ମିଳିବାର ସମ୍ଭାବନା ନାହିଁ । ଏଥିପାଇଁ ମୁଁ ଭାବେ ମୋର କର୍ତ୍ତବ୍ୟ କ’ଣ ? କିନ୍ତୁ ଭାବି କିଛି ସ୍ଥିର କରି ପାରେ ନାହିଁ । ବିଦ୍ୟାଧର କଟକ ଆସିଲେ ମତେ ମିଶନ ହିନ୍ଦୁ ହୋଷ୍ଟେଲ ଛାଡ଼ି ଆସିବାକୁ ହେବ, ପୁଣି ଦୁଃଖ କଷ୍ଟରେ ଚଳିବାପାଇଁ ପ୍ରସ୍ତୁତ ହେବାକୁ ହେବ ।

 

ଏହିପରି ଭାବନା ମନରେ ଖେଳୁଛି, ଏପରି ସମୟରେ ଦଶପଲ୍ଲାରୁ ସଂବାଦ ପାଇଲି କକେଇ ଭୟଙ୍କର ପୀଡ଼ିତ । ତାହାଙ୍କର ବଞ୍ଚିବାର ଆଶା ନାହିଁ । ଏ ସଂବାଦ ପାଇ ଦଶପଲ୍ଲା ଗଲି । ମାତ୍ର ଦଶପଲ୍ଲା ପହୁଞ୍ଚିବା ପୂର୍ବରୁ କକେଇ ଆଉ ନାହାନ୍ତି । ସେ ଇହଧାମ ଛାଡ଼ି ଚାଲି ଗଲେଣି । ଘରେ ପହୁଞ୍ଚି ଶୁଣିଲି, ମୃତ୍ୟୁ ପୂର୍ବରୁ କକେଇ ମତେ ଦେଖିବାକୁ ବଡ଼ ଅଧୀର ହେଉଥିଲେ ।

 

ସେ ଯାହା ହେଉ କୌଣସି ପ୍ରକାରେ କକେଇଙ୍କ ଶୁଦ୍ଧିକ୍ରିୟା ଶେଷ କଲି । ବର୍ତ୍ତମାନ ମୋର କର୍ତ୍ତବ୍ୟ କ’ଣ ଏ ପ୍ରଶ୍ନ ଅତି ଭୀଷଣ ଆକାରରେ ମୋ ସମ୍ମୁଖରେ ଦଣ୍ଡାୟମାନ । କକେଇ କୌଣସି ପ୍ରକାରେ ପରିବାର ଚଳାଚଳ କରାଉଥିଲେ । ବିଦ୍ୟାଧର ସ୍କୁଲରେ ପଢ଼ୁଛି, କିଛି ଜାଣେ ନାହିଁ । ମୁଁ ଯଦି ଏତେବେଳେ ଏମାନଙ୍କ ଦୃଷ୍ଟି ନ ଦିଏ, ତେବେ ଏମାନଙ୍କ ଅବସ୍ଥା କ’ଣ ହେବ, ତାହା କଳ୍ପନା କରି ହେବ ନାହିଁ । ମୁଁ କ’ଣ କରିବି କିଛି ଭାବି ସ୍ଥିର କରି ପାରିଲି ନାହିଁ । ପାଠ ପଢ଼ା ଛାଡ଼ି କିଛି ଚାକିରି ନ କଲେ, ଏ ପରିବାରକୁ ପ୍ରତିପୋଷଣ କରାଯାଇ ନ ପାରେ । ଗଡ଼ଜାତରେ ବଡ଼ ହେଲେ ୧୦।୧୨ ଟଙ୍କାରେ ଖଣ୍ଡିଏ ଚାକିରି ମିଳିପାରେ । ତାହା ପୁଣି ସହଜ ନୁହେଁ । ମୋର ଭାବନାର କିଛି ଅନ୍ତ ରହିଲା ନାହିଁ । ଦେଶସେବା ଆଦି ସମସ୍ତ ପ୍ରକାର କଳ୍ପନା ଜଳ୍ପନା ମନରୁ କୁଆଡ଼େ ଉଭେଇଗଲା । ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସି ରହିଲି । ମୋତେ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା ।

 

ଘରେ ଖୁଡ଼ୀ, ତାଙ୍କର ଦୁଇଟି କନ୍ୟା ଓ ଦୁଇଟି ପୁତ୍ର । ତାଙ୍କ ସାଙ୍ଗକୁ ମୋର ବୃଦ୍ଧା ପିଉସୀ । ଘରେ କିଛି ବୋଲି କିଛି ନାହିଁ । ନୟାଗଡ଼ ସମ୍ପତ୍ତି ଆଜି ପର୍ଯ୍ୟନ୍ତ ଋଣମୁକ୍ତ ହୋଇ ନାହିଁ । ଦଶପଲ୍ଲାରେ ଭୂସଂପତ୍ତି ହୋଇ କିଛି ନାହିଁ । ଏତେଗୁଡ଼ିଏ ଲୋକ କିପରି ଚଳିବେ ? ଏମାନଙ୍କୁ ଏପରି ନିଃସହାୟ ଅବସ୍ଥାରେ ଛାଡ଼ିଦେଇ ମୁଁ ଚାଲିଯିବି କିପରି ? ଏମାନଙ୍କୁ ଭୁଲିଯାଇ କଟକ ଯାଇ ପାଠ ପଢ଼ିବା ମୋ ପକ୍ଷରେ ଏକାବେଳକେ ଅସମ୍ଭବ । କଟକ ନ ଗଲେ ଘରେ ରହି କ’ଣ କରିବି-? କଟକ ଗଲେ ନୟାଗଡ଼ ଷ୍ଟେଟ୍‌ ସ୍କଲର୍‌ସିପ୍‌ ମାସକୁ ନଟଙ୍କା ସିନା ପାଇବି । ଘରେ ବସିଲେ କ’ଣ ମିଳିବ ? ଏହିପରି ଭାବି ମାସରେ ଘରକୁ ଚାରୋଟି ଟଙ୍କା ସାହାଯ୍ୟ ଦେବାକୁ ସ୍ଥିର କରି ବିଦ୍ୟାଧରକୁ ସଙ୍ଗରେ ଧରି କଟକ ଆସିଲି ।

 

କଟକ ଆସି ମିଶନ ହିନ୍ଦୁ ହୋଷ୍ଟେଲ ଛାଡ଼ି ଆସି ବର୍ତ୍ତମାନ ଅଦାଲତ ସମ୍ମୁଖ ଭାରତୀ କୋଠାରେ ରହିଲି । ଅନନ୍ତ ଓ ନିମାଇଁ ଏହିଠାରେ ରହିଥାନ୍ତି । ମୁଁ ଆସି ଏମାନଙ୍କ ସହିତ ରହିଲି, ବିଦ୍ୟାଧର ମୋ ସହିତ ରହିଲା । ମିଶନ ସ୍କୁଲରେ ବିଦ୍ୟାଧରର ନାମ ଲେଖାଇ ଦେଲି । ମିଶନ ସ୍କୁଲର ହେଡମାଷ୍ଟର ରେଭରେଣ୍ଡ ବ୍ରଜାନନ୍ଦ ଦାସ । ତାହାଙ୍କୁ ମୋର ସମସ୍ତ ଅବସ୍ଥା ଶୁଣାଇବାରେ ସେ ଆମ୍ଭ ଦୁଇଜଣଙ୍କ ସ୍କୁଲ ଦରମା ପୂରା ଛାଡ଼ କରିଦେଲେ । ଭାରତୀ କୋଠାରେ ମୁଁ ହାତରେ ରୋଷେଇ କରି ଖାଇଲି । ଏକବେଳା ରୋଷେଇ କରୁ, ଜଣକ ଖାଦ୍ୟକୁ ଦୁଇଜଣ ବାଣ୍ଟି ଖାଉ । ଏହିପରି ଭାବରେ ଛାତ୍ର ଜୀବନ ପୁଣି ଚାଲିଲା ।

 

ଏହି ସମୟରେ କଟକକୁ ବାବୁ ପ୍ରେମାନନ୍ଦ ଭାରତୀ ନାମରେ ଜଣେ ସିଦ୍ଧ ମହାପୁରୁଷ ଆସିଲେ । ସେ କଟକ ଟାଉନ୍‌ ହଲରେ ଧର୍ମ ବିଷୟରେ ଗୋଟିଏ ବକ୍ତୃତା ଦେଲେ । ତାହାଙ୍କ ବକ୍ତୃତା ଶୁଣିବାକୁ ମୁଁ ଯାଇଥିଲି, ଏହା କହିବା ଅନାବଶ୍ୟକ । ସେ ଜଣେ ବଙ୍ଗାଳି, ବି. ଏ. ପାସ କରିଥାନ୍ତି । ସେ ଶ୍ରୀକୃଷ୍ଣଙ୍କ ଜଣେ ପରମ ଭକ୍ତ । ଶ୍ରୀକୃଷ୍ଣଙ୍କର ସାକ୍ଷାତ ଦର୍ଶନ ଲାଭ ସେ କିପରି ପାଇଛନ୍ତି ଏବଂ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଭ ପରେ, ଆମେରିକା, ଇଂଲଣ୍ଡରେ କିପରି ଧର୍ମ ପ୍ରଚାର କରି ହଜାର ହଜାର ଶିଷ୍ୟ କରିଛନ୍ତି, ଇତ୍ୟାଦି ବିଷୟ ଉଲ୍ଲେଖ କରି ସେ ବକ୍ତୃତା ଦେଇଥିଲେ । ବକ୍ତୃତା ପରେ ଶ୍ରୀକୃଷ୍ଣଙ୍କର ଗୋଟିଏ ଭଜନ ଗାନ କରି ସେ ଯେଉଁ କୀର୍ତ୍ତନ କରିଥିଲେ, ତହିଁରେ ଟାଉନ୍‌ ହଲର ସମସ୍ତେ ମୁଗ୍‌ଧ ହୋଇ ଯାଇଥିଲେ । କୀର୍ତ୍ତନ କଲାବେଳେ ବାବା ପ୍ରେମାନନ୍ଦ ଭାରତୀ ଯେତେବେଳେ ନାଚିବାକୁ ଆରମ୍ଭ କଲେ, ସେତେବେଳେ ଟାଉନ୍‌ ହଲର ସମସ୍ତେ ଆତ୍ମବିସ୍ମୃତ ହେଲା ପ୍ରାୟ ତାଙ୍କ ସହିତ ନାଚି ଉଠିଥିଲେ । ସେପରି କୀର୍ତ୍ତନ ମୁଁ ଏପର୍ଯ୍ୟନ୍ତ ଦେଖି ନାହିଁ, କିମ୍ବା ବାବା ପ୍ରେମାନନ୍ଦଙ୍କ ପରି ସୁନ୍ଦର ମୂର୍ତ୍ତି ମଧ୍ୟ ମୁଁ ଦେଖିବାକୁ ପାଇ ନାହିଁ । ସେ ଯାହା ହେଉ, ତାହାଙ୍କ କୀର୍ତ୍ତନରେ ମୁଁ ମଧ୍ୟ ଭାସି ଗଲି । ମୁଁ ମୋର ଅସ୍ତିତ୍ୱ ଭୁଲିଗଲି କହିଲେ ଚଳେ । ମୁଁ ମୋର ପାଠପଢ଼ା ଭୁଲି ଗଲି । ବାବା ପ୍ରେମାନନ୍ଦ ଭାରତୀ କଟକରେ ଥିବା ପର୍ଯ୍ୟନ୍ତ ସବୁବେଳେ ମୁଁ ତାହାଙ୍କ ନିକଟରେ । ସ୍କୁଲକୁ ଯାଇ ନାହିଁ, କିମ୍ବା ବସାକୁ ମଧ୍ୟ ଆସି ନାହିଁ । ମୁଁ ତାହାଙ୍କୁ ଛାଡ଼ି ନ ଆସିବାର ଦେଖି ସେ ମତେ ତାହାଙ୍କ ଦଳଭୁକ୍ତ କରିବାକୁ ଇଙ୍ଗିତ ଦେଇଥିଲେ । କିନ୍ତୁ ବେକରେ ମାଳି ବାନ୍ଧି ବାବାଜୀ ହେବାକୁ ମତେ ଭଲ ଲାଗିଲା ନାହିଁ । ମୁଁ ଭାବିଲି, ମୁଁ ଦେଶପାଇଁ କାର୍ଯ୍ୟ କରିବି, ବାବାଜୀ ହେଲେ ଚଳିବ କିପରି ?

 

ମୁଁ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲି ନାହିଁ, କିମ୍ବା ବାବା ପ୍ରେମାନନ୍ଦଙ୍କ ଦଳଭୁକ୍ତ ହେଲି ନାହିଁ । ସେ କଟକ ଛାଡ଼ି ଚାଲିଗଲେ, ମୁଁ ବସାକୁ ଫେରିଲି । ଚାରି ପାଞ୍ଚ ଦିନ ପରେ ସ୍କୁଲକୁ ଗଲି । ସ୍କୁଲରେ ରାଷ୍ଟ୍ର ହୋଇ ଗଲାଣି, ମୁଁ ବାବା ପ୍ରେମାନନ୍ଦଙ୍କ ଶିଷ୍ୟ ହୋଇ ତାଙ୍କ ସହିତ ଚାଲିଯାଉଛି । ମତେ ସ୍କୁଲରେ ଉପସ୍ଥିତ ହେବାର ଦେଖି କିଏ କେତେ ଥଟ୍ଟା ପରିହାସ କଲେ । ହେଡ ପଣ୍ଡିତ ଦୀନବନ୍ଧୁ ଦାସ, ମୁଁ ସ୍କୁଲକୁ ନ ଯାଇଥିବା ହେତୁ ବିରକ୍ତ ହେଲେ । ସେ କହିଲେ, ‘‘ଛାତ୍ରାଣାଂ ଅଧ୍ୟୟନ ତପଃ’’ ଏହା ଯେଉଁ ଛାତ୍ର ଭୁଲିଯାଏ ସେ ପଥଭ୍ରଷ୍ଟ ହୁଏ । ସେ ଛାତ୍ର ନୁହେଁ, ସେ ଗୋଟାଏ ଅଧମ ଚାଣ୍ଡାଳ ।

 

ପଣ୍ଡିତ ମହାଶୟ ବ୍ରାହ୍ମଣ । ତାହାଙ୍କ ବିବେଚନାରେ ବୈଷ୍ଣବ ଧର୍ମ ବ୍ରାହ୍ମଣର ଧର୍ମ ନୁହେଁ-। ମୁଁ ବ୍ରାହ୍ମଣ ହୋଇ ଜଣେ ବୈଷ୍ଣବ ପଛରେ ଗୋଡ଼ାଉଥିଲି ଏଥିପାଇଁ ସେ ବଡ଼ ଅସନ୍ତୁଷ୍ଟ । ପଣ୍ଡିତ ମହାଶୟଙ୍କଠାରୁ ଏପରି ଯୁକ୍ତି ଶୁଣି ମୁଁ ତାହାଙ୍କ ସହିତ ବାଦ ପ୍ରତିବାଦ କଲି । ମଧୁ, କୃତ୍ତିବାସ ମୋ ସଙ୍ଗରେ ଯୋଗ ଦେଲେ । ଛାତ୍ରାଣାଂ ଅଧ୍ୟୟନ ତପଃ ଏହି ଉକ୍ତିଟିର ଅର୍ଥ ନେଇ ଯୁକ୍ତି ଆରମ୍ଭ କଲୁ-। ଆମ୍ଭର ଯୁକ୍ତିର ମର୍ମ ହେଉଛି, ବର୍ତ୍ତମାନ ଶିକ୍ଷା ଛାତ୍ରର ଅଧ୍ୟୟନ ରୂପକ ତପଃ ହୋଇ ନ ପାରେ । ଅଧ୍ୟୟନ ବେଳେ, ଦେଶ, ସମାଜ ଓ ଧର୍ମର ଆଲୋଚନା କରିବା ମଧ୍ୟ ଛାତ୍ରର ଅଧ୍ୟୟନ । ଏହିପରି ଅଧ୍ୟୟନ ଛାତ୍ରର ତପଃ । ଆମ୍ଭେମାନେ ପ୍ରକୃତରେ ଛାତ୍ର ଓ ଯଥାର୍ଥ ତପସ୍ୱୀ ଏପରି ଯୁକ୍ତି ଶୁଣି ପଣ୍ଡିତ ମହାଶୟ ଭାରୀ ରାଗିଗଲେ । ସେହିଦିନୁ ଆମ୍ଭ ତିନିଜଣଙ୍କୁ ସେ ତପସ୍ୱୀ କହନ୍ତି । ବାଟରେ ଘାଟରେ ଦେଖିଲେ କହନ୍ତି, ‘‘କି ହୋ ତପସ୍ୱି, ତୁମ୍ଭର ତପଃ କିପରି ଚାଲିଛି ?’’

 

ସେ ଯାହା ହେଉ ବାବା ପ୍ରେମାନନ୍ଦଙ୍କ ସାକ୍ଷାତ ପରେ, ଧର୍ମ ଆଡ଼କୁ ମୋର ମନ ଦୌଡ଼ିଲା । ମଧୁ ରାମକୃଷ୍ଣ କଟେଜରେ ଥାଏ । ତାଠାରୁ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଅନେକ ସମୟରେ ଅନେକ କଥା ଶୁଣିବାକୁ ମିଳେ । ସ୍ୱାମୀଜୀଙ୍କ ଲେଖା ଓ ବକ୍ତୃତା ପାଠ କରିବାକୁ ମୋର ଆଗ୍ରହ ବଢ଼ିଲା । ରାମକୃଷ୍ଣ ଦେବଙ୍କ ଚରିତାମୃତ ପାଠ କଲି । ଏ ସବୁ ପାଠ ପରେ ଗୀତା ପୁସ୍ତକ ପ୍ରତି ଦୃଷ୍ଟି ପଡ଼ିଲା । ପ୍ରତିଦିନ ଗୀତା ପାଠ କରେ, ମାତ୍ର ତହିଁରୁ କିଛି ମାତ୍ର ବୁଝିପାରେ ନାହିଁ । ଏହିଠାରୁ ଧର୍ମ ଜୀବନ କ’ଣ, ମନୁଷ୍ୟ ଜୀବନର ଲକ୍ଷ୍ୟ ଓ ଆଦର୍ଶ କ’ଣ, ଏହା ଜାଣିବାକୁ ମନ ଉଦ୍‌ବିଗ୍ନ ହୋଇ ଉଠିଲା । ମନୁଷ୍ୟ ଜୀବନର ଲକ୍ଷ୍ୟ ଓ ଆଦର୍ଶ ନେଇ ଆମ୍ଭର ଗୁପ୍ତ ସମିତିରେ ଆଲୋଚନା ଚାଲିଲା । କିନ୍ତୁ ଏହି ଆଲୋଚନା କରି ଆମ୍ଭେମାନେ କୌଣସି ପ୍ରକାର ସ୍ଥିର ସିଦ୍ଧାନ୍ତରେ ପହୁଞ୍ଚି ପାରୁ ନାହିଁ । ଅନେକ ସମୟରେ ଲକ୍ଷ୍ମୀନାରାୟଣ ବାବୁ ମଧ୍ୟ ଆମ୍ଭର ଏହି ଆଲୋଚନାରେ ଯୋଗ ଦିଅନ୍ତି । ସେ ରାଜା ରାମମୋହନ ରାୟ ଓ ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କ ଜୀବନ କାହାଣୀ ଆମ୍ଭମାନଙ୍କ ଆଗରେ ବ୍ୟାଖ୍ୟା କରନ୍ତି । ଏହିପରି ବହୁ ଆଲୋଚନା ପରେ ଆମ୍ଭେମାନେ ସ୍ଥିର କଲୁ ଯେ ଈଶ୍ୱର ଲାଭରେ ମନୁଷ୍ୟର ମୁକ୍ତି । ଏହି ଈଶ୍ୱର ଲାଭହିଁ ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ ଓ ମନୁଷ୍ୟର ସମସ୍ତ ପ୍ରକାର କର୍ମ ଓ ଚିନ୍ତାର ଆଦର୍ଶ କେବଳ ଈଶ୍ୱର ପ୍ରାପ୍ତି ।

 

ମନୁଷ୍ୟର ଏହା ଯହି ଲକ୍ଷ୍ୟ ଓ ଆଦର୍ଶ ହୁଏ ତେବେ ଏହି ଇଂରେଜୀ ଶିକ୍ଷାରେ ସମୟ ନଷ୍ଟ କରିବା ଦରକାର କ’ଣ ? ଏ ଶିକ୍ଷାର କୌଣସି ଦରକାର ନାହିଁ । ଦେଶ ଓ ସମାଜର ସେବା କଥା ଭାବିବା ମଧ୍ୟ ବୃଥା । ଏହା ଈଶ୍ୱର ପ୍ରାପ୍ତିରେ ସାହାଯ୍ୟ କରି ପାରିବ ନାହିଁ । ଈଶ୍ୱର ପ୍ରାପ୍ତିର କାମନା କଲେ ସବୁ ତ୍ୟାଗ କରିବା ଦରକାର । ଗୃହ ତ୍ୟାଗ ଓ ଏହି ସମାଜ ତ୍ୟାଗ ଆବଶ୍ୟକ । ଜଙ୍ଗଲ ପାହାଡ଼ରେ ରହି ଫଳ ମୂଳ ଖାଇ ନିବିଷ୍ଟ ଚିତ୍ତରେ ଦିବାରାତ୍ରି ଈଶ୍ୱରଙ୍କ ଧ୍ୟାନ ଧାରଣା କରିବା ଦରକାର । ଏହିପରି ଭାବ ମନରେ ଜାଗି ଉଠିଲା । ବେଳେ ବେଳେ ମନ ହେଲା, ବାବା ପ୍ରେମାନନ୍ଦଙ୍କ ଦଳଭୁକ୍ତ ନ ହୋଇ ଭାରୀ ଭୁଲ କରିଛି । ବେଳେ ବେଳେ ଭାବିଲି, ସବୁ ଛାଡ଼ିଦେଇ ସନ୍ନ୍ୟାସୀ ବେଶ ଧାରଣ କରି କୁଆଡ଼େ ନିରୁଦ୍ଦେଶ୍ୟ ହୋଇଯିବି । କିନ୍ତୁ ଏହିପରି ଭାବ ପ୍ରବଳ ଆକାର ଧାରଣ କଲାବେଳେ ମୋର ପୁଣି ମନେ ପଡ଼ିଲା, ଆମେ ପରାଧୀନ ଜାତି । ପରାଧୀନତା ମହାପାପ । ଦେଶକୁ ଏବଂ ଜାତିକୁ ଏହି ମହାପାପରୁ ଉଦ୍ଧାର ନ କଲେ, ଈଶ୍ୱରପ୍ରାପ୍ତିର କଳ୍ପନା ବିଡ଼ମ୍ବନା ମାତ୍ର । ପରାଧୀନ ଦେଶରେ ଈଶ୍ୱର ନାହାନ୍ତି । ଏଠାରେ ଧର୍ମ ନାହିଁ । ବର୍ତ୍ତମାନ ଆମ୍ଭର ଏକମାତ୍ର ଧର୍ମ, ଦେଶର ସ୍ୱାଧୀନ ଚିନ୍ତା । ଏକମାତ୍ର ଈଶ୍ୱର ସ୍ୱାଧୀନ ଭାରତ । ଏହିପରି ଭାବ ପୁଣି ମନରେ ଖେଳିଯାଏ । ମୁଁ ଭାବି କିଛି ସ୍ଥିର କରି ପାରେ ନାହିଁ । ଈଶ୍ୱର ଲାଭ ପାଇଁ ସଂସାର ତ୍ୟାଗ କରିବି କିମ୍ବା ଦେଶର ମୁକ୍ତିପାଇଁ କାର୍ଯ୍ୟ କରି ଏ ଜୀବନକୁ ବଳିଦେବି-ଏହି ଦୁଇଟି ପଥ ମଧ୍ୟରୁ କେଉଁ ପଥ ମୁଁ ଅବଲମ୍ବନ କରିବି, ମୁଁ କିଛି ସ୍ଥିର କରିପାରେ ନାହିଁ । ଯାହାକୁ ପଚାରେ କେହି ମୋର ଏ ସନ୍ଦେହ ଦୂର କରି ପାରନ୍ତି ନାହିଁ । ଏ ଦୁଇଟିରୁ କେଉଁ ପଥ ଆମ୍ଭର ଅବଲମ୍ବନ କରିବା ଉଚିତ ଏହା ଆମ୍ଭେମାନେ ବିଚାର କରୁ, କିନ୍ତୁ କିଛି ସ୍ଥିର କରି ହୁଏ ନାହିଁ । ଗୋଟିକର କଥା ସ୍ଥିର କଲା ବେଳକୁ ଅନ୍ୟଟି ପୁଣି ମନକୁ ବିଚଳିତ କରେ । ଏହିପରି ଭାବରେ ଆମ୍ଭର ସଂଗ୍ରାମ ଚାଲିଥାଏ । ଏପରି ଅବସ୍ଥାରେ ୧୯୧୩ ଶେଷ ହୋଇ ୧୯୧୪ ଆରମ୍ଭ ହେଲା । ମୁଁ ମାଟ୍ରିକ ସେକଣ୍ଡ କ୍ଲାସକୁ ପ୍ରମୋଶନ ପାଇଲି ।

 

ଏହି ୧୯୧୩ ମସିହାରେ ଦଶପଲ୍ଲାର ବୃଦ୍ଧ ରାଜା ଶ୍ରୀ ନାରାୟଣ ଭଞ୍ଜ ଦେଓ ପରଲୋକ ଗମନ କଲେ । ସେ ବହୁଦିନରୁ ରୋଗଶଯ୍ୟାରେ ପଡ଼ି, ଯନ୍ତ୍ରଣା ଭୋଗ କରୁଥିଲେ । ତାହାଙ୍କ ମୃତ୍ୟୁ ପରେ ଦଶପଲ୍ଲାର ବର୍ତ୍ତମାନ ରାଜା ରାଜା ହେଲେ । ନୂତନ ରାଜା ନାବାଳକ, ସୁତରାଂ ଦଶପଲ୍ଲା ଷ୍ଟେଟ୍‌ କୋଟ ଅଫ୍‌ ଓ୍ୟାର୍ଡସ ହୋଇ ରହିଲା । ବାବୁ ଭାବଗ୍ରାହୀ ବିଶ୍ୱାଳ ଦଶପଲ୍ଲାର ସୁପରିଂଟେଣ୍ଡେଣ୍ଟ ହେଲେ । ଏ କଥା ଏତିକିରେ ସରିଗଲା । ମାତ୍ର ଏହା ଭିତରେ ବହୁତ ରହସ୍ୟ ରହିଲା । ଏହି ସବୁ ରହସ୍ୟର ପରିଣାମ ହେଲା ଦଶପଲ୍ଲା କନ୍ଧମେଳି ।

 

କବଡେନ୍‌ ରାମସେ ସାହେବ ଗଡ଼ଜାତରେ ପ୍ରଥମ ପଲିଟ୍‌କେଲ ଏଜେଣ୍ଟ । ୧୯୦୫ରେ ସେ ଏହି ପଦରେ ନିଯୁକ୍ତ ହେଲେ । ନିୟମ ହେଉଛି ପ୍ରତି ପାଞ୍ଚବର୍ଷରେ ଆଉ ଜଣେ ନୂତନ ବ୍ୟକ୍ତି ଏହି ପଦରେ ପ୍ରତିଷ୍ଠିତ ହେବେ । କିନ୍ତୁ ରାମସେ ସାହେବଙ୍କର କେତେ ପାଞ୍ଚବର୍ଷ ଅତୀତ ହୋଇଗଲା ତାହାର ଇୟତ୍ତା ନାହିଁ । ଭାରତର ଇତିହାସରେ ଓ୍ୟାରେନ ହେଷ୍ଟିଙ୍ଗ୍‌ସ୍‌ ଯାହା, ଓଡ଼ିଶାରେ ଗଡ଼ଜାତମାନଙ୍କରେ କବଡେନ୍‌ ରାମସେଙ୍କର ଶାସନ ଅବିକଳ ତଦ୍ରୂପ । ଓ୍ୟାରେନ୍‌ ହେଷ୍ଟିଙ୍ଗ୍‌ସ ଭାରତରେ ଇଂରେଜ ସାମ୍ରାଜ୍ୟ ପରିବର୍ଦ୍ଧିତ କରିବାକୁ ନାନା ଉପାୟ ଅବଲମ୍ବନ କରିଥିଲେ । ରାମସେ ସାହେବ ସେହିପରି ଗଡ଼ଜାତ ରାଜୁଡ଼ା ରାଜ୍ୟ ସବୁକୁ କୋର୍ଟ ଅଫ୍‌ ଓ୍ୟାର୍ଡସର ଅଧୀନ କରିବାକୁ କୌଣସି ଉପାୟ ଛାଡ଼ି ନ ଥିଲା ପରି ବୋଧ ହୁଏ ।

 

ଆମ୍ଭ ଓଡ଼ିଶାରେ ଉଚ୍ଚ ଶିକ୍ଷିତ ଓ କେତେକ ଅର୍ଦ୍ଧଶିକ୍ଷିତ ବ୍ୟକ୍ତି ଗଡ଼ଜାତମାନଙ୍କରେ ଦେଓ୍ୟାନ କାର୍ଯ୍ୟ କରନ୍ତି । ଗଡ଼ଜାତ ରାଜ୍ୟରେ ଦେଓ୍ୟାନ ପଦ ପ୍ରାପ୍ତି କରିବା ଓଡ଼ିଶା ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କର ଥିଲା ଜୀବନର ଲକ୍ଷ୍ୟ । ଗଡ଼ଜାତ ରାଜାମାନଙ୍କର ଯେତେ ସବୁ ଦେଓ୍ୟାନ ଥିଲେ ସେମାନେ ଓଡ଼ିଆ । ଏହି ଶିକ୍ଷିତ ଓଡ଼ିଆ ଗଡ଼ଜାତ ରାଜ୍ୟମାନଙ୍କରେ ସର୍ବୋଚ୍ଚ ଚାକିରୀ ପାଇ ଗଡ଼ଜାତରେ ତଥା ଓଡ଼ିଶା ଦେଶର ବହୁତ ଅନିଷ୍ଟ ସାଧନ କରିଛନ୍ତି । ଓଡ଼ିଶା ଗଡ଼ଜାତ ସବୁ କମିଶନ ସାହେବଙ୍କ ଅଧୀନରେ ଥିବାବେଳେ, ଅଧିକାଂଶ ସମୟରେ କମିଶନ ସାହେବଙ୍କ ଅଫିସରେ କିରାନି କାମ କରୁଥିବା ଲୋକେ ଗଡ଼ଜାତ ରାଜାମାନଙ୍କର ଦେଓ୍ୟାନ ହୋଇଯାନ୍ତି । ଏମାନେ ଗଡ଼ଜାତକୁ ଯିବାର ଏକମାତ୍ର ଉଦ୍ଦେଶ୍ୟ ସ୍ୱାର୍ଥସାଧନ; କୌଣସି ଉପାୟରେ ଗଡ଼ଜାତରୁ ବହୁଳ ଅର୍ଥ ସଂଗ୍ରହ କରି ଦେଶକୁ ଫେରନ୍ତି । ଗଡ଼ଜାତ ଲୋକଙ୍କର ମଙ୍ଗଳ ସାଧନ କରିବା ଦୂରର କଥା, କିପରି କ’ଣ କଲେ ପ୍ରଜାଙ୍କ ମଙ୍ଗଳ ହେବ, ସେପରି ଭାବନା ମଧ୍ୟ ଅନେକଙ୍କ ମନକୁ ସ୍ପର୍ଶ କରେ ନାହିଁ । ଏପରି କିଛି ଚିନ୍ତା କରିବାକୁ କର୍ତ୍ତବ୍ୟର ବହିର୍ଗତ କାର୍ଯ୍ୟ ବୋଲି ସେମାନେ ମନେ କରନ୍ତି । ଏହିପରି କେତେକ କାରଣରୁ ଆଜି ଗଡ଼ଜାତି- କଟକି ଭାବ ଗଡ଼ଜାତରେ ସୃଷ୍ଟି ହେଉଛି । ଗଡ଼ଜାତି ଲୋକେ କଟକିଆ ମୋଗଲବନ୍ଦିଆ କହି ଘୃଣା କରନ୍ତି । ଇଆଡ଼ ଲୋକେ, ଗଡ଼ଜାତି ଲୋକଙ୍କୁ ଜଙ୍ଗଲି କହି ଘୃଣା କରନ୍ତି ।

 

ଗଡ଼ଜାତରେ ପଲିଟ୍‌କେଲ ପଦ ସୃଷ୍ଟି ହେଲା ଦିନୁ, ଏହି ପଲିଟ୍‌କେଲ ଏଜେଣ୍ଟଙ୍କୁ ସନ୍ତୁଷ୍ଟ କରିବା ଦେଓ୍ୟାନମାନଙ୍କ ହେଲା ଆଉ ଗୋଟିଏ କର୍ତ୍ତବ୍ୟ । ଗଡ଼ଜାତରେ ପୁରୁଣାକାଳିଆ ରାଜା ଆଉ ନାହାନ୍ତି । ଯେଉଁମାନେ ଅଛନ୍ତି ସେମାନେ ଆଧୁନିକ ସଭ୍ୟତାର ବହୁ ପଛରେ । ବର୍ତ୍ତମାନ ଯୁଗରେ ଦିନକୁ ଦିନ କିପରି ପରିବର୍ତ୍ତନ ଘଟୁଛି, ତାହା ସେମାନେ ଜାଣନ୍ତି ନାହିଁ, କିମ୍ବା ଜାଣିବାକୁ ଇଚ୍ଛା କରନ୍ତି ନାହିଁ । ରାଜ୍ୟର ଶାସନଭାର ସମସ୍ତ ଦେଓ୍ୟାନଙ୍କ ହସ୍ତରେ ସମର୍ପଣ କରି ସେମାନେ ନିଶ୍ଚିନ୍ତ । ରାଜ୍ୟର ଆଉ କୌଣସି ଭଲମନ୍ଦ ଚିନ୍ତା ନାହିଁ । ଆଗେ ରାଜା ପ୍ରଜାଙ୍କୁ ଡରୁଥିଲେ । ପ୍ରଜାଙ୍କଠାରୁ ମତାମତ ଗ୍ରହଣ କରି ରାଜ୍ୟ ଚଳାଉଥିଲେ । କିନ୍ତୁ ଇଂରେଜ ସରକାରଙ୍କ ପ୍ରଭାବ ବିସ୍ତାର ସଙ୍ଗେ ସଙ୍ଗେ ରାଜାମାନେ ଆଉ ପ୍ରଜାମତକୁ ଅପେକ୍ଷା ରଖୁ ନାହାନ୍ତି । ସୁତରାଂ ଦେଓ୍ୟାନ ପ୍ରଜାକୁ କିପରି ଶାସନ କଲେ, ତହିଁର ଅନୁସନ୍ଧାନ ରଖିବାର ଆଉ କୌଣସି ଆବଶ୍ୟକ ନାହିଁ । ପ୍ରତିମାସରେ ଦେଓ୍ୟାନ ଯଦି ରାଜାଙ୍କର ମାସିକିଆ ଖର୍ଚ୍ଚତକ ଠିକ ସମୟରେ ହାଜର କଲେ ତେବେ ସବୁ ଠିକ । ଦଶପଲ୍ଲାର ଅବସ୍ଥା ଅବିକଳ ଏହିପରି । ବାବୁ ଭାବଗ୍ରାହୀ ବିଶ୍ୱାଳ ଦେଓ୍ୟାନ ହେଲେ ମଧ୍ୟ ରାଜ୍ୟର ସର୍ବେସର୍ବା, ରାଜା କେବଳ ଖଟୁଳୀ ଶାଳଗ୍ରାମ । ଅନେକ ସମୟରେ ଏହି ଖଟୁଳୀ ଶାଳଗ୍ରାମ ଠିକ ସମୟରେ ପୂଜା ପାନ୍ତି ନାହିଁ । ମାସକୁ ଦୁଇହଜାର ଟଙ୍କା ରାଜା ହାତଖର୍ଚ୍ଚ ନିଅନ୍ତି । ତାହା ସେ ସବୁମାସରେ ନିୟମିତ ରୂପେ ପାନ୍ତି ନାହିଁ । ଭାବଗ୍ରାହୀ ବାବୁ ନାନା ଆପତ୍ତି ଦେଖାଇ ଠକି ଦିଅନ୍ତି, ଏହା କହିଲେ କଦାପି ଅତ୍ୟୁକ୍ତି ହେବ ନାହିଁ । ମୁଁ ଜାଣେ ରାଜା ମାସୁଆରୀ ଖର୍ଚ୍ଚ ଠିକ ସମୟରେ ନ ପାଇଲେ, ତାଙ୍କର ଦେହପାଣୀ ବଢ଼େ ନାହିଁ, କିମ୍ବା ଠା ବଢ଼ା ହୁଏ ନାହିଁ ।

 

ସେ ଯାହା ହେଉ ଭାବଗ୍ରାହୀ ବାବୁ ବୃଦ୍ଧ ରାଜାଙ୍କ ପରେ କିପରି ରାଜ୍ୟର ସର୍ବେସର୍ବା ହେବେ ତହିଁର ଯୋଗାଡ଼ କଲେ । ବୃଦ୍ଧ ରାଜାଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ପରାମର୍ଶ ଦେଲେ-

 

ପୂର୍ବେ ଦଶପଲ୍ଲା ହୋଇ ଗୋଟିଏ ରାଜ୍ୟ ନ ଥିଲା । ବୌଦ ରାଜବଂଶର ଜଣେ କେହି ପଳାଇ ଆସି ଦଶପଲ୍ଲା ରାଜ୍ୟ ସ୍ଥାପନ କରିଥିଲେ । କୁଞ୍ଜବନ ମଲିକ ନାମରେ ଜଣେ କନ୍ଧ ଦଶଖଣ୍ଡି ପଲ୍ଲିର ସର୍ଦ୍ଦାର ଥିଲେ । ତାହାଙ୍କୁ କଳେ କୌଶଳେ ହତ୍ୟା କରି ଏହି ଦଶଖଣ୍ଡି ପଲ୍ଲିକୁ ନେଇ ଦଶପଲ୍ଲା ରାଜ୍ୟ ସ୍ଥାପିତ ହେଲା । କୁଞ୍ଜବନ ମାଲିକର ମୃତ୍ୟୁ ସମୟରେ ତାହାଙ୍କ ନିକଟରେ ପ୍ରତିଶ୍ରୁତ ବାଣୀ ଅନୁସାରେ ଦଶପଲ୍ଲା ଗଡ଼ର ନାମ ହେଲା କୁଞ୍ଜବନ ଗଡ଼ । ସେହି ସମୟରୁ ଦଶପଲ୍ଲାରେ ଗୋଟିଏ ପ୍ରଚଳିତ ପ୍ରଥା ଅଛି ଯେ, ରାଜାଙ୍କ ପୁତ୍ର ସନ୍ତାନ ନ ଥିଲେ ତାହାଙ୍କ ନିକଟ ସମ୍ପର୍କୀୟ ଭାଇ କେହି ରାଜଗାଦୀରେ ବସିବେ । ରାଜା ପୋଷ୍ୟପୁତ୍ର ଗ୍ରହଣ କରି ପାରିବେ ନାହିଁ । ଏହି ପ୍ରଚଳିତ ପ୍ରଥାକୁ ସ୍ମରଣ କରି ବୃଦ୍ଧ ରାଜା ଶ୍ରୀ ନାରାୟଣଭଞ୍ଜ ଦେଓ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ପ୍ରଥମେ ଅସ୍ୱୀକାର କଲେ । କିନ୍ତୁ ନାନା କଳ କୌଶଳରେ ତାହାଙ୍କର ସମ୍ମତି ପରେ ଗ୍ରହଣ କରାଗଲା । ପାରିକୁଦ ରାଜାଙ୍କଠାରୁ ସେ ଗୋଟିଏ ପୋଷ୍ୟପୁତ୍ର ଗ୍ରହଣ କଲେ । ଯାହାଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କଲେ ସେ ହେଉଛନ୍ତି ଦଶପଲ୍ଲା ରାଜାଙ୍କର ନାତି । ଏହିପରି ଭାବରେ ପୋଷ୍ୟପୁତ୍ର ଗୃହୀତ ହେଲାପରେ ସେ ଦଶପଲ୍ଲା ରାଜବାଟୀକୁ ଅଣା ହେଲେ । ବୃଦ୍ଧ ରାଜା ସେତେବେଳେ ରୋଗଶଯ୍ୟାରେ ଶାୟିତ ।

 

ବୈଷ୍ଣବଚରଣ ଦେଓ ରାଜାଙ୍କ ଦାଦୀପୁଅ ଭାଇ । ରାଜନବରର ଭିତରେ ଏକ ଭାଗରେ ସେ ରହିଥାନ୍ତି । ପ୍ରଚଳିତ ପ୍ରଥାନୁସାରେ ବୃଦ୍ଧ ରାଜାଙ୍କ ପରେ, ଏହି ବୈଷ୍ଣବ ଦେଓ ଦଶପଲ୍ଲାର ରାଜା ହେବାର କଥା । କିନ୍ତୁ ପୋଷ୍ୟପୁତ୍ର ଗୃହୀତ ହେବାର ଦେଖି ବୈଷ୍ଣବ ଦେଓ ନିରୁପାୟ । ସେ କୌଶଳ ବାନ୍ଧିଥିଲେ, ରାଜାଙ୍କ ମୃତ୍ୟୁରେ କଳେ ବଳେ କୌଶଳେ ଦଶପଲ୍ଲା ରାଜଗାଦି ମାଡ଼ି ବସିବେ । ଥରେ ଜଣେ ରାଜଗାଦିରେ ବସିଗଲା ପରେ ତାହାଙ୍କୁ ଗାଦିଚ୍ୟୁତ କରିବା କଠିନ । କାରଣ ତେଣିକି ଅର୍ଥବଳ ସବୁ କାମ କରିଯିବ । କିନ୍ତୁ ବୈଷ୍ଣବ ଦେଓଙ୍କ ଏହି ଇଚ୍ଛା ପୂରଣ ହୋଇ ପାରିଲା ନାହିଁ । ଦିନେ ରାତ୍ରିରେ ହଠାତ୍‌ ବୃଦ୍ଧ ରାଜାଙ୍କ ମୃତ୍ୟୁ ହେଲା । ସେତେବେଳକୁ ବୈଷ୍ଣବଚରଣ ଦେଓ ଗଡ଼ ମୁକାମରେ ହାଜର ନ ଥିଲେ । ବିଶ୍ୱାଳେ ମଧ୍ୟ ଗଡ଼ରେ ନ ଥିଲେ । ବିଶ୍ୱାଳଙ୍କ ବିଶ୍ୱସ୍ତ ଦଶପଲ୍ଲା ଷ୍ଟେଟ୍‌ କର୍ମଚାରୀ ସବୁ ଗୃହୀତ ପୋଷ୍ୟପୁତ୍ରଙ୍କୁ ଗାଦିରେ ବସାଇ ଦେଲେ । ଶେଷରେ ପଲିଟ୍‌କେଲ ଏଜେଣ୍ଟଙ୍କଦ୍ୱାରା ବିତାଡ଼ିତ ହୋଇ ବୈଷ୍ଣବ ଦେଓ ମକଦ୍ଦମା କରିବାପାଇଁ କଟକ ଆସିଲେ । ବୈଷ୍ଣବ ଦେଓ କନିକା ରାଜାଙ୍କର ହେଉଛନ୍ତି ମଳାଶୁର । ବୈଷ୍ଣବ ଦେଓ ଆସି କଟକ କନିକା କୋଠିରେ ରହିଲେ ।

 

ମୁଁ କଟକରେ ଥାଏ । ଦଶପଲ୍ଲାରେ ଘଟୁଥିବା ସମସ୍ତ ବ୍ୟାପାରର ସଂବାଦ ରଖୁଥାଏ । ପଲିଟ୍‌କେଲ ଏଜେଣ୍ଟଙ୍କ ନୀତି ମଧ୍ୟ ବୁଝି ପାରୁଥାଏ । ଦଶପଲ୍ଲା ରାଜା ପୋଷ୍ୟପୁତ୍ର ଗ୍ରହଣ କରିବା ଉଚିତ କି ଅନୁଚିତ, ଏ ବିଷୟ ମୋ ମନକୁ ସ୍ପର୍ଶ କରି ନାହିଁ । ପୋଷ୍ୟପୁତ୍ର ଗ୍ରହଣ କଲେ ଦଶପଲ୍ଲାର ମଙ୍ଗଳ ହେବ, ଏପରି ମୋର ମନର ଗତି ଥାଏ । କିନ୍ତୁ ପଲିଟ୍‌କେଲ ଏଜେଣ୍ଟଙ୍କ ଯେପରି ନୀତି ଏବଂ ସେଥିରେ ଭାବଗ୍ରାହୀ ବାବୁ ଯଦି ଦଶପଲ୍ଲାର ସର୍ବେସର୍ବା ହେବେ ତେବେ ଦଶପଲ୍ଲା ରାଜପରିବାର ଓ ରାଜା ଉଭୟଙ୍କ ଅବସ୍ଥା କ’ଣ ହେବ, ତାହା କଳ୍ପନା କରି ପାରୁଥିବାରୁ ବେଳେବେଳେ ଏପରି ଭାବରେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ସମର୍ଥନ କରିବାପାଇଁ ମୋର ମନ ବଳେ ନାହିଁ । ପୋଷ୍ୟପୁତ୍ର ଗ୍ରହଣ ନ କଲେ ବୈଷ୍ଣବ ଦେଓ ପରି ପାଗଳ, ହିତାହିତଜ୍ଞାନଶୂନ୍ୟ ବ୍ୟକ୍ତି ରାଜଗାଦିରେ ବସିବା ମଧ୍ୟ କଦାପି ବାଞ୍ଛନୀୟ ନୁହେଁ । ଦଶପଲ୍ଲା କଥା ଚିନ୍ତା କଲାବେଳେ ଏହିପରି ମୋର ମନ ଏପାଖ ସେପାଖ ହୁଏ । ଏହା ମଧ୍ୟରେ କେଉଁଟି ବାଞ୍ଛନୀୟ ତାହା ଭାବି ସ୍ଥିର କରି ପାରେ ନାହିଁ । ବେଳେବେଳେ ପୁଣି ଭାବେ, ଦଶପଲ୍ଲାରେ କିଏ ରାଜା ହେବ, ଏକଥା ନେଇ ମୋର ଏତେ ମୁଣ୍ଡ ବୁଲାଇବା ଦରକାର କ’ଣ ଅଛି ।

 

କିନ୍ତୁ ଭାବିବି ନାହିଁ କିପରି ? ଭାବନା ତ ଜବରଦସ୍ତି ମୁଣ୍ଡରେ ପଶୁଛି । କେବଳ ମୁଁ ଭାବିବି ତା ନୁହେଁ, ଗଡ଼ଜାତର ପ୍ରତ୍ୟେକ ପ୍ରଜା ଭାବିବା ଉଚିତ । କେବଳ ନିଜ ଷ୍ଟେଟ୍‌ର କଥା ଭାବିବାକୁ ହେବ ତାହା ନୁହେ, ସମସ୍ତ ଗଡ଼ଜାତର କଥା ଭାବିବାକୁ ହେବ । ପଲିଟ୍‌କେଲ ଏଜେଣ୍ଟଙ୍କର ଶାସନ ପଦ୍ଧତି ଓ ନୀତି ମଧ୍ୟ ଭାବିବା ଦରକାର । କାରଣ ଏ ସବୁରେ ଗଡ଼ଜାତ ପ୍ରଜାଙ୍କ ସୁଖ ଦୁଃଖ ନିର୍ଭର କରେ । ‘ରାଜା ଅନୁସାରେ ପ୍ରଜା’ ଏହି ବାକ୍ୟଟି ଓଡ଼ିଶା ଗଡ଼ଜାତ ମାହାଲରେ କେବଳ ଖାଟୁଛି । ରାଜା ଟିକିଏ ଭଲ ହେଲେ ପ୍ରଜା ଟିକିଏ ସୁଖ ଶାନ୍ତିରେ ରହନ୍ତି । ରାଜା ଯଦି ଖାମଖିଆଲିଆ ହୁଅନ୍ତି ତେବେ ପ୍ରଜାଙ୍କ ଦୁଃଖର ସୀମା ରହେ ନାହିଁ । କାରଣ ଗଡ଼ଜାତ ଶାସନ ପଦ୍ଧତିରେ ପ୍ରଜାଙ୍କର କୌଣସି ହାତ ନାହିଁ । ଭଲ ମନ୍ଦ ବାଛିବାର ଅଧିକାର ନାହିଁ । ରାଜାଙ୍କ ଉପରେ ପ୍ରଜାଙ୍କ ଭାଗ୍ୟ ନିର୍ଭର କରେ । ଏପରି ଅବସ୍ଥାରେ ରାଜ୍ୟର ରାଜା କିଏ ହେବ, ଏପରି ଗୋଟିଏ ସମସ୍ୟା ଉପସ୍ଥିତ ହେଲେ, ମନୁଷ୍ୟର ମନ ସ୍ଥିର ରହି ନ ପାରେ । ମନର ଗତି ଓ ଚିନ୍ତା ଧାରାକୁ ଅଟକ କରିବାକୁ ଦୁନିଆରେ କୌଣସି ଶକ୍ତି ନାହିଁ । ସୁତରାଂ ଦଶପଲ୍ଲାର ଏହି ପ୍ରଶ୍ନ ମୋ ମନକୁ ବିଚଳିତ କରିଥିବ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ମାତ୍ର କାରଣ ନାହିଁ ।

 

ମୋର ଛାତ୍ର ଜୀବନର ବର୍ତ୍ତମାନ ଅବସ୍ଥାରେ ଏହିପରି ଗୋଟିଏ ପ୍ରଶ୍ନ ମୋ ମନକୁ ବେଳେବେଳେ ବିଚଳିତ କରେ । ବିଦ୍ୟାଧରକୁ ଧରି କଟକରେ ଅତି କଷ୍ଟରେ ଚଳୁଥାଏ । ଏପରି ଚଳାଚଳ ହେବାଦ୍ୱାରା ମୋର ଦେହ ଓ ମନ ଭଲ ରହିଲା ନାହିଁ । ମୋର ବର୍ତ୍ତମାନ ଅବସ୍ଥାର କୌଣସି ପରିବର୍ତ୍ତନ ନ ହେଲେ ପାଠ ପଢ଼ିବା ମୋତେ ଅସମ୍ଭବ ପରି ଜଣାଗଲା । କିନ୍ତୁ କିପରି ଭାବରେ କ’ଣ ପରିବର୍ତ୍ତନ କରିବି କିଛି ଭାବି ସ୍ଥିର କରି ପାରେ ନାହିଁ । ବହୁତ ଭାବି ଚିନ୍ତି, ସ୍ଥିର କଲି ଯେ କୌଣସି ଉପାୟରେ ମୁଁ ପୁଣି ମିଶନ ହିନ୍ଦୁ ହୋଷ୍ଟେଲକୁ ଫେରି ନ ଗଲେ ମତେ ଏହିଠାରୁ ସ୍କୁଲ ଛାଡ଼ି ଯିବାକୁ ପଡ଼ିବ । ମାସରେ ପାଞ୍ଚଟି ଟଙ୍କା । ଏଥିରେ ଦୁଇଜଣ ଚଳୁଥାଉ । ମିସନ ହିନ୍ଦୁ ହୋଷ୍ଟେଲକୁ ଯାଉଛି କିପରି ? ବିଦ୍ୟାଧର ପାଇଁ ସ୍କୁଲ ପୁଅରଫଣ୍ଡରୁ ମାସକୁ ଟଙ୍କାଟିଏ କରି ସାହାଯ୍ୟ କରାଇଲା । ସୁଦାମଚରଣ ନାୟକଙ୍କ ନିକଟରେ ଉପସ୍ଥିତ ହୋଇ କିଛି ସାହାଯ୍ୟପାଇଁ ପାର୍ଥୀ ହେବାରୁ, ସେ ମାସରେ ସେ ୧୫ ର ଚାଉଳ ଦେବାକୁ ପ୍ରତିଶ୍ରୁତ ହେଲେ । ଏହାପର ଶ୍ରୀ ଜାନକୀନାଥ ବୋଷଙ୍କ ନିକଟରୁ ମାସରେ ଟଙ୍କାଟିଏ ସାହାଯ୍ୟ ଆଣିଲି । ଏହିଠାରେ ସୁଭାଷ ବାବୁଙ୍କ ସହିତ ପରିଚିତ ହେଲି ।

 

ସେ ଯାହା ହେଉ, ଏହି ସୁବିଧା କରି ମୁଁ ପୁଣି ମିଶନ ହିନ୍ଦୁ ହୋଷ୍ଟେଲକୁ ଆସିଲି । ବିଦ୍ୟାଧରକୁ ଉକ୍ତ ଚାଉଳ ସେ ୧୫ ର ଓ ଦୁଇଟି ଟଙ୍କା ଚଳିବାକୁ ଦିଏ । ଅବଶିଷ୍ଟ ପାଞ୍ଚୋଟି ଟଙ୍କାରେ ମୁଁ ଚଳେ । ମିଶନ ହିନ୍ଦୁ ହୋଷ୍ଟେଲରେ ମାସକୁ ଟ୭.୫ ଖର୍ଚ୍ଚ ପଡ଼େ । ମୁଁ ଚାରିଟା ବେଳେ ସ୍କୁଲରୁ ଆସି ଜଳଖିଆ ନ ଖାଇବାରୁ ସେହି ହିସାବରେ ମାସକୁ ଟ ୧.୫ କଟିଯାଏ । ଏହା ଛଡ଼ା ଏକାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା ଓ ସଂକ୍ରାନ୍ତି ଦିବସ ପାଳନ କରିବା ବାହାନାରେ ଉପବାସ କରେ-। ସମୟେ ସମୟେ ସୋମବାର ଦିବସ ମଧ୍ୟ ପାଳନ କରେ । ଯେ କୌଣସି ପ୍ରକାରେ ମାସ ଶେଷକୁ ମୋର ଖର୍ଚ୍ଚ ଟ ୪.୫ ଅଣାରେ ଆଣି ରଖେ । ଏହିପରି ଭାବରେ ମିଶନ ହିନ୍ଦୁ ହୋଷ୍ଟେଲରେ ଚଳୁଥାଏ ।

 

ଏହି ସମୟ ମୋର କଠୋର ସାଧନାର ବେଳ । ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିବି, କିମ୍ବା ଈଶ୍ୱରପ୍ରାପ୍ତି ପାଇଁ ସନ୍ନ୍ୟାସ ଧର୍ମ ଅବଲମ୍ବନ କରିବି, ଏହି ପ୍ରଶ୍ନର ଏପର୍ଯ୍ୟନ୍ତ କୌଣସି ମୀମାଂସା କରି ପାରି ନାହିଁ । ଦେଶସେବା କରିବା ପାଇଁ ପ୍ରାଣରେ ପ୍ରବଳ ଆକାଙ୍କ୍ଷା ନ ଥିଲେ ମୁଁ ସନ୍ନ୍ୟାସୀ ହୋଇ ଚାଲି ଯାଇଥାନ୍ତି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ପ୍ରବଳ ସ୍ୱାଧୀନତା ପିପାସା କେବଳ ମତେ ସନ୍ନ୍ୟାସ ପଥରୁ ନିବୃତ୍ତ କରାଇଅଛି । ଧର୍ମସାଧନା ଓ ଦେଶସେବା ଏହି ଉଭୟର ମେଳ କେଉଁଠାରେ ତାହା ମୁଁ ବୁଝି ପାରେ ନାହିଁ, କିମ୍ବା କେହି ମଧ୍ୟ ମୋ ମନ ମାନିଲା ଭଳି ଯୁକ୍ତି ଦେଖାଇ ମତେ ବୁଝାଇ ପାରି ନାହାନ୍ତି । ମୋର ମନ ଓ ଅନ୍ତରରେ ମଧ୍ୟ ଏହି ଧର୍ମ ଓ ଦେଶସେବା ମଧ୍ୟରେ ଦ୍ୱନ୍ଦ୍ୱ ଚାଲେ । ପ୍ରତ୍ୟହ ଅନେକ ସମୟ ଏକାକୀ ବସି ଧ୍ୟାନ ଧାରଣା କରେ ।

 

ଅନେକ ସମୟରେ ଦିନରେ ଏକବେଳା ଆହାର କରେ । ଧର୍ମର ଗୂଢ଼ ରହସ୍ୟ କେଉଁଠାରେ କିଛି ବୁଝିପାରେ ନାହିଁ । ସଂକୀର୍ତ୍ତନ ଓ ସଙ୍ଗୀତ ଭଲ ଲାଗେ । ସଂକୀର୍ତ୍ତନ ପାଇଁ ଅନେକ ସମୟରେ ରାମକୃଷ୍ଣ କଟେଜକୁ ଯାଏ । ପ୍ରତି ରବିବାର ଦିନ ସେଠାରେ ସଂକୀର୍ତ୍ତନ ହୁଏ । ପ୍ରତି ରବିବାର ଦିନ କଟକ ବ୍ରହ୍ମ ସମାଜକୁ ଯାଏ । କେତେବେଳେ କିପରି ଖ୍ରୀଷ୍ଟିୟାନ ଗିରିଜାକୁ ମଧ୍ୟ ପ୍ରାର୍ଥନା କରିବାକୁ ଯାଏ । ରବିବାର ଦିନ ଖ୍ରୀଷ୍ଟଧର୍ମୀମାନେ ଗିରିଜା ଘରେ ଯେପରି ପ୍ରାର୍ଥନା କରନ୍ତି, ତାହା ମତେ ବଡ଼ ଭଲ ଲାଗେ । ବ୍ରହ୍ମସମାଜରେ ପ୍ରତି ରବିବାର ଦିନ ସାମାଜିକ ବିଷୟରେ କେତେକ ଆଲୋଚନା ହୁଏ । ଏହି ଆଲୋଚନା ମତେ ଭଲ ଲାଗେ । ଏଥିପାଇଁ ପ୍ରତି ରବିବାର ଦିନ ନିୟମିତ ଭାବରେ ମୁଁ ବ୍ରହ୍ମ ସମାଜକୁ ଯାଏ । ଏହିପରି ଭାବରେ ମୋର ଛାତ୍ର ଜୀବନ ଚାଲିଥାଏ । ମନରେ ସବୁବେଳେ ଗୋଟାଏ ବିମର୍ଷ ଭାବ । ଲେଖାପଢ଼ା ଭଲ ମଧ୍ୟ ହୁଏ ନାହିଁ । ମଙ୍ଗଳବାର ଓ ଶୁକ୍ରବାର ସପ୍ତାହରେ ଏହି ଦୁଇଟି ଦିନ ମୋ ମନ ଟିକିଏ ଆନନ୍ଦିତ ରହେ । ଏହି ଦୁଇ ଦିନ ଆମ୍ଭର ଗୁପ୍ତ ସମାଜର ବୈଠକ ହୁଏ । ଏ ସମାଜଟି ସ୍ଥାପନ କରିବାଦ୍ୱାରା ଆମ୍ଭେମାନେ ନିଜ ନିଜ ଜୀବନ ଗଠନ କରିବାକୁ ବହୁତ ଉପାଦାନ ପାଉଁ । ଏହାହିଁ ସେତେବେଳେ ମୋର ଜୀବନର ଗୋଟିଏ ଦୃଢ଼ ଅବଲମ୍ବନ ବୋଲି କହିଲେ ଚଳେ ।

 

ଆମ୍ଭ ଗୁପ୍ତ ସମାଜ ଆଉ ଗୁପ୍ତ ହୋଇ ରହି ପାରିଲା ନାହିଁ । ସ୍କୁଲର ଶିକ୍ଷକ ଓ ଛାତ୍ର ସମସ୍ତେ ଆମ୍ଭମାନଙ୍କ ଏହି ବିଚାର ସଭାର ଗୁପ୍ତ ମନ୍ତ୍ରଣା ଜାଣି ପାରିଲେ । ଅଧିକାଂଶ ଛାତ୍ର ଆମ୍ଭର ଏଥିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କଲେ । ସ୍କୁଲରେ କୌଣସି ସାଧାରଣ କର୍ମ ବେଳକୁ ଶିକ୍ଷକମାନେ ଆମ୍ଭମାନଙ୍କ ସହିତ ପ୍ରଥମେ ପରାମର୍ଶ କରନ୍ତି । ଏହିପରି ଭାବରେ ଆମ୍ଭେ କେତେଜଣ ସ୍କୁଲର ଯାବତୀୟ କାର୍ଯ୍ୟରେ ଅଗ୍ରଣୀ । ପାଠ ପଢ଼ାରେ ରଚନା ଲେଖିବାରେ, ଡିବେଟିଙ୍ଗ୍‌ କ୍ଲବରେ ବକ୍ତୃତା ଦେବାରେ, ପ୍ରତ୍ୟେକ ବିଷୟରେ ଆମ୍ଭେମାନେ ଏହି କେତେ ଜଣ ସେହିସମୟରେ ସ୍କୁଲର ଆଦର୍ଶ ବୋଲି କହିଲେ କିଛିମାତ୍ର ଅତ୍ୟୁକ୍ତି ହେବ ନାହିଁ ।

 

ଏହିପରି ଭାବରେ ଆମ୍ଭର ଏହି ସମିତିଟି ଦିନକୁ ଦିନ ଦୃଢ଼ରୁ ଦୃଢ଼ତର ହୋଇ ଉଠୁଛି । ପରସ୍ପର ମଧ୍ୟରେ ମନ ଓ ହୃଦୟର ମିଳନ ମଧ୍ୟ ଘନୀଭୂତ ହୋଇ ଉଠୁଛି । ଏଣିକି ସମସ୍ତେ ଏକାଠି ବାସ କରିବାର ଆବଶ୍ୟକତା ଅନୁଭବ କରୁଛୁ । ବିନୋଦ ନନ୍ଦ ଓ ମଧୁସୂଦନ ମହାନ୍ତି ରାମକୃଷ୍ଣ କଟେଜରେ ରହିଥାନ୍ତି । ମୁଁ ଓ ଅନ୍ତର୍ଯ୍ୟାମୀମିଶନ ହିନ୍ଦୁ ହୋଷ୍ଟେଲରେ ରହିଥାଉ । କୃତ୍ତିବାସ ତା’ର ସୂତାହାଟ ବସାରେ ଥାଏ । ଏପରି ଛଡ଼ା ଛଡ଼ା ହୋଇ ସମସ୍ତେ ରହିଥାଉ । କିନ୍ତୁ ଏପରି ପରସ୍ପର ପରସ୍ପରଠାରୁ ଛଡ଼ାଛଡ଼ି ହୋଇ ରହିଲେ ଆମ୍ଭର ଉଦ୍ଦେଶ୍ୟ ଓ ଆଦର୍ଶ ଅନୁସାରେ ଜୀବନ ଗଠନ କରିବା ସୁବିଧାଜନକ ହେବ ନାହିଁ ବୋଲି ଆମ୍ଭେମାନେ ପ୍ରତ୍ୟେକ ଉପଲବ୍ଧି କଲୁ । ଏହି ଛାତ୍ର ଜୀବନରୁ ସଂଘବଦ୍ଧ ଜୀବନ ଯାପନ କରିବାକୁ ସ୍ଥିର କରି ସମସ୍ତେ ମିଳିମିଶି ଏକାଠି ରହିବାର କଳ୍ପନାକୁ କାର୍ଯ୍ୟରେ ପରିଣତ କରିବାର ଚେଷ୍ଟା ଚାଲିଲା ।

 

ଆମ୍ଭେମାନେ ସ୍ଥିର କଲୁ ଗୋଟିଏ ସ୍ୱତନ୍ତ୍ର ଘର ଭଡ଼ା ନେଇ ସେହିଠାରେ ସମସ୍ତେ ରହିବୁ । ଏହିଠାରୁ ଆମ୍ଭମାନଙ୍କ ଭବିଷ୍ୟତ କର୍ମପନ୍ଥାର ମୂଳ ଭିତ୍ତି ସ୍ଥାପନ କରିବୁ । ଏହି ସମୟରୁ ଭଲ ଭଲ ପୁସ୍ତକ ସଂଗ୍ରହ କରି ଗୋଟିଏ ଲାଇବ୍ରେରୀ ଗଢ଼ି ତୋଳିବୁ । ଆମ୍ଭର ରହିବା ସ୍ଥାନକୁ କେନ୍ଦ୍ର କରି ଆମ୍ଭ ଦଳର ପୁଷ୍ଟିସାଧନ ଉଦ୍ଦେଶ୍ୟରେ ଛାତ୍ର ସମାଜ ମଧ୍ୟରେ ପ୍ରଚାର ଆରମ୍ଭ କରିବୁ । କ୍ରମଶଃ ଘରର ସଂବନ୍ଧକୁ ଛେଦନ କରି, ଦେଶସେବାପାଇଁ ଆମ୍ଭେମାନେ ଆଉ ଗୋଟିଏ ଘର ବାନ୍ଧିବୁ । ଏହି ନୂତନ ଘର ଆମ୍ଭମାନଙ୍କୁ ଏକାଠି ବାନ୍ଧି ରଖିବ । ଏହିଠାରେ ଆମ୍ଭର ସମସ୍ତ ପ୍ରକାର କର୍ମ ଓ ଚିନ୍ତା ଆମ୍ଭମାନଙ୍କୁ ସବୁବେଳେ ବଳ ଓ ସାହସ ଦେବ ଏବଂ ପ୍ରାଣରେ ନୂତନ ପ୍ରେରଣା ଜାଗ୍ରତ କରିବ । ଏହିପରି ଭାବନାଦ୍ୱାରା ପ୍ରଣୋଦିତ ହୋଇ ଆମ୍ଭେମାନେ ନିଜ ନିଜର ବାସସ୍ଥାନ ଛାଡ଼ି ଏକତ୍ର ରହିବାପାଇଁ ନିଶ୍ଚୟ କଲୁ ।

 

କିନ୍ତୁ ଆମର ଏହି ନିଶ୍ଚୟ କାର୍ଯ୍ୟରେ ପରିଣତ କରିବାରେ ବିଳମ୍ବ ଘଟିଲା । ବିଳମ୍ବର କାରଣ ଆମ୍ଭମାନଙ୍କର ଆର୍ଥିକ ଅବସ୍ଥା । ସେ ଯାହାହେଉ, ମୁଁ ପୂର୍ବରୁ ଲେଖିଛି, ମୋର ଏପରି ଅବସ୍ଥାରେ ଅନେକ ସମୟରେ ଦଶପଲ୍ଲା ସମସ୍ୟା ମୋ ମନକୁ ବିଚଳିତ କରେ । କଟକରେ ବୈଷ୍ଣବଚରଣ ଦେଓ ରହିଛନ୍ତି । ମିଶନ ସ୍କୁଲର କେତେକ ଛାତ୍ର ମିଶି ଗୋଟିଏ କ୍ଲବ ଗଢ଼ିଥାଉ । କନିକା କୋଠି ସମ୍ମୁଖ ପଡ଼ିଆରେ ପ୍ରତ୍ୟହ ଏହି କ୍ଲବରେ ନାମ ଲେଖାଇଥିବା ଆମ୍ଭେମାନେ କେତେଜଣ ଖେଳିବାପାଇଁ ଏକତ୍ର ହେଉ । ଏହିଠାରେ ବୈଷ୍ଣବଚରଣ ଦେଓଙ୍କ ସହିତ ମୋର ଦେଖା ସାକ୍ଷାତ ହୁଏ । ତାଙ୍କର ମକଦ୍ଦମା କିପରି ଚାଲିଛି ତହିଁର ଘଟଣା ସମସ୍ତ ଶୁଣେ । ଦଶପଲ୍ଲାରୁ ଯେଉଁ ପ୍ରଜାମାନେ ବୈଷ୍ଣବ ଦେଓଙ୍କୁ ସାହାଯ୍ୟ ଦେଇ ସହାନୁଭୂତି ଦେଖାଇବାପାଇଁ ଆସନ୍ତି ସେମାନଙ୍କ ସହିତ ଦେଖା ହୁଏ । ସେମାନଙ୍କଠାରୁ ବିଶ୍ୱାଳଙ୍କ ଶାସନ କିପରି ଚାଲିଛି ତହିଁର ସଂବାଦ ଶୁଣିବାକୁ ପାଉଥାଏ । ଅନେକ ସମୟରେ ଦଶପଲ୍ଲା ପ୍ରଜା କହନ୍ତି, ‘‘ବିଶ୍ୱାଳଙ୍କ ଜୁଲମ ଆଉ ସହି ହେଉ ନାହିଁ । ଆମ୍ଭେମାନେ କ’ଣ କରିବୁ ?’’ ଏହିସବୁ ଶୁଣି ମୁଁ ବଡ଼ ଅଧୀର ହୋଇ ଉଠେ ଏବଂ ନିଜର କର୍ତ୍ତବ୍ୟ କ’ଣ କିଛି ସ୍ଥିର କରି ପାରେ ନାହିଁ ।

Image

 

Unknown

ତୃତୀୟ ଭାଗ

ପ୍ରଥମ ପରିଚ୍ଛେଦ

 

ଦଶପଲ୍ଲା ମେଳି

 

ଆମ୍ଭେମାନେ ଏକାଠି ରହିବାର ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବାକୁ ନାନା ପ୍ରକାର ଉପାୟ ଅବଲମ୍ବନ କରିବାର ବିଚାର ଚାଲିଛି, ଏହି ସମୟରେ ଦଶପଲ୍ଲା ମେଳିର ସୂତ୍ରପାତ ହେଲା-। ଦଶପଲ୍ଲା ମେଳି କାହିଁକି ହୋଇଥିଲା, ଅବା କିପରି ହୋଇଥିଲା ସେ ସବୁର ବିସ୍ତାରିତ ବିବରଣ ଉଲ୍ଲେଖ କରିବାକୁ ଏ ଲେଖା ତହିଁର ଉପଯୁକ୍ତ ସ୍ଥାନ ନୁହେଁ । ମାତ୍ର ଦଶପଲ୍ଲାର ଏହି କନ୍ଧମେଳି ଯେପରି ନୃଶଂସ ଭାବରେ ଦମନ କରାଗଲା ତହିଁରେ ଆକାଶ ପୃଥିବୀ ସତେ ଯେପରି ଥରହର ହୋଇ ଉଠିଲା, ସେପରି ମୋତେ ବୋଧ ହେଲା । ଏହି ଜଙ୍ଗଲ ରାଜ୍ୟରେ କ’ଣ ଘଟିଲା ଅବା ଘଟୁଅଛି ତାହା ଜାଣିବାକୁ ଚାରିଆଡ଼େ ସମସ୍ତେ ଉଦ୍‌ବିଗ୍ନ ହୋଇ ଉଠିଲେ । ଏପରି ଅବସ୍ଥାରେ ନିଶ୍ଚିନ୍ତ ଭାବରେ ଅଧ୍ୟୟନରେ ମନ ନିବେଶ କରିବା ମୋ ପକ୍ଷରେ ଅସମ୍ଭବ । ମୋର ମନ ଅସ୍ଥିର ହୋଇ ଉଠିଲା । ଦଶପଲ୍ଲାରେ କ’ଣ ହେଉଛି ତାହା ଜାଣିବାକୁ ଏବଂ ଦେଶରେ ସମସ୍ତଙ୍କୁ ଜଣାଇବାକୁ ମୋ ମନ ଉଦ୍‌ବିଗ୍ନ ହେଲା । ଦଶପଲ୍ଲା ପ୍ରଜାଙ୍କର ଏପରି ଘୋର ବିପତ୍ତି ବେଳେ ମୋର କର୍ତ୍ତବ୍ୟ କ’ଣ ଏହି ପ୍ରଶ୍ନ ମୋ ମନକୁ ଅତିଶୟ ଆଲୋଡ଼ିତ କଲା । ଦେଶପାଇଁ ପ୍ରାଣ ଉତ୍ସର୍ଗ କରିବାପାଇଁ କେତେ କଳ୍ପନା ଜଳ୍ପନା କରିଛି, କେତେ ପ୍ରକାର ଯୁକ୍ତି ତର୍କ କରିଛି, କିନ୍ତୁ ଏହିସବୁ ଯୁକ୍ତି ଓ କଳ୍ପନାର ଯଥାର୍ଥ ପରୀକ୍ଷା ସମୟ ବର୍ତ୍ତମାନ ଉପସ୍ଥିତ । ଏହିପରି ଭାବ ସବୁବେଳେ ମୋ ମନରେ ଖେଳିଲା । ମୋର ଏପରି ମନୋଭାବ ଦେଖି ମୋର ବନ୍ଧୁମାନେ ସମସ୍ତେ ଟିକିଏ ଚଞ୍ଚଳ ହୋଇ ଉଠିଲେ । ଦଶପଲ୍ଲା ମେଳିରେ କୌଣସି ପ୍ରକାରେ ଜଡ଼ିତ ହେବା ବର୍ତ୍ତମାନ ମୋ ପକ୍ଷରେ ଉଚିତ ନୁହେଁ ବୋଲି ସମସ୍ତେ ମତେ ସାବଧାନ କରାଇଲେ । ଏପରି କି ଏହି ମେଳି ବିଷୟ ନେଇ ଚର୍ଚ୍ଚା କରିବାକୁ ମଧ୍ୟ ମତେ ବାରଣ କଲେ ।

 

୧୯୧୪ ମସିହା ଅକ୍ଟୋବର ତା ୫ ରିଖରେ ଦଶପଲ୍ଲା କନ୍ଧମେଳିର ସୂତ୍ରପାତ ହୁଏ । ଏହି ସମୟରୁ ଡିସେମ୍ବର ମାସ ଶେଷ ହେବା ପର୍ଯ୍ୟନ୍ତ ମୁଁ କିଛି ସ୍ଥିର କରି ପାରିଲି ନାହିଁ । ଏହି ତିନିମାସ କିପରି ବିତିଗଲା ମତେ ଜଣା ନାହିଁ । ଶେଷରେ ବାର୍ଷିକ ପରୀକ୍ଷା ଦେଇ ମାଟ୍ରିକ ଫାଷ୍ଟକ୍ଲାସକୁ ପ୍ରମୋଶନ ପାଇଲି । ବଡ଼ଦିନ ଛୁଟି ଉପଲକ୍ଷେ ସ୍କୁଲ ବନ୍ଦ ହେଲା । ଦଶପଲ୍ଲାରେ କ’ଣ ଘଟିଛି ଅବା ଘଟୁଅଛି ନିଜ ଆଖିରେ ଦେଖି ବୁଝି ଆସିବାପାଇଁ ମୁଁ ଦଶପଲ୍ଲା ବାହାରିଲି । କନ୍ଧମେଳି ଦମନ କରିବା ଲାଗି କେତେଖଣ୍ଡି ଗ୍ରାମ ଜଳାଇ ଦିଆ ଯାଇଛି । କେଉଁଗ୍ରାମ ସବୁ ଏପରି ଜଳି ଯାଇଛି, କେଉଁ ଗ୍ରାମରୁ କେତେ ଲୋକଙ୍କୁ ମାରି ଦିଆ ଯାଇଛି, ଗ୍ରାମର ନାମ ଏବଂ ଏପରି ମରିଥିବା ଲୋକର ନାମ ଇତ୍ୟାଦି ସଂବାଦ ନିଜେ ବୁଝି ସଂଗ୍ରହ କରିବି । ଏହିସବୁ ସଂବାଦ ସଂଗ୍ରହ କରି ବରହମପୁରରୁ ପ୍ରକାଶିତ ସାପ୍ତାହିକ ‘ଆଶା’ରେ ପ୍ରକାଶ କରିବା ମୋର ଉଦ୍ଦେଶ୍ୟ । ଏହି ସମୟକୁ ‘ଆଶା’ ସାପ୍ତାହିକ ଆକାରରେ ପ୍ରକାଶିତ ହେଉଥାଏ । ଦଶପଲ୍ଲା ମେଳି ବିଷୟ ନେଇ ଏହି ଆଶା କାଗଜ ଯେପରି ଅଗ୍ରଲେଖାମାନ ପ୍ରକାଶ କରିଛି, ତହିଁରେ ନୈରାଶ୍ୟଜଡ଼ିତ ଓଡ଼ିଶାରେ ‘ଆଶା’ କାଗଜ ପ୍ରକୃତ ଆଶାର ବାଣୀ ପ୍ରଚାର କରିଛି । ସଂବାଦପତ୍ର ହିସାବରେ ‘ଆଶା’ ଏହିଠାରେ ତାହାର କର୍ତ୍ତବ୍ୟ ସଂପାଦନ କରିଛି ବୋଲି ମୋର ବିଶ୍ୱାସ । ସେ ଯାହା ହେଉ, ଏହି ‘ଆଶା’କୁ ସଠିକ ସଂବାଦ ଯୋଗାଇବା ଉଦ୍ଦେଶ୍ୟରେ, ସଂବାଦ ସଂଗ୍ରହ କରିବାପାଇଁ ମୁଁ ଦଶପଲ୍ଲା ବାହାରିଲି-। ଦଶପଲ୍ଲାରେ କ’ଣ ଘଟିଛି ଏବଂ ଘଟୁଅଛି ତାହା ଦେଖିବାକୁ ଓ ଜାଣିବାକୁ ମୋ ମନ ମଧ୍ୟ ବ୍ୟଗ୍ର ଥାଏ ।

 

କଟକରୁ ବାହାରି ହଠାତ୍‌ ଦଶପଲ୍ଲାରେ ଉପସ୍ଥିତ ହେବା ମତେ ନିରାପଦ ଜଣାଗଲା ନାହିଁ । ତେଣୁ ପ୍ରଥମେ ଖଣ୍ଡପଡ଼ା ଗଲି । ସେଠାରେ ଦଶପଲ୍ଲା ମେଳି ବିଷୟରେ ଲୋମହର୍ଷଣକାରୀ ବହୁତ ସମ୍ବାଦ ଶୁଣିବାକୁ ପାଇଲି । ଖଣ୍ଡପଡ଼ାରୁ ନୟାଗଡ଼ ଆସିଲି । ଦଶପଲ୍ଲା ମେଳିରେ ମୁଁ ଜଡ଼ିତ ଥିବାର ସନ୍ଦେହ କରି, ମତେ ତହିଁରେ ପକାଇବାକୁ କେତେ ପ୍ରକାର ଜାଲ ବିସ୍ତାର କରା ହେଲାଣି ସେ ସବୁ ମତେ ଜଣା ନାହିଁ । ଖଣ୍ଡପଡ଼ା ଛାଡ଼ି ନୟାଗଡ଼ରେ ଉପସ୍ଥିତ ହେବା ମାତ୍ରକେ ମୁଁ ସେହି ଜାଲରେ ଯାଇ ପଡ଼ିଲି । ବାବୁ ଅନିରୁଦ୍ଧ ପଟେଲ ସେତେବେଳେ ନୟାଗଡ଼ ସୁପରିଣ୍ଟେଣ୍ଡେଣ୍ଟ । ଶ୍ରୀଯୁକ୍ତ ଗୌରୀଶ୍ୟାମ ମହାନ୍ତି ବହୁଦିନରୁ ନୟାଗଡ଼ରୁ ବିଦାୟ ନେଇ ଅଛନ୍ତି । ଦଶପଲ୍ଲା କନ୍ଧମେଳିର ପୋଲିସ ତଦନ୍ତପାଇଁ ବାବୁ ଦାମୋଦର ରଥ ନିଯୁକ୍ତ ହୋଇ ଅଛନ୍ତି-। ଶହ ଶହ କନ୍ଧ ମେଳିରେ ଧରା ହେଲେଣି । ଦଶପଲ୍ଲାର ଅନେକ ବଡ଼ ବଡ଼ ପ୍ରଜା ମଧ୍ୟ ଧରା ହୋଇ ଅଛନ୍ତି । ମତେ ଧରି ସେଥିରେ ଜଡ଼ିତ କରିବାକୁ ବର୍ତ୍ତମାନ ଚେଷ୍ଟା ଚାଲିଛି । ମତେ ଧରିବାରେ ସାହାଯ୍ୟ କରିବାକୁ ବାବୁ ଦାମୋଦର ରଥ, ନୟାଗଡ଼ ସୁପରିଣ୍ଟେଣ୍ଡେଣ୍ଟ ବାବୁ ଅନିରୁଦ୍ଧ ପଟେଲଙ୍କ ସହିତ ପରାମର୍ଶ କରି ଅଛନ୍ତି । ଏହି ଉଭୟଙ୍କ ପରାମର୍ଶରେ ପଟେଲ ଗୋଟିଏ ନୋଟିସ ଜାରୀ କରାଇ ଅଛନ୍ତି । ନୋଟିସରେ ଲେଖାଅଛି, ନୟାଗଡ଼ ଷ୍ଟେଟ୍‌ରୁ ସାହାଯ୍ୟ ପାଉଥିବା ପ୍ରତ୍ୟେକ ଛାତ୍ର, ତା ୨୪-୧୨-୧୪ରେ ନୟାଗଡ଼ ମୁକାମରେ ଆସି ହାଜର ହେବେ । ସେମାନଙ୍କୁ ପରୀକ୍ଷା କରାଯିବ । ଏପରି ଗୋଟିଏ ନୋଟିସ୍‌ ହଠାତ୍‌ ଜାରୀ କରିବାର କିଛିମାତ୍ର କାରଣ ନାହିଁ । ଏପରି ନୋଟିସ ଜାରୀ ହେବାର ଏହାହିଁ ହେଉଛି ପ୍ରଥମ ଓ ଶେଷ । ଏଥିରୁ ମୁଁ ଅନୁମାନ କଲି ଯେ ମତେ ଧରିବାକୁ କେବଳ ଏହି ଫନ୍ଦି ବନ୍ଧା ହୋଇଛି । ନୟାଗଡ଼ ଷ୍ଟେଟ୍‌ର ଜନୈକ ପିଅନ ଏହି ନୋଟିସ ଜାରୀ କରିବାପାଇଁ କଟକ ଯାଇ ମତେ ସେଠାରେ ନ ପାଇ ଫେରି ଆସିଛି । ମତେ ନ ପାଇ ଫେରି ଆସିବାରୁ, ନାନା ସନ୍ଦେହ କରି ନିଜେ ଦାମବାବୁ କଟକ ଯାଇଅଛନ୍ତି । ଉଦ୍ଦେଶ୍ୟ, ମତେ ଖୋଜି ପାଇଲେ ସାଥିରେ ନେଇ ଆସିବେ । ଏହିପରି ଅବସ୍ଥାରେ ମୁଁ ନୟାଗଡ଼ ଗଡ଼ରେ ହାଜର । ଗଡ଼ ଭିତରକୁ ପ୍ରବେଶ କଲା ବେଳକୁ ବାଟରେ ହଠାତ୍‌ ନୋଟିସ ଜାରୀ କରୁଥିବା ପିଅନଟି ସହିତ ମୋର ଦେଖା ହେଲା । ପିଅନଟି ଭିତରି ରହସ୍ୟ କିଛି ଜାଣେ ନାହିଁ । ତାହାର ନାମ ଦୁଃଖିଶ୍ୟାମ । ନୟାଗଡ଼ରେ ମୁଁ ପଢ଼ିଲା ବେଳେ ସେ ମଧ୍ୟ ସ୍କୁଲରେ ଅଧ୍ୟୟନ କରୁଥିଲା । ସେ ହଠାତ୍‌ ମତେ ଦେଖି ନୋଟିସ କଥା କହି ମତେ ଷ୍ଟେଟ୍‌ର ନାଜରଙ୍କ ନିକଟକୁ ଡାକିନେଲା । ନାଜରବାବୁ ମତେ ପାଇ ହଠାତ୍‌ ପଟେଲଙ୍କ ନିକଟକୁ ବାହାରିଲେ । ମତେ ସଙ୍ଗରେ ନେଲେ ଏହା କହିବା ଅନାବଶ୍ୟକ । ଉଭୟେ ପଟେଲଙ୍କ ନିକଟରେ ହାଜର ହେଲୁ । ପଟେଲ ମତେ ଦେଖି ନାଜରବାବୁଙ୍କୁ ଆଉ କେହି ଛାତ୍ର ଆସିଛନ୍ତି କି ନାହିଁ ବୋଲି ପଚାରି, ତହିଁଆର ଦିନ କଚେରୀରେ ହାଜର ହେବାକୁ ମତେ ଆଦେଶ ଦେଲେ ।

 

ପଟେଲଙ୍କ ନିକଟରୁ ଫେରି ଗଡ଼ରେ ମୁଁ ମୋର ଜନୈକ ବନ୍ଧୁଙ୍କ ଘରେ ରହିଲି । ନୋଟିସରେ ମୋର ଦସ୍ତଖତ କରାଇବା କାର୍ଯ୍ୟ । ତାହା ନ କରି ନାଜର ବାବୁ ମତେ ପଟେଲଙ୍କ ନିକଟକୁ ନେବାର କାରଣ କ’ଣ ? ଏହା ଭିତରେ କିଛି ଗୂଢ଼ ରହସ୍ୟ ନାହିଁ ତ ? ଏହିପରି ଗୋଟିଏ ସନ୍ଦେହ ମୋ ମନକୁ ଛୁଇଁଲା । ନୟାଗଡ଼ରୁ ସାହାଯ୍ୟ ପାଉଥିବା ଆଉ କେତୋଟି ଛାତ୍ର ଏହି ନୋଟିସ ପାଇ ଆସିଥିବାର ଦେଖିଲି । ସମସ୍ତେ ହଠାତ୍‌ ଏପରି ନୋଟିସ ପାଇ ଆଶ୍ଚର୍ଯ୍ୟ ହୋଇ ଅଛନ୍ତି । କେହି କିଛି ବୁଝି ନାହାନ୍ତି । ମୋ ମନରେ ଟିକିଏ ସନ୍ଦେହ ଜାତ ହେଲେ ମଧ୍ୟ ମୁଁ କିଛି ବୁଝି ପାରୁ ନ ଥାଏ । ‘‘ଦଶପଲ୍ଲାରୁ ନିର୍ବାସିତ ମୋର ପୂର୍ବ ପରିଚିତ ଶ୍ରୀଯୁକ୍ତ ଲିଙ୍ଗରାଜ ଦାସଙ୍କ ସହିତ ଦେଖା ହେଲା । ସେ ମତେ ତାହାଙ୍କ ଘରକୁ ଡାକି କହିଲେ ଯେ, ଦଶପଲ୍ଲା ମେଳି ସଂକ୍ରାନ୍ତରେ ତତେ ଧରିବାକୁ ବୋଧହୁଏ ତୁମ୍ଭମାନଙ୍କୁ ଡକରା ହୋଇଛି । ତୁ ସାବଧାନରେ କଥାବର୍ତ୍ତା କରିବୁ । ଭିତରି କଥା ମୁଁ ଅବଶ୍ୟ କିଛି ଜାଣେ ନାହିଁ । ମୋର ମନରେ ଯାହା ସନ୍ଦେହ ହୋଇଛି, ତାହା ତତେ କହିଲି ।’’ ଲିଙ୍ଗରାଜ ଦାସଙ୍କୁ ମୁଁ ମାମୁ ବୋଲି ଡାକେ । ତାହାଙ୍କ ସହିତ ମୋର ଘନିଷ୍ଠ ସମ୍ବନ୍ଧ ରହିଅଛି । ଏପରି ଅବସ୍ଥାରେ ତାହାଙ୍କ କଥା ଶୁଣି, ତାହାଙ୍କ ସନ୍ଦେହଜାତ କଥାକୁ ଅବିଶ୍ୱାସ କରିବାର କିଛି ମାତ୍ର କାରଣ ନାହିଁ । ମୋ ମନକୁ ତ ସନ୍ଦେହ ଅଳ୍ପ ମାତ୍ରାରେ ସ୍ପର୍ଶ କରିଥାଏ । ଶ୍ରୀଯୁକ୍ତ ଲିଙ୍ଗରାଜ ଦାସଙ୍କ କଥା ମୋର ସେହି ସନ୍ଦେହକୁ ଦୃଢ଼ କରି ଦେଲା । ଭିତରି ରହସ୍ୟ ଭଲ କରି ନ ଜାଣିଲେ, କେବଳ ସନ୍ଦେହରେ କିଛି କର୍ତ୍ତବ୍ୟ ସ୍ଥିର କରି ହେଉ ନାହିଁ । ଏହିପରି ମନର ଭାବ ନେଇ ତହିଁ ଆରଦିନ କଚେରୀରେ ପଟେଲଙ୍କ ସହିତ ଦେଖା କଲି । ମୋ ସହିତ ଆଉ କେତୋଟି ଛାତ୍ର ମଧ୍ୟ ଦେଖା କରିବାକୁ ଆସିଥିଲେ । କିନ୍ତୁ ପଟେଲ ସାହେବ ସେଦିନ କିଛି ନ କହି ପୁଣି ତହିଁ ଆରଦିନକୁ ହାଜର ହେବାକୁ ଆଦେଶ ଦେଲେ । ଏଥିରେ ମୁଁ ଟିକିଏ ମଧ୍ୟ ଆଶ୍ଚର୍ଯ୍ୟ ବୋଧ କଲି । ମୋର ସନ୍ଦେହରେ ସନ୍ଦେହ ପୁଣି ଜାତ ହେଲା । ମୁଁ ଭାବିଲି ବୋଧହୁଏ, ମେଳି ସଂପର୍କରେ ମୋର ସନ୍ଦେହ ଠିକ୍‌ ନୁହେଁ । କାରଣ ମତେ ଧରିବାର ହୋଇଥିଲେ, ଏପରି ଭାବରେ ଦିନ କାହିଁକି ଗଡ଼ାଉଥାନ୍ତେ । ମତେ ଧରିବାର ହୋଇଥିଲେ ଧରି ସାରନ୍ତେଣି । ସୁତରାଂ ଦଶପଲ୍ଲା ମେଳି ସହିତ ଆମ୍ଭମାନଙ୍କୁ ଡକରାର କୌଣସି ସଂବନ୍ଧ ନାହିଁ । ମୋ ମନରେ ଏପରି ଭାବ ଜାତ ହେଲା ସତ୍ୟ, କିନ୍ତୁ ମନରେ ବଳ ପାଇଲି ନାହିଁ । ମୁଁ ଯାହା ନିକଟକୁ ଯାଏ, ସମସ୍ତେ ମୋ ସହିତ କଥା ହେବାରେ ଟିକିଏ ଜଗି ରଖି କଥା କହିଲା ପରି ଜଣା ଯାଉଥାଏ । ନୟାଗଡ଼ରେ ସତେ ଯେପରି ମୁଁ ଜଣେ ନିହାତି ଅପରିଚିତ ବିଦେଶୀ । ଏସବୁ ଦେଖି ମତେ ବଡ଼ କଷ୍ଟ ହେଉଥାଏ, ମନରେ ମଧ୍ୟ ଭୟ ଜାତ ହେଉଥାଏ । ଭୟ ଜାତ ହେଲେ ମଧ୍ୟ ପଳାଇ ଆସିବାକୁ ମନ ଡାକେ ନାହିଁ । ସବୁବେଳେ ଭାବୁଥାଏ, ସୁପରିଣ୍ଟେଣ୍ଡେଣ୍ଟ କ’ଣ ପରୀକ୍ଷା କରିବେ । ତାହା ସେ ସାରିଦେଲେ, ମୁଁ ଶୀଘ୍ର ଏଠାରୁ ଦଶପଲ୍ଲା ଚାଲିଯିବି ।

 

ଏସବୁ ବ୍ୟାପାରର ରହସ୍ୟ ବାବୁ ଦାମୋଦର ରଥଙ୍କ ନିକଟରେ । ସେ କଟକରୁ ଫେରିଲା ପର୍ଯ୍ୟନ୍ତ ମତେ କୌଣସି କଥା କିଛି ନ କହି ଅଟକାଇ ରଖିବା ପଟେଲଙ୍କ ଉଦ୍ଦେଶ୍ୟ । ଏହି ମର୍ମରେ ଦାମରଥେ ବୋଧହୁଏ ପରାମର୍ଶ ଦେଇ ଯାଇଥିବେ । ସେ ଯାହା ହେଉ, ଦ୍ୱିତୀୟ ଥର ପଟେଲଙ୍କ ନିକଟରୁ ଫେରିଲା ଦିନ ରାତ୍ରିରେ ଦାମ ବାବୁ କଟକରୁ ଫେରିଲେ । ତହିଁ ଆରଦିନ ମୁଁ ଓ ଆଉ କେତେକ ଛାତ୍ର ପଟେଲଙ୍କ ନିକଟରେ ଉପସ୍ଥିତ ହେଲୁ । ପଟେଲ ବାହାନା କରି ଗୋଟିଏ ଦୁଇଟି ପ୍ରଶ୍ନ ପଚାରି ଆମ୍ଭମାନଙ୍କୁ ପରୀକ୍ଷା କଲେ । ଏହାପର ଅନ୍ୟାନ୍ୟ ସମସ୍ତ ଛାତ୍ରଙ୍କୁ ବିଦାୟ ଦେଇ ମତେ ଅଟକାଇ ରଖିଲେ । ମତେ କହିଲେ, ମୋର ବୃତ୍ତି ବିଷୟ ବିଚାର କରିବାର ଅଛି । ମୋର ଫାଷ୍ଟ କ୍ଲାସକୁ ବୃତ୍ତି ନ ଥାଏ । ଆଉ ବର୍ଷକ ସକାଶେ, ଷ୍ଟେଟ୍‌ ବୃତ୍ତି ମଞ୍ଜୁର କରିବାପାଇଁ ମୁଁ ପୂର୍ବରୁ ଦରଖାସ୍ତ କରିଥାଏ । ମୋର ଏହି ଦରଖାସ୍ତ ବିଚାର କରାଯିବ କହି ମତେ ଅଟକାଇ ରଖି, ଏକଘଣ୍ଟା ପରେ ପୁଣି କାଲି ଆସି କଚେରୀରେ ହାଜର ହେବାକୁ ପଟେଲ ସାହେବ ହୁକୁମ ଦେଲେ ।

 

ଅନ୍ୟାନ୍ୟ ଛାତ୍ରଙ୍କୁ ବିଦାୟ ଦେଇ ମତେ ଯେତେବେଳେ ଅଟକାଇ ରଖିଲେ, ସେତେବେଳେ ମେଳିରେ ଧରା ହେଲି ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଜନ୍ମିଗଲା । କିନ୍ତୁ ମୋର ବୃତ୍ତି ବିଷୟ ବିଚାର ପାଇଁ କଚେରୀରେ ପୁଣି ତହିଁ ଆରଦିନ ହାଜର ହେବାକୁ ଆଦେଶ ପାଇ ମୁଁ ଯେତେବେଳେ ଛାଡ଼ ପାଏ, ସେତେବେଳେ ମୋର ଆନନ୍ଦର ମଧ୍ୟ ସୀମା ରହିଲା ନାହିଁ । ମୁଁ ପଟେଲଙ୍କ କଚେରୀରୁ ମହା ଆନନ୍ଦରେ ଫେରିଲି । ଦଶପଲ୍ଲା ଯାଇଁ ମେଳି ଦମନ କରିବାପାଇଁ ଚାଲିଥିବା ଅତ୍ୟାଚାର ଘଟଣାମାନ କିପରି ସଂଗ୍ରହ କରିବି, ଏହି ଚିନ୍ତା ମୋ ମନରେ ଖେଳିଲା । ମୋ ମନରୁ ଧରା ହେବାର ସନ୍ଦେହ ଦୂର ହୋଇଗଲା । ଏହିପରି ଭାବନାରେ ମୁଁ ଗଡ଼ ଭିତରକୁ ଆସୁଛି, ଏପରି ସମୟରେ ହଠାତ୍‌ ପଛରୁ ଜଣେ କିଏ ମତେ ଡାକ ପକାଇଲା । ମୁଁ ପଛକୁ ଚାହିଁ ଦେଖେ ତ ଗୋଟିଏ ପୋଲିସ କନେଷ୍ଟବଲ । ‘ପୋଲିସ ଇନ୍‌ସପେକ୍ଟର ବାବୁ ଦାମୋଦର ରଥ ମତେ ଡକାଇ ଅଛନ୍ତି ।’ କହି ସେ ମତେ ସେଠାରୁ ଫେରାଇ ନେବାକୁ ଇଙ୍ଗିତ ଦେଲା । ତାହାର ସେହି ଡାକ, ସେହି ଇଙ୍ଗିତ ବଜ୍ରପାତ ପରି ମତେ ବୋଧ ହେଲା । ମୋର ବଳ ବୁଦ୍ଧି ସବୁ କୁଆଡ଼େ ହଜିଗଲା । ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇ ରହିଲି । କୁଆଡ଼କୁ ଯିବି କିଛି ଭାବି ପାରିଲି ନାହିଁ । ଏହିପରି ମୂକପରି ଠିଆହୋଇ ରହିବାର ମତେ ଦେଖି କନେଷ୍ଟବଲଟି କହିଲା, ‘‘ଆପଣ ଠିଆହୋଇ ରହିଲେ ଯେ, ଇନ୍‌ସ୍ପେକ୍ଟର ବାବୁ ଡକାଇଛନ୍ତି । ଆପଣଙ୍କୁ ଏକ୍ଷଣି ମୋ ସହିତ ଯିବାକୁ ହେବ ।’’ ମୋର ଆଉ ଉପାୟ କ’ଣ ଅଛି । ‘‘ନିରାଶ୍ରୟମାଂ ଜଗଦୀଶ ରକ୍ଷଂ’’ ଏହି ବାକ୍ୟଟି ଉଚ୍ଚାରଣ କରି କରି ଅତି ଭୟରେ କନେଷ୍ଟବଳ ସଙ୍ଗେ ବାବୁ ଦାମୋଦର ରଥଙ୍କ ବସାକୁ ମୁଁ ଚାଲିଲି-

Image

 

ଦ୍ୱିତୀୟ ପରିଚ୍ଛେଦ

 

ନୟାଗଡ଼ ଇନ୍ସପେକ୍‌ସନ ବଙ୍ଗଳାରେ ବାବୁ ଦାମୋଦର ରଥ ରହିଥାନ୍ତି । କନେଷ୍ଟବଳଟି ମତେ ନେଇ ତାହାଙ୍କ ନିକଟରେ ହାଜର କଲା । ଦାମବାବୁଙ୍କୁ ମୁଁ କେବେ ଦେଖି ନାହିଁ କିମ୍ବା ତାହାଙ୍କ ନାମ ମଧ୍ୟ ଶୁଣି ନାହିଁ । ଦାମ ରଥେ ଜାତିରେ ବ୍ରାହ୍ମଣ । ଦେଖିବାକୁ ଟିକିଏ ସ୍ଥୂଳକାୟ, ଗୌରବର୍ଣ୍ଣ, ଅତି ଉଚ୍ଚ ନୁହନ୍ତି କିମ୍ବା ନିହାତି ବାଙ୍ଗର ନୁହନ୍ତି । ମୁଣ୍ଡରେ ଗୋଟିଏ ବଡ଼ ଚନ୍ଦନଟୋପା-। ଖଣ୍ଡିଏ ଧୋତି ପିନ୍ଧି ଖାଲି ଦେହରେ ବଙ୍ଗଳା ଘରେ ବସିଛନ୍ତି । ମତେ ଦେଖିଲାକ୍ଷଣି ରଥେ ଆପଣେ ଦୌଡ଼ି ଆସି ମତେ କୁଣ୍ଢାଇ ପକେଇଲେ । ତାହାଙ୍କ ଭାବ ଭଙ୍ଗିରୁ ମତେ ବୋଧ ହେଲା ସତେ ଯେପରି ମତେ ଦେଖିବାକୁ ସେ ବଡ଼ ବ୍ୟାକୁଳ ଥିଲେ । ତାହାଙ୍କ କଥା ଶୁଣି ଏବଂ ତାହାଙ୍କ ରୂପ ଦେଖି ମୁଁ ଏକାବେଳକେ ଭୁଲିଗଲି । ତାହାଙ୍କ ପ୍ରତି ମୋର ଆନ୍ତରିକ ଭକ୍ତି ଭାବ ଟିକିଏ ମଧ୍ୟ ଜାଗିଉଠିଲା । ସେ ମୋ କାନ୍ଧରେ ହାତ ପକାଇ ମତେ ନେଇ ଗୋଟିଏ ଚୌକି ଉପରେ ବସାଇ ମୋ ସହିତ କଥୋପକଥନ ଆରମ୍ଭ କଲେ । ତାହାଙ୍କର ସ୍ନେହବୋଳା କଥା ଓ ବ୍ୟବହାର ମତେ ତରଳାଇ ଦେଲା । ସେ ମୋ ନାମ ଶୁଣିଛନ୍ତି । ମୁଁ କିପରି ପଢ଼ୁଛି ତାହା ସେ ଜାଣନ୍ତି । ମତେ ଦେଖିବାକୁ ବହୁଦିନ ତାଙ୍କର ଇଚ୍ଛା ଥିଲା । ମତେ ଦେଖିବାକୁ ପାଇ ସେ ଭାରୀ ଖୁସି ହୋଇଛନ୍ତି । ଇତ୍ୟାଦି କଥା ରଥେ ଆପଣେ ମତେ କହିବାକୁ ଆରମ୍ଭ କଲେ । ମୁଁ ବର୍ତ୍ତମାନ କିପରି ଚଳୁଛି ? ମୋର ଅଭାବ ଅସୁବିଧା କ’ଣ ? ଏବର୍ଷ ବହିପତ୍ର କିଣିବାକୁ ପଡ଼ିବ କି ନାହିଁ ? ଯଦି କିଣିବାକୁ ହୁଏ ତେବେ କେତେ ଖର୍ଚ୍ଚ ହେବ ? ଇତ୍ୟାଦି, ପ୍ରଶ୍ନ ମତେ ପଚାରିଲେ । ତାହାଙ୍କ ରୂପ ଓ ବ୍ୟବହାରରେ ମୁଁ ଯେପରି ଭୁଲି ଯାଇଥିଲି, ତାହାଙ୍କର ଏହିଭଳି ପ୍ରଶ୍ନରେ ମୋ ଚିତ୍ତ ସନ୍ଦିଗ୍‌ଧ ହୋଇ ଉଠିଲା । ମୁଁ ମନେ ମନେ ଭାବିଲି, ଏହାଙ୍କୁ ମୁଁ ଚିହ୍ନେ ନାହିଁ କିମ୍ବା ଜାଣେ ନାହିଁ । ଏପରି ଅବସ୍ଥାରେ ଏ ଏତେ କଥା ମତେ ପଚାରିବାର ଉଦ୍ଦେଶ୍ୟ କ’ଣ । ଏ ସବୁ ଭିତରେ କିଛି ନା କିଛି ରହସ୍ୟ ନିଶ୍ଚୟ ଅଛି । ଏପରି ସନ୍ଦେହ ମୋ ମନକୁ ଛୁଇଁଲା । ମୁଁ ଟିକିଏ କଥାକୁ ଜଗି ଉତ୍ତର ଦେଲି । ଏହାପର ମୋର ଦଶପଲ୍ଲା ଯିବାର ଇଚ୍ଛା ଅଛି କି ନାହିଁ ବୋଲି ପଚାରିବାରେ ମୁଁ ଉତ୍ତର ଦେଲି, ‘‘ମୁଁ ଛୁଟିରେ ଦଶପଲ୍ଲା ଯାଉଛି । ଦଶପଲ୍ଲା ନ ଯାଇ ଆଉ ଯିବି କୁଆଡ଼େ ?’’ ରଥେ ଆପଣେ କହିଲେ ଯେ, କାଲି ସକାଳୁ ସେ ଦଶପଲ୍ଲା ଯିବେ । ମୁଁ ତାଙ୍କ ସଙ୍ଗରେ ଗଲେ ସେ ମତେ ହାତୀରେ ବସାଇ ନେଇଯିବେ । କାଲି ସକାଳୁ ସେ କେତେବେଳେ ଯିବେ ମତେ କହିଲେ ମୁଁ ସେତବେଳକୁ ଆସି ହାଜର ହେବି, ଏହା କହି ମୁଁ ଯିବାକୁ ଉଦ୍ୟତ ହେଲି । ଏହା ଶୁଣି ଏବଂ ମତେ ଯିବାକୁ ଉଦ୍ୟତ ହେବାର ଦେଖି ରଥେ ଆପଣେ କହିଲେ, ‘‘ଗୋବିନ୍ଦ ତାହା ହେବ ନାହିଁ । ତୁ ରାତିରେ କାହିଁକି କୁଆଡ଼େ ଯିବୁ ? ବହୁଦିନୁ ତତେ ଦେଖିବାକୁ ଇଚ୍ଛା କରି ଆଜି ପାଇଛି । ତତେ ମୁଁ ଛାଡ଼ି ଦେବି ନାହିଁ । ତୁ ଆଜି ମୋ ପାଖରେ ରହିବୁ । କାଲି ଅନ୍ଧାରୁ ଉଠି ହାତୀରେ ଚାଲିଯିବା ।’’ ଏହା ଶୁଣି ମୁଁ କହିଲି, ‘‘ତାହା ହେଲେ ଭଲ କଥା । ମୁଁ ଆଉ କୁଆଡ଼େ ଯିବି ନାହିଁ, ତେବେ ମୋର ଲୁଗାପଟା ଦିଖଣ୍ଡ ଯାହା ଅଛି, ତାହା ଯାଇ ମୁଁ ନେଇ ଆସେ ।’’ ଏହା ଶୁଣି ସେ କହିଲେ, ‘‘ଲୁଗାପାଇଁ ତୋର ଯିବା ଦରକାର ନାହିଁ । ତୋର ଲୁଗା କେଉଁଠାରେ ଅଛି ମତେ କହ, ମୁଁ ମଗାଇ ଦେବି ।’’

 

ଏଥିରେ ମୋର ଆଉ କିଛି ଉତ୍ତର ନାହିଁ । ମୁଁ ଧରା ହେଲି ବୋଲି ବୁଝିପାରେ ଆଉ କିଛି ସନ୍ଦେହ ରହିଲା ନାହିଁ । ମାତ୍ର ବାବୁ ଦାମୋଦର ରଥ ମତେ ଏତକ ଜଣାଇ ଦେବାକୁ ଚାହାନ୍ତି ନାହିଁ । ମୁଁ ସେପରି ଧରା ହେଲି ବୋଲି ବୁଝି ପାରିଥିଲେ ମଧ୍ୟ, ମନକଥା ମୁଁ ମଧ୍ୟ ଜଣାଇ ଦେବାର ଅବସର ଦିଏ ନାହିଁ । କିଛି ନ ଜାଣିଲା ପରି ମୁଁ ବ୍ୟବହାର କରୁଥାଏ । ସେ ଯାହା କହୁଥାନ୍ତି, ତହିଁରେ ମୁଁ ରାଜି ହୋଇ ଯାଉଥାଏ । କାରଣ, ମୁଁ ବୁଝିଥାଏ, ତାଙ୍କ କବଳରୁ ଖସିବାର ଆଉ ଉପାୟ ନାହିଁ । ସୁତରାଂ ତାଙ୍କ କଥାର ବିରୋଧ କଲେ, ହାତକଡ଼ି ପଡ଼ି ଦୌଡ଼ିରେ ବନ୍ଧା ହୋଇ ଦଶପଲ୍ଲା ଓଟରା ହେବା ଛଡ଼ା ମୋ ଭାଗ୍ୟରେ ଅନ୍ୟ କିଛି ନାହିଁ । ଏପରି ଅବସ୍ଥାରେ ମୁଁ ମନକଥା ମନରେ ରଖି କିଛି ନ ଜାଣିଲା ପରି ତାଙ୍କ କଥାରେ ହଁ ମାରୁଥାଏ ।

 

ସେ ଯାହାହେଉ, ରଥେ ଆପଣେ ଲୋକ ପଠାଇ ଜିନିଷ ପତ୍ର ମଗାଇ ଦେଲେ । ତାହାଙ୍କ ବ୍ୟବହାର ମୋ ପ୍ରତି ଅଶେଷ ଦୟା ଏହା ଅସ୍ୱୀକାର କରି ନ ପାରେ । ସେ ଇଚ୍ଛା କରିଥିଲେ, ମତେ ଧରି ପୋଲିସ ହାତରେ ଦେଇ ଚାଲି ଯାଇଥାନ୍ତେ । ତାହା ନ କରି ଅତି ସ୍ନେହରେ ମୋ ସହିତ ବ୍ୟବହାର କରି ମତେ ବସାରେ ରଖି, ତହିଁ ଆରଦିନ ହାତୀରେ ବସାଇ ନେବା, ଦାମବାବୁଙ୍କର ମୋ ପ୍ରତି ନିଶ୍ଚୟ ଦୟା । ସେ ଯାହାହେଉ ତହିଁ ଆରଦିନ ସକାଳ ୫ ଟାରେ ମୁଁ ଓ ଦାମବାବୁ ଦୁହେଁ ହାତୀ ଚଢ଼ି ଦଶପଲ୍ଲା ବାହାରିଲୁ । ବାଟରେ କେବଳ କଟକ ଗଳ୍ପ ବ୍ୟତୀତ ଦଶପଲ୍ଲା କଥା କିଛି କଥା ହୋଇ ନାହୁଁ । ନୟାଗଡ଼ ଦଶପଲ୍ଲା ରାସ୍ତାରେ ନୂଆଗାଁ ବୋଲି ଗୋଟିଏ ଡାକବଙ୍ଗଳା ଅଛି । ଚାରିଭାଗ ବାଟରୁ ତିନିଭାଗ ଗଲା ପରେ ଏହି ନୂଆଗାଁ ପଡ଼େ । ଏହିଠାରେ ରହି ଆମ୍ଭେମାନେ ଜଳଖିଆ କଲୁ । ଜଳଖିଆ ସାରି ହାତୀକୁ ଅପେକ୍ଷା କରି ବସିଛୁ, ଏହି ସମୟରେ ଦାମବାବୁ ଦୁଇଟି କକ୍ଷର ନାମ ଉଲ୍ଲେଖ କରି ମୁଁ ସେମାନଙ୍କୁ ଜାଣେ କି ନାହିଁ ବୋଲି ପ୍ରଶ୍ନ କଲେ । ମୁଁ ସେମାନଙ୍କୁ ଜାଣେ ନାହିଁ ବୋଲି ଉତ୍ତର ଦେବାରୁ ରଥେ ଆପଣଙ୍କ ସ୍ୱରୂପ ବଦଳିଗଲା । ସେ ହଠାତ୍ ସ୍ୱର ବଦଳାଇ କହିଲେ, ‘‘ତୁ ଜାଣି ନାହୁଁ, ଦଶପଲ୍ଲା ଚାଲ ସେଠାରେ ଜାଣିବୁ ଯେ । ସେମାନେ କଟକ ଆସିଥିଲେ । ତୁ ଆଉ ବୈଷ୍ଣବ ଦେଓ ଦୁହେଁ ମିଶି ମେଳି କରିବାକୁ ପରାମର୍ଶ ଦେଇଛ । ସେମାନେ ତତେ ଜାଣନ୍ତି । ତୁ ସେମାନଙ୍କୁ ମେଳି କରିବାକୁ ଶିଖାଇଅଛୁ ବୋଲି ସେମାନେ କହୁଅଛନ୍ତି, ତୁ କହୁଛୁ ସେମାନଙ୍କୁ ଜାଣି ନାହୁଁ ?’’

 

ଦାମ ରଥଙ୍କ ହଠାତ୍ ଏପରି ପରିବର୍ତ୍ତନ ଦେଖି ମୁଁ ଟିକିଏ ଶଙ୍କି ଗଲି । ମୁଁ କହିଲି, ‘‘ଚାଲନ୍ତୁ । ମୁଁ ତ ଆପଣଙ୍କ ସଙ୍ଗରେ ଯାଉଛି, କୁଆଡ଼େ ପଳାଉ ନାହିଁ । ଆପଣ ଏତେ ଧମକ ଦେଖାଉଛନ୍ତି କାହିଁକି ?’’ ଏତିକି କହି ମୁଁ ନୀରବ ରହିଲି । ମୁଁ ମେଳିରେ ଧରା ହୋଇଛି ବୋଲି କାଲିଠାରୁ ବୁଝି ଥାଏ । ଯାହା ଟିକିଏ ଅବା ସନ୍ଦେହ ଥିଲା, ତାହା ବର୍ତ୍ତମାନ ଦୂର ହୋଇଗଲା । ମୋଠାରୁ ଏପରି ଉତ୍ତର ପାଇ ରଥେ ଆପଣେ ମତେ ଆଉ କିଛି କହି ନାହାନ୍ତି । ମେଳି କଥା ଏଠାରେ ଏତିକିରେ ରହିଲା । ଆମ୍ଭେ ଦୁହେଁ ପୁଣି ହାତୀରେ ଚଢ଼ି ଦଶପଲ୍ଲା ବାହାରିଲୁ । ଅଳ୍ପ ସମୟ ମଧ୍ୟରେ ଦଶପଲ୍ଲା ରାଜ୍ୟରେ ପ୍ରବେଶ କଲୁ ।

 

ଦଶପଲ୍ଲାରେ ଗ୍ରାମକୁ ଗ୍ରାମ ସଡ଼କ । ସଡ଼କ ଦୁଇପାର୍ଶ୍ୱରେ ଆମ୍ବ ପଣସ ଗଛ ସବୁ ଲାଗିଛି । ଏହା ହେଉଛି ବିଶ୍ୱାଳଙ୍କ କୀର୍ତ୍ତି । ଏହାକୁ ଦେଖିଲା ମାତ୍ରକେ ଯେ କେହି ବିଶ୍ୱାଳଙ୍କୁ ପ୍ରଶଂସା ନ କରି ରହି ପାରିବ ନାହିଁ । କିନ୍ତୁ ଏହି ସଡ଼କ ପକାଇବା ଓ ଗଛ ରୋପଣ କରି ତାହାକୁ ବଞ୍ଚାଇ ରଖିବା ପଛରେ କି ମର୍ମାନ୍ତିକ ଯନ୍ତ୍ରଣା ରହିଅଛି, ତାହା କେବଳ ଦଶପଲ୍ଲାର ନିରୀହ ପ୍ରଜା ଜାଣନ୍ତି । ଦଶପଲ୍ଲା ପ୍ରଜା ଏଥିପାଇଁ ଲୁହ ନ କାନ୍ଦି ରକ୍ତ କାନ୍ଦିଛନ୍ତି ବୋଲି କୁହାଯାଇ ପାରେ । ଏହିସବୁ କାମ ବେଠିରେ କରା ହୋଇଛି । ଏହି କାମ କରାଇ ବିଶ୍ୱାଳ ଗୋଟିଏ ଅର୍ଥ ଆୟର ବାଟ ଖୋଲି ଅଛନ୍ତି । ଏହାଛଡ଼ା ଦଶପଲ୍ଲା ପରି ଅଶିକ୍ଷିତ ରାଜ୍ୟରେ ଗ୍ରାମକୁ ଗ୍ରାମ ସଡ଼କ ପକାଇବା କୌଣସି ଆବଶ୍ୟକ ନ ଥିଲା । ସଡ଼କଦ୍ୱାରା ପ୍ରଜାଙ୍କ ଦୁଃଖ ଦୂର ହୁଏ ନାହିଁ । ଏଥିରେ ପ୍ରଜାଙ୍କ ଦୁଃଖ ଲାଘବ ନ ହୋଇ ସହସ୍ର ଗୁଣରେ ବଢ଼ିଛି । ଏହି ସଡ଼କ ରାସ୍ତା କରିବା, ପୋଲ ନିର୍ମାଣ କରିବାପାଇଁ ଯେ ଦୁଃଖ ତାହା ସାମୟିକ ଅବଶ୍ୟ । କିନ୍ତୁ ପ୍ରଜାଙ୍କର ଅଭାବ ଅସୁବିଧା କ’ଣ ଏବଂ ତାହା କେଉଁଠାରେ ତହିଁର କାରଣର ଅନୁସନ୍ଧାନ ନାହିଁ । ପ୍ରଜାଙ୍କର ଆର୍ଥିକ ଅବସ୍ଥା କିପରି ସୁଧୁରିବ, ପ୍ରଜାକୁଳ କିପରି ଶିକ୍ଷିତ ହେବେ, ସେଥି ପ୍ରତି ଦୃଷ୍ଟି ନାହିଁ କିମ୍ବା ସେ ସବୁର ପ୍ରତିକାର ଉପାୟ ଅବଲମ୍ବନ କରିବାର କୌଣସି ଚେଷ୍ଟା ନାହିଁ । ନିରୀହ ଅଶିକ୍ଷିତ ପ୍ରଜାଙ୍କୁ ଭୟଭୀତ କରାଇ, ପଶୁ ପରି ସବୁବେଳେ ସେମାନଙ୍କୁ ଖଟାଇ କେତେକ କାର୍ଯ୍ୟ କରାଇବାରେ ମହତ୍ତ୍ୱ କେଉଁଠାରେ ତାହା ମୁଁ ବୁଝିପାରି ନାହିଁ । କିନ୍ତୁ ଦଶପଲ୍ଲା ରାଜ୍ୟରେ ପ୍ରବେଶ କଲା ମାତ୍ରକେ, ଏହି ସବୁ କାର୍ଯ୍ୟକୁ ଦେଖାଇ ଦାମ ବାବୁ ଭାବଗ୍ରାହୀ ବିଶ୍ୱାଳଙ୍କ ପ୍ରଶଂସା ଗାନ କଲେ । ଏପର୍ଯ୍ୟନ୍ତ ମୁଁ ନୀରବ ଥିଲି । କାଲିଠାରୁ ଆଜି ଏ ପର୍ଯ୍ୟନ୍ତ ମୁଁ ଦାମ ବାବୁଙ୍କ ସହିତ କୌଣସି ବିଷୟ ନେଇ କଦାପି ଯୁକ୍ତି କରି ନାହିଁ, କିମ୍ବା ଯୁକ୍ତି କରିବାକୁ ସାହସ ମଧ୍ୟ କରି ନାହିଁ । କିନ୍ତୁ ଭାବଗ୍ରାହୀ ବାବୁଙ୍କ ପ୍ରଶଂସା ଶୁଣି ମୁଁ ଆଉ ନୀରବ ରହି ପାରିଲି ନାହିଁ । କାରଣ ଏହି ସଡ଼କ ଓ ଗଛ ପାଇ ଦଶପଲ୍ଲାର ନିରୀହ ପ୍ରଜା ଯେପରି ନିଷ୍ପେଷିତ ହୋଇ ଅଛନ୍ତି ସେସବୁ ମତେ ନିହାତି ଅଜଣା ନୁହେଁ । ଯେଉଁସବୁ କାର୍ଯ୍ୟ ଭାବଗ୍ରାହୀ ବାବୁଙ୍କ ଖାମଖିଆଲି, ଜଲୁମର କୀର୍ତ୍ତିସ୍ତମ୍ଭ ସ୍ୱରୂପ ତହିଁର ପ୍ରଶଂସା ଶୁଣି ନୀରବ ରହିବା ନିଜର ମନୁଷ୍ୟତାକୁ ଓ ବିବେକକୁ ତ୍ୟାଗ କରିବା ସଙ୍ଗେ ସମାନ । ଏପରି ଅବସ୍ଥାରେ ମୁଁ ଦାମବାବୁଙ୍କ ସହିତ ଏକମତ ନ ହୋଇ ତାହାଙ୍କ ସହିତ ଯୁକ୍ତି ଆରମ୍ଭ କଲି । ସେ ବିଶ୍ୱାଳଙ୍କ କାର୍ଯ୍ୟାବଳି ବର୍ଣ୍ଣନା କରି ପ୍ରଶଂସା କରିବାକୁ ଲାଗିଲେ । ମୁଁ ସେହିସବୁ କାର୍ଯ୍ୟକୁ ନିହାତି ଅତ୍ୟାଚାର ଜଲୁମର କାହାଣୀ ବୋଲି ବର୍ଣ୍ଣନା କଲି । ଏହିପରି ଭାବରେ ଯୁକ୍ତିତର୍କ କରୁ କରୁ ହାତୀ ଯାଇ ଦଶପଲ୍ଲା ଗଡ଼ରେ ହାଜର ହେଲା । ମୁଁ ଘରକୁ ଯିବା କଥା କହିବାରୁ ରଥେ ଆପଣେ ଘରକୁ ଛାଡ଼ି ନ ଦେଇ ମତେ ତାଙ୍କ ବସାକୁ ନେଇ ଚାଲିଲେ ।

Image

 

ତୃତୀୟ ପରିଚ୍ଛେଦ

 

ମୁଁ ଦାମ ରଥଙ୍କ ବସାରେ ପହୁଞ୍ଚିଲି । ଦାମବାବୁ ଜେଲଖାନା ନିକଟ ଗୋଟିଏ ଘରେ ରହିଥାନ୍ତି । ମେଳିପରେ କେତେ ନୂଆଲୋକ ଦଶପଲ୍ଲାକୁ ଆସିଥାନ୍ତି । ମେଳି ଦମନ ଓ ମେଳିର ଅନୁସନ୍ଧାନ ଉଭୟ କାର୍ଯ୍ୟ ଚାଲିଥାଏ । ସେ ଯାହା ହେଉ ଦାମବାବୁଙ୍କ ବସାରେ ପହୁଞ୍ଚିଲା ପରେ ଉଭୟେ ଏକାଠି ବସି କିଛି ଜଳପାନ କଲୁ । ତାହାପରେ ଦାମବାବୁ ବୁଲିଯିବା ବାହାନାରେ ବାହାରିଲେ । ମତେ ମଧ୍ୟ ସଙ୍ଗରେ ଡାକି ନେଲେ । ବୁଲିଯିବା ବେଳେ ଦାମବାବୁ ମତେ ପାଖକୁ ଟାଣିନେଇ କହିଲେ, ‘‘ଗୋବିନ୍ଦ, ମୁଁ ଯାହା କହିବି, ତୁ ମୋ କଥା ଶୁଣିବୁ ନା ?’’ ମୁଁ ଜବାବ ଦେଲି, ‘‘ହଁ, ଆପଣ କ’ଣ କହିବେ କହୁ ନାହାନ୍ତି; କଥା ମାନିବାର ହେଲେ ମୁଁ ନ ମାନିବି କିଆଁ ?’’ ଏହା ଶୁଣି ରଥେ କହିଲେ, ‘‘ଗୋବିନ୍ଦ, ଦେଖ୍, ତୁ ଛାତ୍ର, ପିଲାଲୋକ, ତୋର ଅନିଷ୍ଟ କରିବା ମୋର ଇଚ୍ଛା ନୁହେଁ । କିନ୍ତୁ ତୁ ଯଦି ସତକଥା କହିବୁ ତେବେ ତୋର କିଛି ହେବ ନାହିଁ । ବରଂ ଏହାଦ୍ୱାରା ତୋର ଅଶେଷ କଲ୍ୟାଣ ସାଧିତ ହେବ ।’’ ଏହା ଶୁଣି ମୁଁ ଟିକିଏ ଉଦ୍‌ବିଗ୍ନ ହୋଇ ଉଠିଲି ଏବଂ ହଠାତ୍ ଉତ୍ତର ଦେଲି, ‘‘ଆପଣ କ’ଣ ମୋଠାରୁ ଚାହୁଛନ୍ତି, ତାହା ପ୍ରକାଶ ନ କରି ଏତେ କଥାକୁ ବୁଲାଇ କହୁଛନ୍ତି କାହିଁକି ? ଯାହା ପଚାରିବାର ଶୀଘ୍ର ପଚାରନ୍ତୁ । ଆପଣଙ୍କ କଥା ନ ଶୁଣିଲେ ମୁଁ କିଛି ବୁଝିପାରୁ ନାହିଁ ।’’ ମୋଠାରୁ ଏପରି ଉତ୍ତର ପାଇ ରଥେ ଆପଣେ କହିଲେ, ‘‘ଗୋବିନ୍ଦ, ବୈଷ୍ଣବ ଦେଓ କଟକରେ ଥିବାର ତୁ ଜାଣୁ । ତୁ ତା ନିକଟକୁ ଯିବା ଆସିବା କରୁ । ସେ କନ୍ଧମାନଙ୍କୁ ମେଳି କରିବାପାଇଁ ଶିଖାଇଛି ଏହା ମଧ୍ୟ ତତେ ଜଣା । ତୁ ମଧ୍ୟ ମେଳି କରିବାପାଇଁ ଉତ୍ତେଜନା ଦେଇଛୁ । କିନ୍ତୁ ତୁ କ’ଣ କରିଛୁ ସେକଥା ମୁଁ ପଚାରୁ ନାହିଁ । ବୈଷ୍ଣବ ଦେଓ ମେଳି କରାଇଛି ଏକଥା ତୁ ଜାଣୁ, ଏତକ ତତେ କହିବାକୁ ହେବ ।’’ ଦାମବାବୁଙ୍କ ଏହିସବୁ କଥା ଶୁଣୁ ଶୁଣୁ ମୋ ମନ କୁଆଡ଼େ ନାହିଁ କୁଆଡ଼େ ଚାଲିଗଲା । କାଲିଠାରୁ ଏ ପର୍ଯ୍ୟନ୍ତ ପାଇଥିବା ସ୍ନେହ ଆଦରର ରହସ୍ୟ ସବୁ ମୋ ଆଖି ଆଗରେ ନାଚି ଉଠିଲା । ମୁଁ ଅତି ଧୀର ଭାବରେ ଜବାବ ଦେଲି, ‘‘ମୁଁ କିଛି ଜାଣେ ନାହିଁ, ଏହା ମୁଁ କିପରି କହିବି ?’’ ମୋଠାରୁ ଏହି ଉତ୍ତର ପାଇ ଦାମବାବୁ ମତେ ବହୁତ ବୁଝାଇଲେ । ତାଙ୍କର ପ୍ରକୃତ ଇଚ୍ଛା ନୁହେଁ ମୋର କୌଣସି ଅନିଷ୍ଟ କରିବା । କାରଣ, ମୋର ଅନିଷ୍ଟରେ କାହାରି କିଛି ଇଷ୍ଟ ସାଧିତ ହେବ ନାହିଁ । ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ଏହାଦ୍ୱାରା ସାଧିତ ହେବ ନାହିଁ । ବିଶ୍ୱାଳଙ୍କ ଅତ୍ୟାଚାର ଏବଂ ପଲିଟିକେଲ ଏଜେଣ୍ଟଙ୍କ ଅବୁଝାମଣା ହେତୁରୁ ଦଶପଲ୍ଲା ମେଳି । ମେଳି ସହିତ ପୋଷ୍ୟପୁତ୍ର ଗ୍ରହଣର କୌଣସି ସମ୍ପର୍କ ନାହିଁ । ଦଶପଲ୍ଲା ରାଜଗାଦୀ ବିଷୟକ ଘଟଣା ନେଇ ମେଳି ହୋଇ ନାହିଁ । ଯେ କୌଣସି କାରଣରୁ ମେଳି ହେଉ, ଏହି ମେଳି କାହିଁକି ହେଲା ଏହାର ମୂଳ କାରଣ କ’ଣ, ତାହା କାଗଜପତ୍ର ଦେଖାଇବାକୁ ହେବ । ଗଭର୍ଣ୍ଣମେଣ୍ଟଙ୍କ ନିକଟକୁ ମେଳିର ସମସ୍ତ ରହସ୍ୟ ରିପୋଟ କରିବାକୁ ହେବ । ମତେ ଧରି ମେଳିରେ ଜଡ଼ିତ କରାଇ ଶାସ୍ତି ଦେବାରେ ଏହି ଉଦ୍ଦେଶ୍ୟ ସାଧିତ ହେବ ନାହିଁ । ବୈଷ୍ଣବ ଦେଓ ମେଳି କରାଇ ଅଛନ୍ତି, ଦଶପଲ୍ଲା ରାଜଗାଦି ନ ପାଇବାରୁ ସେ ଏହି ମେଳି କରାଇ ଅଛନ୍ତି, ଏହାହିଁ ପ୍ରମାଣ କରାଇବା ବର୍ତ୍ତମାନ ଏକମାତ୍ର ଉଦ୍ଦେଶ୍ୟ । ବୈଷ୍ଣବ ଦେଓ ଏହି ମେଳି କରାଇ ଅଛନ୍ତି କି ନାହିଁ ତହିଁର ସତ୍ୟତା ଅସତ୍ୟତା ପ୍ରମାଣ କରିବା ଏଠାରେ କୌଣସି ପ୍ରୟୋଜନ ନାହିଁ । ତେବେ ବୈଷ୍ଣବଚରଣ ଦେଓଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଇ ମୁଁ ମୋର ମଙ୍ଗଳ କିଛି ସାଧିତ କରାଇ ନେବି, ଏପରି ଭାବିବା ମଧ୍ୟ ଅନ୍ୟାୟ । ଏପରି ଅବସ୍ଥାରେ ଏବଂ ଏପରି ଭାବରେ ବୈଷ୍ଣବ ଦେଓଙ୍କ ବିରୁଦ୍ଧରେ କିଛି କହିବାକୁ ମୁଁ ଏକାବେଳକେ ଅସ୍ୱୀକାର କଲି । ବୈଷ୍ଣବଚରଣ ଦେଓଙ୍କ ବିରୁଦ୍ଧରେ କିଛି କହିବାକୁ ଦୃଢ଼ ଭାବରେ ଅସ୍ୱୀକାର କରିବାର ମତେ ଦେଖି, ଦାମବାବୁ ମତେ ପ୍ରଭାବିତ କରିବାକୁ ବହୁତ ଚେଷ୍ଟା କଲେ । କିନ୍ତୁ ତାହାଙ୍କର ସମସ୍ତ ଚେଷ୍ଟା ବିଫଳ ହେବାରୁ ରାତ୍ର ଆଠଟାରେ ମତେ ପୋଲିସ ହାତରେ ସମର୍ପଣ କରିଦେଲେ । ପୋଲିସ ସବଇନ୍‌ସପେକ୍‌ଟର ମତେ ଧରି ଥାନାରେ ହାଜର ।

 

ଥାନାରେ ହାଜର ହେଲାପରେ ମତେ ଗୋଟିଏ କୋଠରୀରେ ନେଇ ରଖିଲେ । ସେଠାରେ ସବ୍‌ଇନ୍‌ସପେକ୍‌ଟର ପ୍ରଭୃତି ୨।୩ ଜଣ ପୋଲିସ କର୍ମଚାରୀ ମିଳି ମୋଠାରୁ ବୈଷ୍ଣବ ଦେଓଙ୍କ ବିରୁଦ୍ଧରେ ସାକ୍ଷ୍ୟ ନେବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କଲେ । ମତେ ବହୁତ ପ୍ରଲୋଭନ ଓ ଭୟ ମଧ୍ୟ ଦେଖାଇଲେ । ସେମାନଙ୍କ ବ୍ୟବହାର ମତେ ଅତିଶୟ ବିରକ୍ତିକର ଜଣାଗଲା । ଶେଷରେ ମୁଁ ନିହାତି ରାଗି ଉତ୍ତର ଦେଲି, ‘‘ସାବଧାନ, ତୁମ୍ଭେମାନେ କେହି ମତେ ଆଉ କିଛି କଥା କୁହ ନାହିଁ । ମୁଁ କୌଣସି ପ୍ରକାରେ ସାକ୍ଷ୍ୟ ଦେବି ନାହିଁ । ତୁମ୍ଭର ଯଦି କିଛି କରିବାର ଥାଏ ତେବେ ତାହା ତୁମ୍ଭେ କରି ପାର । କିନ୍ତୁ ମତେ ଭୁଲାଇବାକୁ ପ୍ରଯତ୍ନ କରି ମିଛରେ ମତେ ବିରକ୍ତ କର ନାହିଁ-।’’ ମୋଠାରୁ ଏପରି କଡ଼ା ଜବାବ ପାଇ ପୋଲିସ ନୀରବ ରହିଲେ । ସେତେବେଳକୁ ରାତ୍ର ବାରଟା । ଏହାପରେ ମତେ ନେଇ ହାଜତ ଘରେ ପୂରାଇ ଚାବି ପକାଇ ଦେଲେ ।

 

ହାଜତ ଘରେ ତାଲା ପଡ଼ି ବନ୍ଦ ହୋଇ ରହିଲି । ସେହି ହାଜତ ଘରର ଅବସ୍ଥା କ’ଣ ବର୍ଣ୍ଣନା କରିବି କିଛି ବୁଝିପାରୁ ନାହିଁ । ପ୍ରଥମତଃ ପୋଲିସ ଧରି ଯାହାକୁ ହାଜତ ଘରେ ରଖନ୍ତି, ସେପରି ମନୁଷ୍ୟକୁ ମନୁଷ୍ୟ ବୋଲି କେହି ବିଚାରନ୍ତି ନାହିଁ । ସେ ଗୋଟାଏ ଇତର ଜୀବ ମାତ୍ର । ତାହାର ଭଲ ମନ୍ଦ, ରୁଚି ଅଭିରୁଚି, ସୁବିଧା ଅସୁବିଧା ବୋଧ କରିବାର ଭାବନା, ଏସବୁ କିଛି ନ ଥାଏ ବୋଲି ପୋଲିସ କର୍ମଚାରୀମାନେ ମନେ କରି ନିଅନ୍ତି । ଯେଉଁଠାରେ ଲୋକମତ ପ୍ରକାଶ କରିବାର ପୂର୍ଣ୍ଣ ଅଧିକାର ରହିଅଛି, ଜନସାଧାରଣ ପ୍ରକାଶ୍ୟରେ ଶାସନତନ୍ତ୍ରର ସମାଲୋଚନା କରିପାରୁ ଅଛନ୍ତି, ସେପରି ସ୍ଥଳରେ ପୋଲିସ ଥାନାରେ ହାଜତ କଥା କହିଲେ ନ ସରେ । ସେଠାରେ ମଧ୍ୟ ମନୁଷ୍ୟକୁ ବେଳେ ବେଳେ ମନୁଷ୍ୟ ପରି ବ୍ୟବହାର କରାଯାଏ ନାହିଁ । ଏପରି ଅବସ୍ଥାରେ ଗଡ଼ଜାତ ପରି ଅନ୍ଧାରୀ ରାଜ୍ୟରେ ହାଜତ ଘର କ’ଣ ହୋଇଥିବ ତାହା ସମସ୍ତେ କଳ୍ପନା କରିନେବା ଉଚିତ । ସେ ଯାହା ହେଉ, ମୁଁ ଯେଉଁ ହାଜତ ଘରେ ବନ୍ଦୀ ହୋଇ ରହିଲି ତାହା ଏକାବେଳକେ ଅନ୍ଧକାର । ଘରଭିତର ବୋଧହୁଏ କେବେ କିପରି ପରିଷ୍କାର ହୁଏ । ଘର ଭିତର ଯେପରି ଗନ୍ଧ ହେଉଥିଲା ତହିଁରେ ସେ ଘର ଭଲ କରି ପରିଷ୍କାର ହୁଏ କି ନାହିଁ ସନ୍ଦେହ । ଘର ଭିତରେ ଖଣ୍ଡିଏ ଛିଣ୍ଡା ଖଜୁରିପଟି ପଡ଼ିଥାଏ । ସେହି ଛିଣ୍ଡା ପଟି ଖଣ୍ଡିକ ହେଲା ମୋର ବିଛଣା । କିନ୍ତୁ ସେଥିରେ ମୁଁ ଆଉ ଶୋଇବି କ’ଣ, ମୋତେ ନିଦ ହେଲା ନାହିଁ । ଘରଭିତର ଯେ କେବଳ ମତେ ଅନ୍ଧକାର ଦେଖାଗଲା ତାହା ନୁହେଁ, ସମସ୍ତ ଦଶପଲ୍ଲା ମତେ ଅନ୍ଧକାର ଦେଖାଗଲା । କୌଣସି ପ୍ରକାର ଆଲୋକ ନାହିଁ କିମ୍ବା କୌଣସି ପ୍ରକାର ଶବ୍ଦ ମଧ୍ୟ ଶୁଣିବାକୁ ନାହିଁ । ଥାନା ଭିତରେ ଗୋଟିଏ ଘଣ୍ଟା ଥାଏ । ସେହି ଘଣ୍ଟା ଶବ୍ଦ ଛଡ଼ା ଅନ୍ୟ କିଛି ମୁଁ ଶୁଣିବାକୁ ପାଏ ନାହିଁ । ମୋତେ ବୋଧ ହେଲା ଦଶପଲ୍ଲାରେ କନ୍ଧମେଳି ଦମନ ପାଇଁ ଚାଲୁଥିବା ଅତ୍ୟାଚାରରେ ଦଶପଲ୍ଲାର ଜଳବାୟୁ ଭୀତ ଓ ତ୍ରସ୍ତ । ସବୁ ନିଃଶବ୍ଦ ଓ ନିଶ୍ଚଳ । ଏହିପରି ସବୁ ଭାବନା ମୋ ମନରେ ଖେଳିଲା । ମୁଁ ମଧ୍ୟ ଭୟରେ ଥରି ଉଠିଲି । ଏତେବେଳେ ମୋର ମନର ଯାହା ଅବସ୍ଥା ତାହା କଥାରେ ବ୍ୟକ୍ତ କରିପାରୁ ନାହିଁ । ମୋର ସେତବେଳର ମନର ଅବସ୍ଥା ମୋ ବ୍ୟତୀତ ଏ ଦୁନିଆରେ ଅନ୍ୟ କେହି ବୁଝିପାରିବ କି ନାହିଁ ସେ ବିଷୟରେ ମୋର ପୂର୍ଣ୍ଣ ସନ୍ଦେହ ।

 

ଏହିପରି ମନର ଅବସ୍ଥାରେ ମୁଁ ହାଜତ ଘରେ ବସିଛି, ଘଣ୍ଟା ଏକ, ଦୁଇ, ହୋଇ ତିନି ବାଜିଲା । ଏପରି ସମୟରେ ହଠାତ୍ ଗୋଟାଏ ଶବ୍ଦ ଶୁଣିଲି ଓ ଗୋଟିଏ ଆଲୋକ ଦେଖିବାକୁ ପାଇଲି । ଦେଖିଲି, ରାତ୍ର ୩ ଟାରେ କିଏ ଆସି ହାଜତ ଘର ତାଲା ଖୋଲୁଛି । ପ୍ରଥମେ ତ ମୁଁ କିଛି ବୁଝିପାରିଲି ନାହିଁ । ଏ କ’ଣ ହେଲା ବୋଲି ଆଶ୍ଚର୍ଯ୍ୟ ହୋଇଗଲି । କିନ୍ତୁ ତାଲା ଖୋଲି ମୋ ନିକଟରେ ଦୁଇ ଜଣ କିଏ ଆସି ହାଜର ହେଲେ । ମତେ କହିଲେ, ‘‘ଆପଣ ଚାଲନ୍ତୁ, ଇନ୍‌ସପେକ୍‌ଟର ବାବୁ ଆପଣଙ୍କୁ ଇଲେ ଡାକୁ ଅଛନ୍ତି ।’’ ଏ ରାତିରେ ଇନ୍‌ସପେକ୍‌ଟର ବାବୁଙ୍କର ପୁଣି ଡାକରା କାହିଁକି, ଏହା ଭାବି ମୁଁ ଟିକିଏ ଶଂକିଗଲି । କିଛି ନ କହି ସେହି ଲୋକ ଦୁଇଟି ସଙ୍ଗରେ ଆସି, ଇନ୍‌ସପେକ୍‌ଟର ବାବୁ ଦାମୋଦର ରଥଙ୍କ ବସାରେ ହାଜର ହେଲି ।

 

ଦାମ ରଥଙ୍କ ବସାରେ ହାଜର ହୋଇ ଦେଖେ ଯେ ସେ ବିଛଣାରେ ଉଠି ବସିଛନ୍ତି । ମତେ ଦେଖି ହଠାତ୍ ବିଛଣାରୁ ଓହ୍ଳାଇ ଆସି ମତେ ନେଇ ପାଖରେ ବସାଇ କହିଲେ, ‘‘ଗୋବିନ୍ଦ, ତୁ ନିହାତି ଅବୁଝା ହେବାରୁ ମତେ ଭାରି ଚିଡ଼ି ମାଡ଼ିଲା । ମୁଁ ବିରକ୍ତିରେ ସେତେବେଳେ ତତେ ଥାନାକୁ ପଠାଇ ଦେଇ ଶୋଇପଡ଼ିଲି । ମୋର ନିଦ ହୋଇଗଲା । ଏକ୍ଷଣି ନିଦ ଭାଙ୍ଗିବାରୁ ପଚାରି ବୁଝିଲି ଯେ ତୁ ସେତବେଳଠୁ ଥାନାରେ ଅଛୁ । ସେଥିପାଇଁ ଇଲେ ଡକାଇ ପଠାଇଲି । ତୁ ଏହିଠାରେ ଶୋଇପଡ଼ ।’’ ଏହା କହି ମୋ ପାଇଁ ଗୋଟିଏ ଅଲଗା ବିଛଣା କରାଇ ଦେଲେ ଏବଂ ସେ ଶୋଇଗଲେ । ମୁଁ ଥାନା ହାଜତରୁ ଏପରି ଭାବରେ ଦାମବାବୁଙ୍କ ବସାକୁ ଆସିଲି । ମାତ୍ର ଥାନା ହାଜତ ଓ ଦାମବାବୁଙ୍କ ବସା ଉଭୟ ମୋ ପକ୍ଷରେ ସମାନ । ଦାମବାବୁଙ୍କ ବସାରେ ଉପସ୍ଥିତ ହେଲା ବେଳକୁ ଘଣ୍ଟା ୪ ବାଜିଲା । ଚାରିଟା ପରେ ମୁଁ ଆଉ ଶୋଇବି କ’ଣ । ସକାଳ ପର୍ଯ୍ୟନ୍ତ ବସି ରହିଲି । ସକାଳୁ ଉଠି ନିତ୍ୟକର୍ମ ସାରି, ଜଳଖିଆ କରି ମୁଁ ବସିଛି, ରଥେ ଆପଣେ ମତେ ବୁଲିଯିବାକୁ ଡାକିଲେ । ସକାଳ ସାତଟା ସମୟ ହେବ, ଉଭୟେ ବୁଲିବାକୁ ବାହାରିଲୁ ।

 

ଦଶପଲ୍ଲାରେ ଦୋଳମୁଣ୍ଡେଇ ନାମରେ ଗୋଟିଏ ଆମ୍ବତୋଟା ଅଛି । ଏହି ତୋଟାରେ ଦୋଳଯାତ୍ରା ହୁଏ । ଏହି ତୋଟା ମେଳିଆ କନ୍ଧଙ୍କର ଏକାଠି ହେବାର ଗୋଟିଏ ସ୍ଥାନ ଥିଲା । ରଥେ ଆପଣଙ୍କ ବସାଠାରୁ ତୋଟା ଏକ ମାଇଲ ବାଟ ହେବ । ରଥେ ଆପଣଙ୍କ ସହିତ ମୁଁ ତୋଟା ଆଡ଼କୁ ବୁଲିବାକୁ ବାହାରିଲି । ବାଟରେ ଗଲା ବେଳକୁ ଦେଖିଲି, ସଡ଼କ ଦୁଇ ପାଖରେ ଧାଡ଼ି ଧାଡ଼ି ହୋଇ କୁଡ଼ିଆଘର ତିଆରି ହୋଇଛି । ଏହି ଘର ଆଗ ପଛ ଦୁଇ ଆଡ଼େ ପୋଲିସ୍‌ ପହରା ଦେଉ ଅଛନ୍ତି । କୁଡ଼ିଆଘର ସବୁ ଲୋକାରଣ୍ୟ ହୋଇଥିଲା ପ୍ରାୟ ଜଣା ପଡ଼ୁଛି । କିନ୍ତୁ କୁଡ଼ିଆଘରମାନଙ୍କ ଭିତରେ ଲୋକ ବାସ କରିଥିଲା ଭଳି କୌଣସି ପ୍ରକାର ପାଟି ତୁଣ୍ଡ କିଛି ଶୁଣାଯାଉ ନାହିଁ । ଏହିସବୁ ଧାଡ଼ି ଧାଡ଼ି ଘରକୁ ଦେଖାଇ ରଥେ ଆପଣେ ମତେ କହିଲେ,‘‘ଗୋବିନ୍ଦ, ଏ ଘର ସବୁ କ’ଣ ବୁଝି ପାରୁଛୁ । ଏହି ଘର ଭିତରେ ମେଳିଆ କନ୍ଧ ଧରା ହୋଇ ବନ୍ଦୀ ହୋଇଅଛନ୍ତି । ଜେଲଖାନାରେ ଶହ ଶହ ଲୋକ ରହିବାର ସ୍ଥାନ ନାହିଁ । ଯେଉଁମାନେ ମେଳିଆ ସର୍ଦାର, ସେମାନେ ଜେଲ ଭିତରେ ଅଛନ୍ତି । ଯେଉଁମାନଙ୍କ ବିରୁଦ୍ଧରେ ବିଶେଷ କିଛି ପ୍ରମାଣ ଯୋଗ୍ୟ ଅଭିଯୋଗ ନାହିଁ, ସେମାନଙ୍କୁ ଏଠାରେ ଏହିପରି ରଖା ଯାଇଛି । ଏମାନଙ୍କ ବିଷୟ ତଦନ୍ତ କରି, ମୁଁ ପ୍ରତ୍ୟହ ଅନେକ କନ୍ଧଙ୍କୁ ଛାଡ଼ି ଦେଉଛି ।’’

 

ଏହିପରି ମର୍ମରେ ଦାମ ବାବୁ ମତେ କେତେକ କଥା କହି, ତା’ରପରେ ମତେ ବୈଷ୍ଣବ ଦେଓଙ୍କ ବିଷୟ ପଚାରିବାକୁ ଆରମ୍ଭ କଲେ । କଥାପ୍ରସଙ୍ଗରେ କହୁ କହୁ ମୁଁ କହି ପକାଇଲି, ‘‘ହଁ, ମୁଁ କେବେ କିପରି ଦେଓଙ୍କ ନିକଟକୁ ଯାଏ । ଦଶପଲ୍ଲାରୁ କନ୍ଧ ପ୍ରଜା ଦେଓଙ୍କ ନିକଟକୁ ଯିବା ଆସିବା କରିବାର ମଧ୍ୟ ମୁଁ ଦେଖିଛି । ମାତ୍ର ସେ କେତେବେଳେ କାହାକୁ କ’ଣ କହନ୍ତି, ଅବା କହିଥିବେ, ସେକଥା ମୋର କିଛି ମନେ ନାହିଁ ମୁଁ କ’ଣ କହିବି ?’’ ଏତିକି ମୋ ମୁହଁରୁ ଯେପରି ବାହାରି ପଡ଼ିଛି, ଦାମ ବାବୁ ସେପରି ଠିଆ ହୋଇ ହଠାତ୍ ମତେ ଧରି ପକାଇ କହିବାକୁ ଆରମ୍ଭ କଲେ, ‘‘ଗୋବିନ୍ଦ, ବାସ୍ତବିକ କଥା । ତୁ କେତେବେଳେ କ’ଣ ଶୁଣିଥିବୁ, ତାହା ମନେ ରହିବା ସହଜ ନୁହେଁ-। କିଛି ଅବା ମନେ ପଡ଼ନ୍ତା, କିନ୍ତୁ ତୁ କାଲିଠାରୁ ଘରକୁ ନ ଯାଇ ଥିବାରୁ ତୋର ମନ ଚଞ୍ଚଳ ହେଉଛି । ଏପରି ଅବସ୍ଥାରେ କିଛି ମନେ କରି କହିବା ବଡ଼ କଠିନ । ତୁ ଭଲ କରି ମନେ ପକାଇଲେ, ତୋର ନିଶ୍ଚୟ ମନେ ପଡ଼ିବ । ତୁ ଟିକିଏ ଘର ଆଡ଼େ ଯାଇ ବୁଲି ଆ । ଘର ଆଡ଼େ ବୁଲି ଆସିଲେ ତୋର ମନ ସ୍ଥିର ହୋଇଯିବ । ତୁ ଯାହା ମନେ କରିବୁ ତାହା ମନେପଡ଼ିବ । ସୁତରାଂ ତୁ ଇଲେ ଘରକୁ ଯା, ମାତ୍ର ୧୧ଟା ଭିତରେ ଫେରି ଆସିବୁ । ମୋ ବସାରେ ଆସି ଖାଇବୁ । ମୁଁ ତତେ ଚାହିଁ ବସିଛି, ଆସିଲେ ଦୁହେଁ ସାଙ୍ଗ ହୋଇ ଭୋଜନ କରିବା ।’’

 

ଏହିପରି କେତେକ କଥା କହି ଘରକୁ ଯିବାକୁ ମତେ ଛାଡ଼ି ଦେଲେ । ଦୋଳମୁଣ୍ଡେଇ ତୋଟାଆଡ଼େ ବୁଲିବାକୁ ଯାଇ ବାଟରେ ମୁଁ ଯାହା ଦେଖିଲି ତହିଁରେ ମୋର ହୃଦୟ ଥରି ଉଠିଲା । ଜେଲଖାନାର ଭୟ ପୂରା ମାତ୍ରାରେ ରହିଛି । ଦେଶପାଇଁ କାର୍ଯ୍ୟ କରି ଜେଲ ଯିବା ଜୀବନରେ ଗୋଟାଏ ଗୌରବ, ଏ ଭାବ ମୋର ନାହିଁ । ଦେଶରେ ମଧ୍ୟ ଏପରି ଭାବ ଫୁଟି ଉଠି ନାହିଁ । ଏହିପରି ଭାବରେ କେହି ଜେଲ ଖଟିବା କଥା ମଧ୍ୟ ମୁଁ କେବେ ଶୁଣି ନାହିଁ । ଦେଖିବା ତ ଦୂରର କଥା । ଏପରି ଅବସ୍ଥାରେ ଶହ ଶହ ଲୋକ ଧରା ହୋଇ ଏପରି ଭାବରେ ପଡ଼ି ଥିବାର ଦେଖିଲେ କାହାର ହୃଦୟ ଥରି ନ ଉଠିବ ! ଆଜି ମୋର ସନ୍ଦେହ ହେଉଛି, ମୋତେ ଭୟଭୀତ କରାଇବା ଉଦ୍ଦେଶ୍ୟରେ ବୋଧହୁଏ, ଏ ଦୃଶ୍ୟ ମତେ ଦେଖାଇ ଦିଆ ଯାଇଥିଲା । ସେ ଯାହା ହେଉ, ଘରକୁ ଯିବା ପାଇଁ ଛାଡ଼ ପାଇ ଦାମ ବାବୁଙ୍କୁ ଛାଡ଼ି ଗଡ଼ ଅଭିମୁଖରେ ମୁଁ ଯାତ୍ରା କଲି ।

 

ପୂର୍ବରୁ ଭୟ ମୋର ହୃଦୟକୁ ପୂର୍ଣ୍ଣ ମାତ୍ରାରେ ଅଧିକାର କରିଥାଏ । ମନେ କଲି ଗଡ଼ ଭିତରକୁ ଗଲେ, ବହୁତ କଥା ଜାଣି ପାରିବି ଏବଂ ବର୍ତ୍ତମାନ ଅବସ୍ଥାରେ ମୋର କ’ଣ କରିବା ଉଚିତ, ଏ ବିଷୟରେ କାହାରି ଠାରୁ କିଛି ପରାମର୍ଶ ଗ୍ରହଣ କରି ପାରିବି । ଏହି ଭାବନା ଧରି ଗଡ଼କୁ ଗଲି । ମାତ୍ର ଦେଖିଲି । ଗଡ଼ ଦାଣ୍ଡ ଗୋଟାଏ ଶ୍ମଶାନ ପରି ନିର୍ଜନ ଦିଶୁଛି । ସମସ୍ତଙ୍କର ତାଟି କବାଟ ପଡ଼ିଛି । ଗଡ଼ ବଡ଼ଦାଣ୍ଡ ଦୁଇ ସାହୀକୁ ଚାହିଁ ଦେଲା ବେଳକୁ ମନେ ହେଉଛି ସତେ ଯେପରି ଏହି ଘର ସବୁ ଜନଶୂନ୍ୟ । କେହି କୁଆଡ଼େ ନାହିଁ । ଅନ୍ଧାର ରାତିରେ ଏକାକୀ ନିର୍ଜ୍ଜନ ସ୍ଥାନରେ ଗଲେ ଯେପରି ମାଡ଼ି ପଡ଼ିଲା ପରି ଲାଗେ, ଗଡ଼ ଭିତରଟା ମତେ ଅବିକଳ ସେହିପରି ବୋଧ ହେଉଛି । ଯେଉଁ ଆଡ଼କୁ ଆଖି ପକାଉଛି, ଚାରିଆଡ଼ ନିଛାଟିଆ ।

 

ସତେ କ’ଣ ଗଡ଼ରେ କେହି ଲୋକ ନାହାନ୍ତି ! ଲୋକ ଅଛନ୍ତି । ମାତ୍ର ମତେ ଦେଖି ସମସ୍ତେ ଲୁଚି ଯାଇଛନ୍ତି । ମତେ ଦେଖା ଦେବାକୁ ଏବଂ ମୋ ସହିତ କଥା ହେବାକୁ ସମସ୍ତଙ୍କର ପ୍ରାଣରେ ଭୟ । ମୋ ସହିତ କଥା ହେଉଥିବାର ଜଣା ପଡ଼ିଲେ, ଧରିନେଇ ଜେଲରେ ପୂରାଇ ମାଡ଼ ଦେବେ, ଏହି ଭୟରେ କେହି ଘରୁ ବାହାରିବାକୁ ନାରାଜ । ଏ ଦୃଶ୍ୟ ଦେଖି ମୁଁ ଆହୁରି ଭୀତ ହୋଇଗଲି । ଘରେ ଯାଇ ପହୁଞ୍ଚିଲି । ଘରେ ପହୁଞ୍ଚିଲା ମାତ୍ରକେ, କେତେଜଣ ଆମର ସାହୀ ପଡ଼ିଶା ଲୁଚି ବାଡ଼ିବାଟେ ଆସି ଆମ୍ଭ ଘରେ ହାଜର ହେଲେ । ମୁଁ ଘରକୁ ଆସି ଭାରୀ ଭୁଲ କରିଛି, ଏହି କଥା ସମସ୍ତଙ୍କ ମୁହଁରୁ ଆଗ ଶୁଣିଲି । ତା ପରେ, ଗଡ଼ର କିଏ ସବୁ କିପରି ମେଳିଆ ବୋଲି ଧରା ହୋଇ ଜେଲରେ ଅଛନ୍ତି, କିପରି ପ୍ରତିଦିନ ବିଶ୍ୱାଳେ ନିଜେ ଉପସ୍ଥିତ ହୋଇ ସେମାନଙ୍କୁ ମାଡ଼ ଦେଉ ଅଛନ୍ତି, କନ୍ଧ ଗ୍ରାମ କିପରି ଜଳାଇ ଦିଆ ଯାଉଛି, ଗ୍ରାମ ସବୁ କିପରି ଲୁଟ କରାଇ ଦିଆ ଯାଉଛି, ମତେ ଧରିବାକୁ କିପରି କେତେ ଦିନରୁ ଚେଷ୍ଟା ଚାଲିଛି, ଇତ୍ୟାଦି ସମ୍ବାଦ ଶୁଣିବାକୁ ପାଇଲି । ଏହିସବୁ ଶୁଣୁ ଶୁଣୁ ମୋର ହୃଦୟ ଭୟ ଓ କ୍ରୋଧରେ ଥରି ଉଠିଲା । ମୁଁ ଆଉ ଘରେ ରହିବି କ’ଣ ? ଶୀଘ୍ର ଘର ଛାଡ଼ି ପଳାଇବାକୁ ମତେ ସମସ୍ତେ ପରାମର୍ଶ ଦେଲେ । ଆହୁରି ମଧ୍ୟ ଶୁଣିଲି, ମୋର ଧରାହେବା ସମ୍ବାଦ ସମସ୍ତେ କାଲିଠାରୁ ଶୁଣିଲେଣି । ସମସ୍ତେ ମୋ ପାଇଁ ଦୁଃଖିତ-। କିନ୍ତୁ ଭୟରେ ମୋ ସହିତ କେହି ଦେଖା କରୁ ନାହାନ୍ତି । ମୋ ବୁଦ୍ଧି ବଳରେ ଯଦି ଖସି ଯିବାକୁ କିଛି ଉପାୟ ମୁଁ କରେ ତେବେ ରକ୍ଷା, ନଚେତ୍ ଅନ୍ୟ କେହି କିଛି କରି ପାରିବେ ନାହିଁ, ଏପରି କି ପଦେ କଥା ମଧ୍ୟ କହିବାକୁ କେହି ଠିଆ ହେବେ ନାହିଁ ।

 

ଏ ସବୁ ଶୁଣି ଏବଂ ଦେଖି ତତ୍‌କ୍ଷଣାତ୍ ମୁଁ ଘରୁ ବିଦାୟ ନେଲି । ବେଶୀ ସମୟ ଘରେ ରହିଲେ, ମୋ ସହିତ ଯେଉଁମାନେ ଏପରି ଲୁଚି କରି ଆସି କଥା ହେଲେ, ସେମାନଙ୍କୁ କେହି ସନ୍ଦେହ କରି ଧରି ପାରେ, ଏହି ଭୟ ମଧ୍ୟ ମନକୁ ଅସ୍ଥିର କଲା । ମୁଁ ହଠାତ୍ ଘରୁ ବାହାରି ଦାମବାବୁଙ୍କ ବସାରେ ହାଜର ହେଲି । ମତେ ଶୀଘ୍ର ଫେରି ଆସିବାର ଦେଖି ଦାମବାବୁ ଖୁସି ହୋଇଗଲେ । ଦୁହେଁ ଏକାଠି ଭୋଜନ କଲୁ । ଭୋଜନ ପରେ, ନାନା ଉପାୟରେ ନାନା ଲୋକ ଲଗାଇ ମତେ ବୈଷ୍ଣବ ଦେଓ ଓ ମେଳିଆ କନ୍ଧମାନଙ୍କ ବିରୁଦ୍ଧରେ ପ୍ରଧାନ ସାକ୍ଷୀ ରୂପେ ଠିଆ କରାଇବା ଉଦ୍ଦେଶ୍ୟରେ ପ୍ରଭାବିତ କରାଇବାର ଚେଷ୍ଟା ଚାଲିଲା । ସାକ୍ଷୀ ହୋଇ ଠିଆ ହେଲେ ମୋର କିପରି କ’ଣ ମଙ୍ଗଳ ହେବ ସେକଥା କୁହାଗଲା । ସାକ୍ଷ୍ୟ ନ ଦେଲେ ମୋର ଅବସ୍ଥା କ’ଣ ହେବ ତାହା ମଧ୍ୟ କେହି ମତେ ଭୟତ୍ରସ୍ତ କରାଇବାରେ କିଛି ତ୍ରୁଟି ରହିଲା ନାହିଁ । କିନ୍ତୁ ଏ ସବୁରେ ଦାମବାବୁ ପ୍ରତ୍ୟକ୍ଷ ଭାବରେ ମତେ କିଛି କହୁ ନ ଥାନ୍ତି । ସେ ମତେ ଯାହା କହୁଥାନ୍ତି, ତହିଁରେ ସେ ମୋର ଅବସ୍ଥାକୁ ବିଚାର କରି ଜଣେ ମୋର ହିତାକାଙ୍କ୍ଷୀ ଭାବରେ କଥା କହିଲା ଭଳି ସବୁବେଳେ କଥା କହୁଥାନ୍ତି । ଏ ସମସ୍ତ ଚେଷ୍ଟାରେ ମୁଁ ନ ଭୁଲିବାର ଦେଖି ଦିନ ୪ଟାରେ ଜେଲଖାନାରୁ ଦୁଇଟି ମେଳିଆ କନ୍ଧ ଡକରା ହୋଇ ଆସିଲେ । ମତେ ଦେଖାଇ କନ୍ଧ ଦୁଇଟିଙ୍କୁ ଦାମବାବୁ ପଚାରିଲେ, ‘‘କି ରେ, ତୁମେ ଏ ବାବୁଙ୍କୁ ଚିହ୍ନ ?’’ ଏହାର ଜବାବରେ ଉକ୍ତ କନ୍ଧ ଦୁଇଟି କହିଲେ, ‘‘ହଁ ମ, ଆମେ ଆକୁ ଜାଣୁ । ଏହାର ଘର ଗଡ଼ରେ । ଏ କଟକରେ ପାଠ ପଢୁଛି । ବାବୁଙ୍କୁ ମାରିବାକୁ ଇଏ ଆମକୁ ଶିଖାଇଲା । ଇଏ ଶିଖାଇ ନ ଥିଲେ ଆମେ କ’ଣ ମେଳି କରିଥାନ୍ତୁ ?’’ ତାପରେ ଦାମବାବୁ ପୁଣି ସେମାନଙ୍କୁ ସତ କଥା କହିବାକୁ ତାକିଦ କରି ପଚାରିଲା ପରି ପଚାରିଲେ । ସେମାନେ ପୁଣି କହିଲେ, ‘‘ଆମେ ସତ ନ କହି କ’ଣ ମିଛ କହୁଛୁ । ଏଇ ତ ଆମକୁ ମତେଇ ଦେଲା । ବାବୁଙ୍କୁ ମାରି ଦବାକୁ ଶିଖେଇଲା । ଇଏ ଶିଖେଇ ନ ଥିଲେ, ଆମ୍ଭେ କ’ଣ କେଭେ ମେଳି କରିଥାନ୍ତୁ ।’’

 

କନ୍ଧ ଦୁଇଟି ଏହିପରି ମୋ ଆଗରେ ମତେ ଚାହିଁ କହିଗଲେ । ଏତକ କହିଲା ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଗଲା । ମୁଁ ମୂକ ପରି ଠିଆ ହୋଇ ରହିଲି । ଦାମବାବୁ ମତେ କହିଲେ, ‘‘ଗୋବିନ୍ଦ, ବର୍ତ୍ତମାନ ତୋର କ’ଣ କହିବାର ଅଛି କହ । ତୁ ଏହିକ୍ଷଣି ଜେଲଖାନା ଭିତରକୁ ଯିବୁ । ମୋର ଆଉ କିଛି ହାତ ନାହିଁ । ମୋ ହାତରୁ ଖସିଗଲେ ତୁ ଆଉ ରକ୍ଷା ପାଇ ନ ପାରୁ । ମୁଁ ତତେ ଯେତେ ବୁଝାଇଲି ତୁ ମୋ କଥା ଶୁଣିଲୁ ନାହିଁ । ତୋର ଦଶା କ’ଣ ହେବ, ତୁ ଟିକିଏ ବିଚାର କରି ଦେଖ୍ । ଏହି କନ୍ଧ ଦୁଇଟି ଯାହା କହିଲେ ସେ ସବୁ ମୁଁ ତୋ ବିରୁଦ୍ଧରେ ନୋଟ କଲି । ମତେ ଆଉ ଦୋଷ ଦେବୁ ନାହିଁ ।’’

 

ମୁଁ କ’ଣ ଉତ୍ତର ଦେବି କିଛି ଭାବି ପାରିଲି ନାହିଁ । ମୋର ପାଟି ଫିଟିଲା ନାହିଁ । ମତେ ଚାରିଆଡ଼ ଅନ୍ଧକାର ଦେଖାଗଲା । ଆଖିବାଟେ ଜଳୁଜୁଳିଆ ପୋକ ଉଡ଼ିଗଲା ପରି ମତେ ଜଣା ପଡ଼ିଲା । ମୁଁ ଠିଆ ହୋଇ ନ ପାରି ହଠାତ୍ ବସି ପଡ଼ି କାନ୍ଦି ପକାଇଲି । ଦାମବାବୁ ମତେ ଆଉ କିଛି ନ କହି, ଖାତା କଲମ ବାହାର କଲେ କନ୍ଧ ଦୁଇଟିର ଉକ୍ତ କଥାକୁ ମୋ ବିରୁଦ୍ଧରେ ଲେଖିବାକୁ-। ମୁଁ ଦେଖିଲି, ଯାହା କରିବାକୁ ହେବ ଅବା କହିବାକୁ ହେବ, ତହିଁରେ ଆଉ କାଳ ବିଳମ୍ବ କଲେ ଚଳିବ ନାହିଁ । ମୁଁ ହଠାତ୍ ଏପରି ସଂକଟାପନ୍ନ ହେବି ବୋଲି ଜାଣିଥିଲେ ମଧ୍ୟ ଏହାର ଭୀଷଣତା ଉପଲବ୍ଧି କରି ପାରି ନ ଥିଲି । ବର୍ତ୍ତମାନ ପରିଣାମ କ’ଣ ହେବ ତାହା ବୁଝି ପାରିଲି । ହୃଦୟଙ୍ଗମ ମଧ୍ୟ କରି ପାରିଲି । ଏଣେ ଜେଲ ଭିତରକୁ ମତେ ନେବାକୁ ପୋଲିସ ମଧ୍ୟ ଠିଆ ହୋଇଛି । ଏପରି ସମୟରେ ମତେ ଦେଖାଗଲା, କୌଣସି ଉପାୟରେ ମୁଁ ଇଲେ ନିଜକୁ ରକ୍ଷା ନ କଲେ ଆଉ ଉଦ୍ଧାର ପାଇବାର ବାଟ ନାହିଁ । ‘‘ଅଶ୍ୱତ୍ଥାମା ହତ, ନରେ ବା ଗୁଞ୍ଜରେ ବା’’ ଏହି ନୀତି ଏଠାରେ ପ୍ରୟୋଗ କରିବି, ଏହା ଭାବି ମୁଁ ହଠାତ୍ କହିଲି, ‘‘ହଁ ମୁଁ ଜାଣେ, କହିବି ।’’

 

‘‘ହଁ ମୁଁ ଜାଣେ କହିବି ।’’ ଏହି ବାକ୍ୟଟି ମୁଁ କହିଲାବେଳେ ମତେ ବୋଧ ହେଲା ସତେ ଯେପରି ମୋ ଦେହରୁ ଗୋଟାଏ ରକ୍ତ ଧାର ବୋହି ଯାଉଛି । ଏହି ବାକ୍ୟଟି ବାୟୁ ତରଙ୍ଗରେ ତାଳ ପକାଇ ପ୍ରତିଧ୍ୱନିତ ହେଲା ପରି ମତେ ଶୁଣା ଯାଉଛି । ‘‘ହଁ, ମୁଁ କହିବି ।’’ ଏହି ପ୍ରତିଧ୍ୱନି ପୁଣି ବାୟୁ ଲହରୀରେ ଭାସି ଯାଇ ମେଳିଆ ବୋଲି ବନ୍ଦୀ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିକୁ କହି ଯାଉଛି ‘‘ହଁ, ମୁଁ କହିବି ।’’ ଏହି ବାକ୍ୟ ଶୁଣି ବନ୍ଦୀ ଚମକି ପଡ଼ି ମୋ ଆଡ଼କୁ ଚାହିଁ କହୁଛି, ‘‘ତୁ କହିବୁ, ହଉ କହ ।’’ ଏହି ପ୍ରକାର ଚିତ୍ର ମୋ ଆଗରେ ଖେଳି ଯାଉଛି । ଏହି ପ୍ରକାର ଧ୍ୱନି ମୋର କର୍ଣ୍ଣ କୁହରରେ ନିନାଦିତ ହୋଇ ଉଠୁଛି । ମୁଁ ନୀରବ ଓ ନିସ୍ପନ୍ଦ ହୋଇ ଠିଆ ହୋଇଛି । ମୋଠାରୁ ଏହି ବାକ୍ୟ ଶୁଣି ରଥେ ଆପଣେ, କଲମ ଛାଡ଼ି ଦେଇ ମତେ ଆସି ଧରି ମତେ ଭୁଲାଇଲା ଭଳି କେତେ କ’ଣ କହି ଯାଉଥାନ୍ତି । ଏହିପରି ଅବସ୍ଥାରେ ମୁଁ ଭାବୁଥାଏ ମତେ ପ୍ରକୃତିସ୍ଥ ହେବାକୁ ହେବ । କୌଶଳରେ ଏମାନଙ୍କ ହାତରୁ ଖସିବାକୁ ହେବ । ଭାବ-ତରଙ୍ଗରେ ବିହ୍ୱଳିତ ହେଲେ ଚଳିବ ନାହିଁ । ଏମାନେ ମତେ ବିଶ୍ୱାସ କଲା ଭଳି, ମୋର ଭାବଭଙ୍ଗୀ ହେବା ଦରକାର । ଏହିପରି ଭାବି, ମୁଁ ହସିକରି କହିଲି, ‘‘ଆପଣ କିଛି ସନ୍ଦେହ କରନ୍ତୁ ନାହିଁ, ମୁଁ ନିଶ୍ଚୟ କହିବି । ଆପଣ ଯାହା କହିବାକୁ କହିବେ ତାହା କହିବି । ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।’’

 

ମୋଠାରୁ ଏହିପରି ପ୍ରତିଶ୍ରୁତି ପାଇ ରଥେ ଆପଣେ ମତେ ଧରି ବିଶ୍ୱାଳଙ୍କ ବସାକୁ ବାହାରିଲେ । ଉଭୟେ ଯାଇ ବିଶ୍ୱାଳଙ୍କ ବସାରେ ଉପସ୍ଥିତ ହେଲୁ । ମତେ ବାହାର ବୈଠକଖାନାରେ ବସାଇ ରଥେ ଆପଣେ ବିଶ୍ୱାଳଙ୍କ ଘର ଭିତରକୁ ଗଲେ । କିଛି ସମୟ ପରେ ଦୁହେଁ ସାଥି ହୋଇ ଆସିବାରୁ ବିଶ୍ୱାଳେ ଆସି ମୋ କାନ୍ଧରେ ହାତ ପକାଇ ଇଂରେଜୀରେ କହିଲେ, ‘‘Govind ! you see, I shall never forget your services. On my part I promise, upon God, that I shall make you a man.’’

 

ଅର୍ଥାତ୍-‘‘ଗୋବିନ୍ଦ, ତୁମେ ଦେଖ, ତୁମ୍ଭର ଏହି ସାହାଯ୍ୟ ମୁଁ କଦାପି ଭୁଲି ଯିବି ନାହିଁ । ଭଗବାନଙ୍କ ନାମରେ ମୁଁ ଶପଥ କରି ପ୍ରତିଜ୍ଞା କରୁଛି, ମୁଁ ତୁମ୍ଭଙ୍କୁ ଜଣେ ମନୁଷ୍ୟ କରି ଦେବି ।’’ I shall make you a man, ଅର୍ଥାତ୍ ମୁଁ ତୁମଙ୍କୁ ଜଣେ ମନୁଷ୍ୟ କରି ଦେବି ।’’ ଏହି ବାକ୍ୟଟି ଭାବଗ୍ରାହୀ ବାବୁ ତିନିଥର କରି ଉଚ୍ଚାରଣ କରି ତାଙ୍କର ଦୁଇ ହାତ ମୋର ଦୁଇ କାନ୍ଧରେ ପକାଇ ମତେ ଚାହିଁ ରହିଲେ । ତାଙ୍କର କଥା ଶୁଣି ଏବଂ ତାହାଙ୍କ ମୁହଁକୁ ଚାହିଁ ମୋର ମନ ଭୁଲିଗଲା । ମନ୍ତ୍ରମୁଗ୍ଧ ହେଲା ପରି ମୁଁ ସବୁ ଭୁଲି ଗଲି । ଭାବଗ୍ରାହୀ ବାବୁଙ୍କ ପ୍ରତି ମୋର ହୃଦୟରେ ସ୍ନେହ ଓ ଭକ୍ତିଭାବ ଟିକିଏ କାହିଁକି ଜାଗି ଉଠିଲା । ତାହାଙ୍କୁ ଚାହିଁ ଦେଲେ ମୋର ମନେ ହେଲା, ସତେ ଯେପରି ସେ ଜଣେ ମୋର ଆତ୍ମୀୟ ଲୋକ ।

 

ଭାବଗ୍ରାହୀ ବାବୁ ଦଶପଲ୍ଲାକୁ ଆସିବାର ସେତବେଳକୁ ଦଶବାର ବର୍ଷ ହେବ । ଏହି କେତେକ ବର୍ଷ ଭିତରେ ଦଶପଲ୍ଲାର ବହୁ ପରିବର୍ତ୍ତନ ଘଟିଅଛି । ଭୟରେ ହେଉ ଅବା ଭକ୍ତିରେ ହେଉ, ଦଶପଲ୍ଲାର ପ୍ରତ୍ୟେକ ପ୍ରଜା ଭାବଗ୍ରାହୀ ବାବୁଙ୍କ ଅନୁଗ୍ରହ ଲାଭ କରିବା ପାଇଁ ଲାଳାୟିତ । ଦଶପଲ୍ଲାର ଜଳବାୟୁ, ବୃକ୍ଷଲତା, ବନ ପାହାଡ଼ ସର୍ବତ୍ର ଭାବଗ୍ରାହୀ ବାବୁଙ୍କର ନାମ ଝଙ୍କାରିତ । ବନ ଜଙ୍ଗଲର ଜୀବଜନ୍ତୁ ମଧ୍ୟ ତାହାଙ୍କ ନାମରେ ସଂଶକିତ ଏକଥା କହିଲେ କଦାପି ବାହୁଲ୍ୟ ହେବ ନାହିଁ । ଦଶପଲ୍ଲା ରାଜ୍ୟରେ ଏପରି କେହି ବ୍ୟକ୍ତି ନାହିଁ ଯେ କି ପ୍ରତ୍ୟହ ପ୍ରତି କାର୍ଯ୍ୟରେ ଭାବଗ୍ରାହୀ ବାବୁଙ୍କର ପ୍ରଭାବକୁ ଓ କ୍ଷମତାକୁ କୌଣସି ନା କୌଣସି ଉପାୟରେ ହେଲେ, ପ୍ରତ୍ୟକ୍ଷ ଅନୁଭବ ନ କରେ । ସୁଖରେ ଦୁଃଖରେ, ମୌଜ ମଜଲିସରେ, ଘରେ ବାହାରେ, ଗ୍ରାମରେ ଏବଂ ବନ ଜଙ୍ଗଲ ପାହାଡ଼ରେ ମଧ୍ୟ ସର୍ବତ୍ର ଭାବଗ୍ରାହୀ ବାବୁଙ୍କର ଶାସନର ପ୍ରଭାବ ସମସ୍ତଙ୍କୁ ପ୍ରଭାବିତ କରେ । ଦଶପଲ୍ଲା କହିଲେ ଭାବଗ୍ରାହୀ ବିଶ୍ୱାଳ । ଏପରି ଅବସ୍ଥାରେ, ତାହାଙ୍କ ପ୍ରତିଶ୍ରୁତି, ପ୍ରତିଜ୍ଞାବଦ୍ଧ ଅନୁଗ୍ରହ ଓ ଅଭୟବାଣୀ ପାଇଲେ ମନ ଟିକିଏ ତାହାଙ୍କ ଆଡ଼କୁ ଟାଣି ହୋଇଯିବା ଦେଶର ସେତେବେଳ ସମୟରେ, ଯେକୌଣସି ମନୁଷ୍ୟ ପକ୍ଷରେ ସ୍ୱାଭାବିକ ବୋଲି ମୋର ମନେ ହୁଏ । ମୋର କଥା ପୁଣି ଅଲଗା । ଅତି ବାଲ୍ୟ କାଳରୁ ମୋର ଦୁଃଖ ଅସୀମ । ସ୍ନେହ ସହାନୁଭୂତି କ’ଣ ମୁଁ କିଛି ଜାଣି ନାହିଁ । ପିଲାଦିନୁ ଭାବଗ୍ରାହୀ ବାବୁଙ୍କୁ ଭାରୀ ବଡ଼ ମଣିଷ ବୋଲି ଭାବି ଆସିଛି । ବେଳେ ବେଳେ ତାହାଙ୍କ ଅନୁଗ୍ରହ ପାଇବାକୁ ଆକାଙ୍କ୍ଷିତ ହୋଇଅଛି । ଏପରି ଅବସ୍ଥାରେ ସେ ମୋ କାନ୍ଧ ଉପରେ ହାତ ପକାଇ ମୁଁ ଜଣେ ଯେପରି ବଡ଼ ମଣିଷ ହୋଇ ପାରିବି, ସେଥିପାଇଁ ସର୍ବପ୍ରକାର ସାହାଯ୍ୟ କରିବାକୁ ସେ ଶପଥ କରି ପ୍ରତିଜ୍ଞା କରୁ ଅଛନ୍ତି । ତାହାଙ୍କ ପ୍ରତିଜ୍ଞା ସେ ପାଳନ କରିବେ, ତହିଁରେ ମୋର ମଧ୍ୟ ପୂର୍ଣ୍ଣ ବିଶ୍ୱାସ ଜନ୍ମ ଯାଉଛି । ଏପରି ଅବସ୍ଥାରେ ତାହାଙ୍କ କଥାରେ ଭୁଲି ତାହାଙ୍କୁ ଜଣେ ମୁଁ ମୋର ନିଜର ବ୍ୟକ୍ତି ବୋଲି ହଠାତ୍ ଭାବିନେବାରେ ବୈଚିତ୍ର୍ୟ କ’ଣ ଅଛି ?

 

ସେ ଯାହା ହେଉ ମୁଁ ଭାବଗ୍ରାହୀ ବାବୁଙ୍କ ହାତ ଦୁଇଟି ମୋ କାନ୍ଧରୁ ଟାଣି ଧରି କହିଲି, ‘‘ଆପଣ ନିଶ୍ଚିନ୍ତ ରହନ୍ତୁ, ମୁଁ ନିଶ୍ଚୟ କହିବି । ସାକ୍ଷ୍ୟ ଦେବି । ମୋର ମଧ୍ୟ ଏହା ଅଟଳ ପ୍ରତିଜ୍ଞା ।’’ ଏହା କହୁ କହୁ ମୋ ଆଖି ଛଳ ଛଳ ହୋଇଗଲା ଏବଂ କଣ୍ଠ ମୋର ରୁଦ୍ଧ ହୋଇ ଆସିଲା । ଆଉ କିଛି ଅବା କହିଥାନ୍ତି କିନ୍ତୁ ମୁହଁରୁ କଥା ବାହାରିଲା ନାହିଁ । ମୋର କଥା ଓ ଭାବଭଙ୍ଗୀ ଦେଖି ଦାମବାବୁ ଓ ଭାବଗ୍ରାହୀ ବାବୁ ଉଭୟଙ୍କର ବିଶ୍ୱାସ ଜନ୍ମିଗଲା । ମୁଁ ବର୍ତ୍ତମାନ ଗୋଟାଯାକ ତାଙ୍କର ଏହା ସେମାନଙ୍କର ଦୃଢ଼ ବିଶ୍ୱାସ ହେଲା । ମୋର ଉପସ୍ଥିତ ଦଶପଲ୍ଲା ଖର୍ଚ୍ଚ ପାଇଁ ଭାବଗ୍ରାହୀ ବାବୁ ଦଶଟି ଟଙ୍କା ଦେଇ ମତେ ଛାଡ଼ି ଦେଲେ । ବନ୍ଧନରୁ ମୁଁ ମୁକ୍ତ ହେଲି । ଦାମବାବୁଙ୍କ ବସା ଛାଡ଼ି ବର୍ତ୍ତମାନ ମୁଁ ଆସି ଘରେ ଉପସ୍ଥିତ ।

 

ଘରେ ପହୁଞ୍ଚି ମୁଁ ଟିକିଏ ନିଶ୍ୱାସ ମାରିବାକୁ ଅବସର ପାଇଲି । କ’ଣ ଘଟିଗଲା ସେ କଥା ଚିନ୍ତା କରିବାକୁ ସମୟ ନାହିଁ । ମୁଁ କିପରି ଏମାନଙ୍କ କବଳରୁ ଖସି ଆସିଛି ତହିଁର ରହସ୍ୟ କାହାରିକୁ ଅଛପା ରହିଲା ନାହିଁ । କିଏ କହିଲା, ଭଲ କରିଛୁ, କିଏ କହିଲା, ଭଲ ହେଲା ନାହିଁ । କିନ୍ତୁ ବର୍ତ୍ତମାନ ମୋ ସହିତ ମିଳାମିଶା କରିବାକୁ ଆଉ କାହାରି ଡର ରହିଲା ନାହିଁ । ସମସ୍ତେ ଜାଣିବାକୁ ମୁଁ ବର୍ତ୍ତମାନ ଜଣେ ଭାବଗ୍ରାହୀ ବିଶ୍ୱାଳଙ୍କ ତରଫ ଲୋକ । ଏହା ଜାଣି କେତେ ଲୋକ ସେମାନଙ୍କ ଦୁଃଖର କାହାଣୀ ନେଇ ମୋ ନିକଟରେ ଉପସ୍ଥିତ । ସେମାନଙ୍କ ଆଶା, ମୁଁ ବିଶ୍ୱାଳଙ୍କୁ କହି ସେମାନଙ୍କ ଦୁଃଖର କାରଣ କେତେକ ମୋଚନ କରି ପାରିବି । ସେମାନଙ୍କ ବିଶ୍ୱାସ, ମୁଁ ଯାହା କହିବି ତାହା ବିଶ୍ୱାଳେ ନିଶ୍ଚୟ ଶୁଣିବେ । ସେମାନଙ୍କ ବିଶ୍ୱାସ ମଧ୍ୟ ଅଯଥା ନୁହେଁ । ବାସ୍ତବରେ ମୁଁ ବିଶ୍ୱାଳଙ୍କୁ କହି ଗଡ଼ର କେତେ ଲୋକଙ୍କୁ ଖଲାସ କରାଇ ଦେଲି । ମୋର ଅନୁରୋଧରେ ଗଡ଼ରୁ ଧରା ହୋଇଥିବା କେତେକ ଲୋକ ମୁକ୍ତି ପାଇଲେ । ବୈଷ୍ଣବ ଶତପଥୀ ନାମରେ ମୋର ନିଜର ମାମୁ ମେଳିଆ ବୋଲି ପୋଲିସ୍‌ ସନ୍ଦେହରେ ପଡ଼ି ପ୍ରତିଦିନ ଥାନାକୁ ଯାଇ ହାଜର ଦେବା ଆଦି ନାନା ପ୍ରକାର ଦୁଃଖ ଯନ୍ତ୍ରଣା ଭୋଗ କରୁଥାନ୍ତି । ମୋର ଅନୁରୋଧରେ ତାହାଙ୍କୁ ସେଥିରୁ ମୁକ୍ତି ଦିଆଗଲା । ଏହିପରି ଭାବରେ ମୁଁ ମଧ୍ୟ ଦଶପଲ୍ଲା ଗଡ଼ବାସୀଙ୍କ ମଧ୍ୟରୁ କାହାରି କାହାରିକୁ ସାହାଯ୍ୟ କରିଥିଲି । ବିଦ୍ୟାଧର ପଢ଼ା ଛାଡ଼ି ବର୍ତ୍ତମାନ ଘରେ ଉପସ୍ଥିତ । ଗଡ଼ ମି: ଇ: ସ୍କୁଲର ସେକେଣ୍ଡ ପଣ୍ଡିତ କାର୍ଯ୍ୟ ଖାଲି ଥାଏ । ବିଦ୍ୟାଧରକୁ ମୁଁ ସେହି ଚାକିରୀ ଖଣ୍ଡିକ କରାଇ ଦେଲି । ମୋର ଇଚ୍ଛା, ବିଦ୍ୟାଧର କିଛି ରୋଜଗାର କରି ଘର ଚଳାଚଳ କଲେ ମୁଁ ଟିକିଏ ନିଶ୍ଚିନ୍ତ ହେବି । ସୁଖ ଶାନ୍ତିରେ କଟକରେ ପଢ଼ି ପାରିବି । ଏହି ଇଚ୍ଛା ବହୁଦିନୁ ଥାଏ । ବର୍ତ୍ତମାନ ତହିଁର ସୁବିଧା ମିଳିଯିବାରୁ ମୋର ଇଚ୍ଛାନୁସାରେ ବିଦ୍ୟାଧରର ପଢ଼ା ବନ୍ଦ କରାଇ ତାହାକୁ ଗଡ଼ ସ୍କୁଲରେ ସେକେଣ୍ଡ ପଣ୍ଡିତ ପଦରେ ରଖାଇ ଦେଲି । ଗଡ଼ରେ ଦୁଇ ଚାରିଦିନ ରହିଛି କି ନାହିଁ, ଏହି ଅଳ୍ପ ସମୟ ମଧ୍ୟରେ ମୁଁ ଏହିସବୁ କାର୍ଯ୍ୟ କରାଇ ନେଲି । ଏହି ଅବସରରେ ମଧ୍ୟ ଦଶପଲ୍ଲା ଅତ୍ୟାଚାର ବିବରଣୀ ବହୁତ ଶୁଣିବାକୁ ପାଇଲି । ମୁଁ ଯେଉଁ ଉଦ୍ଦେଶ୍ୟରେ କଟକ ଛାଡ଼ି ଆସିଥିଲି, ସେଥି ନିମିତ୍ତ କାର୍ଯ୍ୟ କରିବା ମତେ ବର୍ତ୍ତମାନ ଅବସ୍ଥାରେ ସୁବିଧାଜନକ ମନେ ହେଲା ନାହିଁ । ପ୍ରଥମତଃ କନ୍ଧଗ୍ରାମ ସବୁ ଗଡ଼ଠାରୁ ବହୁଦୂର । ଘୋର ଜଙ୍ଗଲ ପାହାଡ଼ ଅତିକ୍ରମ ନ କଲେ କନ୍ଧଗ୍ରାମକୁ ଯିବା ସହଜ ନୁହେଁ । ଦଶପଲ୍ଲାର ବାୟୁମଣ୍ଡଳ ଯେପରି ତହିଁରେ ଏତେଦୂର ଯାଇ କୌଣସି ବିଷୟ ଅନୁସନ୍ଧାନ କରିବାକୁ ହେଲେ, ତାହା ବିଶ୍ୱାଳଙ୍କୁ କଦାପି ଅଗୋଚର ରହି ନ ପାରେ । ସୁତରାଂ ମୁଁ ଯାଉଛି କିପରି ? କନ୍ଧଗ୍ରାମକୁ ଯାଇ କୌଣସି ବିଷୟ କୌଣସି ପ୍ରକାରେ ଅନୁସନ୍ଧାନ କରିବା ଏକାବେଳକେ ଆପଦପୂର୍ଣ୍ଣ । ଯେ ଏହା କରିବ ସେ ବିଶ୍ୱାଳଙ୍କ କୋପାନଳରେ ପଡ଼ି ଭସ୍ମ ହେବାର ପୂର୍ଣ୍ଣ ସମ୍ଭାବନା । ମୁଁ ତ ବର୍ତ୍ତମାନ ତାଙ୍କ ଲୋକ ବୋଲି ସେ ଜାଣନ୍ତି । ମୋର ମନ ମଧ୍ୟ ତାଙ୍କ ଆଡ଼କୁ ଢଳି ପଡ଼ିଛି । କଟକ ଯାଇ ମୁଁ ମୋର ବନ୍ଧୁମାନଙ୍କ ସହିତ ପରାମର୍ଶ ନ କରିବା ପର୍ଯ୍ୟନ୍ତ ଅନ୍ୟ କିଛି ଚିନ୍ତା ମୁଁ କଳ୍ପନା କରି ପାରୁ ନାହିଁ । ଏହିପରି ନାନା କାରଣରୁ ମୁଁ ଯେଉଁ ଉଦ୍ଦେଶ୍ୟ ନେଇ କଟକରୁ ଆସିଥିଲି ତାହାକୁ ଭୁଲି ଯାଉଥାଏ । ଭୁଲି ଯିବାକୁ ବାଧ୍ୟ ହେଉଥାଏ ।

 

ଏହିପରି ଭାବରେ ଦଶପଲ୍ଲାରେ ଅଛି, କଥା ହେଲା, ମୁଁ କଟକ ଯାଇ ସ୍କୁଲରେ ଯୋଗ ଦେବି । ସାକ୍ଷୀ ଦେବାର ସମୟ ଉପସ୍ଥିତ ହେଲେ, ମତେ ଡକାଇଲେ ମୁଁ ଆସି ଉପସ୍ଥିତ ହେବି । ଏହା ସ୍ଥିର ହୋଇ ମୁଁ କଟକ ଯିବାକୁ ଉଦ୍ୟତ ହେଉଛି, ବିଶ୍ୱାଳେ ମତେ ଡକାଇ କହିଲେ ଯେ, ମତେ ନୟାଗଡ଼ ଯିବାକୁ ହେବ । ସେଠାରେ ପଲିଟିକେଲ ଏଜେଣ୍ଟ ଅଛନ୍ତି । ସେ ମତେ ଦେଖିବାକୁ ଚାହାନ୍ତି । ଏହାପରେ ଭାବଗ୍ରାହୀ ବାବୁ, ଦାମ ବାବୁ ଓ ମୁଁ ସମସ୍ତେ ନୟାଗଡ଼ ଆସିଲୁ । ନୟାଗଡ଼ କୁସୁମୀ ନଦୀ ପୋଲ ପ୍ରତିଷ୍ଠା ହେବାର ଥାଏ । ଏହି ପୋଲ ଉଦ୍‌ଘାଟନ କ୍ରିୟା ନିଜେ ରାମ୍‌ସେ ସାହେବ କରୁଥାନ୍ତି । ତାଙ୍କ ନାମ ଅନୁସାରେ ପୋଲର ନାମ ‘ରାମେସ୍‌ ବ୍ରିଜ୍’ । ଏହି ପୋଲ ପ୍ରତିଷ୍ଠା କାର୍ଯ୍ୟ ଗୋଟିଏ ବିରାଟ କାରଖାନା । ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ଆଦି କେତେକ ଗଡ଼ଜାତମାନଙ୍କର ରାଜା ଓ ସୁପରିଣ୍ଟେଣ୍ଡେଣ୍ଟମାନେ ଏଠାକୁ ନିମନ୍ତ୍ରିତ ହୋଇ ଆସିଥାନ୍ତି । ନିମନ୍ତ୍ରିତ ରାଜା, ଦେଓ୍ୟାନ ଓ ସୁପରିଣ୍ଟେଣ୍ଡେଣ୍ଟମାନଙ୍କ ରହିବା ପାଇଁ ନୂତନ ଘରମାନ ତିଆରି ହୋଇଥାଏ । ଖାଇବାପାଇଁ ବହୁ ସାମଗ୍ରୀ ସଂଗ୍ରହ କରା ଯାଇଥାଏ । ରାସ୍ତା ଘାଟ ଡାଳ ଫୁଲରେ ସୁସଜ୍ଜିତ ହୋଇଥାଏ । ଏହିସବୁ କାର୍ଯ୍ୟ ବେଠିରେ ସମ୍ପାଦିତ । ନୟାଗଡ଼ ପ୍ରଜା ରସଦ ଯୋଗାଇ, ଘର ତୋଳିବାପାଇଁ ବେଠି ଖଟି ପ୍ରାଣାନ୍ତକ ହୋଇ ଯାଇଥାନ୍ତି । ସହସ୍ର ସହସ୍ର ପ୍ରଜାଙ୍କ ଯନ୍ତ୍ରଣା ଭୋଗ ଦ୍ୱାରା ପୋଲ ପ୍ରତିଷ୍ଠା ଉତ୍ସବ ପ୍ରତିପାଳିତ ହେଉଥାଏ । ଟିକିଏ ଅନ୍ତର୍ଦୃଷ୍ଟିରେ ଦେଖିଲେ ନିରୀହ ପ୍ରଜାଙ୍କ ଯନ୍ତ୍ରଣା ଓ ଆର୍ତ୍ତନାଦ ଏହି ଉତ୍ସବର କୋଳାହଳ ଭିତରେ ଯେ କେହି ଦେଖି ପାରିବ ଓ ଶୁଣି ପାରିବ । ମୁଁ ଏସବୁ ବୁଝି ପାରୁଥାଏ । କିନ୍ତୁ ଗଡ଼ଜାତ ରାଜ୍ୟରେ ଘର କଲେ ସେଠାରେ ନିର୍ଯାତନ ଭୋଗ କରିବା, ସତେ ଯେପରି ଗୋଟିଏ ବିଧିର ବିଧାନ । ଗଡ଼ଜାତ ପ୍ରଜାଙ୍କର ଯେଉଁମାନେ ଭାଗ୍ୟବିଧାତା ସେମାନେ ବିଚାରନ୍ତି, ପ୍ରଜାକୁଳ ସେମାନଙ୍କ ଭୋଗ ବିଳାସର ଗୋଟିଏ ଉପଭୋଗ୍ୟ ଉପକରଣ । ସେମାନଙ୍କ ସୁଖ ସ୍ୱାଚ୍ଛନ୍ଦତାପାଇଁ ପ୍ରଜାକୁଳ ସୃଷ୍ଟି । ଅତଏବ ସେମାନଙ୍କୁ ଯେତେବେଳେ ଯାହା କରିବାକୁ ଆଦେଶ ମିଳିବ, ତାହା ସେମାନେ କରିବେ । ପ୍ରଜାକୁଳ ଗୋଟିଏ ପ୍ରାଣବିଶିଷ୍ଟ ଜୀବ ମାତ୍ର । ସେମାନଙ୍କ ସୁବିଧା ଅସୁବିଧା, ଅନୁକୂଳ ପ୍ରତିକୂଳ ଅବସ୍ଥା ପ୍ରତି ଦୃଷ୍ଟି ଦେବା, ତଥାକଥିତ ଭାଗ୍ୟବିଧାତାମାନେ ବୋଧହୁଏ ଭାବନ୍ତି ଏହା ସେମାନଙ୍କ ଚିନ୍ତାର ବହିର୍ଭୂତ । ଏପରି ଅବସ୍ଥାରେ ମନେହୁଏ ଗଡ଼ଜାତ ରାଜାଙ୍କ ପ୍ରଜା ହେବା ଅପେକ୍ଷା ବ୍ରିଟିଶ ସରକାରଙ୍କ ପ୍ରଜା ହେବା ସହସ୍ର ଗୁଣରେ ଅଧିକ । କାରଣ ଗଡ଼ଜାତ ପ୍ରଜା ଦାସର ଦାସ । ଏହି ପ୍ରକାର ଭାବନା ସବୁବେଳେ ମୋର ମନରେ ଜାଗି ଉଠେ । ସେଦିନ ସେହି କୁସୁମୀ ନଦୀର ପୋଲ ପ୍ରତିଷ୍ଠା କାର୍ଯ୍ୟ ଦେଖି ଏହିସବୁ ଭାବ ମନରେ ଖେଳିଯିବା ସ୍ୱାଭାବିକ ।

 

ସେ ଯାହା ହେଉ, ଦାମ ବାବୁ ଓ ଭାବଗ୍ରାହୀ ବାବୁ ନିମନ୍ତ୍ରିତ ହୋଇ ଏଠାକୁ ଆସିଥାନ୍ତି । ପଲିଟକେଲ ଏଜେଣ୍ଟ ମତେ ଦେଖିବାକୁ ଇଚ୍ଛା କରୁଅଛନ୍ତି କହି ମତେ ମଧ୍ୟ ସଂଗରେ ଆଣିଥାନ୍ତି । ଆମ୍ଭେମାନେ ଆସି କୁସୁମୀ ନଦୀ ନିକଟରେ ନିର୍ମିତ ଅସ୍ଥାୟୀ ସହରରେ ବାସ କଲୁ । ଯେଉଁ ଘରସବୁ ଯେତେ ଯେପରି ନିର୍ମିତ ହୋଇଥିଲା, ତାହାକୁ ଗୋଟିଏ ଛୋଟ ସହର ଆଖ୍ୟା ଦିଆଯାଇ ପାରେ । ସହର ପରି ଏଠାରେ ସହସ୍ର ସହସ୍ର ଲୋକଙ୍କର ସମାଗମ ହୋଇଥିଲା । ଦୋକାନ ବଜାର, ନାଟ ତାମସା ଆଦି ନାନାପ୍ରକାର ଆମୋଦ ପ୍ରମୋଦର ମଧ୍ୟ ଅଭାବ ନ ଥିଲା । ଏପରି ଅବସ୍ଥାରେ ଏହାକୁ ଗୋଟିଏ କ୍ଷୁଦ୍ର ସହର କହିବାରେ ଆପତ୍ତି କିଛି ଅଛି କି ? ଯାହା ହେଉ ଆମ୍ଭେମାନେ ତ ଆସି ଏଠାରେ ବାସ କଲୁ । ବର୍ତ୍ତମାନ ମତେ ପଲିଟ୍‌କେଲ ଏଜେଣ୍ଟଙ୍କ ନିକଟରେ ଦେଖା କରାଇବାର କଥା । ଦାମବାବୁ ଓ ବିଶ୍ୱାଳେ ଦୁହେଁ ମତେ କହିଲେ, ‘‘ଗୋବିନ୍ଦ, ତୁମେ ଦେଖ, ତୁମ କଥା ଜାଣି ସାହେବ ଭାରୀ ଖୁସି ହୋଇଅଛନ୍ତି । ତୁମେ ଯାହା କହିବ, ତାହା ଭଲ କରି କହିବା ଦରକାର । ପୁଣି ତୁମର ଇଂରେଜୀ ସୁନ୍ଦର ହେବା ଦରକାର । ତୁମେ ସୁନ୍ଦର ଇଂରେଜୀ କହି ପାରୁଛ, ଏହା ଶୁଣିଲେ ସାହେବ ଆହୁରି ଖୁସି ହେବେ । ଅତଏବ ଆମେ ତୁମକୁ ଇଂରେଜୀରେ ଗୋଟିଏ ଲେଖି ଦେଉଛୁ । ତୁମ୍ଭେ ତାହାକୁ ଘୋଷି ନିଅ । ଏହାକୁ ସାହେବଙ୍କ ଆଗରେ କହିବ । ଆମକୁ ମଧ୍ୟ ସେଥିରୁ ଗୋଟିଏ ଲେଖି ଦେଇଯିବ ।’’ ଏହା କହି ସେ ଗୋଟିଏ ଲେଖା ମତେ ଦେଲେ । ମୁଁ ଉକ୍ତ ଲେଖାଟି ୨୦ । ୨୫ ଥର ପାଠ କରିନେଲି । ତହିଁ ଆର ଦିନ ସକାଳୁ ଦାମବାବୁ ମତେ ନେଇ ସାହେବଙ୍କ ନିକଟରେ ହାଜର ହେଲେ । ମତେ ଯେପରି ଯାହା ଶିଖାଇଥିଲେ ମୁଁ ତାହା ସାହେବଙ୍କ ଆଗରେ କହିଲି । ମୋଠାରୁ ଶୁଣି ସାହେବ ମୋ ସହିତ ସେକ୍‌ହାଣ୍ଡ କରି ମତେ ବିଦାୟ ଦେଲେ । ସେ କ’ଣ କହିଲେ, ସାହେବୀ ଆବାଜ ତ, ମୁଁ ଭଲ କରି ବୁଝି ପାରିଲି ନାହିଁ । ମୁଁ ଆସିବାର କେତେକ ସମୟ ପରେ ଦାମବାବୁ ଆସି ମତେ ଏବଂ ମୋର ଭାଗ୍ୟକୁ ବହୁତ ପ୍ରଶଂସା କରିବାକୁ ଆରମ୍ଭ କଲେ । ତାଙ୍କର କହିବାର ମର୍ମ ହେଉଛି, ସାହେବ ମୋ ଉପରେ ଭାରୀ ସନ୍ତୁଷ୍ଟ । ସେ ହେଉଛନ୍ତି ଚବିଶ ଗଡ଼ଜାତର ହର୍ତ୍ତା କର୍ତ୍ତା ବିଧାତା । ତାହାଙ୍କର ଅନୁଗ୍ରହ ଲାଭ କମ ଭାଗ୍ୟର କଥା ନୁହେଁ । ଆଜି ତାହାଙ୍କ ଅନୁଗ୍ରହରୁ ଅନିରୁଦ୍ଧ ପଟେଲ, ମାଟ୍ରିକ ପାସ ନ କରି ମଧ୍ୟ ନୟାଗଡ଼ ପରି ରାଜ୍ୟର ସୁପରିଂଟେଣ୍ଡେଣ୍ଟ । ସେ ଇଚ୍ଛା କଲେ କାହାର କ’ଣ କରି ନ ପାରନ୍ତି । ତାଙ୍କ ଅନୁଗ୍ରହ ପାଇଲେ ଗଡ଼ଜାତ ରାଜ୍ୟରେ ପଙ୍ଗୁ ମଧ୍ୟ ଗିରି ଲଙ୍ଘନ କରିପାରେ । ଏହିପରି ଏକ ଶକ୍ତିଶାଳୀ ବ୍ୟକ୍ତିଙ୍କର ଦୃଷ୍ଟି ମୋ ଉପରେ ପଡ଼ିଛି । କେବଳ ଏତିକି ନୁହେଁ, ତାହାଙ୍କର ଅନୁଗ୍ରହ ମଧ୍ୟ ମୁଁ ଲାଭ କରିଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିପରି ଭାବରେ ରଥେ ଆପଣେ ମତେ ବହୁତ କଥା କହିଲେ । ମାତ୍ର ପଲିଟ୍‌କେଲ ଏଜେଣ୍ଟଙ୍କ ଦୃଷ୍ଟି ମୋ ଉପରେ ପଡ଼ିଛି, ମୁଁ ତାହାଙ୍କର ଅନୁଗ୍ରହ ଲାଭ କରିଛି, ଏହା ମୁଁ ଜାଣିବାର କୌଣସି ସଂକେତ ପାଇ ନ ଥାଏ । ଏତେ ଶୀଘ୍ର ଅବା ସେ ସଂକେତ ପାଇବି କିପରି ? ସୁତରାଂ ଦାମବାବୁଙ୍କ କଥା ବୁଝୁଥିଲେ ମଧ୍ୟ କିଛି ବୁଝି ପାରିଲି ନାହିଁ । ପଲିଟ୍‌କେଲ ଏଜେଣ୍ଟଙ୍କର ନୀତି ଗତି ଯେପରି ତହିଁରେ ଦଶପଲା ମେଳି ସମ୍ପର୍କରେ ମୁଁ ମେଳିଆଙ୍କ ବିରୁଦ୍ଧରେ ସାକ୍ଷୀ ଦେବାର ଦେଖି ସେ ଯେ ଖୁସି ହୋଇଥିବେ ଏଥିରେ ଅବିଶ୍ୱାସ କରିବାର କିଛି ମାତ୍ର କାରଣ ନାହିଁ । ଦାମବାବୁ ମଧ୍ୟ ଯାହା କହିଲେ ତହିଁରେ ବାହୁଲ୍ୟ କିଛି ନାହିଁ । ସେ ମତେ ଭୁଲାଇବା ପାଇଁ ମିଥ୍ୟା କହିଲେ ବୋଲି ମୋର ମଧ୍ୟ ସେପରି କିଛି ସନ୍ଦେହ ହୋଇ ନାହିଁ । ସେ ପ୍ରକୃତରେ ମୋର ହିତାକାଙ୍କ୍ଷୀ । ତାଙ୍କର ଇଚ୍ଛା ଗଭର୍ଣ୍ଣମେଣ୍ଟ ତରଫରୁ ସାକ୍ଷୀ ହୋଇ ମୁଁ ଠିଆ ହୁଏ । ଏଥିରେ ମୋର ବହୁତ ମଙ୍ଗଳ ହେବ । ତାହା ନ ହେଲେ ମୋର ଜୀବନ ଘୋର ଦୁଃଖପୂର୍ଣ୍ଣ ହେବ । ଏଥିରେ କିଛି ମାତ୍ର ସନ୍ଦେହ ନାହିଁ । ସାହେବ ମୋ କଥାରେ ଖୁସି ହୋଇଥିବାର ଜାଣି, ସେ ଖୁସି ହୋଇ ମୋତେ ଏବଂ ମୋର ଭାଗ୍ୟକୁ ପ୍ରଂଶସା କରିଛନ୍ତି ।

 

ଗତ କେତେଦିନ ହେବ, ମୋର ଜୀବନ ଓ ଚିନ୍ତା ଘୋର ସନ୍ଧି ସ୍ଥଳରେ । ମୁଁ କ’ଣ କରିବି, କେଉଁ ପଥ ଅବଲମ୍ବନ କରିବି ? ଏହି ପ୍ରଶ୍ନ ମୋ ମନକୁ ସବୁବେଳେ ଆଲୋଡ଼ିତ କରୁଅଛି-। ଦଶପଲ୍ଲା ମେଳିରେ ସରକାରୀ ତରଫରୁ ପ୍ରଧାନ ସାକ୍ଷୀ ହୋଇ ଠିଆହେବାକୁ ମୁଁ ହଁ ମାରି ଦେଇଛି । କର୍ତ୍ତାମାନଙ୍କ ପ୍ରଲୋଭନ ମତେ ମଧ୍ୟ ସେମାନଙ୍କ ଆଡ଼କୁ ଟାଣି ନେଇଛି । କିନ୍ତୁ ଷୋଳ ଅଣାରେ ମୁଁ ତାଙ୍କର ହେଉ ନାହିଁ । ଏହି ହେତୁ ତାଙ୍କ କହିବାନୁସାରେ ସାହେବଙ୍କ ଆଗରେ ଯାହା କହିଗଲି ତହିଁର ଗୋଟିଏ ଲେଖା ଲେଖି ଦାମବାବୁଙ୍କ ହାତକୁ ନ ଦେବାର ଫିକର କରିଛି । ମୁଁ ସାକ୍ଷୀ ଦେବି ବୋଲି ସ୍ୱୀକାର କରିଦେବାରୁ ସେମାନେ ଏତେ ଆନନ୍ଦିତ ହୋଇଅଛନ୍ତି ଯେ ମୋଠାରୁ କିଛି ଲେଖାଇ ନେବାର କଥା ଏକାବେଳକେ ଭୁଲିଯାଇ ଅଛନ୍ତି । ମୁଁ ସାକ୍ଷୀ ଦେବା ସମ୍ବାଦ ପାଇ ସାହେବ ନିଜେ ମତେ ଦେଖିବାକୁ ଡକାଇଥାନ୍ତୁ, ନତୁବା ସାହେବଙ୍କ ଆଗରେ ଠିଆହୋଇ ଥରେ ମୁଁ ସାକ୍ଷୀ କ’ଣ ଦେବି ତାହା କହିଗଲେ ତାହା ଅସ୍ୱୀକାର କରିବାକୁ ଆଉ ସାହସ କରିବି ନାହିଁ ଏହା ଭାବି ଦାମବାବୁ ଓ ବିଶ୍ୱାଳେ ମତେ ସାହେବଙ୍କ ଆଗରେ ହାଜର କରାଇଥାନ୍ତୁ-ସାହେବଙ୍କ ଆଗକୁ ଆସିବାର କାରଣ ଯାହା କିଛି ହେଉ, ସାହେବଙ୍କ ନିକଟକୁ ଆସିବା କଥା ଶୁଣିଲା ଦିନୁ ମୋ ମନ ଆହୁରି ଦବି ଯାଇଛି । ସାହେବଙ୍କ ସହିତ ଦେଖା ସାକ୍ଷାତ ପରେ ମୁଁ ଏକପ୍ରକାର ନିର୍ଜୀବ । ଏ ପର୍ଯ୍ୟନ୍ତ ଭାବୁଥିଲି ଏମାନଙ୍କ ହାତରୁ ଉପସ୍ଥିତ ବିପଦରୁ ଖସିଯାଇ କଟକ ଗଲେ, ମୋର ବନ୍ଧୁମାନଙ୍କ ସହିତ ପରାମର୍ଶ କରି କର୍ତ୍ତବ୍ୟ ନିରୂପଣ କରିବି । କିନ୍ତୁ ବର୍ତ୍ତମାନ ମୋର କର୍ତ୍ତବ୍ୟ ଅକର୍ତ୍ତବ୍ୟର ପ୍ରଶ୍ନ ସ୍ୱତଃ କୁଆଡ଼େ ଉଭେଇ ଯାଉଛି ! ମୋର ହୃଦୟ ଦବି ଯାଉଛି । ମୁଁ ଜଡ଼ ଓ ମୂକ ପରି ହୋଇଗଲା ପ୍ରାୟ ମତେ ବୋଧ ହେଉଛି । ଏସବୁର ଏକମାତ୍ର କାରଣ ପଲିଟିକେଲ ଏଜେଣ୍ଟ ।

 

ମୁଁ ସାକ୍ଷୀ ଦେଲେ ମୋର ପ୍ରଭୂତ ମଙ୍ଗଳ ସାଧିତ ହେବ ଏଥିରେ ଆଉ ଅଣୁ ମାତ୍ର ସନ୍ଦେହ ନାହିଁ । କିନ୍ତୁ ସାକ୍ଷୀ ନ ଦେବାକୁ ହେଲେ ମୁଁ କ’ଣ କରିବି ? ଏଥିରୁ ଉଦ୍ଧାର ପାଇବାର ବାଟ କାହିଁ ? ଗଡ଼ଜାତ ରାଜ୍ୟରେ ଜନ୍ମ ହୋଇ ଜଳ ସ୍ଥଳ ଆକାଶରେ ମୋର ଆଉ ସ୍ଥାନ ନାହିଁ । ଦଶପଲ୍ଲା ନ ଆସି ବିଶ୍ୱାଳଙ୍କୁ ଠକିଦେଇ ପାରେ । କିନ୍ତୁ ପଲିଟିକେଲ ଏଜେଣ୍ଟଙ୍କ କଥାରୁ ବାହାରି ଯିବି କୁଆଡ଼େ । ସାହେବଙ୍କ ନିକଟରୁ ଫେରି ମୋ ମନରେ ଏହିପରି ପ୍ରଶ୍ନସବୁ ଜାଗି ଉଠିଲା । ମୁଁ କୌଣସି ଲେଖା ଦାମବାବୁଙ୍କୁ ନ ଦେଇ କିପରି ଶୀଘ୍ର କଟକ ଚାଲି ଆସିବି ଏହି କଥା ସ୍ଥିର କଲି । ଶେଷରେ କଟକ ଆସିବାପାଇଁ ବିଶ୍ୱାଳଙ୍କଠାରୁ ଅନୁମତି ଆଣି କଟକ ଯାତ୍ରା କଲି । ସାହେବଙ୍କ ଆଗରେ ସେମାନେ କହିବାନୁସାରେ ମୁଁ ସବୁକଥା କହି ଆସିଥିବାରୁ ସେମାନଙ୍କର ମୋଠାରେ ଆଉ କୌଣସି ଅବିଶ୍ୱାସ ନ ଥିଲା । ମୁଁ କଟକ ଯିବାକୁ କହିଲା ମାତ୍ରେ ଅନୁମତି ମିଳିଗଲା । ନୟାଗଡ଼ ଛାଡ଼ି ମୁଁ ଆସି କଟକରେ ଉପସ୍ଥିତ ହେଲି ।

Image

 

ଚତୁର୍ଥ ପରିଚ୍ଛେଦ

 

କଟକ ଆସି ମିସନ ହିନ୍ଦୁ ହୋଷ୍ଟେଲରେ ମୁଁ ଉପସ୍ଥିତ । ମତେ ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ଓ ଆନନ୍ଦିତ ହୋଇ ଉଠିଲେ । କାରଣ କଟକରେ ସେତେବେଳକୁ ପ୍ରଚାରିତ ହୋଇ ଗଲାଣି, ମୁଁ ମେଳିଆ ବୋଲି ଧରାହୋଇ ଦଶପଲ୍ଲା ଜେଲରେ ଅଛି । ଏହି କଥା କଟକରେ ମୋର ଜଣାଶୁଣା ଲୋକେ ସମସ୍ତେ ଜାଣିଛନ୍ତି । ସ୍କୁଲରେ ଶିକ୍ଷକ ଓ ଛାତ୍ର ସମସ୍ତେ ମଧ୍ୟ ଏହି କଥାକୁ ନାନାପ୍ରକାରରେ ଶୁଣି ଅଛନ୍ତି । ଏପରି ଅବସ୍ଥାରେ ମୁଁ ଆସି କଟକରେ ଉପସ୍ଥିତ । ତେଣୁ ମତେ ଦେଖି ସମସ୍ତେ ଟିକିଏ ଆଶ୍ଚର୍ଯ୍ୟାନ୍ୱିତ ହେଉ ଅଛନ୍ତି ଏବଂ ଆନନ୍ଦ ମଧ୍ୟ ପ୍ରକାଶ କରୁଅଛନ୍ତି । ମତେ ଦେଖିବାକୁ, ମୋ ସହିତ କଥାହୋଇ ମୋଠାରୁ ସମସ୍ତ ବୃତ୍ତାନ୍ତ ଶୁଣିବାକୁ ଅନେକ ବଡ଼ ଆଗ୍ରହାନ୍ୱିତ-। ସେ ଯାହାହେଉ ମୁଁ କଟକକୁ ଆସିବା ପରେ ଆମ ଗୁପ୍ତ ସମାଜର ବୈଠକ ବସି ମୋ ବିଷୟ ବିଚାର ଚାଲିଲା । ମୁଁ କ’ଣ କରିବି, ସାକ୍ଷୀ ଦେବି କି ନାହିଁ, ଏହି କଥା ଆମ୍ଭେମାନେ ବସି ବିଚାର କଲୁ ।

 

ଓଡ଼ିଶାରେ ରାଜନୈତିକ ଜୀବନ କିଛି ନାହିଁ । ରାଜନୀତିର କୌଣସି ଚର୍ଚ୍ଚା ନାହିଁ । ଦେଶର ସାଧାରଣ କର୍ମକ୍ଷେତ୍ରରେ ପ୍ରମୁଖ ବ୍ୟକ୍ତି କେହି ନାହାନ୍ତି । ଦେଶସେବା କହିଲେ ବହୁତ ପାଠ ପଢ଼ି, ସଭା ସମିତିରେ ବତ୍କୃତା ଦେବା ଛଡ଼ା ଅନ୍ୟ କିଛି ନାହିଁ । ଦେଶରେ ସଭା ସମିତି ତେତେ ମଧ୍ୟ ନାହିଁ । ଏପରି ଅବସ୍ଥାରେ ମୋର ସାକ୍ଷୀ ଦେବା ସମସ୍ୟା ନିଷ୍ପତ୍ତି କରିବା ଆମ୍ଭମାନଙ୍କୁ ବଡ଼ କଠିନ ଜଣାଗଲା । ଦେଶର ସେତେବେଳର ଅବସ୍ଥା ପ୍ରତି ଦୃଷ୍ଟିଦେଇ ବହୁତ କଥା ବିଚାର କଲା ପରେ ଆମ୍ଭେମାନେ ସ୍ଥିରକଲୁ ଯେ ମୋର ସାକ୍ଷୀ ଦେବା ନିହାତି ଦରକାର । କାରଣ ମୁଁ ସାକ୍ଷୀ ନ ଦେଲେ ବୈଷ୍ଣବ ଦେଓ ରକ୍ଷା ପାଇବେ ନାହିଁ କିମ୍ବା ଦଶପଲ୍ଲା ମେଳିଆ କନ୍ଧ ମଧ୍ୟ କେହି ରକ୍ଷାପାଇ ପାରିବେ ନାହିଁ । ନିହାତି ଅମୂଳକ ମିଥ୍ୟାକଥା ମଧ୍ୟ ମତେ କହିବାକୁ ହେଉ ନାହିଁ । ଏପରି ଅବସ୍ଥାରେ ସାକ୍ଷୀ ନ ଦେଇ ମୁଁ ମୋର ଜୀବନର ସମସ୍ତ ପ୍ରକାର ଉଚ୍ଚ ଆଶା ଆହୁତି ଦେବାରେ କାହାର କି ଉପକାର ସାଧିତ ହେବ । ଏହାଦ୍ୱାରା ମୋର ଅବସ୍ଥା କ’ଣ ହେବ ତାହା କଳ୍ପନା କରି ହେବ ନାହିଁ । ମୁଁ ସାକ୍ଷୀ ନ ଦେବାଦ୍ୱାରା ଆହୁରି ଅନ୍ୟାନ୍ୟ ଅନେକ ଲୋକଙ୍କର ମଧ୍ୟ ବହୁତ ଅନିଷ୍ଟ ହେବ । ଏପରି ଅବସ୍ଥାରେ ସାକ୍ଷୀ ଦେଇ ସେମାନଙ୍କର ସାହାଯ୍ୟରେ ଉଚ୍ଚଶିକ୍ଷା ଲାଭ କରି ପାରିଲେ ମୁଁ ଦେଶର ଅନେକ ମଙ୍ଗଳ ସାଧନ କରି ପାରିବି । ଯଦି ସେମାନଙ୍କ ସାହାଯ୍ୟ ପାଏ ତେବେ ବିଦେଶକୁ ଯାଇ କିଛି ନା କିଛି ଉଚ୍ଚଶିକ୍ଷା ଲାଭ କରିବା ଦରକାର । ବିଦେଶରେ କିଛି ଉଚ୍ଚଶିକ୍ଷା ଲାଭ କରି ଦେଶକୁ ଫେରିଲେ ଦେଶର କୌଣସି ହିତକର କାର୍ଯ୍ୟ ସାଧନ କରିବା ମୋ ପକ୍ଷରେ କେଡ଼େ ସୁବିଧା ହେବ । ଏହା ନ କରି ଛାତ୍ର ଅବସ୍ଥାରେ ବର୍ତ୍ତମାନ ସରକାରର ବିପକ୍ଷ ହେଲେ ମୋଦ୍ୱାରା କାହାରି ତ କିଛି ମଙ୍ଗଳ ହେବ ନାହିଁ ବରଂ ମୋର ଜୀବନ ଏହାର ପରିଣାମରେ ଦୁଃଖମୟ ହେବ । ଦେଶସେବା କାର୍ଯ୍ୟ କରିବା ଦୂରର କଥା ମୁଁ ନିଜର ମଧ୍ୟ କିଛି ମଙ୍ଗଳ ସାଧନ କରି ପାରିବି ନାହିଁ । ଅକାରଣରେ ମୋର ଜୀବନ ନଷ୍ଟ ହୋଇଯିବ । ଏହି ମର୍ମରେ ଆମ୍ଭମାନଙ୍କର ଅନେକ ଆଲୋଚନା ଚାଲିଲା । ଶେଷରେ ମୁଁ ସାକ୍ଷୀ ଦେବାର ସ୍ଥିର ହେଲା ।

 

ମୋର ବନ୍ଧୁମାନଙ୍କ ସାହାଯ୍ୟରେ ସାକ୍ଷୀ ଦେବାକୁ ସ୍ଥିର କଲି ସତ୍ୟ କିନ୍ତୁ ମନରେ ଆନନ୍ଦ ରହିଲା ନାହିଁ । ମୁଁ ସ୍କୁଲକୁ ଯାଏ ମାତ୍ର କ୍ଳାସର ପାଠ ପଢ଼ାରେ ମୋର ମନ ନ ଥାଏ । ଦଶପଲ୍ଲାର ଚିତ୍ର ମୋ ଆଖି ଆଗରେ ନାଚିଯାଏ । ହଷ୍ଟେଲରେ ସାଥିପିଲାମାନଙ୍କ ସହିତ ଖେଳେ, ମାତ୍ର ଖେଳରେ ମୋର ମନ ଲାଗେ ନାହିଁ । ସକାଳେ ଓ ସନ୍ଧ୍ୟାରେ ବସାରେ ବସି କ୍ଳାସପାଠ ପଢ଼ିବା ଇଚ୍ଛାରେ ବହି ଖୋଲି ବସେ । କିନ୍ତୁ କିଛି ଆଉ ପଢ଼ି ପାରେ ନାହିଁ । ସକାଳେ ଓ ସନ୍ଧ୍ୟାରେ ମୁଁ ଏକାନ୍ତ ସ୍ଥାନରେ ବସି ଅନେକ ସମୟ ପର୍ଯ୍ୟନ୍ତ ଧ୍ୟାନ କରିବାର ଅଭ୍ୟାସ କରିଥାଏ । କିନ୍ତୁ ଏହି ଧ୍ୟାନରେ ବସିଲା ବେଳେ ମୋର ମନରେ ଶାନ୍ତି କିମ୍ବା ଆନନ୍ଦ ପାଏ ନାହିଁ । ମନ ଧ୍ୟାନ-ନିମଗ୍ନ ହୁଏ ନାହିଁ । ଦଶପଲ୍ଲାର ଚିତ୍ର ମୋ ଆଖି ଆଗରେ ଆସି ନାଚିଯାଏ । ରାତ୍ରିରେ ନିଦ ହୁଏନାହିଁ । ଶୋଇଲା ବେଳେ ମଧ୍ୟ ଦଶପଲ୍ଲା ଦୃଶ୍ୟ ସ୍ୱପ୍ନ ଦେଖି, ବେଳେ ବେଳେ ଚମକି ଉଠେ । ସାକ୍ଷୀ ଦେଇ ବିଶ୍ୱାଳଙ୍କ ପଇସାରେ ପାଠ ପଢ଼ି, ଭବିଷ୍ୟତ କଳ୍ପନାର ଚିତ୍ର ମୋ ମନରେ ଉତ୍ସାହ କିମ୍ବା ହୃଦୟରେ ବଳ ଦିଏ ନାହିଁ । ମୋତେ ବୋଧ ହେଉଥାଏ ମୋର ହୃଦୟ ଯେପରି ଶୁଷ୍କ ହୋଇ ଯାଉଛି ।

 

ଅନେକ ସମୟରେ ସନ୍ଧ୍ୟାବେଳେ ମହାନଦୀ କୂଳକୁ ବୁଲିବାକୁ ଯାଏ । ଅନେକ ରାତି ପର୍ଯ୍ୟନ୍ତ କିଲା ନିକଟ ନଦୀବନ୍ଧରେ ବସି ନାନା କଥା ଚିନ୍ତା କରେ । ଦିନେ ସନ୍ଧ୍ୟାରେ ଏହି ନଦୀବନ୍ଧରେ ବସିଛି, ଆକାଶରେ ତାରାସବୁ ଗୋଟି ଗୋଟି ହୋଇ ଫୁଟି ଉଠୁଛନ୍ତି, ଏପରି ସମୟରେ ହଠାତ୍ ମୋର ଚେତନା ଜାଗି ଉଠିଲା । ମତେ ବୋଧହେଲା ସତେ ଯେପରି ଏହି ସଜୀବ ଜଗତ ନିସ୍ତବ୍‌ଧ, ଆକାଶ ନିସ୍ତବ୍‌ଧ, ପବନ ମଧ୍ୟ ନିଶ୍ଚଳ । ଆକାଶରେ ତାରାଗୁଡ଼ିକ ଜୁଳୁ ଜୁଳୁ କରି ମତେ ଅନାଇ ଅଛନ୍ତି । ମତେ ଦେଖିବାକୁ ଗୋଟି ଗୋଟିହୋଇ ସତେ ଯେପରି କୁଆଡ଼ୁ ଅନ୍ଧାର ଡେଇଁ ପଡ଼ୁଛନ୍ତି । ଚାରିପାଖ ଗଛଗୁଡ଼ିକ ମୋରି କଥା ଭାବି, ମତେ ଅନାଇ ଧୀର ସ୍ଥିର ଭାବରେ ଠିଆ ହୋଇଅଛନ୍ତି । ମୁଁ ଯେଉଁ ବାଟରେ ଯାଉଛି, ସେହି ବାଟରୁ ମତେ ଫେରାଇ ଆଣିବାକୁ ସମସ୍ତେ ମତେ ନୀରବରେ ଇଙ୍ଗିତ ଦେଉ ଅଛନ୍ତି । ବାଟରେ ଚାଲିଗଲା ଲୋକ ମଧ୍ୟ ମତେ ଚାହିଁ ଚାଲି ଯାଉଛି, କିନ୍ତୁ କଥା କହୁ ନାହିଁ । କିଏ ମତେ ଅସ୍ପଷ୍ଟ ଭାବରେ କହି ଦେଉଛି, ‘‘ଆରେ ମୂର୍ଖ, ତୁ ଦଶପଲ୍ଲାର ନିଃସହାୟ ପ୍ରଜାଙ୍କ ବିରୁଦ୍ଧରେ ସାକ୍ଷୀ ରୂପେ ଠିଆ ହୋଇ ବିଶ୍ୱାଳଙ୍କ ପଇସାରେ ପାଠ ପଢ଼ି ଦେଶସେବା କରିବାକୁ ବିଚାର ବାନ୍ଧିଛୁ ! ଏହା ତୋର ମହାଭ୍ରମ ବୋଲି ଜାଣ । ତୁ ବେଶୀ ପାଠ ପଢ଼ିପାରୁ, କିନ୍ତୁ ଦେଶର କୌଣସି କଲ୍ୟାଣ ତୋଦ୍ୱାରା ସାଧିତ ହୋଇ ପାରିବ ନାହିଁ । ଦେଶର ଲୋକେ କେହି ତୋ କଥା ଶୁଣିବେ ନାହିଁ । ସମସ୍ତେ ବିଚାରିବେ ତୁ ଗୋଟାଏ ଦେଶଦ୍ରୋହୀ । ତୋତେ କେହି ବିଶ୍ୱାସ କରିବେ ନାହିଁ । ତୋର କଥା କେହି ଶୁଣିବେ ନାହିଁ । ସମସ୍ତେ କହିବେ, ଏ ନିଜ ଦେଶ ଲୋକଙ୍କ ବିରୁଦ୍ଧରେ ସାକ୍ଷୀ ଦେଇଛି । ଏ ଗୋଟାଏ ଭୀରୁ-। ଗୋଟାଏ ପାପୀ । ଏହି ପାପୀର ମୁହଁ ଚାହିଁବାର ନୁହେ । ଏହାକୁ ବିଶ୍ୱାସ କରିବାର ନୁହେ-। ଏହାକୁ ଦୂରରୁ ବର୍ଜନ କରିବା ବିଧେୟ ।’’

 

ଏ ସବୁ କଥା କିଏ ଅସ୍ପଷ୍ଟ ସ୍ୱରରେ କହିଲା ପରି ମୋତେ ବୋଧ ହେଲା । ମୁଁ ନଦୀବନ୍ଧର ଉପରେ ଶୋଇ ଆକାଶର ତାରାସବୁ ଗଣୁଥିଲି । ହଠାତ୍ ଚମକି ପଡ଼ିଲା ପରି ମୁଁ ଉଠି ବସିଲି । ଚାରିଆଡ଼କୁ ଚାହିଁଲି କେହି ନାହିଁ । ଏ କ’ଣ ଶୁଣିଲି, ମତେ କିଏ ଏସବୁ କହିଲା । ମୁଁ କିଛି ବୁଝି ନ ପାରି ଅବାକ୍ ହୋଇ ଠିଆହୋଇ ପଡ଼ିଲି । ହଠାତ୍ କୁଆଡ଼େ ଯିବି କିଛି ବୁଝି ପାରିଲି ନାହିଁ । ମତେ ଚାରିଆଡ଼ ଅନ୍ଧକାର ଦେଖାଗଲା ! ମୁଁ ପାଗଳ ପ୍ରାୟ ଅବସ୍ଥାରେ ହଷ୍ଟେଲରେ ହାଜର ହେଲି-

 

ହଷ୍ଟେଲକୁ ଫେରି ମୁଁ ଶୋଇ ପଡ଼ିଲି । ସେ ରାତ୍ରିରେ ଆଉ ଖାଇଲି ନାହିଁ । ସକାଳୁ ଉଠିଲି । କାହିଁରେ ମୋର ମନ ଲାଗିଲା ନାହିଁ । କାହାରି ସହିତ କଥା ହେବାକୁ ଇଚ୍ଛା ହେଲା ନାହିଁ । ମୋର ହୃଦୟ ବ୍ୟାକୁଳ ହୋଇ ଉଠିଲା । ମୁଁ କ’ଣ କରିବି କିଛି ସ୍ଥିର କରି ପାରିଲି ନାହିଁ । ଯଦି ସାକ୍ଷୀ ନ ଦିଏ, ତେବେ ଦ୍ୱୀପାନ୍ତର କିମ୍ବା ଦୀର୍ଘ କାରାଦଣ୍ଡ ହେବ ଏଥିରେ ସନ୍ଦେହ ନାହିଁ । ଦଶପଲ୍ଲାରେ ମୋର ହୋଇ ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ ଧରା ହେବେ । ସମସ୍ତଙ୍କ ଘର ଲୁଟ କରାଇ ଦିଆଯାଇ ପାରେ । ମୋର ଅନୁରୋଧରେ ଯେଉଁମାନେ ଛାଡ଼ ପାଇ ଅଛନ୍ତି ସେମାନେ ପୁଣି ଧରାହେବେ । ସେମାନଙ୍କ ମଧ୍ୟରୁ କିଏ କି ଦଣ୍ଡ ଭୋଗ କରିବ ତାହା କିଏ ଜାଣେ-। ବିଦ୍ୟାଧରକୁ ହୁଏତ ଜେଲ ଦେବେ । କଟକରୁ ମୁଁ ଯଦି କୁଆଡ଼େ ପଳାଇ ଯାଏ, ସେମାନେ ଯଦି ମତେ ଧରି ନ ପାରନ୍ତି, ତେବେ ଲୁଚି ରହିବି କେଉଁଠାରେ । କେତେଦିନ ଅବା ଲୁଚି ରହିବି । ଗଡ଼ଜାତ ମତେ ମନା ହେବ । ପାଠ ପଢ଼ା ମୋର ଏହିଠାରେ ଶେଷ ପାଇବ । ସବୁବେଳେ ପୁଲିସ ମତେ ଅନୁସନ୍ଧାନ କରି ମୋର ପିଛା ଧରିବ । ଭୟରେ ହୁଏତ ମତେ କେହି ସ୍ଥାନ ଦେବେ ନାହିଁ । ଏପରି ଅବସ୍ଥାରେ ଲୋକଦୃଷ୍ଟିର ଅନ୍ତରାଳରେ ପଡ଼ି ମୋର ଜୀବନ ଯିବ । କେହି ପଦେ କଥା କହିବାକୁ ନ ଥିବେ କିମ୍ବା କେହି ଦେଖିବାକୁ ନ ଥିବେ ।

 

ଯଦି ସାକ୍ଷୀ ଦେବି, ତେବେ ମୁଁ ଆଉ ସମାଜରେ ଓ ଦେଶରେ ମନୁଷ୍ୟ ବୋଲି ବିବେଚିତ ହେବି ନାହିଁ । ଚିରକାଳ ପାଇଁ ମୁଁ ମୋ ଜୀବନରେ ଏବଂ ନିଜ ବଂଶରେ ମଧ୍ୟ ଗୋଟାଏ କଳଙ୍କ ଲଗାଇବି । ଏପରି ଜୀବନ ବୃଥା । କଳଙ୍କିତ ଜୀବନ ଧାରଣ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ।

 

ଏହି ଦୁଇ ମାର୍ଗରୁ କେଉଁ ମାର୍ଗ ମୁଁ ଅବଲମ୍ବନ କରିବି କିଛି ବୁଝି ପାରିଲି ନାହିଁ । କିଛି ଭାବି ସ୍ଥିର କରିବା ମତେ ଅସମ୍ଭବ ଜଣାଗଲା । ଗୋଟିଏ କଥା ଭାବିଲା ବେଳକୁ ଅନ୍ୟଟିର ଭୀଷଣ ପରିଣାମ ଆଖି ଆଗରେ ଆସି ନାଚିଗଲା । ମତେ ବଡ଼ ଅଶାନ୍ତି ବୋଧ ହେଲା । ବିଚାରିଲି ଆତ୍ମହତ୍ୟା କରିଦେଲେ ଏ ସଂକଟରୁ ନିସ୍ତାର ପାଇଯିବି । କେହି କିଛି ଆଉ ମତେ କହିବାକୁ ନ ଥିବେ । ଆଉ ସାକ୍ଷୀ ଦେବାକୁ ଡକରା ପଡ଼ିବ ନାହିଁ କିମ୍ବା ସାକ୍ଷୀ ନ ଦେଇ ମୁଁ ଆତ୍ମହତ୍ୟା କଲି ବୋଲି ମୋପାଇଁ କେହି ଆଉ ହଇରାଣ ହେବେ ନାହିଁ ।

 

ଏହିପରି ମୋର ମନ ଚଞ୍ଚଳ ହୋଇ ଉଠିଲା । ଆତ୍ମହତ୍ୟା କରି ନିସ୍ତାର ପାଇବାର ଦୁର୍ବଳତା ମଧ୍ୟ ବେଳେ ବେଳେ ମନକୁ ଅଧିକାର କଲା । ଆତ୍ମହତ୍ୟା କଲେ ନିହାତି କାପୁରୁଷତାର ଲକ୍ଷଣ ପ୍ରକାଶ ପାଇବ, ଏହା ଭାବି ସେପରି ଭାବନାକୁ ମନରୁ ଫିଙ୍ଗି ଦେଲି । ଏ ସଂକଟରୁ ମୁଁ କିପରି ଉଦ୍ଧାର ପାଇବି ? ମତେ ବାଟ ଦେଖାଇବ କିଏ ? ଏହି ପ୍ରଶ୍ନ ସବୁବେଳେ ମୋର ହୃଦୟରେ ଜାଗି ଉଠିଲା । ହଠାତ୍ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ନାମ ମୋର ମନେ ପଡ଼ିଲା । ଗୋପବନ୍ଧୁ ବାବୁ ସେତେବେଳକୁ ପୁରୀରେ ଓକିଲାତି କରୁଥାନ୍ତି । ମୁଁ ଯାଇଁ ପୁରୀରେ ଉପସ୍ଥିତ ହେଲି । ଗୋପବନ୍ଧୁ ବାବୁଙ୍କ ବସାରେ ପହୁଞ୍ଚିଲା ବେଳକୁ ସେ କଚେରୀରୁ ଫେରି ନ ଥାନ୍ତି ।

 

ଗୋପବନ୍ଧୁ ବାବୁ କଚେରୀରୁ ଫେରି ସନ୍ଧ୍ୟା-ନିତ୍ୟକ୍ରିୟା ସାରି ଆସି ବାହାର ଘରେ ବସିଲେ । ଖଣ୍ଡିଏ ଚୌକି, ଖଣ୍ଡିଏ ଟେବୁଲ ଆଉ ଖଣ୍ଡିଏ ବେଞ୍ଚ ପଡ଼ିଥାଏ । ପୋଲାଙ୍ଗ ତେଲର ଗୋଟିଏ ଦୀପ ଜଳୁଥାଏ । ଗୋପବନ୍ଧୁ ବାବୁ ଚୌକି ଖଣ୍ଡକ ଉପରେ ଠୁକାଁହୋଇ ବସି ମତେ ଡାକି, ତାହାଙ୍କ ନିକଟ ମୁଁ ଆସିବାର କାରଣ ପଚାରିଲେ । ଗୋପବନ୍ଧୁ ବାବୁଙ୍କୁ ମୁଁ ସମସ୍ତ ବୃତ୍ତାନ୍ତ କହି, ମୁଁ କ’ଣ କରିବି ବୋଲି ପଚାରିଲି । ଗୋପବନ୍ଧୁ ବାବୁ ମୋ କଥା ଶୁଣୁ ଶୁଣୁ ତାହାଙ୍କ ଆଖିରୁ ଲୁହ ବୋହିଗଲା । ସେ ହଠାତ୍ କହି ଉଠିଲେ, ‘‘ଗୋବିନ୍ଦ, ତୁମେ ମୋ ନିକଟକୁ ଆସିଛ, ମୋର ପରାମର୍ଶ ମାଗୁଛ । ତୁମେ କ’ଣ କରିବ, ତୁମର କର୍ତ୍ତବ୍ୟ କ’ଣ, ଏହା ତୁମକୁ ବୁଝାଇ ଦେବାକୁ ମତେ ପଚାରୁ ଅଛ । ମୁଁ କ’ଣ ବୁଝାଇବି । ଦଶପଲ୍ଲା ବଣ ଜଙ୍ଗଲ ମଧ୍ୟରେ କେତେ ଲୋକ ମରିଛନ୍ତି ତାହା କିଏ ଜାଣେ । ସେମାନଙ୍କ ମଧ୍ୟରେ କେତେ ନିରୀହ ପ୍ରାଣୀଙ୍କର ଜୀବନ ଯାଇ ନ ଥିବ ? ଯେଉଁମାନେ ଏପରି ଲୋକ ଅନ୍ତରାଳରେ ମରିଛନ୍ତି ସେମାନଙ୍କ ମଧ୍ୟରେ ହୁଏତ ଏପରି କେହି ଥାଇ ପାରନ୍ତି ଯେ କି ବଞ୍ଚିଥିଲେ, ଦିନେ ଜଣେ ମହାପୁରୁଷ ହୋଇ ପାରିଥାନ୍ତେ । ତୁମ୍ଭେ ସେହି ଜଙ୍ଗଲ ରାଜ୍ୟରୁ ଆସିଛ । ଈଶ୍ୱରଙ୍କ କୃପାରୁ କିଛି ଆଲୋକ ପାଇଛ । ଦଶପଲ୍ଲା କନ୍ଧ ପ୍ରଜା ଜଙ୍ଗଲି ଓ ମୂର୍ଖ । ସେମାନେ ଆଜି ନ୍ୟାୟ ଓ ସତ୍ୟ ବୋଲି ଯାହା ମନେକଲେ ସେଥିପାଇଁ ନିଜର ଧନ, ଜୀବନ, ସ୍ତ୍ରୀ, ପୁତ୍ର, କନ୍ୟା ଆଦି ସମସ୍ତ ବଳି ଦେଉଅଛନ୍ତି । ଦଶପଲ୍ଲାରେ ଅଗ୍ନି ଜଳୁଛି । ସେ ଅଗ୍ନି କେବେ କିପରି ଶାନ୍ତ ହେବ ଏବଂ କାହାଦ୍ୱାରା ହେବ, ସେକଥା କେବଳ ସେହି ମଙ୍ଗଳମୟ ବିଭୁଙ୍କୁ ଜଣା । ଏପରି ଅବସ୍ଥାରେ ସେହି ଜ୍ୱଳନ୍ତ ଅଗ୍ନିରେ ତୁମ୍ଭେ ଆହୁତି ଦେଇ ସେହି ଅଗ୍ନିର ଦାଉକୁ ବଢ଼ାଇବ କିମ୍ବା ତାହାକୁ ନିର୍ବାପିତ କରିବା ପାଇଁ ନିଜକୁ ବଳି ଦେବ, ଏହା ଭାବି ତୁମ୍ଭେ ସ୍ଥିର କର । ମୁଁ ତୁମ୍ଭଙ୍କୁ କ’ଣ କହିବି, କି ପରାମର୍ଶ ଦେବି । ପ୍ରଭୁ ତୁମ୍ଭଙ୍କୁ ସୁବୁଦ୍ଧି ଦିଅନ୍ତୁ ମୁଁ କେବଳ ଏତିକି କହିବାକୁ ଚାହେଁ ।”

 

ଗୋପବନ୍ଧୁ ବାବୁ ଏହିସବୁ କଥା କହି ଆଁ କରି ମୋ ଆଡ଼କୁ ଅନାଇ ରହିଲେ । ତାହାଙ୍କ ଆଖିରୁ ଲୁହ ଧାର ବୋହି ଯାଉଥାଏ । ମତେ ବୋଧହେଲା ସତେ ଯେପରି ସେ ମତେ ତାଙ୍କର ଲୁହ ଧାରରେ ଭସାଇ ନେଇ ଯାଉଅଛନ୍ତି । ମୋର ହୃଦୟ ଥରି ଉଠିଲା । ତାଙ୍କର କଥା ଶୁଣି ଏବଂ ତାହାଙ୍କୁ ଏପରି କାନ୍ଦିବାର ଦେଖି ମୋର ରୋମ ଟାଙ୍କୁରି ଉଠିଲା । ଆଉ ସମ୍ଭାଳି ନ ପାରି ମୁଁ କାନ୍ଦି ଉଠିଲି । ମତେ କାନ୍ଦିବାର ଦେଖି ସେ ପୁଣି କହିଲେ, ‘‘ଗୋବିନ୍ଦ, କାନ୍ଦିଲେ କ’ଣ ହେବ । ଯାହା ସତ୍ୟ, ଯାହା ନ୍ୟାୟ ବୋଲି ତୁମ୍ଭେ ଭାବୁଛ, ସେହି ପଥ ତୁମ୍ଭେ ଅନୁସରଣ କର । ପ୍ରଭୁ ତୁମ୍ଭର ସହାୟ ହେବେ । ମନୁଷ୍ୟର ସାହାଯ୍ୟ କିଛି ନୁହେ । ଈଶ୍ୱରଙ୍କର କୃପା ଓ ତାହାଙ୍କର ଅନୁଗ୍ରହ ମନୁଷ୍ୟର ଏକମାତ୍ର ସମ୍ବଳ । ତୁମ୍ଭେ ସେହି ସମ୍ବଳ ଲାଭ କରିବାକୁ ପ୍ରସ୍ତୁତ ହୁଅ ।’’

 

ଗୋପବନ୍ଧୁ ବାବୁଙ୍କ ନିକଟରୁ ଫେରି କଟକରେ ଆସି ଉପସ୍ଥିତ ହେଲି । ମନେ ମନେ ସ୍ଥିରକଲି ମୁଁ ଆଉ ସାକ୍ଷୀ ଦେବି ନାହିଁ । କେବଳ ଏହା ସ୍ଥିରକଲି ତାହା ନୁହେ, ସାକ୍ଷୀ ଦେବାର ସମୟ ହେଲେ ଦଶପଲ୍ଲା ଯିବି । ମେଳି ମକଦ୍ଦମା ବିଚାର କରୁଥିବା ଜଜ୍ ସାହେବଙ୍କ ଆଗରେ ସତ୍ୟ ଘଟଣା ସବୁ କହିବି । ସେତେବେଳକୁ ଦଶପଲ୍ଲା ମେଳି ମକଦ୍ଦମା ବିଚାର କରିବାପାଇଁ ଅନୁଗୁଳର ଡିପୋଟି କମିସନର ଲୁକ୍‌ସ୍ ସାହେବ ଜଜ୍ ହୋଇ ନିଯୁକ୍ତ ହେଲେଣି । ସେ ଯାଇ ଦଶପଲ୍ଲାରେ ବର୍ତ୍ତମାନ ମେଳି ମକଦମା ବିଚାର କରୁଅଛନ୍ତି । ମେଳିଆ ବୋଲି ଯେଉଁମାନେ ଧରା ହୋଇ ଅଛନ୍ତି ସେମାନଙ୍କ ବିଚାର ଚାଲିଛି । ଦଶପଲ୍ଲା ମେଳିର ଯେପରି ନ୍ୟାୟ ବିଚାର ହେଲା ସେ ପୁଣି ଆଉ ଗୋଟିଏ ରହସ୍ୟ । ଏଥିରେ ବିହାର-ଓଡ଼ିଶା ସରକାର ମୁଖ୍ୟତଃ ଦାୟୀ । ଦଶପଲ୍ଲା ମେଳିକୁ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରାଯାଇଥିଲା ବୋଲି ଚିତ୍ରଣ କରାଯାଇଛି-Waging war against British Government. ଏହି ଅପରାଧରେ ଦଶପଲ୍ଲାର ମେଳିଆ କନ୍ଧଙ୍କ ବିଚାର ଚାଲିଛି । ଏତେ ବଡ଼ ଗୁରୁତର ଅପରାଧରେ ଅଭିଯୁକ୍ତ କରାହୋଇ ବିଚାର ଚାଲିଛି । ଅଥଚ ଅଭିଯୁକ୍ତ ବ୍ୟକ୍ତିମାନଙ୍କ ପକ୍ଷ ସମର୍ଥନ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଓକିଲ ମୁକ୍ତିଆର କେହି ନାହାନ୍ତି । ସରକାରଙ୍କ ତରଫରୁ ମଧ୍ୟ ତହିଁର କୌଣସି ବ୍ୟବସ୍ଥା ହୋଇ ନାହିଁ । ଏପରି ଅବସ୍ଥାରେ ଲୁକ୍‌ସ୍‌ ସାହେବଙ୍କ ବୁଝାମଣା କିପରି ହେଉଥିବ ତାହା କଳ୍ପନା କରି ନେବା ଉଚିତ । ଏସବୁ କଥା ମୁଁ ଜାଣୁଛି । ଦଶପଲ୍ଲା ମେଳିର ବିଚାର କିପରି ଚାଲିଛି ତାହା ମଧ୍ୟ ବୁଝୁଛି । ଏସବୁ ଜାଣି ଓ ଶୁଣି ମୁଁ ଆହୁରି ଭୟଭୀତ ହୋଇ ଯାଉଛି । ତଥାପି ଭାବୁଛି, ମୁଁ ଦଶପଲ୍ଲା ଯିବି, ମେଳିର ଅସଲ ରହସ୍ୟ ମୁଁ ଯାହା ଜାଣେ ତାହା ଜଜ୍ ସାହେବଙ୍କ ଆଗରେ କହିବି । ଏଥିପାଇଁ ମତେ ଯାହା ଦଣ୍ଡ ଭୋଗ କରିବାକୁ ହେବ ତାହା ଭୋଗ କରିବି । କାରଣ ଜଜ୍ ଲୁକ୍‌ସ୍ ସାହେବଙ୍କ ଆଗରେ ଜଣେ କେହି ସତ୍ୟକଥା କହିବା ଦରକାର । ସେ ତ କିଛି ବୁଝି ପାରୁ ନ ଥିବେ । ବିଶ୍ୱାଳେ ଓ ଦାମବାବୁ ଯେଉଁ ଘଟଣା ଯେପରି ଆକାରରେ ତାହାଙ୍କ ଆଗରେ ଥୋଉଥିବେ, ସେ ତାହାକୁ ସେପରି ଭାବରେ ଦେଖୁଥିବେ । ଏପରି ସ୍ଥଳେ ମୁଁ ସତ୍ୟକଥା କହିବି । ଦଶପଲ୍ଲାରୁ ଏତେ ଲୋକ ମରିଗଲେ ଏତେ ଲୋକ ସର୍ବସ୍ୱାନ୍ତ ହୋଇଗଲେ, ଏତେ ଲୋକ ଦଣ୍ଡ ପାଇବେ । ମୁଁ ଆଉ ଜଣେ ସେମାନଙ୍କ ସାଙ୍ଗକୁ ହେବି । ଏଥିପାଇଁ ଆଉ ଭୟ କରିବି ନାହିଁ ।

 

To every man upon this earth,

Death comes soon or late.

But how can man die better,

Than facing fearful odds.

 

ମ୍ୟାକେଲଙ୍କର ଏହି ପଦ୍ୟଟି ମୋର ବରାବର ଏତେବେଳେ ମନେ ପଡ଼ିଲା ଏହାକୁ ଉଚ୍ଚାରଣ କରି ମୁଁ ହୃଦୟରେ ଅଭୂତପୂର୍ବ ବଳ ଓ ସାହସ ଅନୁଭବ କଲି ।

 

ଏହିପରି ନିଶ୍ଚୟ କରି ମୁଁ ଅଛି, ଏହି ସମୟରେ ଦଶପଲ୍ଲାରୁ ଦୀନବନ୍ଧୁ ପଣ୍ଡା ନାମରେ ଜଣେ ସ୍କୁଲ ଶିକ୍ଷକ ମତେ ନେବାକୁ କଟକ ଆସିଲେ । ସେ ଆସିଲା ମାତ୍ରକେ ମୁଁ ଦଶପଲ୍ଲା ବାହାରିଲି । ଦଶପଲ୍ଲାରୁ ମତେ ନେବାକୁ ହାତୀ ଖୋରଧାରୋଡ ପର୍ଯ୍ୟନ୍ତ ଆସିଥାଏ । ଖୋରଧାରୋଡରେ ଉପସ୍ଥିତ ହୋଇ ପଣ୍ଡିତେ ଓ ମୁଁ ଦୁହେଁ ହାତୀରେ ବସି ଦଶପଲ୍ଲାରେ ଯାଇ ଉପସ୍ଥିତ ହେଲୁ । ଦଶପଲ୍ଲାରେ ଉପସ୍ଥିତ ହେବା ମାତ୍ରକେ ବିଶ୍ୱାଳେ ମତେ ଡକାଇ ପଠାଇଲେ । ଆରଥର ମୋ ନିକଟରୁ କିଛି ଲେଖାଇ ରଖି ନାହାନ୍ତି । ମୋଠାରୁ ଲେଖାଇ ରଖିବାକୁ ସେମାନେ ଭୁଲି ଯାଇଥିଲେ ବୋଲି ମୋର ମନେ ହୁଏ ନାହିଁ । ସେମାନେ ଜାଣି ଶୁଣି ମୋଠାରୁ ବୋଧହୁଏ ଲେଖାଇ ରଖି ନାହାନ୍ତି । ପ୍ରଥମତଃ ମୋ ଉପରେ ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ଜନ୍ମି ଯାଇଥିଲା । ତା’ରପର, ଯଦି ମୁଁ ଭବିଷ୍ୟତରେ କିଛି ଗୋଳମାଳ କରେ, ଅର୍ଥାତ୍ ସେମାନଙ୍କ କଥାର ବହିର୍ଭୂତ ହୋଇ ସାକ୍ଷୀ ନ ଦିଏ, ତେବେ ସେମାନେ ମୋ ବିରୁଦ୍ଧରେ ମେଳି କରାଇଥିବା ଅପରାଧଟି ସହଜରେ ଖଞ୍ଜିଦେଇ ପାରିବେ । ଏହା ଭାବି ସେମାନେ ସେତେବେଳେ ମୋଠାରୁ କିଛି ଲେଖାଇ ରଖି ନାହାନ୍ତି ବୋଲି ମୋର ସନ୍ଦେହ । ସେ ଯାହାହେଉ ବିଶ୍ୱାଳେ ଡକାଇଲା ମାତ୍ରକେ ମୁଁ ତାଙ୍କ ନିକଟରେ ହାଜର ହେଲି । ପ୍ରଥମତଃ କେତେକ ବ୍ୟକ୍ତିଗତ ସୁଖ ଦୁଃଖ ପରେ ବିଶ୍ୱାଳେ କହିଲେ ଯେ ସେ ମାଜିଷ୍ଟ୍ରେଟ ଭାବରେ ମୋଠାରୁ ଗୋଟିଏ ଇସ୍ତାହାର ଲେଖାଇ ନେବାକୁ ଚାହାନ୍ତି । ମୁଁ ଜଜ୍ ସାହେବଙ୍କ ଆଗରେ ଯାହା କହିବି, ସେସବୁ ବିଶ୍ୱାଳଙ୍କ କୋଟରେ ଆଗ କହିବାକୁ ହେବ । ସେ ହେଉଛନ୍ତି ଦଶପଲ୍ଲା ଷ୍ଟେଟର ମାଜିଷ୍ଟ୍ରେଟ ।

 

ବିଶ୍ୱାଳଙ୍କ ନିକଟରୁ ଏହା ଶୁଣି ମୁଁ ସ୍ପଷ୍ଟ ମନା କରିଦେଲି ଯେ ମୁଁ କିଛି କହି ପାରିବି ନାହିଁ-। ମୁଁ ସେତେବେଳେ ଡରି, ହଁ ଜାଣେ ବୋଲି କହି ଦେଇଥିଲି । କିନ୍ତୁ ବର୍ତ୍ତମାନ ମୁଁ ଆଉ କିଛି କହି ନ ପାରେ । ଏଥିପାଇଁ ମତେ କ୍ଷମା ଦିଅନ୍ତୁ । ମୋ ମୁହଁରୁ ଏତକ ବାହାରିଛି କି ନାହିଁ ବିଶ୍ୱାଳଙ୍କ ରୂପ ବଦଳି ଗଲା । ତାଙ୍କ କ୍ରୋଧର ସୀମା ରହିଲା ନାହିଁ । ସେ ଟେବୁଲ ଉପରେ ହାତକୁ କଚାଡ଼ି ଦେଇ ଅତି ପାଟିକରି ନାନା କଥା କହିବାକୁ ଆରମ୍ଭ କଲେ । ମୁଁ ଜଣେ ଛାତ୍ର ନ ହୋଇ ଦଶପଲ୍ଲାର ଜଣେ ଯଦି ଇତର ଲୋକ ହୋଇଥାନ୍ତି ତେବେ ମୋର ଅବସ୍ଥା କ’ଣ ହୋଇଥାନ୍ତା ମୁଁ ମଧ୍ୟ ତାହା କଳ୍ପନା କରି ପାରୁ ନ ଥାଏ ।

 

ହଠାତ୍ ଦାମ ରଥଙ୍କ ନିକଟକୁ ଲୋକ ଦୌଡ଼ିଲା । ରଥେ ଆପଣେ ଆସି ମଧ୍ୟ ତତ୍‌କ୍ଷଣାତ୍ ହାଜର ହୋଇଗଲେ । ସେ ଉପସ୍ଥିତ ହୋଇ ମତେ କିଛି ନ କହି ବିଶ୍ୱାଳଙ୍କ ଉପରେ ରାଗିଲା ପରି କଥା କହିବାକୁ ଆରମ୍ଭ କଲେ । ଦାମ ରଥେ କହୁଥାଆନ୍ତି, ‘‘ଭାବଗ୍ରାହୀ ବାବୁ, ଆପଣଙ୍କୁ ସୁପରିନ୍‌ଟେଣ୍ଡେଣ୍ଟ କିଏ କଲା ମୁଁ ବୁଝିପାରୁ ନାହିଁ । ଦେଖୁଛି, ଆପଣଙ୍କର କିଛି ବୁଦ୍ଧି ନାହିଁ-। ଗୋବିନ୍ଦ ଉପରେ ଆପଣ ମିଛରେ ରାଗୁଛନ୍ତି । ସେ କଟକ ଯାଇଥିଲା, କାହାଠାରୁ କ’ଣ ଶୁଣି, ସବୁ ଭୁଲି ଯାଇଛି । ସେ ପିଲାଲୋକ, ବାରଲୋକ ବାରକଥା ତାକୁ କହିଥିବେ, ସେସବୁ ଶୁଣି ତା’ର ମନ ବଦଳିଯିବା ସ୍ୱାଭାବିକ । ଆପଣ ଏତିକି ବୁଝି ନ ପାରି ମିଛରେ ତା’ ଉପରେ ରାଗିଛନ୍ତି ।’’ ଦାମବାବୁ ଏତକ ସେଠାରେ କହି, ମୋ କାନ୍ଧରେ ହାତ ପକାଇ ମତେ ସଙ୍ଗରେ ଧରି ତାଙ୍କ ବସାରେ ଆସି ହାଜର ହେଲେ । ରଥେ ଆପଣଙ୍କୁ ମଧ୍ୟ ସେହି କଥା କହିଲି । ମୁଁ କହିଲି, ‘‘ସେତେବେଳେ ଭୟରେ ମୁଁ ହଁ ମାରି ଦେଇଥିଲି । କିନ୍ତୁ ବୈଷ୍ଣବ ଦେଓ କିମ୍ବା ମେଳିଆ କନ୍ଧଙ୍କ ବିରୁଦ୍ଧରେ ସାକ୍ଷୀ ହୋଇ ଠିଆହେବା ମୋର ଆଉ ଇଚ୍ଛା ନୁହେଁ ।’’ ଦାମବାବୁ ମୋଠାରୁ ଏସବୁ ଶୁଣି ମତେ ବହୁତ ବୁଝାଇଲେ । ପଲିଟିକେଲ ଏଜେଣ୍ଟଙ୍କ ସମ୍ମୁଖରେ ମୁଁ ସାକ୍ଷୀ ଦେବା କଥା କହି ବର୍ତ୍ତମାନ ନାହିଁ କରିବାରେ ମୋର କ’ଣ କିପରି ଅନିଷ୍ଟ ଘଟିବ ତାହା ମଧ୍ୟ କହିଲେ । ସାକ୍ଷୀ ଦେବା ଓ ନ ଦେବାରେ କିପରି କ’ଣ ହୋଇପାରେ ସେସବୁ ରଥେ ଅପଣେ ମତେ ବିଶ୍ଳେଷଣ କରି ବୁଝାଇ ଦେଲେ । ତାହାଙ୍କର କଥା ଶୁଣି ମୁଁ କହିଲି, ‘‘ହଁ ମୁଁ ଜାଣୁଛି ଏବଂ ବୁଝୁଛି ଯେ ସାକ୍ଷୀ ଦେଲେ ମୋର ବହୁତ ମଙ୍ଗଳ ସାଧିତ ହୋଇ ପାରିବ । ଏପରି କି ପଲିଟିକେଲ ଏଜେଣ୍ଟଙ୍କର ଅନୁଗ୍ରହରେ ମୁଁ ମଧ୍ୟ କୌଣସି ଗୋଟିଏ ଷ୍ଟେଟର ଦେଓ୍ୟାନ୍ କିମ୍ବା ସୁପରିଣ୍ଟେଣ୍ଡେଣ୍ଟ ହୋଇପାରେ । ମୁଁ ଇଚ୍ଛାକଲେ ଏକ୍ଷଣି କିଛି ଅର୍ଥ ମଧ୍ୟ ପାଇପାରେ । ଯଥେଷ୍ଟ ଭୂସମ୍ପତ୍ତି ଲାଭ କରିପାରେ । କିନ୍ତୁ ଏସବୁ ମତେ କିମ୍ବା ମୋର ଆତ୍ମାକୁ ଶାନ୍ତି ଦେବ ନାହିଁ । ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଆପଣ ମତେ ଆଉ ସେଥିରେ ବଳାନ୍ତୁ ନାହିଁ । ମୁଁ କଦାପି ସାକ୍ଷୀ ଦେବି ନାହିଁ । ଆପଣ ଏସବୁ ମୋର ମଙ୍ଗଳପାଇଁ କହୁ ଅଛନ୍ତି । ଏହା ମଧ୍ୟ ମୁଁ ବୁଝୁଛି । ଏଥିପାଇଁ ଆପଣଙ୍କୁ ଅନ୍ତରର ଧନ୍ୟବାଦ ଅର୍ପଣ କରୁଛି ।’’

 

ମୋଠାରୁ ଏପରି କଥା ଶୁଣି ରଥେ ଆପଣେ ମତେ ଆଉ କିଛି କହିଲେ ନାହିଁ । ସେ ଭାବିନେଲେ ୟାକୁ ଆଉ କହି କିଛି ଲାଭ ନାହିଁ । କିନ୍ତୁ ମତେ କିଛି ନ କହିଲେ ମଧ୍ୟ ମତେ ତହିଁରୁ ମୁକ୍ତ କରାଉ ନାହାନ୍ତି । ସେମାନେ ଏଣିକି ସେମାନଙ୍କ ଦେଖିଲା କାମ କରିବେ, ଏହି ପରାମର୍ଶ ଚାଲିଛି । ମୁଁ ଏକପ୍ରକାର ବର୍ତ୍ତମାନ ସେମାନଙ୍କ ନିକଟରେ ବନ୍ଦୀ ।

 

ମତେ ବୁଝାଇ ସୁଝାଇ କାହିଁରେ ମୋର ମନ ନ ବଦଳିବାରୁ ସେଦିନ ରାତ୍ର ୯ଟା ସମୟରେ ମତେ ନେଇ ଗୋଟିଏ କୋଠରୀରେ ଭର୍ତ୍ତି କଲେ । ବିଶ୍ୱାଳେ, ଦାମବାବୁ, ଜଣେ ପୋଲିସ ସବ୍‌ ଇନ୍‌ସ୍ପେକ୍‌ଟର, ଆଉ ପୁଲିସା ହେଡ୍‌ କନେଷ୍ଟବଳ, ଏହି ଚାରିଜଣ ସେହି କୋଠରୀରେ ଉପସ୍ଥିତ ହେଲେ ପଲିଟିକେଲ ଏଜେଣ୍ଟଙ୍କ ଆଗରେ ମୁଁ ଯେପରି ଯାହା କହି ଯାଇଥିଲି ରଥେ ଆପଣଙ୍କ କହିବା ଅନୁସାରେ ପୋଲିସ ସବ୍‌ ଇନ୍‌ସ୍ପେକ୍‌ଟର ସେସବୁ ସେହିପରି ଖଣ୍ଡିଏ କାଗଜରେ ଲେଖି ପକାଇ ମତେ ତହିଁରେ ଦସ୍ତଖତ କରିବାକୁ କହିଲେ । ଦସ୍ତଖତ ଦେବାକୁ ମୁଁ ଟିକିଏ ଇତସ୍ତତଃ ହେବାରୁ ମତେ ଧମକ ଦେଇ ଏକପ୍ରକାର ମୋଠାରୁ ଜବରଦସ୍ତ ଦସ୍ତଖତ କରାଇ ନେଲେ, ଏକଥା କହିଲେ ତିଳେ ମାତ୍ର ଅତ୍ୟୁକ୍ତି ହେବ ନାହିଁ । ମୁଁ ମଧ୍ୟ ଦେଖିଲି ଯେ ଏଠାରେ ଏମାନଙ୍କ ସହିତ ଟଣା ଓଟରା କରିବାରେ କିଛି ଲାଭ ନାହିଁ । ସୁତରାଂ ମୁଁ ମଧ୍ୟ ବଙ୍କାଟଙ୍କା କରି ଯାହା ତାହାରେ ଗୋଟାଏ ଦସ୍ତଖତ କରିଦେଇ ସେମାନଙ୍କ ଜୁଲୁମରୁ ସେ ରାତି ଖଲାସ ପାଇଲି । ମନେ ମନେ ବିଚାରି ନେଲି ଏହି ସମସ୍ତ ଘଟଣା ଜଜ୍ ସାହେବଙ୍କ ଆଗରେ କହିବି ।

 

ତହିଁ ଆରଦିନ ସକାଳେ ଜଜ୍ ସାହେବଙ୍କ ବିଚାର ଦେଖିବାକୁ ହାଜର ହେଲି । ସେଦିନ ବିଚରା ହାଡ଼ିବନ୍ଧୁ ପଟ୍ଟନାୟକଙ୍କର ବିଚାର ଚାଲିଥାଏ । ହାଡ଼ିବନ୍ଧୁ ଦଶପଲ୍ଲାର କୋର୍ଟ ଇନ୍‌ସ୍ପେକ୍‌ଟର କାର୍ଯ୍ୟ କରୁଥିଲେ । ଏହି ହାଡ଼ିବନ୍ଧୁଙ୍କ ସାହାଯ୍ୟ ଓ ପରାମର୍ଶରେ ଭାବଗ୍ରାହୀ ବିଶ୍ୱାଳ ଦଶପଲ୍ଲାରେ କେତେ କାଣ୍ଡ ସୃଷ୍ଟି କରିଛନ୍ତି । ଏହାଙ୍କ ପରାମର୍ଶରେ ଭାବଗ୍ରାହୀ ଦଶପଲ୍ଲାରେ ଆଜି ସର୍ବଶକ୍ତିମାନ୍-। ହାଡ଼ିବନ୍ଧୁ ବିଶ୍ୱାଳଙ୍କ ପରମ ସ୍ନେହୀ ଓ ପରମ ବନ୍ଧୁ । ତଥାପି ବୃଦ୍ଧ ରାଜାଙ୍କ ମୃତ୍ୟୁ ପରେ ରାଜନବର ଅବସ୍ଥା ଛାରଖାର ହୋଇ ଯାଉଥିବାର ଉପଲବ୍‌ଧି କରି ହାଡ଼ିବନ୍ଧୁ ସହ୍ୟ କରି ପାରିଲେ ନାହିଁ । ବିଶ୍ୱାଳଙ୍କ ବିରୁଦ୍ଧରେ ଅନେକ କଥା ଉଲ୍ଲେଖ କରି ଖଣ୍ଡିଏ ଭିତିରିଆ ଚିଠି ପଲିଟିକେଲ ଏଜେଣ୍ଟଙ୍କ ନିକଟକୁ ପଠାଇଲେ । ସାହେବ ସେହି ଚିଠି ପାଇ ବିଶ୍ୱାଳଙ୍କ ନିକଟକୁ ଓ୍ୟାପସ କରିଦେଲେ । ତହିଁରେ ହାଡ଼ିବନ୍ଧୁଙ୍କୁ ଧରି ବିଶ୍ୱାଳେ ଦେଢ଼ ବର୍ଷ ଜେଲଦଣ୍ଡ ଦେଇଥାନ୍ତି । ମେଳି ସମୟରେ ମେଳିଆମାନେ ଜେଲଖାନା ଭାଙ୍ଗିଦେବାରୁ ହାଡ଼ିବନ୍ଧୁ ପ୍ରାଣଭୟରେ ପଳାଇ ଅନ୍ୟ ଜିଲାରେ ଲୁଚି ରହିଥିଲେ । ତାହାଙ୍କୁ ଧରି ମେଳି କରାଇଥିବା ଅପରାଧରେ ଆଜି ତାହାଙ୍କର ବିଚାର ଚାଲିଛି । ତାହାଙ୍କର ଘର ଲୁଟ କରାଇ ଦିଆ ଯାଇଛି । ହାଡ଼ିବନ୍ଧୁଙ୍କ ସ୍ତ୍ରୀ ବାଳକ ସେତେବେଳକୁ ଦାଣ୍ଡର ଭିକାରୀ କହିଲେ ଚଳେ । ଏହି ହାଡ଼ିବନ୍ଧୁଙ୍କ ବିଚାର କିପରି ଚାଲିଛି ତାହା ଦେଖିବାକୁ ମୁଁ ଆଜି ହାଜର ହୋଇଛି ।

 

ବିଚାରା ହାଡ଼ିବନ୍ଧୁଙ୍କ ବିଚାର ଦେଖି ମୋର ଭ୍ରମ ଦୂର ହୋଇଗଲା । ମୋର ଆଖି ଖୋଲିଗଲା । ମୁଁ ଭାବିଥିଲି ଜଜ୍ ସାହେବଙ୍କ ଆଗରେ ସମସ୍ତ ଘଟଣା ପ୍ରକାଶ କରି ଦଶପଲ୍ଲା ମେଳିଆ ପ୍ରଜାଙ୍କର ଦୁଃଖ ଯନ୍ତ୍ରଣା କିଛି ହ୍ରାସ କରିବାକୁ ଚେଷ୍ଟା କରିବି । କିନ୍ତୁ ମୋର ସେହି ଚିନ୍ତା, ସେହି ଭାବନା ସବୁ ଭୁଲ । ମୁଁ ଯାହା ଆଖିରେ ଦେଖୁଛି, ତାହା କଥାରେ ପ୍ରକାଶ କରି ପାରୁ ନାହିଁ । ମୁଁ ଦେଖୁଛି, ମୁଁ କହିବି, କିନ୍ତୁ ମୋ କଥା କେହି ଶୁଣିବେ ନାହିଁ । ମୁଁ ଏଠାରେ ଯାହା କହିବି, ସେସବୁ ହେବ ଅରଣ୍ୟ-ରୋଦନ । ମୁଁ କାହାରି କିଛି କରି ପାରିବି ନାହିଁ । ନିଜ ଜୀବନକୁ ବରଂ ବିପଦଗ୍ରସ୍ତ କରିବି । ଦଶପଲ୍ଲା ପ୍ରଜାଙ୍କର ଦୁଃଖ ଯନ୍ତ୍ରଣା ଦୂର କରିବାକୁ ଯଦି ଇଚ୍ଛା ଥାଏ, ତେବେ ଏଠାରୁ ଏମାନଙ୍କ କବଳରୁ ଖସିଯାଇ ଏ ସମସ୍ତ ବ୍ୟାପାର ଦେଶରେ ଯାଇ ପ୍ରଚାର କରି ବୁଲିବା ଦରକାର-। ତାହା ନ କରି ଏଠାରେ ଜଜ୍ ସାହେବଙ୍କ ଆଗରେ ସେସବୁ କହିବାରେ କିଛି ମୂଲ୍ୟ ନାହିଁ । ମୋ କଥା କେହି ଶୁଣିବେ ନାହିଁ ।

 

ଏହି ବିଚାର ମନରେ ପ୍ରବେଶ କରିବା ମାତ୍ରକେ ଦଶପଲ୍ଲା ଛାଡ଼ି ପଳାଇ ଆସିବାର କଳ୍ପନା ବାନ୍ଧିଲି । କିନ୍ତୁ ଆସିବି କିପରି ? ମୁଁ ଯେ ଏକ ପ୍ରକାର ବନ୍ଦୀ । ସବୁବେଳେ ମୋ ପଛରେ ଗୁପ୍ତ ପହରା । ମୁଁ ଏଠାରୁ ପଳାଉଛି କିପରି ? ଦଶପଲ୍ଲା ଗଡ଼ରେ ଶ୍ରୀଧର ମିଶ୍ର ନାମରେ ଜଣେ ମୋର ହିତାକାଙ୍କ୍ଷୀ ବନ୍ଧୁ ଅଛନ୍ତି । ତାହାଙ୍କ ଘର ଗଡ଼ରେ । ସେ ଦଶପଲ୍ଲା କଚେରୀରେ ନବିସନ୍ଧା କାର୍ଯ୍ୟ କରନ୍ତି । ସେ ମଧ୍ୟ ମେଳିରେ ଧରାହୋଇ ବିଶ୍ୱାଳଙ୍କ ଠାରୁ ନାନା ନିର୍ଯ୍ୟାତନା ଭୋଗ କରିଛନ୍ତି । ସହନଲାଲ ନାମରେ ଦଶପଲ୍ଲାରେ ଜଣେ ମାରବାଡ଼ି ବ୍ୟବସାୟୀ ଥାନ୍ତି । ତାହାଙ୍କୁ ମଧ୍ୟ ମୁଁ ଭଲ କରି ଜାଣେ । ସେ ମତେ ଅନେକ ସମୟରେ କଟକ ଆସିବାକୁ କିଛି କିଛି ସାହାଯ୍ୟ କରନ୍ତି-। ମେଳିରେ ସେ ମଧ୍ୟ ବହୁତ ଦୁଃଖ କଷ୍ଟ ସହ୍ୟ କରିଛନ୍ତି । ଅପର୍ଯ୍ୟାପ୍ତ ଅର୍ଥ ବିଶ୍ୱାଳଙ୍କୁ ଦେଇ ମେଳିରୁ ଖଲାସ ପାଇଅଛନ୍ତି । ଏହି ଦୁଇ ଜଣଙ୍କୁ ମୁଁ ମୋର ମନକଥା ଜଣାଇଲି । ଏମାନେ ପରାମର୍ଶ ଦେଲେ ଯେ ମୁଁ ଯଦି ପଳାଇ ଯାଇ ଜଣେ ଓକୀଲ ଧରି ଦଶପଲ୍ଲାରେ ହାଜର ହୋଇପାରେ ତେବେ ହଜାର ହଜାର ଲୋକ ମୋତେ ସାହାଯ୍ୟ କରିବାକୁ ବାହାରି ପଡ଼ିବେ । ଟଙ୍କା ପଇସାର କୌଣସି ଅଭାବ ପଡ଼ିବ ନାହିଁ । ଓକୀଲ ଧରି ଆସିବାର ଅସୁବିଧା ହେଲେ ଅତିଶୀଘ୍ର ଲାଟ, ବଡ଼ଲାଟଙ୍କ ନିକଟକୁ ଦଶପଲ୍ଲା ଅତ୍ୟାଚାରର କଥା ଲେଖି ଜଣାଇବାର ପ୍ରଯତ୍ନ କରିବା ଦରକାର । ଏ ଦୁଇଜଣ ମତେ ଏହିପରି ପରାମର୍ଶ ଦେଲେ । ସହନଲାଲ ବାଟଖର୍ଚ୍ଚ ପାଇଁ ମତେ ଦଶଟି ଟଙ୍କା ଦେଲେ । ମୁଁ ସେହିଦିନ ଯେ କୌଣସି ପ୍ରକାରେ ଦାମବାବୁ ଓ ବିଶ୍ୱାଳଙ୍କ ଆଖିରେ ଧୂଳି ପକାଇ ଦଶପଲ୍ଲାରୁ ଖସି ପଳାଇ ଆସିବାପାଇଁ ସଂକଳ୍ପ କଲି । ଏହା ଯଦି ନ କରେ ଦଶପଲ୍ଲା ପରି ଅନ୍ଧାରି ରାଜ୍ୟରେ ଯାହାସବୁ ଘଟୁଛି ଅବା ଘଟିଅଛି, ସେସବୁ ଅନ୍ଧକାର ଭିତରେ କୁଆଡ଼େ ଉଭେଇ ଯିବ । କେହି କିଛି ଜାଣି ପାରିବେ ନାହିଁ ।

 

ଦଶପଲ୍ଲା ଗଡ଼ ନିକଟରେ କୁଆଁରୀଆ ନାମରେ ଗୋଟିଏ ନଦୀ ଅଛି । ନଦୀର ଅପର ପାର୍ଶ୍ୱ ଜଙ୍ଗଲ । ଦିନ ଚାରିଟା ବେଳେ ମୁଁ ଘରେ ହାଜର ହୋଇ କହିଲି ଯେ ମତେ ଯଦି କେହି ଖୋଜିବାକୁ ଆସେ ତେବେ କହିଦେବ, ‘ଗୋବିନ୍ଦ ଘରକୁ ଆସିଥିଲା, କୁଆଡ଼କୁ ଯାଇଛି; କହିଛି, ରାତି ଆଠଟାରେ ଆସିବ ।’ ଏହି କଥା କହି ଘରୁ ବାହାରିଲି । ଏହି ନଦୀକୂଳରେ ହାଜର ହେଲି । ନଦୀ ଆରପାଖକୁ ପୋଖରୀ ଯିବା ବାହାନାରେ ନଦୀ ପାର ହୋଇ ଜଙ୍ଗଲରେ ପ୍ରବେଶ କଲି । ଜଙ୍ଗଲ ଭିତରେ ପ୍ରବେଶ କଲା ମାତ୍ରକେ ସେହି ଜଙ୍ଗଲ ଭିତର ଦେଇ ଦୌଡ଼ି ଦୌଡ଼ି ସନ୍ଧ୍ୟା ସାତଟାରେ ଆସି ଗଣିଆ ନାମକ ସ୍ଥାନରେ ହାଜର ହେଲି । ଗଣିଆରେ ଗୋଟିଏ ପୋଲିସ ଷ୍ଟେସନ ଅଛି । ଏଠାରେ ରାତ୍ରରେ ରହିଲେ ପୁଲିସ ଜାଣିପାରିବ, ଏହି ଭୟରେ ବେଲପଡ଼ା ନାମକ ଗ୍ରାମକୁ ଗଲି । ବେଲପଡ଼ାରେ ନରସିଂହର ଘର ।

 

ନରସିଂହ ନିକଟରେ ରାତ୍ର ୮ଟାରେ ମୁଁ ଯାଇ ହାଜର ହେଲି । ନରସିଂହ ସବୁ ଜାଣେ । ମୁଁ ଧରା ହୋଇ ସାକ୍ଷୀ ଦେବା କଥା ଜାଣେ । ସାକ୍ଷୀ ନ ଦେବାକୁ ମୁଁ ପ୍ରତିଜ୍ଞା କରିଥିବା କଥା ଜାଣେ-। ସାକ୍ଷୀ ନ ଦେବାକୁ ମୋର ପ୍ରତିଜ୍ଞା ଜାଣି ନରସିଂହ ମୋର ଧୈର୍ଯ୍ୟ ଓ ସାହସକୁ ବହୁ ପ୍ରଶଂସା କରିଛି । ଆଜି ମୁଁ ହଠାତ୍ ଅଚାନକ ଭାବରେ ତାହା ନିକଟରେ ହାଜର ହେବାର ଦେଖି ସେ ଅବାକ୍ ହୋଇଗଲା । ନରସିଂହକୁ ଦେଖି ମୋର ବାକ୍‌-ରୁଦ୍ଧ ହୋଇଗଲା । ନରସିଂହ ମାଟ୍ରିକ ପରୀକ୍ଷା ଦେଇ ଘରେ ଅଛି । ତା’ର ଦାଦା ତାଙ୍କ ପରିବାରକୁ ଭରଣପୋଷଣ କରୁଥିଲେ । ସେ ହେଉଛନ୍ତି ନରସିଂହ ଘରର ଏକମାତ୍ର ମୁରବୀ, ପୋଷଣକର୍ତ୍ତା । ନରସିଂହ ବଡ଼ ଗରୀବ । ଆଜି ତାହାର ଦାଦା ମେଳିରେ ଧରା ହୋଇଥିବାରୁ ନରସିଂହର ଚଳାଚଳ ବଡ଼ କଷ୍ଟ । ନରସିଂହର ଘରେ ସମସ୍ତେ ଦିନେ ଦୁଇ ଦିନ ଧରି ଉପବାସ ରହି ଯାଉଛନ୍ତି । ଏହିପରି ଅବସ୍ଥାରେ ମୁଁ ତା’ର ଅତିଥି । ପ୍ରଥମେ ନରସିଂହ ମତେ ଦେଖି ମୁଁ ତାକୁ ଦେଖି କେହି କିଛି କହିପାରୁ ନାହୁଁ । ନରସିଂହ ମତେ ଦେଖି କାନ୍ଦୁଛି । ମୁଁ ମଧ୍ୟ ନରସିଂହକୁ ଦେଖି କାନ୍ଦୁଛି । କିଛି ସମୟ ପରେ ମୁଁ ନିଜକୁ ସମ୍ଭାଳି ନେଇ କହିଲି, ‘‘ଭାଇ ନରସିଂହ, ମୁଁ ଯାଉଛି, ଏ ଜୀବନରେ ଆଉ ଦେଖା ହେବ କି ନାହିଁ କିଏ ଜାଣେ । ମୋର ଭବିଷ୍ୟତ୍ ବଡ଼ ଅନ୍ଧକାର ।’’ ଏତିକି କହି ମୁଁ ନୀରବରେ ଠିଆ ହୋଇଛି । ମୋର ଆଖିରୁ ଲୁହ ବୋହି ଯାଉଛି । ମତେ ଏପରି ବ୍ୟାକୁଳ ହେବାର ଦେଖି ନରସିଂହ ବଡ଼ ଅଧୀର ହୋଇ ପଚାରିଲା, ‘‘ଭାଇ, କ’ଣ ହେଉଛି, ମୁଁ କିଛି ବୁଝିପାରୁ ନାହିଁ, ମତେ ଶୀଘ୍ର କହ ।’’ ନରସିଂହକୁ ମୁଁ ସବୁକଥା କହିଲି । ମୋର ପଳାଇ ଆସିବାର ଉଦ୍ଦେଶ୍ୟ ମଧ୍ୟ ବୁଝାଇଲି । ମୋଠାରୁ ଏସବୁ ଶୁଣି ନରସିଂହ ମୁହଁରୁ କଥା ବାହାରୁ ନ ଥାଏ । ଭୟ ଓ ଆନନ୍ଦରେ ସେ ଥରି ଉଠିଲା ପରି ଜଣା ଯାଉଥାଏ । ମୁଁ ତାହା ନିକଟକୁ ଆସିଛି, ଏହା ଜଣା ପଡ଼ିଲେ ତାକୁ ଧରିନେବେ ଏଥିପାଇଁ ତା’ର ଭୟ ଏବଂ ମୋର ସାହସରେ ତା’ର ଆନନ୍ଦ । ଏହିପରି ଭାବରେ ଆମ୍ଭ ଦୁଇ ବନ୍ଧୁଙ୍କ ମଧ୍ୟରେ କିଛି ସମୟ ଆଳାପ ଚାଲିଲା ପରେ ନରସିଂହ ଘରେ ସେଦିନ ରାତିକ ମୁଁ ଲୁଚି ରହିଲି । ତହିଁ ଆରଦିନ ରାତି ନ ପାହୁଣୁ ନରସିଂହ ଘର ଛାଡ଼ି ଚାଲି ଆସିଲି । ନରସିଂହ ମତେ ବାଟ ବଳେଇ ଦେବାକୁ ଆସିଲା । ରାତ୍ର ପାହି ସୂର୍ଯ୍ୟ ଉଦୟ ହେଲେ । ନରସିଂହ ମୋଠାରୁ ବିଦାୟ ନେଇ ଫେରିଲା । ମୁଁ ତା ଆଡ଼କୁ ଅନାଇଁ ଅନାଇଁ ବାଟ ଚାଲିଲି । ମୁଁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ନରସିଂହ ମତେ ଚାହିଁ ଠିଆହୋଇ ରହିଲା । ମୁଁ ଦଶପଲ୍ଲାରୁ ବିଦାୟ ନେଉଛି, ଦଶପଲ୍ଲାର ବଣ ଜଙ୍ଗଲ, ମାଟି ପଥର, ଆଜି ସବୁ ମତେ ଟାଣି ଧରିଲା ପରି ବୋଧ ହେଉଛି । ଏସବୁ ମାୟା ମମତାକୁ ଫିଙ୍ଗିଦେଇ ଆଜି ସମୁଦ୍ର ଗର୍ଭକୁ ଡିଆଁ ମାରୁଛି । ମୋର ଆଜି ସବୁ ଅନିଶ୍ଚିତ । ମୁଁ କୁଆଡ଼େ ଯିବି, କେଉଁଠାକୁ ଯିବି, କ’ଣ କରିବି ସବୁ ଅନିଶ୍ଚିତ ।

 

ନରସିଂହ ନିକଟରୁ ବିଦାୟ ନେଲାବେଳେ ନରସିଂହ ଏସବୁ ବୁଝି ପାରିଛି । ମୁଁ ତା ନିକଟରୁ ଚିରକାଳପାଇଁ ଅନ୍ତର ହୋଇ ଚାଲି ଯାଉଛି । ଏହି ଭାବନା ମଧ୍ୟ ମୋ ମନରେ ଖେଳି ଯାଉଛି । ସେଥିପାଇଁ ନରସିଂହକୁ ମୁଁ ଭୁଲିପାରୁ ନାହିଁ । ଛାଡ଼ି ପାରୁ ନାହିଁ । ବାଟ ଚାଲିଲାବେଳେ ପଛକୁ ଚାହିଁ ଚାହିଁ ତାକୁ ଦେଖୁଛି । ନରସିଂହ ଅଦୃଶ୍ୟ ହୋଇ ଯାଉଛି । ଆଜି ମଧ୍ୟ ସେ ଅଦୃଶ୍ୟ ହୋଇଅଛି । ସେ ନରସିଂହ ଆଉ ଇହଜଗତରେ ନାହିଁ । ନରସିଂହ ଦଶପଲ୍ଲାରୁ ପ୍ରଥମେ ବି. ଏ. ପାସ କରିଥିଲା । ଖୋରଧା ସ୍କୁଲରେ ଶିକ୍ଷକ କାମ କରୁଥିଲା । ସେହିଠାରେ ସାନ୍ନିପାତିକ ଜ୍ୱର ହୋଇ ତାହାର ମୃତ୍ୟୁ ଘଟିଲା । ନରସିଂହ ମୋର ଅତି ପ୍ରିୟ ବନ୍ଧୁ । ମୋଠାରେ ତା’ର ସ୍ନେହ, ଶ୍ରଦ୍ଧା ଓ ଭକ୍ତି ଅସୀମ । ଜୀବନରେ ମୁଁ ଯଦି କାହାଠାରୁ ସ୍ନେହ ପାଇଥାଏ, ତେବେ ସେ ହେଉଛି ନରସିଂହ । ନରସିଂହକୁ ମୁଁ ଭୁଲି ନାହିଁ । ଜୀବନରେ ମଧ୍ୟ ଭୁଲି ପାରିବି ନାହିଁ । ନରସିଂହ ଆଜି ମୋର ପ୍ରତ୍ୟେକ କର୍ମ କ୍ଷେତ୍ରରେ ମନେ ପଡ଼ୁଛି । ଶାନ୍ତ, ସୌମ୍ୟ ଓ ଋଷିପ୍ରାଣ ନରସିଂହ ମୋ ଆଖିରେ ନାଚି ଯାଉଛି । ନରସିଂହର ମୃତ୍ୟୁରେ ଦଶପଲ୍ଲାର ବନ ଜଙ୍ଗଲ କାନ୍ଦିଛି ଏବଂ ଆଜି ମଧ୍ୟ ନରସିଂହକୁ ଝୁରୁଅଛି । ମୁଁ ଭୁଲିବି କିପରି ?

 

ସେ ଯାହାହେଉ ନରସିଂହକୁ ମୁଁ ଛାଡ଼ିଲି । ପ୍ରିୟଭୂମି ଦଶପଲ୍ଲାକୁ ଛାଡ଼ିଲି । ଦୌଡ଼ିବାକୁ ଆରମ୍ଭ କଲି । କେତେବେଳେ ଦୌଡ଼େ, କେତେବେଳେ ଚାଲେ । ଅପ୍ରେଲ ମାସ ଖରା, ବାଟ ତାତି ଯାଇଥାଏ । କିନ୍ତୁ ତାତିକୁ ଡରି ବିଶ୍ରାମ ନେବାକୁ ତର କାହିଁ ? ଭୟ ଥାଏ, କାଳେ ଦଶପଲ୍ଲାରୁ ପୋଲିସ ମୋ ପଛ ଧରିଥିବ ପରା । ସୁତରାଂ ଖରା, ତାତି କିଛି ନ ମାନି ମୁଁ ଦୌଡ଼ି ଦୌଡ଼ି ୫୫ମାଇଲ ବାଟ ଚାଲି ଆସି ଖୋରଧା ଷ୍ଟେସନରେ ପହଞ୍ଚିଲି । ସେଠାରୁ ଗାଡ଼ିରେ ଚଢ଼ି କଟକରେ ଉପସ୍ଥିତ ।

Image

 

ପଞ୍ଚମ ପରିଚ୍ଛେଦ

 

ଖୋରଧା-ରୋଡ଼ରେ ରାତି ୧୦ଟାରେ ଗାଡ଼ିରେ ଚଢ଼ି ରାତି ପ୍ରାୟ ଗୋଟାକ ସମୟକୁ ମୁଁ ଆସି କଟକ ମିଶନସ୍କୁଲ ହିନ୍ଦୁ ହୋଷ୍ଟେଲରେ ହାଜର ହେଲି । ଦଶପଲ୍ଲାରୁ ପଳାଇ ଆସିଲା ବେଳେ ମୁଁ ଶୁଣିଥାଏ ଯେ, ବୈଷ୍ଣବ ଦେଓଙ୍କୁ ଧରିବାପାଇଁ ଓ୍ୟାରଣ୍ଟ କଟକ ଚାଲି ଗଲାଣି । ଏହି ସଂବାଦଟି ମୋର ଏତେ ଦ୍ରୁତ ଗତିରେ ଦୌଡ଼ିବାର ମଧ୍ୟ ଅନ୍ୟ ଗୋଟିଏ କାରଣ । ମୋର ଇଚ୍ଛା ବୈଷ୍ଣବ ଦେଓ ଧରା ହେବା ପୂର୍ବରୁ ମୁଁ ଯାଇ ତାହାଙ୍କୁ ଏହି ସଂବାଦ ଦେଇ ପାରିଲେ, ତାହାଙ୍କଦ୍ୱାରା କୌଣସି ଓକିଲକୁ ଦଶପଲ୍ଲା ଆଣିବାର ସୁବିଧା ହେବ । କିନ୍ତୁ ମୋର ଏହି ଇଚ୍ଛା ପୂରଣ ହୋଇ ପାରିଲା ନାହିଁ । ମିଶନ ହିନ୍ଦୁ ହୋଷ୍ଟେଲରେ ଉପସ୍ଥିତ ହୋଇ ଶୁଣିଲି ବୈଷ୍ଣବ ଦେଓ ସେହିଦିନ ଦିବା ୨ଟା ସମୟରେ କଟକରେ ଧରା ହୋଇ ଅଛନ୍ତି । ବୈଷ୍ଣବ ଦେଓଙ୍କ ଧରା ହେବା ଘଟଣାଟି କଟକରେ ଗୋଟିଏ ଚହଳ ପକାଇ ଦେଇଛି ଓ ମିଶନ ହିନ୍ଦୁ ହୋଷ୍ଟେଲର ଛାତ୍ରମାନେ ସମସ୍ତେ ଜାଣିଛନ୍ତି । ମୁଁ ଉପସ୍ଥିତ ହେବା ମାତ୍ରକେ ଏ ସଂବାଦ ପାଇବାରୁ ମୁଁ ଚମକି ପଡ଼ିଲି । ଯାହାଙ୍କ ସାହାଯ୍ୟରେ ଓକିଲ ଧରି ଦଶପଲ୍ଲା ଫେରିବାକୁ ବିଚାର ବାନ୍ଧି ଦଶପଲ୍ଲାରୁ ପଳାଇ ଆସିଲି, ସେ ଧରା ହୋଇଗଲେ । ମୁଁ କାହାକୁ କହିବି ? ମୋ କଥାରେ ବିଶ୍ୱାସ କରି କୌଣସି ଓକିଲ ଦଶପଲ୍ଲା ଯିବାକୁ ରାଜି ହେବେ କାହିଁକି? ଦଶପଲ୍ଲାରୁ ପଳାଇ ଆସି ବଡ଼ ବିପଦରେ ପଡ଼ିଲି । କଅଣ କରିବି, କୁଆଡ଼େ ଯିବି, କାହାକୁ କହିବି, କିଛି ବୁଝି ପାରିଲି ନାହିଁ । ଏହିପରି ନାନା ପ୍ରଶ୍ନ ମନରେ ଆସି ଖେଳିଗଲା । ମୋ ମନ ଅତି ଚଞ୍ଚଳ ହୋଇ ଉଠିଲା । ମତେ ଯେପରି ପାଗଳ ପରି କଥାବାର୍ତ୍ତା କରିବାର ଦେଖି, କିଏ କେତେ ପ୍ରକାର ପ୍ରଶ୍ନ କଲେ । ମୁଁ ଦେଖିଲି ବୋଡିଙ୍ଗ୍‌ରେ ରହିବା ମୋ ପକ୍ଷରେ ନିରାପଦ ନୁହେଁ । ତହିଁ ଆର ଦିନ ସକାଳୁ ସ୍କୁଲକୁ ଗଲି । ସକାଳ ବେଳା ସ୍କୁଲ ହେଉଥାଏ-। ସ୍କୁଲ୍‌ରେ ଉପସ୍ଥିତ ହେଲି । ସେଠାରେ ମଧ୍ୟ ମନ ଥୟ ହୋଇ ରହିଲା ନାହିଁ । ମୁଁ ଯାଇ କନିକା ରାଜାଙ୍କ ନିକଟରେ ପହଞ୍ଚିଲି । ବୈଷ୍ଣବ ଦେଓ କନିକା ରାଜାଙ୍କ ମଉଳା ଶୂର, ଏହା ଆଗରୁ ଉଲ୍ଲେଖ କରିଛି । ଏହାଙ୍କୁ କହି ବୈଷ୍ଣବ ଦେଓଙ୍କ ସକାଶେ ଜଣେ ଓକିଲ ପଠାଇବାର ବନ୍ଦୋବସ୍ତ କରିବି । ଏହି ଇଚ୍ଛାରେ କନିକା କୋଠିରେ ହାଜର ହେଲି । କନିକା ରାଜାଙ୍କ ସହିତ ଦେଖା ହେଲା-। ସମସ୍ତ ଘଟଣା ମୁଁ ତାହାଙ୍କୁ ଶୁଣାଇ କିଛି ଟଙ୍କା ପଇସା ଅନ୍ତତଃ ଧାର ସ୍ୱରୂପ ସାହାଯ୍ୟ କରିବାକୁ ଅନୁରୋଧ କଲି । ମୋଠାରୁ ଏସବୁ ଶୁଣି କିଏ ଓକିଲ ଯିବେ, କେତେ ଟଙ୍କା ପ୍ରଥମେ ଦରକାର, ଏସବୁ ବୁଝି ଜଣାଇବାକୁ ସେ ମତେ ଆଦେଶ ଦେଲେ । ତାହାଙ୍କ ଆଦେଶ ପାଇ ମୁଁ ଯାଇ ବାବୁ ଶରତ୍‌ଚନ୍ଦ୍ର ମୁଖର୍ଜି ନାମକ ଓକିଲଙ୍କ ସହିତ ପରାମର୍ଶ କଲି । ସେ ଦଶପଲ୍ଲା ଯିବାକୁ ରାଜି ହେଲେ-। ଦିନକୁ ଶହେଟଙ୍କା ସେ ନେବେ । ତାହାଙ୍କ ସହିତ ଦୁଇଜଣ ସାନ ଓକିଲ ଯିବେ । ସେମାନେ ଦିନକୁ ପଚିଶ ଟଙ୍କା କରି ନେବେ । ପ୍ରଥମତଃ ପନ୍ଦର ଦିନର ଖର୍ଚ୍ଚ ଆଗତୁରା ନ ପାଇଲେ ସେମାନେ ଯିବେ ନାହିଁ । ହିସାବ କରି ଦେଖିଲି ଅତି କମରେ ତିନି ହଜାର ଟଙ୍କା ନ ହେଲେ ନ ଚଳେ । ଏସବୁ ଠିକ୍ କରି ମୁଁ ପୁଣି କନିକା କୋଠିରେ ହାଜର ହେଲି । କିନ୍ତୁ ଶୁଣିଲି କନିକା ରାଜା କୌଣସି ବିଶେଷ କାର୍ଯ୍ୟ ଉପଲକ୍ଷରେ କଟକ ଛାଡ଼ି ରାଞ୍ଚି ଚାଲି ଗଲେଣି । ତାହାଙ୍କ ସହିତ ଦେଖା ହୋଇ ନ ପାରିବାରୁ ଓକିଲ ଧରି ଦଶପଲ୍ଲା ଫେରିବାର ମୋର ସମସ୍ତ ଆଶା ବୃଥା ହେଲା । ଏହାପରେ ମୁଁ ଯାଇ ମଧୁବାବୁଙ୍କ ନିକଟରେ ହାଜର ହେଲି । ଏଥି ପୂର୍ବରୁ ଆଉ ଥରେ ମଧୁବାବୁଙ୍କ ନିକଟକୁ ଦଶପଲ୍ଲା ମେଳି ବିଷୟ କହିବାକୁ ଯାଇଥିଲି । ସେ ମୋଠାରୁ ମେଳି ବିଷୟ ଶୁଣି ଅତ୍ୟାଚାର ଭୋଗିଥିବା ଜଣେ ଦୁଇଜଣ ଲୋକଙ୍କୁ କଳ କୌଶଳରେ ଦଶପଲ୍ଲାରୁ ଆଣି ତାହାଙ୍କ ନିକଟରେ ପହଞ୍ଚାଇବାକୁ ମତେ ପରାମର୍ଶ ଦେଇଥିଲେ । ତାହା ମୁଁ କରି ପାରି ନାହିଁ । ଦଶପଲ୍ଲାରେ କଟକ, ପୁରୀ ନାମ ଉଚ୍ଚାରଣ କଲେ, ନାନା ପ୍ରକାର ସନ୍ଦେହ କରି ଲୋକଙ୍କୁ ଧରି ନେଇ ମାଡ଼ ଦିଆଯାଉଛି । ଏପରି ଅବସ୍ଥାରେ ଦଶପଲ୍ଲାରୁ ଲୋକ ଆସି ମଧୁବାବୁଙ୍କ ନିକଟରେ ହାଜର ହେବେ କିପରି । ସେ ଯାହାହେଉ ମୁଁ ପୁଣି ଆଉଥରେ ମଧୁବାବୁଙ୍କ ନିକଟକୁ ଗଲି । ସେ ମତେ ଦେଖିଲା ମାତ୍ରେ ରାଗିକରି କହିଲେ, ‘‘ଛାତ୍ରମାନଙ୍କର ଏସବୁ କାର୍ଯ୍ୟ ନୁହେଁ । ମୁଁ ତୁମକୁ କହିଲି, ଅତ୍ୟାଚାର ଭୋଗିଥିବା ଦୁଇ ଚାରି ଜଣ ଲୋକଙ୍କୁ ମୋ ନିକଟକୁ ନେଇ ଆସ । ମୁଁ ଚେଷ୍ଟା କରି ଦେଖିବି, କ’ଣ କରାଯାଇ ପାରେ । ତାହା ନ କରି ମୋ ପାଖକୁ ମିଛରେ ଦୌଡ଼ିଲେ ମୁଁ କ’ଣ କରି ପାରେ । ତୁମେ ଯାଅ, ମୋ ନିକଟରୁ ଯାଅ ।’’

 

ମଧୁବାବୁଙ୍କ ଠାରୁ ଏହିପରି ବାକ୍ୟ ଶୁଣି ମୁଁ ଅତି ନିରାଶରେ ଫେରିଲି । ମଧୁବାବୁ ଅବଶ୍ୟ ଯାହା କହିଲେ ତାହା ଠିକ କଥା । କିନ୍ତୁ ଦଶପଲ୍ଲାରୁ କାହାକୁ କଟକ ଆଣିବାର ବାଟ ମତେ କିଛି ଦେଖାଗଲା ନାହିଁ । ମଧୁବାବୁଙ୍କ ନିକଟରୁ ଫେରି ମୁଁ ଜାନକୀ ବାବୁଙ୍କ ନିକଟରେ ହାଜର ହେଲି-। ଜାନକୀ ବାବୁ ବୈଷ୍ଣବ ଦେଓଙ୍କ ଓକିଲ ଥିଲେ । ବୈଷ୍ଣବ ଦେଓଙ୍କ ତରଫ ଓକିଲ ହୋଇ ଦଶପଲ୍ଲା ଯିବାପାଇଁ ତାହାଙ୍କୁ ଅନୁରୋଧ କଲି । ସେ କହିଲେ, ‘‘ଦଶପଲ୍ଲା ଯାଇ ସେଠାରେ ବର୍ତ୍ତମାନ କ’ଣ କରାଯାଇ ପାରେ ! ବୈଷ୍ଣବ ଦେଓଙ୍କ ବିଚାର ସେଠାରେ କିପରି କ’ଣ ହେଉଛି ତାହା ହୋଇ ଯାଉ । ଏଠାରେ ତହିଁର ଅପିଲ ଦାଏର କରିବା ।’’ ତାହାଙ୍କଠାରୁ ଏତକ ଶୁଣିଲି । କିନ୍ତୁ ତାହାଙ୍କ କଥାରେ ମୋର ମନ ମାନିଲା ନାହିଁ । ମୁଁ ବର୍ତ୍ତମାନ କରେ କ’ଣ ! ମତେ କିଛି ବୁଦ୍ଧି ଦେଖାଗଲା ନାହିଁ ।

 

ଇତିମଧ୍ୟରେ ମୋ ନାମରେ ଦଶପଲ୍ଲାରୁ ଓ୍ୟାରଣ୍ଟ ନେଇ ପୋଲିସ ଆସି କଟକରେ ହାଜର ହେଲା । ମିଶନ ହିନ୍ଦୁ ହୋଟେଲରେ ସବୁବେଳେ ଜଗି ବସିଲା । କଟକରେ ସ୍ଥାନ ବିଶେଷରେ ମତେ ଧରିବାକୁ ଅନୁସନ୍ଧାନ ଚାଲିଲା । ମୁଁ ଦିନେ ଦୁଇଦିନ କଟକରେ ଲୁଚି ରହିଲି । ରାତିରେ ଯାଇ ହରହରି ଘାଟ ନଦୀ ବନ୍ଧରେ ଶୋଇରହେ । ଦିନ ତମାମ ଗୋରାକବର ଆଡ଼େ ଯାଇ ବୁଲୁଥାଏ । ଏହିପରି ଅବସ୍ଥାରେ, ସେତେବେଳକୁ ବାବୁ ବର୍ତ୍ତମାନ ସୁପରିଚିତ ସ୍ୱାମୀ ବିଚିତ୍ରାନନ୍ଦ ଦାସ ଓକିଲଙ୍କ ନିକଟରେ ପହୁଞ୍ଚିଲି । ଦଶପଲ୍ଲା ମେଳିରେ ମୁଁ ଯଦି ଧରା ହୁଏ ତେବେ ସେ ମତେ ଓକିଲ ଭାବରେ ସାହାଯ୍ୟ କରିବାପାଇଁ ତାହାଙ୍କୁ ଅନୁରୋଧ କଲି । ସେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ତାହାଙ୍କ କଥାରେ ମୋର ଆତ୍ମବିଶ୍ୱାସ ଜନ୍ମିଲା ନାହିଁ । ଦଶପଲ୍ଲା ମେଳି ପରି ଅତ୍ୟାଚାରରେ ତାହାଙ୍କ ଓକିଲାତି ମତେ କିମ୍ବା ଦଶପଲ୍ଲା ପ୍ରଜାଙ୍କୁ ରକ୍ଷା କରିପାରିବ, ଏଭଳି ବିଶ୍ୱାସ କାହିଁକି ମୋର ହୃଦୟରେ ସ୍ଥାନ ପାଇଲା ନାହିଁ । ବିଚିତ୍ରାନନ୍ଦ ବାବୁ ସେତେବେଳକୁ ଓକିଲାତି କରିବାର ଅଳ୍ପ ଦିନ ହେବ । ତାହାଙ୍କୁ ମୁଁ ମଧ୍ୟ ଭଲ କରି ଜାଣି ନ ଥାଏ । କିନ୍ତୁ ମୋର ସେତେବେଳ ସମୟରେ କଟକରେ ସମସ୍ତେ ମୋ ସହିତ କଥା ହେବାକୁ କିମ୍ବା ମତେ ପାଖରେ ରଖିବାକୁ ଭୟ କଲେ । ଏପରି ସମୟରେ ବିଚିତ୍ରାନନ୍ଦ ବାବୁ ସେ ଘଟଣାରେ କ’ଣ କରିପାରିଥାନ୍ତେ ସେ କଥା ନ ଜାଣି କିଛି କହିହେଉ ନାହିଁ । ତଥାପି ତାହାଙ୍କ ସହାନୁଭୂତି-ସୂଚକ କଥା ଦୁଇପଦ ମତେ ସେତେବେଳେ ଅତ୍ୟନ୍ତ ଭଲ ଲାଗିଥିଲା । ମୋର ମନେ ହେଲା ସତେ ଯେପରି ସେ ଜଣେ ମୋର ବହୁଦିନର ପରିଚିତ ଆତ୍ମୀୟ ବ୍ୟକ୍ତି ।

 

ସେ ଯାହାହେଉ କଟକ ଆସି ଓକିଲ ଧରି ଦଶପଲ୍ଲା ଫେରି ଯିବାର ସମସ୍ତ ଆଶା ଦୂର ହେଲା । କଟକରୁ କାହାରିଠାରୁ କୌଣସି ପ୍ରକାର ବିଶେଷ ସାହାଯ୍ୟ ପାଇବାର ବିଶ୍ୱାସଯୋଗ୍ୟ ଆଶ୍ୱାସନା ପାଇଲି ନାହିଁ । କଟକରେ ଏଣିକି ରହିବା ମତେ ନିରାପଦ ଜଣାଗଲା ନାହିଁ । ମୁଁ ଦୁଇଖଣ୍ଡି ଚିଠି ରେଜିଷ୍ଟରୀ କଲି । ଖଣ୍ଡିଏ ପାଲିଟ୍‌କାଲ ଏଜେଣ୍ଟଙ୍କ ନିକଟକୁ, ଆଉ ଖଣ୍ଡିଏ ଦଶପଲ୍ଳା ମେଳିମକଦ୍ଦମା ବିଚାରକରୁଥିବା ଲୁକ୍ ସାହେବଙ୍କ ପାଖକୁ । ସେଥିରେ ମତେ ଧରିନେଇ ମିଥ୍ୟା ସାକ୍ଷୀ ଦେବାକୁ ଯେପରି ଯାହା କରାଯାଇଥିଲା, ସେ ସମସ୍ତ ବିଷୟ ଉଲ୍ଲେଖ କରି ପତ୍ର ଲେଖିଲି । ମୋ ନାମରେ ଯଦି କିଛି ଲେଖା ବିଶ୍ୱାଳେ କିମ୍ବା ବାବୁ ଦାମୋଦର ରଥ କୋର୍ଟରେ ଦାଖଲ କରନ୍ତି ତେବେ ତାହା ସେମାନେ ଜାଲରେ କରିବେ ଜଣାଇ ସେପରି ଲେଖା ଗ୍ରହଣ ନ କରିବାକୁ ଉକ୍ତ ପତ୍ରରେ ଅନୁରୋଧ କଲି । ଏହିପରି ଦଶପଲ୍ଲା ଅତ୍ୟାଚାର କାହାଣୀ ଦେଶରେ କିପରି ପ୍ରଚାର ହେବ, ଲାଟ ବଡ଼ ଲାଟଙ୍କ ନିକଟରେ ଜଣାଇବାକୁ କିପରି ସୁବିଧା ମିଳିବ, ଏହି ପ୍ରଶ୍ନ ମୋ ମନରେ ଜାଗି ଉଠିଲା । କିନ୍ତୁ ଏହି କାର୍ଯ୍ୟ ମୁଁ କିପରି କରିବି ଭାବି କିଛି ସ୍ଥିର କରି ପାରିଲି ନାହିଁ । ଓଡ଼ିଶାରେ ମତେ କେହି ଦେଖାଗଲେ ନାହିଁ, ଯେ କି ମତେ ଏହି କାର୍ଯ୍ୟରେ ସାହାଯ୍ୟ କରି ପାରିବେ । ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ବାନର୍ଜିଙ୍କ ନାମ ଶୁଣିଥାଏ । ତାହାଙ୍କ ନିକଟକୁ ଖଣ୍ଡିଏ ପତ୍ର ରେଜିଷ୍ଟରୀ କଲି । ଏହିସବୁ କାର୍ଯ୍ୟ ମୁଁ ୩।୪ ଦିନ ଭିତରେ କରିଛି । କଟକରେ ରହିବା ମତେ ଅସମ୍ଭବ ଜଣାଗଲା । କଟକ ଛାଡ଼ି କଲିକତା ପଳାଇବାକୁ ସ୍ଥିର କଲି । କଟକ ଛାଡ଼ିବା ପୂର୍ବରୁ ଥରେ ମିଶନ ହିନ୍ଦୁ ହୋଷ୍ଟେଲର ସାଥି ପିଲାଙ୍କୁ ଦେଖି ଯିବାକୁ ଭାରି ଇଚ୍ଛା ହେଲା । ବିଶେଷରେ ଉପେନ୍ଦ୍ରଚନ୍ଦ୍ର ମିଶ୍ର ଓ ହୃଦାନନ୍ଦ ଶତପଥୀ ନାମକ ଦୁଇଟି ଛାତ୍ରଙ୍କ ସହିତ କଥା ନ ହୋଇ କଟକ ଛାଡ଼ିବାକୁ ଇଚ୍ଛା ହେଲା ନାହିଁ । ଉପେନ୍ଦ୍ର ଓ ହୃଦାନନ୍ଦ ବୟସରେ ମୋଠାରୁ ବହୁତ ସାନ । ମୋର ତଳ କ୍ଳାସରେ ସେ ଦୁଇଜଣ ପଢ଼ୁଥାନ୍ତି । ମିଶନ ସ୍କୁଲ ହିନ୍ଦୁ ହୋଷ୍ଟେଲରେ ଏକାଠି ରହିଛୁ । ଅନେକ କଥାରେ ସେ ଦୁହେଁ ମୋର ପରାମର୍ଶରେ ଚଳନ୍ତି । ମୋତେ ଜ୍ୟେଷ୍ଠ ଭ୍ରାତୃତୁଲ୍ୟ ଭକ୍ତି ମଧ୍ୟ କରନ୍ତି । ଏପରି କି ଇତିମଧ୍ୟରେ ଉପେନ୍ଦ୍ରଙ୍କ ଗ୍ରାମ ମଉଦାକୁ ଯାଇ ମୁଁ ବୁଲି ଆସିଛି । ଉପେନ୍ଦ୍ରଙ୍କ ପିତା ଶ୍ରୀଯୁକ୍ତ ପଣ୍ଡିତ ଆର୍ତ୍ତତ୍ରାଣ ମିଶ୍ର ମଉଦାର ଜମିଦାର । ଉପେନ୍ଦ୍ର ଘର କଟକ ସାଲେପୁର ଥାନା ଭିତରେ ଜଣେ ପ୍ରସିଦ୍ଧ ଜମିଦାର ଘର । ମୁଁ ତାଙ୍କ ଘରକୁ ଯାଇଛି । ଉପେନ୍ଦ୍ରଙ୍କ ପିତା ମୋ ପ୍ରତି ପୁତ୍ତ୍ରବତ୍ ସ୍ନେହ ଦେଖାଇଅଛନ୍ତି । ଏହିପରି ଭାବରେ ଉପେନ୍ଦ୍ରଚନ୍ଦ୍ର ମିଶ୍ରଙ୍କ ସହିତ ମୋର ଘନିଷ୍ଠତା ଅଛି । ଏ ଦୁଇଜଣଙ୍କୁ ଛାଡ଼ି ଦେଲେ ମଧ୍ୟ ହୋଷ୍ଟେଲରେ ଅନ୍ୟାନ୍ୟ ସମସ୍ତ ଛାତ୍ର ମତେ ଟିକିଏ ଭକ୍ତିଭାବରେ ଦେଖନ୍ତି । ଅନେକ ସମୟରେ କେତେକ ବିଷୟରେ କେହି କେହି ମୋର ପରାମର୍ଶ ମଧ୍ୟ ଲୋଡ଼ନ୍ତି-। ସିତିକଣ୍ଠ କର, ବନମାଳୀ କର ନାମରେ ଆଉ ଦୁଇଟି ଛାତ୍ର ମଧ୍ୟ ମୋର ଅତ୍ୟନ୍ତ ସ୍ନେହୀ ବନ୍ଧୁ ଥାନ୍ତି । ଏ ସମସ୍ତଙ୍କୁ ଦେଖା ନ କରି କଟକ ଛାଡ଼ି ଆସିବାକୁ ମୋର ମନ ବଳିଲା ନାହିଁ-। କଟକ ଆସିଲା ଦିନ ରାତିରେ ଯାହା ମୁଁ ହୋଷ୍ଟେଲରେ ଥିଲି । ତହିଁଆର ଦିନ ସକାଳୁ ଆଉ ହୋଷ୍ଟେଲକୁ ଯାଇ ନାହିଁ ।

 

ସେ ଯାହାହେଉ କଲିକତା ଗଲା ବେଳକୁ ଦିନ ଗୋଟାକ ବେଳେ ମୁଁ ଯାଇ ହୋଷ୍ଟେଲ ପଛ କିଲା ପଡ଼ିଆରେ ଥିବା କେତୋଟି ଆମ୍ବ ଗଛର ଆଢ଼ୁଆଳରେ ଲୁଚି ବସି ପିଲାମାନଙ୍କୁ ସଂବାଦ ଦେଲି । ସକାଳ ସ୍କୁଲ ହେତୁ ପିଲାମାନେ ସମସ୍ତେ ସେତେବେଳକୁ ହୋଷ୍ଟେଲରେ ଥାନ୍ତି । ମୁଁ ଡାକୁଛି ଶୁଣି ପିଲାମାନେ ସମସ୍ତେ ଦୌଡ଼ିଆସିଲେ । ସେମାନେ ହୋଷ୍ଟେଲର ହତାଭିତରେ, ମୁଁ ହତା ବାହାରେ ଠିଆ ହୋଇଥାଏ । ପିଲାମାନଙ୍କୁ ଦେଖି ମୋର ଆଖି ଲୋତକପୂର୍ଣ୍ଣ ହୋଇଗଲା । ମୁଁ କାନ୍ଦ କାନ୍ଦ ହୋଇ କହିଲି, ‘‘ଭାଇ, ଏତେଦିନ ଏକାଠି ଥିଲେଇଁ । ବର୍ତ୍ତମାନ ମୁଁ ତୁମ୍ଭମାନଙ୍କ ନିକଟରୁ ଅନ୍ତର ହେଉଅଛି ! ଆଉ ଏ ଜୀବନରେ ଦେଖା ମିଳିବ କି ନାହିଁ ସନ୍ଦେହ ! ମୋର ଦୋଷ ତ୍ରୁଟି ସବୁ କ୍ଷମା କରିବ । ମତେ ଭୁଲି ଯିବ ନାହିଁ । ମୁଁ ଯାଉଛି, ମତେ ବିଦାୟ ଦିଅ । ତୁମ୍ଭମାନଙ୍କୁ ଟିକିଏ ଦେଖି ବିଦାୟ ନେବାକୁ ମୁଁ ଚାଲି ଆସିଛି ।’’ ଏହି କେତୋଟି ବାକ୍ୟ କହୁ କହୁ ମୋର ବାକ୍‌ରୁଦ୍ଧ ହୋଇଗଲା । ପିଲାମାନେ ସମସ୍ତେ ମଧ୍ୟ କାନ୍ଦି ପକାଇଲେ । ମୁଁ ଆଉ କିଛି ନ କହି, କିଏ କ’ଣ କହୁଛି, ତାହା ନ ଶୁଣି ଗୋଟିଏ ନମସ୍କାର କରି ଏକ ମୁଖରେ ଷ୍ଟେସନ ଆଡ଼କୁ ଗତି କଲି । ମନରେ ଭୟ ହେଲା, ପୋଲିସ ଜାଣିପାରିଲେ ମତେ ଧରିନେବ । ଏହି ଭୟ ଓ ହୋଷ୍ଟେଲ ପିଲା ବନ୍ଧୁମାନଙ୍କୁ ଛାଡ଼ି ଆସୁଥିବାର ଦୁଃଖରେ ଅଭିଭୂତ ହୋଇ ମୁଁ ଷ୍ଟେସନରେ ହାଜର ହେଲି । ପୁରୀ-କଲିକତା ପାସେଞ୍ଜର ଗାଡ଼ିରେ ଟିକଟ କରି କଲିକତା ଚାଲିଲି । କଟକ ଛାଡ଼ିଲାବେଳର ଏହି ସବୁ ଘଟଣା ଅଦ୍ୟାପି ମୋର ମନେ ପଡ଼ୁଛି ।

 

ସେ ସବୁ ମନେ ପଡ଼ିଗଲା ବେଳେ ମନରେ କେତେ ଭାବନା ଖେଳିଯାଏ । ଏ ସବୁ ଜୀବନରେ ଭୁଲିବାର ନୁହେଁ । ଏହିସବୁ ସ୍ମୃତି ବର୍ତ୍ତମାନ ମୋର ରାଜନୈତିକ ଜୀବନର ଏକମାତ୍ର ସମ୍ବଳ ଓ ସାଥି ବୋଲି ମୁଁ କହିପାରେ ।

Image

 

Unknown

ଚତୁର୍ଥ ଭାଗ

ପ୍ରଥମ ପରିଚ୍ଛେଦ

 

୧୯୧୫ ମସିହା ଏପ୍ରିଲ କିମ୍ବା ମଇ ମାସ ହେବ, ମୁଁ ଯାଇ ସକାଳୁ କଲିକତା ନଗରୀରେ ଉପସ୍ଥିତ ହେଲି । କଲିକତା ନଗରୀ ବିଷୟରେ ବହୁବାର ବହୁ ଲୋକଙ୍କଠାରୁ ବହୁ ଗଳ୍ପ ସବୁ ଶୁଣିଥାଏ । କଲିକତା ଦେଖିବା ଜୀବନର ଗୋଟିଏ ବଡ଼ ଆକାଙ୍କ୍ଷା ଥାଏ । କଲିକତା ଦେଖିବାର ସୌଭାଗ୍ୟ ହଠାତ୍ ଏପରି ଅଚାନକ ଭାବରେ ଉପସ୍ଥିତ ହେବ ବୋଲି କିଏ ଜାଣିଥିଲା ! କଟକ ଷ୍ଟେସନରେ ଗାଡ଼ିରେ ଚଢ଼ିଲା ବେଳୁ କଲିକତା ନଗରୀ କଥା ମୋର ମନେ ପଡ଼ୁଛି । ମୁଁ ଦଶପଲ୍ଲାର ଦୁଃଖ ଯନ୍ତ୍ରଣା ଭୁଲି ଯାଉଛି । କଲିକତାରେ କିପରି ଶୀଘ୍ର ପହୁଞ୍ଚିବି ଏଥିପାଇଁ ମନ ଉଦ୍ବେଗ ହେଉଛି । କଲିକତାରେ ପହୁଞ୍ଚି କାହା ପାଖକୁ ଯିବି, କିପରି କ’ଣ କଲେ ଦଶପଲ୍ଲାର ଦୁଃଖ ଦୂର କରିବା ପାଇଁ ସମର୍ଥ ହେବି, ଏହି ଭାବନା ମଧ୍ୟ ମନରେ ଖେଳୁଛି । ଏହିପରି ଅବସ୍ଥାରେ କଲିକତାରେ ଉପସ୍ଥିତ ହେଲି । ତିନି ନମ୍ବର ମିରଜାପୁର ଷ୍ଟ୍ରିଟ୍‌ରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରମାନଙ୍କର ଗୋଟିଏ ମେସ୍ ଥାଏ । କଟକ ଛାଡ଼ି ଆସିଲା ବେଳେ ଏହି ମେସ୍‌ରେ ଥିବା ଶ୍ରୀଯୁକ୍ତ ଯୋଗେନ୍ଦ୍ର ନାଥ ଶାହାଙ୍କ ନିକଟକୁ ଖଣ୍ଡିଏ ପତ୍ର ଆଣିଥାଏ । ଏହି ପତ୍ର ଖଣ୍ଡି ଧରି ଉକ୍ତ ମେସ୍‌ରେ ଉପସ୍ଥିତ ହେଲି । ଯୋଗେନ୍ଦ୍ର ବାବୁଙ୍କୁ ପତ୍ର ଖଣ୍ଡି ଦେଇ ମୋର କଲିକତା ଆସିବାର ସମସ୍ତ କାରଣ ତାହାଙ୍କୁ କହିଲି । ମେସ୍‌ରେ ଥିବା ଅନ୍ୟ ଜଣେ ଦୁଇଜଣ ଛାତ୍ରଙ୍କ ସହିତ ଯୋଗେନ୍ଦ୍ରବାବୁ ମତେ ପରିଚୟ କରାଇ ଦେଲେ । ଏ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ନାମ ବାବୁ ବିଶ୍ୱେଶ୍ୱର ବୋଷ । ସେ ଡାକ୍ତରୀ ପାଠ ପଢ଼ୁଥାନ୍ତି । ଆଉ ଜଣକ ନାମ ବାବୁ ସୁରେନ୍ଦ୍ରନାଥ ମିତ୍ର । ସେ ଏମ୍.ଏ.ପାଠ ପଢ଼ୁଥାନ୍ତି । ଏ ଦୁଇଜଣ ମୋଠାରୁ ସମସ୍ତ ବୃତ୍ତାନ୍ତ ଶୁଣି କହିଥିଲେ, ‘‘ଏ ଘଟଣା ବଡ଼ ଗୁରୁତର । ଏଥିରେ ସାହାଯ୍ୟ କରିବା ଭଳି ଭାରତରେ ଏକମାତ୍ର ବ୍ୟକ୍ତି ମିଷ୍ଟର ଗାନ୍ଧି । ମିଷ୍ଟର ଗୋଖଲେ ବଞ୍ଚିଥିଲେ ଅବଶ୍ୟ କିଛି ସାହାଯ୍ୟ କରି ପାରିଥାନ୍ତେ, କିନ୍ତୁ ସେ ଆଉ ନାହାନ୍ତି । ମିଷ୍ଟର ଗାନ୍ଧି ହେଉଛନ୍ତି କେବଳ ଏକମାତ୍ର ବ୍ୟକ୍ତି । ତାହାଙ୍କ ନିକଟକୁ ଯାଇ ତୁମେ ତାହାଙ୍କୁ ଏ ସବୁ ଘଟଣା ଶୁଣାଅ ।’’

 

ମହାତ୍ମା ଗାନ୍ଧିଙ୍କୁ ସେତେବେଳକୁ ସମସ୍ତେ ମିଷ୍ଟର ଗାନ୍ଧି ବୋଲି କହୁଥାନ୍ତି । ସେ ଅଳ୍ପ କେତେ ମାସ ହେବ ଦକ୍ଷିଣ ଆଫ୍ରିକାରୁ ଫେରି ବୋଲପୁର ‘ଶାନ୍ତିନିକେତନରେ’ ରହିଥାନ୍ତି । ସାବରମତି ଆଶ୍ରମ ସ୍ଥାପନ କରି ନ ଥାନ୍ତି । ତିନି ନମ୍ବର ମିରଜାପୁର ମେସରେ ଯେଉଁମାନଙ୍କ ସହିତ ପରିଚୟ ହେଲା ସେମାନେ ସମସ୍ତେ ବୋଲପୁର ଶାନ୍ତିନିକେତନକୁ ଯାଇ ମହାତ୍ମା ଗାନ୍ଧିଙ୍କ ସହିତ ଦେଖା କରିବାକୁ ପରାମର୍ଶ ଦେଲେ ।

 

ବାବୁ ବିଶ୍ୱେଶ୍ୱର ବୋଷ ଯାହାଙ୍କ ନାମ ଉପରେ କହିଗଲି ସେ ବୋଲପୁର ଶାନ୍ତିନିକେତନରେ ପାଠ ପଢ଼ୁଥିଲେ । ବାବୁ କାଳୀମୋହନ ଘୋଷ ନାମକ ଜନୈକ ଶିକ୍ଷକଙ୍କ ନିକଟକୁ ସେ ଖଣ୍ଡିଏ ପତ୍ର ଦେଲେ । ଏମ୍.ଏ. ପାଠ ପଢ଼ୁଥିବା ଛାତ୍ର ବାବୁ ସୁରେନ୍ଦ୍ରନାଥ ମିତ୍ର ମତେ ସଙ୍ଗରେ ଧରି ଶାନ୍ତିନିକେତନ ବାହାରିଲେ । କଲିକତାରେ ଦୁଇଦିନ ରହି ଏହିପରି ଭାବରେ ମୁଁ ଶାନ୍ତିନିକେତନକୁ ଯାଉଛି । ଗାନ୍ଧିଙ୍କ ନାମ ମାତ୍ର ମୁଁ ଶୁଣିଥାଏ । ସେ କିଏ, କ’ଣ କରିଛନ୍ତି ଇତ୍ୟାଦି କଥା ତାହାଙ୍କ ବିଷୟରେ ଭଲ କରି କିଛି ଜାଣି ନ ଥାଏ କିମ୍ବା ଶୁଣି ନ ଥାଏ । କାରଣ କଟକ ଛାତ୍ର ସମାଜରେ କିମ୍ବା ଓଡ଼ିଶାର କୌଣସି ସମ୍ବାଦ ପତ୍ରରେ ଗାନ୍ଧି, ତିଳକଙ୍କ ନାମ ଜାଣିଲା ଶୁଣିଲା ଭଳି ବିଶେଷ କିଛି ଶୁଣାଯାଏ ନାହିଁ । କେବଳ ଆମେ କେତୋଟି ଛାତ୍ର ଦେଶସେବା କରିବା ଇଚ୍ଛାରେ ଏକାଠି ହୋଇ ଥାଉ ବୋଲି ଅନେକ ସମୟରେ ଏମାନଙ୍କ ବିଷୟ କିଛି କିଛି ଆଲୋଚନା କରୁ । କିନ୍ତୁ ଆମର ଜ୍ଞାନ ବଡ଼ ସୀମାବଦ୍ଧ । ବର୍ତ୍ତମାନ ପରି ଦୁନିଆର କେଉଁ କୋଣରେ କ’ଣ ଘଟୁଛି, ତାହା ଯେପରି ସମସ୍ତେ ଅକ୍ଳେଶରେ ଏବଂ ସବିଶେଷ ଭାବରେ ଜାଣି ପାରୁ ଅଛନ୍ତି, ଦେଶର ସେତବେଳ ଅବସ୍ଥାରେ ଆମ୍ଭେମାନେ ସେପରି କିଛି ଜାଣି ପାରୁ ନ ଥିଲୁଁ । ଏପରି ଅବସ୍ଥାରେ ଗାନ୍ଧିଙ୍କ ବିଷୟରେ ଭଲକରି ଜାଣିବାର ସୁଯୋଗ ସୁବିଧା ମୁଁ ପାଇ ନାହିଁ । କଲିକତା ଆସି ତାହାଙ୍କ ବିଷୟ ବହୁତ ଶୁଣିବାକୁ ପାଉଛି । ତାହାଙ୍କ ସହିତ ଦେଖା କରି ଦଶପଲ୍ଲା ଦୁଃଖ କାହାଣୀ ଶୁଣାଇ ପାରିବାକୁ ସୁଯୋଗ ସୁବିଧା ପାଇ ପାରିଲେ ସେ ନିଶ୍ଚୟ କିଛି କିଛି ପାରିବେ, ଏହିପରି ଦୃଢ଼ ବିଶ୍ୱାସ ମୋର ଜନ୍ମିଅଛି । ସୁତରାଂ କଲିକତା ଛାଡ଼ି ମୁଁ ବୋଲପୁର ଯାଉଛି । କଲିକତାକୁ ଆସି ମୁଁ ଯାହାସବୁ ଦେଖୁଛି, ଯାହାସବୁ ଶୁଣୁଛି, ଯେଉଁ ସ୍ନେହ ସହାନୁଭୂତି ପାଉଛି, ସବୁ ମତେ ଆଶ୍ଚର୍ଯ୍ୟ ବୋଧ ହେଉଛି । ଦଶପଲ୍ଲା ପ୍ରଜାଙ୍କର ଦୁଃଖ ଦୂର କରି ପାରିବାର ବିଶ୍ୱାସ ମଧ୍ୟ ମୋର ଜନ୍ମି ଯାଉଛି-। ମୋର ମନରୁ ଭୟ ଚାଲି ଯାଇଛି । ମନରୁ ଦୁଃଖ ଘୁଞ୍ଚି ଯାଇଛି । ମୋ ମନରେ ଏକପ୍ରକାର ଅପୂର୍ବ ଆନନ୍ଦ ଓ ଉତ୍ସାହ ଜାତ ହେଉଛି । ମହାତ୍ମା ଗାନ୍ଧିଙ୍କ ସହିତ ଦେଖା କରି କିପରି ଦଶପଲ୍ଲା କାହାଣୀ ଶୁଣାଇବି ଏଥିପାଇଁ ମନ ଉଦ୍ବିଗ୍ନ ହୋଇ ଉଠୁଛି । ଏହିପରି ଭାବନାରେ ସନ୍ଧ୍ୟା ସାତଟାରେ ଆମେ ଦୁହେଁ ଯାଇ ବୋଲପୁର ଶାନ୍ତିନିକେତନରେ ଉପସ୍ଥିତ ହେଲୁ । ଶାନ୍ତିନିକେତନରେ ଉପସ୍ଥିତ ହେବା ମାତ୍ରକେ ଶୁଣିଲି ଯେ ଗାନ୍ଧି ସେଠାରେ ଆଉ ନାହାନ୍ତି । ଆମ୍ଭେ ପହୁଞ୍ଚିବା ପୂର୍ବଦିନ ସେ ସେସ୍ଥାନ ଛାଡ଼ି ମାନ୍ଦ୍ରାଜ ଚାଲିଗଲେଣି । ତାହାଙ୍କ ସଙ୍ଗରେ ଯେଉଁମାନେ ଥିଲେ, ସେମାନଙ୍କ ସେ ସ୍ୱାମୀ ଶ୍ରଦ୍ଧାନନ୍ଦଜୀଙ୍କ ଗୁରୁକୁଳକୁ ପଠାଇ ଦେଇ ଅଛନ୍ତି । ସେ ଆଉ ଶାନ୍ତିନିକେତନକୁ ଫେରି ଆସିବାର ନାହିଁ । ଏ ସମ୍ବାଦ ପାଇ ମୁଁ ଓ ସୁରେନ୍ ବାବୁ ଦୁହେଁ ଅତ୍ୟନ୍ତ ଦୁଃଖିତ ହେଲୁ । ଶାନ୍ତିନିକେତନ ଛାଡ଼ି ସେହି ରାତି ଗାଡ଼ିରେ କଲିକତା ଫେରିବାକୁ ସ୍ଥିର କଲୁ । ଶାନ୍ତିନିକେତନ ଆସି ଶ୍ରୀଯୁକ୍ତ କାଳୀମୋହନ ଘୋଷଙ୍କୁ ଆମ୍ଭ ଆସିବାର କାରଣ ନ କହି ଫେରିଯିବା ଠିକ ହେବ ନାହିଁ ଭାବି, କାଳୀମୋହନ ବାବୁଙ୍କୁ ମୁଁ ସବୁ କଥା କହିଲି । କାଳୀମୋହନ ବାବୁ ମୋଠାରୁ ସମସ୍ତ ଘଟଣା ଶୁଣି ଆଣ୍ଡ୍ରୁଜ ସାହେବଙ୍କ ସହିତ ଦେଖା କରିବାକୁ ପରାମର୍ଶ ଦେଲେ । ତାହାଙ୍କ କହିବାରେ ଆଣ୍ଡ୍ରୁଜ ସାହେବ ହେଉଛନ୍ତି ବଡ଼ଲାଟ ଲଡ ହାଡିଞ୍ଜଙ୍କର ଜଣେ ପରମ ବନ୍ଧୁ । ସେ ଇଚ୍ଛା କଲେ ଏହି ଘଟଣାରେ ନିଶ୍ଚୟ କିଛି ନା କିଛି କରି ପାରିବେ । ତେବେ ଆଣ୍ଡ୍ରୁଜ ସାହେବଙ୍କ ସହିତ ଦେଖା କରିବାକୁ ହେଲେ ପ୍ରଥମେ ଗୁରୁଦେବଙ୍କ ସହିତ ଦେଖା କରିବା ଦରକାର । ଗୁରୁଦେବ ଯଦି ଟିକିଏ ଆଣ୍ଡ୍ରୁଜ ସାହେବଙ୍କୁ କହନ୍ତି ତେବେ ଆଣ୍ଡ୍ରୁଜ ତାହାଙ୍କ କଥାକୁ ନିଶ୍ଚୟ ଶୁଣିବେ ଏବଂ ଏହି ଘଟଣାରେ ସାହାଯ୍ୟ କରିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କରିବେ । ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଠାକୁରଙ୍କୁ ଶାନ୍ତିନିକେତନରେ ଛାତ୍ର, ଶିକ୍ଷକ ସମସ୍ତେ ଗୁରୁଦେବ ବୋଲି ଡାକନ୍ତି, ଏପରି କି ଗୁରୁଦେବଙ୍କୁ ରବିବାବୁ ବୋଲି, ଭୁଲରେ ମଧ୍ୟ କାହାରି ମୁହଁରେ କହି ପକାଇବାର ମୁଁ ଶୁଣି ନାହିଁ । ଶାନ୍ତିନିକେତନର ଛାତ୍ର ଓ ଶିକ୍ଷକଙ୍କ ଆଗରେ ରବିବାବୁଙ୍କୁ ଗୁରୁଦେବ ନ କହି ରବିବାବୁ କହିଲେ, ସେମାନଙ୍କୁ ଭଲ ଲାଗେ ନାହିଁ । ଶାନ୍ତିନିକେତନ ନ ଦେଖିଲେ, ସେଠାରେ ନ ରହିଲେ, ରବିବାବୁଙ୍କୁ କାହିଁକି ଗୁରୁଦେବ ବୋଲି ଡାକନ୍ତି, ତହିଁର ମହତ୍ତ୍ୱ ହୃଦୟଙ୍ଗମ କରିହେବ ନାହିଁ । ବୋଲପୁର ଶାନ୍ତିନିକେତନରେ ଯେ ରବୀନ୍ଦ୍ରନାଥ ଠାକୁର ଗୁରୁଦେବ ବୋଲି ପୂଜା ପାନ୍ତି ତାହା ନୁହେଁ, ଆଜି ସମସ୍ତ ଭାରତରେ, ଏପରି କି ସମସ୍ତ ଜଗତରେ ମଧ୍ୟ ସେ ହେଉଛନ୍ତି ଗୁରୁଦେବ । ସେ ହେଉଛନ୍ତି ବିଶ୍ୱକବି । କବିତା ଲେଖି ଜଗତ୍‌ରେ ସେ ଶ୍ରେଷ୍ଠ ପୁରୁଷ ହୋଇଛନ୍ତି । ଜଗତ୍‌ର ଶ୍ରେଷ୍ଠ ପୁରସ୍କାର ‘ନୋବେଲ ପ୍ରାଇଜ୍’ ସେ ଲାଭ କରିଛନ୍ତି । ରବୀବାବୁ ନୋବେଲ ପ୍ରାଇଜ୍ ପାଇବାର ସମ୍ବାଦ ଦେଶରେ ପ୍ରଚାରିତ ହେଲାଦିନୁ ମୁଁ ତାହାଙ୍କ ନାମ ଶୁଣିବାକୁ ପାଇଛି । ତାହାଙ୍କ କବିତା ମଧ୍ୟ ଆଗ୍ରହର ସହିତ ପାଠ କରିଛି । ତାହାଙ୍କ ବିଷୟରେ ବୀରେନ୍ ବାବୁ ନାମକ ମିଶନ ସ୍କୁଲର ଜଣେ ଶିକ୍ଷକଙ୍କ ଠାରୁ ବହୁତ କଥା ଶୁଣିବାକୁ ପାଇଛି । ତାହାଙ୍କୁ ଦେଖିବାର ସୁଯୋଗ ଓ ସୁବିଧା ପାଇବା ବ୍ୟକ୍ତି ଜଣେ ବଡ଼ ଭାଗ୍ୟବାନ୍ ଲୋକ ବୋଲି ମୋର ଧାରଣା ଜନ୍ମିଛି-। ଆଜି ତାହାଙ୍କ ଦର୍ଶନଲାଭ ଆକାଙ୍କ୍ଷାରେ ଲାଳାୟିତ ହୋଇ ଜଗତର ପ୍ରତ୍ୟେକ ଦେଶରୁ ମଧ୍ୟ ପ୍ରତିଦିନ କେତେ ଲୋକ ବୋଲପୁର ଶାନ୍ତିନିକେତନକୁ ଯାତ୍ରା କରୁଅଛନ୍ତି । ଆଜି ସେହି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ଲାଭ କରିବାର ଏକ ଅବସର ମୋତେ ମିଳୁଅଛି । କେବଳ ବିଶ୍ୱକବିଙ୍କୁ ଦେଖିବି ତାହା ନୁହେଁ, ତାହାଙ୍କ ନିକଟରେ ବସି ତାହାଙ୍କ ସହିତ କଥୋପକଥନ କରିବି । ଦଶପଲ୍ଲାର ଦୁଃଖ କାହାଣୀ ତାହାଙ୍କ ଆଗରେ ବର୍ଣ୍ଣନା କରିବି ବୋଲି ଶ୍ରୀଯୁକ୍ତ କାଳୀମୋହନ ଘୋଷ ପରାମର୍ଶ ଦେଉ ଅଛନ୍ତି । ଏପରି ଅବସ୍ଥାରେ ମହାତ୍ମା ଗାନ୍ଧିଙ୍କୁ ବୋଲପୁର ଶାନ୍ତିନିକେତନରେ ଦେଖିବାକୁ ନ ପାଇ ମୋ ମନ ଯେତେ ନିରାଶରେ ଡୁବି ଯାଇ ନ ଥିଲା, ତାହା ଠାରୁ ବଳି ଦୁଇଗୁଣ ଉତ୍ସାହରେ ମୋ ମନ ଜାଗିଉଠୁଛି । କାଳୀମୋହନ ବାବୁଙ୍କ ପ୍ରସ୍ତାବ ଶୁଣୁ ଶୁଣୁ ମୋ ରୋମ ଟାଙ୍କୁରି ଉଠୁଛି । ମୁଁ କହୁଛି, ‘‘ହଁ, ଆପଣ ଯାହା କହୁଛନ୍ତି ତାହାଛଡ଼ା ଅନ୍ୟ ଉପାୟ କିଛି ନାହିଁ । ଗାନ୍ଧିଙ୍କ ସହିତ ଦେଖା ହେବାର ଆଉ ସୁବିଧା ନାହିଁ । ଆଣ୍ଡ୍ରୁଜ ସାହେବଙ୍କୁ ନ ଧରିଲେ ନ ଚଳେ । ଗୁରୁଦେବଙ୍କ ସହିତ କିପରି ଦେଖା ମିଳିବ, ଆପଣ ତହିଁର ସୁବନ୍ଦୋବସ୍ତ କରାଇ ଦିଅନ୍ତୁ-।’’ ଏହା କହି ମୁଁ ନୀରବ ରହୁଛି । କାଳୀମୋହନ ବାବୁ ତହିଁ ଆର ଦିନ ସକାଳେ ଗୁରୁଦେବଙ୍କ ସହିତ ମତେ ସାକ୍ଷାତ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଆମ୍ଭ ଦୁହିଙ୍କର ରହିବା ଖାଇବାର ବନ୍ଦୋବସ୍ତ କରାଇ ଦେଲେ । ସେଦିନ ରାତି ଆମେ ଦୁହେଁ ସେଠାରେ ରହିଲୁ ।

 

ତହିଁ ଆରଦିନ ସକାଳୁ ରବିବାବୁଙ୍କ ସହିତ ଦେଖା ହେଲା । ଦଶପଲ୍ଲାର ସମସ୍ତ ଘଟଣା ମୁଁ ତାହାଙ୍କ ଆଗରେ ବର୍ଣ୍ଣନା କଲି । ମୋ କଥା ଶୁଣୁ ଶୁଣୁ ରବିବାବୁ ବଡ଼ ଚଞ୍ଚଳ ହୋଇ ଉଠିଲେ । ସେ ହେଉଛନ୍ତି କବି । ସବୁବେଳେ ତାହାଙ୍କ ମନ ଭାବ-ରାଜ୍ୟରେ । କବିଙ୍କ ହୃଦୟ ଅତିଶୟ କୋମଳ । ସେ କାହାରି ଦୁଃଖ ଦେଖିବା ଦୂରେ ଥାଉ ଶୁଣିଲେ ମଧ୍ୟ ତାହାଙ୍କ ହୃଦୟ ଥରି ଉଠେ । ଦେଶରେ ପଲ୍ଲୀବାସୀଙ୍କ ଦୁଃଖ ଦେଖି ତାହା ଦୂର କରିବା ଉଦ୍ଦେଶ୍ୟରେ ଆଜି ଶାନ୍ତିନିକେତନରେ ସେ ନାନାପ୍ରକାର କାର୍ଯ୍ୟ ଆରମ୍ଭ କରି ଅଛନ୍ତି । ଦଶପଲ୍ଲାର ଦୁଃଖ କାହାଣୀ ଶୁଣୁ ଶୁଣୁ ସେ ଅଧୀର ହେବା ସ୍ୱାଭାବିକ । ସେ ଯାହାହେଉ ମୁଁ ମୋର କଥା ଶେଷ କରିବା ମାତ୍ରକେ, କବି ମହୋଦୟ ମତେ ସଙ୍ଗରେ ଧରି ହଠାତ୍ ଆଣ୍ଡ୍ରୁଜ ସାହେବଙ୍କ ଘରେ ଉପସ୍ଥିତ ହେଲେ । ଇଂରେଜିରେ ଆଣ୍ଡ୍ରୁଜ ସାହେବଙ୍କୁ କହିଲେ–

 

‘‘Mr. Andreus, Here is a boy from Orissa. Please hear him, what he has to say, and try your utmost, to help him.”

 

ଅର୍ଥାତ୍ ‘‘ମିଷ୍ଟର ଆଣ୍ଡ୍ରୁଜ, ଏହି ବାଳକଟି ଓଡ଼ିଶାରୁ ଆସିଛି । ସେ କ’ଣ କହୁଛି ଅନୁଗ୍ରହ କରି ଶୁଣ ଏବଂ ଏହାକୁ ଯେତେଦୂର ପାର ସାହାଯ୍ୟ କର ।’’ ଏହି କେତୋଟି କଥା ଆଣ୍ଡ୍ରୁଜ ସାହେବଙ୍କୁ କହି ରବିବାବୁ ସେ ଘରୁ ବାହାରିଗଲେ । ଆଣ୍ଡ୍ରୁଜ ସାହେବଙ୍କ ଘରେ ରବିବାବୁ ପ୍ରବେଶ କରିବା ମାତ୍ରକେ ଆଣ୍ଡ୍ରୁଜ ସାହେବ ଉଠିପଡ଼ି ଦରଜା ନିକଟକୁ ଦୌଡ଼ି ଆସିଥିଲେ । କବିଙ୍କୁ ବିଦାୟ ଦେଇ ଆଣ୍ଡ୍ରୁଜ ସାହେବ ମୋ କାନ୍ଧରେ ହାତ ପକାଇ ମତେ ନେଇ ଗୋଟିଏ ଚୌକି ବସିବାକୁ ଦେଲେ । ସେ କ’ଣ ବସି ଲେଖୁଥାନ୍ତି । ସେ ଲେଖା ଛାଡ଼ି ମୋ କଥା ଶୁଣିବାକୁ ମୋ ମୁହଁକୁ ଚାହିଁ ବସିଲେ । ମୁଁ ଆଣ୍ଡ୍ରୁଜ ସାହେବଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲି । ଆଣ୍ଡ୍ରୁଜ ସାହେବ ମୋଠାରୁ ଶୁଣିସାରି ହଠାତ୍ ଠିଆ ହୋଇ ପଡ଼ିଲେ । ମୋ କାନ୍ଧରେ ହାତ ପକାଇ ମତେ କହିଲେ–

 

“well, you have done your duty to your country and your people by approaching me. Believe me now I am the man to do every-thing for you and for your people.”

 

‘‘ତୁମେ ମୋ ନିକଟକୁ ଆସି ତୁମେ ତୁମର କର୍ତ୍ତବ୍ୟ ପୂର୍ଣ୍ଣ କରି ସାରିଛ । ମୋତେ ବିଶ୍ୱାସ କର, ବର୍ତ୍ତମାନ ତୁମ୍ଭପାଇଁ ଓ ତୁମ୍ଭ ଦେଶ ଲୋକଙ୍କପାଇଁ ଯାହା କିଛି କରିବାର ମୁଁ କରିବି ।’’

 

ଆଣ୍ଡ୍ରୁଜ ସାହେବ ଏହି କେତୋଟି କଥା ମତେ କହିଗଲେ । ସେ ଠିଆ ହେବାରୁ ମୁଁ ମଧ୍ୟ ଠିଆ ହେଲି । ତାହାଙ୍କ ମୁହଁକୁ ଚାହିଁ ରହିଲି । ତାହାଙ୍କ କଥାଗୁଡ଼ିକ ମତେ ସ୍ୱପ୍ନ ପ୍ରାୟ ବୋଧ ହେଲା-। ଏ କ’ଣ ସତ, ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି ! ଆଉ କିଛି ମତେ କରିବାକୁ ପଡ଼ିବ ନାହିଁ । ଆଣ୍ଡ୍ରୁଜ ସାହେବ ଏଣିକି ସବୁ କରିବେ ! ଏ ମହାନ୍ ବ୍ୟକ୍ତି କିଏ ? ଏହାଙ୍କର ଏ ଆଶ୍ୱାସନା ଓ ଅଭୟ ବାଣୀ ମତେ ଦୈବ ବାଣୀ ପ୍ରାୟ ବୋଧ ହେଉଛି । ମୁଁ କିଛି ବୁଝି ପାରୁ ନାହିଁ । ମୋ ମୁହଁରୁ କଥା ବାହାରୁ ନାହିଁ । ମୁଁ କିଛି ଉତ୍ତର ନ ଦେବାରୁ ଆଣ୍ଡ୍ରୁଜ ସାହେବ ମନେ କରୁ ଅଛନ୍ତି, ବୋଧହୁଏ ମୁଁ ଦଶପଲ୍ଲାର ଏ ଘଟଣାରେ ଏତେ ଭୟଭୀତ ହୋଇ ଯାଇଛି ଯେ, ସେ ଭୟ ମୋଠାରୁ ଛାଡ଼ି ନାହିଁ । ସେହି ଭୟରେ ତାହାଙ୍କ କଥାର କିଛି ଜବାବ ମୁଁ ଦେଉ ନାହିଁ । ତେଣୁ ସେ ପୁଣି କହୁଅଛନ୍ତି–‘‘well, my boy you have now nothing to fear. You stay with me I shall try my best to help you.”

 

‘‘ଆଚ୍ଛା ବାବା, ତୁମ୍ଭେ ଆଉ ଭୟ କରିବାର କିଛି ମାତ୍ର କାରଣ ନାହିଁ । ତୁମ୍ଭେ ମୋ ନିକଟରେ ରହ, ମୁଁ ମୋର ଯଥାସାଧ୍ୟ ଚେଷ୍ଟା କରିବି ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ।’’ ଆଣ୍ଡ୍ରୁଜ ସାହେବଙ୍କର ଏହି କେତୋଟି କଥା ମୋର ହୃଦୟରେ ଏକପ୍ରକାର ବିଦ୍ୟୁତ୍ ଶକ୍ତି ଖେଳାଇ ଦେଲା । ସେହି ଦିନ, ସେହି କଥା ଅଦ୍ୟାପି ମୋର ମନେ ଅଛି । ଆଣ୍ଡ୍ରୁଜ ସାହେବଙ୍କର ଏହି ଆଶ୍ୱାସନା ମୋ ମନରେ କି ଆନନ୍ଦ ଦେଇଥିଲା ତାହା କହି ହେଉ ନାହିଁ । ଦଶପଲ୍ଲାର ଦୁଃଖ ନିର୍ଯ୍ୟାତନା ଲାଘବ କରିବାର ସଂପୂର୍ଣ୍ଣ ସମ୍ଭାବନା ମତେ ଦେଖାଗଲା । ମୋ ମନରେ କେତେ କ’ଣ ସୁଖ-ସ୍ୱପ୍ନ ଜାଗି ଉଠିଲା ତାହା କହି ହେବ ନାହିଁ । ଶାନ୍ତିନିକେତନକୁ ଆସିଲା ବେଳୁ ମତେ ବୋଧ ହେଉଛି ସତେ ଯେପରି ଗୋଟାଏ ଦେବଭୂମିକୁ ମୁଁ ଆସିଛି । ଶାନ୍ତିନିକେତନ ଛାତ୍ରବୃନ୍ଦଙ୍କୁ ଦେଖିଲେ ପୂର୍ବକାଳର ଋଷି ଆଶ୍ରମ ଚିତ୍ର ଆଖି ଆଗରେ ନାଚି ଯାଉଛି । ଛାତ୍ରମାନେ ଏଠାରେ କି ଆନନ୍ଦରେ ଅଛନ୍ତି ! ସବୁବେଳେ ଆଇନ ଶୃଙ୍ଖଳାର ନାମ ଦେଇ, ପିଲାମାନଙ୍କ ସ୍ୱାଧୀନତା ଲୋପ କରିବାର କୌଣସି ଚିହ୍ନ ଏଠାରେ ନାହିଁ । ଛାତ୍ର ଓ ଶିକ୍ଷକ ପରସ୍ପର ଭାଇ, ସାଙ୍ଗ ଓ ସାଥି । ଛାତ୍ର ଶିକ୍ଷକ ଏକତ୍ର ଖେଳ କରୁଛନ୍ତି, ଏକତ୍ର ଗୀତ ଗାଇ ବୁଲୁଛନ୍ତି । ପିଲାମାନେ ଦଳ ଦଳ ହୋଇ ବୁଲୁଛନ୍ତି । କିଏ ଗଛରେ ଚଢ଼ି ଗୀତ ଗାଉଛି, କିଏ ଗୋଟିଏ ଦୋଳିରେ ବସି ଗୀତ ଗାଉଛି । ଆଉ ଦଳେ ପିଲା କେଉଁଠାରେ ଖେଳୁଛନ୍ତି । କେଉଁଠାରେ କେଉଁ ଗଛମୂଳରେ ବସି କିଏ ପଢ଼ୁଛି । ଦେଖିଲେ ଜଣା ଯାଉଛି ପିଲାମାନେ ସେମାନଙ୍କ ଇଚ୍ଛାନୁସାରେ ଖେଳୁଛନ୍ତି, ବୁଲୁଛନ୍ତି ଓ ପାଠ ପଢ଼ୁଛନ୍ତି । ବେଳେ ବେଳେ ରବିବାବୁ ଆସି ଏହି ପିଲାମାନଙ୍କ ସହିତ ମଧ୍ୟ ଖେଳ ରହସ୍ୟ କରନ୍ତି । ଏସବୁ ସ୍ୱପ୍ନ କିମ୍ବା ବାସ୍ତବରେ ମୁଁ ଆଖିରେ ଦେଖୁଛି କିଛି ବୁଝିପାରୁ ନାହିଁ । ଶାନ୍ତିନିକେତନ ନାମ ମଧ୍ୟ ମୁଁ ଶୁଣି ନାହିଁ । ଛାତ୍ରମାନେ ଏପରି ଆନନ୍ଦରେ ଏବଂ ସ୍ୱାଧୀନ ଭାବରେ ଖେଳି ବୁଲି ଅଧ୍ୟୟନ କରନ୍ତି, ଏହା ମୁଁ କଳ୍ପନା କରି ନାହିଁ । ଯାହା କେବେ ଶୁଣି ନାହିଁ, ଯାହା କଳ୍ପନା କରି ନାହିଁ ସେପରି ଦୃଶ୍ୟ ଦେଖିଲେ ମନର ଭାବ କିପରି ହୁଏ ତାହା ସହଜେ ଅନୁମେୟ ।

 

ଏହି ଆନନ୍ଦମୟ ସ୍ଥାନଟିକୁ ଆସି ମୁଁ ସବୁ ଭୁଲି ଯାଉଛି, ଦଶପଲ୍ଲା ଅତ୍ୟାଚାର ପାସୋର ଯାଉଛି । ଆଣ୍ଡ୍ରୁଜ ସାହେବ ଓ ବିଶ୍ୱକବି ରବୀନ୍ଦ୍ର ନାଥଙ୍କୁ ପାଇଛି । ଆଣ୍ଡ୍ରୁଜ ସାହେବଙ୍କ ଅଭୟ ବାଣୀ ପାଇ, ଦଶପଲ୍ଲା ପ୍ରଜାଙ୍କର ଦୁଃଖ ଅପନୋଦନ କରି ପାରିବାର ଦୃଢ଼ ବିଶ୍ୱାସ ହୃଦୟରେ ଜାଗି ଉଠିଛି । ଏହାଠାରୁ ମୋ ପକ୍ଷରେ ଅଧିକ ଆନନ୍ଦଦାୟକ ଘଟଣା ଆଉ କ’ଣ ହୋଇପାରେ ! ଏହି ସମୟରେ ହୃଦୟରେ ମୁଁ ଯେପରି ଆନନ୍ଦ ଉପଲବ୍‌ଧି କରିଥିଲି, ଭାରତ ସ୍ୱାଧୀନତା ଘୋଷଣା କରିବା ଦିନ ସେହିପରି ଆନନ୍ଦ ଅନୁଭବ କରି ପାରିବି କି ନାହିଁ ସନ୍ଦେହ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ଏହିପରି ଭାବରେ ବୋଲପୁର ଶାନ୍ତିନିକେତନରେ ମୁଁ ରହିଲି । ଦଶପଲ୍ଲାର ନିର୍ଯ୍ୟାତିତ ପ୍ରଜାଙ୍କ ପାଇଁ କ’ଣ କିପରି କରାଯାଇ ପାରେ ଏହି ବିଷୟରେ ମୋର ମତାମତ ଜାଣିବାକୁ ଆଣ୍ଡ୍ରୁଜ ସାହେବ ମତେ ପଚାରିଲେ । ସେତେବେଳକୁ ଦେଶର ରାଜନୈତିକ ପରିସ୍ଥିତି ବିଷୟରେ ମୋର କୌଣସି ଜ୍ଞାନ କିମ୍ବା ଅଭିଜ୍ଞତା ନ ଥାଏ । ତଥାପି ମତେ କିଛି କହିବାକୁ ହେବ । ଗୋଟିଏ ତଦନ୍ତ କମିଟି ବସି ଦଶପଲ୍ଲା ଅତ୍ୟାଚାରର ସମସ୍ତ ବ୍ୟାପାର ତଦନ୍ତ କଲେ ଦଶପଲ୍ଲା ପ୍ରଜା ସନ୍ତୁଷ୍ଟ ହେବେ ବୋଲି ମୁଁ କହିଥିଲି । କମିଟରେ ସରକାରୀ ବେ-ସରକାରୀ ଉଭୟ ଲୋକେ ରହିବେ । ମୋର ଏହି ପ୍ରସ୍ତାବଟିକୁ ଆଣ୍ଡ୍ରୁଜ ସାହେବ ପସନ୍ଦ କଲେ । ଦଶପଲ୍ଲାର ସମସ୍ତ ଘଟଣା ଉଲ୍ଲେଖ କରି ଗୋଟିଏ ଲେଖା ଲେଖିଦେବାକୁ ସେ ମତେ ଆଦେଶ କଲେ । ଇଂରେଜୀରେ ମୁଁ ଗୋଟିଏ ଲେଖା ଲେଖିଲି । ଆଣ୍ଡ୍ରୁଜ ସାହେବ ମୋର ସେହି ଲେଖାଟିକୁ ଦେଖି ସଂଶୋଧନ କରି ଦେଲେ । ବଡ଼ଲାଟ ଲର୍ଡ ହାଡିଞ୍ଜଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖି ଆଣ୍ଡ୍ରୁଜ ସାହେବ ମୋର ସେହି ଲେଖାଟିକୁ ବଡ଼ଲାଟଙ୍କ ନିକଟକୁ ପଠାଇ ଦେଲେ । ରବୀନ୍ଦ୍ରନାଥ ଠାକୁର ମଧ୍ୟ ଖଣ୍ଡିଏ ପତ୍ର ଦେଲେ । ଏହିପରି ଭାବରେ ଭାରତର ବଡ଼ଲାଟ ସାହେବଙ୍କ କାନକୁ ଦଶପଲ୍ଲା ଅତ୍ୟାଚାର କଥା ଗଲା । ତାହାଙ୍କ ଉତ୍ତରକୁ ଅପେକ୍ଷା କରି ଶାନ୍ତିନିକେତନରେ ମତେ ରହିବାକୁ ପଡ଼ିଲା । କିଛି ସମୟପରେ ବଡ଼ଲାଟ ସାହେବଙ୍କ ନିକଟରୁ ଉତ୍ତର ଆସିଲା:- “Keep that youngman with you, I am inquirying in to the matter and shall see what can be done.”

 

ଅର୍ଥାତ୍ ‘‘ତୁମେ ସେହି ଯୁବକଟିକୁ ତୁମ୍ଭ ନିକଟରେ ରଖିଥାଅ । ମୁଁ ଏହାର ଅନୁସନ୍ଧାନ କରୁଛି । ତାପରେ କ’ଣ କରାଯାଇ ପାରେ ତହିଁର ବିଚାର କରିବି ।’’

 

ବଡ଼ଲାଟ ଲର୍ଡ ହାଡିଞ୍ଜଙ୍କଠାରୁ ଏପରି ଉତ୍ତର ପାଇ ମୋର ଆଶା ଓ ଆନନ୍ଦ ଆହୁରି ବଢ଼ିଗଲା । ଏ ଆନନ୍ଦ ସଂବାଦ ମୁଁ ନରସିଂହ ଓ ଦୟାନିଧି ଦଳବେହେରା ପ୍ରଭୃତି ଦଶପଲ୍ଲା ଛାତ୍ରଙ୍କୁ ଜଣାଇଲି । ଏ ସଂବାଦ ପାଇ ସେମାନଙ୍କ ଆନନ୍ଦର ମଧ୍ୟ ସୀମା ରହିଲା ନାହିଁ । ମୋର ଦୃଢ଼ ବିଶ୍ୱାସ, ଦଶପଲ୍ଲା ପ୍ରଜାଙ୍କ ଦୁଃଖ ନିଶ୍ଚୟ ଦୂର ହେବ । ଏହିପରି ଆଶା ଓ ବିଶ୍ୱାସ ନେଇ ବୋଲପୁର ଶାନ୍ତିନିକେତନରେ ମୁଁ ଦେଢ଼ମାସ ପର୍ଯ୍ୟନ୍ତ ରହିଲି । ରାଜନୀତି କ୍ଷେତ୍ରର ଜଟିଳତା ମୋ ମନକୁ ସ୍ପର୍ଶ କରି ନ ଥାଏ । ବର୍ତ୍ତମାନ ଜର୍ମାନ ଯୁଦ୍ଧର ସମୟ । ବଡ଼ଲାଟ ସାହେବ ଯାହା ଉତ୍ତର ଦେଲେ ତହିଁରେ ରାଜନୈତିକ ଚାଲବାଜୀ ଅଛି, ଏହା ଜାଣିବା ମୋ ପକ୍ଷରେ ସମ୍ଭବପର ନୁହେ । ଆଣ୍ଡ୍ରୁଜ ସାହେବ ମଧ୍ୟ ବୁଝିପାରି ନାହାନ୍ତି । ଆଣ୍ଡ୍ରୁଜ ସାହେବଙ୍କ ପୂର୍ଣ୍ଣ ବିଶ୍ୱାସ ଯେ, ବଡ଼ଲାଟ ସାହେବଙ୍କୁ ଲେଖି ସେ କିଛି କରି ପାରିବେ । ଯୁଦ୍ଧ ସମୟରେ ଏ ବିଷୟ ନେଇ କୌଣସି ଆନ୍ଦୋଳନ କରିବାକୁ ଗଲେ ବିଶେଷ କିଛି ଲାଭ ହେବ ନାହିଁ । ବର୍ତ୍ତମାନ ପରି ସେ ସମୟକୁ ଦେଶରେ ମଧ୍ୟ ଜନମତ ଏତେ ପ୍ରବଳ ହୋଇ ନାହିଁ । କଂଗ୍ରେସ ଆଜିକାଲି ପରି ଏଡ଼େ ପ୍ରଭାବଶାଳୀ ହୋଇ ନାହିଁ । ସୁତରାଂ ଆନ୍ଦୋଳନ କଲେ କେହି ଶୁଣିବେ ନାହିଁ । ଏହି ବିଶ୍ୱାସରେ ଆଣ୍ଡ୍ରୁଜ ସାହେବ ଯେପରି ଉଚିତ ବିବେଚନା କଲେ ସେପରି କରିଛନ୍ତି ।

 

ମୁଁ ଗୋଟିଏ ସ୍ଥାନରେ ରହିଗଲେ ଦଶପଲ୍ଲା ଘଟଣା ଦେଶରେ ପ୍ରଚାର ହୋଇ ପାରିବ ନାହିଁ । ଯୁଦ୍ଧ ସମୟରେ ସରକାର ଭାରତରେ ସାହାଯ୍ୟ ଓ ସହାନୁଭୂତି ଭିକ୍ଷା କରୁଛନ୍ତି । ଏହି ସମୟରେ କୌଣସି ଘଟଣା ପ୍ରକାଶ କଲେ ଯଦ୍ଦ୍ୱାରା ଭାରତରେ ଗୋଟାଏ ଚାଞ୍ଚଲ୍ୟ ଉପସ୍ଥିତ ହେବ ସେପରି ଘଟଣା ଘୋଡ଼ାଇ ରଖିବା ଉଚିତ । ଏହା ବିଚାରି ବଡ଼ଲାଟ ସାହେବ ମତେ ଶାନ୍ତିନିକେତନରେ ରଖାଇ ଦେଲେ ବୋଲି ଆଜି ମୋ ମନରେ ସନ୍ଦେହ ହୁଏ । ଏହି ଘଟଣା ଜାଣିବାକୁ ବଡ଼ଲାଟ ସାହେବ ବିହାର-ଓଡ଼ିଶା ସରକାରଙ୍କ ନିକଟକୁ ରିପୋଟ ମାଗିଥିବେ । ବିହାର-ଓଡ଼ିଶା ସରକାର ଗଡ଼ଜାତର ପଲିଟ୍‌କେଲ ଏଜେଣ୍ଟ କବ୍‌ଡେନ୍ ରାମସେ ସାହେବଙ୍କ ରିପୋଟ ଅନୁସାରେ ଉପରକୁ ରିପୋଟ କରିଥିବେ । ଏପରି ଅବସ୍ଥାରେ ଦଶପଲ୍ଲାରେ ଯାହାସବୁ ଘଟିଲା ତହିଁର ସଠିକ ସଂବାଦ ବଡ଼ଲାଟଙ୍କ କାନକୁ ହୁଏତ ଗଲା ନାହିଁ । ଦେଢ଼ମାସ କାଳ ବୋଲପୁର ଶାନ୍ତିନିକେତନରେ ରହିଲା ପରେ ବଡ଼ଲାଟ ସାହେବଙ୍କ ନିକଟରୁ ଉତ୍ତର ଆସିଲା । ଆଣ୍ଡ୍ରୁଜ ସାହେବ ମତେ ଡାକି ଏହି ଉତ୍ତରର ସାରମର୍ମ ବୁଝାଇ ଦେଲେ । ସାରମର୍ମ ହେଉଛି, ଦଶପଲ୍ଲାରେ ସେପରି କିଛି ଘଟି ନାହିଁ ଯହିଁରେ ବଡ଼ଲାଟ ସାହେବ ମହୋଦୟଙ୍କୁ କିଛି କରିବାକୁ ହେବ ।

 

ଏହିପରି ମର୍ମରେ ଆଣ୍ଡ୍ରୁଜ ସାହେବ ବଡ଼ଲାଟଙ୍କଠାରୁ ଆସିଥିବା ଉତ୍ତର ଶୁଣାଇ ଦେଲେ । ଏହି ଉତ୍ତର ଶୁଣି ହଠାତ୍ ମୁଁ ଅବାକ୍ ହୋଇ ଗଲି । ମୁହଁରୁ କିଛି କଥା ବାହାରିଲା ନାହିଁ । ମୋର ସମସ୍ତ ପ୍ରକାର ଆଶା ଓ ଆନନ୍ଦ ମୁହୂର୍ତ୍ତ ମାତ୍ରକେ କୁଆଡ଼େ ଲୋପ ପାଇଗଲା । କିଛି ଉତ୍ତର ଦେଇ ନ ପାରି ହଠାତ୍ ବସି ପଡ଼ିଲି । ଆଣ୍ଡ୍ରୁଜ ସାହେବ, ତାଙ୍କର ବନ୍ଧୁ ପିଅରସନ ସାହେବ ମତେ ଏପରି ବସି ପଡ଼ିବାର ଦେଖି, ଦୁହେଁ ଆସି ମତେ ଧରି ପକାଇ ବହୁତ ବୁଝାଇ କହିଲେ । ଦଶପଲ୍ଲା ପ୍ରଜାଙ୍କପାଇଁ ବର୍ତ୍ତମାନ ବିଶେଷ କିଛି କରିବାର ବାଟ ଆଉ ନାହିଁ । ଦେଶରେ ଏକଥା ନେଇ କିଛି ଆନ୍ଦୋଳନ କରିବା ସମ୍ଭବ ନୁହେଁ । ଜର୍ମାନ ଯୁଦ୍ଧ ବେଳେ ସରକାର ମଧ୍ୟ ଏ କଥା ଶୁଣିବେ ନାହିଁ । ଅତଏବ ସେ ବିଷୟରେ ଚିନ୍ତା କରି ବ୍ୟଥିତ ହେବାରେ କିଛି ଲାଭ ନାହିଁ । ଭବିଷ୍ୟତ୍‌ରେ ଭଲ ଭାବରେ ମୁଁ ଯେପରି ଦେଶର ସେବା କାର୍ଯ୍ୟ କରି ପାରିବି, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର । ମୁଁ ପାଠ ପଢ଼ିବା ଉଚିତ । ପଢ଼ିବାପାଇଁ ଆଣ୍ଡ୍ରୁଜ ସାହେବ ମତେ ସାହାଯ୍ୟ କରିବେ ବୋଲି କହିଲେ । ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଠାକୁର ମଧ୍ୟ ସେହି ଉପଦେଶ ଦେଲେ । କିନ୍ତୁ ପଢ଼ିବାପାଇଁ ମୋର ମନ ବଳିଲା ନାହିଁ । ଦଶପଲ୍ଲାର ଶହ ଶହ ପ୍ରଜା ଧରା ହୋଇ ବିଚାର ଚାଲିଛି । ସେମାନଙ୍କ ଦଶା କ’ଣ ହେବ ? ବିଚାରା ବୈଷ୍ଣବ ଦେଓକୁ ଧରି ନେଇ କିପରି ଶାସ୍ତି ବିଧାନ କରିବେ? ଇତ୍ୟାଦି । ଦଶପଲ୍ଲା ଘଟଣାବଳିର ଦୃଶ୍ୟ ଗୋଟି ଗୋଟି ହୋଇ ମୋ ଆଖି ଆଗରେ ନାଚିଗଲା । ଏସବୁ ଏକାବେଳକେ ଭୁଲିଯାଇ, ନିଶ୍ଚିନ୍ତ ମନରେ ବସି ପାଠ ପଢ଼ିବା ଭଳି ମନର ଅବସ୍ଥା ନ ହେଲେ ପାଠପଢ଼ା କଦାପି ସମ୍ଭବପର ହୋଇ ନ ପାରେ ।

 

ସୁତରାଂ ମତେ ‘ଶାନ୍ତି-ନିକେତନ’ ଛାଡ଼ି ଆସିବାକୁ ହେଲା । ସେଠାରୁ ଆସି କଲିକତାରେ ଉପସ୍ଥିତ ହେଲି । କଲିକତାରେ ବାବୁ ସୁରେନ୍ଦ୍ରନାଥ ବାନାର୍ଜୀ, ମୋତିଲାଲ ଘୋଷ ଓ ରାମାନନ୍ଦ ଚାଟାର୍ଜୀ ପ୍ରମୁଖ ବ୍ୟକ୍ତିମାନଙ୍କ ସହିତ ଦେଖାକରି ଦଶପଲ୍ଲାରେ ଘଟିଥିବା ସମସ୍ତ ବିବରଣୀ ଶୁଣାଇ ଏହାର ପ୍ରତିକାର ପାଇଁ କି ଉପାୟ ଅବଲମ୍ବନ କରାଯାଇ ପାରେ, ଏ ବିଷୟରେ ସେମାନଙ୍କର ପରାମର୍ଶ ଲୋଡ଼ିଥିଲି । ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ‘The Bengalee’ (ଦି ବେଙ୍ଗଲୀ) ନାମକ କାଗଜରେ ଏଥିପୂର୍ବରୁ ଦଶପଲ୍ଲା ମେଳି ବିଷୟରେ ଗୋଟିଏ ଦୁଇଟି ଅଗ୍ରଲେଖା ପ୍ରକାଶ ପାଇଛି । ଏହିଠାରେ ବାବୁ ଶ୍ୟାମସୁନ୍ଦର ଚକ୍ରବର୍ତ୍ତୀଙ୍କ ସହିତ ମୋର ସାକ୍ଷାତ ହେଲା । ସେ ମତେ ବହୁତ ସହାନୁଭୂତି ଦେଖାଇଥିଲେ । ଦଶପଲ୍ଲା ପ୍ରଜାଙ୍କପାଇଁ କିପରି କିଛି କରାଯାନ୍ତା ଏଥିପାଇଁ ସେ ବଡ଼ ବ୍ୟାକୁଳ । ଯୁଦ୍ଧ ସମୟ ହୋଇ ନ ଥିଲେ ସରକାରୀ ସାହାଯ୍ୟରେ ନିଶ୍ଚୟ କିଛି ନା କିଛି ଦଶପଲ୍ଲା ପ୍ରଜାଙ୍କପାଇଁ ପ୍ରତିକାର କରାଯାଇ ପାରିଥାନ୍ତା । ସେତେବେଳକୁ ଦେଶରେ ରାଜନୈତିକ ଆନ୍ଦୋଳନ ବର୍ତ୍ତମାନ ପରି ସରକାରଙ୍କ ବିରୁଦ୍ଧରେ ଏତେ ପ୍ରବଳ ଆକାର ଧାରଣ କରି ନ ଥାଏ । ଦେଶର ନେତୃସ୍ଥାନୀୟ ବ୍ୟକ୍ତିମାନେ କିଛି କହିଲେ ସରକାର ଟିକିଏ ଶୁଣୁଥାନ୍ତି । ସେ ଯାହା ହେଉ ଜର୍ମାନୀ ଯୁଦ୍ଧ ଦଶପଲ୍ଲାର ହେଲା କାଳ ।

 

ଯୁଦ୍ଧହେତୁ ଦେଶରେ ‘ଭାରତ-ରକ୍ଷା-ଆଇନ’ ନାମରେ ଏକ କଡ଼ା ଆଇନ ଜାରି ହୋଇଥାଏ । ସରକାରଙ୍କ ବିରୁଦ୍ଧରେ କିଛି ଆନ୍ଦୋଳନ କରିବା ଅସମ୍ଭବ !

 

ଏହା ହେଲେ ମଧ୍ୟ ‘ଅମୃତ ବଜାର’ ପତ୍ରିକାର ସମ୍ପାଦକ ବାବୁ ମୋତିଲାଲ ଘୋଷ ବଡ଼ଲାଟ ସାହେବଙ୍କ ନିକଟକୁ ଦଶପଲ୍ଲା ବିବରଣୀ ଉଲ୍ଲେଖ କରି ଖଣ୍ଡିଏ ଖୋଲା ଚିଠି ଲେଖିବାକୁ ମତେ ପରାମର୍ଶ ଦେଲେ । ସେହି ଖୋଲା ଚିଠି ପାଇଲେ ସେ ତାହାଙ୍କ କାଗଜରେ ଦଶପଲ୍ଲା ବିଷୟ ନେଇ ଲେଖାମାନ ପ୍ରକାଶ କରିବେ-ସରକାରୀ କାର୍ଯ୍ୟକୁ ସମାଲୋଚନା କରି ଦଶପଲ୍ଲା ପ୍ରଜାଙ୍କ ସପକ୍ଷରେ ଦେଶରେ ଗୋଟିଏ ଲୋକମତ ଗଠନ କରିବେ ।

 

ବାବୁ ମୋତିଲାଲ ଘୋଷଙ୍କର ଏ ପ୍ରସ୍ତାବ ଶୁଣି ମୋର ନିରାଶ ପ୍ରାଣରେ ପୁଣି ଟିକିଏ ଆଶାରେଖା ଚେଇଁ ଉଠିଲା । କଲିକତାର ବର୍ତ୍ତମାନ ମୁଁ ନ ୩ମ୍ବର ମିରଜାପୁର ଷ୍ଟ୍ରିଟରେ ଅଛି । ବଙ୍ଗଦେଶରେ ‘କୁମୀଲା ଅଭୟ ଆଶ୍ରମ’ର ଜନ୍ମ ଏହିଠାରେ । ଡାକ୍ତର ସୁରେଶଚନ୍ଦ୍ର ବାନାର୍ଜୀ କେତୋଟି ଛାତ୍ରଙ୍କୁ ସଂଗ୍ରହ କରି ଦେଶସେବା ପାଇଁ ଗୋଟିଏ ଦଳ ଗଠନ କରୁଥାନ୍ତି । କଟକରୁ କଲିକତା ପଳାଇ ଆସିଲା ବେଳକୁ ଏହି ସୁରେଶ ବାବୁ କଟକ ଯାଇଥିଲେ । କଟକରୁ ସେ ମତେ ଏହି ମେସରେ ଥିବା ତାଙ୍କ ଦଳଭୁକ୍ତ ଶ୍ରୀଯୁକ୍ତ ଯୋଗେନ୍ଦ୍ରନାଥ ଶାହଙ୍କ ନିକଟକୁ ପତ୍ର ଲେଖି ମତେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ମୁଁ ବର୍ତ୍ତମାନ ତାହାଙ୍କ ସାହାଯ୍ୟରେ କଲିକତାରେ ରହିଛି । ସୁଭାଷଚନ୍ଦ୍ର ବୋଷ କଟକ ଛାଡ଼ି କଲିକତା ପଢ଼ିବାକୁ ଆସିବା ପରେ ସୁରେଶ ବାବୁଙ୍କ ନିକଟକୁ ଯିବା ଆସିବା କରୁଛନ୍ତି । ଏକ ପ୍ରକାର ଏହି ଦଳରେ ସେ ଯୋଗ ଦେଇଛନ୍ତି କହିଲେ ଚଳେ । ସେ ପ୍ରତ୍ୟହ ଏହି ତିନି ନମ୍ବର ମିରଜାପୁରରେ ଥିବା ମେସକୁ ଆସନ୍ତି । ତାହାଙ୍କ ସହିତ କଟକରୁ ମୋର ପରିଚୟ ଥିଲା । କଲିକତାରେ ବର୍ତ୍ତମାନ ତାଙ୍କ ସହିତ ବିଶେଷ ଘନିଷ୍ଠତା ହୋଇଅଛି । ସୁତରାଂ ମୁଁ ବର୍ତ୍ତମାନ ଯାହା କରୁଛି, ଏମାନଙ୍କୁ ଜଣାଇ କରୁଛି । ଏମାନଙ୍କୁ ନ ଜଣାଇ ଅବା ଏମାନଙ୍କ ପରାମର୍ଶ ନ ନେଇ ମୁଁ କିଛି କରି ନ ପାରେ । କାରଣ ଦେଶର ରାଜନୀତି ବିଷୟରେ ମୋର କୌଣସି ଅଭିଜ୍ଞତା ନାହିଁ । ଏପରି ଅବସ୍ଥାରେ ବାବୁ ମୋତିଲାଲ ଘୋଷଙ୍କର ପ୍ରସ୍ତାବ ସୁଭାଷ ବାବୁ ଓ ଯୋଗେନ ବାବୁ ପ୍ରଭୃତିଙ୍କୁ ଜଣାଇଲି । ସୁରେଶ ବାବୁ ମେସରେ ନ ଥାନ୍ତି-। ଯୋଗେନ ବାବୁଙ୍କ ଉପରେ ମେସର ସବୁ ଭାର । ତେଣୁ ତାଙ୍କୁ ପଚାରିବା ଦରକାର ।

 

ଦଶପଲ୍ଲା ମେଳି ମକଦ୍ଦମାର ବିଚାର ଏତେବେଳକୁ ସମାପ୍ତ ହେଲାଣି । ବିଚାରା ବୈଷ୍ଣବ ଦେଓ ଦ୍ୱୀପାନ୍ତର ଦଣ୍ଡ ପାଇଛନ୍ତି । ଅନେକ ଲୋକଙ୍କୁ ଫାଶି ହୁକୁମ ହୋଇଛି । ଅନେକ ଦ୍ୱୀପାନ୍ତର ହୋଇଛନ୍ତି । ବିଚାରା ହାଡ଼ିବନ୍ଧୁ ୧୪ ବର୍ଷ ଜେଲଦଣ୍ଡ ପାଇଛି । ଦଶପଲ୍ଲା ଅଭିନୟର ଶେଷ ପରଦା ପଡ଼ିସାରିଲାଣି । ଏସବୁ ମୁଁ ଶୁଣିଲିଣି । ସୁଭାଷ ବାବୁ ପ୍ରଭୃତି ସମସ୍ତେ ମଧ୍ୟ ଏହା ଜାଣିଲେଣି । ଏପରି ଅବସ୍ଥାରେ ମୋତିଲାଲ ବାବୁଙ୍କ ପ୍ରସ୍ତାବ ଅନୁସାରେ କାର୍ଯ୍ୟକରି ଆନ୍ଦୋଳନ କରିବାରେ କିଛି ଫଳ ଫଳିବାର ଆଶା ଆଉ ନାହିଁ ବୋଲି ସୁଭାଷ ବାବୁ ପ୍ରଭୃତି ମତାମତ ବ୍ୟକ୍ତ କଲେ । ସେମାନେ ସମସ୍ତେ ଭାବି ବିଚାରି ବାବୁ ମୋତିଲାଲ ଘୋଷଙ୍କ ପ୍ରସ୍ତାବକୁ କାର୍ଯ୍ୟରେ ପରିଣତି କରିବାକୁ ମତେ ମନାକଲେ । ସେମାନଙ୍କ କହିବାର ମର୍ମ ହେଉଛି-ଯୁଦ୍ଧ ସମୟରେ ସରକାର ଏଭଳି କଥାକୁ ଶୁଣିବେ ନାହିଁ । ଏହା ବିରୁଦ୍ଧରେ ପ୍ରବଳ ଲୋକମତ ଗଠନ କରିବା କଳ୍ପନା ମଧ୍ୟ ବୃଥା । ଦଶପଲ୍ଲାରେ ଯାହା ଘଟିବାର ଘଟିଗଲା । ଏଥିରେ ସଂପୃକ୍ତ ହୋଇ ମୁଁ ମୋର ଜୀବନକୁ ବିପଦଗ୍ରସ୍ତ କରିଛି । ବର୍ତ୍ତମାନ ପ୍ରକାଶ୍ୟରେ ସମ୍ବାଦପତ୍ରରେ ଲେଖାଲେଖି କଲେ ମୋର ଜୀବନ ଆହୁରି ବିପଦପୂର୍ଣ୍ଣ ହୋଇ ଉଠିବ । ମୁଁ କଲିକତାରେ ଥିବାର ସମ୍ବାଦ କଟକ ପୋଲିସ ଜାଣିବ । କଲିକତା ପୋଲିସ ମଧ୍ୟ ମତେ କଲିକତାରେ ରଖାଇ ଦେବ ନାହିଁ । defence of India act ଅର୍ଥାତ ‘ଭାରତ-ରକ୍ଷା-ଆଇନ’ପରି କଡ଼ା ଆଇନ ଜାରୀ ଥିଲାବେଳେ ମତେ ମଧ୍ୟ କେହି କୌଣସି ପ୍ରକାରେ ପ୍ରକାଶ୍ୟ ସାହାଯ୍ୟ ଦେଇ ପାରିବେ ନାହିଁ । ମୋର ଏପରି ଖୋଲା ପତ୍ର ବଡ଼ଲାଟଙ୍କୁ ଲେଖିବାଦ୍ୱାରା ବୃଥାରେ ମୋର ଜୀବନ ନଷ୍ଟ ହୋଇଯିବ । ଅତଏବ ଦଶପଲ୍ଲା ଇତିବୃତ୍ତିକୁ ଭୁଲିଯାଇ ନିଜକୁ ଦେଶସେବା ପାଇଁ ପ୍ରସ୍ତୁତ କରିବା ଦରକାର । ଏହା ହେଲେ ସେମାନେ ମଧ୍ୟ ମେସରେ ସ୍ଥାନ ଦେଇ ମତେ ସାହାଯ୍ୟ କରି ପାରିବେ ।

 

ସୁଭାଷ ବାବୁ ପ୍ରଭୃତିଙ୍କ ଏହି ପରାମର୍ଶ ଶୁଣିଲି । ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଚକ୍ରବର୍ତ୍ତୀ ଓ ବାବୁ ରାମାନନ୍ଦ ଚାଟାର୍ଜୀଙ୍କୁ ପଚାରିବାରେ ସେ ମଧ୍ୟ ସେହିପରି ପରାମର୍ଶ ଦେଲେ । ଅତଏବ ବାବୁ ମୋତିଲାଲ ଘୋଷଙ୍କ ପରାମର୍ଶ ଅନୁସାରେ ବଡ଼ଲାଟ ସାହେବଙ୍କୁ ଖୋଲା ପତ୍ର ଲେଖି ସମ୍ବାଦପତ୍ର ଜରିଆରେ ଆନ୍ଦୋଳନ କରିବା କାର୍ଯ୍ୟରୁ ଏହିପରି ଭାବରେ ମୁଁ ରହିତ ହେଲି ସତ୍ୟ, କିନ୍ତୁ ମନରେ ଶାନ୍ତି ପାଇଲି ନାହିଁ । ଆମ୍ଭେମାନେ କିପରି ନିରୁପାୟ, ଆମ ଦେଶ କିପରି ଦୁର୍ବଳ, କୌଣସି ପ୍ରକାର ଅନ୍ୟାୟ, ଅତ୍ୟାଚାରର ପ୍ରତିକାର କରିବାକୁ ଆମର କୌଣସି ଉପାୟ ନାହିଁ, ଇତ୍ୟାଦି ଭାବନା ମୋ ମନରେ ଜାଗି ଉଠିଲା । ମୋର ହୃଦୟ ଭିତର ପ୍ରତିଧ୍ୱନିତ ହେବାକୁ ଲାଗିଲା-“So long we have not been able to drive-out these white people from India, there is very little chance of even thinking, to do any good to our country.” ଅର୍ଥାତ୍ ଯେତେଦିନ ପର୍ଯ୍ୟନ୍ତ ଏହି ଧନୀ ଲୋକଙ୍କୁ ଏ ଦେଶରୁ ତଡ଼ି ଦେଇ ନ ପାରିଛୁଁ ସେତେଦିନ ପର୍ଯ୍ୟନ୍ତ ଦେଶର କୌଣସି ମଙ୍ଗଳ ଚିନ୍ତା କରିବା ମଧ୍ୟ ସମ୍ଭବପର ନୁହେ । ମୋ ମନରେ ଏହିସବୁ ଭାବନା ଯେପରି ଭାବରେ ଏବଂ ଯେପରି ଅବସ୍ଥାରେ ଜାଗରୂକ ହୋଇଥିଲା, ସେସବୁ ଅଦ୍ୟାବଧି ମନେ ଅଛି । ସେହି ଶବ୍ଦଗୁଡ଼ିକ ହୃଦୟ ଭିତରେ ନିନାଦିତ ହୋଇ ଉଠୁଛି । ସେହି ଅବସ୍ଥା ଆଖି ଆଗରେ ନାଚି ଯାଉଛି । ଏସବୁ ମନେ ପଡ଼ି ଗଲାବେଳେ ହୃଦୟ ଥରି ଉଠେ । ଆମ୍ଭେମାନେ କିପରି ନିରାଶ୍ରୟ, ବିଦେଶୀ ଶାସନ ପ୍ରଭାବରେ ଦେଶ ଓ ଜାତିର କି ଦୁର୍ଦ୍ଦଶାଘଟିଛି ତାହା ବୁଝିବାକୁ ଆଉ କିଛି ବାକୀ ରହେ ନାହିଁ ।

Image

 

ତୃତୀୟ ପରିଚ୍ଛେଦ

(ବିପ୍ଳବୀ ଜୀବନ)

 

କଲିକତାରେ ନାନା ଚେଷ୍ଟା କରି ଦଶପଲ୍ଲାର ଦୁଃଖ ଦୂର କରିବାକୁ କୌଣସି ଉପାୟ ନ ପାଇ ନିରାଶ ଭାବରେ ବୋଲପୁର ‘ଶାନ୍ତି ନିକେତନ’କୁ ପୁଣି ଫେରିଲି । ମୁଁ ବର୍ତ୍ତମାନ କ’ଣ କରିବି, କେଉଁ ପଥ ଅବଲମ୍ବନ କରିବି କିଛି ଭାବି ସ୍ଥିର କରି ପାରୁ ନାହିଁ । ଯେ ଯେତେ ଉପଦେଶ ଦେଲେ ମଧ୍ୟ କାହାରି କଥା ମତେ ସୁଖ ଲାଗୁ ନାହିଁ । ମୋ ମନ ଦୁଃଖ ଓ କ୍ରୋଧରେ ଉଛୁଳି ଉଠୁଥାଏ । ବେଳେବେଳେ ଭଗବାନଙ୍କ ନାମ ଧରିଲେ ମତେ ବିରକ୍ତ ବୋଧ ହୁଏ । ସତ୍ୟ, ନ୍ୟାୟ ଓ ଭଗବାନ ବୋଲି ଲୋକେ ଯାହା କହନ୍ତି ଏସବୁର ମୂଲ୍ୟ କିଛି ନାହିଁ ! ଈଶ୍ୱର ନାହାନ୍ତି । ସତ୍ୟ ଓ ନ୍ୟାୟ କଥା କହି ନିଜକୁ ଆଶ୍ୱାସନା ଦେବା ହେଉଛି ଦୁର୍ବଳର ଲକ୍ଷଣ । “The mighty is right” ଅର୍ଥାତ୍ ‘ବଳ ଯାହାର ରାଜ୍ୟ ତାହାର’; ବଳ, ପରାକ୍ରମ ଯେଉଁଠାରେ, ସତ୍ୟ ନ୍ୟାୟ ଭଗବାନ ସେହିଠାରେ-ଏହା ବୋଧହୁଏ ସତ୍ୟ । ଏହିପରି କେତେ ସବୁ ଭାବନା ମନରେ ଖେଳିଯାଏ । ମନର କିଛି ସ୍ଥିରତା ନ ଥାଏ । ରାତ୍ରିରେ ନିଦ ହୁଏ ନାହିଁ । ଅଧିକାଂଶ ଦିନ ଦଶପଲ୍ଲା ଘଟଣା ସବୁର ଦୃଶ୍ୟ ସ୍ୱପ୍ନ ଦେଖି ଚମକି ଉଠେ । ଦଶପଲ୍ଲାର କରୁଣ ଚିତ୍ର ସବୁବେଳେ ମୋ ଆଖି ଆଗରେ ନାଚୁଥାଏ । କ’ଣ କରିବି, କେଉଁଠାରେ ରହିବି କିଛି ସ୍ଥିର କରି ପାରେ ନାହିଁ ।

 

ଆଣ୍ଡ୍ରୁଜ ସାହେବ କଲିକତା ଯାଇଥାନ୍ତି । ବୋଲପୁର ଶାନ୍ତିନିକେତନ ଗ୍ରୀଷ୍ମଛୁଟି ହେତୁ ବନ୍ଦ ଥାଏ । ପିଲାମାନେ ସବୁ ଘରକୁ ଚାଲି ଯାଇଥାନ୍ତି ସାମାନ୍ୟ କେତେଜଣ ଛାତ୍ର ଛୁଟିରେ ରହିଥାନ୍ତି । ଆଣ୍ଡ୍ରୁଜ ସାହେବ କଲିକତାରୁ ଫେରି ହଇଜା ରୋଗରେ ଆକ୍ରାନ୍ତ ହେଲେ । ତାହାଙ୍କର ଜୀବନ ସଙ୍କଟାପନ୍ନ ହୋଇ ଉଠିଲା । ମୋର ବର୍ତ୍ତମାନ ପରିସ୍ଥିତରେ ଆଣ୍ଡ୍ରୁଜ ସାହେବଙ୍କୁ ମରଣାପନ୍ନ ଦେଖି ମୁଁ ବଡ଼ ଅଧୀର ହୋଇ ପଡ଼ିଲି । ପ୍ରାଣର ମାୟା ମମତା କାଟି ମୁଁ ତାହାଙ୍କ ସେବା ଶୁଶ୍ରୂଷା କରିବାରେ ଲାଗିଗଲି । ଈଶ୍ୱରଙ୍କ କୃପାରୁ ଆଣ୍ଡ୍ରୁଜ ସାହେବ ମରୁ ମରୁ ବଞ୍ଚିଗଲେ । ସ୍ୱାସ୍ଥ୍ୟ ପରିବର୍ତ୍ତନ କରିବା ପାଇଁ ସେ ବୋଲପୁର ଶାନ୍ତିନିକେତନ ଛାଡ଼ି ଅନ୍ୟତ୍ର ଚାଲିଗଲେ । ମୁଁ ଶାନ୍ତିନିକେତନରେ ରହିଲି ।

 

ମୁଁ କ’ଣ କରିବି, ବୋଲପୁର ଶାନ୍ତିନିକେତନରେ ରହିବି କିମ୍ବା କଲିକତା ଯିବି କିଛି ସ୍ଥିର କରି ପାରିଲି ନାହିଁ । ଶାନ୍ତିନିକେତନରେ ରହି ଅଧ୍ୟୟନ କରିବାକୁ ହେଲେ, ପୂର୍ବ ସ୍କୁଲର ଖଣ୍ଡିଏ ସାର୍ଟିଫିକେଟ ଆବଶ୍ୟକ ହେବ । କଟକ ମିଶନ ସ୍କୁଲରେ ମୁଁ ପଢ଼ୁଥିଲି । ସେଠାରୁ ସାର୍ଟିଫିକେଟ ଅଣାଯାଇ ନ ପାରେ । ଓଡ଼ିଶାରେ ମୋ ନାମରେ ଓ୍ୟାରଣ୍ଟ ଜାରୀ ହୋଇଛି । ମତେ ଧରିବା ପାଇଁ ବାବୁ ଦାମୋଦର ରଥ ପ୍ରଭୃତି ଓଡ଼ିଶାର ଅନ୍ଧିକନ୍ଧି ଅଣ୍ଡାଳୁ ଥିବେ । ମୁଁ ଓଡ଼ିଶାରେ କେଉଁଠାରେ ଲୁଚି ଯାଇଛି ଏହା ସେମାନଙ୍କ ବିଶ୍ୱାସ । ମୁଁ ବଙ୍ଗଦେଶକୁ ପଳାଇ ଆସିଛି ଏହା ସେମାନେ କଳ୍ପନା ମଧ୍ୟ କରି ନାହାନ୍ତି । ଏପରି ଅବସ୍ଥାରେ କଟକ ମିଶନ ସ୍କୁଲରୁ ସାର୍ଟିଫିକେଟ ଆଣିବା ଅସମ୍ଭବ । ଅତଏବ ଶାନ୍ତିନିକେତନରେ ରହି ଅଧ୍ୟୟନ କରିବାର କୌଣସି ସୁବିଧା ଦେଖିଲି ନାହିଁ ।

 

ଶାନ୍ତିନିକେତନ ଛାଡ଼ି କଲିକତା ଫେରିଲି । ସ୍କୁଲରେ ନାମ ଲେଖାଇ ମୋର ଅଧ୍ୟୟନ କରିବା ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା । ସ୍କୁଲ କଲେଜରେ ପାଠପଢ଼ା ସହିତ ଦେଶସେବାର ସେପରି କିଛି ବିଶେଷ ସମ୍ବନ୍ଧ ନାହିଁ । ଘରୋଇ ଭାବରେ କିଛି ଜ୍ଞାନ ଲାଭ କଲେ ହେଲା । ସୁଭାଷବାବୁ ପ୍ରଭୃତି ମତେ ଏହି ପରାମର୍ଶ ଦେଲେ । ମୁଁ ମିରଜାପୁର ଷ୍ଟ୍ରିଟ୍ ମେସରେ ରହିଲି । ଏହି ସମୟରେ କେତେକ ଭଲ ଭଲ ବହି ମୁଁ ପଢ଼ିବାର ସୁବିଧା ଓ ସୁଯୋଗ ପାଇଛି । ଦେଶର ଅର୍ଥନୀତି, ଇତିହାସ, ରାଜନୈତିକ କେତେକ ବହି ଅଧ୍ୟୟନ କରିଥିଲି । ଧର୍ମ ବିଷୟରେ ମଧ୍ୟ କେତେଖଣ୍ଡି ପୁସ୍ତକ ପାଠ କରିଥିଲି ।

 

ମୁଁ ଯେଉଁ ଛାତ୍ରାବାସଟିରେ ରହିଲି ତହିଁର ଇତିହାସ ଅତି ବିରଳ । ମେସ୍‌ରେ ଯେ କେତେଜଣ ଛାତ୍ର ରହିଥାନ୍ତି ତାହା ନୁହେଁ । ପ୍ରତିଦିନ ବାହାରେ ରହିଥିବା ଅନ୍ୟ କେତୋଟି ଛାତ୍ର ମଧ୍ୟ ଏଠାକୁ ଯିବା ଆସିବା କରନ୍ତି । ଏହାର ଉଦ୍ଦେଶ୍ୟ ଛାତ୍ର ସମାଜରୁ ବାଛି କେତୋଟି ଛାତ୍ରଙ୍କୁ ନେଇ ଦେଶକାର୍ଯ୍ୟ ପାଇଁ ଗୋଟିଏ ସଙ୍ଘ ତିଆରି କରିବା । ଏହି କଳ୍ପନାର ଜନ୍ମଦାତା ଡାକ୍ତର ସୁରେଶଚନ୍ଦ୍ର ବନ୍ଦୋପାଧ୍ୟାୟ । ସୁରେଶବାବୁଙ୍କୁ ସମସ୍ତେ ସୁରେଶଦା ବୋଲି ଡାକନ୍ତି । ସୁରେଶଦା ଅର୍ଥ ସୁରେଶ-ଦାଦା । ବଙ୍ଗଳାରେ ବଡ଼ ଭାଇକୁ ଦାଦା ବୋଲି ସମ୍ବୋଧନ କରନ୍ତି । ଆମ୍ଭ ମେସ୍‌ରେ ଯେ ଯାହାଠାରୁ ବଡ଼, ସେ ତାହାକୁ ଦାଦା ବୋଲି ଡାକେ । ସମସ୍ତେ ପରସ୍ପରକୁ ଭ୍ରାତୃଭାବରେ ଦେଖନ୍ତି । ସେ ଯାହା ହେଉ, ସୁରେଶଦା ଡାକ୍ତରୀ M.B. ପାସ କରି କାଶୀରେ ରହି, ହିନ୍ଦୁ ଦର୍ଶନଶାସ୍ତ୍ର ଅଧ୍ୟୟନ କରୁଅଛନ୍ତି । ମେସ୍‌ର ଭାର ଶ୍ରୀଯୁକ୍ତ ଯୋଗେନ୍ଦ୍ରନାଥ ଶାହଙ୍କ ଉପରେ । ତାଙ୍କୁ ମଧ୍ୟ ସମସ୍ତେ ଯୋଗେନଦା ବୋଲି ଡାକନ୍ତି । ଯୋଗେନଦା ଜଣେ ବଡ଼ ହୃଦୟବାନ୍ ବ୍ୟକ୍ତି । ମୁଁ ଗଲାବେଳକୁ ସେ ବି.ଏ. ପଢ଼ୁଥାନ୍ତି । ଯୋଗେନଦା ଛାତ୍ରମାନଙ୍କ ମନ ଭୁଲାଇ ଦେଇ ପାରନ୍ତି । ସୁଭାଷବାବୁ ଓ ପ୍ରଥମବାବୁ ଏହି ମେସ୍‌ରେ ଆସି ଅନେକ ସମୟ ରହନ୍ତି । ସୁଭାଷବାବୁ କଲେଜର ଆଇ.ଏ. ର ପ୍ରଥମ ଶ୍ରେଣୀରେ ପଢ଼ୁଥାନ୍ତି । ପ୍ରମଥବାବୁ ମଧ୍ୟ ତାହାଙ୍କର ସହାଧ୍ୟାୟୀ । ସୁଭାଷବାବୁ ମାଟ୍ରିକୁଲେସନ ପରୀକ୍ଷାରେ କଲିକତା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରମଥବାବୁ ସେହିବର୍ଷ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କଲିକତା ବିଶ୍ୱବିଦ୍ୟାଳୟର ଏହି ଦୁଇଟି ବିଶିଷ୍ଟ ଛାତ୍ର ଏହି ମେସ୍ ସହିତ ଯୋଗ ଦେବାରୁ ମେସ୍‌ର ଖାତିର ମଧ୍ୟ ଛାତ୍ର ସମାଜରେ ଖୁବ୍ ବେଶୀ ।

 

ବର୍ତ୍ତମାନ ମିରଜାପୁର ଷ୍ଟ୍ରିଟ୍ ଘର ଛାଡ଼ି ଓଏଲିଙ୍ଗଟନ୍ ଷ୍ଟ୍ରିଟ୍‌ରେ ଗୋଟିଏ ସ୍ୱତନ୍ତ୍ର ଘର ଭଡ଼ା ନେଇ ମେସ୍‌ଟି ରହିଛି । ଏଠାରେ ଯେ କେତେଜଣ ଅଛନ୍ତି ସମସ୍ତେ ସମାନ ଭାବରେ ଚଳନ୍ତି-। ଯାହାର ଯାହା ଖର୍ଚ୍ଚ ଆସେ, ସେ ତାହା ଯୋଗେନଦାଙ୍କୁ ଦେଇ ଦିଏ । ଯାହାର ଘରୁ ବେଶୀ ଟଙ୍କା ଆସେ ତାହା ପାଇଁ ସ୍ୱତନ୍ତ୍ର କିଛି ବ୍ୟବସ୍ଥା ନ ଥାଏ । ଏପରି କି ମେସରେ ପିନ୍ଧିବା ଲୁଗା କାହାରି ନିର୍ଦ୍ଦିଷ୍ଟ ହୋଇ ରହେ ନାହିଁ । ଧୋବା ଲୁଗା ସଫା କରି ଆଣିଦେଲେ, ଏ ଲୁଗା ଖଣ୍ଡି ମୋର, ସେ ଲୁଗା ଖଣ୍ଡି ତା’ର ଏପରି ବଛାବଛି ହୁଏ ନାହିଁ । ଛୋଟ ବଡ଼ ଆକାର ନେଇ ଛୋଟ ବଡ଼ ଲୁଗା ପ୍ରତ୍ୟେକ ପ୍ରତ୍ୟେକ ପାଇଁ ବାଛି ନିଅନ୍ତି ।

 

ମେସରେ ଗୋଟିଏ ଲାଇବ୍ରେରୀ ଥାଏ । ପ୍ରତି ସପ୍ତାହରେ ଗୋଟିଏ ଆଲୋଚନା ସଭା ବସେ । ବାହାରର ଛାତ୍ର ଏହି ଆଲୋଚନା ସଭାରେ ଯୋଗ ଦିଅନ୍ତି । ଏଠାରେ ଦେଶର ରାଜନୀତି, ଧର୍ମ ଓ ଅର୍ଥନୀତି ବିଷୟରେ ଆଲୋଚନା ପଡ଼େ । ପ୍ରତି ମାସରେ ଥରେ ଦୁଇଥର ବାହାରେ ଥିବା ଦଳଭୁକ୍ତ ଛାତ୍ରମାନେ ସମସ୍ତେ ଆସି ମେସ୍‌ରେ ଭୋଜନ କରନ୍ତି । ସେଦିନ ମେସ୍‌ରେ ଗୋଟିଏ ଭୋଜି ହୁଏ କହିଲେ ଚଳେ । ମେସ୍‌ ଚଳିବାକୁ ଅନେକ ଛାତ୍ର ଟିଉସନ୍ କରି ଟଙ୍କା ଯୋଗାନ୍ତି । ଏହା ହେଉଛି ଏହି ମେସ୍‌ଟିର ସଂକ୍ଷିପ୍ତ ଇତିହାସ । ଏହି ମେସ୍ ହେଉଛି ବଙ୍ଗଦେଶର ବିଖ୍ୟାତ କୁମିଲା ଅଭୟଆଶ୍ରମର ମୂଳଭିତ୍ତି ।

 

ଏହିଠାରେ ମୁଁ ପ୍ରାୟ ଦେଢ଼ବର୍ଷ ପର୍ଯ୍ୟନ୍ତ ରହିଲି । ଏହିଠାରେ ମୁଁ ଅନେକ କଥା ଜାଣି ପାରିଛି । ଏହି ସମୟତକ ମୋ ଜୀବନର ଏକ କଠୋର ସାଧନା କହିଲେ ଚଳେ । ମୁଁ ଇଚ୍ଛା କରି ଦିନରେ ବେଳାଏ ଖାଏ । ରାତ୍ରିରେ ଆଠଟାରେ ଶୋଇପଡ଼େ । ପ୍ରଥମ ନିଦ ଭାଙ୍ଗିଗଲେ ଆଉ ଶୟନ କରେ ନାହିଁ । ଦିନେ ଦିନେ ଏପରି ହୋଇଛି, ମୁଁ ରାତି ଆଠଟାରେ ଶୋଇ ନଅଟା କିମ୍ବା ଦଶଟାରେ ନିଦ ଭାଙ୍ଗି ଯାଇଛି, ତଥାପି ମୁଁ ଆଉ ଶୋଇ ନାହିଁ । ରାତ୍ରି ତମାମ ବସି, କିଛି ସମୟ ଅଧ୍ୟୟନ କରେ । ଘୋର ରାତ୍ରି ବେଳେ ଏକାକୀ ବସି ଧ୍ୟାନ ଉପାସନା କରେ । ପ୍ରତିଦିନ ରାତ୍ରି ୩ଟାରୁ ବାହାରି ଗଙ୍ଗା ନଦୀକୁ ସ୍ନାନ କରିବାକୁ ଯାଏ । ଗଙ୍ଗାରେ ସ୍ନାନ କରି ବସାକୁ ଫେରିଲା ବେଳକୁ ସମସ୍ତେ ଶୋଇଥାନ୍ତି । ମୋର କାର୍ଯ୍ୟକ୍ରମ ଏପରି ଦେଖି ଯୋଗେନଦା ମୋର ନାମ ଦେଇଥାନ୍ତି dr. gavin । ଅଭୟାଶ୍ରମରେ ଏବେ ମଧ୍ୟ ମତେ ଅନେକ ଏହି ନାମରେ ଡାକନ୍ତି, ଏବଂ ଅଭୟାଶ୍ରମର ମୁଁ ଜଣେ କର୍ମୀ ଏହି ଦୃଷ୍ଟିରେ ମତେ ଦେଖନ୍ତି ।

 

ସେ ଯାହା ହେଉ କଲିକତାରେ ରହି ମୁଁ ଅନେକ ବିଷୟ ଜାଣି ପାରିଲି । ଦେଶ-ସେବା କ’ଣ, ରାଜନୈତିକ ଜୀବନ କ’ଣ, ଏସବୁ ମୁଁ ହୃଦୟଙ୍ଗମ କରିବାରେ କିଛି ବାକି ରହିଲା ନାହିଁ । କଲିକତାରେ ରହିଲେ ଭାରତର କେଉଁ କୋଣରେ କି ରାଜନୈତିକ ଚର୍ଚ୍ଚା ହେଉଛି ସେ ସବୁ ଜଣାଯାଏ । କଲିକତା ହେଉଛି ଭାରତର ରାଜନୈତିକ ଜୀବନର ନାଡ଼ୀ । ନାଡ଼ୀ ଦେଖି ମନୁଷ୍ୟ ଶରୀରର ଭଲ ମନ୍ଦ ବୁଝିହୁଏ । କଲିକତାରେ ରହି, ରାଜନୈତିକ ଜୀବନ ଅତିବାହିତ କଲେ ଭାରତର ରାଜନୈତିକ ସମସ୍ତ ପ୍ରକାର ଆନ୍ଦୋଳନ କଥା ଜାଣି ହୁଏ । ଭାରତରେ ରାଜନୈତିକ କ୍ଷେତ୍ରରେ ମତଭେଦ କେଉଁଠାରେ ? ବିଭିନ୍ନ ରାଜନୈତିକ ଦଳ ସୃଷ୍ଟି କାହିଁକି ହୁଏ ଅବା ହୋଇଛି-? ବିଭିନ୍ନ ଦଳର ଲକ୍ଷ୍ୟ ଓ ପନ୍ଥା କ’ଣ ? ଇତ୍ୟାଦି ବିଷୟରେ ମୁଁ କିଛି କିଛି ବୁଝି ପାରିଲି । ମୋର ଏପରି ବୁଝିବା ସଙ୍ଗେ ସଙ୍ଗେ ମଧ୍ୟ ଦେଶ ଓ ରାଜନୀତିର ପରିସ୍ଥିତି ବିଷୟରେ ମୋର ଜ୍ଞାନ ଓ ଅଭିଜ୍ଞତା କ୍ରମଶ ବୃଦ୍ଧି ପାଇଲା । ଦେଶକୁ ଅଧିକ ପରିମାଣରେ ବୁଝିପାରିଲି । ସେତେବେଳକୁ ଦେଶରେ ସ୍ୱରାଜ୍ୟ ଆନ୍ଦୋଳନ କଂଗ୍ରେସ ସୃଷ୍ଟି କରି ନାହିଁ । ସରକାର ବିରୁଦ୍ଧରେ ସଭା ସମିତିରେ ବର୍ତ୍ତମାନ ପରି ବକ୍ତୃତା ଦେବାର ମୁଁ ଶୁଣି ନାହିଁ । ସ୍ୱରାଜ୍ୟ ଅବା ସ୍ୱାଧୀନତା ଏକଥା ପ୍ରକାଶ୍ୟ ଉଚ୍ଚାରଣ କରିବା ରାଜଦ୍ରୋହ-ସୂଚକ । ଭାରତ ଔପନିବେଶିକ ସ୍ୱାୟତ୍ତ-ଶାସନ ଦାବୀ କରେ ଏହା ମଧ୍ୟ କଂଗ୍ରେସ ଘୋଷଣା କରି ସେଥିପାଇଁ ଆନ୍ଦୋଳନର ସୂତ୍ରପାତ କରି ନାହିଁ । ଔପନିବେଶିକ ଶାସନ ବିଷୟ ନେଇ, ମଧ୍ୟେ ମଧ୍ୟେ କେତେକ ବିଶିଷ୍ଟ ରାଜନୈତିକମାନେ ଗୋଟିଏ ଗୋଟିଏ ଲେଖା ପାଠ କରିବାର ମୁଁ ଶୁଣିଛି । ଏଥିରୁ ଅଧିକ ରାଜନୀତି ଚର୍ଚ୍ଚା ପ୍ରକାଶ୍ୟରେ ଦେଶରେ ହୋଇ ନାହିଁ ।

 

କଲିକତାରେ ରହି ଦେଶର ରାଜନୈତିକ ପରିସ୍ଥିତି ବିଷୟରେ ମୋର ଜ୍ଞାନ ଓ ଅଭିଜ୍ଞତା ବଢ଼ିଲା ସତ୍ୟ, କିନ୍ତୁ ଦଶପଲ୍ଲା କଥା ପାସୋର ଗଲା ନାହିଁ । ଦଶପଲ୍ଲା କଥା ମନେ ପଡ଼ିଲେ ହୃଦୟରେ ପ୍ରତିଶୋଧ-ବହ୍ନି ଜଳି ଉଠେ । ରାଜନୈତିକ ଜ୍ଞାନ ଓ ଅଭିଜ୍ଞତା ସଙ୍ଗେ ସଙ୍ଗେ ଏହି ପ୍ରତିଶୋଧ ନେବାର ଭାବନା କାହିଁକି ତୀବ୍ର ହୋଇ ଉଠୁଥାଏ । ଦଶପଲ୍ଲା ପ୍ରଜାଙ୍କ ଦୁଃଖ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଛାଡ଼ିଦେବା ଉଚିତ ନୁହେଁ-ଏହିପରି ଭାବ ମନରେ ଜାଗି ଉଠେ । ଏପରି ଭାବନା ମଧ୍ୟ ମନରେ ଆନନ୍ଦ ଦାନ କରେ । ସେତେବେଳକୁ ମୁଁ ଅହିଂସାର ନାମ ଶୁଣି ନାହିଁ-। ଅହିଂସାଦ୍ୱାରା ଦେଶ ସ୍ୱାଧୀନ ହେବ ଏହା ସ୍ୱପ୍ନରେ ମଧ୍ୟ ଭାବି ନାହିଁ । ମୋର ବିଶ୍ୱାସ, ହିଂସାପଥ ଅବଲମ୍ବନ ନ କଲେ ଏ ଦେଶରୁ ବିଦେଶୀ ଶାସନ ଲୋପ ପାଇବା ଅସମ୍ଭବ । ସେତେବେଳେ କଲିକତାରେ ବେଳେ ବେଳେ ରାଜନୈତିକ ଡକାୟତି ଓ ରାଜନୈତିକ ହତ୍ୟା ହୁଏ । ଦେଶରେ ଗୋଟିଏ ବିପ୍ଳବୀ ଦଳ ଅଛନ୍ତି । ସେମାନେ ଦେଶ କାର୍ଯ୍ୟ ପାଇଁ ଡକାୟତି କରନ୍ତି ଏବଂ ତାହାଙ୍କ କାର୍ଯ୍ୟରେ ବାଧା ଦେବା ବ୍ୟକ୍ତି ତଥା ପୋଲିସ କର୍ମଚାରୀମାନଙ୍କୁ ସୁବିଧା ସୁଯୋଗ ଦେଖି ହତ୍ୟା କରନ୍ତି । ଏହି ରାଜନୈତିକ ଡକାୟତି ଓ ହତ୍ୟାର ସମ୍ବାଦ ଦୈନିକ ପତ୍ର ପତ୍ରିକାରେ ପ୍ରକାଶ ପାଏ । ଏହିପରି ସମ୍ବାଦ ଯେଉଁ ଦିନ ଥାଏ ସେଦିନ ସମ୍ବାଦପତ୍ରର ଭାରୀ କାଟତି । ଏହି ସମ୍ବାଦ ଜାଣିଲେ ମୋ ମନ ଭାରି ଜାଗି ଉଠେ । ମୁଁ ମନେ ମନେ ଭାବେ, ଦଶପଲ୍ଲାର ଅତ୍ୟାଚାରୀମାନଙ୍କୁ ଏପରି ହତ୍ୟା କରି ପାରିଲେ କିଛିମାତ୍ର ଦୋଷ ଘଟନ୍ତା ନାହିଁ । କିନ୍ତୁ ପୁଣି ମନରେ ଭାବନା ଆସେ ଏମାନଙ୍କୁ ମାରିବାରେ କିଛି ଲାଭ ନାହିଁ । ଏମାନେ ଦେଶର ସ୍ୱାଧୀନତା ସଂଗ୍ରାମର ଶତ୍ରୁ ନୁହନ୍ତି । ଆମ୍ଭର ସମସ୍ତ କର୍ମ ଓ ଭାବନା ମୂଳରେ ଦେଶକୁ ସ୍ୱାଧୀନ କରିବାର ଆକାଙ୍କ୍ଷା ଓ ଲକ୍ଷ୍ୟ ରହିବା ଦରକାର । ପୁଣି ଯାହା କରିବାକୁ ହେବ, ତାହା ବ୍ୟକ୍ତିଗତ କଳ୍ପନାରେ ପ୍ରଭାବିତ ହୋଇ କରିବାକୁ ଗଲେ ସେପରି କର୍ମ, ଦେଶର ରାଜନୈତିକ ଚିନ୍ତାଧାରାର ବର୍ହିଭୂତ ହେବ । ସମସ୍ତ କର୍ମ ଓ ଚିନ୍ତା ସଙ୍ଗଠିତ ଓ ଦଳଭୁକ୍ତ ହୋଇ କରିବା ଦରକାର ।

 

ଏହିପରି ଭାବନା ମନରେ ପ୍ରବେଶ କରିବା ମାତ୍ରକେ, ବଙ୍ଗଳାର ବିପ୍ଳବୀ ଦଳରେ ଯୋଗ ଦେବାପାଇଁ ବ୍ୟଗ୍ରତା ଅନୁଭବ କଲି । ଠିକ୍ ଏହି ସମୟରେ ସମ୍ବାଦପତ୍ରରେ ପାଠ କଲି, ‘‘ବାଲେଶ୍ୱରରେ ଖଣ୍ଡ-ଯୁଦ୍ଧ ।’’ ବଙ୍ଗଳାର ବିପ୍ଳବୀ ଦଳର ଯତୀନ୍ଦ୍ରନାଥ ମୁଖାର୍ଜୀ ନାମରେ କେହି ଜଣେ ପ୍ରଧାନ ବ୍ୟକ୍ତି ଥିଲେ । ସେ ତାଙ୍କର ବିପ୍ଳବୀ ସାଥି ୩।୪ ଜଣଙ୍କୁ ସଙ୍ଗରେ ଧରି ଓଡ଼ିଶାରେ ପ୍ରବେଶ କରିଥିଲେ । ଭାରତ-ରକ୍ଷା-ଆଇନ ବଳରେ, କଲିକତାରେ ଧରପଗଡ଼ ଆରମ୍ଭ ହେବାରୁ ସେ ବଙ୍ଗ ଦେଶ ଛାଡ଼ି ଓଡ଼ିଶାକୁ ଚାଲିଗଲେ । ବାଲେଶ୍ୱର ଜିଲାରେ ସେ ବୁଲୁଥିଲାବେଳେ, ଗୁପ୍ତ ପୋଲିସ ତାଙ୍କର ସନ୍ଧାନ ପାଇ ତାହାଙ୍କୁ ଧରିବାକୁ ସଶସ୍ତ୍ର ପୋଲିସ ଘେରାଉ କଲେ । ସରକାରଙ୍କ ପୋଲିସ ଫଉଜ ସହିତ ଯତୀନ୍ଦ୍ରନାଥ ମୁଖାର୍ଜୀ ଲଢ଼ାଇ କରି ପୋଲିସ ଗୁଳିଦ୍ୱାରା ହତ ହୋଇ ପଡ଼ିଗଲେ କିନ୍ତୁ ଆତ୍ମସମର୍ପଣ କରି ନ ଥିଲେ । ପୋଲିସ ସହିତ ତାହାଙ୍କର ୩।୪ ଘଣ୍ଟା କାଳ ଏହି ଯେ ଲଢ଼ାଇ ଚାଲିଲା, ତାହାକୁ ‘ବାଲେଶ୍ୱର ଖଣ୍ଡ ଯୁଦ୍ଧ’ ନାମ ଦେଇ, କଲିକତାର ସଂବାଦପତ୍ର ସମସ୍ତ ବିବରଣୀ ପ୍ରକାଶ କଲେ । ଏହି ସଂବାଦ ପାଠ କରି ମୋ ମନରେ ଯେତିକି ଦୁଃଖ ହେଲା ତେତିକି ଆନନ୍ଦ ମଧ୍ୟ ହେଲା । ସେମାନଙ୍କ ବୀରତ୍ଵରେ ଆନନ୍ଦ ଏବଂ ସେମାନଙ୍କ ମୃତ୍ୟୁରେ ଦୁଃଖ । ମୋର ମନେ ହେଲା, ସେମାନଙ୍କ ଦଳରେ ଜଣେ କେହି ଓଡ଼ିଆ ଥିଲେ ବୋଧହୁଏ ସେମାନେ ଏତେ ସହଜରେ ଧରା ପଡ଼ି ନ ଥାନ୍ତେ । ଏହିଠାରୁ ଏବଂ ଏପରି ଭାବନା ସଙ୍ଗେ ସଙ୍ଗେ ବିପ୍ଳବୀ ଦଳରେ ଯୋଗ ଦେବା ପାଇଁ ମୋର ମନ ଦୌଡ଼ିଲା ।

 

ଦଶପଲ୍ଲା ଗଣ୍ଡଗୋଳ କଥା ବିପ୍ଳବୀ ଦଳ ମଧ୍ୟରୁ କେହି କେହି ଜାଣିଥାନ୍ତି । ଦଶପଲ୍ଲା ମେଳି ସଂବାଦ ଖବରକାଗଜରେ ପ୍ରକାଶ ପାଇଲା ପରେ କନ୍ଧମାନଙ୍କୁ ଯାଇ ସାହାଯ୍ୟ କରିବା କଥା କାହାରି କାହାରି ମନକୁ ସ୍ପର୍ଶ କରିଥିଲା । ନାନା କାରଣରୁ ତାହା କେହି କରି ନାହାନ୍ତି, ନ କରି ମଧ୍ୟ ବୁଦ୍ଧିମାନର କାର୍ଯ୍ୟ କରିଛନ୍ତି । ଏହି ସୂତ୍ରରେ କେହି କେହି ମୋର ନାମ ଶୁଣିଛନ୍ତି ଏବଂ ମୁଁ ବଙ୍ଗ ଦେଶକୁ ପଳାଇ ଆସି ବୋଲପୁର ଶାନ୍ତିନିକେତନରେ ଆଶ୍ରୟ ନେଇଥିବା କଥା ମଧ୍ୟ କେହି କେହି ଜାଣନ୍ତି । ଶାନ୍ତିନିକେତନରେ ଥିବା ସମୟରେ ବିପ୍ଳବୀ ଦଳର କେହି ସେଠାକୁ ଯାଇ ମୋ ସହିତ କଥା ହୋଇ ଆସିବାର କଥା ମୁଁ ପରେ ଅନୁମାନ କରି ବୁଝି ପାରିଛି । ବିପ୍ଳବୀ ଦଳରେ କେହି କେହି ବେଳେ ବେଳେ ଭାବିଥାନ୍ତି, ସୁବିଧା ପାଇଲେ କେତୋଟି ଓଡ଼ିଆ ଯୁବକଙ୍କୁ ଦଳଭୁକ୍ତ କରି ନେବେ ।

 

କଲିକତାରେ ଓଡ଼ିଆ ବହୁତ ଅଛନ୍ତି । ଓଡ଼ିଆଙ୍କ ଉପରେ ପୋଲିସର ନଜର ନାହିଁ । ଓଡ଼ିଆ ଯୁବକ କେତୋଟି ପାଇଲେ, ଅନେକ କାର୍ଯ୍ୟ ସହଜରେ ସାଧିତ ହୋଇ ପାରିବ, ଏହି ଇଚ୍ଛାରେ କେହି କେହି ମତେ ସେମାନଙ୍କ ଦଳଭୁକ୍ତ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ମୁଁ ପରେ ଜାଣିଛି । ଦେଶ ପ୍ରତି ପ୍ରଗାଢ଼ ଅନୁରାଗ ଏବଂ ଦେଶକାର୍ଯ୍ୟରେ ଅକାତରରେ ପ୍ରାଣବଳି ଦେବା ପାଇଁ ପ୍ରସ୍ତୁତ ନ ଥିଲେ ବିପ୍ଳବୀ ଦଳରେ ଯୋଗ ଦେଇ କାର୍ଯ୍ୟ କରିବା ସହଜସାଧ୍ୟ ନୁହେଁ । କଲିକତାରେ ରହିଲା ଦିନୁ ମୋତେ କେହି କେହି ଆସି, ଜାଣି ଯାଇଛନ୍ତି । ସେମାନେ କାହାକୁ ଚିହ୍ନିବାକୁ ଇଚ୍ଛାକଲେ, ସେମାନେ କି କୌଶଳରେ ତାହା ସାଧନ କରନ୍ତି, ବେଳେ ବେଳେ ସ୍ୱୟଂ ଅନ୍ତର୍ଯ୍ୟାମୀ ତାହା ଜାଣି ପାରୁଥିବେ କି ନା ସନ୍ଦେହ । ସେ ଯାହା ହେଉ, ବିପ୍ଳବୀ ଦଳରେ ଯୋଗ ଦେବାକୁ ମୋର ମନ ବଳିଛି, ଏବଂ କୌଣସି ଗୋଟିଏ ଦଳ ମତେ ସେମାନଙ୍କ ଦଳଭୁକ୍ତ କରିବାକୁ ମଧ୍ୟ ସେମାନଙ୍କର ଆଗ୍ରହ ଅଛି । କିନ୍ତୁ କେହି କାହାର ମନ କଥା ଜାଣିବାର କୌଣସି ସୁବିଧା ଘଟି ପାରୁ ନାହିଁ ।

 

ମୁଁ ଏହି ମେସ୍‌ରେ ଥିବା ସମୟରେ ଜଣେ କେହି ଆସି ମୋତେ ପ୍ରଶ୍ନ କରିଥିଲେ ‘‘ଭାରତ କାହାଦ୍ୱାରା ସ୍ୱାଧୀନ ହୋଇ ପାରିବ ?’’ ଉତ୍ତରରେ ମୁଁ ଗାନ୍ଧି ଓ ଅରବିନ୍ଦଙ୍କ ନାମ ପ୍ରକାଶ କରିଥିଲି । ଏ ପ୍ରଶ୍ନ ପଚରା ହେଲା ବେଳେ, ଏ ପ୍ରଶ୍ନର ଉଦ୍ଦେଶ୍ୟ ମୁଁ ବୁଝି ପାରି ନାହିଁ କିମ୍ବା ପ୍ରଶ୍ନକାରୀକୁ ଚିହ୍ନି ନାହିଁ । ପ୍ରଶ୍ନ ପଚାରିବା ବ୍ୟକ୍ତି ଜଣେ କେହି ମୁଖ୍ୟ ବିପ୍ଳବବାଦୀ ଏକଥା ମୁଁ ପରେ ବୁଝିଲି । କଲିକତାରେ କିଏ ଜଣେ ଏହା ଚିହ୍ନିବା ଏକାବେଳକେ ଅସମ୍ଭବ ପରି ଜଣାଯାଏ । ଯାହାଙ୍କୁ ତୁମ୍ଭେ ନିଜର ପରମମିତ୍ର ବୋଲି ଭାବୁଛ, ସେ ହୁଏତ ଜଣେ ବିପ୍ଳବବାଦୀ କିମ୍ବା ସେ ଜଣେ ଇଂରେଜୀ ସରକାରଙ୍କ ଚୋରା ପୋଲିସ । ଏପରି ଅବସ୍ଥାରେ କିଏ କ’ଣ ଚହ୍ନିବ କିପରି ?

 

ଏଥିପାଇଁ ଦେଶର ସ୍ୱାଧୀନତା କାମନା କରି ଯେଉଁମାନେ ବିପ୍ଳବୀ ଦଳଭୁକ୍ତ ହୋଇ କାର୍ଯ୍ୟ କରନ୍ତି ସେମାନଙ୍କ ଭିତର ବାହାର ସମାନ ନ ଥାଏ । ସେମାନଙ୍କ ହୃଦୟର ଭାବ ଯାହା ତହିଁର ବିପରୀତ କାର୍ଯ୍ୟ ସେମାନଙ୍କୁ କରିବାକୁ ହୁଏ । ଲୋକଦୃଷ୍ଟିରୁ ଅନ୍ତରାଳରେ ରହିବା ପାଇଁ ସେମାନଙ୍କ ବାହ୍ୟିକ ବ୍ୟବହାର କ୍ରିୟାକଳାପ ସହିତ, ଅନ୍ତରର ଚିନ୍ତାଧାରାର ମିଳନ ନ ଥାଏ । ଏଥିପାଇଁ ମନୁଷ୍ୟର ଗତିବିଧି ଦେଖି ଲୋକ ଚିହ୍ନିବା ସହଜ ନୁହେଁ ।

 

ପ୍ରତିଦିନ ସନ୍ଧ୍ୟାରେ ମୁଁ ଗଡ଼ମାଠକୁ ବୁଲିବାକୁ ଯାଏ । ଏହି ପଡ଼ିଆଟି ଅତି ବିସ୍ତୃତ । ଏହାର ଏକ ପାଖରେ ଗଙ୍ଗାନଦୀ । ଅପର ପାର୍ଶ୍ୱରେ ଚୌରଙ୍ଗୀ ରାସ୍ତା । ପଡ଼ିଆରେ ଗଙ୍ଗାକୂଳକୁ ଲାଗି ଫୋର୍ଟ ଉଇଲିୟମ୍ ଦୁର୍ଗ । ଏହି ଦୁର୍ଗର ଏକ ପାର୍ଶ୍ୱରେ ଇଡନ୍‌ଗାର୍ଡନ ଅର୍ଥାତ୍ ପ୍ରମୋଦ ଉଦ୍ୟାନ । ଏହି ଉଦ୍ୟାନକୁ ଲାଗି ଲାଟ-ପ୍ରାସାଦ । କଲିକତା ଭାରତର ରାଜଧାନୀ ଥିଲାବେଳେ ଏହି ଉଦ୍ୟାନ ଭିତରକୁ କେହି ଭାରତବାସୀ ପ୍ରବେଶ କରିବାକୁ ନିଷେଧ ଥିଲା । ସେ ଯାହା ହେଉ ସେହି ପଡ଼ିଆରେ ଅନେକଗୁଡ଼ିଏ ପ୍ରସ୍ତର ମୂର୍ତ୍ତି ସ୍ଥାପିତ ହୋଇଛି । ସେମାନଙ୍କ ନାମ ଓ ପରିଚୟ ମଧ୍ୟ ପ୍ରସ୍ତରରେ ଲେଖାଅଛି । ଏହି ମୂର୍ତ୍ତିଗୁଡ଼ିକ ସବୁ ଇଂରେଜ ସେନାଧ୍ୟକ୍ଷ ଓ ଶାସକମାନଙ୍କ ପ୍ରତିମୂର୍ତ୍ତି । ଏହିମାନେ ଏ ଦେଶରେ ଇଂରେଜ ରାଜ୍ୟ ସ୍ଥାପନ କରି ଭାରତର ସ୍ୱାଧୀନତା ଲୋପ କରିଛନ୍ତି । ଇଂରେଜ ସରକାର ତାଙ୍କର ଗୌରବ ଅକ୍ଷୁଣ୍ଣ ରଖିବା ପାଇଁ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏହିସବୁ ପ୍ରତିମୂର୍ତ୍ତି ଦେଖିଲେ ଭାରତ କିପରି ପରାଧୀନ ଓ ପଦଦଳିତ, ଏହି ଭାବ-ତରଙ୍ଗ ହୃଦୟରେ ଖେଳିଯାଏ । ଯେଉଁଦିନ ମୁଁ ଏହି ପଡ଼ିଆକୁ ବୁଲିବାକୁ ଯାଏ, ସେଦିନ ରାତିରେ ମୋର ଭଲ ନିଦ ହୁଏ ନାହିଁ ।

 

ସେ ଯାହା ହେଉ ଏହି ପଡ଼ିଆ ଭିତରେ ଗୋଟିଏ ଦୀର୍ଘକାୟ ଉଚ୍ଚ ଘର ଅଛି । ଏହାର ନାମ ମନୁମେଣ୍ଟ । ମୁଁ ଦିନେ ସନ୍ଧ୍ୟାରେ ଏହି ମନୁମେଣ୍ଟ ନିକଟରେ ଯାଇ ବସିଲି । ଯଥାନିର୍ଦ୍ଦିଷ୍ଟ ସମୟରେ ମୋର ଜଣେ କେହି ମୁଖଚିହ୍ନା ଲୋକ ଆସି ମୋ ନିକଟରେ ହାଜର ହେଲେ । ତାହାଙ୍କ ସହିତ ମୋର ଯେପରି କିଛି ପରିଚୟ ନାହିଁ । ସେ ମୋ ନିକଟରେ ବସି ମୋ ଡେଣାରେ ହାତ ପକାଇ ମତେ କହିଲେ, ‘‘ତୁମି ଏତ ଦୁର୍ବଳ କେନ?’’ ତାଙ୍କର ଏ ପ୍ରଶ୍ନ ଶୁଣି ମୋର ବୁଝିବାର ଆଉ କିଛି ବାକି ରହିଲା ନାହିଁ । ମୁଁ ଉତ୍ତର ଦେଲି, ‘‘ଆମି ଦୁର୍ବଳ କେ ବଲ୍‌ଚେ ? ମନେର ବଲ୍‌ ଥାକିଲେ ହଲ, ଗାଏର ବଲ୍‌ ଏକମାତ୍ର ବଲ୍‌ ନଏ ।’’

 

ଏହି ହେଲା ପ୍ରଥମ ସମ୍ଭାଷଣ । ତାପରେ ସେ କହିଲେ, ‘‘କଲିକତାରେ ରହିବାକୁ ହେଲେ କୌଣସି ଗୋଟିଏ ସ୍କୁଲରେ ନାମ ଲେଖାଇ ନେବା ଦରକାର । ତା ନ ହେଲେ, ଜଣେ ଯୁବକ କଲିକତାରେ ବିନା କାମରେ ରହି, ଏଠାକୁ ସେଠାକୁ ଯିବା ଆସିବା କଲେ ପୋଲିସର ଦୃଷ୍ଟି ନିଶ୍ଚୟ ପଡ଼ିବ । ପୋଲିସର ସନ୍ଦେହ ଜାତ ହେବ । ପୋଲିସର ସନ୍ଦେହ-ଚକ୍ଷୁରେ ପଡ଼ିଲେ କିଛି କରି ହେବ ନାହିଁ । ଯେ କୌଣସି ଉପାୟରେ କୌଣସି ଗୋଟିଏ ସ୍କୁଲରେ ନାମ ଲେଖାଇ ନେବା ଦରକାର । ମୁଁ ଆସେଁ, ପରେ ଦେଖା ହେବ ।’’ ଏତିକି କହି ଦେଇ ଉକ୍ତ ଭଦ୍ରବ୍ୟକ୍ତିଟି ସେଠାରୁ ଚାଲିଗଲେ ।

 

ସେ ଲୋକଟି କେବଳ ଟିକିଏ ମୁଖଚିହ୍ନା ଲୋକ । ସେ କିଏ, କ’ଣ କରନ୍ତି, କେଉଁସ୍ଥାନରେ ଥାନ୍ତି ସେସବୁ ମୁଁ ଭଲ କରି ଜାଣେ ନାହିଁ । ସେ ଜଣେ ଛାତ୍ର ହୋଇଥିବେ ମୁଁ କେବଳ ଏହା ଅନୁମାନ କରିଛି । ସେ ଚାଲିଗଲା ପରେ ସେ ସ୍ଥାନରେ ଅନେକ ସମୟ ପର୍ଯ୍ୟନ୍ତ ମୁଁ ବସି ରହିଲି । ମନ ମଧ୍ୟରେ କେତେ କ’ଣ ଭାବନା ଖେଳିଗଲା । କିପରି କିଛି ନୂଆ କଥା ମୁଁ ଶୁଣିବି, ଏପରି ବିଚାରିଥିଲି । କିନ୍ତୁ ଉପର କଥାର ରହସ୍ୟ କିଛି ବୁଝି ପାରିଲି ନାହିଁ । କେତେଦିନ ପରେ ବୁଝିଲି, ସ୍କୁଲରେ ନାମ ଲେଖାଇବା ଗୋଟିଏ କାର୍ଯ୍ୟ । ଏ କାର୍ଯ୍ୟଟି ହାସଲ କରି ପାରିବାର ଦେଖାଗଲେ, ପରେ ଅନ୍ୟ କଥା । ପ୍ରକାରାନ୍ତରେ ମତେ ଏହି କାର୍ଯ୍ୟ ସାଧନ କରିବାର ଆଦେଶ ମିଳିଲା ।

Image

 

ଚତୁର୍ଥ ପରିଚ୍ଛେଦ

 

କଲିକତା ମେସ୍ ମଧ୍ୟରେ ଆମ୍ଭ ମେସ୍‌ଟିର କିଛି ବିଶେଷତ୍ଵ ଅଛି ଏଥିରେ ଆଦୌ ସନ୍ଦେହ ନାହିଁ । କିନ୍ତୁ ଏହା ଉପରେ ପୋଲିସର ଚକ୍ଷୁ ନ ପଡ଼ିଛି ତାହା ନୁହେଁ । ମେସ୍ ପ୍ରତି ପୋଲିସର ଦୃଷ୍ଟି ରହିଛି । ପୋଲିସର ସନ୍ଦେହ ଚକ୍ଷୁରେ ପଡ଼ିଲେ ମେସ୍‌ଟି ଭାଙ୍ଗିଯିବ ଏଥିପାଇଁ ଯୋଗେନ୍‌ଦା ପ୍ରଭୃତିଙ୍କର ଯେ ଡର ନ ଥାଏ ତାହା ନୁହେ । କଲିକତାରେ ପ୍ରତ୍ୟେକ ବଙ୍ଗାଳୀ ଛାତ୍ରଙ୍କ ପଛରେ ଗୋଇନ୍ଦା ପୋଲିସ ରହି ଗତିବିଧି ନିରୀକ୍ଷଣ କରେ । କାହାରିଠାରେ କିଛି ଅସାଧାରଣ ଦେଖିଲେ ତା ପଛରେ ବରାବର ଚୋରା ପୋଲିସ ରହନ୍ତି । ସୁତରାଂ ମୋ ପରି ଜଣେ ଯୁବକ ମେସ୍‌ରେ ଅଛି । କୌଣସି ସ୍କୁଲ କିମ୍ବା କଲେଜରେ ନାମ ନ ଥାଇ ମେସ୍‌ରେ ରହିବାର ହେତୁ କ’ଣ, ଏହି ବିଷୟ ଅନୁସନ୍ଧାନ କରୁ କରୁ କାଳେ ମୁଁ ଧରା ପଡ଼ିବି ଏହି ଭୟରେ ଯୋଗେନଦା ପ୍ରଭୃତି ମଧ୍ୟ ଠିକ୍ କରିଥାନ୍ତି ଯେ କୌଣସି ଗୋଟିଏ ସ୍କୁଲରେ ମୋର ନାମ ଲେଖାଇ ଦେବା ନିରାପଦ । କିନ୍ତୁ କଟକରୁ ଟ୍ରାନସଫର ସାର୍ଟିଫିକେଟ ନ ଆଣିଲେ ସ୍କୁଲରେ ନାମ ଲେଖା ହେବ କିପରି ? ସୁତରାଂ ଯେ କୌଣସି ପ୍ରକାରେ ଖଣ୍ଡିଏ ସାର୍ଟିଫିକେଟ ହାସଲ କରିବାକୁ ହେବ ।

 

କଲିକତାଠାରୁ ତିରିଶ ମାଇଲ ଦୂରରେ ବାଗନାନ୍ ନାମକ ଗୋଟିଏ ଗ୍ରାମ ଅଛି । ବେଙ୍ଗଲ-ନାଗପୁର ରେଲରେ ଆସିବାକୁ ହୁଏ । ଏହି ଗ୍ରାମରେ ଗୋଟିଏ ହାଇସ୍କୁଲ ଅଛି । ଜଣେ କେହି ବନ୍ଧୁ ଏହି ସ୍କୁଲର ହେଡମାଷ୍ଟରଙ୍କ ନିକଟକୁ ଖଣ୍ଡିଏ ପତ୍ର ଦେଲେ । ଉକ୍ତ ପତ୍ର ଖଣ୍ଡି ଧରି ମୁଁ ଆସି ବାଗନାନ୍ ସ୍କୁଲରେ ଉପସ୍ଥିତ ହେଲି । ହେଡମାଷ୍ଟ୍ରଙ୍କ ପରାମର୍ଶ ଅନୁସାରେ ଖଣ୍ଡିଏ ପତ୍ର ମୁଁ ମୋର କକେଇଙ୍କ ସ୍ୱାକ୍ଷରରେ ଲେଖିଲି । ମୋର କକେଇ ଲେଖୁଛନ୍ତି :- ‘‘ହେଡମାଷ୍ଟର ମହାଶୟ !

 

ମୋର ଭାତୁଷ୍ପତ୍ର ଶ୍ରୀମାନ୍ ଗୋବିନ୍ଦଚନ୍ଦ୍ର ମିଶ୍ରଙ୍କୁ ମୁଁ ମୋର କଲିକତା ବସାରେ ରଖି ଘରୋଇ ଭାବରେ କିଛି ପାଠ ପଢ଼ାଇଅଛି । କୌଣସି ଗୋଟିଏ ସ୍କୁଲରେ ନାମ ଲେଖାଇ ଦେବା ମୋର ଇଚ୍ଛା । ଏଣୁ ମୁଁ ତାହାଙ୍କୁ ଆପଣଙ୍କ ସ୍କୁଲକୁ ପଠାଉଛି । କାରଣ, କଲିକତାରେ ରଖି ତାହାଙ୍କୁ ସ୍କୁଲରେ ପଢ଼ାଇବା ମୋ ପକ୍ଷରେ ସହଜସାଧ୍ୟ ନୁହେଁ । ତେଣୁ ଆପଣ ଅନୁଗ୍ରହ କରି, ତାହାଙ୍କୁ ପରୀକ୍ଷା କରି ଯେଉଁ କ୍ଳାସରେ ଉପଯୁକ୍ତ ମନେ କରିବେ ସେହି କ୍ଳାସରେ ନାମ ଲେଖାଇଦେଲେ ବିଶେଷ ଉପକୃତ ହେବି । ଇତି ।

 

ଆପଣଙ୍କର ବିଶ୍ୱନାଥ ମିଶ୍ର’’

 

ପତ୍ରଖଣ୍ଡିଏ ଏହିପରି ଭାବରେ ଓଡ଼ିଆରେ ଲେଖି ତାହାକୁ ଇଂରେଜୀରେ ଅନୁବାଦ କରି ହେଡମାଷ୍ଟର ମହାଶୟଙ୍କୁ ଦେଲି । ସେ ମୋର ନାମ ମାଟ୍ରିକ୍ ଫାଷ୍ଟ କ୍ଳାସରେ ଲେଖିଦେଲେ । ମୁଁ କଲିକତା ଫେରି ଆସିଲି । କିଛିଦିନ ପରେ ପୁଣି ଯାଇ ସେହି ସ୍କୁଲରେ ହାଜର ହେଲି । ଆଉ ଖଣ୍ଡିଏ ପତ୍ର କକେଇ ଲେଖିଛନ୍ତି–

 

‘‘ହେଡମାଷ୍ଟର ମହାଶୟ !

 

ଆପଣ ଅନୁଗ୍ରହ ପୂର୍ବକ ଶ୍ରୀମାନ୍ ଗୋବିନ୍ଦର ନାମ ଫାଷ୍ଟ କ୍ଳାସରେ ଲେଖିଛନ୍ତି, ଏଥିପାଇଁ ଅନ୍ତରର ଧନ୍ୟବାଦ ଜଣାଉଅଛି । କିନ୍ତୁ ଇତିମଧ୍ୟରେ କେତେକ ଘଟଣା ଘଟି ଯାଇଛି, ଯେଉଁ ସକାଶେ ଶ୍ରୀମାନ ଗୋବିନ୍ଦଙ୍କୁ ମୁଁ ମୋର ନିକଟରେ ରଖିବାକୁ ବାଧ୍ୟ ହେଉଛି । ଦୟା କରି ଆପଣ ଖଣ୍ଡିଏ ଟ୍ରାନ୍‌ସଫର ସାର୍ଟିଫିକେଟ ଦେଲେ ମୁଁ ବିଶେଷ ଉପକୃତ ହେବି । ଇତି ।

 

ଆପଣଙ୍କର ଅନୁଗ୍ରହାକାକ୍ଷ୍ଙୀ

ଶ୍ରୀ ବିଶ୍ୱନାଥ ମିଶ୍ର’’

 

ଏହିପରି ଖଣ୍ଡିଏ ଓଡ଼ିଆରେ ପତ୍ର ଓ ତହିଁର ଇଂରେଜୀ ଅନୁବାଦ ହେଡମାଷ୍ଟର ମହାଶୟଙ୍କୁ ଦେଲି । ସେ ଏ ପତ୍ର ପାଇ ଖଣ୍ଡିଏ ସାର୍ଟିଫିକେଟ ଦେଇ ଦେଲେ । ଉକ୍ତ ସାର୍ଟିଫିକେଟ ଧରି ମୁଁ କଲିକତା ଫେରିଲି । ଏହିପରି ଭାବରେ ନାମ ଲେଖାଇ ସାର୍ଟିଫିକେଟ ଆଣିବାରେ ବାଗନାନ୍ ସ୍କୁଲର ଅନ୍ୟାନ୍ୟ ଶିକ୍ଷକଙ୍କ ମଧ୍ୟରୁ କେହି କିଛି ଆପତ୍ତି ନ କରିଛନ୍ତି ତାହା ନୁହେଁ । କିନ୍ତୁ ହେଡମାଷ୍ଟର ମହାଶୟ କାହାରି ଆପତ୍ତି ଶୁଣି ନାହାନ୍ତି । କାରଣ ସବୁ ତାହାଙ୍କ ପରାମର୍ଶରେ ହୋଇଛି । ସେ ଜଣେ ବିପ୍ଳବବାଦୀ । କିନ୍ତୁ ମୁଁ ତାହାଙ୍କୁ ଜାଣି ନ ଥିଲି । ତାହାଙ୍କ ସହିତ ମୋର ପରିଚୟ ହେବାର କେତେକ ମାସ ପରେ ଭାରତ ରକ୍ଷା ଆଇନ ଅନୁସାରେ ସେ ଧରାହୋଇ ଅନ୍ତରୀଣ ବନ୍ଦୀରୂପେ ଅଟକ ରହିଲେ । ଏଥିରୁ ସେ ବିପ୍ଳବବାଦୀ ବୋଲି ମୁଁ ଅନୁମାନରେ ବୁଝି ନେଲି ।

 

ଏହିପରି ଭାବରେ ସାର୍ଟିଫିକେଟ ହାସଲ ହେଲା । ଏହା ପଛରେ ଆଉ ଯାହା ରହସ୍ୟ ରହିଲା ତାହା ଉଲ୍ଲେଖ କରିବା କୌଣସି ଦରକାର ନାହିଁ । ବର୍ତ୍ତମାନ କୌଣସି ଗୋଟିଏ ସ୍କୁଲରେ ନାମ ଲେଖାଇଲେ ହେଲା । କଲିକତା ବଉବଜାର ଷ୍ଟ୍ରିଟ୍‌ରେ ଖେଲାତଚାନ୍ଦ ଇନ୍‌ଷ୍ଟିଚିଉଟ୍ ନାମରେ ଗୋଟାଏ ସ୍କୁଲ ଥାଏ । ବ୍ୟବସାୟ ହିସାବରେ କେତେ ଜଣ ମିଶି ଏହି ସ୍କୁଲଟିକୁ ସ୍ଥାପନ କରିଥାନ୍ତି-। ସ୍କୁଲ କଲେଜ ସ୍ଥାପନ କରିବା ଗୋଟାଏ ବ୍ୟବସାୟ, ଏହା ମୁଁ ଏହି ସ୍କୁଲରୁ ଜାଣିଲି । କଲିକତାରେ ଗୋଟିଏ ସ୍କୁଲ ସ୍ଥାପନ କରି ପାରିଲେ ଛାତ୍ରଦତ୍ତ ବେତନରୁ ବେଶ ରୋଜଗାର ହୁଏ । ଦୁଇ ଚାରିଜଣ ମିଶି ସ୍କୁଲ କରନ୍ତି । ଅନ୍ୟାନ୍ୟ ଶିକ୍ଷକଗୁଡ଼ିକ ସେମାନଙ୍କ ଚାକର କହିଲେ ଚଳେ । ସେମାନେ ନିୟମିତରୂପେ ଦରମା ପାନ୍ତି ନାହିଁ । ଏଥିପାଇଁ ଶିକ୍ଷକମାନେ କେତୋଟି ଛାତ୍ରଙ୍କୁ ନିଜର କରି ରଖିଥାନ୍ତି । ଦରମା ଅସୁଲର ବେଳ ପଡ଼ିଲେ ଶିକ୍ଷକମାନେ ସେମାନଙ୍କ ହାତରେ ଯେ କେତେ ଜଣ ପ୍ରିୟଛାତ୍ର ଥାନ୍ତି, ସେମାନଙ୍କଠାରୁ ନିଜ ବେତନ ବାବତ୍‌କୁ ସ୍କୁଲ ଦରମା ନେଇଯାନ୍ତି । ଏହି ସ୍କୁଲର ହେଡ୍‌ପଣ୍ଡିତ ବିଚାରା ଏହିପରି କେତେଥର ମୋ ନିକଟରୁ ଦରମା ମାଗି ନେଇଛନ୍ତି । ଦିନେ ମୁଁ ଦରମା ଦେବାକୁ ଯିବା ସମୟରେ ହେଡ ପଣ୍ଡିତ ମତେ କହିଲେ, ‘‘ଗୋବିନ୍ଦ, ଦରମା ଟାକା ଆମାକେ ଦାଓ । ଆମି ନିଏଛି, ବଲେ ବଲେଦିବି । ଶାଲାରା ଆମାର ଦରମା ବାକୀ ରେଖେଛେ ।’’ ଏହିପରି ଭାବରେ ଅନେକ ସମୟରେ ଶିକ୍ଷକ କେହି କେହି ଛାତ୍ରମାନଙ୍କ ନିକଟରୁ ଦରମା ନେଇ ନିଅନ୍ତି । ଏଥିରୁ ସ୍କୁଲର ଅବସ୍ଥା କ’ଣ ହୋଇଥିବ ବୁଝିନେବା ଉଚିତ । ଜାଣି ଶୁଣି ଏପରି ଗୋଟିଏ ରଦି ସ୍କୁଲରେ ମୁଁ ନାମ ଲେଖାଇଲି । ସ୍କୁଲରେ ପାଠ ପଢ଼ିବା ମୋର ତ ଉଦ୍ଦେଶ୍ୟ ନୁହେ । ନିଜକୁ ଛାତ୍ର ବୋଲି ପରିଚୟ ଦେବା ମୋର ଉଦ୍ଦେଶ୍ୟ । ଏପରି ଗୋଟିଏ ସ୍କୁଲରେ ନାମ ଲେଖାଇ ନ ଥିଲେ, ଅନ୍ୟ କୌଣସି ପ୍ରସିଦ୍ଧ ସ୍କୁଲରେ ନାମ ଲେଖାଇଲାବେଳେ ଏ ଟ୍ରାନ୍‌ସଫର ସାର୍ଟିଫିକେଟ ନେଇ କାଳେ କିଛି ପ୍ରଶ୍ନ ଉଠିପାରେ, ଏହି ଭୟ ମଧ୍ୟ ଥାଏ । ସେ ଯାହା ହେଉ ଏହିପରି ଭାବରେ ସ୍କୁଲରେ ମୋର ନାମ ଲେଖା ହେଲା ।

 

ଏହି ବର୍ଷ କଲିକତା ପ୍ରେସିଡେନ୍‌ସି କଲେଜରେ ଓଟେନ୍ ସାହେବ ନାମକ ଜନୈକ ଅଧ୍ୟାପକଙ୍କ ସହିତ ଛାତ୍ରମାନଙ୍କର ଗୋଳମାଳ ସୃଷ୍ଟି ହେଲା । ଓଟେନ୍ ସାହେବ ଛାତ୍ରମାନଙ୍କଠାରୁ ମାଡ଼ ଖାଇଲେ । ସନ୍ଦେହ କରି ଏହି ଦୋଷପାଇଁ ସୁଭାଷ ବାବୁଙ୍କୁ ଦୁଇବର୍ଷ ସକାଶ କଲେଜରୁ ତଡ଼ି ଦିଆଗଲା । ସେ କଲିକତା ଛାଡ଼ି କଟକରେ ଆସି ରହିଲେ । ଆମ ମେସ୍ ଉପରେ ପୋଲିସର କଡ଼ା ନଜର ପଡ଼ିଲା । ମେସ୍‌ଟି ଅନେକବାର ଖାନ-ତଲାସ ହେଲା । ଫଳରେ ମେସ୍ ଭାଙ୍ଗିଗଲା । ମେସ୍‌ର ଛାତ୍ରମାନେ କିଏ କେଉଁଠାରେ ଯାଇ ରହିଲେ । କିଛିଦିନ ପାଇଁ ମୁଁ ବୋଲପୁର ଶାନ୍ତି-ନିକେତନକୁ ଗଲି । ଶାନ୍ତିନିକେତନକୁ ଯିବା ପୂର୍ବରୁ ସ୍କୁଲରେ ଟେଷ୍ଟ ପରୀକ୍ଷା ଦେଇ ବିଶ୍ୱବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷା ଦେବାପାଇଁ ମୁଁ ବଛା ହୋଇଥାଏ । ସେହି ବର୍ଷ ଶାନ୍ତିନିକେତନରୁ ଯେ କେତୋଟି ଛାତ୍ର ପରୀକ୍ଷା ଦେବାର ଥାଏ, ମୁଁ ସେମାନଙ୍କ ସହିତ ରହି କ୍ଳାସରେ ଯୋଗ ଦିଏ । ଶାନ୍ତି-ନିକେତନରେ ଛାତ୍ର ଓ ଶିକ୍ଷକ ସମସ୍ତେ ମତେ ବଡ଼ ଭଲ ପାଉଥାନ୍ତି-। ରବୀନ୍ଦ୍ରନାଥ ଠାକୁରଙ୍କ ଅନୁଗ୍ରହରୁ ଶାନ୍ତିନିକେତନ ସବୁବେଳେ ମୋପାଇଁ ଉନ୍ମୁକ୍ତ ଥାଏ-

 

ପରୀକ୍ଷା ଦେବାର ସମୟ ଉପସ୍ଥିତ ହେଲା । ଶାନ୍ତିନିକେତନର ଛାତ୍ରମାନେ ଚାନ୍ଦା କରି ମତେ କଲିକତା ଆସି ପରୀକ୍ଷା ଦେବାପାଇଁ ଖର୍ଚ୍ଚ ଦେଇଥିଲେ । ମୁଁ ଆସି ପରୀକ୍ଷା ଦେଇ ମାଟ୍ରିକ୍ ସେକେଣ୍ଡ ଡିଭିଜନରେ ପାସ୍ କଲି । ବର୍ତ୍ତମାନ କଲେଜରେ ନାମ ଲେଖାଇବାର ସମୟ ।

Image